Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ 50ତମ “ମନ୍ କି ବାତ୍’ କାର୍ଯ୍ୟକ୍ରମ (25.11.2018)


ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । 2014 ଅକ୍ଟୋବର 3 ତାରିଖ ବିଜୟା ଦଶମୀର ପବିତ୍ର ପର୍ବ । ସେହିଦିନ “ମନ କି ବାତ୍” ମାଧ୍ୟମରେ ଆମେ ସମସ୍ତେ ଏକସଙ୍ଗରେ ଗୋଟିଏ ଯାତ୍ରା ଆରମ୍ଭ କରିଥିଲୁ । “ମନ କି ବାତ୍”ର ଏହି ଯାତ୍ରା ଆଜି 50ଟି ଅଧ୍ୟାୟ ସମ୍ପୂର୍ଣ୍ଣ ହୋଇଛି । ତେଣୁ ଆଜିର ଏହି ଅଧ୍ୟାୟ ସ୍ୱର୍ଣ୍ଣିମ ଅଧ୍ୟାୟ । ଏଥର ଆସିଥିବା ଆପଣମାନଙ୍କ ଚିଠି ଓ ଫୋନକଲ୍ ମଧ୍ୟରୁ ଅଧିକାଂଶ ଏହି 50ତମ ଅଧ୍ୟାୟ ସମ୍ପର୍କରେ ରହିଛି । MyGov ରେ ଦିଲ୍ଲୀର ଅଂଶୁକୁମାର, ଅମରକୁମାର ଏବଂ ପାଟନାରୁ ବିକାଶ ଯାଦବ ସେହିପରି NarendraModi App ରେ ଦିଲ୍ଲୀର ମୋନିକା ଜୈନ, ପଶ୍ଚିମବଙ୍ଗର ବର୍ଦ୍ଧମାନରୁ ପ୍ରସେନଜିତ ସରକାର ଏବଂ ନାଗପୁରରୁ ସଙ୍ଗୀତା ଶାସ୍ତ୍ରୀ ଏମାନେ ସମସ୍ତେ ପ୍ରାୟ ଏକା ପ୍ରକାର ପ୍ରଶ୍ନ ପଚାରିଛନ୍ତି । ଏମାନେ କହିଛନ୍ତି ଯେ, ଲୋକେ ପ୍ରାୟତଃ ଆପଣଙ୍କୁ ସର୍ବାଧୁନିକ ପ୍ରଯୁକ୍ତି, ସାମାଜିକ ଗଣମାଧ୍ୟମ ଓ ମୋବାଇଲ ଆପ୍ ସହ ଜଡ଼ିତ କରିଥାନ୍ତି । ହେଲେ ଲୋକମାନଙ୍କ ସହ ଯୋଡ଼ିହେବା ପାଇଁ ଆପଣ ରେଡ଼ିଓକୁ କାହିଁକି ବାଛିଲେ? ଆପଣମାନଙ୍କ ଏହି ଜିଜ୍ଞାସା ଖୁବ ସ୍ୱାଭାବିକ ଯେ, ବର୍ତ୍ତମାନ ଯୁଗରେ ଯେତେବେଳେ ରେଡ଼ିଓକୁ ପ୍ରାୟ ଲୋକେ ଭୁଲିଗଲେଣି । ଏଭଳି ସମୟରେ ମୋଦୀ ରେଡ଼ିଓକୁ କାହିଁକି ଆଣିଲେ?

