Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରଠାରେ ଥିବା ନାନ୍ୟାଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି ।

ଏଠାରେ ଛାତ୍ରମାନଙ୍କ ସହ ଏକ ଭାବ ବିନିମୟ କାର୍ଯ୍ୟକ୍ରମରେ ସେ ସେମାନଙ୍କ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।

ଏକବିଂଶ ଶତାବ୍ଦୀରେ ଏସିଆ କେଉଁ ଆହ୍ୱାନର ସମ୍ମୁଖୀନ ହେଉଛି ବୋଲି ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ସମୟରେ ଏହା କୁହାଯାଇଥାଏ ଯେ ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ହେବ । ସେ କହିଲେ ଯେ ଆମ ଭିତରେ ବିଶ୍ୱାସ ରହିବା ଆବଶ୍ୟକ ଏବଂ ଆମେ ଜାଣିବା ଉଚିତ ଯେ ଏହା ହେଉଛି ଆମର ପାଳି । ଆମେ ସୁଯୋଗ ଅନୁରୂପ ନିଜକୁ ପ୍ରସ୍ତୁତ କରିବା ଉଚିତ ଏବଂ ନେତୃତ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ନିକଟରେ ହୋଇଥିବା ତାଙ୍କ ବୈଠକ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ସେ କହିଲେ ଯେ ସେ ରାଷ୍ଟ୍ରପତି ସିଙ୍କୁ ଏକ ଦସ୍ତାବିଜ ପ୍ରଦାନ କରିଥିଲେ, ଯାହା ସୂଚନା ପ୍ରଦାନ କରିଥାଏ ଯେ ବିଗତ 2000 ବର୍ଷ ମଧ୍ୟରୁ 1600 ବର୍ଷର ବୈଶ୍ୱିକ ଜିଡିପିରେ ଭାରତ ଓ ଚୀନର ସମ୍ମିଳିତ ଭାଗିଦାରୀ ଶତକଡା 50 ପ୍ରତିଶତରୁ ଅଧିକ ରହିଛି ଏବଂ ଏହାକୁ ବିନା ସଂଘର୍ଷରେ ହାସିଲ କରାଯାଇଥିବାର ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମକୁ ବିନା ସଂଘର୍ଷରେ ସଂଯୋଗ  ବୃଦ୍ଧି କରିବା ଉପରେ ବିଶେଷ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଉତ୍ତମ ପ୍ରଶାସନ କ୍ଷେତ୍ରରେ ମହାକାଶ ପ୍ରାଦ୍ୟୋଗିକୀ ଏକ ବିଶେଷ ଭୂମିକା ନିର୍ବାହ କରିଥାଏ । ସାଧାରଣ ଜନତାର ଜୀବନକୁ ଏହା ଉନ୍ନତ କରିପାରେ । ମହାକାଶ ପ୍ରାଦ୍ୟୋଗିକୀ ଅବସଂରଚନା ବିକାଶର ସଠିକ ମାନଚିତ୍ରଣରେ ଆମର ସହାୟତା କରିଥାଏ । ଆମେ ଏହାକୁ ବିଦ୍ୟାଳୟ, ତ୍ତମ ରାସ୍ତା ଏବଂ ଡାକ୍ତରଖାନା ଆଦି କ୍ଷେତ୍ରରେ ଅଧିକ ବ୍ୟବହାର କରିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପରମ୍ପରା ଓ ବୈଶ୍ୱୀକରଣ ମଧ୍ୟରେ ସନ୍ତୁଳନ ସମ୍ବନ୍ଧିତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନବାଚାର, ନୈତିକତା ଓ ମାନବୀୟ ମୂଲ୍ୟବୋଧର ଆଧାରରେ ମନୁଷ୍ୟ ସମାଜ  ଯୁଗ ଯୁଗ ଧରି ବିକାଶ ଲାଭ କରିଛି । ସେ କହିଲେ ଯେ ପ୍ରାଦ୍ୟୋଗିକୀ ମଣିଷର ସୃଜନାତ୍ମକତାକୁ ସହାୟତା ପ୍ରଦାନ କରୁଛି । ବିଭିନ୍ନ ସାମାଜିକ ଗଣମାଧ୍ୟମର ଭିତ୍ତିଭୂମି ଲକ୍ଷ ଲକ୍ଷ ଜନସାଧାରଣଙ୍କୁ ସେମାନଙ୍କ ବିଚାର ବ୍ୟକ୍ତ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି ।

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ସମନ୍ୱିତ ବିକାଶକୁ ସୁନିଶ୍ଚିତ କରିବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟବଧାନର ଅର୍ଥ ବିନାଶ ନୁହେଁ । ସେ କହିଲେ ଯେ ବୈଷୟିକ ଜ୍ଞାନ ଜନସାଧାରଣଙ୍କୁ ସଶକ୍ତ କରିଥାଏ ଏବଂ ପ୍ରାଦ୍ୟୋଗିକୀ ଦ୍ୱାରା ପରିଚାଳିତ ସମାଜ ସାମାଜିକ ବାଧାକୁ ଦୂର କରିଥାଏ । ସେ କହିଲେ ଯେ ପ୍ରାଦ୍ୟୋଗିକୀ ଶସ୍ତା ଏବଂ ଉପଯୋଗ କର୍ତ୍ତାଙ୍କ ପାଇଁ ଅନୁକୂଳ ହେବା ଆବଶ୍ୟକ । ସେ ସ୍ମୃତିଚାରଣ କରି କହିଥିଲେ ଯେ ଏକଦା କମ୍ପ୍ୟୁଟର ବ୍ୟବହାର ନେଇ ଲୋକେ ଆଶଙ୍କିତ ଥିଲେ, ମାତ୍ର ଜୀବନକୁ ରୂପାନ୍ତରିତ କରିବାରେ କମ୍ପ୍ୟୁଟର ସହାୟକ ହୋଇଥିଲା ।

 

***************