Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର, ଓମାନ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର (ୟୁଏଇ)ଏବଂ ଓମାନ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ଥାନ ବିବୃତି ନିମ୍ନରେ ଦିଆଗଲା –

“ମୁଁ 9 ରୁ12 ଫେବୃଆରୀ ପର୍ଯ୍ୟନ୍ତ ପାଲେଷ୍ଟାଇନ, ସଂଯୁକ୍ତ ଆରବ ଅମିରତନ୍ତ୍ର ଏବଂ ଓମାନକୁ ଦ୍ୱିପାକ୍ଷିକ ଗସ୍ତରେ ଯାଉଛି ।

2015 ପର ଠାରୁ ପଞ୍ଚମ ଥର ପାଇଁ ଉପସାଗରୀୟ ଏବଂ ପଶ୍ଚିମ ଏସୀୟ ଅଂଚଳକୁ ଗସ୍ତ କରୁଥିବାରୁ ମୁଁ ଆନନ୍ଦିତ । ଏହି ଅଂଚଳ ବୈଦେଶିକ ସମ୍ପର୍କ ଦୃଷ୍ଟିରୁ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏ ଅଂଚଳର ରାଷ୍ଟ୍ରଗୁଡ଼ିକ ସହ ଆମର ଉଜ୍ଜ୍ୱଳ ବହୁସ୍ତରୀୟ ସମ୍ପର୍କ ରହିଛି ।

ଜୋର୍ଡାନ ଦେଇ ଯିବା ପରେ 10 ଫେବୃଆରୀରେ ଏହି ଗସ୍ତ ପାଲେଷ୍ଟାଇନରୁ ଆରମ୍ଭ ହେବ । ଜୋର୍ଡାନ ଦେଇ ଯିବା ଲାଗି ଅନୁମତି ପ୍ରଦାନ କରିଥିବାରୁ ମୁଁ ଜୋର୍ଡାନ ରାଜା ମହାମହିମ କିଙ୍ଗ ଅବଦୁଲ୍ଲା ଦ୍ୱିତୀୟଙ୍କ ପ୍ରତି କୃତଜ୍ଞ । 9 ଫେବୃଆରୀ ସନ୍ଧ୍ୟାରେ ଅମନ(Aman)ରେ ତାଙ୍କୁ ଭେଟିବା ଲାଗି ମୁଁ ଉତ୍ସାହିତ ।

ଇତିହାସରେ ପ୍ରଥମ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ପାଲେଷ୍ଟାଇନ ଗସ୍ତରେ ଯାଉଛନ୍ତି । ରାଷ୍ଟ୍ରପତି ମହମଦ ଆବାସଙ୍କ ସହ ଆଲୋଚନା ପାଇଁ ମୁଁ ଆଗ୍ରହୀ ଅଛି ଏବଂ ପାଲେଷ୍ଟାଇନ ଓ ପାଲେଷ୍ଟାଇନର ଲୋକମାନଙ୍କ ବିକାଶ ପ୍ରତି ଆମର ସହଯୋଗ ଜାରି ରହିବ ।

10-11 ଫେବୃଆରୀରେ ମୁଁ ସଂଯୁକ୍ତ ଆରବ ଅମିରତନ୍ତ୍ର ଗସ୍ତରେ ଯିବି । 2015 ଅଗଷ୍ଟ ପରେ ମୁଁ ପୁଣିଥରେ ସେଠାକୁ ଯାଉଛି । ୟୁଏଇ ଆମର ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀ ଯାହା ସହିତ ଆମର ସମ୍ପର୍କ ଅର୍ଥନୀତି, ଶକ୍ତି, ଉଚ୍ଚ ପ୍ରଯୁକ୍ତି ଏବଂ ସୁରକ୍ଷା ଆଦି କ୍ଷେତ୍ରରେ ତ୍ୱରାନ୍ୱିତ ହୋଇଛି । ଏହି ସବୁ କ୍ଷେତ୍ରରେ ଆମେ ହାସଲ କରିଥିବା ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ୟୁଏଇର ପ୍ରଧାନମନ୍ତ୍ରୀ ଏବଂ ଦୁବାଇ ରାଜା ମହାମହିମ ଶେଖ ମହମ୍ମଦ ବିନ ରସିଦ ଅଲ ମକତୁମ ଏବଂ ଆବୁଧାବିର ଯୁବରାଜ ମହାମହିମ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ ବୈଠକରେ ଏସବୁ ଆଲୋଚନା ହେବ ।

ୟୁଏଇର ନେତୃବୃନ୍ଦଙ୍କ ଆମନ୍ତ୍ରଣ କ୍ରମେ ଦୁବାଇରେ ଆୟୋଜିତ ବିଶ୍ୱ ସରକାର ସମ୍ମିଳନୀର ଷଷ୍ଠ ସଂସ୍କରଣରେ ମୋର ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି, ଭାରତ ଏଥିରେ ସମ୍ମାନିତ ଅତିଥି ରାଷ୍ଟ୍ର ଭାବେ ଯୋଗଦେଉଛି ।

ସେହିଦିନ, ଅଗ୍ରଣୀ ୟୁଏଇ ଏବଂ ଆରବ ସିଇଓମାନଙ୍କ ସହ ଦୁବାଇରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଭାରତରେ ଥିବା ବ୍ୟାପକ ଅର୍ଥନୈତିକ ସୁଯୋଗ ଏବଂ ଆମର ବ୍ୟବସାୟିକ ସହଯୋଗ ବୃଦ୍ଧି ଲାଗି ଆଉ ଅଧିକ କ’ଣ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ।

ଓମାନ ଆମର ନିବିଡ଼ ସାମୁଦ୍ରିକ ପଡ଼ୋଶୀ ଯାହା ସହିତ ଆମର ଉତ୍ତମ ସମ୍ପର୍କ ରହିଛି । ମୁଁ ମହାମହିମ ଓମାନ ସୁଲତାନ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନେତୃବୃନ୍ଦଙ୍କ ସହ ଆଲୋଚନା କରିବି । ଭାରତ ସହିତ ସୁଦୃଢ଼ ଅର୍ଥନୈତିକ ଏବଂ ବ୍ୟବସାୟିକ ସମ୍ପର୍କ ଲାଗି ମୁଁ ଓମାନର ଅଗ୍ରଣୀ ବ୍ୟବସାୟୀ ଗୋଷ୍ଠୀ ସହ ଆଲୋଚନା କରିବି ।

ଓମାନ ଆମର ନିବିଡ଼ ସାମୁଦ୍ରିକ ପଡ଼ୋଶୀ ହୋଇଥିବାରୁ ଏହା ସହ ଆମର ଭଲ ସମ୍ପର୍କ ରହିଛି । 11-12 ଫେବୃଆରୀରେ ପ୍ରଧାନମନ୍ତ୍ରୀ ଭାବେ ସେଠାକୁ ମୋର ପ୍ରଥମ ଗସ୍ତକୁ ନେଇ ମୁଁ ଉତ୍ସାହିତ ଅଛି । ଜନ-ଜନ ବିନିମୟ ମାଧ୍ୟମରେ ଶତାଧିକ ବର୍ଷ ଧରି ଭାରତ ଏବଂ ଓମାନ ମଧ୍ୟରେ ସମ୍ପର୍କ ରହିଆସିଛି ।

11 ଫେବୃଆରୀ ସନ୍ଧ୍ୟାରେ ମୋର ମହାମହିମ ଓମାନ ସୁଲତାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ମୁଁ ମଧ୍ୟ ସେଠାକାର ମନ୍ତ୍ରୀପରିଷଦର ଉପପ୍ରଧାନମନ୍ତ୍ରୀ ମହାମହିମ ସୟିଦ ଫହଦ ବିନ ମହମ୍ମଦ ଅଲ ସୟିଦ ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଏବଂ ସହଯୋଗ ବ୍ୟାପାର ବିଭାଗ ଉପପ୍ରଧାନମନ୍ତ୍ରୀ ମହାମହିମ ସୟିଦ ଆସାଦ ବିନ ତାରିକ ଅଲ ସୟିଦଙ୍କୁ ଭେଟିବି । ଆମେ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବୁ ଏବଂ ଆମର ଦୃଢ଼ ପାରମ୍ପରିକ ସମ୍ପର୍କକୁ ଆହୁରି ବିସ୍ତାର କରିବା ପାଇଁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବୁ ।

12 ଫେବୃଆରୀରେ ଭାରତ ସହ ଦୃଢ଼ ଅର୍ଥନୈତିକ ଏବଂ ବ୍ୟବସାୟିକ ସମ୍ପର୍କ ବିକଶିତ କରିବା ଲାଗି ଓମାନର ଅଗ୍ରଣୀ ବ୍ୟବସାୟୀ ଗୋଷ୍ଠୀ ସହିତ ମଧ୍ୟ ମୁଁ ଆଲୋଚନା କରିବି ।

ଉଭୟ ଓମାନ ଏବଂ ୟୁଏଇରେ ମୋର ବହୁସଂଖ୍ୟକ ପ୍ରବାସୀ ଭାରତୀୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି, ଯେଉଁମାନେ ସେହି ଦେଶକୁ ନିଜର ଘର ଭଳି ଗ୍ରହଣ କରିନେଇଛନ୍ତି । ଉପସାଗରୀୟ ଦେଶରେ ଏବେ 9 ନିୟୁତରୁ ଅଧିକ ଭାରତୀୟ କାମ କରୁଛନ୍ତି ଏବଂ ରହୁଛନ୍ତି । ଏମାନଙ୍କ ମଧ୍ୟରୁ ଏକତୃତୀୟାଂଶ କେବଳ ୟୁଏଇରେ ରହୁଛନ୍ତି । ଓମାନରେ ଏମାନେ ସବୁଠୁ ବଡ଼ ପ୍ରବାସୀ ସମୁଦାୟ ।

ପ୍ରବାସୀ ଭାରତୀୟମାନେ ଉପସାଗରୀୟ ଦେଶ ସହ ଭାରତର ବନ୍ଧୁତ୍ୱରେ ସେତୁ ଭାବେ କାର୍ଯ୍ୟ କରୁଛନ୍ତି । ସେମାନେ ମଧ୍ୟ ଏସବୁ ଦେଶର ସମୃଦ୍ଧି ଏବଂ ପ୍ରଗତିରେ ସକ୍ରିୟ ଭାଗିଦାର ହୋଇପାରିଛନ୍ତି ।

ଏହି ଗସ୍ତ ମାଧ୍ୟମରେ ପଶ୍ଚିମ ଏସିଆ ଏବଂ ଉପସାଗରୀୟ ଦେଶ ସହ ଭାରତର ବର୍ଦ୍ଧିତ ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ମୁଁ ଲକ୍ଷ୍ୟ ରଖିଛି ।