Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ 52ତମ “ମନ୍ କି ବାତ୍’ ସଂସ୍କରଣ


 

       ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ନିର୍ବାଚନ ଆୟୋଗଙ୍କ ଭୂମିକା ମହତ୍ୱପୂର୍ଣ୍ଣ

•      ଯୁବ ଭୋଟରଙ୍କ ପଞ୍ଜୀକରଣ, ମତଦାନ ସଚେତନତା ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ

•      ଓଡ଼ିଶାର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ Sounding Rocket  ଟେକ୍ନୋଲଜି ନୂତନ ଅଧ୍ୟାୟ ସୃଷ୍ଟି କରିଛି

•      ସ୍ୱଚ୍ଛତା ଆଣିବା ଲାଗି ସାଢେ ତିନି କୋଟି ମନରେଗା ସମ୍ପତ୍ତି ଏବଂ 23 ରାଜ୍ୟରେ ନିର୍ମିତ 40 ଲକ୍ଷ ଆବାସକୁ ଉପଗ୍ରହ ଭିତିକ ଜିଓ ଟ୍ୟାଗ

•      ଦକ୍ଷିଣ ଏସିଆ ଉପଗ୍ରହ ପଡ଼ୋଶୀ ମିତ୍ର ରାଷ୍ଟ୍ରମାନଙ୍କୁ ବିକାଶର ଉପହାର

•      ନିଉ ଇଣ୍ଡିଆର ନିର୍ମାଣରେ ଗାଁ ପିଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

•      “ସ୍ୱଚ୍ଛ ସୁନ୍ଦର ଶୌଚାଳୟ’’ ଅଭିଯାନର ନେତୃତ୍ୱ ନେବାକୁ ସରପଞ୍ଚମାନଙ୍କୁ ଆହ୍ୱାନ

•      ସ୍ୱଚ୍ଛ ଭାରତର ସ୍ମରଣୀୟ ଯାତ୍ରାରେ ମନ୍ କୀ ବାତ୍’’ ଶ୍ରୋତାମାନଙ୍କ ବଡ଼ ଅବଦାନ

•      9 କୋଟି ପରିବାରକୁ ନିଜସ୍ୱ ଶୌଚାଳୟ ସୁବିଧା, ଦେଶର 5.50ଲକ୍ଷରୁ ଅଧିକ ଗାଁ ଖୋଲାଶୌଚ ମୁକ୍ତ ଘୋଷିତ

•      ଜାନୁୟାରୀ 29 ତାରିଖ 11ଟା ସମୟରେ ଛାତ୍ରଛାତ୍ରୀ ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ଭାଗନେବାକୁ ପରାମର୍ଶ

 

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଚଳିତ ମାସ 21 ତାରିଖ ଦିନ ଆମ ଦେଶକୁ ଗୋଟିଏ ଗଭୀର ଶୋକ ସମ୍ବାଦ ମିଳିଲା  । କର୍ଣ୍ଣାଟକର ଟୁମକୁର୍ ଜିଲ୍ଲାର ଶ୍ରୀ ସିଦ୍ଧଗଙ୍ଗା ମଠର ଡକ୍ଟର ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀ ଆମଠାରୁ ଚିର ବିଦାୟ ନେଲେ  । ଶିବକୁମାର ସ୍ୱାମୀଜୀ ନିଜର ସମ୍ପୂର୍ଣ୍ଣ ଜୀବନ ସମାଜ ସେବାରେ ସମର୍ପିତ କରିଦେଲେ  । ଭଗବାନ ବାସବେଶ୍ୱର ଆମକୁ ଶିଖାଇଛନ୍ତି – “କାୟକୱେ କୈଲାସ୍’’ – ଅର୍ଥାତ୍ କଠିନ ପରିଶ୍ରମ ସହ ନିଜର ଦାୟିତ୍ୱ ନିର୍ବାହ କରି ଚାଲିବା, ଭଗବାନ ଶିବଙ୍କ ନିବାସ ସ୍ଥାନ କୈଳାସ ଧାମରେ ରହିବା ସହ ସମାନ  । ଶିବକୁମାର ସ୍ୱାମୀଜୀ ଏହି ଦର୍ଶନର ଅନୁଗାମୀ ଥିଲେ  । ସେ ନିଜର 111 ବର୍ଷର ଜୀବନ କାଳରେ ହଜାର ହଜାର ଲୋକଙ୍କ ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଉତ୍ଥାନ ପାଇଁ କାର୍ଯ୍ୟ କରିଛନ୍ତି  । ସେ ଜଣେ ଏଭଳି ବିଦ୍ୱାନ ରୂପେ ପ୍ରସିଦ୍ଧ ଥିଲେ, ଯିଏ ଇଂରାଜୀ, ସଂସ୍କୃତ ଓ କନ୍ନଡ଼ ଭାଷାରେ ଖୁବ୍ ପାରଙ୍ଗମ ଥିଲେ  । ସେ ଜଣେ ସମାଜ ସଂସ୍କାରକ ଥିଲେ  । ଲୋକମାନଙ୍କୁ କିଭଳି ଭୋଜନ, ଆଶ୍ରୟ, ଶିକ୍ଷା ଏବଂ ଆଧ୍ୟାତ୍ମିକ ଜ୍ଞାନ ମିଳିପାରିବ, ସେଥିପାଇଁ ସେ ନିଜର ସଂପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଦେଇଥିଲେ  । କୃଷକମାନଙ୍କ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହେଉ ଏହାକୁ ସେ ପ୍ରାଥମିକତା ଦେଉଥିଲେ  । ସିଦ୍ଧଗଙ୍ଗା ମଠ ପକ୍ଷରୁ ନିୟମିତ ଭାବେ ପ୍ରାଣୀ ଏବଂ କୃଷିମେଳାର ଆୟୋଜନ କରାଯାଉଥିଲା  । ଅନେକ ଥର ପରମ ପୂଜ୍ୟ ସ୍ୱାମୀଜୀଙ୍କ ଆଶୀର୍ବାଦ ଲାଭ କରିବାର ସୌଭାଗ୍ୟ ମୋତେ ମିଳିଛି । 2007ରେ ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଶତାବ୍ଦୀ ବର୍ଷ ଉତ୍ସବ ସମାରୋହ ଅବସରରେ ଆମର ପୂର୍ବତନ ରାଷ୍ଟ୍ରପତି ଡ.ଏ.ପି.ଜେ. ଅବ୍ଦୁଲ୍ କଲାମ ଟୁମକୁର୍ ଯାଇଥିଲେ । ଏହି ଅବସରରେ କଲାମ୍ ସାହେବ ପୂଜ୍ୟ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଗୋଟିଏ କବିତା ଶୁଣାଇଥିଲେ  । ସେ କହିଥିଲେ

“O my Fellow Citizens – In giving, you receive happiness,

In Body and Soul- You have everything to give,

If you have knowledge – share it,

If you have resources – share them with the needy,

You, your mind and heart.

To remove the pain and suffering, and cheer the sad hearts.

In giving, you receive happiness Almighty will bless, all your actions”

 

ଡ. କଲାମ୍ ସାହେବଙ୍କ ଏହି କବିତା ଶ୍ରୀ ଶ୍ରୀ ଶ୍ରୀ ଶିବକୁମାର ସ୍ୱାମୀଜୀଙ୍କ ଜୀବନ ଏବଂ ସିଦ୍ଧଗଙ୍ଗା ମଠର ମିଶନକୁ ସୁନ୍ଦର ଭାବରେ ଉପସ୍ଥାପିତ କରୁଛି  । ମୁଁ ପୁଣି ଥରେ ଏଭଳି ମହାପୁରୁଷଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ ! 1950 ମସିହା ଜାନୁୟାରୀ 2 0 ତାରିଖ ଦିନ ଆମ ଦେଶରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା  । ସେହି ଦିନ ଆମ ଦେଶ ଏକ ଗଣତନ୍ତ୍ରରେ ପରିଣତ ହେଲା ଏବଂ ଗତକାଲି ହିଁ ଆମେ ଖୁବ୍ ଆଡ଼ମ୍ବର ସହ ଆମର ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କଲୁ  । ହେଲେ ଆଜି ମୁଁ କିଛି ଭିନ୍ନ ବିଷୟ ଉପରେ କଥା ହେବାକୁ ଚାହୁଁଛି  । ଆମ ଦେଶରେ ଗୋଟିଏ ବଡ଼ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ରହିଛି, ଯାହା ନିଶ୍ଚିତ ଭାବେ ଆମ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ, ତାଛଡ଼ା ଏହା ଆମ ଗଣତନ୍ତ୍ର ଠାରୁ ମଧ୍ୟ ପ୍ରାଚୀନ  । ମୁଁ ଭାରତର ନିର୍ବାଚନ ଆୟୋଗ ସଂପର୍କରେ କହୁଛି  । ଜାନୁୟାରୀ 2 5 ତାରିଖ ଦିନ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ ଥିଲା, ଯାହାକୁ ଜାତୀୟ ମତଦାତା ଦିବସ’’ ବା National Voters’ Dayଭାବରେ ପାଳନ କରାଯାଇଥାଏ  । ଭାରତରେ ଯେଉଁ ବିଶାଳ ଆକାରରେ ନିର୍ବାଚନ ଆୟୋଜିତ ହୋଇଥାଏ, ତାହା ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟ ଚକିତ ହୋଇଥାନ୍ତି ଏବଂ ଆମ ନିର୍ବାଚନ ଆୟୋଗ ଯେଭଳି ଉତମ ରୂପେ ଏହାର ଆୟୋଜନ କରିଥାଏ, ତାହାକୁ ଦେଖି ପ୍ରତ୍ୟେକ ଦେଶବାସୀ ନିର୍ବାଚନ ଆୟୋଗକୁ ନେଇ ଗର୍ବ ଅନୁଭବ କରିବା ସ୍ୱାଭାବିକ  । ଭାରତର ପ୍ରତ୍ୟେକ ନାଗରିକ ଯିଏ ଜଣେ ପଞ୍ଜୀକୃତ ମତଦାତା ସେ ମତଦାନ କରିବାର ସୁଯୋଗ ପାଆନ୍ତୁ, ଏ କଥା ସୁନିଶ୍ଚିତ କରିବାରେ କୌଣସି ଅବହେଳା କରାଯାଏ ନାହିଁ  ।

ଯେତେବେଳେ ଆମେ ଶୁଣୁ ଯେ, ହିମାଚଳ ପ୍ରଦେଶରେ ସମୁଦ୍ର ପତନ ଠାରୁ 15,000 ଫୁଟ ଉଚ୍ଚତା ବିଶିଷ୍ଟ କ୍ଷେତ୍ରରେ ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଥାଏ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ଦୂରଦୂରାନ୍ତ ଦ୍ୱୀପରେ ମଧ୍ୟ ଭୋଟ ଗ୍ରହଣ ବ୍ୟବସ୍ଥା କରାଯାଇଥାଏ  । ଆଉ ପୁଣି ଆପଣମାନେ ଗୁଜରାଟ ସଂପର୍କରେ ତ ନିଶ୍ଚୟ ଶୁଣିଥିବେ ଯେ ଗୀର ଜଙ୍ଗଲର ଗୋଟିଏ ସୁଦୂର କ୍ଷେତ୍ରରେ ଗୋଟିଏ ଭୋଟ ଗ୍ରହଣ କେନ୍ଦ୍ର ଯାହା ମାତ୍ର ଜଣେ ମତଦାତାଙ୍କ ପାଇଁ କରାଯାଇଥାଏ  । କଳ୍ପନା କରନ୍ତୁ ମାତ୍ର ଜଣେ ଭୋଟର ପାଇଁ ! ଏସବୁ କଥା ଶୁଣିଲେ ଆମ ନିର୍ବାଚନ ଆୟୋଗକୁ ନେଇ ଗର୍ବ କରିବା ସ୍ୱାଭାବିକ  । ସେହି ଜଣେ ମତଦାତାଙ୍କୁ ଦୃଷ୍ଟିରେ ରଖି, ସେହି ମତଦାତାଙ୍କୁ ନିଜର ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପ୍ରଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ପୁରା ଟିମ୍ ଦୂର-ଦୂରାନ୍ତ ସ୍ଥାନକୁ ଯାଇ ଭୋଟ ଗ୍ରହଣ ବ୍ୟବସ୍ଥା କରିଥାଏ  । ଏହାହିଁ ତ ଆମ ଗଣତନ୍ତ୍ରର ବିଶେଷତ୍ୱ  ।

ଆମର ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଅନବରତ ପ୍ରଚେଷ୍ଟା କରୁଥିବାରୁ ମୁଁ ଆମ ନିର୍ବାଚନ ଆୟୋଗର ପ୍ରଶଂସା କରୁଛି  । ମୁଁ ସମସ୍ତ ରାଜ୍ୟର ନିର୍ବାଚନ ଆୟୋଗ, ସମସ୍ତ ସୁରକ୍ଷା କର୍ମୀ ଏବଂ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସାଧୁବାଦ ଦେଉଛି, ଯେଉଁମାନେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରନ୍ତି ଏବଂ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରନ୍ତି  ।

ଚଳିତ ବର୍ଷ ଆମ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ  । ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଯୁବବର୍ଗ ଚଳିତବର୍ଷ ପ୍ରଥମଥର ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ  । ସେମାନେ ଦେଶର ଦାୟିତ୍ୱ ବହନ କରିବାର ସମୟ ଆସିଛି  । ଏବେ ସେମାନେ ଦେଶର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶୀଦାର ହେବାକୁ ଯାଉଛନ୍ତି  । ନିଜର ସ୍ୱପ୍ନକୁ ଦେଶର ସ୍ୱପ୍ନ ସହ ଯୋଡ଼ିବାର ସମୟ ଆସିଯାଇଛି  । ଯୁବପିଢ଼ିକୁ ମୋର ଅନୁରୋଧ, ଯଦି ସେମାନେ ମତଦାନ କରିବାର ଯୋଗ୍ୟତା ହାସଲ କରିସାରିଛନ୍ତି, ତେବେ ନିଜକୁ ଜଣେ ଭୋଟର ଭାବରେ ନିଶ୍ଚୟ ପଞ୍ଜୀକୃତ କରାନ୍ତୁ  । ଦେଶର ଜଣେ ଭୋଟର ହେବା, ଭୋଟଦାନ ଅଧିକାର ପ୍ରାପ୍ତ କରିବା ଜୀବନର ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧିମାନଙ୍କ ମଧ୍ୟରୁ ଅନ୍ୟତମ  । ଏହା ଆମେ ସମସ୍ତେ ଉପଲବ୍ଧି କରିବା ଉଚିତ  । ଏହା ସଙ୍ଗେ ସଙ୍ଗେ ମତଦାନ କରିବା ମୋର କର୍ତ୍ତବ୍ୟ ଏହି ଭାବନା ଆମ ମଧ୍ୟରେ ସୃଷ୍ଟି ହେବା ଉଚିତ  । ଜୀବନରେ କୌଣସି କାରଣବଶତଃ ମତଦାନ କରି ନ ପାରିଲେ ମନ କଷ୍ଟ କରିବା ଆବଶ୍ୟକ  । ଦେଶରେ କେଉଁଠି କିଛି ଭୁଲ୍ କାମ ହେଉଥିବା ଦେଖିଲେ ମନ ଦୁଃଖ ହେବା ଆବଶ୍ୟକ  । ହଁ, ସେଦିନ ମୁଁ ଭୋଟ ଦେଇ ନଥିଲି, ସେଦିନ ମୁଁ ଭୋଟ ଦେବାକୁ ଯାଇ ନଥିଲି, ତାହାରି ପରିଣତି ଆଜି ଦେଶ ଭୋଗ କରୁଛି  । ଆମର ଏହି ଦାୟିତ୍ୱବୋଧ ରହିବା ଦରକାର  । ଏହା ଆମର ପ୍ରବୃତିରେ ପରିଣତ ହେବା ଆବଶ୍ୟକ  । ଏହା ଆମର ସଂସ୍କାର ହେବା ଉଚିତ  । ମୁଁ ଦେଶର ଜଣାଶୁଣା ବ୍ୟକ୍ତିମାନଙ୍କୁ ଅନୁରୋଧ କରୁଛି ଯେ, ଆମେ ସମସ୍ତେ ମିଶି ଭୋଟର ପଞ୍ଜୀକରଣ ହେଉ କିମ୍ବା ଭୋଟଗ୍ରହଣ ଦିନ ଭୋଟ ଦେବା ପାଇଁ ଲୋକମାନଙ୍କୁ ସଚେତନ କରିବା ଦିଗରେ ଗୋଟିଏ ଅଭିଯାନ ଆରମ୍ଭ କରିବା  । ଯୁବ ମତଦାତା ବହୁ ସଂଖ୍ୟାରେ ପଞ୍ଜୀକୃତ ହେବେ ଏବଂ ନିଜର ସହଭାଗିତା ମାଧ୍ୟମରେ ଆମର ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବେ ବୋଲି ମୋର ଆଶା  ।

