ପିଏମଇଣ୍ଡିଆ
ବ୍ରିକ୍ସ କୃଷି ଗବେଷଣା ସଂସ୍ଥାନ ପ୍ରତିଷ୍ଠା କରାଯିବ । ଏଥିଲାଗି ଭାରତ ଏବଂ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ମଞ୍ଜୁରି ଦିଆଯାଇଥିଲା ।
ଜୁଲାଇ 9, 2015ରେ ଋଷର ଉଫାଠାରେ ଅନୁଷ୍ଠିତ ସପ୍ତମ ବ୍ରିକ୍ସ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଭଳି ଏକ ଆନ୍ତର୍ଜାତିକ କୃଷି ଗବେଷଣା ସଂସ୍ଥାନ ଗଠନ ଲାଗି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବିତ ଗବେଷଣା କେନ୍ଦ୍ରରେ ଦୀର୍ଘସ୍ଥାୟୀ କୃଷି ବିକାଶ ଉପରେ ଗୁରୁତ୍ୱ ଦେଇ ଉଚ୍ଚତର ଅନୁସନ୍ଧାନ କରାଯିବ । ଏହା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ସମେତ ସାରା ବିଶ୍ୱରେ ଦାରିଦ୍ର୍ୟ ଦୂରୀକରଣ ସହ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବ। ଏଥିଲାଗି ବ୍ରିକ୍ସ ଓ ଆନ୍ତର୍ଜାତିକ ସମୁଦାୟ ମଧ୍ୟରେ ରଣନୀତିକ ଭାଗିଦାରୀତା ଉପରେ ଜୋର ଦିଆଯାଇଛି ।
ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ କୃଷି ଗବେଷଣା ନୀତି, ଆନୁସଙ୍ଗିକ ବିଜ୍ଞାନ ଓ ପ୍ରଯୁକ୍ତି କୌଶଳ, ନବସୃଜନ ଓ କୃଷି କ୍ଷେତ୍ରରେ ସାମର୍ଥ୍ୟ ବୃଦ୍ଧି, କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଉନ୍ନତ ଜ୍ଞାନ କୌଶଳ ଉପଲବ୍ଧ କରାଇବା ଆଦି ବିଷୟ ଉପରେ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଓ ସହଯୋଗ ପାଇଁ ଗତ ବର୍ଷ ଅକ୍ଟୋବର 16 ତାରିଖରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏଥିରେ ବ୍ରିକ୍ସ ରାଷ୍ଟ୍ର ସମୂହର ବୈଦେଶୀକ ମନ୍ତ୍ରୀମାନେ ସ୍ୱାକ୍ଷର କରିଥିଲେ । ବିଶ୍ୱରୁ ଦାରିଦ୍ର୍ୟ, କ୍ଷୁଧା ଓ ପୁଷ୍ଟିହୀନତା ଦୂର କରିବା ଦିଗରେ ପ୍ରସ୍ତାବିତ ବ୍ରିକ୍ସ କୃଷି ଗବେଷଣା ସଂସ୍ଥାନ ବିଶେଷ ରୂପେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି ।