ପିଏମଇଣ୍ଡିଆ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାହାରିନଠାରେ ଭାରତୀୟ ସମ୍ପ୍ରଦାୟଙ୍କୁ ସମ୍ବୋଧନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ, “ସରକାରଙ୍କ ମୁଖ୍ୟ ଭାବେ, ପ୍ରଧାନମନ୍ତ୍ରୀ ଭାବେ ମୁଁ ବାହାରିନ ଗସ୍ତରେ ଆସିଥାଇ ପାରେ, ମାତ୍ର ମୋର ଲକ୍ଷ୍ୟ ହେଉଛି ଏଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବା ଏବଂ ଲକ୍ଷ ଲକ୍ଷ ବାହାରିନ ବାସୀଙ୍କ ସହିତ ଭାବ ବିନିମୟ କରିବା । ଆଜି ହେଉଛି ପବିତ୍ର ପର୍ବ ଜନ୍ମାଷ୍ଟମୀ । ମୋତେ କୁହାଯାଇଛି ଯେ ଗଲ୍ଫ ଅଞ୍ଚଳରେ ଜନ୍ମାଷ୍ଟମୀ ଅବସରରେ ଏବେ ମଧ୍ୟ କୃଷ୍ଣଙ୍କ କଥା ବର୍ଣ୍ଣନା କରାଯିବାର ପରମ୍ପରା ରହିଛି । ଆସନ୍ତାକାଲି ମୁଁ ଶ୍ରୀନାଥ ଜୀଙ୍କ ମନ୍ଦିରକୁ ଯିବି ଏବଂ ଆପଣଙ୍କ ଦେଶରେ ଏବଂ ଆପଣମାନଙ୍କର ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିବି ।”
“ମୁଁ ଜାଣେ ଯେ ଆପଣମାନେ ଏବଂ ଭାରତରେ ଭକ୍ତମାନେ ଏହି ଅବସରକୁ କିପରି ଭାବେ ଭକ୍ତି, ଆନନ୍ଦ ଏବଂ ଉଲ୍ଲାସର ସହ ପାଳନ କରନ୍ତି । ଏହା ମଧ୍ୟ ଆଉ ଏକ ଖୁସିର କଥା ଯେ ଆସନ୍ତାକାଲି ଏହି ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହେବ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ବାହାରିନରେ ଭାରତୀୟମାନଙ୍କ ସାଧୁତା, ନିଷ୍ଠା, ସାମର୍ଥ୍ୟ ଏବଂ ବାହାରିନର ସାମାଜିକ-ଅର୍ଥନୈତିକ ଜୀବନରେ ସେମାନଙ୍କ ଯୋଗଦାନ ଲାଗି ଅନେକ ସଦିଚ୍ଛା ରହିଛି । “ଆପଣମାନେ ଆପଣମାନଙ୍କ କଠିନ ପରିଶ୍ରମ ଦ୍ୱାରା ଏଠାରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି । ଆମକୁ ଏହି ସଦିଚ୍ଛା ଭାବକୁ ସୁଦୃଢ଼ କରିବାକୁ ପଡିବ । ମୁଁ ଯେତବେଳେ ଏଠାକାର ସରକାରରେ ଥିବା ଭାରତୀୟ ସାଥୀ, ଏଠାକାର ବ୍ୟବସାୟୀ, ଏଠାରେ ସ୍ଥାୟୀ ବସତି ସ୍ଥାପନ କରିଥିବା ବ୍ୟକ୍ତି, ଏଠାରେ କାମ କରୁଥିବା ସାଥୀ ମାନଙ୍କର ପ୍ରଶଂସା ଶୁଣେ ସେତବେଳେ ମୋର ହୃଦୟ ଆନନ୍ଦରେ ଭରିଯାଏ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତରେ ପ୍ରତ୍ୟେକ ପରିବାର ବ୍ୟାଙ୍କିଙ୍ଗ ସେବା ସହିତ ଜଡିତ । ମୋବାଇଲ ଫୋନ ଓ ଇନ୍ଟରନେଟ ଭାରତର ସାଧାରଣ ପରିବାରଙ୍କ ପହଞ୍ଚ ଭିତରେ ରହିଛି । ବିଶ୍ୱ ମଧ୍ୟରେ ସବୁଠାରୁ ଶସ୍ତା ଇନ୍ଟରନେଟ ଡାଟା ମିଳୁଛି ଭାରତରେ । ଭାରତର ଅଧିକାଂଶ ସେବା