ମୋର ପ୍ରିୟ ଦେଶବାସୀଗଣ ! ଭାରତର ଏହି ମହାନ୍ ଭୂମି ଅନେକ ମହାପୁରୁଷଙ୍କୁ ଜନ୍ମ ଦେଇଛି ଏବଂ ସେହି ମହାପୁରୁଷମାନେ ମାନବ ଜାତି ପାଇଁ କିଛି ଚମକ୍ରାର ଏବଂ ଅବିସ୍ମରଣୀୟ କାର୍ଯ୍ୟ କରିଛନ୍ତି  । ଆମ ଦେଶ ହେଉଛି ବହୁରତ୍ନା ବସୁନ୍ଧରା’’  ଏଭଳି ମହାପୁରୁଷମାନଙ୍କ ମଧ୍ୟରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ୟତମ  । ଜାନୁୟାରୀ 23 ତାରିଖ ଦିନ ସାରା ଦେଶରେ ଗୋଟିଏ ନିଆରା ଢଙ୍ଗରେ ତାଙ୍କ ଜୟନ୍ତୀ ପାଳନ କରାଗଲା  । ନେତାଜୀଙ୍କ ଜୟନ୍ତୀ ଅବସରରେ ମୋତେ ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଯୋଗଦାନ ଦେଇଥିବା ବୀରମାନଙ୍କୁ ସମର୍ପିତ ଗୋଟିଏ ସଂଗ୍ରହାଳୟର ଉଦ୍ଘାଟନ କରିବାର ସୌଭାଗ୍ୟ ମିଳିଲା  । ଆପଣମାନେ ଜାଣିଛନ୍ତି ଯେ ଲାଲକିଲ୍ଲା ଭିତରେ ସ୍ୱାଧୀନତା ପ୍ରାପ୍ତି ଠାରୁ ଆଜି ପର୍ଯ୍ୟନ୍ତ ଅନେକ କୋଠରୀ ବନ୍ଦ ପଡ଼ି ରହିଥିଲା  । ଲାଲକିଲ୍ଲାର ସେହି ବନ୍ଦ ପଡ଼ି ରହିଥିବା କୋଠରୀଗୁଡ଼ିକୁ ଗୋଟିଏ ଗୋଟିଏ ସୁନ୍ଦର ସଂଗ୍ରହାଳୟରେ ପରିବର୍ତ୍ତିତ କରାଯାଇଛି  । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ Indian National Army କୁ ସମର୍ପିତ ସଂଗ୍ରହାଳୟ ୟାଦ୍-ଏ-ଜଲିୟାଁ’’ ଏବଂ 1857, ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମର୍ପିତ ସଂଗ୍ରହାଳୟ ଏବଂ ଏହି ସମଗ୍ର ପରିସରକୁ କ୍ରାନ୍ତି ମନ୍ଦିର’’ ରୂପରେ ଦେଶକୁ ସମର୍ପିତ କରାଯାଇଛି  । ଏହି ସଂଗ୍ରହାଳୟର ପ୍ରତିଟି ଇଟାରେ ଆମର ଗୌରବପୂର୍ଣ୍ଣ ଇତିହାସର ମହକ ଭରି ରହିଛି  । ସଂଗ୍ରହାଳୟର କୋଣ-ଅନୁକୋଣରେ ଆମର ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କ ଗାଥାକୁ ବର୍ଣ୍ଣନା କରୁଥିବା କଥା ଆମକୁ ଇତିହାସର ଅନୁଶାସନ ପାଇଁ ପ୍ରେରଣା ଯୋଗାଉଛି  । ଏହି ସ୍ଥାନରେ ଭାରତମାତାର ବୀର ସନ୍ତାନ – କର୍ଣ୍ଣେଲ ପ୍ରେମ୍ ସେହଗଲ୍, କର୍ଣ୍ଣେଲ ଗୁରବକ୍ସ ସିଂହ ଧିଲ୍ଲୋଁ ଏବଂ ମେଜର ଜେନେରାଲ ଶାହ ନୱାଜ୍ ଖାନଙ୍କ ଉପରେ ଇଂରେଜ ସରକାର ମୋକଦ୍ଦମା ଚଳାଇଥିଲେ  ।

ମୁଁ ଯେତେବେଳେ ଲାଲକିଲ୍ଲାରେ କ୍ରାନ୍ତି ମନ୍ଦିରରେ ନେତାଜୀଙ୍କ ସଂପର୍କରେ ସ୍ମୃତିଚାରଣ କରୁଥିଲି ସେତେବେଳେ ମୋତେ ନେତାଜୀଙ୍କ ପରିବାରର ସଦସ୍ୟମାନେ ଗୋଟିଏ ବିଶେଷ ଟୋପି ଉପହାର ସ୍ୱରୂପ ପ୍ରଦାନ କରିଥିଲେ  ।

ଦିନେ ନେତାଜୀ ସେହି ଟୋପି ପରିଧାନ କରୁଥିଲେ  । ମୁଁ ସେହି ଟୋପିକୁ ସେହି ସଂଗ୍ରହାଳୟରେ ହିଁ ସ୍ଥାନିତ କରିବା ପାଇଁ ନିର୍ଦ୍ଦେଶ ଦେଲି ଯାହାଫଳରେ ସେଠାକୁ ଆସୁଥିବା ଦର୍ଶକ ସେ ଟୋପିକୁ ଦେଖନ୍ତୁ ଏବଂ ସେଥିରୁ ଦେଶଭକ୍ତି ପାଇଁ ପ୍ରେରଣା ଗ୍ରହଣ କରନ୍ତୁ  । ପ୍ରକୃତରେ ଆମର ନାୟକମାନଙ୍କ ଦେଶଭକ୍ତି ଏବଂ ବୀରତ୍ୱର ଗାଥାକୁ ନୂତନ ପିଢ଼ିକୁ ବାରମ୍ବାର ଭିନ୍ନ ଭିନ୍ନ ରୂପରେ ନିରନ୍ତର ଭାବେ ଜଣାଇବାର ଆବଶ୍ୟକତା ରହିଛି  । ଏଇ ମାସକ ତଳେ ଡିସେମ୍ବର 30 ତାରିଖ ଦିନ ମୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପକୁ ଯାଇଥିଲି  । ଗୋଟିଏ କାର୍ଯ୍ୟକ୍ରମରେ ଠିକ୍ ସେହି ସ୍ଥାନରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଗଲା, ଯେଉଁଠାରେ ନେତାଜୀ ସୁଭାଷ ବୋଷ 75 ବର୍ଷ ତଳେ ପତାକା ଉତ୍ତୋଳନ କରିଥିଲେ  । ଠିକ୍ ସେହିପରି ଅକ୍ଟୋବର 2018 ରେ ଲାଲକିଲ୍ଲା ଉପରେ ଯେତେବେଳେ ତ୍ରିରଙ୍ଗା ପତାକା ଉତ୍ତୋଳନ କରାଗଲା, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ  । କାରଣ ସେଠାରେ କେବଳ ଅଗଷ୍ଟ 15 ତାରିଖ ଦିନ ହିଁ ଏହି ପରମ୍ପରା ପାଳନ କରାଯାଇଥାଏ  । କିନ୍ତୁ ଏହା ଆଜାଦ ହିନ୍ଦ ସରକାର ଗଠନର 75 ବର୍ଷ ପୂର୍ତ୍ତିର ସମୟ ଥିଲା  ।

