Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ସୋମାଲିଆ ମଧ୍ୟରେ ବନ୍ଦୀ ପ୍ରତ୍ୟର୍ପଣ ବୁଝାମଣା ପ୍ରସ୍ତାବକୁ କ୍ୟାବିନେଟ ମୋହର


ଦୁଇ ଦେଶର ବନ୍ଦୀମାନଙ୍କୁ ପରସ୍ପର ମଧ୍ୟରେ ପ୍ରତ୍ୟର୍ପଣ କରିବା ଲାଗି ଭାରତ-ସୋମାଲିଆ ମଧ୍ୟରେ ବୁଝାମଣା ହେବ । ଏହି ବୁଝାମଣା ପ୍ରସ୍ତାବ ଏବଂ ଏହାର ପରବର୍ତ୍ତୀ ଅନୁସମର୍ଥନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।

ବୁଝାମଣା ଫଳରେ ସୋମାଲିଆରେ ବନ୍ଦୀ ଜୀବନ ବିତାଉଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଅଣାଯିବ ଏବଂ ଭାରତରେ ବନ୍ଦୀଥିବା ସୋମାଲି ନାଗରିକମାନଙ୍କୁ ସେହି ଦେଶକୁ ପଠାଯିବ ।

ବର୍ତ୍ତମାନ ସୁଦ୍ଧା ଭାରତ ସରକାର ପାରସ୍ପରିକ ବନ୍ଦୀ ବିନିମୟ ପାଇଁ ବ୍ରିଟେନ, ମରିସସ, ବୁଲଗାରିଆ, ବ୍ରାଜିଲ, ଇସ୍ରାଏଲ, ବୋସନିଆ ଓ ହେର୍ଜେଗୋବିନା, ମିଳିତ ଆରବ ଅମିରତନ୍ତ୍ର (ୟୁଏଇ), ଇଟାଲୀ, ତୁର୍କୀ, ମାଳଦ୍ୱୀପ, ଥାଇଲାଣ୍ଡ, ରୁଷିଆ, କୁଏତ, ଭିଏତନାମ, ଅଷ୍ଟ୍ରେଲିଆ, ହଂକଂ, କାତାର, ମଙ୍ଗୋଲିଆ, କାଜକାସ୍ତାନ, ବାହାରିନ ଓ ଏସ୍ତୋନିଆ ସହ ରାଜିନାମା କରି ସାରିଛି ।

2004 ପୂର୍ବରୁ ଦେଶରେ ଏଭଳି ଆଇନ ନଥିଲା । ବନ୍ଦୀ ପ୍ରତ୍ୟର୍ପଣ ଆଇନ ଅନୁମୋଦିତ ହେବାପରେ ଭାରତ ଏହିସବୁ ଦେଶମାନଙ୍କ ସହ ବନ୍ଦୀ ବିନିମୟ ବୁଝାମଣା କରିଛି । ଯାହାଫଳରେ କି ସମ୍ପୃକ୍ତ ଦେଶଗୁଡିକରେ ବନ୍ଦୀ ଜୀବନ ବିତାଉଥିବା ଭାରତୀୟମାନଙ୍କୁ ଅବଶିଷ୍ଟ ସମୟ ପାଇଁ ଭାରତ ଅଣାଯାଇ ପାରିବ ଏବଂ ନିଜ ଦେଶରେ ସେମାନେ ସମ୍ପର୍କୀୟମାନଙ୍କ ସଂସ୍ପର୍ଶରେ ଆସିପାରିବେ । ସେହିପରି ଅନ୍ୟ ଦେଶମାନେ ମଧ୍ୟ ଭାରତରେ ଥିବା ବନ୍ଦୀମାନଙ୍କୁ ସେମାନଙ୍କ ଦେଶକୁ ନେଇପାରିବେ ।