Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମାର୍କିନ ବୈଦେଶିକ ସଚିବ ରେକ୍ସ ଡବ୍ଲୁ ଟିଲରସନ;


ଆମେରିକାର ବୈଦେଶିକ ସଚିବ ରେକ୍ସ ଡବ୍ଲୁ ଟିଲରସନ ଆଜି ଅପରାହ୍ନରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ବୈଦେଶିକ ସଚିବ ହିସାବରେ ଟିଲରସନଙ୍କର ଏହା ପ୍ରଥମ ଭାରତ ଗସ୍ତ ।

ଆଲୋଚନା କାଳରେ ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତକୁ ସ୍ୱାଗତ କରିବା ସହ ଦୁଇ ଦେଶର ରଣନୀତିକ ଭାଗିଦାରୀତାରେ ଅଗ୍ରଗତିକୁ ବେଶ୍ ପସନ୍ଦ କରିଥିଲେ । ଗତ ଜୁନ୍ ମାସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ସହ ତାଙ୍କର ସକାରାତ୍ମକ ଓ ସୁଦୂରପ୍ରସାରୀ ଆଲୋଚନା ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମନେ ପକାଇ ଦେଇଥିଲେ । ଦ୍ୱିପାକ୍ଷିକ ସହଭାଗୀତା ଓ ଆଲୋଚନାର ଆକାର, ପରିସର, ପ୍ରଗତି ଓ ପ୍ରସଙ୍ଗଗୁଡିକୁ ବ୍ୟାପକ କରିବା ଏବଂ ଦୁଇ ଦେଶ ମଧ୍ୟରେ ସଂବନ୍ଧକୁ ସଠିକ ମାର୍ଗରେ ପରିଚାଳିତ କରିବା ଦିଗରେ ବୈଦେଶିକ ସଚିବ ଟିଲରସନଙ୍କ ସଂକଳ୍ପ ସହିତ ପ୍ରଧାନମନ୍ତ୍ରୀ ଏକମତ ହୋଇଥିଲେ । ଭାରତ-ଆମେରିକା ସହଭାଗୀତା କେବଳ ଦୁଇ ଦେଶର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଆଂଚଳିକ ଓ ବୈଶ୍ୱିକ ସ୍ଥିରତା ତଥା ସମୃଦ୍ଧି ହାସଲ ଦିଗରେ ଅନୁକୂଳ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଦୁଇ ନେତା ଏକମତ ହୋଇଥିଲେ ।

ରାଷ୍ଟ୍ରପତି ଟ୍ରମ୍ଫଙ୍କ ନୂତନ ଦକ୍ଷିଣ ଏସିଆ ନୀତି ଘୋଷଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆତଙ୍କବାଦ, ଆତଙ୍କବାଦର ଭିତିଭୂମି, ସେମାନଙ୍କ ନିରାପଦ ଆଶ୍ରୟ ସ୍ଥଳ, ଆତଙ୍କବାଦୀଙ୍କୁ ସହାୟତା ପ୍ରସଙ୍ଗ ଉପରେ ଭାରତ ଓ ଆମେରିକାର ଭାବନା ସବୁବେଳେ ଏକ ହୋଇଆସିଛି । ବିଶେଷକରି ଆଫଗାନିସ୍ଥାନରେ ଶାନ୍ତି ଓ ସ୍ଥିରତା ରକ୍ଷା ଦିଗରେ ଦୁଇ ଦେଶର ଭାବନା ଓ ଉଦବେଗ ମଧ୍ୟ ସମାନ ରହିଛି ।
ଆଲୋଚନା କାଳରେ ବୈଦେଶିକ ସଚିବ ଟିଲରସନ ତାଙ୍କର ସାଂପ୍ରତିକ ବୈଦେଶିକ ଗସ୍ତର ଉଦେ୍ଦଶ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କ ସହିତ ବିସ୍ତୃତ ମତ ବିନିମୟ କରିଥିଲେ । ଆଂଚଳିକ ସ୍ଥିରତା ଓ ନିରାପତ୍ତା ସୁନିଶ୍ଚିତ କରିବା ତଥା ଆତଙ୍କବାଦର ମୁକାବିଲା ପାଇଁ ଦୁଇ ଦେଶ ମଧ୍ୟରେ ଫଳପ୍ରଦ ସହଭାଗୀତାକୁ ଆହୁରି ଆଗେଇ ନେବା ସକାଶେ ଦୁହେଁ ମତବିନିମୟ କରିଥିଲେ ।

ଆଜି ଭାରତ ଗସ୍ତର ପ୍ରଥମ ଚରଣରେ ମାର୍କିନ ବୈଦେଶିକ ସଚିବ ଟିଲରସନ ଭାରତର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲଙ୍କ ସହ ଦ୍ୱିପାକ୍ଷିକ ଓ ବୈଶ୍ୱିକ ସ୍ୱାର୍ଥ ଜଡିତ ପ୍ରସଙ୍ଗ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

***