ଭାଇ ଓ ଭଉଣୀମାନେ, ମୁଁ ଆପଣଙ୍କୁ ଗୋଟିଏ କାହାଣୀ ଶୁଣାଇବାକୁ ଚାହୁଁଛି । 1998 ମସିହାର କଥା । ମୁଁ ଭାରତୀୟ ଜନତା ପାର୍ଟି ସଂଗଠନର ଜଣେ କର୍ମକର୍ତ୍ତା ଭାବେ ହିମାଚଳ ପ୍ରଦେଶରେ କାର୍ଯ୍ୟ କରୁଥିଲି । ମେ’ ମାସ ଥିଲା । ସନ୍ଧ୍ୟା ସମୟରେ ମୁଁ ଗୋଟିଏ ଜାଗାକୁ ଯାଉଥିଲି । ହିମାଚଳ ପ୍ରଦେଶରେ ସନ୍ଧ୍ୟା ସମୟରେ ଶୀତର ମାତ୍ରା ବଢ଼ିଯାଏ । ବାଟରେ ଚା’ ପିଇବା ପାଇଁ ମୁଁ ଗୋଟିଏ ଢାବାରେ ଅଟକିଲି । ଆଉ ଚା’ ପାଇଁ ଅର୍ଡର ଦେଲି । ତାହା ଗୋଟିଏ ଖୁବ୍ ଛୋଟ ଢାବା ଥିଲା ସେହି ଲୋକଟି ନିଜେ ହିଁ ଚା’ ତିଆରି କରୁଥିଲା ଆଉ ବିକ୍ରି କରୁଥିଲା । ପିନ୍ଧିଥିବା ଲୁଗାରେ ଦେହ ସମ୍ପୂର୍ଣ୍ଣ ଆଚ୍ଛାଦିତ ହେଉନଥିଲା । ରାସ୍ତାକଡ଼ରେ ଛୋଟ ଠେଲାଗାଡ଼ିଟିଏ ଧରି ଠିଆ ହୋଇଥିଲା । ସେ ତା’ ଠେଲାଗାଡ଼ି ଉପରେ ଥିବା କାଚ ଜାରରୁ ଗୋଟିଏ ଲଡ଼ୁ ବାହାର କରି ମୋତେ ବଢ଼େଇ କହିଲା – ଆଜ୍ଞା ଚା’ ପରେ ପିଇବେ, ଆଗ ଲଡୁ ଖାଆନ୍ତୁ । ମୁହଁ ମିଠା କରନ୍ତୁ । ମୁଁ ଆଶ୍ଚର୍ଯ୍ୟରେ ପଚାରିଲି – ତୁମ ଘରେ କ’ଣ ବାହାଘର କି ଆଉ କିଛି ଉତ୍ସବାନୁଷ୍ଠାନ ଆୟୋଜନ ହେଉଛି କି? ସେ କହିଲା – ନାଇ ଆଜ୍ଞା, ଆପଣ ଜାଣିନାହାନ୍ତି କି? ଆଜ୍ଞା ବହୁତ ବଡ଼ ଖୁସିର କଥା । ତା’ର ଆନନ୍ଦ ଉତ୍ସାହକୁ ଦେଖି ମୁଁ ଏହାର କାରଣ ପଚାରିଲି । ସେ ଖୁସିରେ କହିଲା – ଭାରତ ଆଜି ବୋମା ଫୁଟାଇ ଦେଇଛି । ମୁଁ କିଛି ବୁଝିପାରିଲିନି । ସେ କହିଲା – ଏଇ ରେଡ଼ିଓ ଶୁଣନ୍ତୁ । ରେଡ଼ିଓରେ ମଧ୍ୟ ସେହି ସମୟରେ ସେହି ପ୍ରସଙ୍ଗ ଉପରେ ହିଁ ଆଲୋଚନା ଚାଲିଥାଏ । ସେତେବେଳେ ଅଟଳ ବିହାରୀ ବାଜପେୟୀ ଆମ ପ୍ରଧାନମନ୍ତ୍ରୀ ଥିଲେ । ସେଦିନ ପରମାଣୁ ପରୀକ୍ଷା ହୋଇଥିଲା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ସେଦିନ ଗଣମାଧ୍ୟମ ଆଗରେ ଏକଥା ଘୋଷଣା କରିଥିଲେ ଆଉ ଏହି ଲୋକଟି ରେଡ଼ିଓ ମାଧ୍ୟମରେ ଏକଥା ଶୁଣି ଖୁସିରେ ନାଚୁଥିଲା । ଏକଥାକୁ ନେଇ ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ଜଙ୍ଗଲର ଏଭଳି ନିଛାଟିଆ ଅଂଚଳରେ ବରଫାବୃତ ପାହାଡ଼ ଘେରରେ ଜଣେ ସାଧାରଣ ଲୋକ ଯିଏ ଗୋଟିଏ ଠେଲାଗାଡ଼ି ଧରି ଚା’ ବିକ୍ରି କରୁଛି ସେ ଦିନସାରା ରେଡ଼ିଓ ଶୁଣୁଥିବ । ରେଡ଼ିଓର ଖବର ତା’ ମନକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେହିଦିନଠାରୁ ମୁଁ ଅନୁଭବ କଲି ଯେ ରେଡ଼ିଓ, ପ୍ରତି ଲୋକ ସହ ଯୋଡ଼ିହୋଇ ରହିଛି ଏବଂ ଏହା ଖୁବ ଶକ୍ତିଶାଳୀ । ଯୋଗାଯୋଗ, ପହଂଚ ଏବଂ ଏହାର ପ୍ରଭାବ କ୍ଷେତ୍ରରେ ହୁଏତ ରେଡ଼ିଓ ସହିତ କେହି ସମକକ୍ଷ ହୋଇପାରିବନି ଏକଥାକୁ ନେଇ ସେତେବେଳେ ମୋ ମନରେ ଦୃଢ଼ବିଶ୍ୱାସ ଜାତ ହୋଇଥିଲା ଏବଂ ଏହାର ଶକ୍ତି ସମ୍ପର୍କରେ ମୁଁ ଅନୁମାନ କରିଥିଲି । ତେଣୁ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହେଲି ସେତେବେଳେ ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ଆଡ଼କୁ ମୋ ଦୃଷ୍ଟି ପଡ଼ିବା ଖୁବ ସ୍ୱାଭାବିକ ଥିଲା । ମେ’ 2014ରେ ଯେତେବେଳେ ମୁଁ ଜଣେ “ପ୍ରଧାନ-ସେବକ” ରୂପେ ଦାୟିତ୍ୱ ଗ୍ରହଣ କଲି ସେତେବେଳେ ମୋ ମନରେ ଗୋଟିଏ ଇଚ୍ଛା ଥିଲା ଯେ, ଆମ ଦେଶର ଏକତା, ଆମର ବିଶାଳ ଇତିହାସ, ଆମର ବୀରତ୍ୱ, ଭାରତର ବିବିଧତା, ଆମର ସାଂସ୍କୃତିକ ବିବିଧତା, ଆମ ସମାଜର ଶିରା-ପ୍ରଶିରାରେ ପରିବ୍ୟାପ୍ତ ଭଲ ଗୁଣ, ଲୋକଙ୍କ ପରିଶ୍ରମ, ଉତ୍ସାହ, ତ୍ୟାଗ, ତପସ୍ୟା ଏହି ସମସ୍ତ କଥା ଭାରତର ଏହି କାହାଣୀ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବା ଆବଶ୍ୟକ । ଦେଶର ସୁଦୂର ଗ୍ରାମାଂଚଳଠାରୁ ଆରମ୍ଭ କରି ମେଟ୍ରୋ ନଗରୀ ପର୍ଯ୍ୟନ୍ତ, ଚାଷୀମାନଙ୍କଠାରୁ ଆରମ୍ଭ କରି ଯୁବ ପେଶାଦାରମାନଙ୍କ ପର୍ଯ୍ୟନ୍ତ । ଆଉ ଏହି କଥାକୁ ନେଇ ଏହି “ମନ କି ବାତ୍”ର ଯାତ୍ରା ଆରମ୍ଭ ହୋଇଗଲା । ପ୍ରତିମାସରେ ଲକ୍ଷ ଲକ୍ଷ ସଂଖ୍ୟାରେ ଚିଠି ପଢ଼ୁ ପଢ଼ୁ, ଫୋନ କଲ୍ ଶୁଣୁ ଶୁଣୁ App ଏବଂ MyGov ରେ ଅଭିମତ ଦେଖୁ ଦେଖୁ ଆଉ ଏସବୁକୁ ଏକ ସୂତ୍ରରେ ଗୁନ୍ଥି ହାଲ୍କା-ଫୁଲ୍କା କଥା କହୁ କହୁ ଆମେ ସମସ୍ତେ 50ଟି ଅଧ୍ୟାୟର ଏହି ଯାତ୍ରା ସମାପ୍ତ କରିସାରିଛେ । ନିକଟରେ ଆକାଶବାଣୀ ଦ୍ୱାରା “ମନ କି ବାତ୍”କୁ ନେଇ ଏକ ସର୍ଭେ ମଧ୍ୟ କରାଯାଇଛି । ସେଥିରେ ମୁଁ କିଛି ଏଭଳି ମତାମତ ଦେଖିଲି ଯାହା ଖୁବ ଋଚିପୂର୍ଣ୍ଣ । ଯେଉଁମାନଙ୍କୁ ନେଇ ଏହି ସର୍ଭେ କରାଯାଇଛି ସେମାନଙ୍କ ମଧ୍ୟରୁ ହାରାହାରି 70 ପ୍ରତିଶତ ହେଉଛନ୍ତି ନିୟମିତ ଭାବେ “ମନ କି ବାତ୍” ଶୁଣୁଥିବା ଲୋକ । ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ “ମନ କି ବାତ୍”ର ସବୁଠାରୁ ବଡ଼ ଅବଦାନ ହେଲା ଯେ ଏହା ସମାଜରେ ସକାରାତ୍ମକ ଭାବନାକୁ ବୃଦ୍ଧି କରିଛି । ମନ କି ବାତ୍ ମାଧ୍ୟମରେ ଜନଆନ୍ଦୋଳନଗୁଡ଼ିକୁ ପ୍ରୋତ୍ସାହନ ମିଳିଛି । #indiapositive କୁ ନେଇ ବ୍ୟାପକ ଆଲୋଚନା ମଧ୍ୟ ହୋଇଛି । ଏହା ଆମ ଦେଶବାସୀଙ୍କ ମନରେ ରହିଥିବା ସକାରାତ୍ମକ ଭାବନାର ଗୋଟିଏ ଝଲକ । ଲୋକମାନେ ଏହି ଅନୁଭୂତିକୁ ମଧ୍ୟ ବାଣ୍ଟିଛନ୍ତି ଯେ “ମନ କି ବାତ୍” ଯୋଗୁଁ ସ୍ୱ-ଇଚ୍ଛାରେ କିଛି କରିବାର ଭାବନା ବୃଦ୍ଧି ପାଇଛି । ଗୋଟିଏ ଏଭଳି ପରିବର୍ତ୍ତନ ଆସିଛି ଯେଉଁଥିରେ ସମାଜସେବା ପାଇଁ ଲୋକେ ଆଗ୍ରହର ସହ ଆଗେଇ ଆସୁଛନ୍ତି । “ମନ କି ବାତ୍” ଯୋଗୁଁ ରେଡ଼ିଓ ଅଧିକ ଲୋକପ୍ରିୟ ହୋଇପାରିଛି ଏହାଦେଖି ମୋତେ ଖୁସି ଲାଗିଲା । ହେଲେ ଲୋକେ କେବଳ ରେଡ଼ିଓ ମାଧ୍ୟମରେ ନୁହେଁ ଟେଲିଭିଜନ, ଏଫ୍ଏମ୍ ରେଡ଼ିଓ, ମୋବାଇଲ, ଇଣ୍ଟରନେଟ୍, ଫେସବୁକ୍ ଲାଇଭ ଆଉ ପେରିସ୍କୋପ ସଙ୍ଗେ ସଙ୍ଗେ NarendraModi App ମାଧ୍ୟମରେ ମଧ୍ୟ “ମନ କି ବାତ୍” ସହ ନିଜର ସହଭାଗିତା ସୁନିଶ୍ଚିତ କରୁଛନ୍ତି । ମନ କି ବାତ୍ ପରିବାରର ଆପଣ ସମସ୍ତ ସଭ୍ୟମାନଙ୍କୁ ଏହାପ୍ରତି ବିଶ୍ୱାସ ପ୍ରକାଶ କରିବା ଓ ଏଥିରେ ଅଂଶଗ୍ରହଣ କରିଥିବା ହେତୁ ମୁଁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରୁଛି ।

(ଫୋନ କଲ-1)

“ଆଦରଣୀୟ ପ୍ରଧାନମନ୍ତ୍ରୀ, ନମସ୍କାର । ମୋ ନାଁ ଶାଲିନୀ । ମୁଁ ହାଇଦ୍ରାବାଦରୁ କହୁଛି । “ମନ କି ବାତ୍” ଗୋଟିଏ ବହୁତ ଲୋକପ୍ରିୟ କାର୍ଯ୍ୟକ୍ରମ । ଆରମ୍ଭରେ ଲୋକେ ଭାବିଲେ ଯେ, ଏହି କାର୍ଯ୍ୟକ୍ରମ ମଧ୍ୟ ଗୋଟିଏ ରାଜନୈତିକ ମଞ୍ଚ ହୋଇ ରହିଯିବ ଏହା ଚର୍ଚ୍ଚାର ବିଷୟ ମଧ୍ୟ ହେଲା । କିନ୍ତୁ କାର୍ଯ୍ୟକ୍ରମର ଅଗ୍ରଗତି ସାଙ୍ଗକୁ ଆମେ ଦେଖିଲୁ ଯେ ରାଜନୀତି ବଦଳରେ ଏହା ସାମାଜିକ ସମସ୍ୟା ଓ ଆହ୍ୱାନଗୁଡ଼ିକ ଉପରେ ହିଁ କେନ୍ଦ୍ରିତ ହୋଇରହିଲା ଏବଂ ଏମିତି ମୋ ଭଳି ସାଧାରଣ ଲୋକ ଏହାସହ ଜଡ଼ିତ ହୋଇଚାଲିଲେ । ଧିରେ ଧିରେ ଏହାର ସମାଲୋଚନା ମଧ୍ୟ ବନ୍ଦ ହୋଇଗଲା । ତେବେ ମୋର ପ୍ରଶ୍ନ ହେଲା ଯେ, ଏହି କାର୍ଯ୍ୟକ୍ରମକୁ ଆପଣ କେମିତି ରାଜନୀତିଠାରୁ ଦୂରରେ ରଖିବାରେ ସଫଳ ହେଲେ? ଏହି କାର୍ଯ୍ୟକ୍ରମକୁ ରାଜନୀତି ପାଇଁ ଉପଯୋଗ କରିବା କିମ୍ବା ଏହି ମଞ୍ଚରେ ସରକାରଙ୍କ ଉପଲବ୍ଧିଗୁଡ଼ିକ ସମ୍ପର୍କରେ ଆଲୋଚନା କରିବା ପାଇଁ କେବେ ଆପଣଙ୍କ ଇଚ୍ଛା ହୋଇନି? ଧନ୍ୟବାଦ ।” (ଫୋନକଲ୍ ଶେଷ)

