Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବୋଡ଼ୋ ରାଜିନାମା ବୋଡ଼ୋ ସମୁଦାୟ ପାଇଁ ଏକ ନୂଆ ଅଧ୍ୟାୟର ଆରମ୍ଭ କରିଛି, ଏହା ଆସାମର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ : ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୋଡ଼ୋ ରାଜିନାମାକୁ ଆସାମର ଶାନ୍ତି ଓ ବିକାଶ ଲାଗି ଏକ ଐତିହାସିକ ଅଧ୍ୟାୟ ଭାବେ ଅଭିହିତ କରିଛନ୍ତି । ବୋଡ଼ୋ ରାଜିନାମାକୁ ପ୍ରଶଂସା କରି ସେ କହିଛନ୍ତି ଯେ ଏହା ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ର ଏବଂ ଏକ ଭାରତ-ଶ୍ରେଷ୍ଠ ଭାରତଭାବନା ଦ୍ୱାରା ଅନୁପ୍ରାଣିତ ।

ଏକାଧିକ ଟ୍ୱିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପୂଜ୍ୟ ବାପୁଙ୍କ ପୁଣ୍ୟତିଧି ଅବସରରେ ସାରା ଦେଶ ତାଙ୍କୁ ସ୍ମରଣ କରୁଥିବା ସମୟରେ ଆସାମ ଶାନ୍ତି ଓ ବିକାଶର ଏକ ଐତିହାସିକ ପର୍ଯ୍ୟାୟରେ ପାଦ ଥାପୁଛି । 50 ବର୍ଷର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟି ଆମ ବୋଡ଼ୋ ବନ୍ଧୁମାନଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଏହା ଆସାମର ଏକତାକୁ ସୁଦୃଢ଼ କରିବ ଏବଂ ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ସହ ଏକ ଉଜ୍ଜ୍ୱଳ ଭବିଷ୍ୟତ ଲାଗି ମାର୍ଗ ପ୍ରଶସ୍ତ କରିବ ।

ବୋଡ଼ୋ ସଂଗଠନଗୁଡ଼ିକ ସହିତ ଏହି ଐତିହାସିକ ରାଜିନାମା ସ୍ୱାକ୍ଷରିତ ହେବା ଫଳରେ ବୋଡୋ ଅଂଚଳର ବିକାଶ ଆମ ସରକାରଙ୍କ ପ୍ରମୁଖ ପ୍ରାଥମିକତା ହେବ1500 କୋଟି ଟଙ୍କାର ବଡ଼ ପ୍ୟାକେଜରେ କାର୍ଯ୍ୟ ଆରମ୍ଭ ହୋଇସାରିଛି । ସହଜ ଜୀବନ ଧାରଣ ଏବଂ ସରକାରୀ ଯୋଜନାରୁ ବୋଡ଼ୋ ଲୋକମାନେ ଯେପରି ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେଥିପ୍ରତି ଆମେ ସ୍ୱତନ୍ତ୍ର ଦୃଷ୍ଟି ଦେବୁ  ।

ବୋଡ଼ୋ ବନ୍ଧୁମାନେ ଶାନ୍ତିର ମାର୍ଗରେ ଆମ ସହିତ ଯୋଡ଼ି ହେଉଛନ୍ତି । ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ ହିଂସା ତ୍ୟାଗ କରି ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବିଶ୍ୱାସ ରଖିବା ଦ୍ୱାରା ସବୁ ସମସ୍ୟାର ସମାଧାନ ସମ୍ଭବ । ମୁଖ୍ୟଧାରାକୁ ମୁଁ ମୋର ବୋଡ଼ୋ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । ବୋଡ଼ୋ ଅଂଚଳର ବିକାଶ ପ୍ରତି ଆମେ ପ୍ରତିବଦ୍ଧ ।

5 ଦଶନ୍ଧି ପୁରୁଣା ବୋଡ଼ୋ ସମସ୍ୟା ଆଜି ପୂଜ୍ୟ ବାପୁଙ୍କ ଜୟନ୍ତୀରେ ସମାଧାନ ହୋଇପାରିଛି ବୋଡ଼ୋ ସମୁଦାୟ ଏବଂ ସରକାରଙ୍କ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ଆସାମର ଏକତା ଓ ଅଖଣ୍ଡତାକୁ ସୁଦୃଢ଼ କରିବ । ହିଂସା ତ୍ୟାଗ କରିବା ଏବଂ ଗଣତନ୍ତ୍ର ଓ ସମ୍ବିଧାନ ଉପରେ ଭରସା ରଖିଥିବାରୁ ମୁଁ ମୋର ବୋଡ଼ୋ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି ।

ବୋଡ଼ୋ ବନ୍ଧୁମାନଙ୍କ ସହିତ ଏହି ରାଜିନାମା ଆସାମ ଓ ଦେଶର ଅନ୍ୟ ହିଂସାପୀଡ଼ିତ କ୍ଷେତ୍ର ଆଡ଼କୁ ଏକ ଭଲ ବାର୍ତ୍ତା ଦେଉଛି । ହିଂସା ଓ ଭୟମୁକ୍ତ ପରିବେଶରେ ହିଁ ଦେଶର ବିକାଶ ତ୍ୱରାନ୍ୱିତ ହୋଇପାରିବ । ମୁଁ ଖୁସି ଯେ ବୋଡ଼ୋ ବନ୍ଧୁମାନଙ୍କର ସମସ୍ତ ଶକ୍ତି ଦ୍ୱାରା ଆସାମର ବିକାଶ ଆହୁରି ସୁଦୃଢ଼ ହୋଇପାରିବ ।

ଆସାମର ଅନ୍ୟ ସମୁଦାୟଙ୍କ ହିତକୁ ସୁରକ୍ଷିତ ରଖାଯାଇ ବୋଡ଼ୋ ବନ୍ଧୁମାନଙ୍କ ସହିତ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ଆମ ସମସ୍ତଙ୍କ ପାଇଁ ଏକ ବିଜୟ, ଏହା ମାନବତାର ବିଜୟ । ଏହା ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସର ମନ୍ତ୍ର ଏବଂ ଏକ ଭାରତ-ଶ୍ରେଷ୍ଠ ଭାରତଭାବନା ଦ୍ୱାରା ଅନୁପ୍ରାଣିତ ।