Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜାତୀୟ ଜନଜାତି ମହୋତ୍ସବ

ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜାତୀୟ ଜନଜାତି ମହୋତ୍ସବ

ପ୍ରଧାନମନ୍ତ୍ରୀ ଉଦଘାଟନ କଲେ ଜାତୀୟ ଜନଜାତି ମହୋତ୍ସବ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ପ୍ରଥମ ରାଷ୍ଟ୍ରୀୟ ଜନଜାତି ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ରାଜ୍ୟରୁ ସମବେତ ହୋଇଥିବା ଜନଜାତି ସଂପ୍ରଦାୟର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ । ପାରମ୍ପରିକ ବେଶ ପୋଷକରେ ଭୂଷିତ ଆଦିବାସୀମାନେ ଏକ ବର୍ଣ୍ଣାଢ୍ୟ ପରେଡରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଏଥିରେ ବିଭିନ୍ନ ରାଜ୍ୟର ଆଦିବାସୀ ଲୋକସଂସ୍କୃତିର ପରିସ୍ଫୁଟନ ଘଟିଥିଲା ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସମ୍ବୋଧନରେ କହିଥିଲେ ଯେ ଦୀପାବଳୀର ପାର୍ବଣ ଋତୁରେ ସାରା ଦେଶର ଆଦିବାସୀ ଗୋଷ୍ଠିମାନେ ଦିଲ୍ଲୀରେ ନିଜର ସମୃଦ୍ଧ ସାଂସ୍କୃତିକ ବିବିଧତା ପ୍ରଦର୍ଶନ ପାଇଁ ସମବେତ ହୋଇଛନ୍ତି । ଏହା ଅତ୍ୟନ୍ତ ସୁଃଖଦ ଓ ମନ ମୁଗ୍ଧକର । ଏହି ସମାରୋହରେ ଆଦିବାସୀ ଯୁବଗୋଷ୍ଠି ସେମାନଙ୍କର ସାମର୍ଥ ପ୍ରଦର୍ଶନ କରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ହେଉଛି ବିବିଧତାର ଏକ ମହାନ ଭୂଖଣ୍ଡ । ଆଜି ଉଦ୍ଘାଟନୀ ସମାରୋହରେ ପ୍ରଦର୍ଶନୀ ହୋଇଥିବା ପରେଡ ଆମ ସାଂସ୍କୃତିକ ବିବିଧତାରେ ଏକ କ୍ଷୁଦ୍ର ଝଲକ ମାତ୍ର । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀମାନଙ୍କର ଜୀବନ ସଂପୂର୍ଣ୍ଣ ରୂପେ ସଂଘର୍ଷମୟ । ପ୍ରକୃତିର କୋଳରେ ବଂଚିଥିଲେ ମଧ୍ୟ ସେମାନଙ୍କୁ ବହୁ ଘାତ ପ୍ରତିଘାତ ଦେଇ ଜୀବନ ବିତାଇବାକୁ ପଡିଥାଏ । ତଥାପି ସେମାନେ ନିଜର ସଂସ୍କୃତି, ମହାନ ରୁଚି, ସୁନ୍ଦର ଜୀବନ ଶୈଳୀ, କଠିନ ପରିଶ୍ରମ ଓ ଅଧ୍ୟବସାୟ ଏବଂ ଆଦର୍ଶକୁ ପରିହାର କରିନଥାନ୍ତି ସଦାସର୍ବଦା ସେମାନେ ଚଳ ଚଂଚଳ ଓ ଆନନ୍ଦ ମୁଖର ଥାଆନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେ ତାଙ୍କ ଯୁବା ବୟସରେ ଆଦିବାସୀ ଭାଇ ଭଉଣୀମାନଙ୍କ ଗହଣରେ ରହି କିଛି ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପାଇଥିଲେ । କେବେହେଲେ ସେମାନଙ୍କ ମୁଖରୁ ଆପତି ଅଭିଯୋଗର ଶବ୍ଦ ଆସୁନଥିଲା । ଆଦିବାସୀମାନଙ୍କର ଏହି ଚଳଣୀ ଓ ଜୀବନଚର୍ଯ୍ୟାରୁ ସହରୀ ଲୋକେ ଅନେକ କିଛି ଜୀବନର ତତ୍ଵ ଶିଖିବାର ଅଛି । ଆଦିବାସୀମାନଙ୍କର ଆଉ ଏକ ବୈଶିଷ୍ଟ୍ୟ ମଧ୍ୟ ଅତି ବିଚିତ୍ର । ସେମାନେ ସ୍ଥାନୀୟ ଭାବେ ମିଳୁଥିବା ବିଭିନ୍ନ ସାମଗ୍ରୀରୁ ନୂଆ ନୂଆ ଆଖି ଝଲସିଆ ସାମଗ୍ରୀ ପ୍ରସ୍ତୁତ କରିବାରେ ସିଦ୍ଧହସ୍ତ । ଆଜିକାଲିର ବଜାରରେ ଏସବୁର ଅନେକ ଚାହିଦା ରହିଛି । ଏଥିଲାଗି ବଜାର ସୃଷ୍ଟି କରାଗଲେ ଆଦିବାସୀମାନଙ୍କର ଆର୍ଥିକ ଅବସ୍ଥାକୁ ସ୍ଵଚ୍ଛଳ ଏବଂ ସଶକ୍ତ କରାଯାଇପାରିବ । ଭାଷଣ ଛଳରେ ପ୍ରଧାନମନ୍ତ୍ରୀ ଆଦିବାସୀମାନଙ୍କର ବିଭିନ୍ନ ନବ ସୃଜନ କୌଶଳ ଓ ସାମର୍ଥ୍ୟର ଉଦାହରଣକୁ ଅବତାରଣା କରିଥିଲେ । ଏପ୍ରକାର ଆବିଷ୍କାରିତା ମନୋବୃତ୍ତି ଆଦିବାସୀ ସଂପ୍ରଦାୟର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯେଉଁଥିରୁ କି ଆମେ ଅନେକ କିଛି ଶିଖିବାର ଅଛି । ଭାରତୀୟ ଆଦିବାସୀମାନଙ୍କର ସାମର୍ଥ୍ୟ ଓ ଦକ୍ଷତାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ରରେ ପ୍ରଥମ କରି ସ୍ଵତନ୍ତ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗଠନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ପରିବର୍ତ୍ତନ ଉପର ପ୍ରଶାସନିକ ସ୍ତରରୁ ଅଣାଯାଇପାରିବ ନାହିଁ । ଜନଜାତି ସଂପ୍ରଦାୟକୁ ବିକାଶ ପ୍ରକ୍ରିୟାର ପୂର୍ଣ୍ଣ ଭାଗିଦାର କରାଗଲେ ହିଁ ପରିବର୍ତ୍ତନ ସମ୍ଭବ ହେବ । ଏହି ସନ୍ଦର୍ଭରେ ସେ ବନବନ୍ଧୁ କଲ୍ୟାଣ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ଦିଗରେ ଆଦିବାସୀ ସଂପ୍ରଦାୟର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ତାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଭାରତର ଅଧିକାଂଶ ଅଂଚଳରେ ଯେଉଁଠି ପ୍ରାକୃତିକ ଓ ବନ ସମ୍ପଦ ଭରପୂର ରହିଛି ସେଠାରେ ହିଁ ଆଦିବାସୀ ସଂପ୍ରଦାୟ ରହିଛନ୍ତି । ସେମାନେ ପ୍ରାକୃତିକ ବିଭବକୁ ସଂରକ୍ଷିତ ରଖିବାରେ ମହନୀୟ ଭୂମିକା ଗ୍ରହଣ କରିଛନ୍ତି । ଏଣୁ ପ୍ରାକୃତିକ ସଂପଦର ଉପଯୋଗ କରାଯିବା ସମୟରେ ଆଦିବାସୀମାନେ ଯେପରି ଶୋଷିତ ଓ ଅବହେଳିତ ନ ହେବେ ସେ ଦିଗରେ ଯତପରୋନାସ୍ତି ଉଦ୍ୟମ କରାଯିବା ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କେନ୍ଦ୍ରୀୟ ବଜେଟରେ ଜିଲା ଖଣିଜ ଫାଉଣ୍ଡେସନ ଗଠନର ବିଧି ବ୍ୟବସ୍ତା କରାଯାଇଛି । ଏହି ଫାଉଣ୍ଡେସନରୁ ଆବଶ୍ୟକ ଅର୍ଥକୁ ଖଣି ଖଦାନ ଅଂଚଳରେ ବସବାସ କରୁଥିବା ଆଦିବାସୀ ସଂପ୍ରଦାୟର ବିକାଶ ଦିଗରେ ଉପେଯାଗ କରାଯିବ । ଖଣିଜ ସମୃଦ୍ଧ ଜିଲାର ବିକାଶ ପାଇଁ ଏହି ନିର୍ଦ୍ଧାରିତ ପାଣ୍ଠିରୁ ବିପୁଳ ଅର୍ଥ ମିଳିପାରିବ । ଖଣି ଅଂଚଳରେ କୋଇଲା ବାଷ୍ପୀକରଣ ଏବଂ ଭୂତଳ ଖନନ ପାଇଁ ଅତ୍ୟାଧୂନିକ ପ୍ରଯୁକ୍ତି କୌଶଳର ବ୍ୟବହାର ଲାଗି ତାଙ୍କ ସରକାର ପ୍ରତିଶୃତିବଦ୍ଧ । ଏହା ପ୍ରଦୂଷଣକୁ ହ୍ରାସ କରିବା ସହ ଆଦିବାସୀମାନଙ୍କ ଜନବସତି ଉପରେ ଅତି କମ୍ ପ୍ରଭାବ ପକାଇବ । ଆଦିବାସୀ ଅଂଚଳରେ ସହରାଂଚଳର ମୌଳିକ ସୁବିଧା ସୁଯୋଗ ପ୍ରଦାନ ଲାଗି ଅଭିବୃଦ୍ଧି କେନ୍ଦ୍ର ପ୍ରତିଷ୍ଠା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଇଥିଲେ ।