ପିଏମଇଣ୍ଡିଆ
ବରିଷ୍ଠ ପେନସନ ବୀମା ଯୋଜନା -2003 ଏବଂ ବରିଷ୍ଠ ପେନସନ ବୀମା ଯୋଜନା – 2014କୁ କେନ୍ଦ୍ର କେବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ଆଜି (28.09.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ଦୁଇଟି ଯୋଜନା ପାଇଁ ସଂପୃକ୍ତ ସମୟାବଧି ମଧ୍ୟରେ ଜୀବନ ବୀମା ନିଗମକୁ ସବସିଡି ବାବଦରେ ଦିଆଯାଇଥିବା ବ୍ୟୟଭାର ବହନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏଠାରେ ସୂଚନା ଦିଆଯାଇପାରେ ଯେ ବରିଷ୍ଠ ପେନସନ ବୀମା ଯୋଜନା – 2003 ଗତ 2003 ମସିହା ଜୁଲାଇ 14 ତାରିଖରେ ଆରମ୍ଭ କରାଯାଇଥିଲା । ସେହିପରି ବରିଷ୍ଠ ପେନସନ ବୀମା ଯୋଜନା – 2014 ଅଗଷ୍ଟ 14, 2014 ମସିହାରେ ଲାଗୁ କରାଯାଇଥିଲା ।
ଏହି ଦୁଇଟି ଯାକ ଯୋଜନାକୁ କେନ୍ଦ୍ର ସରକାର ଏଲଆଇସି ମାଧ୍ୟମରେ କାର୍ଯ୍ୟକାରୀ କରାଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ସୁନିଶ୍ଚିତ ସର୍ବନିମ୍ନ ପେନସନ ପ୍ରଦାନ କରିବା ଲାଗି ଏହି ଦୁଇଟି ଯାକ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏବେ ଏହି ଦୁଇଟି ଯାକ ଯୋଜନାକୁ ଆଉ ଅଧିକ କାଳ ଲାଗୁ ନକରିବା ଲାଗି ନିଷ୍ପତି ନିଆଯାଇଛି । ଦୁଇଟି ଯାକ ବରିଷ୍ଠ ପେନସନ ବୀମା ଯୋଜନା ପରିପକ୍ୱ ହେବାପରେ ଏହାର କାର୍ଯ୍ୟଅବଧି ସମାପ୍ତ ହେଲା ବୋଲି ଧରିନିଆଯିବ ଏବଂ ଆଉ ପରବର୍ତ୍ତୀ ପଲିସି ନିମନ୍ତେ ଅନୁମତି ଦିଆଯିବନାହିଁ । 31 ମାର୍ଚ୍ଚ 2016 ସୁଦ୍ଧା ବରିଷ୍ଠ ପେନସନ ବୀମା ଯୋଜନା – 2014 ଅଧୀନରେ 3 ଲକ୍ଷ 17 ହଜାର 991 ଜଣ ପଲିସିଧାରକ ଉପକୃତ ହୋଇଛନ୍ତି । ସେହିପରି ବରିଷ୍ଠ ପେନସନ ବୀମା ଯୋଜନା – 2003 ଅଧୀନରେ ମାର୍ଚ୍ଚ 2016 ସୁଦ୍ଧା 2 ଲକ୍ଷ 84 ହଜାର 699 ପଲିସିଧାରକ ବୀମା ସୁବିଧା ପାଇଛନ୍ତି ।