Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ବାରଣାସୀରେ ଆସନ୍ତାକାଲି ଉଦଘାଟନ କରିବେ ରିଙ୍ଗରୋଡ, ବାବତପୁର ବିମାନବନ୍ଦର ସଡ଼କ;


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର, 12 ନଭେମ୍ବର, 2018ରେ ବାରଣାସୀରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହି ରାଜପଥର ମୋଟ ଲମ୍ବ 34 କିଲୋମିଟର ହୋଇଥିବା ବେଳେ ଏହାର ନିର୍ମାଣ ପାଇଁ 1571.95 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ସହ ଏହି ଅବସରରେ ଉତ୍ତରପ୍ରଦେଶ ରାଜ୍ୟପାଳ ଶ୍ରୀ ରାମ ନାଏକ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ, ଜାହଜ ଚଳାଚଳ, ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ ଶ୍ରୀ ନୀତିନ ଗଡ଼କରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ଉତ୍ତରପ୍ରଦେଶର ବାରଣାସୀ ହର୍ଦ୍ଦୁଆ ଅଞ୍ଚଳର ତିରାହା ରିଙ୍ଗରୋଡଠାରେ ଅପରାହ୍ଣରେ ଏହି ପ୍ରକଳ୍ପ ଉଦଘାଟନ କରାଯିବ ।

ମୋଟ 759.36 କୋଟି ଟଙ୍କା ଖର୍ଚ୍ଚ କରାଯାଇ 16.55 କିଲୋମିଟର ଦୂରତା ବିଶିଷ୍ଟ ବାରଣାସୀ ରିଙ୍ଗରୋଡର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ କରାଯାଇଛି । ସେହିପରି 17.25 କିଲୋମିଟର ଲମ୍ବ ବାବତପୁର-ବାରଣାସୀ 56 ନମ୍ବର ଜାତୀୟ ରାଜପଥର 4 ଲେନ ନିର୍ମାଣ ପାଇଁ 812.59 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ବାବତପୁର ବିମାନବନ୍ଦର ରାଜପଥ ବାରଣାସୀକୁ ବିମାନବନ୍ଦର ସହିତ ଯୋଡ଼ିବ ଏବଂ ଜୌନପୁର, ସୁଲତାନପୁର ଏବଂ ଲକ୍ଷ୍ନୌ ଦେଇ ଯିବ । ହର୍ଦ୍ଦୁଆଠାରେ ଏକ ଫ୍ଲାଏଓଭର ଏବଂ ତାରନାଠାରେ ଏକ ରେଳ ଓଭରବ୍ରିଜ ଥିବା ଏହି ସଡ଼କ ଯୋଗୁ ବାରଣାସୀରୁ ବିମାନବନ୍ଦର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ । ଏହା ବାରଣାସୀର ସାଧାରଣ ନାଗରିକ ଏବଂ ଏହି ସହରକୁ ଆସୁଥିବା ଯାତ୍ରୀ ତଥା ପର୍ଯ୍ୟଟକମାନଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ

 

 

ଦୁଇଟି ରେଳ ଓଭରବ୍ରିଜ ଏବଂ ଗୋଟିଏ ଫ୍ଲାଏ ଓଭର ଥିବା ଏହି ରିଙ୍ଗରୋଡ 56 ନମ୍ବର ରାଜପଥର ଲକ୍ଷ୍ନୌ-ବାରଣାସୀ, 233 ନମ୍ବର ରାଜପଥର ଗୋରଖପୁର-ବାରଣାସୀ ଏବଂ ଅଯୋଧ୍ୟା-ବାରଣାସୀ ଦେଇ ଚଳାଚଳ କରୁଥିବା ଯାନବାହନଗୁଡ଼ିକୁ ବାରଣାସୀ ସହରକୁ ବାଇପାସ କରିବାରେ ସହାୟକ ହେବ । ଏହା ସହରରେ ଟ୍ରାଫିକ ଭିଡ଼ ହ୍ରାସ କରିବ । ଏଥିସହିତ ଅଂଚଳରେ ଯାତ୍ରା ସମୟ, ଇନ୍ଧନ ଏବଂ ପ୍ରଦୂଷଣ ହ୍ରାସ କରିବାରେ ସହାୟକ ହେବ । ଏହି ରିଙ୍ଗରୋଡ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ସାରନାଥକୁ ସହଜ ଏବଂ ସୁଗମ ଯୋଗାଯୋଗ ସୁବିଧା ପ୍ରଦାନ କରିବ ।

ଏହି ପ୍ରକଳ୍ପଗୁଡ଼ିକ ମଧ୍ୟ ନିଯୁକ୍ତି ସୁଯୋଗ ବୃଦ୍ଧି କରିବ, ସ୍ଥାନୀୟ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ବିକାଶରେ ସହାୟକ ହେବା ସହିତ ଅଂଚଳର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହନ ଦେବ । ବାରଣାସୀକୁ ପୂର୍ବ ଉତ୍ତର ପ୍ରଦେଶର ଅନ୍ୟ ସ୍ଥାନ ସହ ଯୋଡ଼ିବା ଲାଗି ବର୍ତ୍ତମାନ  63,885 କୋଟି ଟଙ୍କା ବ୍ୟୟରେ 2833 କିଲୋମିଟର ଲମ୍ବର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ବାରଣାସୀରେ ଗଙ୍ଗା ନଦୀ ଉପରେ ଅନ୍ତର୍ଦେଶୀୟ ଜଳପଥ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହା ହେଉଛି ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ପକ୍ଷରୁ ନିର୍ମାଣ କରାଯାଉଥିବା ଚାରିଟି ବହୁମୁଖୀ ଟର୍ମିନାଲ ମଧ୍ୟରୁ ପ୍ରଥମ ଯାହା ବିଶ୍ୱ ବ୍ୟାଙ୍କ ସହାୟତାରେ ଜଳ ମାର୍ଗ ବିକାଶ ପ୍ରକଳ୍ପ ଅଧୀନରେ ଜାତୀୟ ଜଳପଥ-1 (ଗଙ୍ଗା ନଦୀ) ଉପରେ ନିର୍ମାଣ କରାଯାଉଛି । ଅନ୍ୟ ତିନୋଟି ଟର୍ମିନାଲ ସାହିବଗଞ୍ଜ, ହଳଦିଆ ଏବଂ ଗାଜିପୁରରେ ନିର୍ମାଣାଧୀନ ରହିଛି । ଏହି ପ୍ରକଳ୍ପ ଦ୍ୱାରା ଗଙ୍ଗା ନଦୀ ଉପରେ 1500-2000 ଡିଡବ୍ଲୁଟି କ୍ଷମତାସମ୍ପନ୍ନ ଜାହାଜର ବାଣିଜ୍ୟିକ ପରିବହନ ସମ୍ଭବ ହୋଇପାରିବ ।

ସ୍ୱାଧୀନତା ପରେ ଦେଶର ପ୍ରଥମ ଅନ୍ତର୍ଦେଶୀୟ ଜଳମାର୍ଗ ଦେଇ ଆସିଥିବା ପଣ୍ୟବାହୀ ଜାହାଜକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବେ । ଏହି ଜାହାଜ ଗତ ଅକ୍ଟୋବର ମାସ ଶେଷ ସପ୍ତାହରେ ପେପ୍ସିକୋ କମ୍ପାନୀର ଖାଦ୍ୟ ଏବଂ ପାନୀୟ ନେଇ କୋଲକାତାରୁ ବାହାରିଥିଲା ।

 

**********