ଯେପରି ଭାବେ ଡିଜିଟାଲ ଭାବେ ପ୍ରଦାନ କରାଯିବ ସେ ନେଇ ପ୍ରୟାସ ଚାଲୁ ରହିଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ଭାରତୀୟ ଏବେ ବିଶ୍ୱାସ କରୁଛି ଯେ ଭାରତର ସ୍ୱପ୍ନ ପୁରଣ ହୋଇପାରିବ, ଆଶା ଏବଂ ଅଭିଳାଷା ପୁରଣ ହୋଇପାରିବ । “ଆମର ଲକ୍ଷ୍ୟ ଉଚ୍ଚା ରହିଛି, ମାତ୍ର ତୁମ ପାଖରେ ଯେତବେଳେ ୧୩୦ କୋଟି ଜନସାଧାରଣଙ୍କ ହାତ ରହିଛି, ସେତବେଳେ ତୁମକୁ ଉତ୍ସାହ ମିଳିଥାଏ । ଭାରତ ଆଜି ଆଗକୁ ବଢ଼ୁଛି, କେବଳ ସରକାରଙ୍କ ପ୍ରୟାସରେ ନୁହେଁ, ମାତ୍ର କୋଟି କୋଟି ଭାରତୀୟଙ୍କ ଅଂଶଗ୍ରହଣ ଦ୍ୱାରା । ସରକାର କେବଳ ଷ୍ଟିଅରିଂ ଧରିଛନ୍ତି ମାତ୍ର ଦେଶର ଜନସାଧାରଣ ଆକ୍ସିଲରେଟରରେ ଚାପ ପକାଉଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।
ସେ କହିଲେ ଯେ ଭିମ ଆପ, ୟୁପିଆଇ ଓ ଜନଧନ ଆକାଉଣ୍ଟ ଭଳି ସୁବିଧା ଭାରତରେ ବ୍ୟାଙ୍କିଙ୍ଗକୁ ସାଧାରଣ ନାଗରିକମାନଙ୍କ ପାଇଁ ସୁଲଭ କରିଛି । ସାରା ବିଶ୍ୱରେ ଏବେ ଆମ ରୂପେ କାର୍ଡ କାରବାରର ପସନ୍ଦ ଯୋଗ୍ୟ ମାଧ୍ୟମରେ ପରିଣତ ହେଉଛୁ । ଏବେ ସାରା ବିଶ୍ୱରେ ବ୍ୟାଙ୍କ ଗୁଡ଼ିକ ରୂପେ କାର୍ଡ ଗ୍ରହଣ କରୁଛନ୍ତି ।
“ମୁଁ ବହୁତ ଖୁସି ଯେ ଆପଣମାନେ ବାହାରିନରେ ଖୁବ ଶୀଘ୍ର ରୂପେ କାର୍ଡ ମାଧ୍ୟମରେ କାରବାର କରିପାରିବେ । ଆଜି ରୂପେ କାର୍ଡର ବ୍ୟବହାର ନେଇ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଆମର ଉଦ୍ଦେଶ୍ୟ ହେଉଛି ଆପଣମାନଙ୍କ ଘର ଭାରତକୁ କିପରି ଭାବେ ଆପଣମାନେ ରୂପେ କାର୍ଡ ମାଧ୍ୟମରେ ପଇସା ପଠାଇ ପାରିବେ ସେ ସୁବିଧା ପ୍ରଦାନ କରିବା । ଆପଣମାନେ ଏବେ କହିବା ପାଇଁ ସମର୍ଥ ହେବ ଯେ ବାହାରିନ- ରୂପେ କାର୍ଡ ମାଧ୍ୟମରେ ଦେୟ ପ୍ରଦାନ କର,” ବୋଲି ସେ କହିଥିଲେ ।
ସେ କହିଲେ ଯେ ଗତ 5 ବର୍ଷ ମଧ୍ୟରେ ଆମର ପ୍ରୟାସ ହେଉଛି 130 କୋଟି ଭାରତୀୟଙ୍କ ସହ ବିଦେଶରେ ରହୁଥିବା କୋଟି କୋଟି ଭାରତୀୟଙ୍କ ମୁଣ୍ଡ ଯେପରି ସବୁବେଳେ ଉଚ୍ଚା ରହିବ । ଆଜି ଯେତବେଳେ ସାରା ବିଶ୍ୱ ଭାରତକୁ ସମ୍ମାନର ସହ ଦେଖୁଛି ତାହାର ବଡ କାରଣ ହେଉଛନ୍ତି ଆପଣମାନଙ୍କ ପରି ଲକ୍ଷ ଲକ୍ଷ ସାଥୀ ।
