Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-କୋରିଆ ବ୍ୟବସାୟିକ ସମ୍ମିଳନୀ-2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତ-କୋରିଆ ବ୍ୟବସାୟିକ ସମ୍ମିଳନୀ-2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତ-କୋରିଆ ବ୍ୟବସାୟିକ ସମ୍ମିଳନୀ-2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଭାରତ-କୋରିଆ ବ୍ୟବସାୟିକ ସମ୍ମିଳନୀ-2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


କୋରିଆ ଗଣତନ୍ତ୍ରର ବାଣିଜ୍ୟ, ଶିଳ୍ପ ଓ ଶକ୍ତି ମନ୍ତ୍ରୀ,

ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ,

ସୋସୁଁ-ଇଲବୋ ଗ୍ରୁପ୍ ସଭାପତି ତଥା ସିଇଓ

କୋରିଆ ଓ ଭାରତର ବ୍ୟବସାୟିକ ନେତୃମଣ୍ଡଳୀ

ଦେବୀ ଓ ସଜ୍ଜନମଣ୍ଡଳୀ,

ମୁଁ ଏଠି ଆପଣମାନଙ୍କ ସହ ଉପସ୍ଥିତ ହୋଇ ଅତ୍ୟନ୍ତ ଖୁସି । ଭାରତରେ ଏତେ ବିପୁଳ ସଂଖ୍ୟାରେ କୋରିଆର କମ୍ପାନୀଗୁଡ଼ିକ ଏକଜୁଟ୍ ହେବା ବାସ୍ତବରେ ଏକ ବିଶ୍ୱସ୍ତରୀୟ କାହାଣୀ । ଏହି ଅବସରରେ ଭାରତରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି । ଭାରତ ଓ କୋରିଆ ମଧ୍ୟରେ ସମ୍ପର୍କ ବହୁ ଶତାବ୍ଦୀ ପୁରୁଣା । କୁହାଯାଏ କି ଜଣେ ଭାରତୀୟ ରାଜକୁମାରୀ କୋରିଆ ଗସ୍ତରେ ଯାଇଥିଲେ ଓ ସେଠାରେ କୋରିଆର ରାଣୀ ପାଲଟିଯାଇଥିଲେ । ଆମେ ମଧ୍ୟ ଆମର ବୌଦ୍ଧ ପରମ୍ପରାରେ ବନ୍ଧା ହୋଇଛୁ । ଆମର ନେବେଲେ ବିଜେତା ସାହିତ୍ୟିକ ରବିନ୍ଦ୍ରନାଥ ଟାଗୋର 1929 ମସିହାରେ କୋରିଆର ଗୌରବମୟ ଅତୀତ ଓ ତା’ର ଉଜ୍ୱଳ ଭବିଷ୍ୟତ ସମ୍ପର୍କରେ ଏକ କବିତା ‘ଲ୍ୟାମ୍ପ ଅଫ ଦି ଇଷ୍ଟ’ ରଚନା କରିଥିଲେ । କୋରିଆରେ ବଲିଉଡ୍ ଫିଲ୍ମ ବହୁତ ଲୋକପ୍ରିୟ ଓ ଭାରତରେ କିଛି ମାସ ପୂର୍ବରୁ ହୋଇଥିବା ପ୍ରୋ-କବାଡ଼ି ଲିଗ୍ ରେ କୋରିଆର କବାଡ଼ି ଖେଳାଳୀଙ୍କ ପାଇଁ ସର୍ବାଧିକ ଉତ୍ସାହ ଦେଖିବାକୁ ମିଳିଥିଲା । ଏହା ମଧ୍ୟ ଏକ ଭଲ ସଂଯୋଗ ଯେ ଭାରତ ଓ ଦକ୍ଷିଣ କୋରିଆ ଉଭୟ ଅଗଷ୍ଟ 15 ତାରିଖରେ ନିଜର ସ୍ୱାଧୀନତା ଦିବସ ପାଳନ କରୁଛନ୍ତି । ରାଜକୁମାରୀଙ୍କଠୁ କବିତା ଓ କବିତା ରୁ ବୁଦ୍ଧ ତଥା ବଲିଉଡ୍ ପର୍ଯନ୍ତ, ଆମମାନଙ୍କ ମଧ୍ୟରେ ସବୁକ୍ଷେତ୍ରରେ ପ୍ରାୟତଃ ସମାନତା ରହଚି ।

