Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ୟୁରୋପୀୟ ସଂଘର ଚତୁର୍ଦ୍ଦଶ ସମ୍ମିଳନୀ(ଅକ୍ଟୋବର 06, 2017)ରେ ଭାରତ ଓ ୟୁରୋପୀୟ ସଂଘର ମିଳିତ ବିବୃତି ।


  1. ଅକ୍ଟୋବର 6, 2017ରେ ଭାରତ ଏବଂ ୟୁରୋପୀୟ ସଂଘ(EU) ମଧ୍ୟରେ ଚତୁର୍ଦ୍ଦଶ ବାର୍ଷିକ ସମ୍ମିଳନୀରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ସାଧାରଣତନ୍ତ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିନିଧିତ୍ୱ କରିଥିଲେ । ୟୁରୋପୀୟ ସଂଘ ପକ୍ଷରୁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ମିଃ. ଡୋନାଲ୍ଡ ଟସ୍କ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ମିଃ. ଜାଁ କ୍ଲାଉଡ୍ ଜଙ୍କର ପ୍ରତିନିଧିତ୍ୱ କରିଥିଲେ ।
  2. ଉଭୟ ପକ୍ଷ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀରେ ବିସ୍ତୃତ କ୍ଷେତ୍ରକୁ ପରିବ୍ୟାପ୍ତ କରିବା ସହ ଆପୋଷ ସହଯୋଗର ସମୀକ୍ଷା କରିଥିଲେ । ଭାରତ ଏବଂ ୟୁରୋପୀୟ ସଂଘ ସ୍ୱାଭାବିକ ଭାଗିଦାର ହୋଇଥିବାରୁ ଉଭୟ ପକ୍ଷର ନେତାମାନେ ଗଣତାନ୍ତ୍ରିକ, ସ୍ୱାଧୀନ, ଆଇନର ଶାସନ ଏବଂ ମାନବିକ ଅଧିକାର ସୁରକ୍ଷା ଏବଂ ରାଷ୍ଟ୍ରଗୁଡ଼ିକର ପ୍ରାଦେଶିକ ଅଖଣ୍ଡତାର ମୂଲ୍ୟବୋଧ ଆଧାରରେ ଭାରତ-ୟୁରୋପୀୟ ସଂଘର ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର ଏବଂ ସୁଦୃଢ଼ କରିବା ଲାଗି ପ୍ରତିଶ୍ରୁତିବଦ୍ଧତା ଦୋହରାଇଥିଲେ ।
  3. ଭାରତ-ୟୁରୋପୀୟ ସଂଘର ତ୍ରୟୋଦଶ ସମ୍ମିଳନୀରେ ଭାରତ-ୟୁରୋପୀୟ ସଂଘ ଏଜେଣ୍ଡା ଫର ଏକ୍ସନ-2020 ଦ୍ୱିପାକ୍ଷିକ ସହଯୋଗ ପାଇଁ ମାର୍ଗଚିତ୍ର ପ୍ରସ୍ତୁତ କରାଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଅଗ୍ରଗତି ନେଇ ନେତାମାନେ ସନ୍ତୋଷ ବ୍ୟକ୍ତ କରିଥିଲେ।
  4. ଭାରତ-ୟୁରୋପୀୟ ସଂଘର ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସକାଶେ ଫଳପ୍ରଦ ଏବଂ ଆପୋଷ ଲାଭ ଆଧାରିତ ସହଯୋଗ ପାଇଁ ନେତାମାନେ ସହମତ ହୋଇଥିଲେ । ଏଥିସହିତ ବାଣିଜ୍ୟ ସହଯୋଗ, ଉଭୟ ପକ୍ଷକୁ ନିବେଶ ପ୍ରବାହ ଏବଂ ବୈଶ୍ଵିକ ତଥା ଆଂଚଳିକ ପ୍ରସଙ୍ଗ, ଯେପରିକି ଜଳବାୟୁ ପରିବର୍ତ୍ତନ, ସ୍ଥାନାନ୍ତରଣ ଏବଂ ଶରଣାର୍ଥୀ ସଂକଟ ଆଦି କ୍ଷେତ୍ରରେ ଆଲୋଚନା ଏବଂ ପାରସ୍ପରିକ ସହଯୋଗକୁ ଆହୁରି ବିସ୍ତୃତ କରିବା ଲାଗି ପ୍ରତିବଦ୍ଧତା ଦୋହରାଇବା ସହିତ ଏହି କ୍ଷେତ୍ରରେ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗକୁ ଆହୁରି ସୁଦୃଢ଼ କରିବା ଲାଗି ରାଜି ହୋଇଥିଲେ ।
  5. ବିସ୍ତୃତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର, ବିଶେଷ କରି ଜଳବାୟୁ ପରିବର୍ତ୍ତନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତରେ ୟୁରୋପୀୟ ନିବେଶ ବ୍ୟାଙ୍କର ସୁଦୃଢ଼ ସମ୍ପୃକ୍ତି ନିମନ୍ତେ ନେତାମାନେ ସହମତ ହୋଇଥିଲେ ।
  6. ଭାରତ-ୟୁରୋପୀୟ ସଂଘର ସହଯୋଗ ଏବଂ ଆପୋଷ ବୁଝାମଣା ବୃଦ୍ଧି ନିମନ୍ତେ ନିୟମିତ ଉଚ୍ଚସ୍ତରୀୟ ଯୋଗାଯୋଗ ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ ।
  7. ସେମାନେ ରାଜି ହୋଇଥିଲେ ଯେ ଭାରତ ଏବଂ ୟୁରୋପୀୟ ସଂଘ ବିଶ୍ୱର ବୃହତମ ଗଣତନ୍ତ୍ର ଭାବେ ଏହି କ୍ଷେତ୍ରର ସମସ୍ତ ସହଯୋଗୀଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଆଇନ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଯାହା ଅର୍ନ୍ତଜାତୀୟ ସର୍ତ୍ତାବଳୀ, ବିଶ୍ୱ ଶାନ୍ତି ଏବଂ ସ୍ଥିରତାକୁ ବଜାୟ ରଖିବା ସହିତ ଆନ୍ତଃସଂଯୁକ୍ତ ଏବଂ ବହୁଧ୍ରୁବୀୟ ବିଶ୍ୱରେ ସାମଗ୍ରୀକ ଅଭିବୃଦ୍ଧି ଏବଂ ସ୍ଥିର ବିକାଶକୁ ପ୍ରୋତ୍ସାହନ ଦେଉଥିବ । ବିଭିନ୍ନ ସମସାମୟିକ ବୈଶ୍ଵିକ ପ୍ରସଙ୍ଗରେ ବୃଦ୍ଧି ପାଉଥିବା ଏକାଭିମୁଖତାକୁ ସେମାନେ ସ୍ୱାଗତ କରିଥିଲେ ଏବଂ ବହୁପକ୍ଷୀୟ ମଞ୍ଚରେ ଭାରତ-ୟୁରୋପୀୟ ସହଯୋଗ ବୃଦ୍ଧି ପାଇଁ ସହମତ ହୋଇଥିଲେ । ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଏକ ମୁକ୍ତ ଏବଂ ସାମଗ୍ରୀକ ଅନ୍ତର୍ଜାତୀୟ ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗି ସେମାନଙ୍କ ମୌଳିକ ଉତ୍ତରଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରତିବଦ୍ଧତା ଦୋହରାଇଥିଲେ ।
  8. ସୁରକ୍ଷା ଏବଂ ସମୃଦ୍ଧିକୁ ପ୍ରୋତ୍ସାହନ ଦେବା ସକାଶେ ମୌଳିକ ପଦକ୍ଷେପ ସ୍ୱରୂପ ଶାନ୍ତି ବଜାୟ ରଖିବା ଏବଂ ବିବାଦର ନିରାକରଣ ପାଇଁ ନେତାମାନେ ସେମାନଙ୍କ ସଂକଳ୍ପବଦ୍ଧତା ଦୋହରାଇଥିଲେ । ପରମାଣୁ ନିରସ୍ତ୍ରୀକରଣକୁ ପ୍ରୋତ୍ସାହନ ଦେବା ସହିତ ବିଶ୍ୱବାସୀ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଏକଜୁଟ ହେବା ଏବଂ ସାମୁଦ୍ରିକ, ସାଇବର କ୍ଷେତ୍ର ଏବଂ ମହାକାଶ କ୍ଷେତ୍ରରେ ବୈଶ୍ଵିକ ସୁରକ୍ଷା ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ କରାଯିବା ଉଚିତ ବୋଲି ଉଭୟ ପକ୍ଷ ସହମତ ହୋଇଥିଲେ । ସେମାନେ 25 ଅଗଷ୍ଟ 2017ରେ ନୂଆଦିଲ୍ଲୀରେ ଆୟୋଜିତ ପଞ୍ଚମ ଭାରତ-ୟୁରୋପୀୟ ସଂଘର ବୈଦେଶିକ ନୀତି ଏବଂ ସୁରକ୍ଷା ପରାମର୍ଶଶାଳାକୁ ସ୍ୱାଗତ କରିଥିଲେ । ଏହା ରାଜନୈତିକ ଏବଂ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ଆହୁରି ସୁଦୃଢ଼ କରିବ ।
  9. ମୁକ୍ତ, ଅବାଧ, ସୁରକ୍ଷିତ, ସ୍ଥିର, ଶାନ୍ତିପୂର୍ଣ୍ଣ ଏବଂ ସମସ୍ତଙ୍କ ପାଇଁ ଗ୍ରହଣ ଯୋଗ୍ୟ ସାଇବର କ୍ଷେତ୍ର ଯାହା ଅର୍ଥନୈତିକ ଅଭିବୃଦ୍ଧି ଏବଂ ନବସୃଜନକୁ ପ୍ରୋତ୍ସାହନ ଦେଉଥିବ ସେ ଦିଗରେ ନେତାମାନେ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ବିଶେଷକରି ନେତାମାନେ ଦୋହରାଇଥିଲେ ଯେ ସାଇବର କ୍ଷେତ୍ରରେ ଅନ୍ତର୍ଜାତୀୟ ଆଇନ ଲାଗୁ ହେଉ ଏବଂ ସାଇବର କ୍ଷେତ୍ରରେ ଅନ୍ତର୍ଜାତୀୟ ଆଇନର ପାଳନ ଦିଗରେ ଆହୁରି ପ୍ରୟାସ କରାଯାଉ ଏବଂ ଏହି କ୍ଷେତ୍ରରେ ରାଷ୍ଟ୍ରଗୁଡ଼ିକ ଆହୁରି ଦାୟିତ୍ୱସମ୍ପନ୍ନ ବ୍ୟବହାର କରନ୍ତୁ । ନଭେମ୍ବର 23-24ରେ ନୂଆଦିଲ୍ଲୀରେ ହେବାକୁ ଥିବା ପଞ୍ଚମ ବିଶ୍ୱ ସାଇବର ସମ୍ମିଳନୀ ଆୟୋଜନକୁ ନେତାମାନେ ସ୍ୱାଗତ କରିଥିଲେ । ନେତାମାନେ ଉଲ୍ଲେଖ କରିଥିଲେ ଯେ ଦ୍ୱିପାକ୍ଷିକ ସାଇବର ବାର୍ତ୍ତାଳାପ ବର୍ତ୍ତମାନ ଏବଂ ଭବିଷ୍ୟତ ସହଯୋଗ ନିମନ୍ତେ ଦୃଢ଼ ଭିତ୍ତିଭୂମି ଯୋଗାଇ ଦେବ । ଏଥିସହିତ ସେମାନେ ଚଳିତ ବର୍ଷ ଅଗଷ୍ଟ 29 ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏହାର ସଦ୍ୟ ପର୍ଯ୍ୟାୟ ଏବଂ 2018ରେ ବ୍ରସେଲ୍ସରେ ଆୟୋଜିତ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ସାଇବର ବାର୍ତ୍ତାଳାପର ପରବର୍ତ୍ତୀ ପର୍ଯ୍ୟାୟକୁ ସ୍ୱାଗତ କରିଥିଲେ ।
  10. ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେତାମାନେ କଡ଼ା ଶବ୍ଦରେ ନିନ୍ଦା କରିଥିଲେ ଏବଂ ଆତଙ୍କବାଦ ଓ ଉଗ୍ରବାଦ ଦ୍ୱାରା ବିଶ୍ୱ ପ୍ରତି ଦେଖାଦେଇଥିବା ବିପଦକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ରଣନୈତିକ ଏବଂ ସୁରକ୍ଷା ସହଯୋଗକୁ ଦୃଷ୍ଟିରେ ରଖି ଆତଙ୍କବାଦର ମୁକାବିଲା ପାଇଁ ଉଭୟ ପକ୍ଷ ମଧ୍ୟରେ ସହଯୋଗର ଏକ ମିଳିତ ବିବୃତି ଜାରି କରାଯାଇଥିଲା । ଏଥିସହିତ ବିସ୍ତୃତ ଆଭିମୁଖ୍ୟ ଆଧାରରେ ସମସ୍ତ ରୂପରେ ଆତଙ୍କବାଦର ଦୃଢ଼ ମୁକାବିଲା ପାଇଁ ସେମାନଙ୍କ ସଂକଳ୍ପବଦ୍ଧତା ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ 30 ଅଗଷ୍ଟ, 2017ରେ ନୂଆଦିଲ୍ଲୀରେ ଆୟୋଜିତ ଭାରତ-ୟୁରୋପୀୟ ସଂଘ ମିଳିତ ଆତଙ୍କବାଦ ମୁକାବିଲା ଆଲୋଚନାକୁ ସ୍ୱାଗତ କରିଥିଲେ । ଏଥିସହିତ ସେମାନେ ଅନଲାଇନ ଉଗ୍ରବାଦର ମୁକାବିଲା, ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଯେପରିକି ତାଲିମ ଏବଂ କର୍ମଶାଳା ଆଦି ସମେତ ପାରସ୍ପର ମଧ୍ୟରେ ସୂଚନା ଏବଂ ଶ୍ରେଷ୍ଠ ପ୍ରଚଳିତ ବ୍ୟବସ୍ଥାର ଆଦାନପ୍ରଦାନ ନିମନ୍ତେ ସହମତ ହୋଇଥିଲେ  । ସେମାନେ ମଧ୍ୟ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟ।ନ୍ୱୟନ ଟାସ୍କ ଫୋର୍ସ କ୍ଷେତ୍ରରେ ସହଯୋଗକୁ ନିବିଡ଼ି କରିବା ଲାଗି ସହମତ ହୋଇଥିଲେ  ।
  11. ନୂଆଦିଲ୍ଲୀ ଠାରେ 18 ଜୁଲାଇ 2017ରେ ଅନୁଷ୍ଠିତ ଭାରତ-ୟୁରୋପୀୟ ସଂଘ ପରମାଣୁ ଅପ୍ରସାର ଏବଂ ନିରସ୍ତ୍ରୀକରଣ ଆଲୋଚନା ଉଲ୍ଲେଖ କରାଯାଇଥିବା ପ୍ରସଙ୍ଗ ଅନୁରୂପ ବିଶ୍ୱ ନିରସ୍ତ୍ରୀକରଣ ପ୍ରୟାସକୁ ସୁଦୃଢ଼ କରିବା ଦିଗରେ ଉଭୟ ପକ୍ଷ ସହମତ ହୋଇଥିଲେ । କ୍ଷେପଣାସ୍ତ୍ର କୌଶଳ ନିୟନ୍ତ୍ରଣ ବ୍ୟବସ୍ଥା (ଏମଟିସିଆର)ରେ ସାମିଲ ହୋଇଥିବାରୁ ୟୁରୋପୀୟ ସଂଘ ଭାରତକୁ ଶୁଭକାମନା ଜଣାଇଥିଲା । ବାଲିଷ୍ଟିକ ମିସାଇଲ ପ୍ରସାର ବିରୋଧରେ ଗଠିତ ହଗ ଆଚାରସଂହିତା(ଏଚସିଓସି)କୁ ଭାରତ ଗ୍ରହଣ କରିଥିବାରୁ ୟୁରୋପୀୟ ସଂଘ ଏହାକୁ ମଧ୍ୟ ସ୍ୱାଗତ କରିଥିଲା । ପରମାଣୁ ଯୋଗାଣକାରୀ ଗୋଷ୍ଠୀ (ଏନ୍ଏସଜି), ୱାସେନାର ଏରେଞ୍ଜମେଣ୍ଟ ଏବଂ ଦି ଅଷ୍ଟ୍ରେଲିଆ ଗ୍ରୁପ ଭଳି ବୈଶ୍ଵିକ ନିରସ୍ତ୍ରୀକରଣ ପ୍ରୟାସକୁ ସୁଦୃଢ଼ କରୁଥିବା ସଂସ୍ଥା ସହ ଭାରତର ସମ୍ପୃକ୍ତିକୁ ୟୁରୋପୀୟ ସଂଘ ବେଶ ପ୍ରଶଂସା କରିଥିଲା  ।
  12. ଭାରତ ମହାସାଗର ଏବଂ ଏହାର ବାହାରେ ସାମୁଦ୍ରିକ ନିରାପତ୍ତା ସହଯୋଗକୁ ବିସ୍ତାର କରିବା ଦିଗରେ ଭାରତ ଏବଂ ୟୁରୋପୀୟ ସଂଘ ପାରସ୍ପରିକ ପ୍ରତିବଦ୍ଧତା ଦୋହରାଇଥିଲେ । ଉଭୟ ପକ୍ଷ ନିକଟରେ ସୋମାଲିଆ ଉପକୂଳରେ ୟୁରୋପୀୟ ସଂଘର ନୌବାହିନୀ ଏବଂ ଭାରତୀୟ ନୌବାହିନୀ ମଧ୍ୟରେ କୌଶଳ ପ୍ରଦର୍ଶନକୁ ସାମୁଦ୍ରିକ ସହଯୋଗର ସଫଳ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ । ନିକଟ ଭବିଷ୍ୟତରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଭାରତର ସାମ୍ଭାବ୍ୟ ଭାଗିଦାରୀ ପ୍ରତି ୟୁରୋପୀୟ ସଂଘ ଆଗ୍ରହ ପ୍ରକାଶ କରିଥିଲେ । ସ୍ୱାଧୀନତା, ଅନ୍ତର୍ଜାତୀୟ ଆଇନ, ବିଶେଷ କରି ମିଳିତ ଜାତିସଂଘର ସାମୁଦ୍ରିକ ଆଇନ ସମ୍ମେଳନ (ୟୁଏନସିଏଲ୍ଓଏସ୍)1982 ଆଧାରରେ ବିଭିନ୍ନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପ୍ରତି ସେମାନେ ଗୁରୁତ୍ୱ ଦେଇଥିଲେ । ଉଭୟ ପକ୍ଷର ନେତା ନୀଳ ଅର୍ଥବ୍ୟବସ୍ଥା ପରିପ୍ରେକ୍ଷୀରେ ସୁରକ୍ଷା, ସ୍ଥିରତା, ମହାସାଗର ଏବଂ ସାଗର କ୍ଷେତ୍ରରେ ଯୋଗାଯୋଗ ଏବଂ ସ୍ଥିର ବିକାଶ ପ୍ରତି ଗୁରୁତ୍ୱାରୋପ କରିଥିଲେ ।
  13. ଉଭୟ ପକ୍ଷ ଭାରତ-ୟୁରୋପୀୟ ସଂଘ ମଧ୍ୟରେ ଭୂ-ଅଧ୍ୟୟନ ଏବଂ ମହକାଶ ସହଯୋଗ ପାଇଁ ସହମତ ହୋଇଥିଲେ ।
  14. ମାନବିକ ଅଧିକାର ସୁରକ୍ଷା, ଲିଙ୍ଗଗତ ସମାନତା ଏବଂ ସମାଜର ପ୍ରତିଟି କ୍ଷେତ୍ରରେ ନାରୀ ସଶକ୍ତିକରଣ ଭଳି ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ପାଇଁ ଭାରତ ଏବଂ ୟୁରୋପୀୟ ସଂଘ ଗୁରୁତ୍ୱ ଦେଇଛନ୍ତି । ଏ ଦିଗରେ, ସେମାଙ୍କ ପରବର୍ତ୍ତୀ ଆଲୋଚନା ନୂଆଦିଲ୍ଲୀରେ ଆୟୋଜନ ଲାଗି ଉଭୟ ପକ୍ଷ ସହମତ ହୋଇଛନ୍ତି । ସେମାନେ ଏହି ପ୍ରସଙ୍ଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ ଏବଂ ମିଳିତ ଜାତିସଂଘ ମାନବିକ ଅଧିକାର ପରିଷଦ ଭଳି ଅନ୍ତର୍ଜାତୀୟ ମଞ୍ଚରେ ବିସ୍ତୃତ ଆଲୋଚନା ପ୍ରସ୍ତାବକୁ ସମର୍ଥନ କରିବେ ବୋଲି ସହମତ ହୋଇଛନ୍ତି  ।
  15. ଆଫଗାନିସ୍ତାନ ନେତୃତ୍ୱରେ ଏବଂ ଆଫଗାନିସ୍ତାନ ଦ୍ୱାରା ପରିଚାଳିତ ଜାତୀୟ ଶାନ୍ତି ଓ ସମାଧାନ ପ୍ରକ୍ରିୟା ଲାଗି ଆଫଗାନିସ୍ତାନ ସରକାର ଏବଂ ଲୋକମାନଙ୍କ ଉଦ୍ୟମ ପ୍ରତି ଉଭୟପକ୍ଷ ସେମାନଙ୍କ ସମର୍ଥନ ଜଣାଇଛନ୍ତି । ଆତଙ୍କବାଦ ଏବଂ ହିଂସାତ୍ମକ ଉଗ୍ରବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ବୋଲି ବିବେଚନା କରି ଉଭୟ ପକ୍ଷ ଆତଙ୍କବାଦର ସମସ୍ତ ପ୍ରତିରୂପ ବିରୋଧରେ ଲଢ଼େଇ କରିବା ଲାଗି ପ୍ରତିବଦ୍ଧତା ଦୋହରାଇଥିଲେ । ଆଫଗାନିସ୍ତାନରେ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ସୁନିଶ୍ଚିତ କରିବା ଲାଗି ଏକ ରାଜନୈତିକ ପ୍ରକ୍ରିୟା ଏବଂ ଏହାର ଫଳାଫଳକୁ ସମସ୍ତ ଅନ୍ତର୍ଜାତୀୟ ଏବଂ ଆଂଚଳିକ ଅଂଶୀଦାର ସମର୍ଥନ, ପ୍ରୋତ୍ସାହନ ଏବଂ ସମ୍ମାନ ଦେବା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି । ଆଫଗାନିସ୍ତାନରେ ସାମାଜିକ ଏବଂ ଅର୍ଥନୈତିକ ଭିତ୍ତିଭୂମି ନିର୍ମାଣ, ପ୍ରଶାସନିକ ସଂସ୍ଥା ଏବଂ ମାନବ ସମ୍ବଳ ବିକାଶ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟକ୍ରମ ନିମନ୍ତେ ଭାରତ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିକାଶ ସହାୟତାକୁ ୟୁରୋପୀୟ ସଂଘ ପ୍ରଶଂସା କରିଛି । ଆଫଗାନିସ୍ତାନକୁ ଏକ ଆତ୍ମନିର୍ଭରଶୀଳ ଏବଂ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ଦିଗରେ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ  ।
  16. ମିଆଁମାର ରାଖିନ ପ୍ରଦେଶରେ ନିକଟରେ ବ୍ୟାପକ ହିଂସାକାଣ୍ଡ ଦେଖାଦେଇଛି । ଫଳରେ ଏହି ରାଜ୍ୟର ବହୁସଂଖ୍ୟାରେ ଜନତା ପଡ଼ୋଶୀ ଦେଶକୁ ପଳାୟନ କରିଛନ୍ତି, ଏମାନଙ୍କ ମଧ୍ୟରୁ କେତେକ ପଡ଼ୋଶୀ ବାଂଲାଦେଶରେ ଶରଣ ନେଇଛନ୍ତି । ଏହି ପ୍ରସଙ୍ଗରେ ଭାରତ ଏବଂ ୟୁରୋପୀୟ ସଂଘ ଚିନ୍ତାବ୍ୟକ୍ତ କରିଥିଲେ । ଉଭୟ ପକ୍ଷ ସହମତ ହୋଇଥିଲେ ଯେ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି (ଆରସା) ଦ୍ୱାରା ସଂଘଟିତ ଆକ୍ରମଣରେ ସୁରକ୍ଷାବାହିନୀ ଏବଂ ସାଧାରଣ ଲୋକେ ପ୍ରାଣ ହରାଇବା ଘଟଣାରୁ ଏପରି ସ୍ଥିତି ଉପୁଜିଛି । ଆଉ ବିଳମ୍ବ ନକରି ରାଖିନୀ ରାଜ୍ୟରେ ହିଂସାର ଅନ୍ତ ଘଟାଇବା ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାର ଆବଶ୍ୟକତା ରହିଛି ବୋଲି ଉଭୟ ପକ୍ଷ ମତବ୍ୟକ୍ତ କରିଥିଲେ । କୋଫି ଆନ୍ନାନଙ୍କ ନେତୃତ୍ୱରେ ଗଠିତ ରାଖିନି ପରାମର୍ଶଦାତା କମିଶନଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସେମାନେ ମିଆଁମାର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ଏବଂ ବାଂଲାଦେଶ ସହ ମିଳିତ ସହଯୋଗ ଭିତ୍ତିରେ କାର୍ଯ୍ୟକାରୀ ଉତ୍ତର ରାଖିନି ପ୍ରଦେଶକୁ ପଳାୟନ କରିଥିବା ସବୁସମ୍ପ୍ରଦାୟର ଲୋକମାନଙ୍କୁ ଫେରାଇ ଆଣିବା ଦିଗରେ କାର୍ଯ୍ୟ କରିବା ଲାଗି ନିବେଦନ କରିଛନ୍ତି । ଅଭାବନୀୟ ପରିସ୍ଥିତିରେ ଥିବା ଲୋକମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବାରେ ବାଂଲାଦେଶର ଭୂମିକାକୁ ଉଭୟ ପକ୍ଷ ପ୍ରଶଂସା କରିଥିଲେ  ।
  17. ଇରାନ ପରମାଣୁ ପ୍ରସଙ୍ଗରେ ମିଳିତ ସୁପରିକଳ୍ପିତ କାର୍ଯ୍ୟ।ନ୍ୱୟନ ଯୋଜନା (ଜେସିପିଓଏ)ର ପୂର୍ଣ୍ଣ କାର୍ଯ୍ୟକାରୀତା ଉପରେ ଭାରତ ଏବଂ ୟୁରୋପୀୟ ସଂଘ ସେମାନଙ୍କ ସମର୍ଥ ଜାରି ରଖିବେ ବୋଲି ଦୋହରାଇଥିଲେ । ଇରାନ ଏହାର ପରମାଣୁ ସମ୍ପର୍କିତ ଜେସିପିଓଏ ପ୍ରତିଶ୍ରୁତିକୁ ପାଳନ କରୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସୀ (ଆଇଏଇଏ)ର ସ୍ପଷ୍ଟତାକୁ ସେମାନେ ଗ୍ରହଣ କରିଥିଲେ । ଚୁକ୍ତିର ପୂର୍ଣ୍ଣ ଏବଂ ପ୍ରଭାବୀ କାର୍ଯ୍ୟକାରୀତା ପାଇଁ ଭାରତ ଏବଂ ୟୁରୋପୀୟ ସଂଘ ଆହ୍ୱାନ କରିଥିଲେ । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ଏହାକୁ ସମର୍ଥନ କରୁଛି ଏବଂ ଏହା ନିରସ୍ତ୍ରୀକରଣ ଫ୍ରେମୱାର୍କ ଏବଂ ଅନ୍ତର୍ଜାତୀୟ ଶାନ୍ତି, ସ୍ଥିରତା ଏବଂ ନିରାପତ୍ତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ହେବ ।
  18. 3 ସେପ୍ଟେମ୍ବର, 2017ରେ ଉତ୍ତର କୋରିଆ ପକ୍ଷରୁ କରାଯାଇଥିବା ପରମାଣୁ ପରୀକ୍ଷଣକୁ ଉଭୟ ପକ୍ଷ ନିନ୍ଦା କରିଥିଲେ । ଉତ୍ତର କୋରିଆ ଦ୍ୱାରା ଏହା ଆଉ ଏକ ପ୍ରତ୍ୟକ୍ଷ ଏବଂ ଅଗ୍ରହଣୀୟ ଅନ୍ତର୍ଜାତୀୟ ପ୍ରତିଶ୍ରୁତିର ଉଲ୍ଲଙ୍ଘନ ବୋଲି ଉଭୟ ପକ୍ଷ ମତବ୍ୟକ୍ତ କରିଥିଲେ । ଉଭୟ ପକ୍ଷ ଏଥିରେ ସହମତ ହୋଇଥିଲେ ଯେ ଉତ୍ତର କୋରିଆର ଲଗାତାର ବାଲିଷ୍ଟିକ ଏବଂ ପରମାଣୁ ପରୀକ୍ଷଣ କାର୍ଯ୍ୟକ୍ରମ ଏବଂ ଏହାର ପ୍ରସାର ଅନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି । ତେଣୁ ୟୁଏନ୍ଏସସି ଓ 6 ପକ୍ଷ ବାର୍ତ୍ତା ସମର୍ଥନ ଅନୁଯାୟୀ, କୋରିଆ ଉପଦ୍ୱୀପରେ ସମ୍ପୂର୍ଣ୍ଣ, ପ୍ରାମାଣିକ ଏବଂ ଅପରିବର୍ତ୍ତନୀୟ ପରମାଣୁ ନିରସ୍ତ୍ରୀକରଣ ପାଇଁ ଦୁଇ ପକ୍ଷ ଆହ୍ୱାନ କରିଥିଲେ ।  