ଆପଣଙ୍କ ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କ ଆଶଙ୍କା ଯଥାର୍ଥ । ପ୍ରକୃତରେ ନେତାଙ୍କୁ  ଯଦି ମାଇକ ମିଳିଯାଏ ଆଉ କୋଟି କୋଟି ସଂଖ୍ୟାରେ ଶ୍ରୋତା ମିଳିଯାଆନ୍ତି, ତା’ହେଲେ ଆଉ କ’ଣ ଦରକାର? କିଛି ଯୁବବନ୍ଧୁ “ମନ କି ବାତ୍”ରେ ଅନ୍ତର୍ଭୁକ୍ତ ସବୁ ବିଷୟ ଉପରେ ଅଧ୍ୟୟନ କଲେ । ସେମାନେ ସମସ୍ତ ଅଧ୍ୟାୟର ଆଭିଧାନିକ ବିଶ୍ଳେଷଣ କଲେ । ଏଥିରେ କେଉଁ ଶବ୍ଦ କେତେଥର ଉଚ୍ଚାରିତ ହୋଇଛି ସେ ସମ୍ପର୍କରେ ସେମାନେ ଅଧ୍ୟୟନ କଲେ । କେଉଁ ଶବ୍ଦ ଏଥିରେ ବାରମ୍ବାର ଉଚ୍ଚାରିତ ହୋଇଛି । ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ “ମନ କି ବାତ୍” କାର୍ଯ୍ୟକ୍ରମ ଆରମ୍ଭ କରିବା ସମୟରେ ମୁଁ ସ୍ଥିର କରିଥିଲି ଯେ, ଏଥିରେ ଯେମିତି ରାଜନୀତି ପ୍ରବେଶ ନ କରୁ, ନା ଏଥିରେ ସରକାରଙ୍କ ପ୍ରଶଂସା ହେଉ, ନା ଏଥିରେ ମୋଦୀ ରହୁ । ମୋର ଏହି ସଂକଳ୍ପକୁ ନିର୍ବାହ କରିବା ପଛରେ ସବୁଠାରୁ ବଡ଼ ସମ୍ବଳ, ସବୁଠାରୁ ଅଧିକ ପ୍ରେରଣା ଆପଣମାନଙ୍କଠାରୁ ମିଳିଲା । ମନ କି ବାତ୍ ପ୍ରତ୍ୟେକ ଅଧ୍ୟାୟ ପୂର୍ବରୁ ଆସୁଥିବା ଚିଠି, ଅନଲାଇନ୍ ଅଭିମତ ଓ ଫୋନକଲ ଗୁଡ଼ିକରେ ଶ୍ରୋତାମାନଙ୍କ ଆଗ୍ରହ ସ୍ପଷ୍ଟ ଦେଖିହୁଏ । ମୋଦୀ ଆସିବ ଆଉ ଚାଲିଯିବ, କିନ୍ତୁ ଏହି ଦେଶ ଅଟଳ ହୋଇରହିବ, ଆମର ସଂସ୍କୃତି ଅମର ହୋଇ ରହିବ ।

130 କୋଟି ଦେଶବାସୀଙ୍କର ଏହି ଛୋଟ ଛୋଟ କଥାଗୁଡ଼ିକ ସର୍ବଦା ଜୀବନ୍ତ ହୋଇରହିବ ତଥା ଏ ଦେଶକୁ ନୂତନ ପ୍ରେରଣା ଓ ଉତ୍ସାହ ପ୍ରଦାନ କରି ନୂଆ ଶିଖରକୁ ନେଇଯିବ । ମୁଁ ବି କେବେ କେବେ ପଛକୁ ବୁଲି ଦେଖେ ତ ବଡ଼ ଆଶ୍ଚର୍ଯ୍ୟ ଲାଗେ । କେହି କେହି ଚିଠି ଲେଖି କହେ ଯେ ଆମମାନଙ୍କର ଛୋଟ ଦୋକାନୀ, ଅଟୋ ଚାଳକ, ପରିବା ବିକ୍ରେତାଙ୍କ ସହ ବେଶୀ ମାତ୍ରାରେ ମୂଲଚାଲ କରିବା ଅନୁଚିତ । ମୁଁ ଚିଠି ପଢ଼େ ତଥା ଏପରି କଥା ଯଦି ଅନ୍ୟ କୌଣସି ଚିଠିରେ ଆସିଥାଏ, ତେବେ ତାକୁ ନିଜ ପାଖରେ ସାଇତି ରଖେ । ନିଜ ଅନୁଭବର କିଛି କଥା ମୁଁ ଆପଣମାନଙ୍କ ସହ ବାଣ୍ଟିଥାଏ । ପୁଣି ଏକଥା କେତେବେଳେ ଘର ପରିବାରରେ ପହଂଚିଯାଏ, ସାମାଜିକ ଗଣମାଧ୍ୟମ ଓ WhatsApp ରେ ଘୂରିବୁଲେ ଏବଂ ତା’ପରେ ଗୋଟିଏ ପରିବର୍ତ୍ତନ ଆଡ଼କୁ ମାଡ଼ିଚାଲେ । ଆପଣ ପଠାଇଥିବା ସ୍ୱଚ୍ଛତା ଅଭିଯାନର କାହାଣୀଗୁଡ଼ିକ, ସାଧାରଣ ଜନତାଙ୍କର ଅନେକ ଦୃଷ୍ଟାନ୍ତ ଜାଣିହୁଏନି, କେତେବେଳେ ଘରେ ଘରେ ଏକ ଛୋଟିଆ ସ୍ୱଚ୍ଛତାର ବ୍ରାଣ୍ଡ ଆମ୍ବାସଡରକୁ ଛିଡ଼ା କରାଇଦିଏ, ଯିଏକି ଘରର ସଦସ୍ୟମାନଙ୍କୁ ବାରଣ କରେ ତଥା କେବେ କେବେ ଫୋନ କଲ୍ କରି ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆଦେଶ ଦିଏ । କେବେ କୌଣସି ସରକାରର ଏତେ କ୍ଷମତା ହେବ ଯେ “ଝିଅ ସହ ସେଲଫି” (Selfie with Daughter)ର ଅଭିଯାନ ହରିୟାଣାର ଏକ ଛୋଟିଆ ଗାଁରୁ ଆରମ୍ଭ ହୋଇ ସମଗ୍ର ଦେଶରେ ହିଁ ନୁହେଁ, ବିଦେଶରେ ମଧ୍ୟ ପ୍ରଚାରିତ ହେବ । ଏଥିରେ ସମାଜର ପ୍ରତ୍ୟେକ ସମ୍ପ୍ରଦାୟ ଓ ଖ୍ୟାତନାମା ବ୍ୟକ୍ତିବିଶେଷ ସମସ୍ତେ ସମ୍ପୃକ୍ତ ହୋଇଯାଆନ୍ତୁ ଏବଂ ସମାଜର ବିଚାରାଧାରରେ ପରିବର୍ତ୍ତନର ଏକ ନୂଆ ପରିଭାଷାରେ ଯାହାକୁ ଆଜିର ବଂଶଧରମାନେ ବୁଝିପାରୁଛନ୍ତି, ଏପରି ଏକ ଜ୍ୟୋତି ପ୍ରଜ୍ୱଳିତ କରିଯାଉ । କେବେ କେବେ “ମନ କି ବାତ୍”ର ପରିହାସ ବି କରାଯାଏ, କିନ୍ତୁ ମୋ’ ମନରେ ସର୍ବଦା 130 କୋଟି ଦେଶବାସୀ ରହିଥାନ୍ତି । ସେମାନଙ୍କର ମନ ହିଁ ମୋର ମନ । ‘ମନ୍ କି ବାତ୍’ ସରକାରଙ୍କ କଥା ନୁହେଁ – ଏହା ସମାଜର କଥା ‘ମନ କି ବାତ୍’ ଗୋଟିଏ “ଅଭିଳାଷୀ ଭାରତ” (Aspirational India), ମହତ୍ୱାକାଂକ୍ଷୀ ଭାରତର କଥା, ଭାରତର ମୂଳପ୍ରାଣ ରାଜନୀତି ନୁହେଁ, ଭାରତର ମୂଳପ୍ରାଣ ରାଜଶକ୍ତି ମଧ୍ୟ ନୁହେଁ । ଭାରତର ମୂଳପ୍ରାଣ ହେଉଛି ସମାଜନୀତି ଓ ସମାଜଶକ୍ତି । ସାମାଜିକ ଜୀବନର ହଜାର ହଜାର ଦିଗ ଅଛି ତନ୍ମଧ୍ୟରୁ ରାଜନୀତି ମଧ୍ୟ ଏକ ଦିଗ । ରାଜନୀତି ହିଁ ସବୁକିଛି ହୋଇଯାଉ, ଏହା ସୁସ୍ଥ ସମାଜ ପାଇଁ ଏକ ସୁବ୍ୟବସ୍ଥା ନୁହେଁ । କେବେ କେବେ ରାଜନୈତିକ ଘଟଣାଗୁଡ଼ିକ ଓ ରାଜନେତାମାନେ ଏତେ ମାତ୍ରାରେ ପ୍ରଭାବଶାଳୀ ହୋଇଯାଆନ୍ତି ଯେ ସମାଜର ଅନ୍ୟ ପ୍ରତିଭାଗୁଡ଼ିକ ଓ ଅନ୍ୟ ପୁରୁଷାର୍ଥ ସବୁ ଦୁର୍ବଳ ହୋଇଯାଆନ୍ତି । ଭାରତ ଭଳି ଦେଶର ଉଜ୍ୱଳ ଭବିଷ୍ୟତ ନିମନ୍ତେ ସାଧାରଣ ଜନତାର ପ୍ରତିଭା ଓ ପୁରୁଷାର୍ଥଗୁଡ଼ିକୁ ସମୁଚିତ ସ୍ଥାନ ପ୍ରାପ୍ତ ହେଉ, ଏହା ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ । ‘ମନ କି ବାତ୍’ ଏ ଦିଗରେ ଏକ ବିନମ୍ର ଓ କ୍ଷୁଦ୍ର ପ୍ରୟାସ ।

(ଫୋନକଲ୍-2)

“ନମସ୍କାର ପ୍ରଧାନମନ୍ତ୍ରୀ! ମୁଁ ପ୍ରୋମିତା ମୁଖାର୍ଜୀ, ମୁମ୍ବାଇରୁ କହୁଛି । ସାର୍, ‘ମନ କି ବାତ୍’ର ପ୍ରତିଟି ଅଧ୍ୟାୟ ଗଭୀର ଅନ୍ତର୍ଦୃଷ୍ଟି, ଜ୍ଞାନ, ସୂଚନା, ସକାରାତ୍ମକ କାହାଣୀ ଆଉ ସାଧାରଣ ଲୋକମାନଙ୍କର ଉତ୍ତମ କାର୍ଯ୍ୟାବଳୀ ଦ୍ୱାରା ପରିପୂର୍ଣ୍ଣ । ମୁଁ ଆପଣଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଯେ ପ୍ରତିଟି କାର୍ଯ୍ୟକ୍ରମ ପୂର୍ବରୁ ଆପଣ ଏଥିନିମନ୍ତେ କେତେ ମାତ୍ରାରେ ପ୍ରସ୍ତୁତି କରନ୍ତି?” (ଫୋନକଲ୍ ସମାପ୍ତ)

ଫୋନକଲ୍ ନିମନ୍ତେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣଙ୍କର ପ୍ରଶ୍ନ ହିଁ ଏକପ୍ରକାରେ ଆତ୍ମୀୟତା ସହକାରେ ପଚରାଯାଇଥିବା ପ୍ରଶ୍ନ । ମୁଁ ଜାଣେ, ‘ମନ କି ବାତ୍’ର 50 ଗୋଟି ଅଧ୍ୟାୟର ସବୁଠାରୁ ବଡ଼ ସିଦ୍ଧି ଏହା ଯେ ଆପଣ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ, ସତେଯେମିତି ନିଜର କୌଣସି ଏକ ନିକଟତମ ବନ୍ଧୁଙ୍କୁ ପ୍ରଶ୍ନ ପଚାରୁଛନ୍ତି । ଏହାହିଁ ତ ଲୋକତନ୍ତ୍ର । ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି, ଯଦି ମୁଁ ସ୍ପଷ୍ଟଭାବେ ଉତ୍ତର ଦେବାକୁ ଚାହିଁବି, ତା’ହେଲେ କହିବି – କିଛି ବି ନୁହେଁ । ପ୍ରକୃତରେ ‘ମନ କି ବାତ୍’, ମୋ’ ପାଇଁ ବହୁତ ସହଜ କାମ । ପ୍ରତିଟି ଥର ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପୂର୍ବରୁ ଲୋକମାନଙ୍କର ଚିଠିଗୁଡ଼ିକ ପହଂଚେ । MyGov ଓ NarendraModi ମୋବାଇଲ Appରେ ଲୋକମାନେ ନିଜ ନିଜର ଚିନ୍ତାଧାରାକୁ ବାଂଟନ୍ତି  । ଗୋଟିଏ ନିଃଶୁଳ୍କ ଫୋନ ନମ୍ବର ବି ରହିଛି – 1800117800 । ଏ ନମ୍ବରରେ କଲ୍ କରି ଲୋକମାନେ ନିଜ ନିଜର ସନ୍ଦେଶ ନିଜ ସ୍ୱରରେ ରେକର୍ଡ ବି କରାନ୍ତି । ‘ମନ କି ବାତ୍’ ପୂର୍ବରୁ ଅଧିକରୁ ଅଧିକ ଚିଠି ଓ ମତାମତଗୁଡ଼ିକୁ ନିଜେ ହିଁ ପଢ଼ିବାର ମୋର ପ୍ରୟାସ ରହେ । ମୁଁ ବହୁତଗୁଡ଼ିଏ ଫୋନକଲ୍ ମଧ୍ୟ ଶୁଣେ । ‘ମନ କି ବାତ୍’ର ଅଧ୍ୟାୟ ଯେତେ ଯେତେ ନିକଟତର ହୁଏ, ମୁଁ ନିଜର ଭ୍ରମଣ ସମୟରେ ମଧ୍ୟ ଆପଣମାନଙ୍କ ଦ୍ୱାରା ପ୍ରେରିତ ପରିକଳ୍ପନା ଓ ପ୍ରସ୍ତାବଗୁଡିକୁ ଭଲଭାବରେ ପଢ଼େ ।

