ପିଏମଇଣ୍ଡିଆ
ସମ୍ମାନୀୟ ମହନ୍ତ ସ୍ୱାମୀ, ଫ୍ରାନ୍ସ ସରକାରଙ୍କ ସମ୍ମାନନୀୟ ପ୍ରତିନିଧିଗଣ, ବିଶିଷ୍ଟ ଅତିଥିବୃନ୍ଦ, ଭାରତୀୟ ସମୁଦାୟର ସଦସ୍ୟମାନେ, ବିଶ୍ୱର ବିଭିନ୍ନ ସ୍ଥାନରୁ ସଂଯୁକ୍ତ ହୋଇଥିବା ସମସ୍ତ ହରି ଭକ୍ତ, ମହିଳା ଏବଂ ସଜ୍ଜନଗଣ – ଜୟ ସ୍ୱାମୀନାରାୟଣ!
ଆଜି, ଫ୍ରାନ୍ସର ରାଜଧାନୀ ପ୍ୟାରିସରେ, ଭବ୍ୟ ସ୍ୱାମୀନାରାୟଣ ମନ୍ଦିର ଉଦ୍ଘାଟିତ ହେଉଛି। ଏହି ଉଦଘାଟନ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ସାଂସ୍କୃତିକ ସମ୍ପର୍କରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିଛି। ପୂଜ୍ୟ ସନ୍ଥମାନଙ୍କର ଆଶୀର୍ବାଦ ଏବଂ ସନାତନ ପରମ୍ପରାର ମହାନ ପରମ୍ପରାରକ୍ଷକମାନଙ୍କର ମଙ୍ଗଳମୟ ଆଶୀର୍ବାଦରେ ଆଜିର ଏହି ଉଦ୍ଘାଟନ ମଞ୍ଚ ‘ବସୁଧୈବ କୁଟୁମ୍ବକମ୍’—‘ସମଗ୍ର ବିଶ୍ୱ ଏକ ପରିବାର’ ଭାବନାର ଏକ ପ୍ରତୀକାତ୍ମକ ମଞ୍ଚରେ ପରିଣତ ହୋଇଛି। ଭଗବାନ ସ୍ୱାମୀନାରାୟଣଙ୍କ କୃପା ଏବଂ ଆମ ସନ୍ଥମାନଙ୍କର ସ୍ନେହ ଓ ଆଶୀର୍ବାଦ ଯୋଗୁଁ ଏଭଳି ପବିତ୍ର ଅବସର ସହିତ ସର୍ବଦା ଯୋଡ଼ି ହେବାର ସୁଯୋଗ ପାଇବା ମୋର ସୌଭାଗ୍ୟ। ଆଜି ମଧ୍ୟ ଯଦିଓ ମୁଁ ପ୍ୟାରିସରେ ଆପଣମାନଙ୍କ ମଧ୍ୟରେ ଶାରୀରିକ ଭାବେ ଉପସ୍ଥିତ ନାହିଁ, ତଥାପି ମନ ଓ ହୃଦୟରୁ ମୁଁ ନିଜକୁ ସେଠାରେ, ଆପଣମାନଙ୍କ ସହିତ ଉପସ୍ଥିତ ଥିବା ଭଳି ହିଁ ଅନୁଭବ କରୁଛି।
ବନ୍ଧୁଗଣ,
ଏହି ଅବସରରେ, ମୁଁ ପରମ ପୂଜ୍ୟ ପ୍ରମୁଖ ସ୍ୱାମୀ ମହାରାଜଙ୍କୁ ମଧ୍ୟ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛି। ପ୍ରାଚୀନ କାଳରେ ଭାରତର ସାଂସ୍କୃତିକ ଓ ଆଧ୍ୟାତ୍ମିକ ବୈଭବ ଅତ୍ୟନ୍ତ ବିଶାଳ ଥିଲା ଏବଂ ତାହାର ପୁନର୍ଜାଗରଣ ପାଇଁ ସେ ଏକ ଅଭିଯାନ ଆରମ୍ଭ କରିଥିଲେ। ଆଜି ତାହାର ଆଲୋକ ସମଗ୍ର ୟୁରୋପ ଓ ସାରା ବିଶ୍ୱରେ ପ୍ରସାରିତ ହେଉଛି।