Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ମୋଦୀ, ଚାନ୍ସେଲର ମର୍କେଲ୍ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ବର୍ଲିନ୍ ଠାରେ ଅନୁଷ୍ଠିତ ହେଲା ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାରୀ ଆଲୋଚନା

ପ୍ରଧାନମନ୍ତ୍ରୀ ମୋଦୀ, ଚାନ୍ସେଲର ମର୍କେଲ୍ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ବର୍ଲିନ୍ ଠାରେ ଅନୁଷ୍ଠିତ ହେଲା ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାରୀ ଆଲୋଚନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ ବର୍ଲିନ୍ ଠାରେ ମଙ୍ଗଳବାର ଦିନ ଚତୁର୍ଥ ଭାରତ-ଜର୍ମାନୀ ଆନ୍ତଃସରକାର ବିଚାର-ଆଲୋଚନା କାର୍ଯ୍ୟକ୍ରମରେ ମିଳିତ ଭାବେ ଅଧ୍ୟକ୍ଷତା କରିଥିଲେ  ।

ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁରୋପ ଏବଂ ସମଗ୍ର ବିଶ୍ୱ ପାଇଁ ଜର୍ମାନୀ ଚାନ୍ସେଲର ମର୍କେଲ୍ ଙ୍କ  ଦୂରଦୃଷ୍ଟିର ପ୍ରଶଂସା କରିଥିଲେ  ।

ସେ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ପରିଣାମ ଏବେ ପ୍ରତିଫଳିତ ହେଉଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ, ବିଶେଷ କରି ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଜର୍ମାନୀର ନିବେଶ ବଢ଼ିଛି । ପ୍ରଧାନମନ୍ତ୍ରୀ କହିଥିଲେ, ସ୍କିଲ୍ ଇଣ୍ଡିଆ ଅଭିଯାନ ପାଇଁ ଜର୍ମାନୀର ସହଭାଗୀତା ଗୁରୁତ୍ୱପୂର୍ଣ୍ଣ । ଏ କ୍ଷେତ୍ରରେ ଜର୍ମାନ୍ ପରିମାପ ବିଶ୍ୱସ୍ତରୀୟ ହୋଇଥିବାରୁ ଏହା ଭାରତ ପାଇଁ ମହତ୍ୱପୂର୍ଣ୍ଣ  । କ୍ରୀଡ଼ା କ୍ଷେତ୍ର, ନିର୍ଦ୍ଦିଷ୍ଟ ଭାବେ ଫୁଟବଲ ପାଇଁ ସହଯୋଗର ପରିକଳ୍ପନା କରାଯାଇଛି  ।

ପ୍ରଧାନମନ୍ତ୍ରୀ ଜଳବାୟୁ ସୁରକ୍ଷା ଏବଂ ସ୍ମାର୍ଟ ସିଟି ଭଳି ବିଭିନ୍ନ ଆଲୋଚନା ବିଷୟବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ ଜର୍ମାନ ନବସୃଜନ ଏବଂ ଭାରତୀୟ ଯୁବ ଶକ୍ତି ମିଳିତ ଭାବେ ଷ୍ଟାର୍ଟ ଅପ୍ କ୍ଷେତ୍ରକୁ ଦ୍ରୁତଗତିରେ ଆଗେଇ ନେଇପାରିବେ  ।

ପ୍ରଧାନମନ୍ତ୍ରୀ କହିଥିଲେ, ଏକ ଆନ୍ତଃସଂଯୁକ୍ତ ଏବଂ ପାରସ୍ପରିକ ନିର୍ଭରଶୀଳତା ଥିବା ବିଶ୍ୱରେ ଜାଗତିକ ନିୟମ ଆଧାରିତ ଗଣତନ୍ତ୍ର ସମୟର ଆବଶ୍ୟକତା  ।

ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଜର୍ମାନୀ ଏବଂ ଭାରତ ପରସ୍ପର ପାଇଁ ସୃଷ୍ଟି ହୋଇଛନ୍ତି । ସେ ଏହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଜର୍ମାନୀର କ୍ଷମତା ଏବଂ ଭାରତର ଆବଶ୍ୟକତା ମଧ୍ୟରେ ଏକ ବୃହତ ତାଳମେଳ ରହିଛି । ଇଞ୍ଜିନିୟରିଂ, ଭିତ୍ତିଭୂମି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଦକ୍ଷତାର ସନ୍ଧାନରେ ରହିଛି ବୋଲି ସେ କହିଥିଲେ  । ନବସୃଜନ ଏବଂ ଗଣତନ୍ତ୍ରର ମୂଲ୍ୟବୋଧ ସମ୍ପର୍କରେ ବର୍ଣ୍ଣନା କରି ସେ କହିଥିଲେ, ମାନବ ଜଗତ ପ୍ରତି ବରଦାନ ସ୍ୱରୂପ ଭାରତ ଏବଂ ଜର୍ମାନୀ ପରସ୍ପର ସହ ଏହି ମୂଲ୍ୟବୋଧ ଆଦାନପ୍ରଦାନ କରୁଛନ୍ତି  ।

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକୃତିର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଭାରତ ସବୁସମୟରେ ଗୁରୁତ୍ୱ ଦେଇଆସିଛି  । ସେ ସ୍ମରଣ କରାଇ ଦେଇଥିଲେ ଯେ ଭାରତ 2022 ସୁଦ୍ଧା 175 ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି ପ୍ରତିଶ୍ରୁତିବଦ୍ଧ । ପ୍ରକୃତିର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ପିଢ଼ିର ହିତ ସହ ଖେଳିବା ଏକ ଅନୈତିକ ଏବଂ ଅପରାଧ ହେବ  ।

ଆଇଜିସି ବୈଠକର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ନିୟମ ଆଧାରିତ ବିଶ୍ୱସ୍ତରୀୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ୟୁରୋପୀୟ ସଂଘର ବୃହତ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ  । ଉଭୟ ନେତା ବିଶ୍ୱ ପାଇଁ ବିପଦ ସାଜିଥିବା ଆତଙ୍କବାଦ ପ୍ରସଙ୍ଗରେ ଚିନ୍ତାପ୍ରକଟ କରିଥିଲେ ଏବଂ ମିଳିତ ଆତଙ୍କବାଦ ନିରୋଧୀ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଲାଗି ସହମତ ହୋଇଥିଲେ । ଏକ୍ସପୋର୍ଟ କଂଟ୍ରୋଲ୍ ବ୍ୟବସ୍ଥାରେ ଭାରତର ସଦସ୍ୟତାକୁ ସମର୍ଥନ କରିଥିବାରୁ  ପ୍ରଧାନମନ୍ତ୍ରୀ ଜର୍ମାନୀକୁ ଧନ୍ୟବାଦ ଜଣାଇଥିଲେ । ସ୍ୱଚ୍ଛ କୋଇଲା, ବିଦ୍ୟୁତ ସଂଚାଳନ, ବିଜ୍ଞାନ ଏବଂ କାରିଗରୀ କ୍ଷେତ୍ରରେ ସହଯୋଗ, ସାଇବର ସୁରକ୍ଷା ଏବଂ ବିମାନ ଚଳାଚଳ ସୁରକ୍ଷା ଭଳି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଆଫଗାନିସ୍ତାନ ଏବଂ ଅନ୍ୟ ବିଶ୍ୱ ପ୍ରସଙ୍ଗରେ ପରସ୍ପର ସହ ପରାମର୍ଶ କରାଯାଇଥିଲା ।

ଏହି ଅବସରରେ ଉଭୟ ରାଷ୍ଟ୍ର 12ଟି ଚୁକ୍ତିରେ ସ୍ୱାକ୍ଷର କରିଥିଲେ  । ପାରସ୍ପରିକ ବାର୍ତ୍ତାଳାପର ବିଭିନ୍ନ ଦିଗକୁ ଛୁଇଁଥିବା ଏକ ବିସ୍ତୃତ ମିଳିତ ବିବୃତି ମଧ୍ୟ ଜାରି କରାଯାଇଥିଲା ।

**********