Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୁକ୍ତରାଷ୍ଟ୍ର ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଛନ୍ତି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବାରୁ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକାରେ ଗଣତାନ୍ତ୍ରିକ ପରମ୍ପରାର ଶକ୍ତି ଏବଂ ନମନୀୟତାର ଏହା ହେଉଛି ଏକ ପ୍ରମାଣ । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ସିନେଟର କମଳା ହ୍ୟାରିସଙ୍କୁ ମଧ୍ୟ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ 2014 ଏବଂ 2016ରେ ଆମେରିକାକୁ ସରକାରୀ ଗସ୍ତରେ ଯାଇଥିବା ବେଳେ ମହାମହିମ ଯୋଶେଫ ଆର. ବାଇଡେନଙ୍କ ସହ ହୋଇଥିବା ଆଲୋଚନାକୁ ସ୍ମରଣ କରିଛନ୍ତି । 2016 ଗସ୍ତ ବେଳେ ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଯୋଶେଫ ଆର. ବାଇଡେନ ଅଧ୍ୟକ୍ଷତା କରିଥିଲେ ଏବଂ ଏଥିରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇଥିଲେ ।

ଟେଲିଫୋନ ବାର୍ତ୍ତାଳାପ ଅବସରରେ ଉଭୟ ନେତା ଭାରତ-ଆମେରିକା ବ୍ୟାପକ ଅନ୍ତର୍ଜାତୀୟ ରଣନୈତିକ ସହଯୋଗିତାକୁ ଆହୁରି ସମୃଦ୍ଧ କରିବା ଏବଂ ଦ୍ୱିପାକ୍ଷିକ ମୂଲ୍ୟବୋଧ ଓ ଉଭୟଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ । ଏଥିସହ କୋଭିଡ-19 ମହାମାରୀର ମୁକାବିଲା, ସୁଲଭ ଦରରେ ଟିକା ଯୋଗାଣ, ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସମନ୍ୱୟ ବୃଦ୍ଧି ଭଳି ଅଗ୍ରାଧିକାର ପ୍ରସଙ୍ଗଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ ।

 

**********