ପିଏମଇଣ୍ଡିଆ
ସାଉଦୀ ଆରବ ରାଜା ସଲମାନ ବିନ୍ ଅବଦୁଲଅଜିଜ ଅଲ୍ ସାଉଦଙ୍କ ନିମନ୍ତ୍ରଣକ୍ରମେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 2019 ଅକ୍ଟୋବର 29ରେ ସାଉଦୀ ଆରବକୁ ସରକାରୀ ଗସ୍ତରେ ଯାଇଥିଲେ ।
ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବେଳେ ସେମାନେ ଦୁଇ ବନ୍ଧୁ ରାଷ୍ଟ୍ର ଓ ଲୋକମାନଙ୍କୁ ବାନ୍ଧି ରଖିଥିବା ଐତିହାସିକ ଓ ଘନିଷ୍ଠ ସମ୍ପର୍କ ନେଇ ଆଲୋଚନା କରିଥିଲେ । ଦ୍ୱିପାକ୍ଷିକ ସ୍ୱାର୍ଥ ଦୃଷ୍ଟିରୁ ସେମାନେ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ନିଜର ମତ ବିନିମୟ କରିଥିଲେ । ଉଭୟ ରାଷ୍ଟ୍ରର ଲୋକମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ, ସାଂସ୍କୃତିକ ଓ ସଭ୍ୟତାଗତ ଭାଗିଦାରୀ ଓ ବନ୍ଧୁତା ଭଳି ପ୍ରସଙ୍ଗ ଏବଂ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବାକୁ ଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ ।
ରାଜନୈତିକ ସହଭାଗୀତା ମଜବୁତ ପାଇଁ 2010 ମାର୍ଚ୍ଚରେ ହୋଇଥିବା ରିୟାଦ ଘୋଷାଣାନାମାର ପ୍ରତିଶ୍ରୁତିବଦ୍ଧତା ନେଇ ଏହା ପୂର୍ବରୁ 2014 ଫେବ୍ରୁଆରୀରେ ସାଉଦୀ ଆରବ ରାଜା ସଲମାନ ବିନ୍ ଅବଦୁଲଅଜିଜ ଅଲ ସାଉଦଙ୍କ ଭାରତ ଗସ୍ତ, 2016 ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଉଦୀ ଆରବ ଗସ୍ତ ଏବଂ 2019 ଫେବ୍ରୁଆରୀରେ ସାଉଦୀ ଆରବ ରାଜକୁମାର ତଥା ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ବେଳେ ଦୋହରାଯାଇଥିବା ପ୍ରସଙ୍ଗକୁ ଉଭୟ ପକ୍ଷ ପୁନଃସୁନିଶ୍ଚିତ କରିଥିଲେ ।
ଉଭୟ ରାଷ୍ଟ୍ର ମଧ୍ୟରେ ରଣନୈତିକ ସହଭାଗୀତା ପରିଷଦ ସ୍ଥାପନ ଉପରେ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ସାଉଦୀ ଆରବ ପକ୍ଷରୁ ରାଜକୁମାର, ଉପ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହାର ପ୍ରତିଷ୍ଠା ତଥ୍ୟ ସ୍ୱାକ୍ଷର ହୋଇଥିଲା ଏବଂ ଏହି ଗସ୍ତ ବେଳେ ଉଭୟ ରାଷ୍ଟ୍ରର ସରକାରୀ ଓ ଘରୋଇ ସଂସ୍ଥା ମଧ୍ୟରେ ଚୁକ୍ତି ଓ ବୁଝାମଣା ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ ।
