Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କଲେ ମୁଦ୍ରା ଯୋଜନାର ହିତାଧିକାରୀ

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କଲେ ମୁଦ୍ରା ଯୋଜନାର ହିତାଧିକାରୀ

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କଲେ ମୁଦ୍ରା ଯୋଜନାର ହିତାଧିକାରୀ

ପ୍ରଧାନମନ୍ତ୍ରୀଙ୍କ ସହ ମତ ବିନିମୟ କଲେ ମୁଦ୍ରା ଯୋଜନାର ହିତାଧିକାରୀ


ଦେଶର ବିଭିନ୍ନ ଭାଗର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନଠାରେ ସାକ୍ଷାତ କରି ତାଙ୍କ ସହ ମତ ବିନିମୟ କରିଛନ୍ତି । ଏହି ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରାୟ 100ରୁ ଊର୍ଦ୍ଧ୍ଵ ହିତାଧିକାରୀ ସାମିଲ ହୋଇଥିଲେ ।
ଏହି ଅଣ ଆନୁଷ୍ଠାନିକ ଭାବ ବିନିମୟ ବେଳେ ଅନେକ ହିତାଧିକାରୀ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଦ୍ରା ଯୋଜନାରେ ସେମାନଙ୍କୁ ମିଳିଥିବା ଋଣକୁ ଉପଯୋଗ କରି ସେମାନେ ନିଜ ରୋଜଗାର ବୃଦ୍ଧି କରିବା ସହ କିଭଳି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ତାହା ସେମାନେ ବଖାଣିଥିଲେ ।

ଝାଡ଼ଖଣ୍ଡ ବୋକାରୋ ଅଞ୍ଚଳର ଜନୈକା ହିତାଧିକାରୀ, ସୁଶ୍ରୀ କିରଣ କୁମାରୀ କହିଥିଲେ ଯେ ତାଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ 2ଲକ୍ଷ ଟଙ୍କାର ଋଣ ମିଳିଥିଲା । ସେଥିରେ ସେ ତାଙ୍କର ନିଜର ଏକ କଣ୍ଢେଇ ଓ ଖେଳଣା ଦୋକାନ ଆରମ୍ଭ କରିଥିଲେ । ପୂର୍ବରୁ ସେ ଓ ତାଙ୍କର ସ୍ୱାମୀ ଏଭଳି ଖେଳଣା ସାମଗ୍ରୀକୁ ଭାବେ ବୁଲାବିକାଳୀ ଭାବେ ବିକି ଜୀବିକା ନିର୍ବାହ କରୁଥିଲେ । କିନ୍ତୁ ଏହି ଲୋନ ମିଳିବା ପରେ ସେମାନଙ୍କ ଜୀବନରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିଥିଲା । ଏବେ ଜଣେ ସଫଳ ଉଦ୍ୟୋଗୀ ଭାବେ ସେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି ବୋଲି ଆତ୍ମବିଶ୍ୱାସର ସହ ସୁଶ୍ରୀ କୁମାରୀ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ।

ସୁରଟର ଅନ୍ୟଜଣେ ହିତାଧିକାରୀ ହେଲେ ସୁଶ୍ରୀ ମୁନୀରାବାନୋ ସବୀର ହୁସେନ୍‌ ମାଲେକ । ତାଙ୍କୁ ମୁଦ୍ରା ଯୋଜନାରେ ମିଳିଥିଲା ଏକ ଲକ୍ଷ 77 ହଜାର ଟଙ୍କାର ଋଣ । ସେଥିରେ ସେ କିଭଳି ଏଲଏମଭି ଡ଼୍ରାଇଭିଂ ତାଲିମ ନେଇ ଏବେ ଅଟୋ ଚଳାଇ ମାସକୁ ପ୍ରାୟ 25,000 ଟଙ୍କା ରୋଜଗାର କରିପାରୁଛନ୍ତି ତାହାର ଅନୁଭୂତି ବଖାଣିଥିଲେ ।

ସେହଭଳି ଆଉ ଜଣେ ହିତାଧିକାରୀ ହେଲେ କେରଳ କନ୍ନୁରର ଶିଜେଶ ପି । ବିଦେଶରେ ଏଥି ପୂର୍ବରୁ ସେ ଆଠବର୍ଷ ଧରି କାର୍ଯ୍ୟ କରି ଆସୁଥିଲେ । ଭାରତ ଫେରିବା ପରେ ,ଗୋଟିଏ ମେଡ଼ିକାଲ ୟୁନିଟରେ ସେ ସେଲ୍ସ ମ୍ୟାନେଜର ଭାବେ ସେ କାର୍ଯ୍ୟ କଲେ । ତେବେ ମୁଦ୍ରା ଯୋଜନା କାର୍ଯ୍ୟକାରୀ ହେବା ପରେ ସେ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇ ଆରମ୍ଭ କଲେ ନିଜର ଆୟୁର୍ବେଦୀୟ ଟୁଥ୍‌ ପାଉଡ଼ର ପ୍ରସ୍ତୁତି ୟୁନିଟ୍‌ । ଏଥିପାଇଁ ମୁଦ୍ରା ଯୋଜନାରେ ତାଙ୍କୁ 8.55 ଲକ୍ଷ ଟଙ୍କାର ଋଣ ମିଳିଥିଲା । ଏବେ ସେ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି ବୋଲି ଗର୍ବ ଓ ଗୌରବର ସହ ସ୍ୱୀକାର କରନ୍ତି । ସେ ନିଜ ସାଙ୍ଗରେ ଆଣିଥିବା କେତେକ ହର୍ବାଲ ପାଉଡ଼ର ପ୍ରଧାନମନ୍ତ୍ରୀଙ୍କୁ ଦେଖାଇଥିଲେ ।

ତେଲଙ୍ଗାନାର ଶ୍ରୀ ସାଲେହୁନ୍ଦୁମ ଗିରିଧର ରାଓ ତାଙ୍କର ଅଭିଜ୍ଞତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ବଖାଣିବାକୁ ଯାଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ସେ 9 ଲକ୍ଷ 10 ହଜାର ଟଙ୍କାର ଲୋନ୍‌ ପାଇ ତାଙ୍କର ଡ଼ାଇ କାଷ୍ଟିଂ ଏବଂ ମୋଲ୍ଡିଂ ଉଦ୍ୟୋଗ ସ୍ଥାପନ କରିଛନ୍ତି । ସେଥିରୁ ତାଙ୍କର ବେଶ୍‌ ଭଲ ରୋଜଗାର ହେଉଛି । ପୂର୍ବରୁ ଅର୍ଥ ଅଭାବରୁ ସେ କିଛି କରିପାରୁନଥିବା ବେଳେ ମୁଦ୍ରା ଯୋଜନା ହିଁ ତାଙ୍କ ପାଇଁ ଆତ୍ମନିର୍ଭରଶୀଳ ହେବାର ମାର୍ଗ ଉନ୍ମୋଚନ କରିଦେଲା ବୋଲି ସେ ସ୍ୱୀକାର କରିଥିଲେ ।

ଜାମ୍ମୁ କାଶ୍ମୀରର କଠୁଆ ଜିଲ୍ଲା ନିବାସୀ ସୁଶ୍ରୀ ବୀଣା ଦେବୀଙ୍କ ଅନୁଭୂତି କିଛି ନିଆରା । ସେ ଜଣେ ବୁଣାକାର ଭାବେ କାର୍ଯ୍ୟ କରୁଥିଲେ । ଯେତେବେଳେ ମୁଦ୍ରା ଯୋଜନାରେ ତାଙ୍କୁ ଏକଲକ୍ଷ ଟଙ୍କାର ଋଣ ମିଳିଲା, ସେ ଆରମ୍ଭ କଲେ ପଶମିନା ଶାଲ ଉଦ୍ୟୋଗ । ଏବେ ତାଙ୍କ ଅଞ୍ଚଳର ଜଣେ ସଫଳ ପଶମିନା ଶାଲ୍‌ ଉଦ୍ୟୋଗୀ ଭାବେ ସେ ସୁପ୍ରତିଷ୍ଠିତ । ନିଜ ସହ ଆଣିଥିବା ଏକ ପଶମିନା ଶାଲକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ।

