Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାବା ବନ୍ଦା ସିଂହ ବାହାଦୁର ଜୀଙ୍କ 300 ତମ ଶହୀଦ ସ୍ମାରକୀ ବାର୍ଷିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବାବା ବନ୍ଦା ସିଂହ ବାହାଦୁର ଜୀଙ୍କ 300 ତମ ଶହୀଦ ସ୍ମାରକୀ ବାର୍ଷିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ବାବା ବନ୍ଦା ସିଂହ ବାହାଦୁର ଜୀଙ୍କ 300 ତମ ଶହୀଦ ସ୍ମାରକୀ ବାର୍ଷିକ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଆଜି ମୁଁ କବିବର ରବିନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ରଚିତ ବାବା ବନ୍ଦା ସିଂହଙ୍କ ତ୍ୟାଗ ଓ ବଳିଦାନର ଗାଥାକୁ ଏକ ସୁନ୍ଦର କବିତା ମାଧ୍ୟମରେ ଶୁଣୁଲି ଆଉ ସତେ ଯେମିତି ସେହି ସମୟ ମୋ ସମ୍ମୁଖରେ ଜୀବନ୍ତ ହୋଇଗଲା । ଏହି କବିତାରୁ ସ୍ପଷ୍ଟ ଜଣାପଡୁଛି ଯେ, ବନ୍ଦା ବାହାଦୁର ସେହି ବ୍ୟକ୍ତିତ୍ୱଙ୍କ ନାଁ ଥିଲା, ଯାହାଙ୍କ ପାଖରେ ତ୍ୟାଗ ଓ ବଳିଦାନର ଭଣ୍ଡାର, ସମାଜ ପ୍ରତି ସମ୍ବେଦନା, ସମାଜର ସୁଖଦୁଃଖ ପାଇଁ ଜୀବନକୁ ବାଜି ଲଗାଇବାର କାମନା ରହିଥିଲା । ତାଙ୍କ ପାଖରେ ନା କେବଳ ବୀରତା, ନା କେବଳ ବଳିଦାନ ଥିଲା ତାହା ନୁହେଁ ବରଂ ସମାଜ ସୁଧାର, ସାଧାରଣ ମାନବିକ ମୂଲ୍ୟବୋଧ, ଏଭଳି ସୁଦୃଢ଼ ଭିତ୍ତିଭୂମି ଯେଉଁ ମହାପୁରୁଷ, ଯେଉଁ ବୀର ଯୋଦ୍ଧା ରଖିଥିଲେ, ତାଙ୍କର 300 ତମ ଶହୀଦ ଦିବସରେ ଆଜି ଆମେ ତାଙ୍କଠୁ ପ୍ରେରଣା ନେବା ପାଇଁ, ତାଙ୍କଠାରୁ କିଛି ଶିଖିବା ପାଇଁ ଓ ତାଙ୍କର ଶିକ୍ଷାକୁ ଆମର କାର୍ଯ୍ୟକଳାପରେ କରି ଦେଖାଇବା ପାଇଁ ଆଜି ଆମେ ତାଙ୍କର ପୁଣ୍ୟ ସ୍ମରଣ କରୁଛୁ ।

ବାବା ବନ୍ଦା ସିଂହଙ୍କ କଥା ପଞ୍ଜାବ କି ଉତ୍ତର-ଭାରତ ମଧ୍ୟରେ ସୀମିତ ନଥିଲା । ତାଙ୍କର ଜୀବନ ଏକ ଆଦର୍ଶ ଥିଲା, ଯାହା 300 ବର୍ଷ ଧରି ଭାରତର ଲୋକଙ୍କୁ ପ୍ରେରଣା ଦେଉଛି । ଆମେ ସମସ୍ତେ ଜାଣିଛେ ବନ୍ଦା ବାହାଦୁର ଜୀ ଜଣେ ମହାନ ଯୋଦ୍ଧା ତଥା ସାଧାରଣ ମାନବିକ ମୂଲ୍ୟବୋଧ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରଶାସକ ଭାବେ ଇତିହାସରେ ନିଜର ନାମ ଲିପିବଦ୍ଧ କରାଇଛନ୍ତି । କିନ୍ତୁ ଯେତେବେଳେ ଗୁରୁଦେବ ଟାଗୋର ତାଙ୍କ ସମ୍ପର୍କରେ ଲେଖିଲେ, ସେ ତାଙ୍କର ଏହି ମାନବିକ ଗୁଣ ଆମ ସମ୍ମୁଖକୁ ଆଣିଲେ, ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ । ଯାହା ଅନ୍ୟମାନଙ୍କୁ ଜୀବନତମାମ ପ୍ରେରଣା ଦେଉଛି । ଯୁଦ୍ଧ ଭଳି ଜଟିଳ ପରିସ୍ଥିତିରେ, ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳରେ ବନ୍ଦା ସିଂହ ବାହାଦୁର ଗୋଟିଏ ମୁହୂର୍ତ୍ତ ବି ନିଜର ମାର୍ଗରୁ ବିଚଳିତ ହୋଇନାହାନ୍ତି । ଇତିହାସରେ ଏଭଳି ବ୍ୟକ୍ତି ଖୋଜିଲେ କେଉଁଠି ବି ମିଳିବେ ନାହିଁ । ଏହା ଛୋଟ କଥା ନୁହେଁ । ବନ୍ଦା ସିଂହଙ୍କ ପୁରା କାର୍ଯ୍ୟକାଳ କେବଳ ନିଜ ହାତରେ ତଲୱାର ରଖିବା ମଧ୍ୟରେ ସୀମିତ ନଥିଲା, ସେ ତଲୱାରର ଧାରରେ ଜୀବନ ବିତାଉଥିଲେ ଆଉ ଏହି କାରଣରୁ ଜୀବନର ଏତେ ସଂଘର୍ଷମୟ ସମୟ, ରାଜକୀୟ ସମୟ ତାଙ୍କୁ ନିଜ ମାର୍ଗରୁ କେବେ ବିଚଳିତ କରିନଥିଲା । ଲକ୍ଷ୍ୟକୁ ଅନିଶ୍ଚିତତା ହେବାକୁ ଦେଇନଥିଲା । ମୁଁ ଭାବୁଝି ଇତିହାସରେ ଏଭଳି ବ୍ୟକ୍ତିତ୍ୱ ଖୁବ୍ କମ୍ ଦେଖିବାକୁ ମିଳିବେ ।

ବନ୍ଦା ସିଂହ ବାହାଦୁର ଜୀଙ୍କ ସାହାସ ଥିଲା ତାଙ୍କର କର୍ତ୍ତବ୍ୟ । ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରେରଣା ପାଲଟିଥିଲେ । ଏହା ହିଁ ଏକ ଶ୍ରେଷ୍ଠ ଉଦାହରଣ । ବିପରୀତ ପରିସ୍ଥିତିରେ ବି ସାହାସର ସହ, ସ୍ୱାଭିମାନର ସହ, ଜୀବନରେ ମୁକାବିଲା କରାଯାଇଥାଏ, ଯଦି ଏହା କାହାରିଠାରୁ ଶିଖିବାର ଅଛି ତା’ହେଲେ ବନ୍ଦା ବାହାଦୁରଜୀଙ୍କ ଉପରେ ଗୁରୁ ରବିନ୍ଦ୍ରନାଥ ଟାଗୋର ଯେଉଁ କବିତା ଲେଖିଛନ୍ତି, ଉକ୍ତ କବିତାର ପ୍ରତିଟି ଶବ୍ଦରୁ ଆମକୁ ବଞ୍ଚିବାର ପ୍ରେରଣା ମିଳିଥାଏ । ଆମର ମାର୍ଗ ପ୍ରଶସ୍ତ କରିଥାଏ ।

ଅଷ୍ଟାଦଶ ଶତାବ୍ଦୀର ଯେଉଁ ସମୟରେ ବନ୍ଦା ବାହାଦୁର ସିଂହଙ୍କ ଜନ୍ମ ହୋଇଥିଲା, ସେତେବେଳେ ସାମାଜିକ, ଆର୍ଥିକ ଓ ରାଜନୀତିକ ଉତ୍ଥାନ-ପତନ ମଧ୍ୟ ଦେଇ ଦେଶ ଗତି କରୁଥିଲା । ଦେଶର ସବୁ ବୟସର ଲୋକ, ସବୁ ଭାଗରେ ରହୁଥିବା ଲୋକ, ସମାଜର ସବୁ ବର୍ଗର ଲୋକଙ୍କ ଉପରେ ଏହି ପରିବର୍ତ୍ତନର ସିଧାସଳଖ ପ୍ରଭାବ ପଡୁଥିଲା । ବନ୍ଦା ବାହାଦୁରଜୀଙ୍କ ପିଲାବେଳ ବି ଏଥିରୁ ବାଦ୍ ଯାଇନଥିଲା । ସେ ନିଜ ପାରିପାର୍ଶ୍ଵିକ ସ୍ଥିତି ଦେଖୁଥିଲେ ଓ ବୁଝି ବି ପାରୁଥିଲେ । କଥାରେ ଅଛି ମଣିଷର ଜୀବନରେ ଅନେକ ସମୟରେ କେବଳ ଗୋଟିଏ ଘଟଣା ହିଁ ତା’ର ଆଗାମୀ ଜୀବନର ସଫଳତା ନିର୍ଦ୍ଧାରଣ କରିଥାଏ । ବନ୍ଦା ବାହାଦୁର ଜୀଙ୍କ କ୍ଷେତ୍ରରେ ମଧ୍ୟ ସେପରି ହୋଇଥିଲା । କିଶୋର ଅବସ୍ଥାରେ ଗୋଟିଏ ପଶୁ-ଜନ୍ତୁକୁ ମାରିବା ପରେ ସେ ଏତେ ବିଚଳିତ ହୋଇପଡ଼ିଥିଲେ, ତାଙ୍କର ଆତ୍ମଗ୍ଲାନି ଏତେ ବଢ଼ି ଯାଇଥିଲା ଯେ ତାଙ୍କ ଭିତରେ ବୈରାଗ୍ୟ ଆସି ଯାଇଥିଲା ।

ଆମେ ଭଗବାନ ବୁଦ୍ଧଙ୍କ କଥା ଶୁଣିଛେ । ଦୁଇ ଭାଇ ଜଙ୍ଗଲକୁ ଯାଉଛନ୍ତି । ଜଣେ ମାରିବାବାଲା ଓ ଆଉଜଣେ ବଞ୍ଚାଇବା ବାଲାର ପକ୍ଷ ନେଲେ । ଆଉ ଯିଏ ବଞ୍ଚାଇବା ବାଲାର ପକ୍ଷ ନେଲେ ସିଏ ସିଦ୍ଧାର୍ଥ ବୁଦ୍ଧ ପାଲଟିଗଲେ । ବନ୍ଦା ବାହାଦୁର ସିଂହ, ଗୋଟିଏ ଘଟଣା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା ଓ ସେ ବୈରାଗୀ ପାଲଟିଗଲେ । ଏହି ବୈରାଗ୍ୟ ତାଙ୍କୁ ଗୁରୁ ଗୋବିନ୍ଦ ସିଂହଙ୍କ ଚରଣକୁ ନେଇ ଯାଇଥିଲା । ନାନ୍ଦେଡରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କୁ ସାକ୍ଷାତ କରିବା ପରେ ତାଙ୍କର ପୁରୁଣା ଜୀବନର ପରିଚୟ ପଛରେ ରହିଯାଇଥିଲା । ସଂସାରର ହାତ ଛାଡି ଦେଇଥିଲେ, ଯେଉଁଠି ସେ କେବେ ମାଧବ ଦାସ ନାଁରେ ପରିଚିତ ଥିଲେ । ସେ କଥା ଇତିହାସ ପୃଷ୍ଠାରେ ଲୁଚି ଯାଇଥିଲା ଓ ସେ ବନ୍ଦା ସିଂହ ନାମ ଧାରଣ କରି ଏହି ସାକ୍ଷାତକାର ପରେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ପ୍ରେରଣାରେ ବୈରାଗୀ କିଶୋରରୁ ଜଣେ ମହାନ ସୈନିକ ହେବାର ମାର୍ଗ ଚୟନ କରିଥିଲେ । ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରତିଟି କଥାକୁ ବାବା ବନ୍ଦା ସିଂହ ବାହାଦୁର ଜୀ ନିଜ ମନ ଓ ଆତ୍ମାରେ ବସାଇଥିଲେ । ବୋଧହୁଏ ଗୁରୁଙ୍କ ପ୍ରତି ଏଭଳି ସମର୍ପଣ ଭାବ ଯାହା ବନ୍ଦା ବାହାଦୁର ଦେଖାଇଥିଲେ ତାହା ଗୁରୁ-ଶିଷ୍ୟ ପରମ୍ପରାର ଏକ ଉଜ୍ୱଳ ଉଦାହରଣ ବୋଲି କହିପାରେ । ଆଉ ଇତିହାସ ସାକ୍ଷୀ ଅଛି ଯେ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଏହି ଭକ୍ତ କିଭଳି ନିଜ ସହ ହଜାର ହଜାର ଲୋକଙ୍କୁ ସାମିଲ କରିଥିଲେ, ବ୍ୟବସ୍ଥା ପରିବର୍ତ୍ତନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲେ । ଏକ ମହାନ ସଂଗଠକ ଭାବେ ସେ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ନିଜ ସହ ଯୋଡ଼ିଥିଲେ । ଯେମିତି ଛତ୍ରପତି ଶିବାଜୀ ମହାରାଜା ଛୋଟ ଛୋଟ ଅଂଚଳକୁ ନିଜ ସହ ଯୋଡ଼ି ଏକ ମହାନ ସୈନ୍ୟଶକ୍ତିର ନିର୍ମାଣ କରିଥିଲେ । ବନ୍ଦା ସିଂ ବାହାଦୁର ବି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ଜୀବନ ସହ ଯୋଡ଼ି ଏକ ମହାନ ସାମରିକ ଶକ୍ତିରେ ନିଜର ସାଂଗଠନିକ କୌଶଳର, ଜଣେ ମହାନ ସଂଗଠକର ପରିଚୟ ଦେଇଥିଲେ । ଆଉ ସଂଗଠନର ଶକ୍ତିରେ ବଡ଼ ବଡ଼ ଲକ୍ଷ୍ୟକୁ ହାସଲ କରାଯାଇପାରେ । ତାଙ୍କ ପାଖରେ ସମ୍ବଳ ନଥିଲା କି ଟଙ୍କା ପଇସା ନଥିଲା କି ଶାସନ ବି ନଥିଲା । ସଂଗଠନର କୌଶଳ ଓ ଅସୀମ ସାହାସ ଥିଲା ଆଉ ଯାହା ସେ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେଉଥିଲେ ତାକୁ କରିବା ପାଇଁ ପୁରା ଦକ୍ଷତାର ସହ ନିଜକୁ ସମର୍ପିତ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହୁଥିଲେ । ବନ୍ଦା ସିଂହ ବାହାଦୁର ଶାସନରେ ପ୍ରଥମ ଥର ପଞ୍ଜାବରେ ଗରିବ ଚାଷୀଙ୍କୁ ଜମିର ମାଲିକାନା ମିଳିଥିଲା । ଯିଏ ଚାଷ କରିବ ସିଏ ଖାଇବ – ଏହି ସିଦ୍ଧାନ୍ତରେ ବନ୍ଦା ସିଂହ ବାହାଦୁର ଚାଷୀଙ୍କୁ ସେମାନଙ୍କ ଅଧିକାର ଫେରାଇଥିଲେ । ବନ୍ଦା ସିଂହ ଜାଣିଥିଲେ ଯଦି ଗରିବଙ୍କ ଉତ୍ଥାନ କରିବାର ଅଛି ତା’ହେଲେ ସେମାନଙ୍କୁ ଅଧିକାର ଦେବାକୁ ହେବ । ସେ ଚାଷୀଙ୍କୁ ଆର୍ଥିକ ସ୍ୱାଧୀନତା ଦେବା ସପକ୍ଷରେ ଥିଲେ । ଆଜି ଯେଉଁମାନେ ସମାଜବାଦୀ ଚିନ୍ତାଧାରାର ଚର୍ଚ୍ଚା କରୁଛନ୍ତି ସେମାନେ ବନ୍ଦା ସିଂହଙ୍କ ଶାସନକାଳର ପ୍ରତିଟି ନିର୍ଣ୍ଣୟକୁ ଦେଖିଲେ ଜାଣିପାରିବେ ସମାଜର ସାଧାରଣ ମାନବିକ ମୂଲ୍ୟବୋଧକୁ କିଭଳି ସଶକ୍ତ କରିହେବ । ସେମାନଙ୍କ ଭିତରେ ବିକାଶର ଆଗ୍ରହ କିଭଳି ସୃଷ୍ଟି କରିହେବ ଓ ସାଧାରଣ ମଣିଷର ସାମର୍ଥ୍ୟର ଭରସାରେ ସାରା ଦେଶକୁ ସ୍ୱାଧୀନତା ଆଡ଼କୁ କିପରି ନେଇହେବ ତାହା ବନ୍ଦା ସିଂହ ଜୀଙ୍କ ଶାସନକାଳର ପ୍ରତ୍ୟେକ ନିଷ୍ପତ୍ତି ଭିତରେ ଆମେ ଅନୁଭବ କରିପାରିବା । ସେ ଜାଣିଥିଲେ ଏହି ଦେଶରେ ଦାରିଦ୍ର୍ୟ ସେତେବେଳେ ଦୂର ହେବ, ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗର ବିକାଶ ହେବ । ଅସନ୍ତୁଳିତ ବିକାଶର ପ୍ରତ୍ୟେକ ସମସ୍ୟାକୁ ସେ ଦୂର କରିଥିଲେ । ତାଙ୍କର ସଂରକ୍ଷଣରେ ଦାରିଦ୍ର୍ୟ ଓ ପଛୁଆ ଜାତିଙ୍କ ସ୍ୱାର୍ଥ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଥିଲା । ସେମାନଙ୍କୁ ବିନା ଭେଦଭାବରେ ନ୍ୟାୟ ମିଳୁଥିଲା । ଜଣେ ମହାନ ଯୋଦ୍ଧା ହୋଇ ମଧ୍ୟ ସେ ସମୟରେ ଗଣତନ୍ତ୍ର ପ୍ରତି ବନ୍ଦା ସିଂହ ବାହାଦୁରଙ୍କ ସମର୍ପଣ ଆଜି ବି ଉଦାହରଣଯୋଗ୍ୟ ଓ ପ୍ରେରଣାଦାୟକ । ସେ ଶାସନର ସମସ୍ତ କ୍ଷମତା କେବଳ ନିଜ ହାତରେ ରଖିନଥିଲେ । ସେ ନିଜକୁ ଶାସନର କେବଳ ଜଣେ ଭାଗିଦାର ଭାବୁଥିଲେ । ଏପରିକି ମୁଦ୍ରା ଓ ମୋହରରେ ନିଜ ନାଁରେ ନୁହେଁ ବରଂ ଗୁରୁ ନାନକ ଦେବଜୀ ଓ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ନାମରେ ପ୍ରଚଳନ କରାଉଥିଲେ । ସେ ନିଜର ନାଁ କେବେ ଆଗକୁ ଆଣି ନଥିଲେ । ବର୍ତ୍ତମାନ ଯୁଗର ରାଜନୀତିକୁ ଦେଖନ୍ତୁ । ଜାଣିପାରିବେ ସେ ତଲୱାର ଧାରରେ ଜୀବନକୁ ସମର୍ପିତ କରି ଶାସନ ବ୍ୟବସ୍ଥାରେ ବିରାଜମାନ ହୋଇଥିଲେ । ତାଙ୍କର ହକ୍ ଥିଲା, କିନ୍ତୁ ସେ ନିଜ ପାଇଁ କେବେ ଏହି ଅଧିକାରକୁ ଉପଯୋଗ କରିନଥିଲେ । ତାଙ୍କର ମନରେ ଗଣତାନ୍ତ୍ରିକ ମୂଲ୍ୟବୋଧ କିଭଳି ସୃଷ୍ଟି ହୋଇଥିବ, ତାହା ଆମେ ଏହି କଥାରୁ ଅନୁଭବ କରିପାରିବା ।

ସେ ଏହି ଦେଶର ସାଂସ୍କୃତିକ ଓ ଧାର୍ମିକ ବିବିଧତାକୁ ସମ୍ମାନ ଦେଉଥିଲେ । ଏମିତି ତ ଶିଖ୍, ଇତିହାସର ସବୁ ପୃଷ୍ଠାରେ.. ଆଉ ଏହାକୁ ଅତ୍ୟନ୍ତ ଦାୟିତ୍ୱର ସହ କହୁଛି । ଶିଖ୍ ଇତିହାସର ପ୍ରତ୍ୟେକ ପୃଷ୍ଠାରେ ଶହୀଦଙ୍କ କାହାଣୀ ଲିପିବଦ୍ଧ ହୋଇ ରହିଛି । କିନ୍ତୁ ବାବା ବନ୍ଦା ସିଂହ ବାହାଦୁର ଜୀଙ୍କ ବଳିଦାନର ଅନନ୍ୟ ଉଦାହରଣ ବୋଧହୁଏ ଆଉ କେଉଁଠି ଆମକୁ ମିଳିପାରିବ ନାହିଁ । ଯିଏ ଦିନେ କେବେ ବୈରାଗୀ ଥିଲେ, ତାଙ୍କୁ ରାଷ୍ଟ୍ରଭକ୍ତି ଏତେ ସାମର୍ଥ୍ୟ ଦେଇଥିଲା କି ସେ ଯନ୍ତ୍ରଣାକୁ ଭୟ କରିନଥିଲେ କି ମୃତ୍ୟୁକୁ ବି ନୁହେଁ ।

ଏହି 300 ବର୍ଷର ଶହୀଦ ବାର୍ଷିକୀ ଅବସରରେ ବନ୍ଦା ସିଂହ ଜୀଙ୍କ ବିଚକ୍ଷଣ ପ୍ରତିଭା, ତାଙ୍କର ସାହାସ ଓ ତାଙ୍କର ବଳିଦାନକୁ ଶତ ଶତ ପ୍ରଣାମ କରୁଛି । ଶ୍ରୀ ଗୁରୁ ଗ୍ରନ୍ଥ ସାହେବରେ ଲିଖିତ ଭକ୍ତ କବୀରଜୀଙ୍କ ଶବ୍ଦ ମୁଁ କହୁଛି…

ସୁରା ସୋ ପହଚାନିୟେ, ଜୋ ଲଡେ ଦିନ କେ ହିତ ।

ପୂର୍ଜା-ପୂର୍ଜା କର ମରେ, କବହୁ ନା ଛୋଡ଼େ ଖେତ ।

ମୁଁ ଖୁସି ଯେ ଆଦରଣୀୟ ପ୍ରକାଶ ସିଂ ବାଦଲ ଜୀଙ୍କ ନେତୃତ୍ୱରେ ପଞ୍ଜାବ ସରକାର 2010 ରେ ଚପ୍ପଡ ଚିଡିର ଐତିହାସିକ ମଇଦାନରେ ବିଜୟ ସ୍ତମ୍ଭ ନିର୍ମାଣ କରିଛନ୍ତି, ବାବା ବନ୍ଦା ସିଂ ବାହାଦୁର ଓ ତାଙ୍କ ସାଥୀଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏକ ବହୁତ ଐତିହାସିକ ସମ୍ମାନ ଦେଇଛନ୍ତି । ଏହି ବିଜୟ ସ୍ତମ୍ଭ କେବଳ ପଞ୍ଜାବରେ ନୁହେଁ ସମଗ୍ର ଦେଶର ଅଂଶବିଶେଷ ପାଇଁ, ଯୁବବର୍ଗଙ୍କ ପାଇଁ, ଆଗାମୀ ପୀଢ଼ି ପାଇଁ ଏକ ପ୍ରେରଣାର ସ୍ରୋତ ହେବ ।

ଗତ ଏକବର୍ଷ ଧରି ପଞ୍ଜାବ ସରକାର ସମତେ ଶିରୋମଣି ଗୁରୁଦ୍ୱାରା ପରିଚାଳନା କମିଟି ଓ ଦିଲ୍ଲୀ ଶିଖ୍ ଗୁରୁଦ୍ୱାରା ପରିଚାଳନା କମିଟି ବାବା ବନ୍ଦା ସିଂହ ବାହାଦୁର ଜୀଙ୍କ 300 ତମ ଶହୀଦ ସମାଗମ ପାଳନ କରିବା ପାଇଁ ଅନେକ ଆୟୋଜନ କରିସାରିଛି । ଆଉ ଆଗକୁ ମଧ୍ୟ ଆୟୋଜନ ହେବାର ଅଛି । ମୁଁ ଏହି ମହାପୁରୁଷଙ୍କୁ ପ୍ରଣାମ ଜଣାଇବା ସହ ଏହି କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନେକ ଅନେକ ଶୁଭକାମନା ଜଣାଉଛି ।

ଚଳିତବର୍ଷ ଆଉ ଏକ ସୌଭାଗ୍ୟ ଦେଶର କୋଟି କୋଟି ଲୋକଙ୍କୁ ମିଳିବାର ଅଛି । ଆଉ ସେ ସୌଭାଗ୍ୟ ହେଉଛି ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଜନ୍ମର 350 ତମ ଜୟନ୍ତୀ ସମାରୋହ ଖୁବ୍ ସମ୍ମାନର ସହ ଭାରତ ସରକାର ପାଳନ କରିବାକୁ ଯାଉଛନ୍ତି । ଦେଶର ପ୍ରତ୍ୟେକ କୋଣରେ ପାଳନ କରାଯିବ । ବିଶ୍ୱର ଯେଉଁଠି ବି ହିନ୍ଦୁସ୍ତାନୀ ଅଛନ୍ତି ସେଠାରେ ପାଳନ କରାଯିବ । ଏଥିପାଇଁ ଭାରତ ସରକାର 100 କୋଟି ଟଙ୍କା ଆବଣ୍ଟିତ କରିଛନ୍ତି । ସମାରୋହର ଆୟୋଜନ ପାଇଁ ଏକ ଉଚ୍ଚସ୍ତରୀୟ ରାଷ୍ଟ୍ରୀୟ କମିଟି ଗଠନ କରାଯାଇଛି ।

ମୋର ବିଶ୍ୱାସ ଯେ, ଇତିହାସର ଏହି ଘଟଣା ଆମର ଆଗାମୀ ପୀଢ଼ିକୁ ଆମର ପୂର୍ବ ପୀଢ଼ି ସହ ଯୋଡ଼ିବ । ଇତିହାସ ସେହିମାନେ ରଚିପାରିବେ, ଯେଉଁମାନେ ଇତିହାସର ମୂଳ ସହ ଜଡ଼ିତ ରହିଥାନ୍ତି । ତେଣୁ ଆମେ 300 ବର୍ଷ ପାଳନ କରୁ ବା 350 ତମ ବର୍ଷ ପାଳନ କରୁ ବା ଆମେ ଶତାବ୍ଦୀ ପାଳନ କରୁ, ବୋଧହୁଏ ଏସବୁ ସୁଯୋଗ ଉକ୍ତ ମହାନ୍ ପରମ୍ପରା ସହ ଆମକୁ ଯୋଡ଼ି ରଖିଥାଏ । ଐତିହାସିକ କୀର୍ତ୍ତିରାଜି ସହ ଯୋଡ଼ିଥାଏ ଆଉ ଏହା ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କରିବା ପାଇଁ ଆମକୁ ଏକ ନୂଆ ଶକ୍ତି ଦିଏ, ନୂଆ ପ୍ରେରଣା, ଏକ ନବଚେତନା ଦେଇଥାଏ ।

ମୋର ବିଶ୍ୱାସ ଯେ, ବାବା ବନ୍ଦା ସିଂହ ବାହାଦୁର ଜୀଙ୍କୁ ଯେଉଁମାନେ ମନେ ପକାଉଛନ୍ତି, ସେମାନେ ସାହାସର ସହ, ତ୍ୟାଗ ଓ ବଳିଦାନ ସହ ଜଣେ ପ୍ରଶାସକ ଭାବେ, ସମାଜ ସଂସ୍କାରକ ଭାବେ ସମାଜ ନିକଟରେ ପହଞ୍ଚିବେ । ମୁଁ ତାଙ୍କର ଶ୍ରୀଚରଣରେ ପ୍ରଣାମ କରୁଛି ଆଉ ତାଙ୍କର ଜୀବନରୁ ପ୍ରେରଣା ନେଇ ଆମେ ସମାଜର ସେବା କରିପାରିବା, ଦେଶର ସେବା କରିବା, ଏହି କାମନା କରୁଛି । ଏହି ସମାରୋହକୁ ଆସିବା ପାଇଁ ମୋତେ ସୁଯୋଗ ମିଳିଲା, ମୋତେ ଯେଉଁ ସମ୍ମାନ ମିଳିଲା, ସେଥିପାଇଁ ସମସ୍ତଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ୱାହେ ଗୁରୁ ଜୀ କା ଖାଲ୍ସା, ୱାହେ ଗୁରୁ ଜୀ କି ଫତହ ।