ନିକଟ ଅତୀତରେ ଉଭୟ ପକ୍ଷ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିଥିବା ରାଜନୈତିକ, ଅର୍ଥନୈତିକ, ନିରାପତ୍ତା, ପ୍ରତିରକ୍ଷା, ମାନବସମ୍ବଳ ଓ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ପାଇଁ ଉଭୟ ପକ୍ଷ ଅନୁକୂଳ ମତ ରଖିଥିଲେ । ବିଶ୍ୱରେ ଶାନ୍ତି, ସ୍ଥିରତା ଓ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପାରସ୍ପରିକ ସ୍ୱାର୍ଥନିହିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଉଭୟ ରାଷ୍ଟ୍ର ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନା ଓ ସମନ୍ୱୟ ନେଇ ସେମାନେ ସନ୍ତୋଷ ପ୍ରକାଶ କରିଥିଲେ ।
ସାଉଦୀ ଆରବ ରାଜକୁମାର ତଥା ଉପ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲଅଜିଜ ଅଲ୍ ସାଉଦ ଭାରତର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା, ଯେଉଁଥିରେ ସେମାନେ ଦୁଇ ରାଷ୍ଟ୍ର ମଧ୍ୟରେ ବନ୍ଧୁତା ଓ ସହଯୋଗ ବୃଦ୍ଧିକୁ ପ୍ରଶଂସା କରିଥିଲେ । ରାଜନୈତିକ ସହଭାଗିତାକୁ ସୁଦୃଢ଼ କରିଥିବା 2016 ଏପ୍ରିଲରେ ଭାରତର ପ୍ରଧାନମନ୍ତ୍ରୀଙ୍କ ରିୟାଦ ଗସ୍ତ ଏବଂ 2019 ଫେବ୍ରୁଆରୀରେ ସାଉଦୀ ଆରବ ରାଜକୁମାର ତଥା ଉପ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ ବିନ୍ ସଲମାନ୍ ବିନ୍ ଅବଦୁଲଅଜିଜ ଅଲ୍ ସାଉଦଙ୍କ ଭାରତ ଗସ୍ତ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗରେ ଦେଖାଦେଇଥିବା ପ୍ରଗତିଙ୍କୁ ଉଭୟ ନେତା ପ୍ରଶଂସା କରିଥିଲେ ।
ପାରସ୍ପରିକ ସ୍ୱାର୍ଥ ଦୃଷ୍ଟିରୁ ଉଭୟ ପକ୍ଷ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଦେଶର ଆଭ୍ୟନ୍ତରୀଣ ମାମଲାରେ କୌଣସି ପ୍ରକାର ହସ୍ତକ୍ଷେପକୁ ଅଗ୍ରାହ୍ୟ କରିବାକୁ ଦୋହରାଇଥିଲେ ଏବଂ ରାଷ୍ଟ୍ରର ସାର୍ବଭୌମତ୍ଵ ଉପରେ ଆକ୍ରମଣ ରୋକିବା ଦିଗରେ ଆନ୍ତର୍ଜାତିକ ସମୁଦାୟର ଉତ୍ତରଦାୟିତ୍ୱ ପୂରଣ କରିବାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସେମାନେ ସିରିୟାରେ ଦେଖାଦେଇଥିବା ପରିସ୍ଥିତି ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସଂକଳ୍ପ (2254) ସହ ୟେମେନର ଏକତା ରକ୍ଷା ଏବଂ ଏହାର ନିରାପତ୍ତା ଓ ସ୍ଥିରତା ହାସଲ ପାଇଁ ଆବଶ୍ୟକ ପଦକ୍ଷେପ ଏବଂ ୟେମେନି ନ୍ୟାସନାଲ ଡାଏଲଗ୍ ଆଣ୍ଡ ଦି ସିକ୍ୟୁରିଟି କାଉନସିଲ ରିଜୋଲ୍ୟୁସନ (2216)ରୁ ବାହାରିଥିବା ଜିସିସି କାର୍ଯ୍ୟକ୍ରମ ଆଧାରରେ ୟେମେନ ସଙ୍କଟର ସମାଧାନ ପାଇଁ ରାଜନୈତିକ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ପାଲେଷ୍ଟାଇନ ନାଗରିକଙ୍କ ଆଇନଗତ ଅଧିକାର ଓ 1967ରେ ସ୍ଥାପନ ହୋଇଥିବା ସେମାନଙ୍କ ସ୍ୱାଧୀନ ରାଷ୍ଟ୍ରର ଅଧିକାର ସୁନିଶ୍ଚିତ କରିବା ପାଇଁ ଆରବ ଶାନ୍ତି କାର୍ଯ୍ୟକ୍ରମ ଓ ଜାତିସଂଘ ସଂକଳ୍ପ ଆଧାରରେ ପାଲେଷ୍ଟାଇନରେ ଶାନ୍ତି ହାସଲ ପାଇଁ ଉଭୟେ ଆଶା ପ୍ରକାଶ କରିଥିଲେ ।
ଜାତୀୟ ନିରାପତ୍ତା ସମେତ ଉଭୟ ରାଷ୍ଟ୍ରର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ବିପଦରୁ ଭାରତ ମହାସାଗରୀୟ କ୍ଷେତ୍ର ଓ ଉପସାଗରୀୟ ଅଞ୍ଚଳ ଜଳପଥର ନିରାପତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବାଟ ବାହର କରିବାକୁ ଦ୍ୱିପାକ୍ଷିକ ଆଲୋଚନାର ଆବଶ୍ୟକତା ରହିଥିବା ନେଇ ଉଭୟ ପକ୍ଷ ସହମତ ହୋଇଥିଲେ ।
ସମସ୍ତ ରାଷ୍ଟ୍ର ଓ ସମାଜକୁ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କ ବିପଦ ରହିଛି ବୋଲି ଉଭୟ ଗୁରୁତ୍ୱାରୋପ କରିଥିଲେ । ଏହି ଆନ୍ତର୍ଜାତିକ ପ୍ରସଙ୍ଗକୁ କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ଓ ସଂସ୍କୃତି ସହ ଯୋଡ଼ିବା ପ୍ରୟାସକୁ ଉଭୟେ ଅଗ୍ରାହ୍ୟ କରିଥିଲେ । ସମସ୍ତ ଆତଙ୍କବାଦ କାର୍ଯ୍ୟକଳାପକୁ ଉଭୟ ପକ୍ଷ ଅଗ୍ରାହ୍ୟ କରିଥିଲେ ଏବଂ ଅନ୍ୟ ରାଷ୍ଟ୍ରଗୁଡ଼ିକ ବିରୋଧରେ କ୍ଷେପଣାସ୍ତ୍ର ଓ ଡ୍ରୋନ ସମେତ ଅନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ରୋକିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ଭାରତର ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉପରେ ଆତଙ୍କବାଦ କାର୍ଯ୍ୟକଳାପର ନିନ୍ଦା କରିଥିଲେ । ଜାତିସଂଘ ଆତଙ୍କବାଦ ନିରୋଧୀ କେନ୍ଦ୍ରରେ ମିଳିତ ସହଯୋଗ ପାଇଁ ଉଭୟ ପକ୍ଷ ଆହ୍ୱାନ ଦେଇଥିଲେ ଏବଂ ପୁରୁଣା ଦ୍ୱିପାକ୍ଷିକ ସହଯୋଗ ଫ୍ରେମୱର୍କ ଆଧାରରେ ରାଷ୍ଟ୍ର ବିରୋଧୀ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଲଢ଼େଇ ପାଇଁ ତଥ୍ୟ ଆଦାନପ୍ରଦାନ, କ୍ଷମତା ବୃଦ୍ଧି ଓ ସହଯୋଗକୁ ମଜବୁତ କରିବାକୁ ସହମତ ହୋଇଥିଲେ ।
