ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଏବେସୁଦ୍ଧା ତାଙ୍କର ଐତିହାସିକ ନିର୍ବାଚନ ବିଜୟ ସକାଶେ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଆଜି ଯେଉଁସବୁ ବିଶ୍ୱ ନେତୃବର୍ଗ ପ୍ରଧାନମନ୍ତ୍ରୀଙ୍କୁ ଟେଲିଫୋନ ଯୋଗେ ବଧେଇ ଜଣାଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶ୍ରୀ ଇମ୍ରାନ୍ ଖାନ୍, ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ମହମ୍ମଦ ନସୀଦ୍, ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମାଧବ ନେପାଳ ।
ଏହିସବୁ ନେତୃବର୍ଗଙ୍କ ଠାରୁ ଅଭିନନ୍ଦନ ବାର୍ତ୍ତା ପାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପାକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଟେଲିଫୋନରେ ଅଭିନନ୍ଦନ ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କ ସରକାରଙ୍କ ପ୍ରତିବେଶୀ ପ୍ରଥମେ ନୀତି ପ୍ରସଙ୍ଗ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମିଳିତ ଭାବେ ଉଭୟ ରାଷ୍ଟ୍ର ପ୍ରଥମେ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିବା ଲାଗି ସେ ପୂର୍ବରୁ ପ୍ରସ୍ତାବ ଦେଇଛନ୍ତି , ସେ ଦିଗରେ ଉଭୟ ରାଷ୍ଟ୍ର ପ୍ରୟାସୀ ହେବା ଆବଶ୍ୟକ । ଦୁଇ ରାଷ୍ଟ୍ର ପାରସ୍ପରିକ ଆସ୍ଥା ଓ ବିଶ୍ୱାସଭାଜନ ହେବା ଦିଗରେ ଦାୟିତ୍ୱସମ୍ପନ୍ନ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଯେଉଁଥିରେ କି ଏକ ହିଂସାମୁକ୍ତ ଏବଂ ଆତଙ୍କବାଦବିହୀନ ବାତାବରଣ ସୃଷ୍ଟି ହେବ ଏବଂ ପାରସ୍ପରିକ ସହଯୋଗ ଦ୍ୱାରା ଶାନ୍ତି, ପ୍ରଗତି ତଥା ସମୃଦ୍ଧିର ଏସୀୟ କ୍ଷେତ୍ର ଜନ୍ମଲାଭ କରିବ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।
ମାଳଦ୍ଵୀପର ପୂର୍ବତନ ରାଷ୍ଟ୍ରପତି ନସୀଦ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଐତିହାସିକ ବିଜୟ ସକାଶେ ଅଭିନନ୍ଦନ ଜଣାଇବା ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାଳଦ୍ୱୀପ ଓ ଭାରତ ବିଗତ ବର୍ଷରେ ପାରସ୍ପରିକ ଦ୍ୱିପାକ୍ଷିକ ସଂପର୍କକୁ ନିବିଡ଼ତର କରିପାରିଛନ୍ତି । ଏସୀୟ କ୍ଷେତ୍ରକୁ ଉଗ୍ରବାଦ ଓ ଅତିବାଦମୁକ୍ତ କରିବା ସକାଶେ ଉଭୟ ପକ୍ଷ ଘନିଷ୍ଠତାର ସହ କାର୍ଯ୍ୟ କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି । ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତିଙ୍କ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଯେ ମାଳଦ୍ୱୀପ ସହ ଏକ ସୁଦୃଢ଼ ଓ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ସର୍ବାଙ୍ଗୀନ ସହଯୋଗ ଓ ଉନ୍ନତିର ସହଭାଗୀତା ରକ୍ଷା ସକାଶେ ଭାରତ ସଦାବେଳେ ଆଗ୍ରହୀ । ଏହା ଦ୍ୱାରା ଉଭୟ ରାଷ୍ଟ୍ରରେ ଏବଂ ଏହି କ୍ଷେତ୍ରରେ ଶାନ୍ତି, ନିରାପତ୍ତା ଓ ବିକାଶର ଧାରା ଜାରି ରହିବ ।
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ ନେପାଳ ପ୍ରଧାନମନ୍ତ୍ରୀଙ୍କ ବିପୁଳ ନିର୍ବାଚନୀ ବିଜୟରେ ତାଙ୍କୁ ବଧେଇ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶ୍ରୀ ନେପାଳଙ୍କୁ ଏହି ସୌଜନ୍ୟ ପାଇଁ ଧନ୍ୟବାଦ ଜଣାଇ କହିଲେ ଯେ ଭାରତ ଏବେ ଏହି ସମଗ୍ର କ୍ଷେତ୍ରରେ ଏକ ବିଶ୍ୱ ଶକ୍ତି ଭାବେ ମୁଣ୍ଡ ଟେକିଛି । ଭାରତ ଓ ନେପାଳ ମଧ୍ୟରେ ସଦାବେଳେ ଘନିଷ୍ଠ ସଂପର୍କ ରହିଆସିଛି ଏବଂ ଐତିହାସିକ ଦୃଷ୍ଟିକୋଣରୁ ଦୁଇ ରାଷ୍ଟ୍ର ପରସ୍ପର ସହ ନିବିଡ଼ ସଂପର୍କରେ ରହି ଆସିଛନ୍ତି ଓ ତାହା ଆଗାମୀ ଦିନରେ ମଧ୍ୟ ନିବିଡ଼ତର ହେବ ବୋଲି ଶ୍ରୀ ମୋଦୀ ଦୃଢ଼ ଆଶା ପୋଷଣ କରିଛନ୍ତି ।
*****