ସୁଭାଷ ବାବୁଙ୍କୁ ସବୁବେଳେ ଜଣେ ବୀର ସୈନିକ ଏବଂ ଜଣେ ଦକ୍ଷ ସଂଗଠକ ରୂପେ ସ୍ମରଣ କରାଯିବ  । ଜଣେ ଏଭଳି ବୀର ସୈନିକ ଯିଏ ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ  । ଦିଲ୍ଲୀ ଚଲୋ’’, “ତୁମେ ମୋତେ ରକ୍ତ ଦିଅ, ମୁଁ  ତୁମକୁ ସ୍ୱାଧୀନତା ଦେବି’’ ଭଳି ଆଜାଦୀ ସ୍ଲୋଗାନ୍ ମାଧ୍ୟମରେ ନେତାଜୀ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିଥିଲେ  । ନେତାଜୀଙ୍କ ସମ୍ପର୍କିତ ନଥିପତ୍ରଗୁଡ଼ିକୁ ସାର୍ବଜନୀନ କରାଯିବା ପାଇଁ ଅନେକ ବର୍ଷ ଧରି ଦାବି ହୋଇଆସୁଥିଲା ଏବଂ ଆମେ ଏହି କାର୍ଯ୍ୟ କରିପାରିଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି  । ସେଦିନ କଥା ମୋର ମନେ ଅଛି ଯେଉଁଦିନ ନେତାଜୀଙ୍କ ସାରା ପରିବାର ପ୍ରଧାନମନ୍ତ୍ରୀ ନିବାସକୁ ଆସିଥିଲେ  । ଆମେ ସମସ୍ତେ ମିଶି ନେତାଜୀଙ୍କ ସଂପର୍କରେ ଅନେକ ସ୍ମୃତି ଚାରଣ କରିଥିଲୁ ଏବଂ ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲୁ  ।

ମୁଁ ଆନନ୍ଦିତ ଯେ, ଦିଲ୍ଲୀରେ ଭାରତର ମହାନ ନାୟକମାନଙ୍କ ସହ ଜଡ଼ିତ ଅନେକ ସ୍ଥାନର ବିକାଶ ପାଇଁ ପ୍ରୟାସ ହୋଇଛି  । ସେସବୁ ବାବା ସାହେବ ଆମ୍ବେଦକରଙ୍କ ସହ ଜଡ଼ିତ 26, ଆଲିପୁର ରୋଡ୍ ହେଉ କିମ୍ବା ସର୍ଦ୍ଦାର ପଟେଲ ସଂଗ୍ରହାଳୟ ହେଉ କିମ୍ବା କ୍ରାନ୍ତି ମନ୍ଦିର ହେଉ, ଆପଣ ଦିଲ୍ଲୀ ଆସିଲେ ଏହି ସ୍ଥାନଗୁଡ଼ିକୁ ନିଶ୍ଚୟ ଦେଖିବାକୁ ଯାଆନ୍ତୁ  ।

ମୋର ପ୍ରିୟ ଦେଶବାସୀଗଣ ! ଆଜି ଯେତେବେଳେ ଆମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଷୟରେ ଆଲୋଚନା କରୁଛୁଁ, ଏବଂ ତାହା ପୁଣି ମନ୍ କି ବାତ୍’’ରେ ସେତେବେଳେ ମୁଁ ନେତାଜୀଙ୍କ ଜୀବନ ସହ ଜଡ଼ିତ ଗୋଟିଏ ଘଟଣା ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ମୁଁ ସର୍ବଦା ରେଡ଼ିଓକୁ ଜନସାଧାରଣଙ୍କ ସହ ଯୋଡ଼ି ହେବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ଧରି ଆସିଛି  । ସେହିପରି ନେତାଜୀଙ୍କର ମଧ୍ୟ ରେଡ଼ିଓ ସହ ଗଭୀର ସଂପର୍କ ଥିଲା ଏବଂ ସେ ମଧ୍ୟ ଦେଶବାସୀଙ୍କ ନିକଟରେ ନିଜର ବାର୍ତ୍ତା ପହଂଚାଇବା ପାଇଁ ରେଡ଼ିଓକୁ ବାଛିଥିଲେ  ।

1942 ରେ ସୁଭାଷ ବାବୁ ଆଜାଦ୍ ହିନ୍ଦ୍ ରେଡ଼ିଓର ଶୁଭାରମ୍ଭ କରିଥିଲେ ଏବଂ ରେଡ଼ିଓ ମାଧ୍ୟମରେ ସେ ଆଜାଦ୍ ହିନ୍ଦ୍ ଫୌଜ’’ର ସୈନିକମାନଙ୍କୁ ଏବଂ ଦେଶର ଜନସାଧାରଣଙ୍କୁ ଉଦ୍ବୋଧନ ଦେଉଥିଲେ  । ସୁଭାଷ ବାବୁଙ୍କର ରେଡ଼ିଓରେ କଥାବାର୍ତ୍ତା ଆରମ୍ଭ କରିବାର ଢଙ୍ଗ ନିଆରା ଥିଲା  । କଥାବାର୍ତ୍ତା ଆରମ୍ଭରେ ସେ କହୁଥିଲେ – “This is Subhash Chandra Bose speaking to you over the Azad Hind Radio” ଏବଂ ଏତିକି ଶୁଣିବା ମାତ୍ରେ ଶ୍ରୋତାମାନଙ୍କ ମଧ୍ୟରେ ଗୋଟିଏ ନୂତନ ଉତ୍ସାହ ନୂତନ ଶକ୍ତିର ସଂଚାର ହୋଇଉଠୁଥିଲା  ।

ମୋତେ ସୂଚନା ଦିଆଯାଇଛି ଯେ, ଏହି ନେତାଜିଙ୍କ ରେଡ଼ିଓ ଷ୍ଟେସନ ମାଧ୍ୟମରେ ସାପ୍ତାହିକ ସମ୍ବାଦ ବୁଲେଟିନ ମଧ୍ୟ ପ୍ରଚାର କରାଯାଉଥିଲା, ଯାହା ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ଅସ୍ତୋ ଏବଂ ଉର୍ଦ୍ଦୁ ଆଦି ଭାଷାରେ ପ୍ରଚାରିତ ହେଉଥିଲା  । ଏହି ରେଡ଼ିଓ ଷ୍ଟେସନ ପରିଚାଳନାରେ ଗୁଜରାଟର ବାସିନ୍ଦା ଏମ୍.ଆର୍. ବ୍ୟାସ୍ଜୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ  । ଆଜାଦ ହିନ୍ଦ ରେଡ଼ିଓରେ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଥିଲା ଏବଂ ତାଙ୍କ କାର୍ଯ୍ୟକ୍ରମ ଦ୍ୱାରା ଆମର ସ୍ୱାଧୀନତା ସଂଗ୍ରାମର ଯୋଦ୍ଧାମାନଙ୍କୁ ମଧ୍ୟ ବହୁତ ଶକ୍ତି ମିଳିଥିଲା  ।

ଲାଲକିଲ୍ଲାର କ୍ରାନ୍ତି ମନ୍ଦିରରେ ଗୋଟିଏ ଦୃଶ୍ୟକଳା ସଂଗ୍ରହାଳୟ ମଧ୍ୟ ନିର୍ମାଣ କରାଯାଇଛି  । ଏଥିରେ ଭାରତୀୟ କଳା ଓ ସଂସ୍କୃତିକୁ ଖୁବ୍ ଆକର୍ଷକ ଢଙ୍ଗରେ ଦର୍ଶାଇବାର ପ୍ରଚେଷ୍ଟା କରାଯାଇଛି  । ସଂଗ୍ରହାଳୟରେ ଚାରୋଟି ଇତିହାସ ସଂପର୍କୀୟ ପ୍ରଦର୍ଶନୀ ରହିଛି ଏବଂ ସେଠାରେ ପ୍ରାୟ ତିନିଶହ ବର୍ଷ ପୁରୁଣା 450 ରୁ ଅଧିକ ଚିତ୍ରକଳା ଏବଂ କଳାକୃତି ରହିଛି  । ସଂଗ୍ରହାଳୟରେ ଅମ୍ରିତା ଶେରଗିଲ୍, ରାଜା ରବି ବର୍ମା, ଅବନିନ୍ଦ୍ରନାଥ ଟାଗୋର, ଗଗନେନ୍ଦ୍ର ନାଥ ଟାଗୋର, ନନ୍ଦଲାଲ୍ ବୋଷ, ଯାମିନୀ ରାୟ, ସୈଲୋଜ୍ ମୁଖାର୍ଜୀ ଭଳି ମହାନ୍ କଳାକାରମାନଙ୍କ ଉତ୍କୃଷ୍ଟ କୃତିଗୁଡ଼ିକୁ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି  । ଆଉ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ସେଠାକୁ ଗଲେ ନିଶ୍ଚିତ ଭାବେ ରବୀନ୍ଦ୍ରନାଥ ଠାକୁରଙ୍କ କୃତିଗୁଡ଼ିକ ଦେଖିବେ  ।