୨୦୨୪ ମସିହାରେ, ଆବୁଧାବିରେ ଥିବା ମହାନ ମନ୍ଦିରର ଉଦଘାଟନ ହୋଇଥିଲା। ଆଜି ହଜାର ହଜାର ଲୋକ ସେଠାକୁ ଦର୍ଶନ ପାଇଁ ଯାଆନ୍ତି। ଏବେ ପ୍ୟାରିସରେ ସ୍ୱାମୀନାରାୟଣ ମନ୍ଦିରର ନିର୍ମାଣ—ଏହି ସୃଜନଶୀଳ ଧାରାର ନିରନ୍ତରତା—ଆମ ସନ୍ଥମାନଙ୍କର ସଂକଳ୍ପ ଓ ସାମର୍ଥ୍ୟର ପ୍ରମାଣ। ମୁଁ ଏହି ପବିତ୍ର କାର୍ଯ୍ୟ ପାଇଁ ପୂଜ୍ୟ ମହନ୍ତ ସ୍ୱାମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି। ତାଙ୍କ ପାଦ ତଳେ ପ୍ରଣାମ କରୁଛି। ମୁଁ ଏହି ଅବସରରେ ବିଏପିଏସ ସ୍ୱାମୀନାରାୟଣ ସଂଗଠନ ଏବଂ କୋଟି କୋଟି ହରିଭକ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।
ବନ୍ଧୁଗଣ,
ବିଏପିଏସ ମାଧ୍ୟମରେ, ଯେତେବେଳେ ବିଭିନ୍ନ ଦେଶରେ ମନ୍ଦିରଗୁଡ଼ିକୁ ପବିତ୍ର କରାଯାଏ, ଭାରତର ପ୍ରାଚୀନ ଚିନ୍ତାଧାରା ଏବଂ ମାନବୀୟ ମୂଲ୍ୟବୋଧ ମଧ୍ୟ ସେମାନଙ୍କ ସହିତ ଯାତ୍ରା କରେ। ଭାରତର ଚିନ୍ତାଧାରା କହେ: “ସମନମ୍ ମନଃ ସହ ଚିତ୍ତମେଷମ୍” – ଅର୍ଥାତ୍, ଆମର ମନ ଏକ ହେଉ, ଆମର ହୃଦୟ ପରସ୍ପର ସହିତ ଯୋଡ଼ି ରହୁ। ତେଣୁ ଆଜି ଫ୍ରାନ୍ସରେ ଏପରି ଏକ ଭବ୍ୟ ମନ୍ଦିର ନିର୍ମିତ ହୋଇଥିବା ବେଳେ, ଏହା ଫ୍ରାନ୍ସର ବିବିଧତାକୁ ଆହୁରି ସମୃଦ୍ଧ କରିବା ସହିତ ଭାରତ ଓ ଫ୍ରାନ୍ସର ସାଂସ୍କୃତିକ ସମ୍ପର୍କକୁ ମଧ୍ୟ ନୂତନ ଶକ୍ତି ପ୍ରଦାନ କରିବ।
ବନ୍ଧୁଗଣ,
ବିଗତ କିଛି ବର୍ଷରେ , ଭାରତ ଏବଂ ଫ୍ରାନ୍ସର ସମ୍ପର୍କ ନୂତନ ଶିଖରରେ ପହଞ୍ଚିଛି। ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋଙ୍କ ସହିତ ମିଶି ଉଭୟ ଦେଶ ଏକ ବିଶେଷ ବୈଶ୍ୱିକ ରଣନୈତିକ ସହଭାଗୀତା ନିର୍ମାଣ କରୁଛନ୍ତି। ପ୍ରଯୁକ୍ତି, କୃତ୍ରିମ ବୁଦ୍ଧିମତ୍ତା (AI) ଓ ପ୍ରତିରକ୍ଷାଠାରୁ ଆରମ୍ଭ କରି ମହାକାଶ ଓ ଜଳବାୟୁ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ, ଆମେ ନୂତନ ଗତି ଓ ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛୁ। ଆମେ ୨୦୨୬କୁ ‘ଭାରତ-ଫ୍ରାନ୍ସ ନବସୃଜନ ବର୍ଷ’ ଭାବେ ମଧ୍ୟ ପାଳନ କରୁଛୁ। ଏହି ରଣନୈତିକ ସହଭାଗୀତା ବିଶେଷ କାରଣ ଏହା ଆମର ପୁରୁଣା ସାଂସ୍କୃତିକ ଏବଂ ରାଜନୈତିକ ସମ୍ପର୍କର ଦୃଢ଼ ଭିତ୍ତିଭୂମି ଉପରେ ନିର୍ଭର କରେ। ଇତିହାସଏହାର ସାକ୍ଷୀ – ଫ୍ରାନ୍ସରେ ଭାରତୀୟ ସୈନିକଙ୍କ ବଳିଦାନ ବଳିଦାନ ଆଜି ମଧ୍ୟ ସ୍ମୃତିପଟରେ ଜୀବନ୍ତ ରହିଛି। ଭାଷା ପ୍ରତି ଆଗ୍ରହୀ ଲୋକମାନେ ମଧ୍ୟ ଜାଣନ୍ତି ଯେ, ସଂସ୍କୃତକୁ ଲୋକପ୍ରିୟ କରିବାରେ ଫ୍ରାନ୍ସୀୟ ବିଦ୍ୱାନମାନଙ୍କର କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ ରୋମାଁ ରୋଲାଁଙ୍କ ଲେଖା ଆମ ଦୁଇ ସମାଜକୁ ଆହୁରି ନିକଟତର କରିଥିଲା। ପ୍ୟାରିସଠାରୁ ପୁଡୁଚେରୀର ଅରବିନ୍ଦ ଆଶ୍ରମ ପର୍ଯ୍ୟନ୍ତ ‘ଦ ମଦର’ଙ୍କ ଆଧ୍ୟାତ୍ମିକ ଯାତ୍ରା ଅସଂଖ୍ୟ ଭାରତୀୟ ଓ ଫ୍ରାନ୍ସୀୟ ସାଧକଙ୍କୁ ପ୍ରେରିତ କରିଛି।
ବନ୍ଧୁଗଣ,
ଦଶନ୍ଧି ପୂର୍ବେ, ଶ୍ରୀଲ ପ୍ରଭୁପାଦ ସ୍ୱାମୀ ମଧ୍ୟ ଫ୍ରାନ୍ସ ଆସିଥିଲେ। ଇସ୍କନ୍ ମାଧ୍ୟମରେ ସେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥିଲେ। ଆଜି ଯୋଗ ମଧ୍ୟ ଭାରତ ଓ ଫ୍ରାନ୍ସ ମଧ୍ୟରେ ଲୋକ-ଲୋକ ସମ୍ପର୍କର ଏକ ମାଧ୍ୟମ ହୋଇପାରିଛି। ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଇଫେଲ୍ ଟାୱାର ସମ୍ମୁଖରୁ ଆସୁଥିବା ଚିତ୍ରଗୁଡ଼ିକ ଫ୍ରାନ୍ସରେ ଯୋଗର ଲୋକପ୍ରିୟତାର ଉଦାହରଣ। ଏବେ ଏହି ଭବ୍ୟ ବିଏପିଏସ ମନ୍ଦିର ମାଧ୍ୟମରେ ଆମ ସାଂସ୍କୃତିକ ସମ୍ପର୍କରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେଉଛି।
ବନ୍ଧୁଗଣ,
