Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବନ୍ଦର-ଭିତ୍ତିକ ଶିଳ୍ପସଂସ୍ଥାକୁ ପ୍ରମୁଖ ବନ୍ଦରାଞ୍ଚଳରେ ଜମି ଓ ଜଳ ଯୋଗାଣ ନୀତିକୁ କେବିନେଟ ମଞ୍ଜୁରି


ବନ୍ଦରଭିତ୍ତିକ ଶିଳ୍ପସଂସ୍ଥାମାନଙ୍କୁ ଦେଶର ପ୍ରମୁଖ ବନ୍ଦରାଞ୍ଚଳରେ ଜମି ଓ ଜଳ ଯୋଗାଣ ଏବଂ ଏହାର କାର୍ଯ୍ୟ।ନ୍ଵୟନ ସକାଶେ ଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହା ଦ୍ୱାରା କେପ୍ଟିଭ ସୁବିଧା ପ୍ରଦାନ ବିଧିରେ ସମାନତା ଓ ସ୍ୱଚ୍ଛତା ରକ୍ଷା କରାଯାଇପାରିବ । ଏହା ବ୍ୟତୀତ ପ୍ରମୁଖ ବନ୍ଦର ସର୍ବାଧିକ କାର୍ଯ୍ୟଦକ୍ଷତାକୁ ମଧ୍ୟ ଉପଯୋଗ କରାଯାଇପାରିବ ଏବଂ ତଦ୍ଦ୍ୱାରା ପ୍ରମୁଖ ବନ୍ଦର ସଂସ୍ଥାମାନେ ଅଧିକ ରାଜସ୍ୱ ଉପାର୍ଜନ କରିପାରିବେ । ଏହି ନୀତି ଅନୁସାରେ ନୂତନ ସାଧନ ସୃଷ୍ଟି ଏବଂ ବର୍ତ୍ତମାନ ଉପଲବ୍ଧ ଓ ବ୍ୟବହୃତ ହେଉଥିବା ସାଧନ ଯଥା ଖାଲି ଓ ଅଚଳ ବର୍ଥର ଉପଯୋଗ କରାଯିବ । ଏହି ବ୍ୟବସ୍ଥା ଦେଶର ସମସ୍ତ ପ୍ରମୁଖ ବନ୍ଦରରେ କାର୍ଯ୍ୟକାରୀ ହେବ ।

ନୂତନ ନୀତି ଅନୁସାରେ ବନ୍ଦର ଉପରେ ନିର୍ଭରଶୀଳ ଶିଳ୍ପସଂସ୍ଥାମାନଙ୍କୁ ପ୍ରମୁଖ ବନ୍ଦରମାନଙ୍କର ସମର୍ପିତ ବ୍ୟବସ୍ଥା ସ୍ଥାପନ, ଲକ୍ଷ୍ୟସ୍ଥଳକୁ ପ୍ରେରଣ ପୂର୍ବରୁ ଆମଦାନ କିମ୍ବା ରପ୍ତାନି ମାଲର ଭଣ୍ଡାରକରଣ ନିମନ୍ତେ ରିହାତି ପ୍ରଦାନ କରାଯିବ ଓ ଏହି ଅବଧି 30 ବର୍ଷରୁ ଅଧିକ ହେବନାହିଁ । ଏହି ରିହାତି ଅବଧିକୁ ସର୍ତ୍ତାବଳୀ ପୂର୍ବକ ରିହାତି ରାଜିନାମା ଅନୁସାରେ ବଢ଼ାଯାଇପାରିବ ।

ସର୍ବାଧିକ 30 ବର୍ଷର କାର୍ଯ୍ୟ ଅବଧି ପରେ ପ୍ରମୁଖ ବନ୍ଦରଗୁଡିକରେ ସେହି ତଟୀୟ କ୍ଷେତ୍ର ଓ ତତସଂଲଗ୍ନ ଭୂମିକୁ ବର୍ଥ ନିର୍ମାଣ, ଉପକୂଳ ଆଙ୍କରେଜ, ଟ୍ରାନସିପମେଣ୍ଟ ଜେଟି, ଏକକ ପଏଣ୍ଟ ମୁରିଂ ଆଦି ପାଇଁ ଉପଯୋଗ କରାଯିବ । ତେବେ ରିହାତି ରାଜିନାମାରେ ଥିବା ସର୍ତ୍ତାବଳୀ ଅନୁସାରେ ତାହା କାର୍ଯ୍ୟକାରୀ କରାଯିବ । ବନ୍ଦର ଟ୍ରଷ୍ଟ ଓ PDI ଙ୍କ ମଧ୍ୟରେ ଏଭଳି ରାଜିନାମା ସ୍ୱାକ୍ଷରିତ ହେବ ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ 1996 ଓ 1998 ମସିହାର ନିୟମାବଳୀ ଅନୁସାରେ ପ୍ରମୁଖ ବନ୍ଦର କ୍ଷେତ୍ରର ତଟୀୟ ଅଞ୍ଚଳ ଓ ତତସଂଲଗ୍ନ ଭୂମିକୁ ବନ୍ଦରଭିତ୍ତିକ ଶିଳ୍ପ ନିମନ୍ତେ ଆବଣ୍ଟନ କରୁଥିଲେ ସୁଦ୍ଧା ଏହାର ସାମର୍ଥ୍ୟକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରାଯାଇପାରୁନାହିଁ ।

ତେଣୁ ସାଗରମାଳା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ସରକାର ବନ୍ଦରଭିତ୍ତିକ ବିକାଶ ଉପରେ ଗୁରୁତ୍ୱାରୋପ କରୁଛନ୍ତି । କେପ୍ଟିଭ ବ୍ୟବସ୍ଥାରେ ସମାନତା ଓ ସ୍ୱଚ୍ଛତା ରକ୍ଷା ମଧ୍ୟ ଏହି ନୀତିର ଅନ୍ୟତମ ଉଦ୍ଦେଶ୍ୟ ।

**********