ପିଏମଇଣ୍ଡିଆ
2016 ଅକ୍ଟୋବରରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ରୁଷ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଏମ୍ଓୟୁ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଡିଏସଟି ମାଧ୍ୟମରେ ରୁଷ ସାଧାରଣତନ୍ତ୍ରର ବୈଜ୍ଞାନିକ, ବିଜ୍ଞାନ ଗବେଷଣା ସଂସ୍ଥା ଏବଂ ସହଯୋଗୀ ସଂସ୍ଥାଗୁଡ଼ିକ ଭାରତ ସହ ମିଳିତ ଭାବେ ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବା ଏହି ଏମ୍ଓୟୁର ଉଦ୍ଦେଶ୍ୟ ।
ଏହି ଏମ୍ଓୟୁ ଅଧୀନରେ ପାରସ୍ପରିକ ସହଯୋଗ ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି ।
• ପାରସ୍ପରିକ ଲାଭ ପାଇଁ ସମ୍ମିଳନୀ, ଫୋରମ୍, ପ୍ରଦର୍ଶନୀ ଆଦି ଆୟୋଜନ ମାଧ୍ୟମରେ ସୂଚନା ଆଦାନପ୍ରଦାନ;
• ଉଭୟ ପକ୍ଷ ଦ୍ୱାରା ମିଳିତ ଭାବେ ନିର୍ଦ୍ଧାରିତ ବିଷୟବସ୍ତୁ ଉପରେ ମିଳିତ ଗବେଷଣା କରିବା ଏବଂ ବିଜ୍ଞାନ ପ୍ରକଳ୍ପ ନିର୍ମାଣ ଲାଗି ସହଯୋଗ ତଥା ବ୍ୟବସ୍ଥା କରିବା;
• ଉଭୟ ପକ୍ଷର ନିଷ୍ପତ୍ତି ଅନୁଯାୟୀ ବୈଜ୍ଞାନିକଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ କରାଇବା ଉଦ୍ଦେଶ୍ୟରେ ମିଳିତ ଭାବେ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ (ସମ୍ମିଳନୀ, ଗୋଲଟେବୁଲ୍ ବୈଠକ, ଆଲୋଚନାଚକ୍ର) ଆୟୋଜନ କରିବା;
• ବିଜ୍ଞାନ ଗବେଷଣା ସଂସ୍ଥା, ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ଲାଗି ସମ୍ପର୍କ ପ୍ରତିଷ୍ଠା;
• ବିଜ୍ଞାନର ଲୋକପ୍ରିୟତା ଲାଗି ମିଳିତ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମର ଗଣମାଧ୍ୟମ ଦ୍ୱାରା ପ୍ରଚାର;
• ଏହି କ୍ଷେତ୍ରରେ ଆନ୍ତଃଶୃଙ୍ଖଳାମୂଳକ ଏବଂ ବହୁମୁଖୀ ସଂସ୍ଥାଗତ ପ୍ରକଳ୍ପର ବିକାଶ;
ଏହି ବୁଝାମଣାପତ୍ର ମାଧ୍ୟମରେ ଭାରତ ଏବଂ ରୁଷ ମଧ୍ୟରେ ବ୍ୟାପକ ସହଯୋଗ ଲାଗି ନିର୍ଦ୍ଧାରିତ ହୋଇଛି ।
ସ୍ୱାକ୍ଷରିତ ହେବା ଦିନ ଠାରୁ ଏହି ଏମ୍ଓୟୁର ଅବଧୀ 5 ବର୍ଷ ପାଇଁ ରହିବ । ଆବଶ୍ୟକସ୍ଥଳେ ଏମଓୟୁ କାର୍ଯ୍ୟକାରୀ କରାଯିବାର ଅବଧୀକୁ ଅଧିକ 5ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ । ତେବେ ନିର୍ଦ୍ଧାରିତ 5ବର୍ଷ ମଧ୍ୟରେ ଯଦି କୌଣସି ପକ୍ଷ ଚୁକ୍ତି ବାତିଲ କରିବାକୁ ଚାହାନ୍ତି, ତେବେ 6 ମାସ ଆଗରୁ ଏଥିପାଇଁ ଅପରପକ୍ଷକୁ ସୂଚିତ କରିବାକୁ ହେବ ।