ଯେମିତିକି ମୁଁ ପୂର୍ବରୁ ଉଲ୍ଲେଖ କରିଛି, ମୁଁ ସର୍ବଦା କୋରିଆ ପ୍ରତି ଆକର୍ଷିତ ହୋଇଥାଏ । ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ମୁଁ କୋରିଆ ଗସ୍ତରେ ଯାଇଥିଲି । ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୁଜରାଟ ଆକାରର ଗୋଟିଏ ଦେଶ କିଭଳି ଏପରି ଆର୍ଥିକ ବିକାଶ କରିପାରୁଛି । କୋରିଆ ଲୋକମାନଙ୍କର ଉଦ୍ୟୋଗୀ ଭାବନାକୁ ମୁଁ ପ୍ରଂଶସା କରୁଛି । ମୁଁ ସେହି ଶୈଳୀର ପ୍ରଶଂସା କରୁଛି ଯେଉଁଥିରେ ସେମାନେ ନିଜର ବିଶ୍ୱସ୍ତରୀୟ ବ୍ରାଣ୍ଡ ପ୍ରସ୍ତୁତ କରିଛନ୍ତି ଓ ତାକୁ ବଜାୟ ରଖିଛନ୍ତି । ଆଇଟି ଓ ଇଲେକ୍ଟ୍ରୋନିକ୍ସଠୁ ନେଇ ଅଟୋମୋବାଇଲ୍ ଓ ଇସ୍ପାତ, ସବୁଥରେ କୋରିଆ ବିଶ୍ୱକୁ ଅନୁକରଣୀୟ ଉତ୍ପାଦ ଦେଇଛି । କୋରିଆ କମ୍ପାନୀଗୁଡ଼ିକୁ ସେମାନଙ୍କର ନବସୃଜନ ଓ ସୁଦୃଢ଼ ନିର୍ମାଣ ସାମର୍ଥ୍ୟ ପାଇଁ ପ୍ରଶଂସା କରାଯାଇଥାଏ ।

ବନ୍ଧୁଗଣ,

ଏହା ପ୍ରଣିଧାନଯୋଗ୍ୟ କି ଗତ 6ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଆମର ଦ୍ୱିପାକ୍ଷିକ ବାଣିଜ୍ୟ ଗତବର୍ଷ 20 ବିଲିୟନ ଡଲାର ଅତିକ୍ରମ କରିଛି । 2015 ମସିହାରେ ମୋର ଗସ୍ତ ଦ୍ୱାରା ଭାରତ ଉପରେ ସକାରାତ୍ମକ ଧ୍ୟାନକେନ୍ଦ୍ରିତ ହୋଇଛି । ଆପଣମାନଙ୍କର ଉନ୍ମୁକ୍ତ ବଜାର ନୀତି ଭାରତର ଆର୍ଥିକ ଉଦାରୀକରଣ ଓ ‘ଲୁକ୍ ଇଷ୍ଟ୍’ ନୀତି ସହ ମେଳ ଖାଇଛି । 500ରୁ ଅଧିକ କୋରିଆର କମ୍ପାନୀ ଭାରତରେ କାମ କରୁଛନ୍ତି । ବାସ୍ତବରେ ଆପଣମାନଙ୍କ ଅନେକ ଉତ୍ପାଦନ ଭାରତରେ ଘରେ ଘରେ ପରିଚିତ । ଅବଶ୍ୟ ଭାରତକୁ ବିଦେଶୀ ପୁଞ୍ଜି ନିବେଶ ପ୍ରବାହ ତାଲିକାରେ ଦକ୍ଷିଣ କୋରିଆର Rank ବା ମାନ୍ୟତା ମାତ୍ର 16 ନମ୍ବରରେ ରହିଛି । ଭାରତ ନିଜର ବିଶାଳ ବଜାର ସହ କୋରିଆର ନିବେଶକମାନଙ୍କୁ ପାଇଁ ବେଶ୍ ସମ୍ଭାବନା ପ୍ରଦାନ କରୁଛି ଓ ନୀତିଗତ ପରିବେଶକୁ ସକ୍ଷମ କରାଉଛି ।