ଏବେ ଆପଣମାନେ ଭାବୁଥିବେ ଯେ, କଳାକୃତି ବିଷୟରେ କଥା ଚାଲିଥିବା ବେଳେ ମୁଁ ଆପଣମାନଙ୍କୁ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ଉତ୍କୃଷ୍ଟ କଳାକୃତିଗୁଡ଼ିକୁ ଦେଖିବା ପାଇଁ କହୁଛି  । ଆପଣମାନେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କୁ କେବଳ ଜଣେ ଲେଖକ ଏବଂ ସଙ୍ଗୀତକାର ରୂପରେ ଜାଣିଥିବେ  । କିନ୍ତୁ ମୁଁ କହିବାକୁ ଚାହେଁ ଯେ, ଗୁରୁଦେବ ଜଣେ ଚିତ୍ରକର ମଧ୍ୟ ଥିଲେ  । ସେ ଅନେକ ବିଷୟକୁ ନେଇ ଚିତ୍ର ଆଙ୍କିଛନ୍ତି  । ସେ ପଶୁପକ୍ଷୀମାନଙ୍କ ଚିତ୍ର ମଧ୍ୟ ଆଙ୍କିଛନ୍ତି  ।

ସେ ଅନେକ ସୁନ୍ଦର ଦୃଶ୍ୟଗୁଡିକର ଚିତ୍ର ମଧ୍ୟ ଆଙ୍କିଛନ୍ତି  । କେବଳ ସେତିକି ନୁହେଁ, ସେ ମଣିଷର ବ୍ୟକ୍ତିତ୍ୱକୁ ମଧ୍ୟ ତୈଳଚିତ୍ର ମାଧ୍ୟମରେ କାନଭାସ୍ ରେ ପ୍ରତିଫଳିତ କରି ଧରିବାର କାର୍ଯ୍ୟ ମଧ୍ୟ କରିଛନ୍ତି  । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଗୁରୁଦେବ ଠାକୁର ନିଜର ଅଧିକାଂଶ କୃତିର କୌଣସି ନାମକରଣ କରି ନାହାନ୍ତି  । ତାଙ୍କର ଉଦ୍ଦେଶ୍ୟ ଥିଲା ଦର୍ଶକ ନିଜେ କଳାକୃତିକୁ ଦେଖି ତାର ଅନ୍ତର୍ନିହିତ ମର୍ମକୁ ବୁଝନ୍ତୁ ଏବଂ ଚିତ୍ରକଳା ମାଧ୍ୟମରେ ସେ ଦେବାକୁ ଚାହୁଁଥିବା ବାର୍ତ୍ତାକୁ ନିଜ ଦୃଷ୍ଟିକୋଣରୁ ଗ୍ରହଣ କରନ୍ତୁ  । ତାଙ୍କ କଳାକୃତିଗୁଡ଼ିକ ୟୁରୋପୀୟ ଦେଶ, ରୁଷ୍ ଏବଂ ଆମେରିକାରେ ମଧ୍ୟ ପ୍ରଦର୍ଶିତ ହୋଇଛି । ଆପଣ କ୍ରାନ୍ତି ମନ୍ଦିରରେ ତାଙ୍କ କଳାକୃତିଗୁଡ଼ିକ ନିଶ୍ଚୟ ଦେଖିବାକୁ ଯିବେ ବୋଲି ମୋର ଆଶା  ।

ମୋର ପ୍ରିୟ ଦେଶବାସୀଗଣ ! ଭାରତ ସନ୍ଥ ମହାତ୍ମାଙ୍କ ଭୂମି  । ଆମର ସନ୍ଥ ମହାତ୍ମାମାନେ ନିଜର ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ମାଧ୍ୟମରେ ସଦ୍ଭାବନା, ସମାନତା ଏବଂ ସାମାଜିକ ସଶକ୍ତିକରଣର ବାର୍ତ୍ତା ଦେଇଛନ୍ତି  । ଏହିଭଳି ଜଣେ ମହାତ୍ମା ଥିଲେ ସନ୍ଥ ରବିଦାସ  । ଫେବୃୟାରୀ 19 ତାରିଖ ହେଉଛି ରବିଦାସ ଜୟନ୍ତୀ । ସନ୍ଥ ରବିଦାସଙ୍କ ଦୋହାଗୁଡ଼ିକ ଖୁବ୍ ପ୍ରସିଦ୍ଧ  । ସନ୍ଥ ରବିଦାସଜୀ ଅଳ୍ପ କିଛି ପଂକ୍ତି ମାଧ୍ୟମରେ ଅନେକ କିଛି କହି ଦେଉଥିଲେ  । ସେ କହିଥିଲେ :-

ଜାତି ଜାତି ମେଁ ଜାତି ହୈ,

ଯୋ କେତନ୍ କେ ପାତ୍

ରୈଦାସ ମନୁଷ ନା ଯୁଡ୍ ସକେ

ଜବ୍ ତକ୍ ଜାତି ନ ଜାତ୍  ।’’

ଯେମିତି କଦଳୀ ଗଛର ପଟୁଙ୍ଗା ଛଡ଼ାଇଲେ ପଟୁଙ୍ଗା ପରେ ପଟୁଙ୍ଗା ବାହାରି ଚାଲେ ଏବଂ ଶେଷରେ କିଛି ମିଳିନଥାଏ, କିନ୍ତୁ ସଂପୂର୍ଣ୍ଣ ବୃକ୍ଷଟି ନିଃଶେଷ ହୋଇଯାଏ  । ଠିକ୍ ସେହିପରି ମନୁଷ୍ୟକୁ ମଧ୍ୟ ଜାତି ଦ୍ୱାରା ବିଭାଜିତ କରି ଦିଆଯାଇଛି ଏବଂ ମାନବତା ନିଶ୍ଚିହ୍ନ ହୋଇଯାଇଛି  । ସେ କହୁଥିଲେ – ଯଦି ପ୍ରତ୍ୟେକ ମଣିଷ ଭିତରେ ପ୍ରକୃତରେ ଭଗବାନ ରହିଛନ୍ତି, ତେବେ ସେମାନଙ୍କୁ ଜାତି, ମତବାଦ ଏବଂ ଅନ୍ୟ ସାମାଜିକ ଆଧାରରେ ବିଭାଜିତ କରିବା ଅନୁଚିତ ।

ଗୁରୁ ରବିଦାସ ବାରାଣସୀର ପବିତ୍ର ଭୂମିରେ ଜନ୍ମଗ୍ରହଣ କରିଥିଲେ  । ସନ୍ଥ ରବିଦାସ ନିଜର ବାର୍ତ୍ତା ମାଧ୍ୟମରେ ନିଜର ସଂପୂର୍ଣ୍ଣ ଜୀବନକାଳରେ ଶ୍ରମ ଏବଂ ଶ୍ରମିକର ଗୁରୁତ୍ୱକୁ ପ୍ରତିପାଦିତ କରିବାର ପ୍ରଚେଷ୍ଟା କରିଛନ୍ତି  । ଏ କଥା କହିଲେ ଅତ୍ୟୁକ୍ତି ହେବନି ଯେ ସେ ବିଶ୍ୱବାସୀଙ୍କୁ ଶ୍ରମର ମର୍ଯ୍ୟାଦାର ପ୍ରକୃତ ଅର୍ଥ ବୁଝାଇଛନ୍ତି  । ସେ କହୁଥିଲେ

ମନ୍ ଚଙ୍ଗା ତୋ କଠୌତି ମେଁ ଗଙ୍ଗା’’

ଅର୍ଥାତ୍ ଆପଣଙ୍କ ମନ ଏବଂ ହୃଦୟ ଯଦି ପବିତ୍ର, ତାହେଲେ ସ୍ୱୟଂ ଈଶ୍ୱର ମଧ୍ୟ ଆପଣଙ୍କ ହୃଦୟରେ ବାସ କରୁଛନ୍ତି  । ସନ୍ଥ ରବିଦାସଙ୍କ ବାର୍ତ୍ତା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି  । ଚିତୋରର ମହାରାଜା ଓ ରାଣୀ ହୋଇଥାନ୍ତୁ କିମ୍ବା ମୀରାବାଈ ହୁଅନ୍ତୁ, ସମସ୍ତେ ତାଙ୍କର ଅନୁଗାମୀ ଥିଲେ  । ମୁଁ ପୁଣିଥରେ ସନ୍ଥ ରବିଦାସଙ୍କୁ ପ୍ରଣାମ କରୁଛି  ।

ମୋର ପ୍ରିୟ ଦେଶବାସୀଗଣ ! କିରଣ ସିଦରଜୀ My Gov ରେ ଲେଖିଛନ୍ତି ଯେ ମୁଁ ଭାରତର ମହାକାଶ କାର୍ଯ୍ୟକ୍ରମ ଏବଂ ସେ ସଂପର୍କୀୟ ଅନ୍ୟ ବିଷୟଗୁଡ଼ିକ ଉପରେ ଆଲୋକପାତ କରିବା ଉଚିତ  । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପିଲାମାନଙ୍କୁ ମହାକାଶ କାର୍ଯ୍ୟକ୍ରମରେ ଆଗ୍ରହ ପ୍ରକାଶ କରିବା ତଥା ଆକାଶ ଠାରୁ ଆହୁରି ଆଗକୁ ଭାବିବା ଦିଗରେ ପ୍ରେରିତ କରିବା ଉଚିତ  । କିରଣଜୀ, ଆପଣଙ୍କର ଏହି ମତାମତ ବିଶେଷ କରି ପିଲାମାନଙ୍କ ପାଇଁ ଆପଣଙ୍କର ଏହି ବାର୍ତ୍ତା ପ୍ରଶଂସନୀୟ  ।

କିଛିଦିନ ଆଗରୁ ମୁଁ ଅହମଦାବାଦ ଯାଇଥିଲି ଯେଉଁଠି ମତେ ଡଃ ବିକ୍ରମ ସରାଭାଇଙ୍କର ପ୍ରତିକୃତି ଉନ୍ମୋଚନ କରିବାର ଗବେଷଣା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ଥିଲା  । ଆମ ମହାକାଶ କାର୍ଯ୍ୟକ୍ରମରେ ଅନେକ ଯୁବ ବୈଜ୍ଞାନିକଙ୍କର ଭୂମିକା ରହିଛି  । ଆମ ପାଇଁ ଗର୍ବର କଥା ଯେ ଆମର ଛାତ୍ରମାନଙ୍କ ଦ୍ୱାରା ବିକଶିତ ଉପଗ୍ରହ ତଥା Sounding Rockets ମହାକାଶରେ ପହଁଚିଲାଣି  । ଏହି ଜାନୁୟାରୀ ଚବିଶ ତାରିଖ ଦିନ ଆମ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମିତ କଲାମ ସେଟ’’ ପ୍ରକ୍ଷେପଣ କରାଗଲା  । ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ଛାତ୍ରମାନେ ତିଆରି କରିଥିବା Sounding Rockets ମଧ୍ୟ ଅନେକ ନୂତନ ଅଧ୍ୟାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି  । ଦେଶ ସ୍ୱାଧୀନ ହେବା ଦିନଠାରୁ 2014 ପର୍ଯ୍ୟନ୍ତ ଯେତିକି ମହାକାଶ ଅଭିଯାନ ହୋଇଥିଲା, ଗତ 4 ବର୍ଷ ମଧ୍ୟରେ ପ୍ରାୟ ସେତିକି ସଂଖ୍ୟକ ମହାକାଶ ଅଭିଯାନ ଆରମ୍ଭ କରାଯାଇଛି  । ଗୋଟିଏ ମହାକାଶ ଯାନ ସାହାଯ୍ୟରେ 114ଟି ଉପଗ୍ରହ ପ୍ରେରଣ କରିବାର ବିଶ୍ୱ ରେକର୍ଡ଼ ଆମେ ହିଁ ସ୍ଥାପନ କରିଛୁ  । ଚନ୍ଦ୍ରଯାନ-2  ମାଧ୍ୟମରେ ଖୁବ୍ ଶୀଘ୍ର ଆମେ ଚନ୍ଦ୍ରରେ ଭାରତର ଉପସ୍ଥିତି ଜାହିର କରିବାକୁ ସକ୍ଷମ ହେବୁ

ଆମ ଦେଶ ଧନଜୀବନର ସୁରକ୍ଷା ଦିଗରେ ମଧ୍ୟ ମହାକାଶ ବିଜ୍ଞାନର ଉପଯୋଗ ଭଲଭାବେ କରୁଛି  । ବାତ୍ୟା ହେଉ ବା ରେଳ ଓ ସଡ଼କ ସୁରକ୍ଷା ହେଉ ଏ ସମସ୍ତ କ୍ଷେତ୍ରରେ ମହାକାଶ ଟେକ୍ନୋଲଜି ଯଥେଷ୍ଟ ସହାୟକ ହୋଇପାରୁଛି  । ଆମ ମତ୍ସ୍ୟଜୀବୀ ଭାଇମାନଙ୍କୁ ମଧ୍ୟ ନାଭିକ (NAVIC) ଉପକରଣ ବଂଟନ କରାଯାଇଛି ଯାହା ସେମାନଙ୍କ ସୁରକ୍ଷା ସଙ୍ଗେ ସଙ୍ଗେ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ସହାୟକ ହୋଇପାରୁଛି  । ସରକାରୀ ସେବାଗୁଡ଼ିକର ବିତରଣ ଏବଂ ଦାୟିତ୍ୱବୋଧକୁ ଆହୁରି ଉତ୍କୃଷ୍ଟ କରିବା ପାଇଁ ଆମେ ମହାକାଶ ଟେକ୍ନୋଲଜିର ବ୍ୟବହାର କରୁଛୁ  । ସମସ୍ତଙ୍କ ପାଇଁ ଘର’’ – ଏହି ଯୋଜନାରେ 23ଟି ରାଜ୍ୟର 40 ଲକ୍ଷ ଘରକୁ ଜିଓ ଟ୍ୟାଗ୍ କରାଯାଇଛି  । ତା ସଙ୍ଗେ ସଙ୍ଗେ ମନରେଗା ମାଧ୍ୟମରେ ପ୍ରାୟ ସାଢ଼େ ତିନିକୋଟି ସମ୍ପତ୍ତିକୁ ମଧ୍ୟ ଜିଓ ଟ୍ୟାଗ୍ କରାଯାଇଛି  । ଆମର ଉପଗ୍ରହ ଗୁଡ଼ିକ ଆଜି ଦେଶର କ୍ରମବର୍ଦ୍ଧିଷ୍ଣୁ ଶକ୍ତିର ପରିଚାୟକ  । ଦୁନିଆର ଅନେକ ଦେଶ ସହିତ ଭଲ ସଂପର୍କ ସ୍ଥାପନରେ ଏହାର ବହୁତ ବଡ଼ ଅବଦାନ ରହିଛି  । ଦକ୍ଷିଣ ଏସିଆ ଉପଗ୍ରହ ତ ଆମର ଗୋଟିଏ ଅଭିନବ ପ୍ରୟାସ ଯାହାକି ଆମ ପଡ଼ୋଶୀ ମିତ୍ର ରାଷ୍ଟ୍ରମାନଙ୍କୁ ମଧ୍ୟ ବିକାଶର ଉପହାର ଦେଇପାରିଛି  । ନିଜର ଉତ୍ତମ ପ୍ରତିଯୋଗିତାମୂଳକ ଉତକ୍ଷେପଣ ଯାନ ମାଧ୍ୟମରେ ଆଜି ଭାରତ ଖାଲି ବିକାଶଶୀଳ ଦେଶ ନୁହେଁ ବରଂ ବିକଶିତ ଦେଶମାନଙ୍କର ଉପଗ୍ରହଗୁଡ଼ିକୁ ମଧ୍ୟ ପ୍ରେରଣ କରୁଛି  । ଆକାଶ ଆଉ ତାରକାଗଣ ସବୁବେଳେ ପିଲାମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇଥାନ୍ତି  । ଆମର ମହାକାଶ କାର୍ଯ୍ୟକ୍ରମ ଆଜି ପିଲାମାନଙ୍କୁ କିଛି ବଡ଼କଥା ଭାବିବା ଏବଂ ସେ ଦିଗରେ ଅଗ୍ରସର ହେବାର ସୁଯୋଗ ପ୍ରଦାନ କରୁଛି ଯାହା ଆଜିଯାଏ ଅସମ୍ଭବ ମନେ ହେଉଥିଲା  । ଏହା ଆମର ପିଲାଙ୍କୁ ତାରାମାନଙ୍କୁ ନିରୀକ୍ଷଣ କରିବା ସଙ୍ଗେ ସଙ୍ଗେ ନୂତନ ତାରକାମାନଙ୍କୁ ଖୋଜିବା ଦିଗରେ ଦୂରଦୃଷ୍ଟି ପ୍ରଦାନ କରିଥାଏ ।