ଉଭୟ ରାଷ୍ଟ୍ରର ଲଗାତର ସକାରାତ୍ମକ ଅର୍ଥନୈତିକ ପରିବର୍ତ୍ତନ ନେଇ ଉଭୟ ପକ୍ଷ ଆଲୋଚନା କରିବା ସହ ରଣନୀତିକ ସହଯୋଗକୁ ଆଗେଇ ନେବା ଉଦ୍ଦେଶ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପ୍ରସାରଣର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ନିକଟ ବର୍ଷଗୁଡ଼ିକରେ ଦ୍ୱିପାକ୍ଷିକ କାରବାରରେ ଦେଖିବାକୁ ମିଳିଥିବା ସକାରାତ୍ମକ ଧାରା ନେଇ ସେମାନେ ଖୁସି ପ୍ରକାଶ କରିଥିଲେ ଏବଂ ସାଉଦୀ ଆରବର ଭିଜନ 2030 ଅଧୀନରେ ଉଭୟ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ଆହୁରି ମଜବୁତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ଉଭୟ ରାଷ୍ଟ୍ରରେ ମୁଖ୍ୟତଃ ଭିତ୍ତିଭୂମି, ଖଣି ଖନନ, ଶକ୍ତି ସମେତ ଅକ୍ଷୟ ଶକ୍ତି, କୃଷି ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ, ଟେଲିକମ୍ୟୁନିକେସନ, ଦକ୍ଷ ମାନବ ସମ୍ବଳ କ୍ଷେତ୍ରରେ ଥିବା ପୁଞ୍ଜିନିବେଶ ସୁଯୋଗକୁ ବ୍ୟବହାର କରିବା ପାଇଁ ଉଭୟ ପକ୍ଷ ବ୍ୟବସାୟ ସମୁଦାୟକୁ ଅନୁରୋଧ କରିଥିଲେ ।
ଏହି ଗସ୍ତ ବେଳେ ଶକ୍ତି, ବେସାମରିକ ବିମାନ ଚଳାଚଳ, ନିରାପତ୍ତା ସହଯୋଗ, ପ୍ରତିରକ୍ଷା, ରୁପେ କାର୍ଡ ପ୍ରଚଳନ ଓ ଔଷଧ ଉତ୍ପାଦ ନିୟାମକ ଭଳି ବିଭିନ୍ନ କ୍ଷେତ୍ରରେ ଅନେକ ସଂଖ୍ୟକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ଗସ୍ତ ଶେଷରେ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ଓ ତାଙ୍କ ପ୍ରତିନିଧି ଦଳକୁ ସାଉଦୀ ଆରବ ସରକାର ଓ ଲୋକମାନଙ୍କ ପକ୍ଷରୁ ଦିଆଯାଇଥିବା ଭବ୍ୟ ଆତିଥ୍ୟ ପାଇଁ କୃତଜ୍ଞତା ଜଣାଇଥିଲେ ।
2020 ଜି-20ରେ ସାଉଦୀ ଆରବର ସଭାପତିତ୍ୱ ପାଇଁ ସେ ଭାରତ ପକ୍ଷରୁ ସ୍ୱାଗତ ଓ ସମର୍ଥନ ଜଣାଇଥିଲେ ଏବଂ ରିୟାଦରେ ହେବାକୁ ଥିବା ପରବର୍ତ୍ତୀ ନେତୃବୃନ୍ଦ ସମ୍ମିଳନୀରେ ଅଂଶଗ୍ରହଣ ନେଇ ଆଶା ପ୍ରକାଶ କରିଥିଲେ । ଜି-20 ଫ୍ରେମୱର୍କରେ ସାଉଦୀ ଆରବର ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ ।
ସାଉଦୀ ଆରବ ରାଜା ଭାରତର ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଜୀବନ ଓ ଖୁସି ସହ ବନ୍ଧୁତ୍ୱପୂର୍ଣ୍ଣ ଭାରତୀୟ ଲୋକମାନଙ୍କ ପ୍ରଗତି ଓ ସମୃଦ୍ଧି କାମନା କରିଥିଲେ ।
ଦୁଇ ବନ୍ଧୁ ରାଷ୍ଟ୍ର ଓ ସେମାନଙ୍କ ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା ଓ ଦ୍ୱିପାକ୍ଷିକ ସହଯୋଗ ଉଦ୍ଦେଶ୍ୟରେ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣକୁ ସାଉଦୀ ଆରବ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।
*************