ପିଏମଇଣ୍ଡିଆ
ମାନବସମ୍ବଳର ଦକ୍ଷତା ବିକାଶ ଏବଂ ସାମର୍ଥ୍ୟ ନିର୍ମାଣ ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ଦେଶର ପ୍ରଥମ ଜାତୀୟ ରେଳ ଏବଂ ପରିବହନ ବିଶ୍ୱବିଦ୍ୟାଳୟ (ଏନଆରଟିୟୁ) ଭଦୋଦରାରେ ପ୍ରତିଷ୍ଠା କରିବା ଭଳି ଏକ ରୂପାନ୍ତରଣକାରୀ ପଦକ୍ଷେପ ନେବାକୁ ଯାଉଛି ରେଳ ମନ୍ତ୍ରଣାଳୟ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାରେ ଏହି ଅଭିନବ ପଦକ୍ଷେପ, ନବଭାରତ ଗଠନ ଦିଗରେ ରେଳ ଏବଂ ପରିବହନ କ୍ଷେତ୍ରରେ ଉତପ୍ରେରକ ସାଜିବ ।
ୟୁଜିସି ଅଧିନିୟମ, 2016 ଅନୁଯାୟୀ ଏହି ବିଶ୍ୱବିଦ୍ୟାଳୟ ଏକ ନୋଭୋ ବର୍ଗର ଡିମ୍ଡ ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିଷ୍ଠା କରାଯିବ । 2018 ଏପ୍ରିଲ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଜୁଲାଇ 2018ରେ ରେଳ ବିଶ୍ୱବିଦ୍ୟାଳୟର ପ୍ରଥମ ଶିକ୍ଷାବର୍ଷ ଆରମ୍ଭ ହେବ ।
ରେଳ ମନ୍ତ୍ରଣାଳୟ କମ୍ପାନୀ ଅଧିନିୟମ, 2013ର ଧାରା 8 ଅନ୍ତର୍ଗତ ଏକ ଅଣଲାଭକାରୀ କମ୍ପାନୀ ପ୍ରତିଷ୍ଠା କରିବ, ଯାହା ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟର ପରିଚାଳକ ସଂସ୍ଥା ଭାବେ କାର୍ଯ୍ୟ କରିବ । କମ୍ପାନୀ ବିଶ୍ୱବିଦ୍ୟାଳୟକୁ ଆର୍ଥିକ ତଥା ଭିତ୍ତିଭୂମି ସହାୟତା ଯୋଗାଇ ଦେବ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ତଥା ପ୍ରତି-କୁଳପତିଙ୍କୁ ନିଯୁକ୍ତି ଦେବ । ପେଶାଦାର ଲୋକମାନଙ୍କୁ ତଥା ଶିକ୍ଷାବିତମାନଙ୍କୁ ନେଇ ପରିଚାଳନା ବୋର୍ଡ କମ୍ପାନୀ ଠାରୁ ଭିନ୍ନ ଭାବେ କାର୍ଯ୍ୟ କରିବ । ଏହା ନିକଟରେ ସମସ୍ତ ଏକାଡେମିକ ତଥା ପ୍ରଶାସନିକ ଦାୟିତ୍ୱ ତୁଲାଇବାର ସ୍ୱାୟତ୍ତତା ରହିବ ।
ଭଦୋଦରା ସ୍ଥିତ ଭାରତ ରେଳର ଜାତୀୟ ଏକାଡେମୀ (ଏନଏଆଇଆର)ର ବର୍ତ୍ତମାନ ଜମି ଏବଂ ଭିତ୍ତିଭୂମିର ବ୍ୟବହାର କରାଯିବ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ଏଥିରେ ଆବଶ୍ୟକ ସଂଶୋଧନ କରାଯିବ । ଏହା ପୂର୍ଣ୍ଣକାଳୀନ ପ୍ରତିଷ୍ଠାନ ହେବ ଏବଂ ଏଥିରେ 3 ହଜାର ଛାତ୍ରଛାତ୍ରୀ ପୂର୍ଣ୍ଣକାଳୀନ ଶିକ୍ଷା ଲାଭ କରିପାରିବେ । ନୂଆ ବିଶ୍ୱବିଦ୍ୟାଳୟ/ପ୍ରତିଷ୍ଠାନକୁ ପାଣ୍ଠି ଯୋଗାଣ ସମ୍ପୂର୍ଣ ଭାବେ ରେଳ ମନ୍ତ୍ରଣାଳୟ କରିବ ।
