ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବେସାମରିକ ବିମାନ ଚଳାଚଳ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ପ୍ରସ୍ତାବିତ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହି ଏମଓୟୁ ଉଭୟ ସରକାରଙ୍କ ଅନୁମୋଦନ ଲାଭ କରିବା ପରେ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହେବ । ଏମଓୟୁର ଅବଧି ପାଞ୍ଚ ବର୍ଷ ପାଇଁ ହେବ ।
ଏହି ଏମଓୟୁର ଉଦ୍ଦେଶ୍ୟ ଭାରତରେ ଆଂଚଳିକ ବିମାନ ଯୋଗଯୋଗ ପ୍ରତିଷ୍ଠା ଏବଂ ସୁଧାର କରିବା ପ୍ରତି ବିଶେଷ ଗୁରୁତ୍ୱ ଦେଇ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗର ଆପୋସ ଲାଭକୁ ବିବେଚନା କରିବା ।
ଆପୋସ ସହଯୋଗକୁ ପ୍ରୋତ୍ସାହନ ଏବଂ ସୁଲଭ କରାଇବା ଲାଗି ଏହି ଏମଓୟୁର ମୁଖ୍ୟ କ୍ଷେତ୍ର ନିମ୍ନଲିଖିତ ପ୍ରକାରେ ପ୍ରଦତ୍ତ ହେଲା :
ଭାରତ ଏବଂ ପୋଲାଣ୍ଡ ମଧ୍ୟରେ ସହଯୋଗକୁ ପ୍ରତିକୂଳ ରୂପରେ ପ୍ରଭାବିତ କରୁଥିବା କୌଣସି ଆଇନଗତ ଏବଂ ପ୍ରକ୍ରିୟାଗତ ମାମଲାର ସମୀକ୍ଷା କରି ବେସାମରିକ ବିମାନ ଚଳାଚଳ ବଜାରକୁ ସହାୟତା କରିବା ।
ବିମାନ ଚଳାଚଳର ରକ୍ଷା ଏବଂ ସୁରକ୍ଷାକୁ ପ୍ରୋତ୍ସାହନ ଦେବା ଲାଗି ବିମାନ ଚଳାଚଳ ବିନିୟମ, କ୍ଷେତ୍ରୀୟ ବିମାନ ସଂଚାଳନ, ବିମାନ ଚଳାଚଳ ଯୋଗ୍ୟତା ଆବଶ୍ୟକତା ଏବଂ ସୁରକ୍ଷା ମାନଦଣ୍ଡର ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ବିମାନ ଚଳାଚଳ ପ୍ରାଧିକରଣ ମଧ୍ୟରେ ସୂଚନା ଏବଂ ବିଶେଷ ଜ୍ଞାନର ଆଦାନପ୍ରଦାନ, ଏବଂ/କିମ୍ବା
ସଂଗଠନ ଏବଂ/କିମ୍ବା ବେସାମରିକ ପ୍ରତିରକ୍ଷା ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପରିଚାଳନା, ସୁରକ୍ଷା, ନିରୀକ୍ଷଣ, ବିମାନ ଚଳାଚଳ ଯୋଗ୍ୟତା, ଲାଇସେନ୍ସିଂ, ବୈଧାନୀକରଣ ଏବଂ ପ୍ରବର୍ତ୍ତନ ଭଳି ପ୍ରସଙ୍ଗରେ ସହଯୋଗ କିମ୍ବା ମିଳିତ ବିକାଶ; ଏବଂ/କିମ୍ବା
ବିମାନ ଚଳାଚଳ ସମ୍ବନ୍ଧୀୟ ପରାମର୍ଶ, ସିଭିଲ ଆଭିଏସନ କ୍ଷେତ୍ର ସମ୍ବନ୍ଧୀୟ ପକ୍ଷର ପ୍ରତିନିଧିତ୍ୱ ଭାଗିଦାରୀର ସହଯୋଗ ସହିତ ବିମାନ ଚଳାଚଳ ସୁରକ୍ଷା ଭଳି କାର୍ଯ୍ୟକଳାପ ଉପରେ ସମ୍ମିଳନୀ ଏବଂ ବ୍ୟବସାୟିକ ସଂଗୋଷ୍ଠୀ, ଆଲୋଚନାଚକ୍ରର ମିଳିତ ଆୟୋଜନ ଏବଂ/କିମ୍ବା ପରିଚାଳନା; ଏବଂ/କିମ୍ବା
ଦୁଇ ଦେଶର ଆପୋସ ସ୍ୱାର୍ଥଜଡିତ ବିକାଶ ସହ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ସୁରକ୍ଷା ମଧ୍ୟରେ ସୂଚନା ଏବଂ ବିଶେଷ ଜ୍ଞାନର ଆଦାନ-ପ୍ରଦାନ ଏବଂ ଅଭିଜ୍ଞତାର ଆଦାନ-ପ୍ରଦାନ ଲାଗି ନିୟମିତ ଆଲୋଚନା କିମ୍ବା ବୈଠକର ଆୟୋଜନ;
ଆପୋସ ସ୍ୱାର୍ଥ ସହ ଜଡ଼ିତ ବିମାନ ଚଳାଚଳ ସୁରକ୍ଷା ସହ ସମ୍ପୃକ୍ତ ବିଷୟ ଏବଂ ପ୍ରସଙ୍ଗରେ ଅନୁସନ୍ଧାନ ଏବଂ ଅଧ୍ୟୟନର ସହଯୋଗ;
ଉପରୋକ୍ତ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ଅନ୍ୟ ବ୍ୟାପାର ।
***********