Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଦକ୍ଷତା ବିକାଶ ମିଶନର ପ୍ରଥମ ପରିଚାଳନା ପରିଷଦ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ଦକ୍ଷତା ବିକାଶ ମିଶନର ପ୍ରଥମ ପରିଚାଳନା ପରିଷଦ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୨୦୧୬ ଜୁନ୍ ୨ ତାରିଖ ଦିନ ଜାତୀୟ ଦକ୍ଷତା ବିକାଶ ମିଶନର ପ୍ରଥମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଉପଯୁକ୍ତ ଦକ୍ଷତା ମ୍ୟାପିଂ ଏବଂ ଭବିଷ୍ୟତ କୌଶଳ ବିକାଶ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଯାହାଫଳରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ କର୍ମସଂସ୍ଥାନ ଉପରେ ଧାରଣା ପାଇପାରିବେ । ସେ ମଧ୍ୟ କହିଛନ୍ତି ଯେ, ବିଶ୍ୱସ୍ତରରେ ଆବଶ୍ୟକ ହେଉଥିବା ଦକ୍ଷ ଶ୍ରମ ବଳର ତୁଳନାତ୍ମକ ଚିତ୍ର ପ୍ରସ୍ତୁତି ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଉଚିତ । ଯାହାଫଳରେ ବିଶ୍ୱସ୍ତରରେ ଯେଉଁ କାର୍ଯ୍ୟଦକ୍ଷତାର ଆବଶ୍ୟକତା ରହିଛି ତାହା ଭାରତ ପୂରଣ କରିପାରିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ଦକ୍ଷତା ବିକାଶର ସୁରକ୍ଷା ମାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ବୈଠକରେ ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । କେନ୍ଦ୍ର କୌଶଳ ବିକାଶ ଏବଂ ଉଦଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ରାଜୀବ ପ୍ରତାପ ରୁଡି, ମାନବସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କଲରାଜ ମିଶ୍ର ଏବଂ ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ । ବରିଷ୍ଠ ପ୍ରଶାସକମାନଙ୍କ ସହିତ ଶିଳ୍ପୋଦ୍ୟୋଗୀ ଯଥା ଟାଟା ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ ସାଇରସ୍ ପି. ମିସ୍ତ୍ରୀ, ଫ୍ଲିପକାର୍ଟ ପ୍ରତିଷ୍ଠାତା ଓ ସିଇଓ ଶ୍ରୀ ସଚିନ ବଂଶଲ ଏବଂ ଟିମ୍ ଲିଜ୍ ସର୍ଭିସେସର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଶ୍ରୀ ମନିଶ ସବରୱାଲ ପ୍ରମୁଖ ଏହି ପରିଚାଳନା ପରିଷଦ ବୈଠକରେ ଉପସ୍ଥିତ ଥିଲେ ।

ଏହି ବୈଠକରେ ନିଆଯାଇଥିବା କିଛି ପ୍ରମୁଖ ନିଷ୍ପତ୍ତି ନିମ୍ନରେ ଦର୍ଶାଗଲା :

• ୨୦୧୬-୧୭ରେ ୧.୫ କୋଟି ଲୋକଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ

• ୨୦୧୬ ସେପ୍ଟେମ୍ବର ସୁଦ୍ଧା ସେଣ୍ଟ୍ରାଲ ବୋର୍ଡ ଫର ସ୍କିଲ ସାର୍ଟିଫିକେସନ ପ୍ରତିଷ୍ଠା କରାଯିବ । ଭାରତର ଦକ୍ଷତା ବିକାଶ ଇକୋସିଷ୍ଟମର ମାନ ପୂରଣ ପାଇଁ ଏହା ଗଠନ କରାଯିବ ।

• ଇଞ୍ଜିନିୟରିଂ କଲେଜ ଗୁଡ଼ିକରେ ଅବ୍ୟବହୃତ ଭିତ୍ତିଭୂମିକୁ ବିନିଯୋଗ କରାଯାଇ ଦକ୍ଷତା ତାଲିମ ପ୍ରଦାନ କରାଯିବ ।

• ଲାଭଜନକ ରାଷ୍ଟ୍ରାୟତ୍ତ ସଂସ୍ଥାମାନେ ସେମାନଙ୍କ ସାମଗ୍ରୀକ ଶ୍ରମ ଶକ୍ତିର ୧୦ ପ୍ରତିଶତ ଶିକ୍ଷାନବୀସଙ୍କୁ ନିଯୁକ୍ତି ଦେବା ସକାଶେ କ୍ଷମତାପ୍ରାପ୍ତ ହେବେ । ଘରୋଇ ଉଦ୍ୟୋଗଗୁଡିକୁ ମଧ୍ୟ ଅନୁରୁପ ପଦକ୍ଷେପ ନେବାର ଆଶା କରାଯାଉଛି ।

• ଦେଶର ଶିକ୍ଷିତ ଏବଂ ବେରୋଜଗାର ଯୁବ ଗୋଷ୍ଠୀଙ୍କୁ ମାଗଣାରେ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବାପାଇଁ ଚଳିତବର୍ଷ ୫୦୦ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ଖୋଲାଯିବ ।

• ପ୍ରତ୍ୟେକ ବର୍ଷ ମଜୁରି ଖଟିବାକୁ ଯାଉଥିବା ଅଞ୍ଚଳର ଲୋକଙ୍କ ପାଇଁ ପ୍ରମୁଖ ସ୍ଥାନରେ ୫୦ଟି ରୋଜଗାର ଦକ୍ଷତା ତାଲିମ କେନ୍ଦ୍ର ଖୋଲାଯିବ ।

• ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ), କେନ୍ଦ୍ର ପ୍ରଶିକ୍ଷଣ ସଂସ୍ଥାନ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମକେଭିୱାଇ) ପ୍ରଶିକ୍ଷଣ କେନ୍ଦ୍ର, ଟୁଲରୁମ୍ ଆଦିରେ ୫୦୦ ରୋଜଗାର ଉତ୍ସବ ଅନୁଷ୍ଠିତ ହେବ । ଆଗ୍ରହୀ ଯୁବକମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ଦେବାପାଇଁ ଏହି ଉତ୍ସବ ଅନୁଷ୍ଠିତ ହେବ ।

• ଏକ ଜାତୀୟ ଦକ୍ଷତା ପ୍ରତିଯୋଗିତା “ଇଣ୍ଡିଆ ସ୍କିଲ୍ସ’’ ୨୦୧୬-୧୭ରେ ଉନ୍ମୋଚିତ ହେବ । ଭାରତର ଯୁବକମାନଙ୍କ ଦକ୍ଷତା ଚିହ୍ନଟ ପାଇଁ ପ୍ରତିବର୍ଷ ଏହି ଉତ୍ସବ ଅନୁଷ୍ଠିତ ହେବ ।

• ଆଇଟିଆଇ ପାଠ୍ୟକ୍ରମ ସଫଳତାର ସହ ଶେଷ କରିଥିବା ପ୍ରାର୍ଥୀଙ୍କ ପାଇଁ ଚଳିତବର୍ଷ ଏକ ଜାତୀୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ସେମାନଙ୍କ ଦକ୍ଷତା ଚିହ୍ନଟ ପାଇଁ ଏଭଳି କରାଯିବ ।

• ଆସନ୍ତାବର୍ଷ ଆଇଟିଆଇ ଗୁଡ଼ିକର କ୍ଷମତା ୧୮.୫ ଲକ୍ଷରୁ ୨୫ ଲକ୍ଷକୁ ବୃଦ୍ଧି କରାଯିବ ଏବଂ ୫ ହଜାର ପାଖାପାଖି ନୂଆ ଆଇଟିଆଇ ପ୍ରତିଷ୍ଠା କରାଯିବ ।

ପୃଷ୍ଠଭୂମି

୬୫% ଭାରତୀୟଙ୍କ ବୟସ ୩୫ ବର୍ଷରୁ କମ । ଏନଡିଏ ସରକାର କ୍ଷମତାକୁ ଆସିବା ପରେ ୨୦୧୪ ନଭେମ୍ବରରେ ପ୍ରଥମ କରି କେନ୍ଦ୍ର କୌଶଳ ବିକାଶ ଓ ଉଦଯୋଗ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଛି । ଏହାଛଡା କେନ୍ଦ୍ର ସରକାରଙ୍କ ୨୧ଟି ମନ୍ତ୍ରଣାଳୟ ଏବଂ ବିଭାଗ ୫୦ରୁ ଅଧିକ ଦକ୍ଷତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି ।

**********