ଯେହେତୁ ଆପଣମାନଙ୍କ ମଧ୍ୟରୁ ଅନେକ ପୂର୍ବରୁ ଭାରତରେ ଉପସ୍ଥିତ ଅଛନ୍ତି, ତେଣୁ ଆପଣମାନେ ତୃଣମୂଳସ୍ତରର ବାସ୍ତବିକତାକୁ ଜାଣିଥିବେ । ଏହା ବ୍ୟତୀତ ଭାରତୀୟ ସିଇଓଙ୍କ ସହ ଆପଣମାନଙ୍କ ଉତ୍ତମ ଆଲୋଚନା ମାଧ୍ୟମରେ, ଆପଣମାନେ ନିଶ୍ଚିତ ଭାବେ ଖୋଜି ସାରିବେଣି ଯେ ଭାରତ କେଉଁ ଦିଗରେ ଗତି କରୁଛି । ତଥାପି ମୁଁ ଆଉ କିଛି ମିନିଟ୍ ନେଉଛି । ଏହି ଅବସରରେ ମୁଁ ସେହିମାନଙ୍କୁ ବ୍ୟକ୍ତିଗତ ଭାବେ ଭାରତକୁ ନିମନ୍ତ୍ରଣ କରୁଛି ଯେଉଁମାନେ ଭାରତକୁ ଆସିନାହାନ୍ତି । ଯଦି ଆପଣ ସାରା ଦୁନିଆଁ ଦେଖିବେ, ତା’ହେଲେ ଖୁବ୍ କମ୍ ରାଷ୍ଟ୍ର ଅଛି ଯେଉଁମାନଙ୍କ ପାଖରେ ଅର୍ଥବ୍ୟବସ୍ଥାର 3ଟି ମହତ୍ୱପୂର୍ଣ୍ଣ କାରକ ରହିଛି ।

ସେଗୁଡ଼ିକ ହେଲା : ଗଣତନ୍ତ୍ର, ଜନସଂଖ୍ୟା ଓ ଚାହିଦା । ଭାରତରେ, ଆମ ପାଖରେ ଏହି ତିନିଟି ଏକା ସାଙ୍ଗରେ ରହିଛି ।

ଗଣତନ୍ତ୍ର ଦ୍ୱାରା, ମୋର କହିବାର ଅର୍ଥ ଯେ ଉଦାର ମୂଲ୍ୟବୋଧ ଉପରେ ଆଧାରିତ ବ୍ୟବସ୍ଥା ଯାହା ସମସ୍ତଙ୍କ ପାଇଁ ସମାନ ଭାବେ ଅବାଧ ଓ ନିରପେକ୍ଷତାକୁ ସୁନିଶ୍ଚିତ କରିଥାଏ ।

ଜନସଂଖ୍ୟା ଦ୍ୱାରା, ମୋର କହିବାର ଅର୍ଥ ହେଉଛି ଏଠାରେ ବିଶାଳ ସଂଖ୍ୟାର ପ୍ରତିଭାଶାଳୀ ଯୁବ ବର୍ଗ ଓ ଉର୍ଜାବାନ୍ ମାନବସମ୍ବଳ ରହିଛି ।

ଚାହିଦା ଦ୍ୱାରା, ମୋର କହିବାର ଅର୍ଥ ସାମଗ୍ରୀ ଓ ସେବା ପାଇଁ ବୃହତ୍ ତଥା ଅଭିବୃଦ୍ଧି କରୁଥିବା ବଜାର ରହିଛି ।

କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ୍ତ ବର୍ଗ ଯୋଗୁ ଘରୋଇ ବଜାର ଆହୁରି ଅଧିକ ବୃଦ୍ଧି ପାଇବ । ଆମେ ଏକ ସ୍ଥିର ବ୍ୟବସାୟିକ ପରିବେଶ ସୃଷ୍ଟି କରିବା, ଆଇନର ଶାସନକୁ ସୁନିଶ୍ଚିତ କରିବା ଓ ନିଷ୍ପତ୍ତି ନେବାବେଳେ ମଧ୍ୟସ୍ଥତାକୁ ହଟାଇବା ଦିଗରେ କାମ କରିଛୁ । ଆମେ ଦୈନିକ ଦେଣନେଣରେ ସକାରାତ୍ମକତା ଚାହୁଁଛୁ । ସନ୍ଦେହ ଭିତରେ ଅଧିକ ପଶିବା ପରିବର୍ତ୍ତେ ଆମେ ବିଶ୍ୱାସର କ୍ଷେତ୍ରକୁ ବ୍ୟାପକ କରାଉଛୁ । ଏହା ସରକାରଙ୍କ ମାନସିକତାର ସମ୍ପୂର୍ଣ୍ଣ ପରିବର୍ତ୍ତନକୁ ପରିଲକ୍ଷିତ କରୁଛି । ‘ସର୍ବନିମ୍ନ ସରକାର, ସର୍ବାଧିକ ଶାସନ’ ହାସଲ କରିବା ପାଇଁ ଇସ୍ୟୁ କର୍ତ୍ତୃପକ୍ଷ (Issue authority)ରୁ ବ୍ୟବସାୟିକ ଭାଗିଦାରକୁ ପରିବର୍ତ୍ତିତ ହୋଇଛୁ । ଆଉ ଯେତେବେଳେ ଏସବୁ ହୁଏ, ନିୟମ ଓ ପ୍ରକ୍ରିୟାର ସରଳୀକରଣ ସ୍ୱୟଂକ୍ରିୟ ଭାବେ ଆରମ୍ଭ ହୋଇଯାଏ ।

ସବୁ ପରେ ବି ଏସବୁ ପଦକ୍ଷେପ ମାଧ୍ୟମରେ ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ କରାଯାଉଛି । ଆମେ ଏବେ ‘ଇଜି ଅଫ୍ ଲିଭିଂ’ ଦିଗରେ କାମ କରୁଛୁ । ଆମେ ଏବେ ଡି-ରେଗୁଲେସନ୍ ଓ ଡି-ଲାଇସେନ୍ସିଂ ଦିଗରେ କାମ କରୁଛୁ ।

ଉଦ୍ୟୋଗିକ ଲାଇସେନ୍ସର ବୈଧତା ଅବଧି 3ବର୍ଷରୁ 15ବର୍ଷ ଅବା ତା’ଠୁ ଅଧିକ ବୃଦ୍ଧି କରାଯାଇଛି ।

ପ୍ରତିରକ୍ଷା ଉତ୍ପାଦନ ନିମନ୍ତେ ଉଦ୍ୟୋଗିକ ଲାଇସେନ୍ସିଂ ପ୍ରଣାଳୀକୁ ଉଦାର/କୋହଳ/ନମନୀୟ କରାଯାଇଛି ।

ଲାଇସେନ୍ସ ଆଧାରରେ ପ୍ରାୟ 65 ପ୍ରତିଶତରୁ 60 ପ୍ରତିଶତ ସାମଗ୍ରୀକୁ ବିନା ଲାଇସେନ୍ସରେ ଏବେ ପ୍ରସ୍ତୁତ କରାଯାଇପାରୁଛି ।

ଆମେ କହିଛୁ କି କାରଖାନାର ନିରୀକ୍ଷଣ କେବଳ ଆବଶ୍ୟକତା ଭିତ୍ତିରେ ଓ ଉଚ୍ଚ ଅଧିକାରୀଙ୍କ ସ୍ୱୀକୃତିରେ କରିହେବ ।

ଏଫଡିଆଇ(FDI)ରେ, ଏବେ ଆମେ ସବୁଠୁ ଉନ୍ମୁକ୍ତ ରାଷ୍ଟ୍ର ମଧ୍ୟରୁ ଗୋଟିଏ
ଆମର ଅର୍ଥବ୍ୟବସ୍ଥାର ଅଧିକାଂଶ କ୍ଷେତ୍ର ଏଫଡିଆଇ ପାଇଁ ଉନ୍ମୁକ୍ତ ହୋଇଛି । 90 ପ୍ରତିଶତରୁ ଅଧିକ ଅନୁମୋଦନକୁ ସ୍ୱୟଂକ୍ରିୟ ମାର୍ଗରେ କରାଯାଉଛି ।

କେବଳ ପ୍ରତିରକ୍ଷା କ୍ଷେତ୍ରକୁ ବାଦ ଦେଲେ ବିନିର୍ମାଣ କ୍ଷେତ୍ରରେ ନିବେଶ ପାଇଁ ସରକାରୀ ଅନୁମୋଦନର ବ୍ୟବହାରିକ ଆବଶ୍ୟକତା ନାହିଁ ।

ବୈଧାନିକ ସଂଖ୍ୟା ଆବଣ୍ଟନ ସହ ଏକ କମ୍ପାନୀ ଖୋଲିବା ଏବେ କେବଳ ଗୋଟିଏ ଦିନର କାମ ହୋଇଛି ।

ଆମେ ବ୍ୟବସାୟ, ନିବେଶ, ପ୍ରଶାସନ ଓ ସୀମାପାର ବାଣିଜ୍ୟ କାରବାର ଦିଗରେ ହଜାର ହଜାର ସଂସ୍କାର କରିଛୁ । ସେଥିରୁ ଜିଏସଟି ଭଳି କିଛି ହେଉଛି ଐତିହାସିକ ।

ଜିଏସଟି ଯୋଗୁ ଆପଣମାନଙ୍କ ମଧ୍ୟରୁ ଅନେକ ପୂର୍ବ ତୁଳନାରେ କାର୍ଯ୍ୟରେ ସହଜ ଅନୁଭବ କରିପାରୁଥିବେ ।

ଆମେ 1400ରୁ ଅଧିକ ପୁରୁଣା ଆଇନ ଓ ଅଧିନିୟମକୁ ସମ୍ପୂର୍ଣ୍ଣ ଭାବେ ସମାପ୍ତ କରିଦେଇଛୁ, ଯାହା କେବଳ ଶାସନରେ ଜଟଳିତା ସୃଷ୍ଟି କରୁଥିଲା ।

ଏଭଳି ଉପାୟ ମାଧ୍ୟମରେ ଆମେ ଆମର ଅର୍ଥବ୍ୟବସ୍ଥାକୁ ଏକ ଉଚ୍ଚ ଅଭିବୃଦ୍ଧି ଦିଗରେ ନେଇଯାଇଛୁ ।

ଗତ 3ବର୍ଷ ମଧ୍ୟରେ FDI ପ୍ରବାହ ସର୍ବାଧିକ ହୋଇଛି । ଘରୋଇ ଉଦ୍ୟୋଗରେ ଏକ ନୂଆ ଶକ୍ତି ଓ ଜୀବନ୍ତ ହୋଇଛି ।

ଏକ ନୂଆ ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ୍ ଆରମ୍ଭ ହୋଇଛି ।

ଅଭିନବ ଆଇଡି ଓ ମୋବାଇଲ ଫୋନ୍ ଅନ୍ତଃପ୍ରବେଶ ସହ, ଆମେ ଦ୍ରୁତ ଗତିରେ ଡିଜିଟାଲ ଅର୍ଥବ୍ୟବସ୍ଥା ଆଡ଼କୁ ଗତି କରୁଛୁ ।

ଲକ୍ଷ ଲକ୍ଷ ଭାରତୀୟଙ୍କ ସାମର୍ଥ୍ୟର ଫାଇଦା ଉଠାଇବା ହେଉଛି ଆମର ରଣନୀତି ଯେଉଁମାନେ ବିଗତ ବର୍ଷମାନଙ୍କ ମଧ୍ୟରେ ଅନଲାଇନରେ ଆସିଛନ୍ତି ।

ଏଭଳି ଭାବେ ଏକ ନୂଆ ଭାରତ ବିକଶିତ ହେଉଛି ଯାହାକି ଆଧୁନିକ ଓ ପ୍ରତିଯୋଗିତାମୂଳକ ଏବଂ ଯତ୍ନବାନ ଓ ସହାନୁଭୂତିଶୀଳ ହେବ ।

ଗ୍ଲୋବାଲ ପ୍ଲାଟଫର୍ମରେ,

ଭାରତ ଗତ 3ବର୍ଷ ମଧ୍ୟରେ ବିଶ୍ୱବ୍ୟାଙ୍କର ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍ ଇଣ୍ଡେକ୍ସରେ 42ଟି ସ୍ଥାନ ଉପରକୁ ଯିବାରେ ସକ୍ଷମ ହୋଇଛି ।

ଆମେ ବିଶ୍ୱ ବ୍ୟାଙ୍କର 2016 ମସିହାର ଲଜିଷ୍ଟିକ କାର୍ଯ୍ୟସମ୍ପାଦନ ସୂଚକାଙ୍କର ଉନବିଂଶ ସ୍ଥାନକୁ ଯାଇଛୁ ।

ଗତ ଦୁଇବର୍ଷ ମଧ୍ୟରେ ବିଶ୍ୱ ଆର୍ଥିକ ଫୋରମର ବୈଶ୍ଵିକ ପ୍ରତିଯୋଗୀତା ସୂଚକାଙ୍କରେ ଆମେ 31 ତମ ସ୍ଥାନକୁ ଯାଇପାରିଛୁ ।

ଦୁଇବର୍ଷ ମଧ୍ୟରେ ଡବ୍ଲ୍ୟୁଆଇପିଓର ବିଶ୍ଵ ନବସୃଜନ ସୂଚକାଙ୍କରେ ଆମେ 20ତମ ସ୍ଥାନକୁ ସ୍ପର୍ଶ କରିଛୁ ।

ଆମେ UNCTD ଦ୍ୱାରା ତାଲିକାଭୁକ୍ତ ଶୀର୍ଷ 10ଟି ଏଫଡିଆଇ ସ୍ଥଳୀରେ ସାମିଲ ହୋଇଛୁ ।
ଆମର ବିଶ୍ୱସ୍ତରରେ ସ୍ୱଳ୍ପ ପ୍ରତିଯୋଗିତାମୂଳକ ନିର୍ମାଣ ଇକୋ ସିଷ୍ଟମ ରହିଛି ।

ଆମ ପାଖରେ ଜ୍ଞାନ ଓ ଶକ୍ତିର ବିଶାଳ କୁଶଳୀ ପୋଷାଦାର ଅଛନ୍ତି ।

ଏବେ ଆମ ପାଖରେ ବିଶ୍ୱସ୍ତରର ଇଞ୍ଜିନିୟରିଂ ଶିକ୍ଷା ଆଧାର ଓ ସୁଦୃଢ଼ ଗବେଷଣା ଓ ବିକାଶ ସୁବିଧା ରହିଛି

ଗତ 2ବର୍ଷ ମଧ୍ୟରେ ଆମେ କର୍ପୋରେଟ୍ କ୍ଷେତ୍ରରେ ସ୍ୱଳ୍ପ ଟିକସ ବ୍ୟବସ୍ଥା ଦିଗରେ ଅଗ୍ରସର ହେଉଛୁ, ଯେଉଁଠି ନୂଆ ନିବେଶ ଓ ଛୋଟ ଉଦ୍ୟୋଗ ପାଇଁ ଟିକସକୁ 30 ପ୍ରତିଶତରୁ 25 ପ୍ରତିାତକୁ ହ୍ରାସ କରିଛୁ ।

ଆମେ ‘ସଂସ୍କାରମୂଳକ ଭାରତ’ର ମିଶନ୍ ନେଇ କାର୍ଯ୍ୟ କରୁଛୁ:

ଏକ ପୁରୁଣା ସଭ୍ୟତାରୁ ଏକ ଆଧୁନିକ ସମାଜ,

ଅଣଆନୁଷ୍ଠାନିକ ଅର୍ଥବ୍ୟବସ୍ଥାକୁ ଏକ ଆନୁଷ୍ଠାନିକ ଅର୍ଥବ୍ୟବସ୍ଥା ଆଡ଼କୁ ନେବାରେ ମନ ଦେଇଛୁ;
ଆପଣମାନେ ଆମର କାମର ସୀମା ଓ ଅବଧିର କଳ୍ପନା କରିପାରିବେ କି ‘କ୍ରୟ ଶକ୍ତି’ରେ ଆମେ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା । ଖୁବଶୀଘ୍ର ନୋମିନାଲ ଜିଡିପିରେ ଆମେ ବିଶ୍ୱର ପଞ୍ଚମ ସର୍ବବୃହତ୍ ଅର୍ଥବ୍ୟବସ୍ଥା ପାଲଟିବୁ । ବିଶ୍ୱରେ ଏବେ ସବୁଠୁ ଅଧିକ ଅଭିବୃଦ୍ଧି କରୁଥିବା ପ୍ରମୁଖ ଅର୍ଥବ୍ୟବସ୍ଥା । ଆମେ ମଧ୍ୟ ସବୁଠୁ ବଡ଼ ଷ୍ଟାର୍ଟଅପ୍ ଇକୋ-ସିଷ୍ଟମ ଥିବା ଏକ ରାଷ୍ଟ୍ର ।

ଆମର ଲକ୍ଷ୍ୟ ହେଉଛି ସ୍କିଲ୍, ସ୍ପିଡ୍ ଓ ସ୍କେଲ୍ ଆଧାରିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଶିଳ୍ପ ଓ ସେବା ସୃଷ୍ଟି କରିବା । ତେଣୁ ଆମେ କ୍ରମାଗତ ଆମର ନିବେଶ ପରିବେଶରେ ସୁଧାର କରିବା ଦିଗରେ କାମ କରୁଛୁ । ଆମେ ବିଶେଷକରି ନିଜର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବୃହତ ଭାବେ ନିର୍ମାଣ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛୁ । ଏହି ଉଦ୍ଦେଶ୍ୟରେ ଆମେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିଛୁ । ଏଥିରେ ଆମର ଶିଳ୍ପ ଭିତ୍ତିଭୂମି, ନୀତି ଓ ବ୍ୟବସ୍ଥାକୁ ବିଶ୍ୱସ୍ତରର କରିବା ଓ ଭାରତକୁ ଆନ୍ତର୍ଜାତିକ ନିର୍ମାଣ Hub ବା ପେଣ୍ଠରେ ପରିବର୍ତ୍ତନ କରିବା ସାମିଲ ଅଛି । ‘ଡିଜିଟାଲ ଇଣ୍ଡିଆ’ ଓ ‘ସ୍କିଲ ଇଣ୍ଡିଆ’ ଭଳି କାର୍ଯ୍ୟକ୍ରମ ମଧ୍ୟ ଏହି ପ୍ରୟାସ ପାଇଁ ଅତିରିକ୍ତ ସହାୟକ ପାଲଟିଛି । ସ୍ୱଚ୍ଛ ଓ ସବୁଜିମା ବିକାଶ ଏବଂ ଜିରୋ ଡିଫେକ୍ଟ ଜିରୋ ଇଫେକ୍ଟ ନିର୍ମାଣ ମଧ୍ୟ ଆଉ ଏକ ପ୍ରତିଶ୍ରୁତିବଦ୍ଧତା ।

ଆମେ ବିଶ୍ୱ ପ୍ରତି ପ୍ରତିଶ୍ରୁତିବଦ୍ଧ ଓ ଉତ୍ତମ ପରିବେଶଗତ ଜ୍ଞାନକୌଶଳକୁ ଆଗ୍ରହର ସହ ଆପଣାଇବା ଦିଗରେ ଗତି କରୁଛୁ । ମୁଁ ପୂର୍ବରୁ କହିଥିଲି ଯେ ଭାରତର ସଫ୍ଟୱେୟାର ଓ କୋରିଆର ଆଇଟି ଉଦ୍ୟୋଗ ମଧ୍ୟରେ ସହଯୋଗର ବିପୁଳ ସମ୍ଭାବନା ରହିଛି । ଆପଣଙ୍କର କାର ନିର୍ମାଣ ସାମର୍ଥ୍ୟ ଓ ଆମର ଡିଜାଇନ ସାମର୍ଥ୍ୟ ଏକାଠି ହୋଇପାରିବ । ଅବଶ୍ୟ ଆମେ ବିଶ୍ୱର ତୃତୀୟ ସର୍ବବୃହତ୍ ଇସ୍ପାତ ଉତ୍ପାଦନକାରୀ, ଆମେ ସେଥିରେ ଅଧିକ ମୂଲ୍ୟ ଯୋଡ଼ିବାକୁ ଚାହୁଁଛୁ । ଆପଣଙ୍କ ଇସ୍ପାତ ନିର୍ମାଣ ସାମର୍ଥ୍ୟ ଓ ଆମର ଲୁହାପଥର ସମ୍ବଳ ଏକାଠି ମିଶି ଭଲ ଉତ୍ପାଦ ସୃଷ୍ଟି କରିପାରିବେ ।

ସେହିପରି, ଆପଣଙ୍କର ଜାହାଜ ନିର୍ମାଣ ସାମର୍ଥ୍ୟ ଓ ଆମର ବନ୍ଦରଭିତ୍ତିକ ବିକାଶ ଏଜେଣ୍ଡା ମଧ୍ୟ ଆମର ଭାଗିଦାରର ଏକ କାରକ ହୋଇପାରିବ । ଗୃହ ନିର୍ମାଣ, ସ୍ମାର୍ଟ ସିଟି, ରେଳ ଷ୍ଟେସନ୍, ଜଳ, ପରିବହନ, ରେଳବାଇ, ସମୁଦ୍ର ବନ୍ଦର, ଅକ୍ଷୟ ଶକ୍ତି ସହ ଶକ୍ତି, ଆଇଟି ଭିତ୍ତିଭୂମି ଓ ସେବା, ଇଲେକ୍ଟ୍ରୋନିକ୍ସ ଏସବୁ ସମସ୍ତ ମୋ’ ଦେଶରେ ବଢ଼ିଆ କ୍ଷେତ୍ର । ଭାରତ ଓ କୋରିଆ ଏହି ଅଂଚଳରେ ପ୍ରମୁଖ ଅର୍ଥବ୍ୟବସ୍ଥା । ଏସିଆରେ କ୍ଷେତ୍ରୀୟ ଅଭିବୃଦ୍ଧି, ବିକାଶ, ସ୍ଥିରତା ଓ ସମୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ଭାଗିଦାରୀରେ ବ୍ୟାପକ ସାମର୍ଥ୍ୟ ରହିଛି । ପୂର୍ବ ଏସିଆ ପାଇଁ ଭାରତ ଏକ ବୃହତ୍ ଅର୍ଥନୀତିକ ଗତିବିଧିରେ ପରିବର୍ତ୍ତନ ହେଉଛି । ସେହିପରି ଦକ୍ଷିଣ କୋରିଆ ନିଜର ବିଦେଶୀ ବଜାରରେ ବିବିଧତା ଆଣିବା ପାଇଁ ଚେଷ୍ଟା କରୁଛି ।

ଉଭୟ ନିଜର ଭାଗିଦାରର ନିବିଡ଼ତାକୁ ହାସଲ କରିବାକୁ ଛିଡ଼ା ହୋଇଛନ୍ତି । ଭାରତ ଏକ ବିଶାଳ ଓ ବିକାଶଶୀଳ ବଜାର । ଏହା ମଧ୍ୟପ୍ରାଚ୍ୟ ଓ ଆଫ୍ରିକୀୟ ବଜାରରେ ପ୍ରବେଶ କରିବା ପାଇଁ କୋରିଆ ବ୍ୟବସାୟୀଙ୍କ ନିମନ୍ତେ ଏକ ସେତୁ ମଧ୍ୟ ହୋଇପାରିବ । ଆପଣମାନେ ସ୍ମରଣ କରିପାରନ୍ତି କି କୋରିଆକୁ ମୋର ଗସ୍ତ ସମୟରେ ସହାୟକ(Hand-holding)ଏଜେନ୍ସିର ଆବଶ୍ୟକତା ଅନୁଭୂତ ହୋଇଥିଲା । ସେତେବେଳେ ଏହା ଘୋଷଣା କରାଯାଇଥିଲା କି ଭାରତରେ କୋରିଆର ନିବେଶ ପାଇଁ ଏକ ସମର୍ପିତ ଟିମ୍ ସ୍ଥାପିତ କରାଯିବ । ସେହି ଅନୁସାରେ ‘କୋରିଆ ପ୍ଲସ୍’ର ଗଠନ 2016 ଜୁନ୍ ମାସରେ ହୋଇଥିଲା । କୋରିଆ ପ୍ଲସ୍ ର ଉଦ୍ଦେଶ୍ୟ ହେଉଛି ଭାରତରେ କୋରିଆର ନିବେଶ ନିମନ୍ତେ ପ୍ରୋତ୍ସାହନ, ସୁବିଧା ପ୍ରଦାନ ଓ ଏହାକୁ ବଜାୟ ରଖିବା । ଏହା ଭାରତରେ କୋରିଆର ନିବେଶକଙ୍କ ପାଇଁ ପ୍ରଥମ ସମ୍ପର୍କ ବିନ୍ଦୁ ଭାବେ ବିବେଚନା କରାଯାଉଛି । କୋରିଆ ପ୍ଲସ୍ ପ୍ରାୟ 2ବର୍ଷରୁ କମ୍ ସମୟ ମଧ୍ୟରେ 100 ରୁ ଅଧିକ କୋରିଆର ନିବେଶକଙ୍କୁ ସୁବିଧା ପ୍ରଦାନ କରିଚି । ଏହା କୋରିଆର କମ୍ପାନୀଗୁଡ଼ିକର ନିବେଶଚକ୍ର ସମୟରେ ଏକ ଭାଗିଦାରୀ ଭାବେ କାର୍ଯ୍ୟ କରିଥାଏ । ଏହା କୋରିଆର ଲୋକ ଓ କମ୍ପାନୀଗୁଡ଼ିକର ଚିନ୍ତାଧାରା ଓ ନିବେଶକୁ ସ୍ୱାଗତ କରିବାର ଆମର ପ୍ରତିଶ୍ରୁତିବଦ୍ଧତାକୁ ଦର୍ଶାଉଛି ।

ମୁଁ ଏହା କହି ସମାପ୍ତ କରିବାକୁ ଚାହୁଁଛି କି ଭାରତ ଏବେ ବ୍ୟବସାୟ ପାଇଁ ପ୍ରସ୍ତୁତ । ଭାରତ ଏବେ ଉଦ୍ୟୋଗ ପାଇଁ ଏକ ମୁକ୍ତ ଗନ୍ତବ୍ୟସ୍ଥଳ । ଆପଣମାନେ ବିଶ୍ୱରେ କେଉଁଠି ବି ଏଭଳି ଏକ ମୁକ୍ତ ଓ କ୍ରମବର୍ଦ୍ଧିଷ୍ଣୁ ବଜାର ପାଇବେ ନାହିଁ । ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଆପଣମାନଙ୍କ ନିବେଶକୁ ପ୍ରୋତ୍ସାହନ ଦେବା ଓ ସୁରକ୍ଷିତ ରଖିବା ନିମନ୍ତେ ଯାହାବି ଜରୁରୀ ହେବ, ତାହା କରାଯିବ । କାରଣ ଆମେ ନିଜର ଅର୍ଥବ୍ୟବସ୍ଥାରେ ଆପଣମାନଙ୍କ ଭାଗିଦାରୀ ଓ ଯୋଗଦାନର ମୂଲ୍ୟକୁ ସମ୍ମାନ ଦେଉଛୁ । ବ୍ୟକ୍ତିଗତସ୍ତରରେ ମଧ୍ୟ ଯେତେବେଳେ ଆବଶ୍ୟକ ପଡ଼ିବ, ମୁଁ ଆପଣମାନଙ୍କୁ ସମସ୍ତ ପ୍ରକାର ସହୟତା ଦେବାକୁ ଆଶ୍ୱସ୍ତ କରୁଛି ।

ଧନ୍ୟବାଦ

**********