Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ୟାରିସ ରାଜିନାମାକୁ କେନ୍ଦ୍ର କେବିନେଟର ଅନୁମୋଦନ


ଭାରତ ଆସନ୍ତା ଅକ୍ଟୋବର 2 ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ରାଜିନାମାରେ ଆନୁଷ୍ଠାନିକ ଭାବେ ସାମିଲ ହେବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଆଜି (28.09.2016) ଅନୁମୋଦନ କରାଯାଇଛି ।

ପ୍ୟାରିସ ରାଜିନାମାକୁ 12 ଡିସେମ୍ବର 2015ରେ 185ଟି ଦେଶ ଗ୍ରହଣ କରିଥିଲେ । ଚଳିତ ବର୍ଷ ଏପ୍ରିଲ 22 ତାରିଖରେ ଭାରତ ନ୍ୟୁୟର୍କଠାରେ ପ୍ୟାରିସ ରାଜିନାମାରେ ଦସ୍ତଖତ କରିଥିଲା । ବିଶ୍ୱରେ ମୋଟ 55 ପ୍ରତିଶତ ଅଙ୍ଗାରକ ଉତ୍ସର୍ଜନ କରୁଥିବା ମୋଟ 55ଟି ଦେଶ ଏହି ରାଜିନାମାକୁ ଅନୁମୋଦନ କରିବାପରେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ପ୍ୟାରିସ ଚୁକ୍ତି ଆନୁଷ୍ଠାନିକ ଭାବେ କାର୍ଯ୍ୟକାରୀ ହେବ । ବର୍ତ୍ତମାନ ସୁଦ୍ଧା 191ଟି ଦେଶ ଏଥିରେ ଦସ୍ତଖତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 61ଟି ଦେଶ ଆନୁଷ୍ଠାନିକ ଭାବେ ଏହାକୁ ଗ୍ରହଣ କରିଛନ୍ତି । ଯାହାକି ମୋଟ ବିଶ୍ୱ ଅଙ୍ଗାରକ ବା ଗ୍ରୀନହାଉସ ଗ୍ୟାସ ଉତ୍ସର୍ଜନର 47.79 ପ୍ରତିଶତ ।

ଭାରତ ରାଜିନାମାରେ ଆନୁଷ୍ଠାନିକ ଭାବେ ସାମିଲ ହେବାପରେ ସଂପୃକ୍ତ ଦେଶମାନଙ୍କର ଗ୍ରୀନହାଉସ ବାଷ୍ପ ଉତ୍ସର୍ଜନ ମାତ୍ରା 51.89 ପ୍ରତିଶତକୁ ବୃଦ୍ଧି ପାଇବ । ଚଳିତ ବର୍ଷ ଶେଷ ସୁଦ୍ଧା ଅନେକ ରାଷ୍ଟ୍ର ଐତିହାସିକ ପ୍ୟାରିସ ଜଳବାୟୁ ରାଜିନାମାରେ ଦସ୍ତଖତ କରିବା ଏବଂ ଏହାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ଲାଗି ଆଗ୍ରହ ଦେଖାଇଛନ୍ତି । ଯାହା ଅନୁମାନ କରାଯାଉଛି ଯେ, ଖୁବ ଶୀଘ୍ର ପ୍ୟାରିସ ରାଜିନାମାରେ ଏହି ସବୁ ରାଷ୍ଟ୍ର ସାମିଲ ହେବେ ଏବଂ ଏହା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ।

ଭାରତ ଏହି ରାଜିନାମାକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିବା ପରେ ପ୍ୟାରିସ ରାଜିନାମାକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ପ୍ରମୁଖ ରାଷ୍ଟ୍ରର ଭୂମିକା ଗ୍ରହଣ କରିଛି । ପୂର୍ବରୁ ପ୍ୟାରିସଠାରେ ଭାରତ ଏହି ରାଜିନାମାକୁ ସଠିକ ରୂପ ଦେବା ଏବଂ ଏଥିଲାଗି ଆନ୍ତର୍ଜାତିକ ସହମତି ଆଣିବା କ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଆଜିର କେବିନେଟ ଅନୁମୋଦନ ପରେ ଭାରତ ଜଳବାୟୁ ନ୍ୟାୟ ପ୍ରତିଷ୍ଠା, ପରିବେଶର ସୁରକ୍ଷା ଏବଂ ବିଶ୍ୱ ସମୁଦାୟର ଭବିଷ୍ୟତ ସୁରକ୍ଷା ପ୍ରତି ନିଜର ପ୍ରତିବଦ୍ଧତାର ପ୍ରମାଣ ଦେବା ସହ ଏକ ଉତ୍ତରଦାୟୀ ବିଶ୍ୱ ନେତୃତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛି ।

ଭାରତ ଏହାର ରାଷ୍ଟ୍ରୀୟ ଆଇନ, ବିକାଶ ଏଜେଣ୍ଡା, ଏହାକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ସାଧନ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ବିଶ୍ୱିକ ପ୍ରତିବଦ୍ଧତାର ମୂଲ୍ୟାୟନ ଏବଂ ସ୍ୱଚ୍ଛ ତଥା ସବୁଜ ଶକ୍ତିର ଉପଲବ୍ଧତା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଘୋଷଣା କରିଛି । ପ୍ୟାରିସ ରାଜିନାମା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆବଶ୍ୟକ ଆନ୍ତର୍ଜାତିକ ପଦକ୍ଷେପମାନ 2020 ମସିହା ପରବର୍ତ୍ତୀ କାଳରେ କାର୍ଯ୍ୟକାରୀ କରାଯିବ । ତେବେ ସେହି ସମୟ ପର୍ଯ୍ୟନ୍ତ କ୍ୟୋଟ ପ୍ରୋଟକଲ ବଳବତ୍ତର ରହିବ ।