ପ୍ରତିଟି ମୁହୂର୍ତ୍ତରେ ମୋ ମନ ମଧ୍ୟରେ ହିଁ ମୋ ଦେଶବାସୀ ରହିଥାନ୍ତି । ଏଥିପାଇଁ ଯେତେବେଳେ ବି ମୁଁ କୌଣସି ଚିଠି ପଢ଼େ, ଚିଠି ଲେଖକର ପରିସ୍ଥିତି ଓ ଭାବନା ମୋ ବିଚାରର ଅଂଶବିଶେଷ ହୋଇଯାଏ । ସେ ଚିଠି ମୋ’ ପାଇଁ କେବଳ ଏକ କାଗଜ ଖଣ୍ଡ ହୋଇନଥାଏ । ମୁଁ ପ୍ରାୟ 40-45 ବର୍ଷ ନିରବଚ୍ଛିନ୍ନ ଭାବରେ ଜଣେ ପରିବ୍ରାଜକର ଜୀବନ ଅତିବାହିତ କରିଛି ଏବଂ ଦେଶର ଅଧିକାଂଶ ଜିଲ୍ଲାକୁ ଯାତ୍ରା କରିଛି ତଥା ଦେଶର ଦୂର-ଦୂରାନ୍ତ ଜିଲ୍ଲାଗୁଡ଼ିକରେ ମୁଁ ବହୁତ ସମୟ ଅତିବାହିତ କରିଛି । ଏଥିପାଇଁ ଯେତେବେଳେ ମୁଁ ଚିଠି ପଢ଼େ, ମୁଁ ସେ ସ୍ଥାନ ଓ ପରିବେଶ ସହ ସହଜରେ ନିଜକୁ ସମ୍ପୃକ୍ତ କରିପାରିଥାଏ ପୁଣି ମୁଁ କେତେକ ତଥ୍ୟଭିତ୍ତିକ ପ୍ରସଙ୍ଗକୁ ଯେପରିକି ଗ୍ରାମ ଓ ବ୍ୟକ୍ତିର ନାମ ଆଦିକୁ ଟିପି ରଖେ । ସତ କହିବାକୁ ଗଲେ ‘ମନ କି ବାତ୍’ରେ ସ୍ୱର ମୋର ଅଟେ, କିନ୍ତୁ ଉଜ୍ଜ୍ଵଳ ଦୃଷ୍ଟାନ୍ତ, ଭାବନା ଓ ଉତ୍ସାହ ସବୁ ମୋ ଦେଶବାସୀଙ୍କର । ‘ମନ କି ବାତ୍’ରେ ଯୋଗଦାନ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି । ଏପରି ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁମାନଙ୍କର ନାମ ମୁଁ ଆଜିଯାଏ ‘ମନ କି ବାତ୍’ରେ ଉଚ୍ଚାରଣ କରିପାରିନାହିଁ, କିନ୍ତୁ ସେମାନେ ନିରାଶ ନ ହୋଇ ନିଜ ନିଜର ଚିଠି ଓ ମତାମତ ପ୍ରଦାନ କରିଆସିଛନ୍ତି – ଆପଣଙ୍କର ଚିନ୍ତାଧାରା ଆପଣଙ୍କର ଭାବନା ସବୁ ମୋ ଜୀବନରେ ବହୁତ ମହତ୍ୱ ରଖେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆପଣ ସମସ୍ତଙ୍କର କଥାଗୁଡ଼ିକ ପୂର୍ବାପେକ୍ଷା ଅଧିକ ମାତ୍ରାରେ ମୋତେ ପ୍ରାପ୍ତ ହେବ ତଥା ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଆହୁରି ରୋଚକ, ପ୍ରଭାବଶାଳୀ ତଥା ଉପଯୋଗୀ କରିବ । ଏହା ମଧ୍ୟ ପ୍ରୟାସ କରାଯାଉଛି ଯେ ଯେଉଁ ଚିଠି ସବୁ ‘ମନ କି ବାତ୍’ରେ ସାମିଲ ହୋଇପାରିନାହିଁ, ସେହି ଚିଠି ଓ ମତାମତଗୁଡ଼ିକ ଉପରେ ସମ୍ପୃକ୍ତ ବିଭାଗ ମଧ୍ୟ ଧ୍ୟାନ ଦେଉ । ମୁଁ ଆକାଶବାଣୀ, ଏଫ୍-ଏମ୍ ରେଡ଼ିଓ, ଦୂରଦର୍ଶନ, ଅନ୍ୟାନ୍ୟ ଟିଭି ଚାନେଲ, ସାମାଜିକ ଗଣମାଧ୍ୟମର ମୋର ବନ୍ଧୁମାନଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି । ସେମାନଙ୍କର ପରିଶ୍ରମ ଦ୍ୱାରା ହିଁ ‘ମନ୍ କି ବାତ୍’ ଅଧିକରୁ ଅଧିକ ଲୋକମାନଙ୍କ ପାଖରେ ପହଂଚିପାରିଛି । ଆକାଶବାଣୀର ଟିମ୍ ପ୍ରତିଟି ଅଧ୍ୟାୟକୁ ଅନେକ ଭାଷାରେ ପ୍ରସାରଣ ନିମନ୍ତେ ପ୍ରସ୍ତୁତ କରିଥାନ୍ତି । କେତେକ ଲୋକ ଆଂଚଳିକ ଭାଷାଗୁଡ଼ିକରେ ମୋଦୀଙ୍କର ସ୍ୱର ସହ ମେଳ ଖାଉଥିବା ସ୍ୱରରେ ଓ ସେହି ଢଙ୍ଗରେ ‘ମନ କି ବାତ୍’କୁ ଶୁଣାଇଥାନ୍ତି । ଏହିପରି ସେମାନେ 30 ମିନିଟ୍ ପାଇଁ ନରେନ୍ଦ୍ର ମୋଦୀ ହୋଇଯାନ୍ତି । ମୁଁ ସେମାନଙ୍କୁ ମଧ୍ୟ ସେମାନଙ୍କର ପ୍ରତିଭା ଓ ଦକ୍ଷତା ପାଇଁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି । ମୁଁ ଆପଣ ସମସ୍ତଙ୍କୁ ମଧ୍ୟ ନିବେଦନ କରୁଛି ଯେ ଆପଣମାନେ ଏ କାର୍ଯ୍ୟକ୍ରମକୁ ନିଜ ନିଜର ଆଂଚଳିକ ଭାଷାଗୁଡ଼ିକରେ ଅବଶ୍ୟ ଶୁଣନ୍ତୁ । ମୁଁ ଗଣମାଧ୍ୟମର ସେହି ବନ୍ଧୁମାନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ନିଜର ଚାନେଲରେ ‘ମନ କି ବାତ୍’ର ପ୍ରସାରଣ ନିୟମିତ ଭାବେ କରୁଛନ୍ତି । କୌଣସି ରାଜନୈତିକ ବ୍ୟକ୍ତି ଗଣମାଧ୍ୟମ ଉପରେ କେବେ ବି ପ୍ରସନ୍ନ ହୋଇନଥାଏ । ତାକୁ ଲାଗେ ଯେ ତାକୁ ବହୁତ କମ୍ କଭରେଜ ମିଳୁଛି କିମ୍ବା ଯେଉଁ କଭରେଜ ମିଳୁଛି, ତାହା ନକାରାତ୍ମକ । କିନ୍ତୁ ‘ମନ୍ କି ବାତ୍’ରେ ଉତ୍ଥାପିତ କେତେକ ପ୍ରସଙ୍ଗକୁ ଗଣମାଧ୍ୟମ ନିଜର କରିନେଇଛି । ସ୍ୱଚ୍ଛତା, ସଡ଼କ ସୁରକ୍ଷା, ନିଶାମୁକ୍ତ ଭାରତ, ଝିଅ ସହ ସେଲଫି ଆଦି କେତେକ ପ୍ରସଙ୍ଗ ଅଛି, ଯେଉଁଗୁଡ଼ିକୁ ଗଣମାଧ୍ୟମ ସୃଜନାତ୍ମକ ଢଙ୍ଗରେ ଗୋଟିଏ ଅଭିଯାନର ସ୍ୱରୂପ ପ୍ରଦାନ କରି ଆଗକୁ ବଢ଼ାଇବାର କାମ କରିଛି । ଟିଭି ଚାନେଲଗୁଡ଼ିକ ଏହାକୁ ସର୍ବାଧିକ ଦର୍ଶନୀୟ ରେଡିଓ କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି । ମୁଁ ଗଣମାଧ୍ୟମକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କର ସହଯୋଗ ବିନା ‘ମନ କି ବାତ୍’ର ଏ ଯାତ୍ରା ଅସମ୍ପୂର୍ଣ୍ଣ ହୋଇ ରହିଥାନ୍ତା ।

(ଫୋନ୍ କଲ୍-3)

“ନମସ୍କାର ମୋଦୀ ମହାଶୟ ! ମୁଁ ନିଧି ବହୁଗୁଣା, ଉତ୍ତରାଖଣ୍ଡର ମସୁରୀରୁ କହୁଛି । ମୁଁ ଦୁଇଟି ଯୁବା ବୟସର ପିଲାଙ୍କର ମା । ମୁଁ ଏହା ପ୍ରାୟ ଦେଖିଛି ଯେ ଏ ବୟସର ପିଲାମାନେ ଏହା ପସନ୍ଦ କରନ୍ତି ନାହିଁ ଯେ ସେମାନଙ୍କୁ କେହି କହନ୍ତୁ ଯେ ସେମାନଙ୍କୁ କ’ଣ କରିବା ଦରକାର? ସେମାନେ ଶିକ୍ଷକ ହୁଅନ୍ତୁ କି ନିଜର ପିତା-ମାତା, କିନ୍ତୁ ଯେତେବେଳେ ଆପଣଙ୍କର ‘ମନ କି ବାତ୍’ କାର୍ଯ୍ୟକ୍ରମ ହୁଏ ଏବଂ ଆପଣ ପିଲାମାନଙ୍କୁ କିଛି କହନ୍ତି; ସେମାନେ ମନ ଦେଇ ଶୁଣି ବୁଝନ୍ତି ଓ ସେକଥାକୁ ପାଳନ ବି କରନ୍ତି – ଆପଣ ମୋ’ ସହ ଏହାର ରହସ୍ୟ ସମସ୍ତଙ୍କୁ ବାଣ୍ଟି ପାରିବେ କି? ଆପଣ ଯେଉଁଭଳି ଭାବରେ କହନ୍ତି କିମ୍ବା ଆପଣ ଯେଉଁସବୁ ପ୍ରସଙ୍ଗ ସବୁ ଉଠାନ୍ତି, ସେ ପିଲାମାନେ ଭଲଭାବରେ ବୁଝି ପ୍ରୟୋଗ କରନ୍ତି? ଧନ୍ୟବାଦ ।’ (ଫୋନକଲ୍ ସମାପ୍ତ)

ନିଧି ମହଶୟା, ଆପଣଙ୍କର ଫୋନକଲ୍ ପାଇଁ ବହୁତ ବହୁତ ଧନ୍ୟବାଦ । ସତକଥା ଏହା ଯେ ମୋ ପାଖରେ କୌଣସି ରହସ୍ୟ ସୂତ୍ର ନାହିଁ । ମୁଁ ଯାହା କିଛି କରୁଛି, ତାହା ସବୁ ପରିବାରରେ ମଧ୍ୟ ହେଉଥିବ । ସରଳ ଭାଷାରେ କହିବାକୁ ଗଲେ, ମୁଁ ନିଜକୁ ସେ ଯୁବକ ଭିତରେ ହଜାଇଦେବାକୁ ଚେଷ୍ଟା କରେ; ନିଜକୁ ସେହି ପରିସ୍ଥିତିଗୁଡ଼ିକରେ ରଖି ତାର ଚିନ୍ତାଧାରା ସହ ସାମଞ୍ଜସ୍ୟ ସ୍ଥାପିତ କରିବାର ଏକ ମାନସିକ ଅନ୍ତରଙ୍ଗତା ପ୍ରତିଷ୍ଠା କରିବାର ପ୍ରୟାସ କରେ । ଆମମାନଙ୍କର ନିଜ ଜୀବନର ସେ ପୁରୁଣା ବୋଝ ଯେତେବେଳେ କି ସେଗୁଡ଼ିକ ଆମମାନଙ୍କ ମଧ୍ୟରେ ଆସନ୍ତି ନାହିଁ, ସେତେବେଳେ କାହାକୁ ବୁଝିପାରିବା ସହଜ ହୋଇଯାଏ । କେବେକେବେ ଆମମାନଙ୍କର ପୂର୍ବାଗ୍ରହ ମଧ୍ୟ ବାର୍ତ୍ତାଳାପ ପାଇଁ ସବୁଠାରୁ ବଡ଼ ସଂକଟ ହୋଇଯାଏ । ସ୍ୱୀକାର, ଅସ୍ୱୀକାର ଓ ପ୍ରତିକ୍ରିୟାଗୁଡ଼ିକ ଅପେକ୍ଷା କୌଣସି କଥାକୁ ବୁଝିବା ହିଁ ମୋର ପ୍ରାଥମିକତା । ମୋର ଅନୁଭୂତି ରହିଛି ଯେ, ଏପରି ସ୍ଥିତିରେ ଆମ ସମ୍ମୁଖରେ ଥିବା ବ୍ୟକ୍ତି ମଧ୍ୟ ଆମକୁ ବୁଝେଇବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି କରିବା କିମ୍ବା ପ୍ରଭାବ ବିସ୍ତାର କରିବା ବଦଳରେ ଆମର ମାନସିକ ଅନ୍ତରଙ୍ଗତା ସ୍ଥାପିତ କରିବାକୁ ଚେଷ୍ଟା କରେ । ଏଥିପାଇଁ ସଂଯୋଗ ବ୍ୟବଧାନ ସମାପ୍ତ ହୋଇଯାଏ । ପୁଣି ଏକପ୍ରକାରେ ସେହି ଚିନ୍ତାଧାରା ସହିତ ଆମେ ଦୁହେଁ ସହଯାତ୍ରୀ ହୋଇଯାଉ । ଦୁଇଜଣଙ୍କୁ ଜଣା’ବି ପଡ଼େନାହିଁ କି କେତେବେଳେ ଓ କିପରି ଭାବରେ ଜଣେ ନିଜର ଚିନ୍ତାଧାରା ତ୍ୟାଗକରି ଅନ୍ୟର ଚିନ୍ତାଧାରାକୁ ସ୍ୱୀକାର କରିନେଇଛି ଏବଂ ନିଜର ଭାବେ ଗ୍ରହଣ କରିନେଇଛି । ଆଜିର ଯୁବକମାନଙ୍କର ଏହି ବିଶେଷତ୍ୱ ଯେ ସେମାନେ ଏପରି କିଛି ବି କରିବେ ନାହିଁ ଯାହା ଉପରେ ନିଜର ବିଶ୍ୱାସ ନାହିଁ । କିନ୍ତୁ ଯେତେବେଳେ କୌଣସି ଜିନିଷ ଉପରେ ବିଶ୍ୱାସ କରନ୍ତି, ସେମାନେ ସେଥିପାଇଁ ସବୁକିଛି ତ୍ୟାଗ କରି ତା’ପଛରେ ଲାଗିଯାନ୍ତି ।

ଅଧିକାଂଶ ସମୟରେ ଲୋକମାନେ ପରିବାର ଭିତରେ କିଶୋର, କିଶୋରୀ ଏବଂ ବଡ଼ମାନଙ୍କ ମଧ୍ୟରେ ସଂଯୋଗଗତ ବ୍ୟବଧାନ(Communication Gap) ବିଷୟରେ ଆଲୋଚନା କରିଥାନ୍ତି । ପ୍ରକୃତରେ ଅଧିକାଂଶ ପରିବାରରେ କିଶୋର, କିଶୋରୀମାନଙ୍କ ସହିତ କଥାବାର୍ତ୍ତାର କ୍ଷେତ୍ର ବହୁତ ସୀମିତ ହୋଇଥାଏ । ପ୍ରାୟତଃ ପଢ଼ାପଢ଼ି କଥା, ଅଭ୍ୟାସ ଓ ଜୀବନଶୈଳୀକୁ ନେଇ ‘ଏମିତି କର ସେମିତି କରନା’ ଏହିଭଳି କଥାବାର୍ତ୍ତା ହୁଏ । କୌଣସି ଆଶା ନ ରଖି ପରିବାର ଭିତରେ ସାଧାରଣ କଥାବାର୍ତ୍ତା ଧୀରେ ଧୀରେ ବହୁତ କମ୍ ହୋଇଗଲାଣି । ଏଇଟା ମଧ୍ୟ ଗୋଟିଏ ଚିନ୍ତାର ବିଷୟ ।

“ଆଶା” ବଦଳରେ “ଗ୍ରହଣୀୟତା” ଏବଂ “ଅଗ୍ରାହ୍ୟ” ବଦଳରେ “ଆଲୋଚନା” କଲେ ଏଭଳି କଥାବାର୍ତ୍ତା ବହୁତ ପ୍ରଭାବଶାଳୀ ହୁଏ । ମୁଁ ବିଭିନ୍ନ କାର୍ଯ୍ୟକ୍ରମ ଅଥବା ସାମାଜିକ ଗଣମାଧ୍ୟମ ଜରିଆରେ ଯୁବବର୍ଗ ସହିତ ନିୟମିତ କଥାବାର୍ତ୍ତା ହେବାର ଚେଷ୍ଟା କରିଆସିଛି । ସେମାନେ ଯାହା କରୁଛନ୍ତି ବା ଯାହା ଭାବୁଛନ୍ତି, ସଦାବେଳେ ସେଥିରୁ ମୁଁ କିଛି ଶିଖିବାର ପ୍ରୟାସ କରିଛି । ସେମାନଙ୍କ ପାଖରେ ସର୍ବଦା ସୂନେଲୀ ପରିକଳ୍ପନାର ଭଣ୍ଡାର ରହିଥାଏ । ସେମାନେ ଅତ୍ୟଧିକ ଶକ୍ତିମାନ, ସୃଜନଶୀଳ ଏବଂ ଏକାଗ୍ରଚିତ ଅଟନ୍ତି । ମନ କି ବାତ୍ ମାଧ୍ୟମରେ ମୁଁ ଯୁବକମାନଙ୍କର ପ୍ରୟାସ, ସେମାନଙ୍କର କଥା ଆଦିକୁ ଅଧିକ ମାତ୍ରାରେ ଚର୍ଚ୍ଚାର କରିବାର ଚେଷ୍ଟା କରିଥାଏ ।  ଅନେକ ସମୟରେ ଅଭିଯୋଗ ହୁଏ ଯେ ଯୁବକମାନେ ବହୁତ ଅଧିକ ପ୍ରଶ୍ନ ପଚାରିଥାନ୍ତି । ମୋ ବିଚାରରେ ଯୁବକମାନେ ଅଧିକ ପ୍ରଶ୍ନ ପଚାରିବା ଗୋଟିଏ ଭଲ କଥା । ଏହା ଏଇଥିପାଇଁ ଭଲ ଯେ ସେମାନେ ପ୍ରତ୍ୟେକ କଥାର ମୂଳତତ୍ୱକୁ ଜାଣିବାକୁ ଚାହାଁନ୍ତି । ଲୋକେ କହନ୍ତି ଯୁବବର୍ଗ ପାଖରେ ଧୈର୍ଯ୍ୟ ନାହିଁ, କିନ୍ତୁ ମୋ ହିସାବରେ ସେମାନଙ୍କ ପାଖରେ ନଷ୍ଟ କରିବାର ସମୟ ନ ଥାଏ । ଏହି କଥାଟି ଆଜିର ଯୁବବର୍ଗକୁ ଅଧିକ ସୃଜନଶୀଳ ହେବାରେ ସାହାଯ୍ୟ କରେ, ସେମାନେ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବାକୁ ଚାହାଁନ୍ତି । ମୋ ବିଚାରରେ ଆଜିର ଯୁବବର୍ଗ ବହୁତ ମହତ୍ୱାକାଂକ୍ଷୀ ଏବଂ ବହୁତ ବଡ଼ ବଡ଼ କଥା ଭାବନ୍ତି । ଭଲକଥା, ବଡ଼ ବଡ଼ ସ୍ୱପ୍ନ ଦେଖନ୍ତୁ, ଆଉ ବଡ଼ ବଡ଼ ସଫଳତା ହାସଲ କରନ୍ତୁ । ଏହାହିଁ ତ ନିଉ ଇଣ୍ଡିଆ । କିଛି ଲୋକ କହନ୍ତି ଯେ ଯୁବବର୍ଗ ଗୋଟିଏ ସମୟରେ କେତେଗୁଡ଼ିଏ କାମ କରିବାକୁ ଚାହାଁନ୍ତି । ମୋର କହିବା କଥା ହେଲା – ଏଥିରେ ଖରାପ କ’ଣ? ସେମାନେ ବହୁମୂଖୀ କାର୍ଯ୍ୟରେ ପାରଙ୍ଗମ ହୋଇଥିବାରୁ ଏପରି କରିପାରନ୍ତି । ଯଦି ଆମେ ଆମ ଚତୁଃପାଶ୍ୱର୍ରେ ଦୃଷ୍ଟିନିକ୍ଷେପ କରିବା ତେବେ ପାଇବା ଯେ ସାମାଜିକ ଉଦ୍ୟମଶୀଳତା ହେଉ କିମ୍ବା ଷ୍ଟାର୍ଟ ଅପ ବା କ୍ରୀଡା ହେଉ ସବୁ କ୍ଷେତ୍ରରେ ଯୁବକମାନେ ହିଁ ପରିବର୍ତ୍ତନ ଆଣିପାରିଛନ୍ତି – ସେହି ଯୁବବର୍ଗ ଯେଉଁମାନେ ପ୍ରଶ୍ନ ପଚାରିବା ଆଉ ବଡ଼ ବଡ଼ ସ୍ୱପ୍ନ ଦେଖିବାର ସାହାସ ଦେଖେଇଛନ୍ତି । ଯଦି ଆମେ ଯୁବକମାନଙ୍କର ବିଚାରକୁ ବାସ୍ତବ ଧରାତଳକୁ ନେଇ ଆସିବା ଏବଂ ସେମାନଙ୍କୁ ଅଭିବ୍ୟକ୍ତିର ମୁକ୍ତ ବାତାବରଣ ଉପଲବ୍ଧ କରାଇବା, ତା’ହେଲେ ସେମାନେ ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ । ସେମାନେ ଏହା କରୁଛନ୍ତି ମଧ୍ୟ ।

ମୋର ପ୍ରିୟ ଦେଶବାସୀଗଣ, ଗୁରୁଗ୍ରାମରୁ ବିନୀତାଜୀ MyGov ରେ ଲେଖିଛନ୍ତି ଯେ ମନ କି ବାତ୍ ରେ ମୋତେ କାଲି ଅର୍ଥାତ୍ 26 ନଭେମ୍ବରରେ ପଡୁଥିବା ସମ୍ବିଧାନ ଦିବସ ଉପରେ କିଛି ଆଲୋଚନା କରିବା ଦରକାର । ତାଙ୍କ ବିଚାରରେ ଏହା ଏକ ବିଶିଷ୍ଟ ଦିନ କାରଣ ଏହିଦିନ ଆମ୍ଭେମାନେ ସମ୍ବିଧାନ ପ୍ରାପ୍ତିର 70ତମ ବର୍ଷରେ ପଦାର୍ପଣ କରୁଛେ ।

ବିନୀତା ମହାଶୟା ଆପଣଙ୍କ ପରାମର୍ଶ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।

ହଁ, କାଲି ହେଉଛି ସମ୍ବିଧାନ ଦିବସ । ଆମ ସମ୍ବିଧାନ ନିର୍ମାଣ କରିଥିବା ସେହି ମହାନ ବିଭୂତିମାନଙ୍କର ସ୍ମୃତିଚାରଣର ଦିବସ । 1949 ମସିହା ନଭେମ୍ବର 26 ତାରିଖ ଦିନ ଆମେ ଆମର ସମ୍ବିଧାନକୁ ଗ୍ରହଣ କରିଥିଲୁ । ସମ୍ବିଧାନ ଲିଖନର ଏହି ଐତିହାସିକ କାର୍ଯ୍ୟକୁ ପୁରା କରିବା ପାଇଁ ସମ୍ବିଧାନ ସଭାକୁ ଦୁଇବର୍ଷ ଏଗାରମାସ ସତରଦିନ ସମୟ ଲାଗିଥିଲା । କଳ୍ପନା କରନ୍ତୁ ତ, 3 ବର୍ଷ ସମୟାବଧି ଭିତରେ ଆମର ସେହି ମହାନ ବିଭୂତିମାନେ ଆମକୁ ଏତେ ବ୍ୟାପକ ଏବଂ ବିସ୍ତୃତ ସମ୍ବିଧାନ ପ୍ରଦାନ କଲେ । ସେମାନେ ଯେଉଁ ଅସାଧାରଣ ଗତିରେ ସମ୍ବିଧାନ ନିର୍ମାଣ କଲେ ତାହା ଆଜି ମଧ୍ୟ ସମୟ ପରିଚାଳନା ଏବଂ ଉତ୍ପାଦକତା କ୍ଷେତ୍ରରେ ଏକ ଉଦାହରଣ ହୋଇରହିଛି । ଏହା ଆମକୁ ମଧ୍ୟ ନିଜର ଦାୟିତ୍ୱକୁ ରେକର୍ଡ ସମୟ ମଧ୍ୟରେ ପୂର୍ଣ୍ଣ କରିବାର ପ୍ରେରଣା ଦେଇଥାଏ । ସମ୍ବିଧାନ ସଭା ଦେଶର ମହାନ୍ ପ୍ରତିଭାମାନଙ୍କର ସଂଗମ ଥିଲା । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଭାରତକୁ ଏଭଳି ଏକ ସମ୍ବିଧାନ ଦେବାପାଇଁ ପ୍ରତିବଦ୍ଧ ଥିଲେ ଯାହାଦ୍ୱାରା ଭାରତର ଲୋକମାନେ ସଶକ୍ତ ହେବେ ଏବଂ ଗରିବରୁ ଗରିବ ଲୋକଟିଏ ମଧ୍ୟ ସାମର୍ଥ୍ୟବାନ ହୋଇପାରିବେ ।

ଆମ ସମ୍ବିଧାନର ଗୋଟିଏ ମହତ୍ୱପୂର୍ଣ୍ଣ କଥାହେଲା ଯେ ଏଥିରୁ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସବିସ୍ତାର ବର୍ଣ୍ଣନା କରାଯାଇଛି । ନାଗରିକମାନଙ୍କ ଜୀବନରେ ଏହି ଦୁଇଟିରେ ତାଳମେଳ ରହିଲେ ଦେଶ ଆଗକୁ ଯାଇପାରିବ । ଯଦି ଆମେ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା ତେବେ ଆମ ଅଧିକାରର ରକ୍ଷା ସ୍ୱତଃ ହୋଇଯିବ । ସେହିଭଳି ଯଦି ଆମେ ସମ୍ବିଧାନରେ ଦିଆଯାଇଥିବା କର୍ତ୍ତବ୍ୟଗୁଡ଼ିକର ଅନୁପାଳନ କରିବା ତା’ହେଲେ ମଧ୍ୟ ଆମ ଅଧିକାରର ସୁରକ୍ଷା ସ୍ୱାଭାବିକ ଭାବେ ହୋଇପାରିବ । ମୋର ଆଜି ବି ମନେଅଛି, 2010ରେ ଯେତେବେଳେ ଭାରତୀୟ ଗଣତନ୍ତ୍ରକୁ 60 ବର୍ଷ ହୋଇଥିଲା ସେତେବେଳେ ଗୁଜରାଟରେ ଆମେ ସମ୍ବିଧାନକୁ ହାତୀ ଉପରେ ରଖି ଶୋଭାଯାତ୍ରା କରିଥିଲୁ । ଯୁବକମାନଙ୍କ ମଧ୍ୟରେ ସମ୍ବିଧାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଏବଂ ସେମାନଙ୍କୁ ସମ୍ବିଧାନର ବିଭିନ୍ନ ପକ୍ଷ ସହ ସଂଯୁକ୍ତ କରିବା ପାଇଁ ଏହା ଏକ ସ୍ମରଣୀୟ ପ୍ରସଙ୍ଗ ଥିଲା । 2020 ମସିହାରେ ଆମେ ଏକ ଗଣତନ୍ତ୍ର ଭାବରେ 70 ବର୍ଷ ପୂର୍ଣ୍ଣ କରିବା ଏବଂ 2022ରେ ଆମ ସ୍ୱାଧୀନତାର 75 ବର୍ଷ ପୂର୍ଣ୍ଣ ହେବ ।

ଆସନ୍ତୁ, ଆମେ ସମସ୍ତେ ଆମ ସମ୍ବିଧାନର ମୂଲ୍ୟବୋଧକୁ ଆଗକୁ ବଢ଼ାଇବା ଏବଂ ଆମ ଦେଶରେ ଶାନ୍ତି, ପ୍ରଗତି  ଏବଂ ସମୃଦ୍ଧିକୁ ସୁନିଶ୍ଚିତ କରିବା ।

