ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବେତନ ଏବଂ ପେନସନ୍ ଲାଭ ସଂକ୍ରାନ୍ତୀୟ ସପ୍ତମ ବେତନ ଆୟୋଗଙ୍କ ସୁପାରିସରେ ସଂଶୋଧନ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିପୂର୍ବରୁ ଜୁନ୍ 2016ରେ କେନ୍ଦ୍ର କ୍ୟାବିନେଟ୍ ସପ୍ତମ ବେତନ ଆୟୋଗଙ୍କ ସୁପାରିସକୁ ମଞ୍ଜୁରି ଦେଇଥିଲେ । ଏହାଦ୍ୱାରା ରାଜକୋଷ ଉପରେ 2016-17ବର୍ଷରେ ଅତିରିକ୍ତ 84,933 କୋଟି ଟଙ୍କା (2015-16ର ଦୁଇ ମାସର ଏରିଅରକୁ ମିଶାଇ)ର ବୋଝ ପଡ଼ିଥିଲା ।
ବେତନ ଆୟୋଗଙ୍କ ସୁପାରିସରେ ହୋଇଥିବା ସଂଶୋଧନ 2016 ଜାନୁଆରୀ, ଅର୍ଥାତ୍ ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଲାଗୁ ହେବା ଦିନ ଠାରୁ ଲାଗୁ ହେବ । ଏହାଦ୍ୱାରା ବାର୍ଷିକ ପେନସନ୍ ବିଲ୍ 1,76,071 କୋଟି ଟଙ୍କାରେ ପହଞ୍ଚିବ ।
କ୍ୟାବିନେଟ୍ ପେନସନ୍ ପ୍ରଦାନ ବାବଦରେ ଅତିରିକ୍ତ 5031 କୋଟି ଟଙ୍କା ବ୍ୟୟ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା 55 ଲକ୍ଷ ସାଧାରଣ, ସେନା ପେନସନ୍ ଭୋଗୀ ଏବଂ ପରିବାର ପେନସନ୍ ଭୋଗୀ ଉପକୃତ ହେବେ ।
ପେନସନ୍ ସଂକ୍ରାନ୍ତୀୟ କମିଟିର ସୁପାରିସକୁ ଗ୍ରହଣ କରି ପେନସନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା 2016 ପୂର୍ବରୁ ପେନସନ୍ ପାଉଥିବା ପେନସନଭୋଗୀଙ୍କ ପେନସନର 2.57ଗୁଣା ବୃଦ୍ଧି ଘଟିବ । କ୍ୟାବିନେଟ୍ ମଧ୍ୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପାଇଁ ଭିନ୍ନକ୍ଷମ ପେନସନ୍ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହାଦ୍ୱାରା ପ୍ରତିରକ୍ଷା ପେନସନ୍ ଭୋଗୀମାନେ ଉପକୃତ ହେବେ ଏବଂ ରାଜକୋଷ ଉପରେ ଅତିରିକ୍ତ 130 କୋଟି ଟଙ୍କାର ବୋଝ ପଡ଼ିବ ।