ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଏବଂ ଇରାନ ମଧ୍ୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ରକୁ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଏହି ବୁଝାମଣା 17 ଫେବୃଆରୀ, 2018ରେ ଇରାନ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ସ୍ୱାକ୍ଷରିତ ହୋଇଥିଲା ।
ବୁଝାମଣାପତ୍ରରେ କୃଷିଜାତ ଦ୍ରବ୍ୟ, କୃଷି ସମ୍ପ୍ରସାରଣ, ଉଦ୍ୟାନକୃଷି, କୃଷି ଯନ୍ତ୍ରାଂଶ, ଫସଲ ପରବର୍ତ୍ତୀ ପ୍ରଯୁକ୍ତି, ଫସଲ ରୋଗମୁକ୍ତି ଉପାୟ, ଋଣ ଉପଲବ୍ଧି ଏବଂ ସମବାୟ କ୍ଷେତ୍ରରେ ସହଯୋଗର ବ୍ୟବସ୍ଥା ରହିଛି । ଏଥିରେ ମୃତ୍ତିକା ସଂରକ୍ଷଣ, ଏକୀକୃତ ପୋଷକ ପରିଚାଳନା, ବିହନ ପ୍ରଯୁକ୍ତି, କୃଷି ବିପଣନର ମଧ୍ୟ ବ୍ୟବସ୍ଥା ରହିଛି । ଏହି ବୁଝାମଣାପତ୍ରର ପରିଧି ମଧ୍ୟରେ ଆସୁଥିବା ଆପୋସ ସହମତିରେ ନିର୍ଦ୍ଧାରିତ ଅନ୍ୟ କ୍ଷେତ୍ରରେ ପଶୁସମ୍ପଦ ସୁଧାର, ଦୁଗ୍ଧ ଉତ୍ପାଦନରେ ବିକାଶ, ପଶୁ ସ୍ୱାସ୍ଥ୍ୟ ମଧ୍ୟ ସାମିଲ ରହିଛି । ଏହା ସହଯୋଗ ବିଶେଷଜ୍ଞ, ସାମଗ୍ରୀ ଏବଂ ସୂଚନାର ଆଦାନ ପ୍ରଦାନ, ଅଧ୍ୟୟନ, ଗସ୍ତ/ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଏବଂ ବୈଜ୍ଞାନିକମାନଙ୍କ ଆଦାନପ୍ରଦାନ, ଉପଯୁକ୍ତ ସମ୍ମିଳନୀ ଏବଂ କର୍ମଶାଳାର ସୁବିଧା ଏବଂ ପାରସ୍ପରିକ ଭାବେ ସହମତ ଅନ୍ୟ ଉପାୟ ଜରିଆରେ କରାଯିବ ।
ବୁଝାମଣାପତ୍ର ବ୍ୟବସ୍ଥା ଅଧୀନରେ ଏହାକୁ ସମ୍ପୂର୍ଣ୍ଣ କରିବାରେ ହେଉଥିବା କାର୍ଯ୍ୟକଳାପର ଅନୁଧ୍ୟାନ ଲାଗି ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ । ଏହି ଗୋଷ୍ଠୀର ବୈଠକ ପ୍ରତ୍ୟେକ ଦୁଇ ବର୍ଷରେ ଥର ଥର କରି ଇରାନ ଏବଂ ଭାରତରେ ଅନୁଷ୍ଠିତ ହେବ । ବୁଝାମଣାପତ୍ରର ଅବଧି ପ୍ରଥମେ 5 ବର୍ଷ ପର୍ଯ୍ୟନ୍ତ ରହିବ । ଯେ’ପର୍ଯ୍ୟନ୍ତ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଏହି ବୁଝାମଣାପତ୍ର ସମାପ୍ତି ଲାଗି ଇଚ୍ଛାବ୍ୟକ୍ତ କରିନାହାନ୍ତି ଏହା ଆପେ ଆପେ ଆହୁରି 5 ବର୍ଷ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଯିବ ।
**********