ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ଯେତେବେଳେ ମୁଁ ଆପଣଙ୍କ ସହିତ ମନର କଥା ହେଉଛି, ସେତେବେଳେ ମନରେ ଗଭୀର ପୀଡ଼ା ରହିଛି । ଏପ୍ରିଲ ୨୨ ତାରିଖ ଦିନ ପହଲଗାମ୍ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ପ୍ରତ୍ୟେକ ନାଗରିକକୁ ବ୍ୟଥିତ କରିଛି । ପୀଡ଼ିତ ପରିବାରଙ୍କ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ ଗଭୀର ସମବେଦନା ରହିଛି । ସେ ଯେକୌଣସି ରାଜ୍ୟର ହୋଇଥାଆନ୍ତୁ ନା କାହିଁକି, ଯେକୌଣସି ଭାଷାଭାଷୀ ହୋଇଥାଆନ୍ତୁ ନା କାହିଁକି, ସମସ୍ତେ ସେହିମାନଙ୍କ ଯନ୍ତ୍ରଣାକୁ ଅନୁଭବ କରୁଛନ୍ତି, ଯେଉଁମାନେ ଏହି ଆକ୍ରମଣରେ ନିଜ ପରିବାରର ଲୋକଙ୍କୁ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣର ଚିତ୍ରଗୁଡ଼ିକୁ ଦେଖି ପ୍ରତ୍ୟେକ ଭାରତୀୟର ରକ୍ତ ତାତି ଉଠୁଛି, ସେ କଥା ମୁଁ ଅନୁଭବ କରିପାରୁଛି । ପହଲଗାମରେ ହୋଇଥିବା ଏହି ଆକ୍ରମଣ, ଆତଙ୍କବାଦର ପୃଷ୍ଠପୋଷକଙ୍କ ହତାଶା ଭାବକୁ ଦର୍ଶାଉଛି, ସେମାନଙ୍କ କାପୁରୁଷପଣିଆକୁ ପ୍ରଦର୍ଶିତ କରୁଛି । କାଶ୍ମୀରରେ ଶାନ୍ତି ଫେରିଆସୁଥିବା ସମୟରେ – ସ୍କୁଲ–କଲେଜମାନଙ୍କରେ ଗୋଟିଏ ଉତ୍ସାହ ଥିଲା, ନିର୍ମାଣ କାର୍ଯ୍ୟରେ ଅଭୂତପୂର୍ବ ଗତିଶୀଳତା ଆସିଥିଲା, ଗଣତନ୍ତ୍ର ଦୃଢ଼ୀଭୂତ ହେଉଥିଲା, ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ରେକର୍ଡ଼ ବୃଦ୍ଧି ହୋଇଚାଲିଥିଲା, ଲୋକମାନଙ୍କ ଆୟ ବୃଦ୍ଧି ହେଉଥିଲା, ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଚାଲିଥିଲା – ଏଭଳି ସମୟରେ ଦେଶର ଶତ୍ରୁ, ଜାମ୍ମୁ–କାଶ୍ମୀରର ଶତ୍ରୁମାନଙ୍କ ପକ୍ଷରେ ଏହା ଅସହ୍ୟ ହେଲା । ଆତଙ୍କବାଦୀ ଓ ଆତଙ୍କକୁ ପ୍ରଶ୍ରୟ ଦେଉଥିବା ଶକ୍ତିମାନେ ଚାହାଁନ୍ତି ଯେ, କାଶ୍ମୀର ପୁଣିଥରେ ଧ୍ୱଂସ ହେଇଯାଉ, ତେଣୁ ସେମାନେ ଏତେ ବଡ଼ ଷଡ଼ଯନ୍ତ୍ର ଘଟାଇଲେ । ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧରେ ଦେଶର ଏକତା, ୧୪୦ କୋଟି ଭାରତୀୟଙ୍କ ଏକଜୁଟପଣିଆ ଆମର ସବୁଠାରୁ ବଡ଼ ଶକ୍ତି । ଏହି ଏକତା, ଆତଙ୍କବାଦ ବିରୁଦ୍ଧରେ ଆମର ନିର୍ଣ୍ଣାୟକ ସଂଗ୍ରାମର ଆଧାର । ଦେଶ ଆଗରେ ଦେଖାଦେଇଥିବା ଏହି ଆହ୍ୱାନର ମୁକାବିଲା କରିବା ପାଇଁ ଆମକୁ ଆମ ସଂକଳ୍ପକୁ ସୁଦୃଢ଼ କରିବାକୁ ହେବ । ଗୋଟିଏ ରାଷ୍ଟ୍ର ହିସାବରେ ଆମକୁ ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶିତ କରିବାକୁ ହେବ । ଏହି ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଦେଶର ସ୍ୱର ଏକ ହୋଇଥିବା କଥା ଆଜି ସାରା ବିଶ୍ୱ ଦେଖୁଛି ।
ବନ୍ଧୁଗଣ, ଆମ ଭାରତୀୟମାନଙ୍କ ମଧ୍ୟରେ ଯେଉଁ ଆକ୍ରୋଶ ଭାବ ରହିଛି, ସାରା ବିଶ୍ୱରେ ସେହି ଆକ୍ରୋଶ ରହିଛି । ଏହି ଆତଙ୍କବାଦୀ ଆକ୍ରମଣ ପରେ କ୍ରମାଗତ ଭାବେ ସାରା ବିଶ୍ୱରୁ ସମବେଦନା ବାର୍ତ୍ତାମାନ ଆସିବାରେ ଲାଗିଛି । ବିଶ୍ୱର ଅନେକ ନେତା ମତେ ଫୋନ୍ କରିଛନ୍ତି, ଚିଠି ଲେଖିଛନ୍ତି, ବାର୍ତ୍ତା ପଠେଇଛନ୍ତି । ଏହି ଜଘନ୍ୟ ଢଙ୍ଗରେ କରାଯାଇଥିବା ଆତଙ୍କବାଦୀ ଆକ୍ରମଣକୁ ସମସ୍ତେ ଘୋର ନିନ୍ଦା କରିଛନ୍ତି । ସେମାନେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି । ସମଗ୍ର ବିଶ୍ୱ, ଆତଙ୍କବାଦ ବିରୁଦ୍ଧରେ, ଆମ ସଂଗ୍ରାମରେ, ୧୪୦ କୋଟି ଭାରତୀୟଙ୍କ ସାଥିରେ ରହିଛି । ପୀଡ଼ିତ ପରିବାରମାନଙ୍କୁ ମୁଁ ପୁଣିଥରେ ଭରସା ଦେଉଛି ଯେ, ସେମାନେ ନ୍ୟାୟ ପାଇବେ, ସେମାନଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ଏହି ଆକ୍ରମଣର ଦୋଷୀମାନଙ୍କୁ ଏବଂ ଏହି ଷଡ଼ଯନ୍ତ୍ର ରଚନାକାରୀମାନଙ୍କୁ କଠୋରତମ ଜବାବ ଦିଆଯିବ ।
ବନ୍ଧୁଗଣ, ଦୁଇଦିନ ପୂର୍ବେ ଆମେ ଦେଶର ଜଣେ ମହାନ ବୈଜ୍ଞାନିକ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ହରାଇଛୁ । ଯେବେ ବି କସ୍ତୁରୀରଙ୍ଗନଙ୍କ ସହ ସାକ୍ଷାତ ହେଉଥିଲା, ସେ ଆମ ଭାରତର ଯୁବବର୍ଗଙ୍କ ପ୍ରତିଭା, ଆଧୁନିକ ଶିକ୍ଷା, ମହାକାଶ–ବିଜ୍ଞାନ ଭଳି ବିଷୟଗୁଡ଼ିକ ଉପରେ ଅନେକ ଆଲୋଚନା କରୁଥିଲେ । ବିଜ୍ଞାନ, ଶିକ୍ଷା ଏବଂ ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ଶିଖରକୁ ନେବାରେ ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ନେତୃତ୍ୱରେ ଇସ୍ରୋକୁ ଗୋଟିଏ ନୂତନ ପରିଚୟ ମିଳିଲା । ତାଙ୍କ ମାର୍ଗଦର୍ଶନରେ ମହାକାଶ କାର୍ଯ୍ୟକ୍ରମରେ ଯାହା ଉନ୍ନତି ହେଲା, ତାହାଦ୍ୱାରା ଭାରତର ପ୍ରଚେଷ୍ଟାକୁ ବିଶ୍ୱସ୍ତରରେ ମାନ୍ୟତାପ୍ରାପ୍ତ ହେଲା । ଭାରତ ଆଜି ଯେଉଁ ଉପଗ୍ରହଗୁଡ଼ିକ ବ୍ୟବହାର କରୁଛି, ସେଗୁଡ଼ିକ ମଧ୍ୟରୁ ଅନେକକୁ ଡ. କସ୍ତୁରୀରଙ୍ଗନଙ୍କ ତତ୍ତ୍ୱାବଧାନରେ ହିଁ ଆରମ୍ଭ କରାଯାଇଥିଲା । ତାଙ୍କ ବ୍ୟକ୍ତିତ୍ୱ କିଛି ଏଭଳି ଥିଲା, ଯାହାଠାରୁ ଏବେର ଯୁବପିଢ଼ି କିଛି ଶିଖିପାରିବେ । ସେ ସର୍ବଦା ନବସୃଜନ ((innovation)କୁ ଗୁରୁତ୍ୱ ଦେଉଥିଲେ । କିଛି ନୂଆ ଶିଖିବା, ଜାଣିବା ଏବଂ ନୂଆ କରିବାର ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ପ୍ରେରଣାଦାୟକ । ଡ. କେ. କସ୍ତୁରୀରଙ୍ଗନ ଦେଶର ନୂତନ ଶିକ୍ଷାନୀତି ପ୍ରସ୍ତୁତ କରିବାରେ ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଡ. କସ୍ତୁରୀରଙ୍ଗନ ଏକବିଂଶ ଶତାବ୍ଦୀର ଆଧୁନିକ ଆବଶ୍ୟକତାଗୁଡ଼ିକୁ ଦୃଷ୍ଟିରେ ରଖି forward looking educationର ଚିନ୍ତାଧାରା ନେଇଆସିଥିଲେ । ଦେଶର ନିଃସ୍ୱାର୍ଥ ସେବା ଏବଂ ରାଷ୍ଟ୍ରନିର୍ମାଣରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇରହିବ । ମୁଁ ଡ. କେ. କସ୍ତୁରୀରଙ୍ଗନ ଜୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
ମୋର ପ୍ରିୟ ଦେଶବାସୀଗଣ, ଚଳିତ ଏପ୍ରିଲ ମାସରେ ଆର୍ଯ୍ୟଭଟ୍ଟ ଉପଗ୍ରହ launchingକୁ ୫୦ ବର୍ଷ ପୂରିଛି । ଆଜି ଯେତେବେଳେ ଆମେ ପଛକୁ ଚାହୁଁଛୁ, ୫୦ ବର୍ଷର ଏହି ଯାତ୍ରାକୁ ମନେ ପକାଉଛୁ – ସେତେବେଳେ ଲାଗୁଛି ଯେ, ଆମେ ଏକ ଦୀର୍ଘପଥ ଅତିକ୍ରମ କରିଛୁ । ମହାକାଶରେ ଭାରତର ସ୍ୱପ୍ନର ଏହି ଯାତ୍ରା ଦିନେ ଆମ ସାହସ ଯୋଗୁଁ ହିଁ ଆରମ୍ଭ ହୋଇଥିଲା । ଦେଶ ପାଇଁ କିଛି କରିବାର ଉତ୍ସାହ ରହିଥିବା କିଛି ଯୁବ ବୈଜ୍ଞାନିକ – ଯାହାଙ୍କ ପାଖରେ ନ ଥିଲା ଆଜି ଭଳି ଆଧୁନିକ ସୁବିଧା–ସୁଯୋଗ, ନା ତାଙ୍କର ହାତପାଆନ୍ତାରେ ଥିଲା ବିଶ୍ୱସ୍ତରୀୟ ଜ୍ଞାନକୌଶଳ – ଯଦି କିଛି ଥିଲା, ତାହାଥିଲା ପ୍ରତିଭା, ନିଷ୍ଠା, ପରିଶ୍ରମ ଏବଂ ଦେଶ ପାଇଁ କିଛି କରିବାର ଉତ୍ସାହ । ଶଗଡ଼ ଓ ସାଇକେଲରେ ସମ୍ବେଦନଶୀଳ ଉପକରଣ ନିଜେ ବହନ କରି ନେଇଯାଉଥିବା ଆମ ବୈଜ୍ଞାନିକମାନଙ୍କ ଫଟୋଚିତ୍ର ଆପଣମାନେ ମଧ୍ୟ ଦେଖିଥିବେ । ସେହି ନିଷ୍ଠା ଏବଂ ଦେଶସେବା ଭାବନାର ଫଳ ହେଉଛି ଆଜିର ଏହି ବିରାଟ ପରିବର୍ତ୍ତନ । ଭାରତ ଆଜି ଏକ ବିଶ୍ୱ ମହାକାଶ ଶକ୍ତିରେ ପରିଣତ ହୋଇସାରିଛି । ୧୦୪ଟି ଉପଗ୍ରହକୁ ଏକସଙ୍ଗେ ପ୍ରେରଣ କରି ଆମେ ରେକର୍ଡ଼ ସୃଷ୍ଟି କରିଛୁ । ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଥିବା ପ୍ରଥମ ଦେଶ ହେଇପାରିଛୁ । ଭାରତ Mars Orbiter Mission Launch କରିଛି ଏବଂ ଆମେ ଆଦିତ୍ୟ – ଏଲ୍୧ ମିଶନ ମାଧ୍ୟମରେ ସୂର୍ଯ୍ୟର ଯଥେଷ୍ଟ ନିକଟକୁ ପହଂଚିପାରିଛୁ । ଭାରତ ଆଜି ସାରାବିଶ୍ୱରେ ସବୁଠାରୁ ଅଧିକ cost effective ଅଥଚ ସଫଳ ମହାକାଶ କାର୍ଯ୍ୟକ୍ରମର ନେତୃତ୍ୱ ନେଇଛି । ବିଶ୍ୱର ଅନେକ ଦେଶ ନିଜ ଉପଗ୍ରହ ଓ ମହାକାଶ ଅଭିଯାନ ପାଇଁ ଇସ୍ରୋର ସାହାଯ୍ୟ ଲୋଡ଼ୁଛନ୍ତି ।
ବନ୍ଧୁଗଣ, ଆମେ ଯେତେବେଳେ ଇସ୍ରୋ ଦ୍ୱାରା କୌଣସି ଉପଗ୍ରହ ପ୍ରେରଣର ଦୃଶ୍ୟ ଦେଖୁଁ, ସେତେବେଳେ ଆମେ ଗର୍ବ ଅନୁଭବ କରୁ । ସେହି ଅନୁଭୂତି ମୋର ହେଇଥିଲା, ଯେତେବେଳେ ମୁଁ ୨୦୧୪ରେ PSLV-C-23 ପ୍ରେରଣର ସାକ୍ଷୀ ହେଇଥିଲି । ୨୦୧୯ରେ ଚନ୍ଦ୍ରଯାନ–୨ର ଅବତରଣ ସମୟରେ ମଧ୍ୟ ମୁଁ ଇସ୍ରୋର ବାଙ୍ଗାଲୁରୁ କେନ୍ଦ୍ରରେ ଉପସ୍ଥିତ ଥିଲି । ସେତେବେଳେ ଚନ୍ଦ୍ରଯାନକୁ ଆଶାନୁଯାୟୀ ସଫଳତା ମିଳିନଥିଲା । ବୈଜ୍ଞାନିକମାନଙ୍କ ପାଇଁ ତାହା ଏକ କଷ୍ଟଦାୟକ ମୁହୂର୍ତ୍ତ ଥିଲା । କିନ୍ତୁ ମୁଁ ନିଜ ଆଖିରେ ବୈଜ୍ଞାନିକମାନଙ୍କ ଧୈର୍ଯ୍ୟ ଏବଂ କିଛି କରିବାର ଉତ୍ସାହ ମଧ୍ୟ ଦେଖିପାରୁଥିଲି । ଆଉ, କିଛିବର୍ଷ ପରେ ସାରା ବିଶ୍ୱ ଦେଖିଲା, କିଭଳି ସେହି ବୈଜ୍ଞାନିକମାନେ ଚନ୍ଦ୍ରଯାନ–୩କୁ ସଫଳ କରିଦେଖାଇଲେ ।
ବନ୍ଧୁଗଣ, ଭାରତ ଏବେ ନିଜ ମହାକାଶ କ୍ଷେତ୍ରକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଦେଇଛି । ଆଜି ଅନେକ ଯୁବବନ୍ଧୁ ସ୍ପେସ୍ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛନ୍ତି । ଦଶବର୍ଷ ପୂର୍ବେ ଏହି କ୍ଷେତ୍ରରେ ମାତ୍ର ଗୋଟିଏ କମ୍ପାନୀ ଥିଲା । କିନ୍ତୁ ଆଜି ଦେଶରେ ୩୨୫ରୁ ଅଧିକ ସ୍ପେଶ୍ ଷ୍ଟାର୍ଟଅପ୍ କାର୍ଯ୍ୟରତ । ଆଗାମୀ ସମୟ ମହାକାଶରେ ଅନେକ ନୂତନ ସମ୍ଭାବନା ନେଇଆସୁଛି । ଭାରତ ନୂତନ ଶିଖରକୁ ସ୍ପର୍ଶ କରିବ । ଦେଶ ଗଗନଯାନ, SpaDeX ଏବଂ Chandrayaan-4 ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯାନର ପ୍ରସ୍ତୁତିରେ ଲାଗିଛି । ଆମେ Venus Orbiter Mission ଏବଂ Mars Lander Mission ଉପରେ ମଧ୍ୟ କାମ କରୁଛୁ । ଆମ ମହାକାଶ ବୈଜ୍ଞାନିକମାନେ ନିଜର ନବସୃଜନ ମାଧ୍ୟମରେ ଦେଶବାସୀଙ୍କୁ ଆହୁରି ଗର୍ବିତ କରିବାକୁ ଯାଉଛନ୍ତି ।
ବନ୍ଧୁଗଣ, ଗତ ମାସ ମ୍ୟାଁମାରରେ ଘଟିଥିବା ଭୂମିକମ୍ପର ଭୟାବହ ଚିତ୍ର ଆପଣମାନେ ନିଶ୍ଚୟ ଦେଖିଥିବେ । ଭୂମିକମ୍ପ ଯୋଗୁଁ ସେଠାରେ ବଡ଼ଧରଣର କ୍ଷୟକ୍ଷତି ହେଲା । ଭଗ୍ନାବଶେଷ ତଳେ ଫସିରହିଥିବା ଲୋକଙ୍କ ପ୍ରତ୍ୟେକଟି ନିଃଶ୍ୱାସ, ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଥିଲା । ତେଣୁ, ଭାରତ, ମ୍ୟାଁମାରର ଆମ ଭାଇ–ଭଉଣୀଙ୍କ ପାଇଁ ତୁରନ୍ତ ଅପରେଶନ୍ ବ୍ରହ୍ମା ଆରମ୍ଭ କଲା । ବାୟୁସେନାର ଉଡ଼ାଜାହାଜ ଠାରୁ ଆରମ୍ଭ କରି ନୌସେନାର ଜାହାଜ ଯାଏଁ, ମ୍ୟାଁମାରର ସାହାଯ୍ୟ ପାଇଁ ବାହାରିପଡ଼ିଲେ । ଭାରତୀୟ ଦଳ ସେଠାରେ ଗୋଟିଏ ଅସ୍ଥାୟୀ ଡାକ୍ତରଖାନା ତିଆରି କଲା । ଇଞ୍ଜିନିୟରମାନଙ୍କ ଗୋଟିଏ ଦଳ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ି ଏବଂ ଭିତ୍ତିଭୂମିର ହେଇଥିବା କ୍ଷତିର ଆକଳନ କରିବାରେ ସାହାଯ୍ୟ କଲା । ଭାରତୀୟ ଦଳ ସେଠାରେ କମ୍ବଳ, ତମ୍ବୁ, ସ୍ଲିପିଂ ବ୍ୟାଗ୍, ଔଷଧ, ଖାଦ୍ୟସାମଗ୍ରୀ ସହ ଆହୁରି ଅନେକ କିଛି ଯୋଗାଇଦେଲା । ଏହି ସମୟରେ ଭାରତୀୟ ଦଳକୁ ସେଠାକାର ଲୋକେ ବହୁତ ପ୍ରଶଂସା କଲେ ।
ବନ୍ଧୁଗଣ, ଏ ସଙ୍କଟ ସମୟରେ ସାହସ, ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ଅନେକ ହୃଦୟସ୍ପର୍ଶୀ ଉଦାହରଣ ସାମ୍ନାକୁ ଆସିଥିଲା । ଭାରତୀୟ ଦଳ ଜଣେ ୭୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ଉଦ୍ଧାର କରିଛି, ଯିଏ ଭଗ୍ନସ୍ତୂପ ତଳେ ୧୮ ଘଣ୍ଟା ଧରି ଫସିରହିଥିଲେ । ଯେଉଁମାନେ ଏବେ ଟିଭିରେ ‘ମନ୍ କି ବାତ୍’ ଦେଖୁଛନ୍ତି, ସେମାନେ ସେହି ବୟସ୍କ ମହିଳାଙ୍କ ମୁହଁ ମଧ୍ୟ ଦେଖିପାରୁଥିବେ । ଭାରତରୁ ଯାଇଥିବା ଦଳ ତାଙ୍କର ଅମ୍ଳଜାନ ସ୍ତରକୁ ସ୍ଥିର ରଖିବା ଠାରୁ ଆରମ୍ଭ କରି ହାଡ଼ଭଙ୍ଗା ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେଇଥିଲେ । ଯେତେବେଳେ ସେହି ବୃଦ୍ଧାଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଲା, ସେ ଆମ ଦଳକୁ ବହୁତ କୃତଜ୍ଞତା ଜଣାଇଥିଲେ । ସେ କହିଥିଲେ ଯେ ଭାରତୀୟ ଉଦ୍ଧାରକାରୀ ଦଳ ଯୋଗୁଁ ତାଙ୍କୁ ନୂଆ ଜୀବନ ମିଳିଛି । ଅନେକ ଲୋକ ଆମ ଦଳକୁ କହିଥିଲେ ଯେ ତାଙ୍କ ଯୋଗୁଁ ସେମାନେ ନିଜର ବନ୍ଧୁ ଓ ସମ୍ପର୍କୀୟମାନଙ୍କୁ ଖୋଜିପାଇଛନ୍ତି ।
ବନ୍ଧୁଗଣ, ଭୂମିକମ୍ପ ପରେ ମ୍ୟାଁମାର୍ର ମାଣ୍ଡ୍ଲେସ୍ଥିତ ଏକ Monastryରେ ମଧ୍ୟ ଅନେକ ଲୋକ ଫସିରହିଥିବା ଆଶଙ୍କା ଥିଲା । ଆମର ବନ୍ଧୁମାନେ ସେଠାରେ ମଧ୍ୟ ସହାୟତା ଓ ଉଦ୍ଧାର ଅଭିଯାନ ଚଳାଇଥିଲେ, ଯେଉଁଥିପାଇଁ ସେମାନେ ବୌଦ୍ଧଭିକ୍ଷୁ ମାନଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଥିଲେ । ଆମେ ‘ଅପରେସନ ବ୍ରହ୍ମା’ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କ ପାଇଁ ଗର୍ବିତ । ଆମର ପରମ୍ପରା, ଆମର ସଂସ୍କାର ‘ବସୁଧୈବ କୁଟୁମ୍ବକମ୍’ର ଭାବନା– ସମଗ୍ର ବିଶ୍ୱ ଗୋଟିଏ ପରିବାର । ସଙ୍କଟ ସମୟରେ ବିଶ୍ୱ–ବନ୍ଧୁ ରୂପେ ଭାରତର ତତ୍ପରତା ଓ ମାନବିକତା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଆମର ପରିଚୟ ପାଲଟିଛି ।
ବନ୍ଧୁଗଣ, ମୁଁ ଆଫ୍ରିକାର ଇଥିଓପିଆରେ ପ୍ରବାସୀ ଭାରତୀୟମାନଙ୍କର ଏକ ନୂତନ ପ୍ରୟାସ ବିଷୟରେ ଜାଣିପାରିଛି । ଇଥିଓପିଆରେ ରହୁଥିବା ଭାରତୀୟମାନେ ଜନ୍ମରୁ ହୃଦ୍ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଚିକିତ୍ସା ପାଇଁ ଭାରତ ପଠାଇବାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଭଳି ଅନେକ ଶିଶୁଙ୍କୁ ଭାରତୀୟ ପରିବାରମାନେ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି । ଯଦି କୌଣସି ଶିଶୁର ପରିବାର ଆର୍ଥିକ ସମସ୍ୟା ଯୋଗୁଁ ଭାରତ ଆସିବାରେ ଅସମର୍ଥ, ତେବେ ଆମର ଭାରତୀୟ ଭାଇଭଉଣୀମାନେ ତା’ର ବ୍ୟବସ୍ଥା ମଧ୍ୟ କରୁଛନ୍ତି । ଉଦ୍ଦେଶ୍ୟ ହେଉଛି ଗୁରୁତର ରୋଗରେ ଜର୍ଜରିତ ଇଥିଓପିଆର ପ୍ରତ୍ୟେକ ଅଭାବଗ୍ରସ୍ତ ଶିଶୁଙ୍କୁ ଉତ୍ତମ ଚିକିତ୍ସା ମିଳୁ । ପ୍ରବାସୀ ଭାରତୀୟଙ୍କର ଏହି ଉତ୍ତମ କାର୍ଯ୍ୟକୁ ଇଥିଓପିଆରେ ପ୍ରଚୁର ପ୍ରଶଂସା ମିଳୁଛି । ଆପଣମାନେ ଜାଣନ୍ତି ଯେ ଭାରତର ଡାକ୍ତରୀ ଚିକିତ୍ସାରେ ନିରନ୍ତର ଉନ୍ନତି ହେଉଛି । ଅନ୍ୟ ଦେଶର ନାଗରିକମାନେ ମଧ୍ୟ ଏହାର ଲାଭ ଉଠାଉଛନ୍ତି ।
ବନ୍ଧୁଗଣ, କିଛିଦିନ ତଳେ ଭାରତ ଆଫଗାନିସ୍ତାନର ଲୋକଙ୍କ ପାଇଁ ବହୁ ପରିମାଣରେ ଟିକା ପଠାଇଛି । ଏହି ଟିକା ଜଳାତଙ୍କ, ଧନୁଷ୍ଟଙ୍କାର, ହେପାଟାଇଟିସ୍ ବି ଓ ଇନ୍ଫ୍ଲୁଏଞ୍ଜା ଭଳି ବିପଜ୍ଜନକ ରୋଗଗୁଡ଼ିକଠାରୁ ରକ୍ଷା କରିବ । ଭାରତ ଏ ସପ୍ତାହରେ ନେପାଳ ଅନୁରୋଧରେ ସେଠାକୁ ଔଷଧ ଓ ଟିକାର ବଡ଼ ଭଣ୍ଡାର ପଠାଇଛି । ଏହାଦ୍ୱାରା ଥାଲାସେମିଆ ଓ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ରୋଗୀଙ୍କର ଉତ୍ତମ ଚିକିତ୍ସା ସୁନିଶ୍ଚିତ ହୋଇପାରିବ । ଯେତେବେଳେ ମାନବତାର ସେବାର କଥା ଆସେ, ଭାରତ ସର୍ବଦା ଏଥିରେ ଆଗରେ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ପ୍ରତ୍ୟେକ ଆବଶ୍ୟକତାରେ ସର୍ବଦା ଆଗରେ ରହିବ ।
ବନ୍ଧୁଗଣ, ଆମେ ଏବେ ବିପର୍ଯ୍ୟୟ ପରିଚାଳନା ବିଷୟରେ କଥା ହେଉଥିଲେ । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଉଛି– ଆପଣଙ୍କର ସତର୍କତା, ଆପଣଙ୍କର ସଚେତନତା । ଏହି ସତର୍କତାରେ ଏବେ ଆପଣଙ୍କୁ ଆପଣଙ୍କ ମୋବାଇଲ୍ର ଏକ ସ୍ୱତନ୍ତ୍ର ଆପ୍ ସାହାଯ୍ୟ କରିପାରିବ । ଏହି ଆପ୍ ଆପଣଙ୍କୁ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟରେ ଫସି ରହିବାଠାରୁ ରକ୍ଷା କରିପାରିବ ଏବଂ ଏହାର ନାମ ହେଉଛି ‘ସଚେତ୍’ । ‘ସଚେତ୍’ ଆପ୍କୁ ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବା (ଏନ୍ଡିଏମ୍ଏ) ପ୍ରସ୍ତୁତ କରିଛି । ବନ୍ୟା, ଘୂର୍ଣ୍ଣିବାତ୍ୟା, ଭୂସ୍ଖଳନ, ସୁନାମି, ବନାଗ୍ନି, ହିମସ୍ଖଳନ, ଝଡ଼ତୋଫାନ କିମ୍ବା ବଜ୍ରପାତ ଭଳି ବିପର୍ଯ୍ୟୟ ହେଉ, ସଚେତ୍ ଆପ୍ ଆପଣଙ୍କୁ ସବୁ ପ୍ରକାର ସୂଚନା ଦେଇ ଓ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥାଏ । ଏହି ଆପ୍ ମାଧ୍ୟମରେ ଆପଣ ପାଣିପାଗ ବିଭାଗ ସହିତ ଜଡ଼ିତ ତାଜା ସୂଚନା ପାଇପାରିବେ । ବିଶେଷ କଥା ହେଉଛି ‘ସଚେତ୍’ ଆପ୍ ଆଞ୍ଚଳିକ ଭାଷାରେ ମଧ୍ୟ ଅନେକ ସୂଚନା ଉପଲବ୍ଧ କରାଇଥାଏ । ଆପଣ ମଧ୍ୟ ଏହି ଆପ୍ର ଲାଭ ଉଠାନ୍ତୁ ଏବଂ ଆପଣଙ୍କର ଅନୁଭୂତି ଆମ ସହିତ ନିଶ୍ଚିତ ଭାବେ ବାଣ୍ଟନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଆମେ ସମଗ୍ର ବିଶ୍ୱରେ ଭାରତର ପ୍ରତିଭାର ପ୍ରଶଂସା ଦେଖୁଛୁ । ଭାରତର ଯୁବକଯୁବତୀମାନେ ଭାରତ ପ୍ରତି ବିଶ୍ୱର ଦୃଷ୍ଟିକୋଣ ବଦଳାଇ ଦେଇଛନ୍ତି । ଯେକୌଣସି ଦେଶର ଯୁବକମାନଙ୍କର ଆଗ୍ରହ କେଉଁ ଦିଗରେ ରହିଛି, ସେଥିରୁ ଦେଶର ଭବିଷ୍ୟତ କିପରି ହେବ ସୂଚନା ମିଳିଥାଏ । ଆଜି ଭାରତର ଯୁବକମାନେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଆଡ଼କୁ ଅଗ୍ରସର ହେଉଛନ୍ତି । ଯେଉଁ ଅଞ୍ଚଳଗୁଡ଼ିକ ପୂର୍ବରୁ ପଛୁଆ ଓ ଅନ୍ୟ କାରଣରୁ ପରିଚିତ ଥିଲା, ସେଠାରେ ମଧ୍ୟ ଯୁବକଯୁବତୀମାନେ ଏପରି ଉଦାହରଣ ପ୍ରସ୍ତୁତ କରିଛନ୍ତି ଯାହା ଆମକୁ ନୂଆ ଆତ୍ମବିଶ୍ୱାସ ଦେଇଥାଏ । ଛତିଶଗଡ଼ର ଦନ୍ତେୱାଡ଼ାର ବିଜ୍ଞାନ କେନ୍ଦ୍ର ଆଜିକାଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଆଗରୁ ଦନ୍ତେୱାଡ଼ା କେବଳ ହିଂସା ଓ ଅଶାନ୍ତି ପାଇଁ ଜଣାଶୁଣା ଥିଲା, କିନ୍ତୁ ଏବେ ସେଠାରେ ଏକ ବିଜ୍ଞାନ କେନ୍ଦ୍ର ପିଲାମାନଙ୍କ ପାଇଁ ଓ ସେମାନଙ୍କ ପିତାମାତାଙ୍କ ପାଇଁ ଆଶାର ନୂଆ କିରଣ ହୋଇଛି । ଏହି ବିଜ୍ଞାନ କେନ୍ଦ୍ରକୁ ଯିବାକୁ ପିଲାଏ ବହୁତ ପସନ୍ଦ କରୁଛନ୍ତି । ସେମାନେ ଏବେ ନୂଆ ମେସିନ ତିଆରି କରିବାଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ନୂଆ ଉତ୍ପାଦ ତିଆରି କରିବା ଶିଖୁଛନ୍ତି । ସେମାନଙ୍କୁ ଥ୍ରୀଡି ପ୍ରିଣ୍ଟର୍ ଓ ରୋବୋଟିକ୍ କାର୍ ସହିତ ଅନ୍ୟାନ୍ୟ ନୂତନ ଜିନିଷ ବିଷୟରେ ଜାଣିବାର ସୁଯୋଗ ମିଳିଛି । କିଛିଦିନ ତଳେ ମୁଁ ଗୁଜରାଟ ସାଇନ୍ସ ସିଟିରେ ମଧ୍ୟ ବିଜ୍ଞାନ ଗ୍ୟାଲେରୀଗୁଡ଼ିକର ଉଦ୍ଘାଟନ କରିଥିଲି । ଏହି ଗ୍ୟାଲେରୀଗୁଡ଼ିକରୁ ସଙ୍କେତ ମିଳେ ଯେ ଆଧୁନିକ ବିଜ୍ଞାନର ସମ୍ଭାବନା କ’ଣ, ବିଜ୍ଞାନ ଆମପାଇଁ କେତେ କ’ଣ କରିପାରିବ । ମୋତେ ସୂଚନା ମିଳିଛି ଯେ ଏହି ଗ୍ୟାଲେରୀ ସବୁକୁ ନେଇ ସେଠାକାର ଶିଶୁମାନଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ବିଜ୍ଞାନ ଓ ନବସୃଜନ ପ୍ରତି ବଢ଼ୁଥିବା ଏହି ଆଗ୍ରହ ନିଶ୍ଚିତ ଭାବେ ଭାରତକୁ ନୂଆ ଉଚ୍ଚତାକୁ ନେଇଯିବ ।
ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ସବୁଠାରୁ ବଡ଼ ଶକ୍ତି ହେଉଛି ଆମର ୧୪୦ କୋଟି ନାଗରିକ, ସେମାନଙ୍କର ସାମର୍ଥ୍ୟ ଏବଂ ସେମାନଙ୍କର ଇଚ୍ଛାଶକ୍ତି । ଯେତେବେଳେ କୋଟିକୋଟି ଲୋକ ଏକତ୍ର କୌଣସି ଅଭିଯାନରେ ଯୋଗ ଦିଅନ୍ତି, ତାହାର ପ୍ରଭାବ ବହୁତ ବଡ଼ ହୋଇଥାଏ । ଏହାର ଏକ ଉଦାହରଣ ହେଉଛି ‘ମାଆ ନାଁରେ ଗଛଟିଏ’- ଏହି ଅଭିଯାନ ସେହି ମାଆଙ୍କ ନାମରେ, ଯିଏ ଆମକୁ ଜନ୍ମ ଦେଇଛନ୍ତି ଓ ଏହା ସେହି ଧରିତ୍ରୀ ମାତାଙ୍କ ପାଇଁ ମଧ୍ୟ ଯିଏ ଆମକୁ ନିଜ କୋଳରେ ଧରି ରଖିଛନ୍ତି । ବନ୍ଧୁଗଣ, ଜୁନ ୫ରେ ‘ବିଶ୍ୱ ପରିବେଶ ଦିବସ’ରେ ଏହି ଅଭିଯାନର ଏକ ବର୍ଷ ପୂରଣ ହେଉଛି । ଏହି ବର୍ଷକ ମଧ୍ୟରେ ଏ ଅଭିଯାନ ଅଧୀନରେ ସମଗ୍ର ଦେଶରେ ମାଆଙ୍କ ନାମରେ ୧୪୦ କୋଟିରୁ ଅଧିକ ଚାରାରୋପଣ କରାଯାଇଛି । ଆପଣ ମଧ୍ୟ ଏହି ଅଭିଯାନର ଭାଗୀଦାର ହୁଅନ୍ତୁ, ଯାହା ଫଳରେ ଏକବର୍ଷ ପୂର୍ଣ୍ଣ ହେବାପରେ ଆପଣଙ୍କ ଅଂଶଗ୍ରହଣକୁ ନେଇ ଆପଣ ଗର୍ବ କରିପାରିବେ ।
ବନ୍ଧୁଗଣ, ଗଛଠାରୁ ଶୀତଳତା ମିଳେ, ଗଛ ଛାଇରେ ଗରମରୁ ମୁକ୍ତି ମିଳେ, ଏହା ଆମେ ସମସ୍ତେ ଜାଣିଛୁ । କିନ୍ତୁ କିଛିଦିନ ତଳେ ମୁଁ ଏହାସହିତ ଜଡ଼ିତ ଏକ ଖବର ଦେଖିଲି, ଯାହା ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଗୁଜରାଟର ଅହମଦାବାଦ ସହରରେ ବିଗତ କିଛି ବର୍ଷ ମଧ୍ୟରେ ୭୦ ଲକ୍ଷରୁ ଅଧିକ ଗଛ ଲଗାଯାଇଛି । ଏସବୁ ଗଛ ଅହମ୍ମଦାବାଦରେ ସବୁଜ ଅଞ୍ଚଳକୁ ବହୁତ ବଢ଼ାଇ ଦେଇଛନ୍ତି । ଏହା ସହିତ ସାବରମତୀ ନଦୀକୂଳରେ River Front ସ୍ଥାପିତ ହେବାଦ୍ୱାରା ଏବଂ କାଙ୍କରିଆ ହ୍ରଦ ପରି କିଛି ହ୍ରଦମାନଙ୍କର ପୁନନିର୍ମାଣ ଦ୍ୱାରା ଏଠାରେ ଜଳାଶୟଗୁଡ଼ିକର ସଂଖ୍ୟା ମଧ୍ୟ ବଢ଼ିଯାଇଛି । ଏବେକାର news reports କହେ ଯେ ଗତ କିଛିବର୍ଷ ଭିତରେ ଅହମ୍ମଦାବାଦ ବିଶ୍ୱ ତାପମାନ ସହିତ ଲଢ଼ୁଥିବା ପ୍ରମୁଖ ସହରମାନଙ୍କ ମଧ୍ୟରେ ଗୋଟିଏ ହୋଇଛି । ଏହି ପରିବର୍ତ୍ତନ ଫଳରେ ବାତାବରଣରେ ଆସିଥିବା ଶୀତଳତାକୁ ସେଠାକାର ଲୋକମାନେ ଅନୁଭବ କରୁଛନ୍ତି । ଅହମ୍ମଦାବାଦରେ ଲାଗିଥିବା ଗଛଗୁଡ଼ିକ ସେଠାରେ ଗୋଟିଏ ନୂତନ ଖୁସିର ବାତାବରଣ ସୃଷ୍ଟି କରିବାର କାରଣ ହୋଇପାରିଛି । ମୋର ଆପଣମାନଙ୍କୁ ପୁନଃ ଅନୁରୋଧ କରିବାକୁ ଚାହେଁ ଯେ, ପୃଥିବୀର ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡ଼ିକୁ ମୁକାବିଲା କରିବା ନିମନ୍ତେ ଏବଂ ନିଜର ପିଲାମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ନିଶ୍ଚୟ ଗଛ ଲଗାନ୍ତୁ ‘ଏକ ପେଡ୍ – ମା’ କେ ନାମ୍’ ।
ବନ୍ଧୁଗଣ, ଗୋଟିଏ ପୁରୁଣା ଲୋକଉକ୍ତି ଅଛି ‘ଯହାଁ ଚାହ୍ଅ – ୱହାଁ ରାହ୍’ ଅର୍ଥାତ୍ ଇଚ୍ଛା ଥିଲେ ଉପାୟ ନିଶ୍ଚୟ ମିଳିବ । ଯେତେବେଳେ ଆମେ କିଛି ଗୋଟିଏ ନୂଆ କରିବାର ସଂକଳ୍ପ କରିନିଅନ୍ତି ସେତେବେଳେ ଲକ୍ଷ୍ୟପ୍ରାପ୍ତି ନିଶ୍ଚୟ ହୁଏ । ଆପଣମାନେ ପାହାଡ଼ରେ ଅମଳ ହେଉଥିବା ସେଓ ତ ଖୁବ୍ ଖାଇଥିବେ । କିନ୍ତୁ ଯଦି ମୁଁ ପଚାରେ ଯେ ଆପଣ କର୍ଣ୍ଣାଟକର ସେଓର ସ୍ୱାଦ ଚାଖିଛନ୍ତି କି ? ସେତେବେଳେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାଧାରଣତଃ ଆମେ ଜାଣିଥାଉ ଯେ ପାହାଡ଼ିଆ ଅଞ୍ଚଳରେ ହିଁ ସେଓର ଉତ୍ପାଦନ ହୋଇଥାଏ । କିନ୍ତୁ କର୍ଣ୍ଣାଟକର ବାଗଲକୋଟର ଅଧିବାସୀ ଶ୍ରୀ ଶୈଳ ତେଲୀ ଜୀ ଏବେ ସମତଳ ଭୂମିରେ ସେଓ ଉତ୍ପାଦନ କରିପାରିଛନ୍ତି । ତାଙ୍କ ଗାଁ କୁଲାଲୀରେ ୩୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ମଧ୍ୟ ସେଓ ଗଛ ଗୁଡ଼ିକରେ ସେଓ ଫଳିବାକୁ ଲାଗିଲାଣି । ବାସ୍ତବରେ ଶ୍ରୀ ଶୈଳ ତେଲୀଙ୍କର ଚାଷବାସରେ ଆଗ୍ରହ ଥିଲା ସେ ସେଓ ଉତ୍ପାଦନ କରି ଦେଖିବାକୁ ଚେଷ୍ଟା କଲେ ଏବଂ ଏଥିରେ ତାଙ୍କୁ ସଫଳତା ମଧ୍ୟ ମିଳିଲା । ଆଜି ସେ ଲଗାଇଥିବା ସେଓ ଗଛ ଗୁଡ଼ିକରେ ପ୍ରଚୁର ପରିମାଣର ସେଓ ଉତ୍ପାଦନ ହେଉଛି ଯାହା ବିକ୍ରୟ ଦ୍ୱାରା ସେ ଭଲ ରୋଜଗାର ମଧ୍ୟ ପାଉଛନ୍ତି ।
ବନ୍ଧୁଗଣ, ଯେତେବେଳେ ସେଓ ବିଷୟରେ ଚର୍ଚ୍ଚା ହେଉଛି ତ ଆପଣ କିନ୍ନୌରୀ ସେଓର ନାମ ନିଶ୍ଚୟ ଶୁଣିଥିବେ । ସେଓ ପାଇଁ ପ୍ରସିଦ୍ଧ କିନ୍ନୌରରେ କେସର ଉତ୍ପାଦନ ହେବାକୁ ଲାଗିଲାଣି । ସାଧାରଣ ଭାବରେ ହିମାଚଳରେ କେସର ଚାଷ ଖୁବ୍ କମ୍ ହେଉଥିଲା । କିନ୍ତୁ ଏବେ କିନ୍ନୌର ସୁନ୍ଦର ସାଙ୍ଗଲା ଘାଟିରେ ମଧ୍ୟ କେସର ଚାଷ ହେବାକୁ ଲାଗିଲାଣି । ଏଭଳି ଆଉ ଏକ ଉଦାହରଣ କେରଳର ୱାୟନାଡରେ ମଧ୍ୟ ଦେଖାଯାଏ । ଏଠାରେ ମଧ୍ୟ କେସର ଉତ୍ପାଦନରେ ସଫଳତା ମିଳିଛି । ଏବଂ ୱାୟନାଡରେ ଏହି କେସର କୌଣସି କ୍ଷେତ ବା ମାଟିରେ ନୁହେଁ ବରଂ Aeroponics Technique ଦ୍ୱାରା ଉତ୍ପାଦନ କରାଯାଉଛି । ଲିଚୁ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କିଛି ଏହିଭଳି ଆଶ୍ଚର୍ଯ୍ୟଜନକ ଫଳ ମିଳିଛି । ଆମେ ତ ଶୁଣିଆସୁଛୁ ଯେ ବିହାର, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ଲିଚୁ ଉତ୍ପାଦିତ ହୁଏ । କିନ୍ତୁ ଏବେ ଲିଚୁର ଉତ୍ପାଦନ ଦକ୍ଷିଣ ଭାରତ ଏବଂ ରାଜସ୍ଥାନରେ ମଧ୍ୟ ହେଉଛି । ତାମିଲନାଡୁର ଶ୍ରୀ ତିରୁ ବିରା ଅରାସୁ, କଫିଚାଷ କରୁଥିଲେ । କୋଡ଼ାଇକେନାଲରେ ସେ ଲିଚୁର ଗଛ ଲଗାଇଲେ ଏବଂ ତାଙ୍କର ୭ ବର୍ଷର ପରିଶ୍ରମ ପରେ ଏବେ ସେହି ଗଛଗୁଡ଼ିକରେ ଫଳ ଫଳିବାକୁ ଲାଗିଲାଣି । ଲିଚୁ ଉତ୍ପାଦନରେ ମିଳିଥିବା ଏହି ସଫଳତା ଆଖପାଖର ଅନ୍ୟ କୃଷକମାନଙ୍କୁ ମଧ୍ୟ ପ୍ରେରିତ କରିଛି । ରାଜସ୍ଥାନରେ ଜିତେନ୍ଦ୍ର ସିଂହ ରାଣାୱତଙ୍କୁ ଲିଚୁ ଉତ୍ପାଦନରେ ସଫଳତା ମିଳିଛି । ଏ ସମସ୍ତ ଉଦାହରଣ ଖୁବ୍ ପ୍ରେରଣାଦାୟକ । ଯଦି ଆମେ କିଛି ନୂଆ କରିବାକୁ ଲକ୍ଷ୍ୟ ରଖୁ ଏବଂ ଅସୁବିଧା ସତ୍ତ୍ୱେ ବି ସେଥିରେ ଲାଗିରହୁ ତେବେ ଅସମ୍ଭବକୁ ମଧ୍ୟ ସମ୍ଭବ କରାଯାଇପାରିବ ।
ମୋର ପ୍ରିୟ ଦେଶବାସୀଗଣ, ଆଜି ଏପ୍ରିଲ ମାସର ଶେଷ ରବିବାର । କିଛିଦିନ ପରେ ମଇ ମାସ ଆରମ୍ଭ ହେବାକୁ ଯାଉଛି । ମୁଁ ଆପଣମାନଙ୍କୁ ଆଜିଠାରୁ ପାଖାପାଖି ୧୦୮ ବର୍ଷ ପୂର୍ବକୁ ନେଇଯାଉଛି । ବର୍ଷ ୧୯୧୭, ଏପ୍ରିଲ ଓ ମଇ ମାସ ଏହି ଦୁଇ ମାସ ଦେଶର ସ୍ୱାଧୀନତା ପାଇଁ ଏକ ଅପୂର୍ବ ସଂଗ୍ରାମ ଲଢ଼ାଯାଇଥିଲା । ଇଂରେଜମାନଙ୍କର ଅତ୍ୟାଚାର ଶେଷସୀମାରେ ଥିଲା । ଗରିବ, ବଂଚିତ ଏବଂ କୃଷକମାନଙ୍କର ଶୋଷଣ ଅମାନବୀୟ ସ୍ତରକୁ ମଧ୍ୟ ଟପିଯାଇଥିଲା । ବିହାରର ଉର୍ବର ମାଟିରେ ଏହି ଇଂରେଜମାନେ କୃଷକମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟ କରୁଥିଲେ । ନୀଳଚାଷ କରିବା ଦ୍ୱାରା କୃଷକମାନଙ୍କର ଜମି ଅନୁର୍ବର ହୋଇଯାଉଥିଲା । କିନ୍ତୁ ଇଂରେଜ ଶାସକମାନେ ଏଥିପ୍ରତି ଧ୍ୟାନ ଦେଉନଥିଲେ । ଏଭଳି ପରିସ୍ଥିତିରେ ୧୯୧୭ ମସିହାରେ ଗାନ୍ଧିଜୀ ବିହାରର ଚମ୍ପାରନରେ ପହଂଚିଥିଲେ । କୃଷକମାନେ ଗାନ୍ଧିଜୀଙ୍କୁ କହିଲେ – ଆମ ଜମି ନଷ୍ଟ ହୋଇଯାଉଛି, ଖାଇବା ପାଇଁ ଖାଦ୍ୟ ମିଳୁନି । ଲକ୍ଷ ଲକ୍ଷ କୃଷକମାନଙ୍କର ସେହି ପୀଡ଼ା ଦେଖି ଗାନ୍ଧିଜୀଙ୍କ ମନରେ ଏକ ସଂକଳ୍ପ ଜାଗ୍ରତ ହେଲା । ସେହିଠାରୁ ଚମ୍ପାରଣର ଐତିହାସିକ ସତ୍ୟାଗ୍ରହ ଆରମ୍ଭ ହେଲା । ‘ଚମ୍ପାରଣ ସତ୍ୟାଗ୍ରହ’ ବାପୁଙ୍କର ଭାରତରେ ପ୍ରଥମ ବଡ଼ ପ୍ରୟୋଗ ଥିଲା । ବାପୁଙ୍କ ସତ୍ୟାଗ୍ରହ ଦ୍ୱାରା ପୁରା ଇଂରେଜ ଶାସନ ଦୋହଲିଗଲା । ଇଂରେଜମାନେ ନୀଳଚାଷ କରିବା ପାଇଁ କୃଷକମାନଙ୍କୁ ବାଧ୍ୟ କରିବାର ଆଇନକୁ ସ୍ଥଗିତ କରିବାକୁ ବାଧ୍ୟ ହେଲେ । ଏହା ଏକ ଏଭଳି ବିଜୟ ଥିଲା ଯାହାକି ସ୍ୱାଧୀନତା ସଂଗ୍ରାମରେ ଗୋଟିଏ ନୂତନ ବିଶ୍ୱାସ ଜାଗ୍ରତ କଲା । ଆପଣମାନେ ଜାଣିଥିବେ ଏହି ସତ୍ୟାଗ୍ରହରେ ବିହାରର ଆଉ ଜଣେ ସୁପୁତ୍ରଙ୍କର ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଯେକି ସ୍ୱାଧୀନତା ପରେ ଦେଶର ପ୍ରଥମ ରାଷ୍ଟ୍ରପତି ହେଲେ ସେହି ମହାନ ବିଭୂତି ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ । ସେ ଚମ୍ପାରଣ ସତ୍ୟାଗ୍ରହ ଉପରେ ‘Satyagraha in Champaran’ ନାମକ ପୁସ୍ତକ ମଧ୍ୟ ରଚନା କରିଥିଲେ । ଏହି ପୁସ୍ତକ ସମସ୍ତ ଯୁବବର୍ଗ ପଢ଼ିବା ଉଚିତ । ଭାଇ ଓ ଭଉଣୀମାନେ, ଏପ୍ରିଲ ମାସ ସହିତ ସ୍ୱାଧୀନତା ସଂଗ୍ରାମର ଅନେକ ଅଭୁଲା ସ୍ମୃତି ଯୋଡ଼ିହୋଇରହିଛି । ଏପ୍ରିଲ ମାସ ୬ ତାରିଖରେ ହିଁ ଗାନ୍ଧିଜୀଙ୍କର ‘ଦାଣ୍ଡିଯାତ୍ରା’ ସମାପ୍ତ ହୋଇଥିଲା । ୧୨ ମାର୍ଚ୍ଚରୁ ଆରମ୍ଭ ହୋଇ ୨୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଯାତ୍ରା ଇଂରେଜମାନଙ୍କୁ ବ୍ୟତିବ୍ୟସ୍ତ କରିଦେଇଥିଲା । ଏପ୍ରିଲ ମାସରେ ହିଁ ଜାଲିୟାଁୱାଲାବାଗ ନରସଂହାର ହୋଇଥିଲା । ପଞ୍ଜାବର ମାଟି ଉପରେ ଏହି ରକ୍ତରଞ୍ଜିତ ଇତିହାସର ଚିହ୍ନ ଆଜି ମଧ୍ୟ ମହଜୁଦ ଅଛି ।
ବନ୍ଧୁଗଣ କିଛିଦିନ ମଧ୍ୟରେ, ମଇ ୧୦ ତାରିଖକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ବର୍ଷପୂର୍ତ୍ତି ମଧ୍ୟ ଆସୁଅଛି । ସ୍ୱାଧୀନତାର ସେହି ପ୍ରଥମ ସଂଗ୍ରାମରେ ଯେଉଁ ଶିଖା ଉଠିଥିଲା ଆଗକୁ ଯାଇ ତାହା ଲକ୍ଷ ଲକ୍ଷ ସେନାନୀମାନଙ୍କ ପାଇଁ ମଶାଲ ପାଲଟିଯାଇଥିଲା । ଏବେ ଏପ୍ରିଲ ୨୬ ତାରିଖରେ ଆମେ ୧୮୫୭ ବିଦ୍ରୋହର ମହାନ ନାୟକ ବାବୁ ବୀର କୁୱଁର ସିଂହ ଜୀଙ୍କ ପୁଣ୍ୟତିଥି ମଧ୍ୟ ପାଳନ କରିଥିଲୁ। ବିହାରର ଏହି ମହାନ ସେନାନୀଙ୍କ ଜୀବନ ସାରା ଦେଶ ପାଇଁ ପ୍ରେରଣାର ଉତ୍ସ । ଆମକୁ ଏହିଭଳି ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଅମର ପ୍ରେରଣାକୁ ଜୀବିତ ରଖିବାକୁ ପଡିବ । ସେମାନଙ୍କଠାରୁ ଆମକୁ ଶକ୍ତି ମିଳେ, ଯାହା ଆମର ଅମୃତକାଳର ସଂକଳ୍ପକୁ ଏକ ନୂତନ ଶକ୍ତି ପ୍ରଦାନ କରେ ।
ବନ୍ଧୁଗଣ, ‘ମନ୍ କି ବାତ୍’ର ଏହି ସୁଦୀର୍ଘ ଯାତ୍ରାରେ ଆପଣମାନେ ଏହି କାର୍ଯ୍ୟକ୍ରମ ସହିତ ଏକ ଆତ୍ମୀକ ସମ୍ପର୍କ ସୃଷ୍ଟି କରିଛନ୍ତି । ଦେଶବାସୀଗଣ ଯେଉଁ ଉପଲବଧିକୁ ଅନ୍ୟମାନଙ୍କୁ ଜଣାଇବାକୁ ଚାହାଁନ୍ତି ତାକୁ ‘ମନ୍ କି ବାତ୍’ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାନ୍ତି । ଆସନ୍ତା ମାସରେ ଆମେ ପୁଣି ମିଶିକରି ଦେଶର ବିବିଧତା, ଗୌରବଶାଳୀ ପରମ୍ପରା ଏବଂ ନୂତନ ଉପଲବ୍ଧିଗୁଡ଼ିକ ବିଷୟରେ କଥାହେବା । ଆମେ ସେହିଭଳି ଲୋକମାନଙ୍କ ବିଷୟରେ ଜାଣିବା ଯେଉଁମାନେ ନିଜର ସମର୍ପଣ ଏବଂ ସେବା ଭାବନା ଦ୍ୱାରା ସମାଜରେ ପରିବର୍ତ୍ତନ ଆଣିପାରୁଛନ୍ତି । ପ୍ରତ୍ୟେକ ଥର ଭଳି ଆପଣ ମୋତେ ଆପଣଙ୍କ ବିଚାର ଏବଂ ପରାମର୍ଶ ପଠାନ୍ତୁ । ଧନ୍ୟବାଦ, ନମସ୍କାର ।
***********
Sharing this month's #MannKiBaat. https://t.co/2d2HftdU4T
— Narendra Modi (@narendramodi) April 27, 2025
The perpetrators and conspirators of this attack will be served with the harshest response: PM @narendramodi during #MannKiBaat pic.twitter.com/mjF5ezrtes
— PMO India (@PMOIndia) April 27, 2025
In the war against terrorism, the unity of the country, the solidarity of 140 crore Indians, is our biggest strength: PM @narendramodi during #MannKiBaat pic.twitter.com/WI5BlQFDQG
— PMO India (@PMOIndia) April 27, 2025
There is a deep anguish in my heart. The terrorist attack that took place in Pahalgam on the 22nd of April has hurt every citizen of the country: PM @narendramodi in #MannKiBaat pic.twitter.com/oAmct2pZOF
— PMO India (@PMOIndia) April 27, 2025
Dr. K. Kasturirangan Ji's selfless service to the country and contribution to nation building will always be remembered: PM @narendramodi during #MannKiBaat pic.twitter.com/h2FzD5xaxf
— PMO India (@PMOIndia) April 27, 2025
Today, India has become a Global Space Power. #MannKiBaat pic.twitter.com/0oJliacysa
— PMO India (@PMOIndia) April 27, 2025
We are very proud of all those who participated in Operation Brahma: PM @narendramodi in #MannKiBaat pic.twitter.com/lXuubTALo0
— PMO India (@PMOIndia) April 27, 2025
Whenever it comes to serving humanity, India has always been and will always be at the forefront. #MannKiBaat pic.twitter.com/whLG6VWWO7
— PMO India (@PMOIndia) April 27, 2025
SACHET App for disaster preparedness. #MannKiBaat pic.twitter.com/ntWYM8N44R
— PMO India (@PMOIndia) April 27, 2025
Growing curiosity for science and innovation amongst youth will take India to new heights. #MannKiBaat pic.twitter.com/sWAHzpZfcV
— PMO India (@PMOIndia) April 27, 2025
#EkPedMaaKeNaam initiative shows the power of collective action. #MannKiBaat pic.twitter.com/cK9gTpktFU
— PMO India (@PMOIndia) April 27, 2025
A noteworthy effort in Karnataka to grow apples. #MannKiBaat pic.twitter.com/TDiuBUEbcg
— PMO India (@PMOIndia) April 27, 2025
Champaran Satyagraha infused new confidence in the freedom movement. #MannKiBaat pic.twitter.com/5kbGkzrM8G
— PMO India (@PMOIndia) April 27, 2025
This month India marks 50 years since the launch of Aryabhata. Thanks to our space scientists and innovators, we have scaled newer heights in the world of space. Space is also a favourite sector of StartUps these days! #MannKiBaat pic.twitter.com/isWumTpSSG
— Narendra Modi (@narendramodi) April 27, 2025
India’s efforts in disaster management are significantly strengthened by the Sachet App, which provides warnings, alerts and timely information relating to disasters. #MannKiBaat pic.twitter.com/UAf6FP8Otv
— Narendra Modi (@narendramodi) April 27, 2025
India’s ethos is rooted in humanitarian values, which is reflected in Operation Brahma. #MannKiBaat pic.twitter.com/VjHu7yvEEn
— Narendra Modi (@narendramodi) April 27, 2025