ଡ଼େରାଡ଼ୁନରୁ ଆସିଥିବା ଶ୍ରୀ ରାଜେନ୍ଦ୍ର ସିଂହ ଜଣେ ପୂବତନ ସେନା କର୍ମଚାରୀ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେ ତାଙ୍କର ଅନୁଭୂତି ବଖାଣି କହିଥିଲେ ଯେ ପୂର୍ବରୁ ସେ ଜଣେ ଝାଡ଼ୁ ପ୍ରସ୍ତୁତକର୍ତ୍ତା ଓ ଖୁଚୁରା ବିକ୍ରେତା ଭାବେ ନିଜର ଗୁଜରାଣ ମେଣ୍ଟାଉଥିଲେ । ତେବେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଯେତେବେଳେ ତାଙ୍କୁ ଏକାସଙ୍ଗେ ପାଞ୍ଚଲକ୍ଷ ଟଙ୍କାର ଋଣ ମିଳିଲା ସେତେବେଳେ ସେ ତାଙ୍କର ଉଦ୍ୟୋଗ ଓ ବ୍ୟବସାୟକୁ ବଢ଼ାଇବାକୁ ସକ୍ଷମ ହେଲେ । ଏହା ଫଳରେ ନିଜକୁ ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବା ସହ ଏବେ ସେ ଅନ୍ୟ କେତେଜଣଙ୍କୁ କର୍ମନିଯୁକ୍ତି ଦେବାକୁ ସକ୍ଷମ ହୋଇପାରିଛନ୍ତି ବୋଲି ଶ୍ରୀ ସିଂହ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଚେନ୍ନାଇରୁ ଆସିଥିବା ଶ୍ରୀ ଟି ଆର ସଜୀବନ ମୁଦ୍ରା ଯୋଜନା ମାଧ୍ୟମରେ 10 ଲକ୍ଷ ଟଙ୍କାର ଋଣ ନେବା ପରେ ଏବେ ସେ ନିଜର ଫାଉଣ୍ଡରୀ ଚଳାଉଛନ୍ତି । ସେଥିରେ ସେ ଅନେକ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି କରିପାରିଛନ୍ତି ଯାହା ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରିଛି ବୋଲି ସେ କହିଥିଲେ ।

ଜାମ୍ମୁ କ୍ଷେତ୍ରରୁ ଆସିଥିବା ଶ୍ରୀ ସତୀଶ କୁମାର କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ତାଙ୍କୁ ବିନା ବନ୍ଧକରେ 5 ଲକ୍ଷ ଟଙ୍କାର ଋଣ ମିଳିଥିଲା । ପୂର୍ବରୁ ସେ କୌଣସି କାର୍ଯ୍ୟ କରୁନଥିଲେ । କିନ୍ତୁ ଏବେ ସେହି ଅର୍ଥରେ ସେ ନିଜର ଏକ ଷ୍ଟିଲ୍‌ ସାମଗ୍ରୀ ଦେକାନ ଆରମ୍ଭ କରିଛନ୍ତି ଏବଂ ତାହା ବେଶ ଭଲରେ ଚାଲିଛି । ନିଜକୁ ଏଭଳି ଭାବେ ସେ ସ୍ୱରୋଜଗାରକ୍ଷମ କରିପାରିଛନ୍ତି ବୋଲି ଆତ୍ମତୃପ୍ତିର ସହ ପ୍ରଧାନମନ୍ତ୍ରୀଙ୍କୁ ସେ ନିଜର ଅନୁଭୂତି ଜଣାଇଥିଲେ ।

