ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କ୍ରୟ ଅଗ୍ରାଧିକାର ନୀତି (ସ୍ଥାନୀୟ ଉପାଦାନ ସହ ସଂଯୁକ୍ତ )(ପିପିଏଲସି)) ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।
ଏହି ନୀତି 5 ବର୍ଷ ପାଇଁ କାର୍ଯ୍ୟକାରୀ କରାଯିବ । ଏହି ନୀତି କାର୍ଯ୍ୟକାରୀ ଅନୁପାଳନକୁ ଅନୁଧ୍ୟାନ କରିବା ଲାଗି ଏକ ଷ୍ଟିଅରିଂ କମିଟି ଗଠନ କରାଯିବ । ଏହି କମିଟି ବାର୍ଷିକ ଅନୁଧ୍ୟାନ କରିବ ଏବଂ ବର୍ଷକୁ ବର୍ଷ ନୀତି କାର୍ଯ୍ୟକାରୀ କରିବା ଲାଗି ସୁପାରିସ କରିବ ।
ଏହି ନୀତି ଅଧୀନରେ ସ୍ଥାନୀୟ ଉପାଦାନ (ଏଲସି)ର ଲକ୍ଷ୍ୟ କେତେକ ନିର୍ଦ୍ଦିଷ୍ଟ ତୈଳ ଏବଂ ଗ୍ୟାସ ବ୍ୟବସାୟ ଲାଗି ନିର୍ଦ୍ଧାରଣ କରାଯିବ । ବିନିର୍ମାତା/ସେବା ପ୍ରଦାନକାରୀ ଯେଉଁମାନେ ସ୍ଥାନୀୟ ଉପାଦାନ ଲକ୍ଷ୍ୟ ହାସଲ କରିବେ ଏବଂ ଯେଉଁମାନଙ୍କ ଦ୍ୱାରା ଦର୍ଶାଯାଇଥିବା ମୂଲ୍ୟ ବୈଧ ପ୍ରାଇସ୍ ବିଡ୍ର 10 ପ୍ରତିଶତ ହୋଇଥିବ ସେମାନେ ଏହି ମୂଲ୍ୟ ସହ ମେଳ ଖାଇବା ଭଳି କ୍ରୟ ଆଦେଶର ନିର୍ଦ୍ଧାରିତ ଅଂଶର କ୍ରୟ ଅଗ୍ରାଧିକାର ପାଇବା ଲାଗି ଯୋଗ୍ୟ ହେବେ ।
ଏହି ନୀତି ଦ୍ୱାରା ଯୋଗାଣକାରୀ ଏବଂ ସେବାପ୍ରଦାନକାରୀଙ୍କୁ ପ୍ରୋତ୍ସାହନ ମିଳିପାରିବ ଏବଂ ସେମାନେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନରେ ସକ୍ରିୟ ଭାବେ ସାମିଲ୍ ହୋଇପାରିବା ସହିତ ଦେଶ ଭିତରେ ସେମାନଙ୍କ ଉତ୍ପାଦ ଏବଂ ସେବାର ମୂଲ୍ୟାଙ୍କ ବୃଦ୍ଧିରେ ସଫଳ ହୋଇପାରିବେ । ଏହି ନୀତି ସମସ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସମ୍ପୂର୍ଣ୍ଣ ଭାବେ ସେଗୁଡ଼ିକ ଅଧୀନରେ ଥିବା ସହାଯୋଗୀ ସଂସ୍ଥା, ଏକ କିମ୍ବା ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର 51 ପ୍ରତିଶତ କିମ୍ବା ତତୋଧିକ ଅଂଶଧନ ଥିବା ମିଳିତ ଉଦ୍ୟୋଗ ପାଇଁ ଲାଗୁ ହେବ ।