ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନନେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପ୍ରମୁଖ ବନ୍ଦର ଟ୍ରଷ୍ଟ ଆଇନ, ୧୯୬୩ ପରିବର୍ତ୍ତେ ପ୍ରମୁଖ ବନ୍ଦର ପ୍ରାଧିକରଣ ବିଲ – ୨୦୧୬କୁ ପ୍ରଚଳନ କରାଯିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରସ୍ତାବ ଆଗତ କରାଯାଇଥିଲା । ଏହାଦ୍ଵାରା ଦେଶର ପ୍ରମୁଖ ବନ୍ଦର ସଂସ୍ଥା ସେମାନଙ୍କର ନିଷ୍ପତ୍ତି ଗ୍ରହଣ ସକାଶେ ପୂର୍ଣ୍ଣ ସ୍ଵାଧୀନତା ପାଇବେ ଏବଂ ପ୍ରମୁଖ ବନ୍ଦରଗୁଡିକର ଆନୁଷ୍ଠାନିକ ଢ଼ାଂଚାରେ ଆଧୁନିକୀକରଣ ବ୍ୟବସ୍ଥା ସହଜ ହେବ ।
ବନ୍ଦର ଭିତ୍ତିଭୂମିର ସଂପ୍ରସାରଣ ତଥା ବାଣିଜ୍ୟ ବ୍ୟବସାୟ ପାଇଁ ଅଧିକ ସୁବିଧାସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରସ୍ତାବରେ ବ୍ୟବସ୍ଥା ଥିଲା । ଏହା ଦ୍ଵାରା ନିଷ୍ପତ୍ତି ଗ୍ରହଣର ବିକେନ୍ଦ୍ରୀକରଣ ସହ ବନ୍ଦରମାନଙ୍କ ପରିଚାଳନାକୁ ଅଧିକ ପେଶାଦାରୀ ଢ଼ଙ୍ଗରେ ସମ୍ପନ୍ନ କରାଯାଇପାରିବ । ନୂତନ ପ୍ରମୁଖ ବନ୍ଦର ପ୍ରାଧିକରଣ ବିଲ ୨୦୧୬ କାର୍ଯ୍ୟକାରୀ ହେଲେ ସବୁ ପ୍ରକାର ନିଷ୍ପତ୍ତି ତୁରନ୍ତ ଓ ସ୍ଵଚ୍ଛ ଭାବେ ଦିଆଯାଇପାରିବ ଯଦ୍ଵାରା ଏଥିରେ ସଂପୃକ୍ତ ସମସ୍ତ ପକ୍ଷ ଉପକୃତ ହୋଇପାରିବେ । ବିଶ୍ଵରେ କାର୍ଯ୍ୟକାରୀ ହେଉଥିବା ସଫଳ କାର୍ଯ୍ୟବ୍ୟବସ୍ଥାକୁ ପ୍ରମୁଖ ବନ୍ଦରରେ ପ୍ରତିଫଳିତ କରାଯାଇପାରିବ ।
ଏହି ବିଲର ପ୍ରମୁଖ ବୈଶିଷ୍ଟ୍ୟମାନ ହେଲା :-
କ. ୧୯୬୩ର ପ୍ରମୁଖ ପୋର୍ଟ ଟ୍ରଷ୍ଟ ଆଇନ ତୁଳନାରେ ଏହି ବିଲ ଅଧିକ ସଂକ୍ଷିପ୍ତ । ପୂର୍ବର ଆଇନରେ ଥିବା ୧୩୪ଟି ଧାରା ପରିବର୍ତ୍ତେ ଏଥିରେ ୬୫ଟି ଧାରା ରହିଛି ।
ଖ. ନୂଆ ବିଲରେ ବନ୍ଦର ଟ୍ରଷ୍ଟ ବୋର୍ଡ ଗଠନ ପ୍ରକ୍ରିୟାକୁ ସରଳ କରାଯାଇଛି । ବର୍ତ୍ତମାନର ୧୭ ରୁ ୧୦ ସଦସ୍ୟ ପରିବର୍ତ୍ତେ ନୂତନ ବ୍ୟବସ୍ଥାରେ ମାତ୍ର ୧୧ଜଣ ବୋର୍ଡ ସଦସ୍ୟ ରହିବେ ଓ ସେମାନେ ବିଭିନ୍ନ ସ୍ଵାର୍ଥକୁ ପ୍ରତିନିଧିତ୍ଵ କରୁଥିବେ । ଏହି ବୋର୍ଡରେ ସଂପୃକ୍ତ ରାଜ୍ୟ ସରକାର, ରେଳ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ବହିଃଶୁଳ୍କ ଏବଂ ରାଜସ୍ଵ ବିଭାଗର ପ୍ରତିନିଧିମାନେ ସ୍ଥାନ ପାଇବେ ।
ଗ. ପ୍ରମୁଖ ବନ୍ଦରର ଟାରିଫ ପ୍ରାଧିକରଣ ଭୂମିକାକୁ ପୁନଃ ନିରୂପଣ କରାଯାଇଛି । ପୋର୍ଟ ପ୍ରାଧିକରଣ ଏହି ମୂଲ୍ୟ ନିର୍ଦ୍ଧାରଣ କରିବେ ଯାହା ପିପିପି ପ୍ରକଳ୍ପ ନିଲାମୀ ପାଇଁ ସୂଚକାଙ୍କ ଭାବେ କାର୍ଯ୍ୟ କରିବ ।
ଘ. ଏକ ସ୍ଵାଧୀନ ସମୀକ୍ଷା ବୋର୍ଡ ଗଠନ ପାଇଁ ପ୍ରସ୍ତାବ ରହିଛି ଯାହା ପ୍ରମୁଖ ବନ୍ଦରର ପୂର୍ବର TAMPର ଅବଶିଷ୍ଟ ଦାୟିତ୍ଵ ସମ୍ପାଦନ କରିବ ।
ଙ. ପୋର୍ଟ ପ୍ରାଧିକରଣ ବୋର୍ଡକୁ ଚୁକ୍ତିସ୍ଵାକ୍ଷର, ଯୋଜନା ଓ ବିକାଶ, ଜାତୀୟ ସ୍ଵାର୍ଥକୁ ଛାଡି ଅନ୍ୟ ମୂଲ୍ୟ ନିର୍ଦ୍ଧାରଣ, ନିରାପତ୍ତା ଓ ଅନ୍ୟାନ୍ୟ ଆପାତ ପରିସ୍ଥିତିର ମୁକାବିଲା ସକାଶେ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ।
ଚ. ବନ୍ଦରର ନିଜସ୍ଵ ନିର୍ଦ୍ଧାରିତ ସୀମା ମଧ୍ୟରେ ମାଷ୍ଟର ପ୍ଲାନ ପାଇଁ ବୋର୍ଡକୁ କ୍ଷମତା ପ୍ରଦାନ କରାଯାଇଛି । ଏହି ପ୍ଲାନରେ ପାଇପ ଲାଇନ, ଟେଲିଫୋନ, ଯୋଗାଯୋଗ ଟାୱାର, ବିଦ୍ୟୁତ ଯୋଗାଣ ଏବଂ ସରବରାହ ଉପକରଣ ନିର୍ମାଣ ସାମିଲ ।
ଛ. ବନ୍ଦର ପ୍ରାଧିକରଣ ଦ୍ଵାରା ଉଦ୍ୟୋଗ ସାମାଜିକ ଦାୟିତ୍ଵବୋଧ ଏବଂ ଭିତ୍ତିଭୂମି ବିକାଶ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ସାମିଲ ହୋଇଛି ।