ମୋର ପ୍ରିୟ ଦେଶବାସୀଗଣ, ସମ୍ବିଧାନ ସଭା ବିଷୟରେ ଚର୍ଚ୍ଚା କଲାବେଳେ ସେ ମହାପୁରୁଷଙ୍କ ଅବଦାନକୁ କେବେବି ଭୁଲିହେବନି ଯିଏକି ସର୍ବଦା ସମ୍ବିଧାନ ସଭାର କେନ୍ଦ୍ରରେ ଥିଲେ । ସେ ହେଉଛନ୍ତି ପୂଜ୍ୟ ବାବାସାହେବ ଡଃ ଆମ୍ବେଦକର । ଡିସେମ୍ବର 6 ତାରିଖ ତାଙ୍କର ମହାପରିନିର୍ବାଣ ଦିବସ । ମୁଁ ସମସ୍ତ ଦେଶବାସୀଙ୍କ ତରଫରୁ ବାବାସାହେବଙ୍କୁ ପ୍ରଣାମ ଜଣାଉଛି ଯିଏକି କୋଟି କୋଟି ଭାରତୀୟଙ୍କୁ ସମ୍ମାନର ସହ ବଂଚିବାର ଅଧିକାର ଦେଇଛନ୍ତି । ଗଣତନ୍ତ୍ର ବାବାସାହେବଙ୍କ ସ୍ୱଭାବର ଅବିଚ୍ଛିନ୍ନ ଅଙ୍ଗ ଥିଲା ଏବଂ ସେ କହୁଥିଲେ ଯେ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ କୌଣସି ବାହାର ଦେଶରୁ ଆସିନି । ଗଣତନ୍ତ୍ର କ’ଣ, ସଂସଦୀୟ ବ୍ୟବସ୍ଥା କ’ଣ – ଏସବୁ ଭାରତ ପାଇଁ କିଛି ନୂଆ କଥାନୁହେଁ । ସମ୍ବିଧାନ ସଭାରେ ଅତ୍ୟନ୍ତ ଭାବପ୍ରବଣ ହୋଇ ଏକଦା ସେ ନିବେଦନ କରିଥିଲେ । ସେ କହିଥିଲେ ଏତେ ସଂଘର୍ଷ ପରେ ମିଳିଥିବା ସ୍ୱାଧୀନତାକୁ ରକ୍ଷା କରିବା ପାଇଁ ଆମେ ଆମର ଶେଷ ରକ୍ତବିନ୍ଦୁ ଥିବାଯାଏ ଚେଷ୍ଟା କରିବା । ସେ ଆହୁରି ମଧ୍ୟ କହିଥିଲେ ଯେ ହୋଇପାରେ ଆମେ ଭାରତୀୟମାନଙ୍କର ଭିନ୍ନ ଭିନ୍ନ ପୃଷ୍ଠଭୂମି ହୋଇପାରେ କିନ୍ତୁ ଦେଶ ହିତକୁ ସବୁଠାରୁ ଉର୍ଦ୍ଧ୍ଵରେ ରଖିବାକୁ ପଡ଼ିବ । “ଭାରତ ପ୍ରଥମ” – ଡଃ ବାବାସାହେବ ଆମ୍ବେଦକରଙ୍କର ଏହାହିଁ ମୂଳମନ୍ତ୍ର ଥିଲା । ପୂଜ୍ୟ ବାବାସାହେବଙ୍କୁ ପୁନଶ୍ଚ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଦୁଇଦିନ ପୂର୍ବେ ନଭେମ୍ବର 23 ତାରିଖ ଦିନ ଆମେ ସମସ୍ତେ ଶ୍ରୀ ଗୁରୁନାନାକ ଦେବଙ୍କ ଜୟନ୍ତୀ ପାଳନ କଲୁ । ଆସନ୍ତା ବର୍ଷ ଅର୍ଥାତ୍ 2019ରେ ଆମେ ତାଙ୍କର 550ତମ ପ୍ରକାଶ ପର୍ବ ପାଳନ କରିବାକୁ ଯାଉଛୁ ଗୁରୁନାନାକ ଦେବ ସର୍ବଦା ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଚିନ୍ତା କରିଛନ୍ତି । ସେ ସମାଜକୁ ସର୍ବଦା ସତ୍ୟ, କର୍ମ, ସେବା, କରୁଣା ଓ ସୌହାର୍ଦ୍ଦ୍ୟର ମାର୍ଗ ଦେଖାଇଛନ୍ତି । ସାରା ଦେଶ ଆସନ୍ତା ବର୍ଷ ଗୁରୁ ନାନକ ଦେବଙ୍କ 550ତମ ଜୟନ୍ତୀ ସମାରୋହ ଭବ୍ୟରୂପରେ ପାଳନ କରିବ । ଏହାର ରଙ୍ଗ କେବଳ ଦେଶରେ ନୁହେଁ, ସାରା ବିଶ୍ୱରେ ବିଚ୍ଛୁରିତ ହେବ । ଏହି ଉତ୍ସବକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଅନୁରୋଧ କରାଯାଇଛି । ସେହିଭଳି ଗୁରୁନାନକ ଦେବଙ୍କ 550ତମ ପ୍ରକାଶ ପର୍ବ ବିଶ୍ୱର ସମସ୍ତ ଦେଶରେ ମଧ୍ୟ ପାଳନ କରାଯିବ । ଏହା ସଙ୍ଗେ ସଙ୍ଗେ ଗୁରୁ ନାନକଙ୍କ ସହ ସମ୍ପୃକ୍ତ ପବିତ୍ର ସ୍ଥଳଗୁଡ଼ିକର ମାର୍ଗରେ ଗୋଟିଏ ଟ୍ରେନ ମଧ୍ୟ ଚଳାଚଳ କରିବ । ନିକଟ ଅତୀତରେ ଯେତେବେଳେ ମୁଁ ଏହି ପ୍ରସଙ୍ଗରେ ଗୋଟିଏ ବୈଠକ କରୁଥିଲି ସେତେବେଳେ ଲଖପତ୍ ସାହେବ ଗୁରୁଦ୍ୱାରା କଥା ମୋର ମନେପଡ଼ିଲା । 2001ରେ ଗୁଜରାଟରେ ହୋଇଥିବା ଭୂମିକମ୍ପରେ ଏହି ଗୁରୁଦ୍ୱାରା ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା କିନ୍ତୁ ସ୍ଥାନୀୟ ଲୋକମାନଙ୍କ ସହ ମିଶି ରାଜ୍ୟ ସରକାର ଯେଭଳି ଭାବେ ଏହାର ପୁନନିର୍ମାଣ କାର୍ଯ୍ୟ କଲେ ତାହା ଆଜି ମଧ୍ୟ ଗୋଟିଏ ଉଦାହରଣ ।

କର୍ତ୍ତାରପୁର କରିଡର ନିର୍ମାଣ ପାଇଁ ଭାରତ ସରକାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି, ଯାହାଫଳରେ ଆମ ଦେଶର ଯାତ୍ରୀମାନେ ସହଜରେ ପାକିସ୍ତାନର କର୍ତ୍ତାରପୁରରେ ଥିବା ଗୁରୁନାନକ ଦେବଙ୍କ ସେହି ପବିତ୍ର ସ୍ଥଳକୁ ଦର୍ଶନ କରିପାରିବେ ।

ମୋର ପ୍ରିୟ ଦେଶବାସୀଗଣ, 50ତମ ଅଧ୍ୟାୟ ପରେ ଆମେ ପୁଣିଥରେ ଏକାଠି ହେବା “ମନ କି ବାତ୍’ର ପରବର୍ତ୍ତୀ ଅଧ୍ୟାୟରେ ଏବଂ ମୋର ବିଶ୍ୱାସ ଯେ, ଆଜି “ମନ୍ କି ବାତ୍” କାର୍ଯ୍ୟକ୍ରମ ପଛରେ ରହିଥିବା ଭାବନା ସମ୍ପର୍କରେ ମୋତେ ପ୍ରଥମ ଥର ଆପଣଙ୍କ ଆଗରେ କହିବାର ସୁଯୋଗ ମିଳିଲା କାରଣ ଆପଣମାନଙ୍କ ପ୍ରଶ୍ନ ହିଁ ସେହିଭଳି ଥିଲା । ଆମର ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ । ଆପଣମାନଙ୍କ ସହଯୋଗ ଯେତେ ଅଧିକ ମିଳିବ ଆମର ଯାତ୍ରା ସେତେ ସୁଗମ ହେବ ଏବଂ ସମସ୍ତଙ୍କ ପାଇଁ ସନ୍ତୋଷପ୍ରଦ ହେବ । ବେଳେବେଳେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, “ମନ କି ବାତ୍”ରୁ ମୋତେ କ’ଣ ମିଳିଲା? ଆଜି ମୁଁ କହିବାକୁ ଚାହୁଁଛି ଯେ, “ମନ କି ବାତ୍” ପାଇଁ ଆସୁଥିବା ଅଭିମତରେ ଗୋଟିଏ କଥା ମୋ ମନକୁ ଛୁଇଁଯାଏ । ଅଧିକାଂଶ ଲୋକ ଯେତେବେଳେ ଏକଥା କହନ୍ତି ଯେ, ଆମେ ପରିବାରର ସବୁ ଲୋକଙ୍କ ସାଙ୍ଗରେ ଏକାଠି ବସି ମନ୍ କି ବାତ୍ ଶୁଣୁ, ସେତେବେଳେ ଲାଗେ ସତେ ଯେମିତି ଆମ ପରିବାରର ମୁଖିଆ ଆମ ଗହଣରେ ବସି ଆମରି ନିଜ କଥାଗୁଡ଼ିକୁ ଆମ ସହ ଅନୁଭୂତି ବାଣ୍ଟୁଛନ୍ତି । ଏକଥା ବ୍ୟାପକ ଭାବେ ଶୁଣି ମୁଁ ବହୁତ ସନ୍ତୋଷ ଲାଭ କଲି । ମୋତେ ଲାଗିଲା ଯେ, ମୁଁ ଆପଣଙ୍କର, ଆପଣମାନଙ୍କ ମଧ୍ୟରୁ ଜଣେ, ଆପଣଙ୍କ ଗହଣରେ ରହିଛି, ଆପଣମାନେ ହିଁ ମୋତେ ବଡ଼ କରିଛନ୍ତି । ଏକ ପ୍ରକାର ମୁଁ ମଧ୍ୟ ଆପଣଙ୍କ ପରିବାରର ସଦସ୍ୟ ରୂପେ “ମନ୍ କି ବାତ୍” ମାଧ୍ୟମରେ ବାରମ୍ବାର ଆସୁଥିବି । ଆପଣମାନଙ୍କ ସହିତ ଯୋଡ଼ି ହୋଇ ରହୁଥିବି । ଆପଣଙ୍କ ସୁଖ-ଦୁଃଖ ମୋ ସୁଖ-ଦୁଃଖ । ଆପଣଙ୍କ ଆକାଂକ୍ଷା ମୋ ଆକାଂକ୍ଷା । ଆପଣଙ୍କ ମହତ୍ୱାକାଂକ୍ଷା ମୋ ମହାତ୍ୱାକାଂକ୍ଷା ।

ଆସନ୍ତୁ ଏହି ଯାତ୍ରାକୁ ଆମେ ଆହୁରି ଆଗକୁ ନେବା ।

ବହୁତ ବହୁତ ଧନ୍ୟବାଦ ।

 

**********