ପିଏମଇଣ୍ଡିଆ
ସଡ଼କ ପରିବହନ ଓ ରାଜପଥ ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ଭାରତ ଓ ସଂଯୁକ୍ତ ଆରବ ଅମିରତନ୍ତ୍ର(UAE) ମଧ୍ୟରେ ସ୍ୱାକ୍ଷରିତ ହେବାକୁ ଥିବା ବୁଝାମଣା ପତ୍ରକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଭାରତର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ୟୁଏଇର ସଂଘୀୟ ଭୂପୃଷ୍ଠ ଓ ସାମୁଦ୍ରିକ ପରିବହନ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହେବ ।
ବୁଝାମଣାପତ୍ର ସ୍ୱାକ୍ଷରିତ ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ, ଜ୍ଞାନକୌଶଳ ଆଦାନପ୍ରଦାନ ବୃଦ୍ଧି ପାଇବ । ଏହା ଦ୍ୱାରା ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶ ଓ ଲଜିଷ୍ଟିକ୍ସର ସକ୍ରିୟତା ବୃଦ୍ଧି ଘଟିବ । ଏଥିସହ ଦେଶରେ ନିରାପଦ, ସ୍ୱଳ୍ପବ୍ୟୟ, ସକ୍ରିୟ ଏବଂ ପରିବେଶ ଅନୁକୂଳ ସଡକ ପରିବହନ ବ୍ୟବସ୍ଥାର ବିକାଶ ଘଟିବ ।
ଏହି ବୁଝାମଣାପତ୍ରର ପ୍ରମୁଖ ବୈଶିଷ୍ଟ୍ୟଗୁଡିକ ହେଲା –
କ) ପରିବହନ ପ୍ରଯୁକ୍ତି ଓ ପରିବହନ ନୀତିରେ ଜ୍ଞାନକୌଶଳ ଆଦାନପ୍ରଦାନ ଓ ସହଯୋଗ ବୃଦ୍ଧି
ଖ) ସଡକ ଭିତ୍ତିଭୂମି, ପ୍ରଯୁକ୍ତି ଓ ସଡକ/ରାଜପଥ ନିର୍ମାଣ ଓ ରକ୍ଷଣାବେକ୍ଷଣ ଦିଗରେ ଯୋଜନା, ପ୍ରଯୁକ୍ତି ପ୍ରଶାସନ ଓ ପରିଚାଳନା
ଗ) ସଡକ ନିରାପତ୍ତା ଯୋଜନା ଲାଗି ସୂଚନା ଓ ଉନ୍ନତ କାର୍ଯ୍ୟାନ୍ୱୟନର ଆଦାନପ୍ରଦାନ ତଥା ସଡ଼କ ଦୁର୍ଘଟଣା ଜନିତ ପ୍ରାଣହାନିକୁ ଯଥେଷ୍ଟ ମାତ୍ରାରେ ହ୍ରାସ କରାଯାଇପାରିବ ।
ଘ) ୟୁଜର ଫି ପ୍ରସଙ୍ଗ, ଯଥା ଅତ୍ୟାଧୁନିକ ବ୍ୟବସ୍ଥା ପ୍ରଯୁକ୍ତି ଏବଂ ୟୁଜର ଫି ଲେଭି ବ୍ୟବସ୍ଥା ଜରିଆରେ ଟିକସ ଅସୁଲି ଓ ତତସମ୍ପର୍କୀତ ଜ୍ଞାନକୌଶଳ ତଥା ଶ୍ରେଷ୍ଠ କାର୍ଯ୍ୟପ୍ରଣାଳୀ ଜନିତ ସୂଚନା ଆଦାନ ପ୍ରଦାନ
ଙ) ସଡ଼କ ଓ ପୋଲ ନିର୍ମାଣ କ୍ଷେତ୍ରରେ ଉନ୍ନତ ପ୍ରଯୁକ୍ତି ଓ ଉପକରଣର ବ୍ୟବହାର ଜନିତ ସୂଚନା ଆଦାନପ୍ରଦାନ ଓ ମିଳିତ ଗବେଷଣା
ଚ) ଲଜିଷ୍ଟିକ୍ସ ପାର୍କ, ମାଲ ଲଜିଷ୍ଟିକ୍ସ, ପରିବହନ ପଣ୍ୟାଗାର ଏବଂ ମୂଲ୍ୟଯୁକ୍ତ ସେବା ଜନିତ ସୂଚନା ଆଦାନପ୍ରଦାନ ଓ ସହଯୋଗ । ଏହାଦ୍ୱାରା ନିରବଚ୍ଛିନ୍ନ ଭାବେ ମାଲପରିବହନ ସମ୍ଭବପର ହୋଇପାରିବ ।