ଆଜିକାଲି ଭାରତ-ଫ୍ରାନ୍ସ ମଧ୍ୟରେ ଯୁଗ୍ମ ଉଦ୍ୟମ ବା ଜଏଣ୍ଟ ଭେଞ୍ଚର୍ସ ନେଇ ଆଲୋଚନା ହେଉଛି। ସ୍ୱାମୀନାରାୟଣ ମନ୍ଦିର ଏହି ସମ୍ଭାବନାକୁ ଏକ ନୂଆ ଆୟାମ ଦେଇଛି। ଏହି ମନ୍ଦିର ‘ମେଡ୍ ଇନ୍ ଇଣ୍ଡିଆ’ ଏବଂ ‘ବିଲ୍ଟ ଇନ୍ ଫ୍ରାନ୍ସ’।
ଏହି ମନ୍ଦିରର ଅନେକ ପଥର ଭାରତରେ ଖୋଦେଇ କରାଯାଇଛି। ଭାରତର ପ୍ରାଚୀନ କାରିଗରୀ ଏଠାରେ ଫ୍ରାନ୍ସର ଆଧୁନିକ ଇଞ୍ଜିନିୟରିଂ ସହିତ ମିଶିଛି। ଏହିପରି ଭାବେ ପ୍ୟାରିସରେ ଏହି ଭବ୍ୟ ମନ୍ଦିର ଆକାର ନେଇଛି। ତେଣୁ ମୋର ଆଶା ଯେ, ଆଗାମୀ ଶତାବ୍ଦୀଗୁଡ଼ିକ ପର୍ଯ୍ୟନ୍ତ ଏହି ମନ୍ଦିର ଭାରତ ଓ ଫ୍ରାନ୍ସ ମଧ୍ୟରେ ସହଯୋଗ ଓ ସମ୍ଭାବନାର ଏକ ପ୍ରତୀକ ଭାବେ ଦଣ୍ଡାୟମାନ ରହିବ।
ବନ୍ଧୁଗଣ,
ସ୍ୱାମୀନାରାୟଣ ମନ୍ଦିରଗୁଡ଼ିକ ସବୁବେଳେ କେବଳ ଭକ୍ତିର କେନ୍ଦ୍ର ନୁହେଁ, ବରଂ ସେବାର ମଧ୍ୟ କେନ୍ଦ୍ର ହୋଇଆସିଛି। ମୋତେ କୁହାଯାଇଛି ଯେ, ଏହି ମନ୍ଦିର ମଧ୍ୟ ଏଭଳି ସେବା ପ୍ରକଳ୍ପଗୁଡ଼ିକର ଏକ କେନ୍ଦ୍ରରେ ପରିଣତ ହେବ।
ମୋର ବିଶ୍ୱାସ ଯେ, ଏଠାରୁ ଭାରତୀୟ ସଂସ୍କୃତିର ଯେଉଁ ସ୍ୱର ପ୍ରସାରିତ ହେବ, ତାହାର ଲାଭ ସମଗ୍ର ୟୁରୋପର ଲୋକମାନେ ପାଇବେ। ଭବିଷ୍ୟତରେ ଯେତେବେଳେ ବି ମୋତେ ସମୟ ମିଳିବ, ମୁଁ ନିଶ୍ଚିତ ଭାବେ ଏହି ମନ୍ଦିରକୁ ଆସି ଦର୍ଶନ କରିବାର ପ୍ରୟାସ କରିବି। ଏହି କଥା ସହିତ, ଆଜିର ଏହି ଶୁଭ ଅବସରରେ ଉପସ୍ଥିତ ସମସ୍ତ ଅତିଥି, ସମସ୍ତ ପରିବାର, ସମସ୍ତ ହରିଭକ୍ତ ଏବଂ ସମଗ୍ର ଭାରତୀୟ ପ୍ରବାସୀ ସମୁଦାୟକୁ ପୁନର୍ବାର ଅନେକ ଅନେକ ଅଭିନନ୍ଦନ ଜଣାଉଛି।
ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ!
ମେର୍ସି ବୋକୁ!
ଜୟ ସ୍ୱାମୀନାରାୟଣ!
****
SPD
It is a matter of great joy that BAPS Swaminarayan Hindu Mandir is being inaugurated in Paris.@BAPS https://t.co/PaXRoM0mkv
— Narendra Modi (@narendramodi) September 6, 2026