Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାଏବ୍ରାଣ୍ଟ ଗୁଜରାଟ ସମ୍ମିଳନୀ 2019ରେ ଭାଗନେବା ପାଇଁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ


ଡେନମାର୍କର ପ୍ରଧାନମନ୍ତ୍ରୀ ଶ୍ରୀ ଲାର୍ସ ଲୋକ୍କେ ରାସମୁସେନ ଗୁଜରାଟ ଉଦ୍ୟୋଗ ସମ୍ମିଳନୀ-2019ରେ ଭାଗନେବା ପାଇଁ ଜାନୁଆରୀ 18-19 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି । ଏକ ଅଂଶୀଦାର ଦେଶ ଭାବେ ଡେନମାର୍କ ଏହି ସମ୍ମିଳନୀରେ ଭାଗନେଉଛି । ପ୍ରଧାନମନ୍ତ୍ରୀ ରାସମୁସେନଙ୍କ ସହ ଆସିଛନ୍ତି ଡେନମାର୍କର ପ୍ରମୁଖ କମ୍ପାନୀମାନଙ୍କର ମୂଖ୍ୟ କାର୍ଯ୍ୟାଧିକାରୀମାନଙ୍କ ସହିତ ଏକ ବ୍ୟବସାୟିକ ପ୍ରତିନିଧି ଦଳ ।
ଗୁଜରାଟ ଉଦ୍ୟୋଗ ସମ୍ମିଳନୀ ସମୟରେ 2019 ଜାନୁଆରୀ 18 ତାରିଖ ଦିନ ଗାନ୍ଧୀନଗରଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରଧାନମନ୍ତ୍ରୀ ରାସମୁସେନ ଏକ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ । ପୂର୍ବରୁ 2018 ଏପ୍ରିଲ ମାସରେ ଅନୁଷ୍ଠିତ ଷ୍ଟକହୋମର ନୋର୍ଡିକ ସମ୍ମିଳନୀ ସମୟରେ ଉଭୟ ପ୍ରଧାନମନ୍ତ୍ରୀ ପରସ୍ପରକୁ ଭେଟିଥିଲେ ।

ଏହି ବୈଠକରେ ଦୁଇ ନେତା ପାରସ୍ପରିକ ସହଯୋଗିତାର ବିଭିନ୍ନ ଦିଗ ଏବଂ ପାରସ୍ପରିକ ଲାଭ ସମ୍ବନ୍ଧକୁ ନେଇ ଥିବା ବିଭିନ୍ନ ପକ୍ଷର ସମସ୍ୟା ସମ୍ବନ୍ଧରେ ମତ ବିନିମୟ କରିଥିଲେ । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟ ଏବଂ ପୁଞ୍ଜିନିବେଶକୁ ବୃଦ୍ଧି କରିବା ନେଇ ରହିଥିବା ବ୍ୟାପକ ସମ୍ଭାବନା ସମ୍ବନ୍ଧରେ ଉଭୟ ଗୁରୁତ୍ୱାରୋପ କରିଥିଲେ ।

ଅନେକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନରେ ଡେନମାର୍କ ହେଉଛି ବିଶ୍ୱରେ ଅଗ୍ରଣୀ ଏବଂ ଏଗୁଡିକ ଭାରତ ପାଇଁ ପ୍ରାସଙ୍ଗିକ । ଡେନମାର୍କର ରହିଛି ଦକ୍ଷତା ଏବଂ ଭାରତରେ ରହିଛି ପରିମାଣ ଏବଂ ବିଶ୍ୱର ଆବଶ୍ୟକତା ହେଉଛି ନୂତନ ବୈଷୟିକ ଜ୍ଞାନ- ଏ ସମ୍ବନ୍ଧରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଓ ଡେନମାର୍କକୁ ଏକ ଗବେଷଣା ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଉତ୍ସାହିତ କରିଥିଲେ ଯେଉଁଠାରେ କି ବିଭିନ୍ନ ବୈଶ୍ୱିକ ସମସ୍ୟା ଯେପରିକି ଖାଦ୍ୟ ସୁରକ୍ଷା, ଜଳ ପରିଚାଳନା, ପାଣିପାଗ ପରିବର୍ତ୍ତନ ଏବଂ ସତତ ବିକାଶ ଆଦିର ସମାଧାନ ହୋଇପାରିବ ।

ଏହି ବୈଠକ ସମୟରେ ଦୁଇଟି ବୁଝାମଣା ସ୍ୱାକ୍ଷର କରାଯାଇଥିଲା । ଏଗୁଡିକ ହେଉଛି ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ଡେନମାର୍କର ଶିଳ୍ପ, ବାଣିଜ୍ୟ ଏବଂ ଆର୍ଥିକ ମନ୍ତ୍ରଣାଳୟ ମଧ୍ୟରେ ସାମୁଦ୍ରିକ ସମସ୍ୟାକୁ ନେଇ ବୁଝାମଣା ପତ୍ର ଏବଂ ଇମାଜିନ ପାନାଜୀ ସ୍ମାର୍ଟ ସିଟି ବିକାଶ ଲିମିଟେଡ ଏବଂ ଡେନମାର୍କ ରାଷ୍ଟ୍ରଦୂତ କାର୍ଯ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଗୋଆର ପାନାଜୀଠାରେ ସହରାଞ୍ଚଳ ବସବାସ ପରୀକ୍ଷାଗାର ପ୍ରତିଷ୍ଠା ନେଇ ବୁଝାମଣା ପତ୍ର ।

ଯାହାଜ ଚଳାଚଳ, ଅକ୍ଷୟ ଶକ୍ତି, ପରିବେଶ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ପାଖାପାଖି 130ଟି ଡେନମାର୍କ କମ୍ପାନୀ ଭାରତରେ ପୁଞ୍ଜିନିବେଶ କରିଛନ୍ତି ଏବଂ ସ୍ମାର୍ଟ ସହରାଂଚଳ ବିକାଶ ଓ ବର୍ଜ୍ୟ ବସ୍ତୁରୁ ଶକ୍ତି ନିର୍ଯ୍ୟାସ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ସେମାନଙ୍କ ଅଂଶଗ୍ରହଣ ଲାଗି ଆଗ୍ରହୀ ଅଛନ୍ତି । ଯାହାଜ ଚଳାଚଳ ଓ ଅକ୍ଷୟ ଶକ୍ତି କ୍ଷେତ୍ରର ଅନେକ ପ୍ରମୁଖ ଡେନମାର୍କ କମ୍ପାନୀ ମଧ୍ୟ ଗୁଜୁରାଟରେ ଉପସ୍ଥିତ ଅଛନ୍ତି ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ରାସମୁସେନ ନୂଆଦିଲ୍ଲୀଠରେ ଡେନମାର୍କ ସାଂସ୍କୃତିକ ପ୍ରତିଷ୍ଠାନ ଏବଂ ଡେନମାର୍କ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ନୂତନ ଅଟ୍ଟାଳିକାକୁ 2019 ଜାନୁଆରୀ 19 ତାରିଖ ଦିନ ଉଦଘାଟିତ କରିବେ । ସେ ମଧ୍ୟ ଆଗ୍ରା ଗସ୍ତ କରିବେ ।

***