ଭାରତରେ ହେଉଥିବା ବିକାଶ ସମ୍ବନ୍ଧରେ ପ୍ରକାଶ କରି ସେ କହିଲେ ଯେ ଅବାଧ ଗତିଶୀଳତା ପାଇଁ ଭାରତ ‘ଗୋଟିଏ ଦେଶ ଗୋଟିଏ କାର୍ଡ’ ବ୍ୟବସ୍ଥା ଆଡକୁ ଗତି କରୁଛି । ସମଗ୍ର ଦେଶ ‘ଗୋଟିଏ ଦେଶ ଗୋଟିଏ ଗ୍ରୀଡ’ ଏବଂ ଜିଏସଟି ରୁପରେ ‘ଗୋଟିଏ ଦେଶ ଗୋଟିଏ ଟ୍ୟାକ୍ସ’ ମାଧ୍ୟମରେ ସଂଯୁକ୍ତ ହୋଇଛି । ଭାରତ ଜୀବନ ଧାରଣର ସହଜତା ଏବଂ ବ୍ୟବସାୟର ସହଜତାର ସମସ୍ତ ପଦକ୍ଷେପକୁ ସୁସଙ୍ଗତ କରିଛି । ଭାରତର ଯୁବକମାନଙ୍କ ଦ୍ୱାରା ଭାରତରେ ସମସ୍ତ ସମାଧାନର ସାଧନ ପ୍ରସ୍ତୁତ କରାଯାଇଛି । ‘ବୈଶ୍ୱିକ କାର୍ଯ୍ୟପ୍ରଣାଳୀ ସହ ଆଞ୍ଚଳିକ ସମାଧାନ’ ପାଇବା ପାଇଁ ଭାରତୀୟ ଯୁବ ସମାଜ ଅତ୍ୟନ୍ତ କର୍ତ୍ତବ୍ୟପରାୟଣତାର ସହ କାର୍ଯ୍ୟ କରୁଛି । ସାରା ବିଶ୍ୱରେ ଭାରତୀୟ ପ୍ରତିଭାକୁ ସ୍ୱୀକୃତି ମିଳୁଛି । ଏହା ବୈଶ୍ୱିକ ପ୍ରତିଷ୍ଠାନ ଏବଂ ପ୍ରକଳ୍ପ ମାନଙ୍କରେ ଚମତ୍କାର ପ୍ରଦର୍ଶନ କରୁଛି । ଖୁବ କମ ବ୍ୟୟରେ ଚନ୍ଦ୍ରାୟନ ଭଳି କୃତିତ୍ୱ ହାସଲ କରୁଥିବାରୁ ଭାରତୀୟ ବୈଜ୍ଞାନିକମାନଙ୍କୁ ବିଶ୍ୱବ୍ୟାପୀ ପ୍ରଶଂସା ମିଳୁଛି । ଏପରି ଗୁଣାତ୍ମକତା କେବଳ ଆମ ପାଇଁ ଲାଭପ୍ରଦ ନୁହେଁ ବରଂ ଆମର ପରିଚୟ ମଧ୍ୟ ଯେ ଆମେ ବଜେଟ ଉପରେ କେବଳ ଧ୍ୟାନ ଦେଉନି ବରଂ ଆମ ଲକ୍ଷ୍ୟ ହାସଲ କରିବା ପାଇଁ ଆମ ଇଚ୍ଛାଶକ୍ତି ଉପରେ ନିର୍ଭର କରୁ ।
ପ୍ରଧାନମନ୍ତ୍ରୀ କହିଲେ ଯେ 2022ରେ ଭାରତ ସ୍ୱାଧୀନତାର 75 ବର୍ଷ ପୂରଣ କରିବ । ଆପଣଙ୍କ ସ୍ତରରେ ଏକ ନୂତନ ସଂକଳ୍ପବଦ୍ଧତା ଗ୍ରହଣ କରିବା ପାଇଁ ମୁଁ ଆପଣମାନଙ୍କୁ ପ୍ରେରିତ କରିବାକୁ ଚାହିଁବି । ଆପଣମାନେ ନିଷ୍ପତି ଗ୍ରହଣ କରନ୍ତୁ ଯେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଜଣେ ବାହାରିନ ବନ୍ଧୁଙ୍କୁ ଭାରତ ଗସ୍ତରେ ଆସି ଭାରତର ସୁନ୍ଦର ହିଲ ଷ୍ଟେସନ ଓ ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଦେଖିବା ପାଇଁ ଅନୁପ୍ରାଣିତ କରିବେ । ଆମେ ମଧ୍ୟ ୨୦୨୨ ସୁଦ୍ଧା ଭାରତକୁ ଐକ୍ୟ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଂକଳ୍ପ ନେଇଛୁ ।
ପ୍ରଧାନମନ୍ତ୍ରୀ କହିଲେ, “ଆମର ପାରସ୍ପରିକ ମୂଲ୍ୟବୋଧ ଏବଂ ସ୍ୱାର୍ଥକୁ ପୂରଣ କରିବା ପାଇଁ ଭାରତ ଓ ବାହାରିନ ମିଳିତ ଭାବେ କାର୍ଯ୍ୟ କରନ୍ତୁ । ଭାରତ ଓ ବାହାରିନ ହେଉଛନ୍ତି ପ୍ରାଚୀତ ସଭ୍ୟତା ଥିବା ଆଧୁନିକ ଦେଶ । ଉଭୟଙ୍କ ପାଖରେ ଅଫୂରନ୍ତ ସାମର୍ଥ୍ୟ ରହିଛି । ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ବାହାରିନରେ ରହୁଥିବା ପ୍ରବାସୀ ଭାରତୀୟମାନେ ଭାରତ-ବାହାରିନ ମଧ୍ୟରେ ସମ୍ପର୍କର ବନ୍ଧନ ଏବଂ ସମ୍ଭାବନାକୁ ଦୃଢ଼ କରିବା ସହିତ ଏହାକୁ ଏକ ନୂତନ ସୋପାନକୁ ନେଇଯିବେ ।”
*************