ଉତ୍ତରାଖଣ୍ଡର ଉଦ୍ଧାମ ସିଂହ ନଗରରୁ ଆସିଥିବା ଶ୍ରୀ ବିପ୍ଳବ ସିଂହ ପ୍ରଧାନମନ୍ତ୍ରୀଙ୍କ ସହ ଭାବ ବିନିମୟ କରି କହିଥିଲେ ଯେ ପୂର୍ବରୁ ସେ ଏକ ଫାର୍ମା ଫାର୍ମରେ କାର୍ଯ୍ୟ କରୁଥିଲେ । ତେବେ ନିଜର ଏକ ୟୁନିଟ ପ୍ରତିଷ୍ଠା କରିବା ସକାଶେ ତାଙ୍କ ମନରେ ଗଭୀର ଆଗ୍ରହ ଥିଲା । ମୁଦ୍ରା ଯୋଜନା ହିଁ ତାହା ସାକାର କରିପାରିଛି । ମୁଦ୍ରା ଯୋଜନାରେ ସେ 5 ଲକ୍ଷ ଟଙ୍କାର ଋଣ ନେଇ ନିଜର ସାର ଓ ରସାୟନ ୟୁନିଟ ସେ ଆରମ୍ଭ କରିଛନ୍ତି ଯାହା ତାଙ୍କୁ ଦେଇଛି ଅପୂର୍ବ ସଫଳତା । ଏହା ଫଳରେ ସେ ଅନେକ ଲୋକଙ୍କୁ କର୍ମନିଯୁକ୍ତି ମଧ୍ୟ ଦେଇପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ନିଜ ସଫଳତାର କାହାଣୀ ଶ୍ରୀ ସିଂହ ଶୁଣାଇଥିଲେ ।

ଏମାନଙ୍କ ବ୍ୟତୀତ ଆହୁରି ଅନେକ ହିତାଧିକାରୀ ସେମାନଙ୍କର ସଫଳତାର କାହାଣୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ବଖାଣିଥିଲେ ଏବଂ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ହିତାଧିକାରୀଙ୍କ ଜୀବନର ଏହିସବୁ କାହାଣୀକୁ ମନଧ୍ୟାନ ଦେଇ ଶୁଣିଥିଲେ ।

ମୁଦ୍ରା ଯୋଜନାର ଋଣ ଅର୍ଥକୁ ଏହିସବୁ ଉଦ୍ୟୋଗୀମାନେ ସଫଳତାର ସହ ଉପଯୋଗ କରିଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ସାଧୁବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଏବେସୁଦ୍ଧା ଦେଶର 11 କୋଟି ଲୋକ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି । ଏହି ଯୋଜନାର ଗୋଟିଏ ମୂଳ ଲକ୍ଷ୍ୟ ହେଲା ଲୋକମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା । ଏଯାବତ୍‌, ଲୋକମାନଙ୍କ ମନରେ ପାରମ୍ପରିକ ଚିନ୍ତାଧାରା ରହିଆସିଛି ଯେ କେବଳ ସରକାରୀ ଉଦ୍ୟୋଗ କିମ୍ବା ଘରୋଇ ଉଦ୍ୟୋଗ ହିଁ କର୍ମନିଯୁକ୍ତି ସୃଷ୍ଟି କରିପାରିବ । କିନ୍ତୁ ଏହି ଯୋଜନା ଏକ “ବ୍ୟକ୍ତିଗତ ସେକ୍ଟର”ର ବିକାଶ ଘଟାଇଛି ଏବଂ ଲୋକମାନଙ୍କୁ ଆତ୍ମନିଯୁକ୍ତ କରିବା ସହ ସେମାନଙ୍କୁ ଜୀବନ ଜୀବିକା ଯୋଗାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଏବଂ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ଏହି ଭାବ ବିନିମୟ କାର୍ଯ୍ୟକ୍ରମ ଚାଲିଥିଲା । ଏହି ଅବସରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପୋନ ରାଧାକ୍ରିଷ୍ଣନ୍‌ ଏବଂ ଶିବ ପ୍ରତାପ ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ ।