Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୃନ୍ଦାବନରେ 300ତମ ଖାଦ୍ୟଥାଳି ପରଷିଲେ ପ୍ରଧାନମନ୍ତ୍ରୀ

ବୃନ୍ଦାବନରେ 300ତମ ଖାଦ୍ୟଥାଳି ପରଷିଲେ ପ୍ରଧାନମନ୍ତ୍ରୀ

ବୃନ୍ଦାବନରେ 300ତମ ଖାଦ୍ୟଥାଳି ପରଷିଲେ ପ୍ରଧାନମନ୍ତ୍ରୀ

ବୃନ୍ଦାବନରେ 300ତମ ଖାଦ୍ୟଥାଳି ପରଷିଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବୃନ୍ଦାବନ ଗସ୍ତ କରିଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ବୃନ୍ଦାବନର ଚନ୍ଦ୍ରୋଦୟ ମନ୍ଦିର ପରିସରରେ ଅକ୍ଷୟ ପାତ୍ର ଫାଉଣ୍ଡେସନର 300 କୋଟିତମ ଖାଦ୍ୟପାତ୍ରର ଏକ ଫଳକ ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦୁସ୍ଥ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରାଯାଉଥିବା 300 କୋଟିତମ ଖାଦ୍ୟଥାଳି ପରିବେଷଣ କରିଛନ୍ତି । ଇସ୍କନ ଅନୁଷ୍ଠାନ ପରିସରରେ ଶ୍ରୀଲ ପ୍ରଭୁପାଦଙ୍କ ବିଗ୍ରହରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କ ସହ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀ ରାମ ନାଏକ, ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, ଅକ୍ଷୟ ପାତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ସ୍ୱାମୀ ମଧୁ ପଣ୍ଡିତ ଦାସ ଏବଂ ଅନ୍ୟାନ୍ୟ ଉଚ୍ଚ ପଦାଧିକାରୀମାନେ ସାମିଲ ହୋଇଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତବ୍ୟ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌ର ଏଭଳି ଉଦ୍ୟମ ବାସ୍ତବିକ୍‌ ପ୍ରଶଂସନୀୟ । ମାତ୍ର 1500 ଶିଶୁଙ୍କୁ ଖାଦ୍ୟ ବଣ୍ଟନ ଠାରୁ ଆରମ୍ଭ କରି ଏହି କାର୍ଯ୍ୟକ୍ରମ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇଛି ଏବଂ ଦେଶବ୍ୟାପୀ ଦୈନିକ 17 ଲକ୍ଷ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଭୋଜନ ଥାଳି ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପରିବେଷଣ କରାଯାଇଥିଲା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି 300 କୋଟିତମ ଖାଦ୍ୟଥାଳି ପରଷିବା ତାଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟର କଥା । ଉତ୍ତମ ପୁଷ୍ଟି ଏବଂ ସୁସ୍ଥ ଶୈଶବ ହିଁ ନୂତନ ଭାରତର ଭିତ୍ତିଭୂମି ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱାସ୍ଥ୍ୟ ପାଇଁ ତିନୋଟି କଥା ଏକାନ୍ତ ଜରୁରି । ତାହା ହେଲା- ପୁଷ୍ଟିକର ଖାଦ୍ୟ, ଟୀକାକରଣ ଏବଂ ସ୍ୱଚ୍ଛତା । ତାଙ୍କ ସରକାର ଏହି ତିନୋଟି କଥା ଉପରେ ଗୁରୁତ୍ୱ ପ୍ରଦାନ କରିଆସୁଛନ୍ତି । ଜାତୀୟ ପୌଷ୍ଟିକତା ମିଶନ, ମିଶନ୍‌ ଇନ୍ଦ୍ରଧନୁଶ ଏବଂ ସ୍ୱଚ୍ଛ ଭାରତ ଅଭିଯାନକୁ ସରକାର ପ୍ରମୁଖ କାର୍ଯ୍ୟକ୍ରମ ଭାବେ ରୂପାୟନ କରୁଛନ୍ତି । ଜାତୀୟ ପୌଷ୍ଟିକତା ମିଶନ ଗତ ବର୍ଷ ଆରମ୍ଭ କରାଯାଇଛି ଯେଉଁଥିରେ ଦେଶର ପ୍ରତ୍ୟେକ ମା’ ଏବଂ ଶିଶୁଙ୍କୁ ଯେଭଳି ଉପଯୁକ୍ତ ପୁଷ୍ଟି ଉପଲବ୍ଧ ହୋଇପାରିବ ସେ ଦିଗରେ ସରକାର ଯତ୍ନବାନ ହୋଇଛନ୍ତି । “ଯଦି ଆମେ ପ୍ରତ୍ୟେକ ମା’, ପ୍ରତ୍ୟେକ ଶିଶୁଙ୍କ ପାଇଁ ପୁଷ୍ଟି ସୁନିଶ୍ଚିତ କରିପାରିବୁ, ତେବେ ଦେଶରେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ମିଶନ ଇନ୍ଦ୍ରଧନୁଶ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜାତୀୟ ଟୀକାକରଣ ଅଭିଯାନରେ ଆଉ ପାଞ୍ଚଟି ଟୀକା ସାମିଲ କରାଯାଇଛି । 3 କୋଟି 40 ଲକ୍ଷ ଶିଶୁ ଏବଂ 90 ଲକ୍ଷ ଗର୍ଭବତୀ ମହିଳାଙ୍କୁ ଏଯାବତ୍‌ ଟୀକା ପ୍ରଦାନ କରାଯାଇଛି । ଏଭଳି ସଫଳତା ପାଇଁ ମିଶନ ଇନ୍ଦ୍ରଧନୁଷ ଯୋଜନାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହାକୁ ଏବେ ବିଶ୍ୱବ୍ୟାପୀ କାର୍ଯ୍ୟକାରୀ ହେଉଥିବା 12ଟି ସଫଳ ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ଏକ ପ୍ରମୁଖ ମେଡ଼ିକାଲ ଜର୍ଣ୍ଣାଲ ଉଲ୍ଲେଖ କରିଛି ।

ସେହିଭଳି ସ୍ୱଚ୍ଛ ଭାରତ ଅଭିଯାନ ଓ ପରିମଳ ସଂପର୍କରେ ନିଜର ମତ ପ୍ରଦାନ କରି ଶ୍ରୀ ମୋଦୀ କହିଲେ ଯେ ଏକ ଆନ୍ତର୍ଜାତିକ ରିପୋର୍ଟ ଉଲ୍ଲେଖ କରିଛି ଶୌଚାଳୟ ବ୍ୟବହାର କରିବା ଦ୍ୱାରା ଅନ୍ୟୁନ 3 ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଯାଇ ପାରିବ । ସ୍ୱଚ୍ଛ ଭାରତ ଅଭିଯାନ ଏହି ଦିଗରେ ଏକ ସଫଳ ପ୍ରୟାସ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସରକାରଙ୍କ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଯଥା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ଉଜ୍ଜ୍ୱଳା ଯୋଜନା, ରାଷ୍ଟ୍ରୀୟ ଗୋକୁଳ ମିଶନ ମଧ୍ୟ ଲୋକମାନଙ୍କ ପାଇଁ ବେଶ୍‌ ଉପକାରସିଦ୍ଧ ହୋଇପାରିଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ସରକାର 1 କୋଟି ମାଗଣା ଗ୍ୟାସ ସଂଯୋଗ କେବଳ ଉତ୍ତର ପ୍ରଦେଶରେ ହିଁ ବଣ୍ଟନ କରିଛନ୍ତି ବୋଲି ସେ ସୂଚାଇଥିଲେ ।

ଋାଷ୍ଟ୍ରୀୟ କାମଧେନୁ ଆୟୋଗ ସ୍ଥାପନ କରାଯାଇ ଗୋସଂପଦର ସଂରକ୍ଷଣ, ସୁରକ୍ଷା ତଥା ବିକାଶ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଗୋ ପ୍ରଜନନ ଦିଗେ ସରକାରଙ୍କ ପ୍ରୟାସକୁ ସାହାଯ୍ୟ କରିବା ସକାଶେ ଲୋକମାନଙ୍କୁ ଆହ୍ୱାନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ଗୋସଂପଦର ଉପଯୁକ୍ତ ବିକାଶ ଘଟିପାରିବ । ସେହିଭଳି କିଶାନ କ୍ରେଡ଼ିଟ କାର୍ଡ଼ ଜରିଆରେ କୃଷକମାନଙ୍କୁ 3 ଲକ୍ଷ ଟଙ୍କାର ଋଣ ସହଜରେ ଯୋଗାଇ ଦିଆଯାଉଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଦେଶର କୃଷକମାନଙ୍କ କଲ୍ୟାଣ ସକାଶେ ଉଦ୍ଦିଷ୍ଟ ଯେଉଁଥିରୁ ଉତ୍ତର ପ୍ରଦେଶର କୃଷକମାନେ ହିଁ ସର୍ବାଧିକ ଉପକୃତ ହୋଇପାରିଛନ୍ତି । କାରଣ ଏହି ପ୍ରଦେଶର ଅଧିକାଂଶ କୃଷକମାନଙ୍କ ଚାଷ ଜମି ପରିମାଣ 5 ଏକର ଠାରୁ କମ୍‌ ଯେଉଁଥିପାଇଁ ଏହି ଯୋଜନାର ସୁଫଳ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ନିଜର ବକ୍ତବ୍ୟ ଶେଷ କରି କହିଲେ ଯେ ଅକ୍ଷୟ ପାତ୍ର ଫାଉଣ୍ଡେସନର ଏଭଳି ପ୍ରୟାସ ‘ମୁଁ’ ଠାରୁ ‘ଆମେ’କୁ ପରିବର୍ତ୍ତିତ ହେବାର ଗୁରୁତ୍ୱକୁ ସୂଚାଉଛି । ଆମକୁ ଏବେ ନିଜ ଖୋଳରୁ ବାହାରି ସମାଜ କଥା ଚିନ୍ତା କରିବାର ଅବସର ଆସଛି ବୋଲି ସେ କହିଥିଲେ ।
ଅକ୍ଷୟ ପାତ୍ର ଫାଉଣ୍ଡେସନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରମାନଙ୍କ ସହ ଘନିଷ୍ଠ ସହଯୋଗ ରକ୍ଷା କରି ଗୁଣାତ୍ମକ, ପୁଷ୍ଟିକର ତଥା ସ୍ୱାସ୍ଥ୍ୟକର ଖାଦ୍ୟ ଲକ୍ଷ ଲକ୍ଷ ଶିଶୁଙ୍କୁ ଯୋଗାଇ ଆସୁଛି । ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଣ ସହଜସାଧ୍ୟ ହୋଇପାରିଛି । ଏବେ ଫାଉଣ୍ଡେସନ୍‌ 12ଟି ରାଜ୍ୟର 14,702 ଟି ବିଦ୍ୟାଳୟରେ ଅଧ୍ୟୟନରତ 1.76 ଲକ୍ଷ ଶିଶୁଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଆସୁଛି । 2016 ମସିହାରେ ଅକ୍ଷୟ ପାତ୍ର କାର୍ଯ୍ୟକ୍ରମ ଜରିଆରେ 200କୋଟିତମ ଖାଦ୍ୟଥାଳି ପରଷା ଯାଇଥିଲା ଯାହାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 300 କୋଟିତମ ଖାଦ୍ୟଥାଳି ଗରିବ ପିଲାମାନଙ୍କୁ ବଣ୍ଟନ କରିଥିଲେ । ସମାଜର ଅବହେଳିତ ଏବଂ ଗରିବ ଶ୍ରେଣୀର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଏହାର ବିଶେଷ ଭୂମିକା ରହିଆସିଛି ।