Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି (22.08.2016) ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ ହୋଇଥିବା ପ୍ରଗତିର ସମୀକ୍ଷା କରିଛନ୍ତି । ନୀତି ଆୟୋଗ ଦ୍ୱାରା ଦିଆଯାଇଥିବା ଏକ ଉପସ୍ଥାପନାରେ ଅକ୍ଷୟ ଶକ୍ତି ଏବଂ ରେଳବାଇ ସମେତ ଅନେକ ପ୍ରମୁଖ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି ।

ଅକ୍ଷୟ ଶକ୍ତିର ନୂତନ କ୍ଷେତ୍ରରେ ସମୁଦାୟ ସଂସ୍ଥାପିତ କ୍ଷମତା 44 ଗିଗାୱାଟକୁ ଅତିକ୍ରମ କରିଛି । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନା ଓ ଉପଯୋଜନା ଅଧିନରେ କାର୍ଯ୍ୟକାରୀ ହେଉଥିବା ଅନେକ ପ୍ରକଳ୍ପ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଛି । ଛାତ ଉପରେ ଏବଂ ପ୍ରକଳ୍ପ ୟୁନିଟରେ ସୌର ଶକ୍ତି ଉତ୍ପାଦନର ମାତ୍ରାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରସ୍ତୁତ କରାଯାଇଥିବା କୌଶଳ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ।

ବିମାନ ଚଳାଚଳ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷା ଏବଂ ଯୋଗାଯୋଗ ଭଳି ମୂଖ୍ୟ ଉପାଦାନର ପ୍ରମୁଖ ନୀତିରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ । ଉଲ୍ଲେଖନୀୟ ଯେ, ବିଶ୍ୱସ୍ତରରେ ନିଜ ନିଜ ଶ୍ରେଣୀରେ ସର୍ବୋକୃଷ୍ଟ ପାଞ୍ଚଟି ସ୍ଥାନରେ ଭାରତର ଆଠଟି ବିମାନ ବନ୍ଦର ରହିଛି । ଆଞ୍ଚଳିକ ଯୋଗାଯୋଗକୁ ଆହୁରି କ୍ରିୟାଶୀଳ କରିବା ଏବଂ ଗ୍ରାହକ ସନ୍ତୁଷ୍ଟି ବୃଦ୍ଧି କରିବା ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଭାରତୀୟ ରେଳବାଇ ଇତିମଧ୍ୟରେ ଦୈନିକ 2.25 କୋଟି ଯାତ୍ରୀ ପରିବହନର ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ 240 ଟି ମାନବ-ବିହୀନ ରେଳ ଫାଟକକୁ ଉଠାଇ ଦିଆଯାଇଛି । ସେହି ସମୟ ମଧ୍ୟରେ ଶକ୍ତି କ୍ଷେତ୍ରରେ 3.5 କୋଟି ଏଲଇଡି ବଲ୍ବ ବିତରଣ କରାଯାଇଛି । ବନ୍ଦର କ୍ଷେତ୍ରରେ ଜାହାଜଗୁଡିକର ହାରାହାରି ପରିବହନ କ୍ଷମତାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି ।

ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ 6 ଲକ୍ଷ ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏହି ସମୟ ମଧ୍ୟରେ 6.94 ଲକ୍ଷ ଗୃହ ନିର୍ମିତ ହୋଇଛି ।

ତୈଳ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଅଗ୍ରଗତିର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କାର୍ଯ୍ୟରେ ଅଗ୍ରଗତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଚଳିତ ଆର୍ଥିକ ବର୍ଷରେ 15 କୋଟିରୁ ଉର୍ଦ୍ଧ ଉପଭୋକ୍ତାଙ୍କୁ ଏଲପିଜିର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା ।

ବିଭିନ୍ନ ଭିତ୍ତିଭୂମି କ୍ଷେତ୍ରସଂଲଗ୍ନ ମନ୍ତ୍ରଣାଳୟର ଉଚ୍ଚ ପଦାଧିକାରୀ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦାଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

**********