ମୋର ପ୍ରିୟ ଦେଶବାସୀଗଣ ! ମୁଁ ସବୁବେଳେ କହିଆସିଛି, ଯିଏ ଖେଳେ, ସେ ବିକଶିତ ହୁଏ  । ଏଥରର ଖେଲୋ ଇଣ୍ଡିଆ’’ରେ ଅନେକ ଯୁବ ଖେଳାଳି ସାମ୍ନାକୁ ଆସିଛନ୍ତି  । ଜାନୁୟାରୀ ମାସରେ ପୁଣେରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପ୍ରାୟ 18ଟି ଖେଳରେ 6000 ଖେଳାଳି ଭାଗନେଲେ  । ଯେତେବେଳେ ଆମ ଖେଳକୁଦର ଆଂଚଳିକ ବ୍ୟବସ୍ଥା ମଜବୁତ୍ ହେବ ଅର୍ଥାତ୍ ଯେତେବେଳେ ଆମର ମୂଳଦୁଆ ମଜବୁତ୍ ହେବ ସେତେବେଳେ ଯାଇ ଆମର ଯୁବବର୍ଗ ବିଶ୍ୱରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିପାରିବେ  । ଯେତେବେଳେ ଆଂଚଳିକ ସ୍ତରରେ ଖେଳାଳୀ ସର୍ବୋତମ ପ୍ରଦର୍ଶନ କରିପାରିବ ସେତେବେଳେ ହିଁ ସେ ବିଶ୍ୱ ସ୍ତରରେ ସର୍ବୋତ୍ତମ ପ୍ରଦର୍ଶନ କରିବ  । ଏଥର ଖେଲୋ ଇଣ୍ଡିଆ’’ରେ ପ୍ରତ୍ୟେକ ରାଜ୍ୟର ଖେଳାଳିମାନେ ନିଜ ନିଜ ସ୍ତରରେ ଭଲ ପ୍ରଦର୍ଶନ କରିଛନ୍ତି  । ପଦକ ଜିତିଥିବା ଅନେକ ଖେଳାଳିମାନଙ୍କର ଜୀବନ ଖୁବ୍ ପ୍ରେରଣା ଦାୟକ ।

ମୁଷ୍ଟିଯୁଦ୍ଧରେ ଆକାଶ ଗୋର୍ଖା ରୌପ୍ୟପଦକ ହାସଲ କଲେ  । ମୁଁ ପଢୁଥିଲି – ଆକାଶଙ୍କ ପିତା ରମେଶଜୀ ପୁଣେର ଗୋଟିଏ ଉଦ୍ୟୋଗରେ ପହରାଦାର(Watchman) ଭାବରେ କାମ କରନ୍ତି  । ସେ ନିଜର ପରିବାର ସହିତ ଗୋଟିଏ ପାର୍କିଂ ଜାଗାରେ ରହନ୍ତି  । ସେହିଭଳି ମହାରାଷ୍ଟ୍ରର 21 ବର୍ଷରୁ କମ୍ ମହିଳା କବାଡ଼ି ଟିମ୍ କ୍ୟାପ୍ଟେନ ସୋନାଲି ହେଲ୍ବୀ ସତାରା ନିବାସୀ  । ସେ ବହୁତ କମ୍ ବୟସରେ ନିଜର ପିତାଙ୍କୁ ହରାଇଥିଲେ  । ତାଙ୍କର ମା ଓ ଭାଇ ତାଙ୍କୁ ଉତ୍ସାହିତ କରିଥିଲେ  । ପ୍ରାୟ ଦେଖାଯାଏ କବାଡ଼ି ଭଳି ଖେଳମାନଙ୍କରେ ଝିଅମାନଙ୍କୁ ସେତେଟା ଉତ୍ସାହିତ କରାଯାଇନଥାଏ  । ତା ସତ୍ତ୍ୱେ ସୋନାଲି କବାଡ଼ି ଖେଳକୁ ଆପଣେଇଲେ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ କରି ଦେଖାଇଲେ  । ଆସାନସୋଲର 10 ବର୍ଷୀୟ ଅଭିନବ ସାଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ସବୁଠାରୁ କମ୍ ବୟସର ପଦକ ବିଜେତା  । କର୍ଣ୍ଣାଟକର ଜଣେ କୃଷକଙ୍କ ଝିଅ ଅକ୍ଷତା ବାସୱାନୀ କମ୍ତି ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ  । ସେ ତାଙ୍କର ବିଜୟର ଶ୍ରେୟ ତାଙ୍କ ପିତାଙ୍କୁ ଦେଲେ  । ତାଙ୍କର ପିତା ବେଲଗାଓଁର ଜଣେ କୃଷକ  । ଆମେ ଯେତେବେଳେ ଇଣ୍ଡିଆର ନିର୍ମାଣ କଥା କହୁଛେ – ଯୁବଶକ୍ତିର ସଂକଳ୍ପ ହିଁ  ନିଉ ଇଣ୍ଡିଆ  । ଖେଲୋ ଇଣ୍ଡିଆର ଏ କାହାଣୀ ପ୍ରମାଣ କରୁଛି ଯେ, ନିଉ ଇଣ୍ଡିଆର ନିର୍ମାଣରେ ଖାଲି ଯେ ସହରରେ ରହୁଥିବା ଲୋକମାନଙ୍କର ଯୋଗଦାନ ରହିଛି, ସେ କଥା ନୁହେଁ, ବରଂ ଛୋଟ ସହର, ଗାଁ, ପଡ଼ା ଆଦିରୁ ଆସୁଥିବା ପିଲା, ଯୁବକ ଏବଂ ଯୁବ କ୍ରୀଡ଼ା ପ୍ରତିଭାମାନଙ୍କର ବହୁତ ବଡ଼ ଯୋଗଦାନ ଅଛି  ।

ମୋର ପ୍ରିୟ ଦେଶବାସୀଗଣ ! ଆପଣ ଅନେକ ପ୍ରତିଷ୍ଠିତ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବିଷୟରେ ଶୁଣିଥିବେ  । କିନ୍ତୁ ଆପଣ କେବେ ସୁନ୍ଦର ଶୌଚାଳୟ ପ୍ରତିଯୋଗିତା ବିଷୟରେ ଶୁଣିଛନ୍ତି କି ? ଗତ ପ୍ରାୟ ଏକ ମାସ ଧରି ଚାଲି ଆସିଥିବା ଏହି ପ୍ରତିଯୋଗୀତାରେ ଅତି କମରେ 50 ଲକ୍ଷରୁ ଅଧିକ ଶୌଚାଳୟ ଭାଗ ନେଇ ସାରିଲେଣି  । ଏହି ଅଭିନବ ପ୍ରତିଯୋଗିତାର ନାଁ ହେଲା ସ୍ୱଚ୍ଛ ସୁନ୍ଦର ଶୌଚାଳୟ’’  ଲୋକମାନେ ନିଜ ନିଜର ଶୌଚାଳୟକୁ ସ୍ୱଚ୍ଛ ରଖିବା ସଙ୍ଗେ ସଙ୍ଗେ ସେଥିରେ ରଙ୍ଗ ବେରଙ୍ଗର କିଛି ଚିତ୍ର ଆଙ୍କି ତାକୁ ସୁନ୍ଦର କରିବାକୁ ଚେଷ୍ଟା କରୁଛନ୍ତି  । ଆପଣମାନେ କାଶ୍ମୀର ଠାରୁ କନ୍ୟାକୁମାରୀ ତଥା କଚ୍ଛ ଠାରୁ କାମରୂପ ପର୍ଯ୍ୟନ୍ତ ସ୍ୱଚ୍ଛ ସୁନ୍ଦର ଶୌଚାଳୟର ଅନେକ ଗୁଡ଼ିଏ ଫଟୋ ସୋସିଆଲ୍ ମିଡ଼ିଆରେ ଦେଖିବାକୁ ମିଳିବ  ।

ମୁଁ ସମସ୍ତ ସରପଞ୍ଚ ଓ ଗାଁମୁଖିଆମାନଙ୍କୁ ଅନୁରୋଧ କରୁଛି, ସେମାନେ ନିଜ ନିଜର ପଂଚାୟତରେ ଏହି ଅଭିଯାନର ନେତୃତ୍ୱ ନିଅନ୍ତୁ  । ନିଜର ସ୍ୱଚ୍ଛ ସୁନ୍ଦର ଶୌଚାଳୟର ଫଟୋକୁ # My Izzat Ghar ଜରିଆରେ ସୋସିଆଲ୍ ମିଡ଼ିଆରେ ନିଶ୍ଚିତ ଭାବେ ଶେୟାର କରନ୍ତୁ  ।

ସାଥୀଗଣ ! 2  ଅକ୍ଟୋବର 2 014ରେ ଦେଶକୁ ସ୍ୱଚ୍ଛ ରଖିବା ଏବଂ ଖୋଲାଶୌଚ ମୁକ୍ତ କରିବା ପାଇଁ ଆମେମାନେ ମିଳିମିଶି ଏକ ଚିର ସ୍ମରଣୀୟ ଯାତ୍ରା ଆରମ୍ଭ କରିଥିଲେ  । ଭାରତର ଜନସାଧାରଣଙ୍କ ସହଯୋଗରେ 2 ଅକ୍ଟୋବର 2 019 ର ଯଥେଷ୍ଟ ପୂର୍ବରୁ ଆଜି ଆମେ ଖୋଲାଶୌଚ ମୁକ୍ତ ହେବା ଆଡ଼କୁ ଅଗ୍ରସର ହୋଇଛୁ – ଯାହା ଫଳରେ ବାପୁଜୀଙ୍କୁ ତାଙ୍କର 150ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇ ପାରିବ  ।

ସ୍ୱଚ୍ଛ ଭାରତର ଏହି ଚିରସ୍ମରଣୀୟ ଯାତ୍ରାରେ ମନ୍ କୀ ବାତ୍’’ ଶ୍ରୋତାମାନଙ୍କର ମଧ୍ୟ ବହୁତ ବଡ଼ ଅବଦାନ ରହିଛି  । ସେଥିପାଇଁ ତ ଏହି କଥାଟିକୁ ଆପଣମାନଙ୍କୁ କହିଲାବେଳେ ମୋତେ ଅପାର ଆନନ୍ଦ ଅନୁଭୂତ ହେଉଛି ଯେ 5ଲକ୍ଷ ପଚାଶ ହଜାରରୁ ଅଧିକ ଗାଁ ତଥା ଛଅ ଶହ ଜିଲ୍ଲା ଖୋଲାଶୌଚ ମୁକ୍ତ ଘୋଷିତ ହୋଇସାରିଛନ୍ତି  । ଗ୍ରାମୀଣ ଭାରତରେ ସ୍ୱଚ୍ଛତାର ବ୍ୟାପ୍ତି ଅଠାନବେ ଶତାଂଶକୁ ପାର କରିଗଲାଣି ଏବଂ ପ୍ରାୟ 9 କୋଟି ପରିବାରକୁ ଶୌଚାଳୟର ସୁବିଧା ଉପଲବ୍ଧ କରାଯାଇଛି  ।

ମୋର କୁନି କୁନି ସାଥୀମାନେ ! ପରୀକ୍ଷା ସମୟ ଆସୁଛି  । ହିମାଚଳ ପ୍ରଦେଶର ଅଂଶୁଳ ଶର୍ମା MyGovରେ ଲେଖିଛନ୍ତି ଯେ ପରୀକ୍ଷା ଓ Exam Warrior ସଂପର୍କରେ ମୁଁ କଥା ହେବା ଉଚିତ  । ଅଂଶୁଳଜୀ ଏଇ କଥାଟିକୁ ଉଦ୍ରେକ କରିଥିବାରୁ ଆପଣଙ୍କୁ ଧନ୍ୟବାଦହଁ, ଅନେକ ପରିବାର ପାଇଁ ବର୍ଷର ପ୍ରଥମ ଭାଗ ପରୀକ୍ଷାର ଋତୁ ହୋଇଥାଏ  । ଛାତ୍ରଛାତ୍ରୀ, ତାଙ୍କର ମାତାପିତାଙ୍କ ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପରୀକ୍ଷା ସମ୍ପର୍କୀୟ କାର୍ଯ୍ୟରେ ବ୍ୟସ୍ତ ରହନ୍ତି  ।

ମୁଁ ସମସ୍ତ ଛାତ୍ରଛାତ୍ରୀ, ତାଙ୍କର ମାତାପିତା ତଥା ଶିକ୍ଷକମାନଙ୍କୁ ଶୁଭକାମନା ଜଣାଉଛି  । ଏ ବିଷୟରେ ଆଜିର ମନ୍ କି ବାତ୍ରେ ମୁଁ ନିଶ୍ଚୟ ଆଲୋଚନା କରିଥାନ୍ତି  । କିନ୍ତୁ ଆପଣ ଜାଣି ଖୁସି ହେବେ ଯେ, ଦୁଇ ଦିନ ପରେ ଜାନୁୟାରୀ 29 ତାରିଖ ଦିନ 11ଟା ସମୟରେ ମୁଁ ସାରା ଦେଶର ଛାତ୍ରଛାତ୍ରୀମାନଙ୍କ ସହିତ ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ଆଲୋଚନା କରିବି  । ଏଥର ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କ ପିତାମାତା ତଥା ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେଏଥର ଅନ୍ୟ କେତେକ ଦେଶର ଛାତ୍ରଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେଏହି ପରୀକ୍ଷା ପେ ଚର୍ଚ୍ଚା’’ କାର୍ଯ୍ୟକ୍ରମରେ ପରୀକ୍ଷା ସମ୍ପର୍କିତ ସମସ୍ତ ଦିଗ ବିଶେଷ କରି ଚାପମୁକ୍ତ ପରୀକ୍ଷା ସଂପର୍କରେ ମୋର ଯୁବବନ୍ଧୁମାନଙ୍କ ସହ ସବିସ୍ତାର ଆଲୋଚନା କରିବି  । ଏଥିପାଇଁ ନିଜ ନିଜର ଅଭିମତ ଓ ପ୍ରସ୍ତାବ ପଠାଇବା ପାଇଁ ମୁଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲି ଏବଂ ଖୁସିର କଥା ଯେ MyGov ମାଧ୍ୟମରେ ଅନେକ ଲୋକ ସେମାନଙ୍କ ମତାମତ ଜଣାଇଛନ୍ତି  । ଏଗୁଡ଼ିକ ମଧ୍ୟରୁ କିଛି ମତାମତକୁ ମୁଁ ନିଶ୍ଚିତ ଭାବରେ ଟାଉନହଲ କାର୍ଯ୍ୟକ୍ରମରେ ସ୍ଥାନୀତ କରିବି  । ଆପଣ ନିଶ୍ଚିତ ଭାବେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତୁ  । ସୋସିଆଲ ମିଡିଆ ଏବଂ Namo App ମାଧ୍ୟମରେ ଆପଣ ଏହାର ସିଧା ପ୍ରସାରଣ ମଧ୍ୟ ଦେଖି ପାରିବେ  ।

ମୋର ପ୍ରିୟ ଦେଶବାସୀଗଣ ! ଜାନୁୟାରୀ 30 ତାରିଖ ପୂଜ୍ୟ ବାପୁଙ୍କ ପୁଣ୍ୟ ତିଥି  । ସେଦିନ ପୂର୍ବାହ୍ନ 11ଟା ସମୟରେ ସମଗ୍ର ଦେଶ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଏ  । ଆମେମାନେ ଯେଉଁଠି ଥିଲେ ବି ଦୁଇ ମିନିଟ୍ ପାଇଁ ଶହୀଦମାନଙ୍କୁ ନିଶ୍ଚିତ ଭାବରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ପୂଜ୍ୟ ବାପୁଙ୍କ ପୁଣ୍ୟ ସ୍ମତିଚାରଣ କରିବା ଏବଂ ପୂଜ୍ୟ ବାପୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ, ନୂତନ ଭାରତର ନିର୍ମାଣ ପାଇଁ, ଜଣେ ନାଗରିକ ହିସାବରେ ନିଜର କର୍ତ୍ତବ୍ୟ ନିର୍ବାହ କରିବା ପାଇଁ ସଂକଳ୍ପବଦ୍ଧ ହେବା  ।

ଆସନ୍ତୁ, ଏହି ସଂକଳ୍ପ ସହ ଆମେ ଆଗେଇଯିବା 2019ର ଏହି ଯାତ୍ରାକୁ ସଫଳତା ପୂର୍ବକ ଆଗେଇନେବା  ।  ଆପଣମାନଙ୍କୁ ଅନେକ ଅନେକ ଶୁଭକାମନା, ବହୁତ ବହୁତ ଧନ୍ୟବାଦ ।

 

**********