ଏହି ବିଶ୍ୱବିଦ୍ୟାଳୟ ଭାରତୀୟ ରେଳକୁ ଆଧୁନିକୀକରଣ ଦିଗରେ ନେଇଯିବ ଏବଂ ଉତ୍ପାଦକତା ବଢ଼ାଇବା ତଥା ‘ମେକ ଇନ ଇଣ୍ଡିଆ’କୁ ପ୍ରୋତ୍ସାହନ ଦେଇ ପରିବହନ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରୀୟ ନେତୃତ୍ୱ ପ୍ରଦାନ କରିବାରେ ସହାୟକ ହେବ । ବିଶ୍ୱବିଦ୍ୟାଳୟ ଦକ୍ଷ ମାନବ ସମ୍ବଳ ସୃଷ୍ଟିର ସେତୁ ନିର୍ମାଣ କରିବା ସହିତ ଭାରତୀୟ ରେଳରେ ଉନ୍ନତ ସୁରକ୍ଷା, ଗତି ଏବଂ ସେବା ପ୍ରଦାନ କରିବା ଲାଗି ଅତ୍ୟାଧୁନିକ ପ୍ରଯୁକ୍ତିର ଲାଭ ଉଠାଇବ । ବିଶ୍ୱବିଦ୍ୟାଳୟ ପ୍ରଯୁକ୍ତିକୁ ସକ୍ରିୟ କରି ତଥା ପ୍ରଯୁକ୍ତି ପ୍ରଦାନ କରି ‘ଷ୍ଟାର୍ଟ ଅପ ଇଣ୍ଡିଆ’ ତଥା ‘ସ୍କିଲ ଇଣ୍ଡିଆ’କୁ ସହାୟତା ଯୋଗାଇ ଦେବ ତଥା ଉଦ୍ୟୋଗଶୀଳତାକୁ ପ୍ରୋତ୍ସାହନ ଦେବା ସହିତ ବ୍ୟାପକ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଏଥିରେ ରେଳବାଇ ତଥା ପରିବହନ କ୍ଷେତ୍ରରେ ପରିବର୍ତ୍ତନ ଆସିପାରିବ ତଥା ଯାତ୍ରୀ ଏବଂ ବସ୍ତୁର ପରିବହନ ଶୀଘ୍ର ହୋଇପାରିବ । ଭାରତ ବିଶ୍ୱସ୍ତରୀୟ ଭାଗୀଦାରୀ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତି ମାଧ୍ୟମରେ ବିଶେଷଜ୍ଞତାର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଉଭା ହେବ ।
ପଢ଼ାଇବାର ନୂଆ ପଦ୍ଧତି ତଥା ପ୍ରଯୁକ୍ତି ଆପ୍ଲିକେସନ (ଉପଗ୍ରହ ଆଧାରିତ ଟ୍ରାକିଂ, ରେଡିଓ ଫ୍ରିକ୍ୱେନ୍ସି ପରିଚୟ ତଥା କୃତ୍ରିମ ଜ୍ଞାନ)କୁ ଆପଣାଇବା ଲାଗି ବିଶ୍ୱବିଦ୍ୟାଳୟର ଯୋଜନା କରାଯାଇଛି । ଯାହାଦ୍ୱାରା ଅଣ-ଜବ କାର୍ଯ୍ୟ ପ୍ରଦର୍ଶନ ତଥା ଉତ୍ପାଦକତାରେ ଉନ୍ନତି ଅଣାଯାଇପାରିବ । ଭାରତୀୟ ରେଳ ସହିତ ଘନିଷ୍ଟ ସହଯୋଗ ଦ୍ୱାରା ଅଂଶୀଦାରମାନଙ୍କୁ ରେଳ ସୁବିଧା ପର୍ଯ୍ୟନ୍ତ ପହଁଚ ସୁନିଶ୍ଚିତ ହୋଇପାରିବ । ଏହା ‘ଲାଇଭ ଲ୍ୟାବ’ ଭାବେ କାମ କରିବ ଏବଂ ବାସ୍ତବ ଜୀବନର ସମସ୍ୟା ନିରାକରଣରେ ସକ୍ଷମ ହେବ । ବିଶ୍ୱବିଦ୍ୟାଳୟରେ ଅତ୍ୟାଧୁନିକ ନବୀନତମ ଟେକ୍ନୋଲଜିର ତୀବ୍ରଗତି ସମ୍ପନ୍ନ ଟ୍ରେନ ପ୍ରଦର୍ଶନ କରୁଥିବା ‘ଉତ୍କର୍ଷ କେନ୍ଦ୍ର’ ରହିବ ।
ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର, 2016ରେ ଭଦୋଦରାଠାରେ ରେଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନେଇଥିବା ସମ୍ପର୍କରେ ଘୋଷଣା କରିଥିଲେ ।
**********