ପିଏମଇଣ୍ଡିଆ
ସୋସାଇଟି ପଞ୍ଜିକରଣ ଆଇନ ୧୮୬୦ ଅନୁସାରେ ବ୍ରହ୍ମପୁରଠାରେ ଆଇଜର ସଂସ୍ଥାନ ନିର୍ମାଣ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ପିଛିଲା ଭାବେ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ଆଇନ ଅନୁସାରେ ଆଇଜର ବ୍ରହ୍ମପୁର ସୋସାଇଟି ଗଠନ କରାଯିବ ।
ଚଳିତ ୨୦୧୬-୧୭ ଶିକ୍ଷାବର୍ଷରୁ ଅସ୍ଥାୟୀ କେମ୍ପସରେ ଆଇଜର ବ୍ରହ୍ମପୁର ସଂସ୍ଥାନ କାର୍ଯ୍ୟକ୍ଷମ ହେବ । ଯେଉଁଥିପାଇଁ ପ୍ରଥମ ତିନି ବର୍ଷରେ ୧୫୨.୭୯ କୋଟି ଟଙ୍କା ଖର୍ଚ୍ଚ ହେବ । ଅଗଷ୍ଟ ପହିଲା ୨୦୧୬ରୁ ଏହି ସଂସ୍ଥାନର ଶିକ୍ଷା ବର୍ଷ ବା ଏକାଡେମିକ ସେସନ ଆରମ୍ଭ କରିବା ପ୍ରସ୍ତାବକୁ ମଧ୍ୟ କେବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି ।
ଏହି ସଂସ୍ଥାନ ଲାଗି ଓଡ଼ିଶା ସରକାର ଆବଶ୍ୟକ ପଡୁଥିବା ଜମିକୁ ମାଗଣାରେ ଯୋଗାଇଦେବେ । ଆଇଜର ବ୍ରହ୍ମପୁର ସଂସ୍ଥାନରେ ୮୦ ହଜାର ଟଙ୍କା (ଫିକ୍ସଡ) ବେତନ ହାରରେ ଏକ ନିର୍ଦ୍ଦେଶକ ପଦ ସୃଷ୍ଟି କରାଯିବ । ଆଇଜର ବ୍ରହ୍ମପୁର ଏବଂ ଆଇଜର ତିରୁପତି ସଂସ୍ଥାନର ଆନୁଷ୍ଠାନିକ ଗଠନ ଓ ପ୍ରତିଷ୍ଠା ନିମନ୍ତେ ସଂସଦରେ ଏକ ସଂଶୋଧନ ବିଲ ଆଗତ କରାଯିବ ବୋଲି ଆଜିର କେବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।