ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବୁଝାମଣାପତ୍ର (ଏମଓୟୁକୁ) ମଞ୍ଜୁରି ଦେଇଛନ୍ତି ।
ମେ, 2018ରେ ଏହି ଏମଓୟୁରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ଭୂବିଜ୍ଞାନ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ ଇଣ୍ଡୋନେସିଆ ପକ୍ଷରୁ ସେଠାକାର ଗବେଷଣା, ପ୍ରଯୁକ୍ତି ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ମହମ୍ମଦ ନାସିର ସ୍ୱାକ୍ଷର କରିଥିଲେ । ଏହି ଏମଓୟୁ ସ୍ୱାକ୍ଷରିତ ହେବା ଦ୍ୱାରା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଲାଗି ନୂତନ ଅଧ୍ୟାୟ ଖୋଲିବ । ଏହାଦ୍ୱାରା ଉଭୟ ପକ୍ଷକୁ ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥ ସାଧନ ଲାଗି ପରିପୂରକ ସାମର୍ଥ୍ୟ ମିଳିପାରିବ ।
ବିଜ୍ଞାନ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ସମାନତା ଏବଂ ପାରସ୍ପରିକ ଲାଭର ଆଧାରରେ ଭାରତ ଏବଂ ଇଣ୍ଡୋନେସିଆର ମଧ୍ୟରେ ସହଯୋଗ ବଢ଼ାଇବା ଏହି ଏମଓୟୁର ଉଦ୍ଦେଶ୍ୟ । ଏହାର ହିତାଧିକାରୀଙ୍କ ମଧ୍ୟରେ ଭାରତ ଓ ଇଣ୍ଡୋନେସିଆର ବୈଜ୍ଞାନିକ ସଂଗଠନର ଗବେଷକ, ଶିକ୍ଷା, ଆରଏଣ୍ଡଡି ଗବେଷଣାଗାର ଏବଂ କମ୍ପାନୀ ସାମିଲ ରହିଛି । ତ୍ୱରିତ ସହଯୋଗ ଲାଗି ଚିହ୍ନଟ କରାଯାଇଥିବା ସମ୍ଭାବ୍ୟ କ୍ଷେତ୍ରରେ ସୂଚନା ଏବଂ ସଂଚାର ପ୍ରଯୁକ୍ତି, ସମୁଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି, ଜୀବନ ବିଜ୍ଞାନ (ଜୈବ ପ୍ରଯୁକ୍ତି, କୃଷି ଏବଂ ଜୈବ ଚିକିତ୍ସା ବିଜ୍ଞାନ), ଶକ୍ତି ଗବେଷଣା, ଜଳ ପ୍ରଯୁକ୍ତି, ବିପର୍ଯ୍ୟୟ ପରିଚାଳନା, ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଏବଂ ଆପ୍ଲିକେସନ, ଜିୟୋସ୍ପାଟିଆଲ ଇନଫର୍ମେସନ ଏବଂ ଏପ୍ଲାଏଡ କେମେଷ୍ଟ୍ରୀ ସାମିଲ ରହିଛି ।
*****