ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ପିଏମଜିଏସୱାଇ, ଗୃହ, କୋଇଲା ଏବଂ ଶକ୍ତି ଆଦି ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରର ପ୍ରଗତି ବାବଦରେ ସମୀକ୍ଷା କରିଛନ୍ତି । ପ୍ରାୟ ଅଢ଼େଇ ଘଂଟା ଧରି ଚାଲୁରହିଥିବା ଏହି ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ନୀତି ଆୟୋଗ ଏବଂ ଭାରତ ସରକାରଙ୍କ ଭିତ୍ତିଭୂମି ମନ୍ତ୍ରଣାଳୟସମୂହର ମୁଖ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।
ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ଦ୍ୱାରା କରାଯାଇଥିବା ଉପସ୍ଥାପନାରେ ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ପ୍ରଗତି ହାସଲ କରାଯାଇଥିବାର ଜଣାପଡିଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ 1.45 ଲକ୍ଷ୍ୟ ଜନବସତି ମଧ୍ୟରୁ ଶତକଡା 81 ପ୍ରତିଶତ ବସତିକୁ ସଡକ ସଂଯୋଗ କରାଯାଇସାରିଲାଣି । ଅଧିକାରୀମାନେ କହିଥିଲେ ଯେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଅବଶିଷ୍ଟ ଅଂଚଳକୁ ରାସ୍ତା ସଂଯୋଗ ସଂପୂର୍ଣ୍ଣ କରିବା ନେଇ ଦୃତ ଗତିରେ କାର୍ଯ୍ୟ ଚାଲୁରହିଛି । ପ୍ରଧାନମନ୍ତ୍ରୀ ନୀରିକ୍ଷଣ କରିଥିଲେ ଯେ ଏହି କାର୍ଯ୍ୟ ପାଇଁ ଉପଲବ୍ଧ ଅର୍ଥ ଯେପରି ବର୍ଷ ତମାମ ସର୍ବୋତ୍କୃଷ୍ଟ ଭାବେ ବ୍ୟବହୃତ ହେବ । ସେ ମଧ୍ୟ ଆଶାପ୍ରକାଶ କରିଥିଲେ ଯେ କେନ୍ଦ୍ରୀୟ ବଜେଟ ତାରିଖ ଆଗକୁ ବଢ଼ିବା କାରଣରୁ ଏହି ପ୍ରଦର୍ଶନରେ ଯେପରି ଆହୁରି ଉନ୍ନତି ଆସିପାରିବ । ମେରି ସଡକ ଆପ୍ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡ଼ିକର କିପରି ତ୍ୱରିତ ସମାଧାନ କରାଯାଉଛି ସେ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା । ଅଭିଯୋଗଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ଯାହାଫଳରେ କି ଯେଉଁଠାରେ ଆବଶ୍ୟକ ସେଠାରେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇପାରିବ ।
2019 ସୁଦ୍ଧା ଗ୍ରାମାଂଚଳରେ 1 କୋଟି ଗୃହ ନିର୍ମାଣ କରାଯିବା ଯୋଜନାର ପ୍ରଗତି ସମ୍ବନ୍ଧରେ ସମୀକ୍ଷା କରି ପ୍ରଧାନମନ୍ତ୍ରୀ କହିଲେ ଯେ ହିତାଧୀକାରୀମାନଙ୍କ ଜୀବନରେ ଗୃହ ନିର୍ମାଣର ସକାରାତ୍ମକ ପ୍ରଭାବ ସମ୍ବନ୍ଧରେ ଉପଯୁକ୍ତ ପରୀକ୍ଷଣ କରାଯିବା ଉଚିତ ଏବଂ ସେମାନଙ୍କ ଜୀବନଧାରଣ ମାନରେ ଗୁଣାତ୍ମକ ଉନ୍ନତି ଆଣିବା ଆବଶ୍ୟକ ।
କୋଇଲା କ୍ଷେତ୍ରର ସମୀକ୍ଷା କରି ନବୀନତମ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ଭୂତଳ ଖଣି ଉତ୍ତୋଳନ ଏବଂ କୋଇଲା ବାଷ୍ପୀକରଣ ଦିଗରେ ନୂତନ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଗ୍ରାମ୍ୟ ବିଦ୍ୟୁତକରଣ ଏବଂ ଘରୋଇ ବିଦ୍ୟୁତ ସଂଯୋଗ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନେଇ ହୋଇଥିବା ପ୍ରଗତି ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଥିଲା ।
Reviewed key infrastructure projects during a high level meeting. https://t.co/2ZzYh7GT48
— Narendra Modi (@narendramodi) November 17, 2017