Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ


ବାୟୁ ପ୍ରଦୂଷଣର ମୁକାବିଲା ଲାଗି ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଜି ପୁଣିଥରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର । ଗତ 24 ଘଣ୍ଟା ମଧ୍ୟରେ ଏସବୁ ରାଜ୍ୟରେ ଅଗ୍ନିକାଣ୍ଡ ଏବଂ ପସଲ ବର୍ଜ୍ୟ ଦହନ ମାମଲାର ନିୟନ୍ତ୍ରଣ ଲାଗି ନିଆଯାଇଥିବା ଅତିରିକ୍ତ ପଦକ୍ଷେପର ବିବରଣୀ ଜାଣିବାକୁ ଚାହିଁଥିଲେ ।

ପଞ୍ଜାବ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ହଟସ୍ପଟ ଚିହ୍ନଟ ହୋଇଥିବା ବିଭିନ୍ନ ଜିଲ୍ଲାର ଉପ ଆୟୁକ୍ତମାନଙ୍କ ସହିତ ମିଶି ସେ ବ୍ୟକ୍ତିଗତ ଭାବେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି । ସେ ଆହୁରି କହିଥିଲେ ଯେ ବାୟୁ ପ୍ରଦୂଷଣ (ପ୍ରଦୂଷଣର ନିୟନ୍ତ୍ରଣ ଏବଂ ନିରାକରଣ) ଆଇନ, 1981ର ଉଲ୍ଲଙ୍ଘନ ପାଇଁ ମାମଲା ମଧ୍ୟ ରୁଜୁ କରାଯାଇଛି । ଏହି ଆଇନର ଉଲ୍ଲଙ୍ଘନ କ୍ଷେତ୍ରରେ ରାଜ୍ୟ ସରକାର କଠୋର ପଦକ୍ଷେପ ସ୍ୱରୂପ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି ।

ହରିୟାଣା ମୁଖ୍ୟ ଶାସନ ସଚିବ କହିଥିଲେ ଯେ ରାଜ୍ୟରେ ଯଥାଶୀଘ୍ର ଫସଲ ବର୍ଜ୍ୟ ଦହନ ମାମଲା ହ୍ରାସ କରିବା ଲାଗି ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି । ବାୟୁ ପ୍ରଦୂଷଣ ମାମଲାର ନିୟନ୍ତ୍ରଣ ଲାଗି ବିଭିନ୍ନ ଦଳ କ୍ଷେତ୍ର ପ୍ରଦର୍ଶନ କରୁଛନ୍ତି ।

ଦିଲ୍ଲୀ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଜଳ ସିଂଚନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଅଧିକ ବାୟୁ ପ୍ରଦୂଷଣ ଥିବା ହଟସ୍ପଟ ଓ କରିଡରରେ ସ୍ଥିତି ସୁଧାରିବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଖୋଲାରେ ଅଳିଆ ଗଦା କରିବା ଉପରେ ଅଂକୁଶ ଲଗାଯାଇଛି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ସର୍ବାଧିକ ଜୋରିମାନା ଆଦାୟ କରାଯାଉଛି ।

ଆଗାମୀ କିଛିଦିନ ପର୍ଯ୍ୟନ୍ତ ପାଣିପାଗ ଅନୁକୂଳ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଜରୁରି ଆଗୁଆ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଗୁରୁତ୍ୱାରୋପ କରିଥିଲେ ।

ସମସ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବା ପରେ ସମସ୍ୟାର ସମାଧାନ ପାଇଁ ଦୀର୍ଘସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ପି.କେ ସିହ୍ନା, କ୍ୟାବିନେଟ ସଚିବ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସଚିବ, କୃଷି ସଚିବ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଏବଂ ପଞ୍ଜାବ, ହରିୟାଣା ଓ ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।