Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ଓ ସାମୋଆ ମଧ୍ୟରେ ଟିକସ ସୂଚନା ଆଦାନପ୍ରଦାନ ନିମନ୍ତେ ହେବାକୁ ଥିବା ରାଜିନାମାକୁ କେନ୍ଦ୍ର କେବିନେଟର ଅନୁମୋଦନ


ଭାରତ ଏବଂ ସାମୋଆ ମଧ୍ୟରେ ଟିକସ ସମ୍ପର୍କିତ ସୂଚନାର ଆଦାନପ୍ରଦାନ ନିମନ୍ତେ ସ୍ଵାକ୍ଷରିତ ଏବଂ ଅନୁସମର୍ଥିତ ହେବାକୁ ଥିବା ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ କରାଯାଇଛି ।

ଏହି ରାଜିନାମା ଭାରତ ଓ ସାମୋଆ ମଧ୍ୟରେ ଟିକସ ସମ୍ପର୍କୀୟ ସୂଚନା ଆଦାନପ୍ରଦାନକୁ ତ୍ୱରାନ୍ୱିତ କରିବ ଯାହା ଟିକସ ଫାଙ୍କି ଏବଂ ଟିକସ ପରିହାର ମାତ୍ରାକୁ ହ୍ରାସ କରିବାରେ ସହାୟକ ହେବ ।

ବର୍ତ୍ତମାନ ଏହାର କୌଣସି ଆର୍ଥିକ ସଂପୃକ୍ତି ନାହିଁ । କୌଣସି ବିଶେଷ ଖର୍ଚ୍ଚ 500 ଆମେରିକୀୟ ଡଲାରରୁ ଅଧିକ ହେଲେ ତାହା ଭାରତ ବହନ କରିବ । ଭାରତର ଟିକସ ସଂକ୍ରାନ୍ତ ଅନ୍ୟ ରାଜିନାମାରେ ଏହିପରି ବ୍ୟବସ୍ଥା ରହିଛି ।

ରାଜିନାମାର ପ୍ରମୁଖ ବୈଶିଷ୍ଟ୍ୟ :

1. ଏହି ବୁଝାମଣା ଫଳରେ ଭାରତ ଏବଂ ସାମୋଆର କାର୍ଯ୍ୟରତ ଅଧିକାରୀମାନଙ୍କୁ ଉଭୟ ଦେଶର ଟିକସ ସମ୍ପର୍କୀୟ ଆଇନ କାନୁନକୁ କାର୍ଯ୍ୟକାରୀ କରିବାରେ ସହାୟକ ହେଉଥିବା ସୂଚନାର ଆଦାନପ୍ରଦାନ ହେବ ।

2. ଏହି ବୁଝାମଣା ଅନ୍ତର୍ଗତ ମିଳିଥିବା ସୂଚନାକୁ ଗୋପନ ରଖାଯିବ । ଏହା କେବଳ ଅଧିକୃତ ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷ (ନ୍ୟାୟାଳୟ କିମ୍ବା ପ୍ରଶାସନିକ ନିକାୟ) ଯେଉଁମାନେ କର ନିର୍ଦ୍ଧାରଣ, ସଂଗ୍ରହ, କାର୍ଯ୍ୟ।ନ୍ୱୟନ, ଅଭିଯୋଜନ କିମ୍ବା ଅପିଲ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ ସହ ସମ୍ପୃକ୍ତ ଥିବେ ତାଙ୍କୁ ଦିଆଯାଇପାରେ । ଏହାଛଡା ସୂଚନା ପ୍ରଦାନକାରୀ ରାଷ୍ଟ୍ରଠାରୁ ଲିଖିତ ଆକାରରେ ଅନୁମତି ନେଇ ଅନ୍ୟ କୌଣସି ବ୍ୟକ୍ତି କିମ୍ବା କର୍ତ୍ତୃପକ୍ଷଙ୍କୁ ଦିଆଯାଇପାରିବ ।

3. କୌଣସି ମତାନ୍ତରର ସମାଧାନ ପାଇଁ କିମ୍ବା ବୁଝାମଣାରେ ଉଲ୍ଲିଖିତ ପଦ୍ଧତି ଉପରେ ରାଜି ହେବା ପାଇଁ ପାରସ୍ପରିକ ବୁଝାମଣା ପଦ୍ଧତି ପାଇଁ ଏହି ରାଜିନାମାରେ ବ୍ୟବସ୍ଥା ରହିଛି ।

4. ଦୁଇ ଦେଶର ଆଇନ ଅନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ହେବାର ଅଧିସୂଚନାର ତାରିଖରେ ଏହି ରାଜିନାମା କାର୍ଯ୍ୟକାରୀ ହେବ ।