ପିଏମଇଣ୍ଡିଆ
ଭାରତ ଓ କିରଗିଜସ୍ତାନ ମଧ୍ୟରେ କୃଷି ଓ ଖାଦ୍ୟ ଶିଳ୍ପ କ୍ଷେତ୍ରରେ ସହଯୋଗ ଲାଗି ପ୍ରସ୍ତାବିତ ରାଜିନାମା ସ୍ଵାକ୍ଷର ନିମନ୍ତେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଗତ ପ୍ରସ୍ତାବ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସ୍ଵୀକୃତି ଲାଭ କରିଛି ।
ଏହି ପ୍ରସ୍ତାବିତ ରାଜିନାମାରେ କୃଷି ଓ ଅନ୍ୟାନ୍ୟ ସଂପୃକ୍ତ କ୍ଷେତ୍ରରେ ଭାରତ ଓ କିରଗିଜସ୍ତାନ ମଧ୍ୟରେ ବିଭିନ୍ନ ପ୍ରକାର କୃଷି ସମ୍ପର୍କିତ ସୂଚନା ଆଦାନ ପ୍ରଦାନ ଘଟିପାରିବ ଏବଂ ତାହା କେବଳ ସୂଚନା ଆଦାନପ୍ରଦାନ କ୍ଷେତ୍ରରେ ସୀମିତ ନରହି ବିଭିନ୍ନ କ୍ଷେତ୍ରରେ ଗବେଷଣା ଲବ୍ଧ ଅନୁଭୂତି, ପ୍ରାଣୀ ପ୍ରଜନନ, ବିଭିନ୍ନ ପକ୍ଷୀଙ୍କ ରୋଗ ସଂକ୍ରମଣ ଓ ତାର ପ୍ରତିକାର, ଖାଦ୍ୟ ଓ ମୁଖଗହ୍ଵର ରୋଗ, ପଶୁପକ୍ଷୀଙ୍କ ଔଷଧ, ଉଦ୍ଭିଦ ବିକାଶ, ଆଧୁନିକ ପ୍ରଯୁକ୍ତି ପ୍ରୟୋଗରେ ବିହନ ଉତ୍ପାଦନ, ବିହନର ପ୍ରମାଣନ, ବିଭିନ୍ନ ପ୍ରକାର ଜଳସେଚନ ବ୍ୟବସ୍ଥା ପ୍ରବର୍ତ୍ତନ ଓ ଭାରତୀୟ ପାଇଲଟ ପ୍ରକଳ୍ପ ସ୍ଥାପନ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ ପ୍ରଯୁକ୍ତିରେ ସଫଳ ଭାବେ ସୂଚନା ପ୍ରଯୁକ୍ତିର ପ୍ରୟୋଗ ଆଦି କ୍ଷେତ୍ରରେ ପରିବ୍ୟାପ୍ତ ହେବ ।
ଏଭଳି ସୂଚନା ଆଦାନପ୍ରଦାନ ବ୍ୟତିରେକେ ଏହି ଏମଓୟୁରେ ଉଦ୍ଭିଦର ପ୍ରକାର ଭେଦ ଜନିତ ଅଧିକାର, କୃଷି ଖାଦ୍ୟଶସ୍ୟ ବାଣିଜ୍ୟ, ଉଦ୍ୟାନ କୃଷି, କୃଷି ଗବେଷଣା ଓ ଶିକ୍ଷା, ଉଦ୍ୟାନ କୃଷି ଗବେଷଣା ଓ ଶିକ୍ଷା, ଖାଦ୍ୟ ନିରାପତ୍ତା ଓ ମାନ, ଜଳଚରଜୀବ ଓ ମତ୍ସ୍ୟଚାଷ ଆଦି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯାଇଛି ।
ଏଥିପାଇଁ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ଯେଉଁଥିରେ ଉଭୟ ଦେଶର ପ୍ରତିନିଧି ରହିବେ ଓ ସେମାନେ ପାରସ୍ପରିକ ସହଯୋଗ ଏବଂ ରାଜିନାମାର ସର୍ତ୍ତାବଳୀ କାର୍ଯ୍ୟକାରୀ ହେବା ବେଳେ ସୃଷ୍ଟି ସମସ୍ୟାଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରିବେ ।
ଏହି ରାଜିନାମା ସ୍ଵାକ୍ଷରିତ ହେବା ଦିନଠାରୁ ତାହା ବଳବତ୍ତର ହେବ ଓ ପାଂଚ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ କୌଣସି ପକ୍ଷଙ୍କ ଲିଖିତ ନୋଟିସ ବିନା ପାଂଚବର୍ଷ ପାଇଁ ଏହାର ଅବଧି ବୃଦ୍ଧି ପାଇବ । ପୁନଶ୍ଚ ତାହା ଏହି ଅବଧି ଶେଷ ହେବାର ଛଅ ମାସ ପୂର୍ବରୁ ନୋଟିସ ଆକାରରେ ଦିଆଯିବା ଆବଶ୍ୟକ ।