ଉତ୍ତର କୋରିଆର ପରମାଣୁ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ପକ୍ଷ ସେମାନଙ୍କ ଉତ୍ତରଦାୟିତ୍ୱ ବୁଝିବା ଉଚିତ ବୋଲି ଉଭୟ ପକ୍ଷ ମତବ୍ୟକ୍ତ କରିଥିଲେ  । ଏହି ଆହ୍ୱାନର ମୁକାବିଲା କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ଏକଜୁଟ ହେବାର ଆବଶ୍ୟକତା ରହିଛି । ସମସ୍ତ ୟୁଏନ୍ଏସି କଟକଣା ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ଦ୍ୱାରା ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା, ଯଦ୍ଦ୍ୱାରା ଆଲୋଚନା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଏବଂ ବିସ୍ତୃତ ସମାଧାନ ପାଇଁ ଚାପ ଅଧିକ ହୋଇପାରିବ ସେଥିପ୍ରତି ସେମାନେ ଗୁରୁତ୍ୱାରୋପ କରିଥିଲେ  ।
  19. ସିରିୟା ସ୍ଥିତି ସମ୍ପର୍କରେ ଭାରତ ଏବଂ ୟୁରୋପୀୟ ସଂଘ ମିଳିତ ଜାତିସଂଘ ନେତୃତ୍ୱାଧୀନ ଜେନେଭା ପ୍ରକ୍ରିୟାକୁ ପ୍ରାଥମିକତା ଦେଇଥିଲେ । ସିରିଆ ସଂକଟର ରାଜନୈତିକ ସମାଧାନ ଲାଗି ସରକାର ଏବଂ ପ୍ରତିପକ୍ଷଙ୍କ ମଧ୍ୟରେ ବାର୍ତ୍ତାଳାପ କରାଯିବା ଉଚିତ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ସାଧାରଣ ନାଗରିକ ଏବଂ ଆଂଚଳିକ ଅଖଣ୍ଡତାର ସୁରକ୍ଷା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ । ବିବାଦର ସମସ୍ତ ପକ୍ଷ ଏବଂ ସେମାନଙ୍କ ସମର୍ଥକମାନେ ନିଜ ନିଜର ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ । ଭାରତ ଏବଂ ୟୁରୋପୀୟ ସଂଘ ଏହା ଦୋହରାଇଥିଲେ ଯେ ୟୁଏନ୍ଏସସିଆର 2254 ଓ 2012 ଜେନେଭା ଘୋଷଣାପତ୍ର ଅନୁଯାୟୀ ବିଶ୍ୱସ୍ତ ରାଜନୈତିକ ସମାଧାନ ଦ୍ୱାରା ସିରିୟାରେ ସ୍ଥିରତା ଆସିପାରିବ ଏବଂ ସିରିୟାରେ ସକ୍ରିୟ ଦାଏଶ୍ ଓ ଅନ୍ୟ ଜାତିସଂଘ ଦ୍ୱାରା ବେଆଇନ ଘୋଷିତ ଆତଙ୍କବାଦୀ ଗୋଷ୍ଠୀଙ୍କ ପରାଜୟ ଘଟିବ । ଭାରତ ଏବଂ ୟୁରୋପୀୟ ସଂଘ ସହମତ ହୋଇଥିଲେ ଯେ ସିରିୟା ପ୍ରସଙ୍ଗରେ 2018 ବସନ୍ତରେ ଅନୁଷ୍ଠିତ ବ୍ରସେଲ୍ସ ସମ୍ମିଳନୀର ଫଳାଫଳ ସିରିୟାରେ ଅନ୍ତର୍ଜାତୀୟ ପ୍ରତିଶ୍ରୁତି ପାଳନ ଦିଗରେ ଯୋଗଦାନ ଦେଇପାରିବ ।
  20. ମଧ୍ୟପ୍ରାଚ୍ୟ ଶାନ୍ତି ପ୍ରକ୍ରିୟାରେ ସମସ୍ତ ପକ୍ଷ ଗଠନମୂଳକ ଭାବେ ଆପୋଷ ଆଲୋଚନା କରିବା ଉଚିତ ବୋଲି ଭାରତ ଏବଂ ୟୁରୋପୀୟ ସଂଘ ଦୋହରାଇଛନ୍ତି । ଏହାଦ୍ୱାରା ପ୍ରାସଙ୍ଗିକ ମିଳିତ ଜାତିସଂଘ ସଂକଳ୍ପ, ମାଦ୍ରିଦ ସିଦ୍ଧାନ୍ତ, ଆରବ ଶାନ୍ତି ଉପକ୍ରମ ଆଦି ଜରିଆରେ ଇସ୍ରାଏଲ ପାଲେଷ୍ଟାଇନ ବିବାଦର, ଉଭୟ ପକ୍ଷ ସମାଧାନ ଆଧାରରେ, ଦୀର୍ଘସ୍ଥାୟୀ ଏବଂ ବିସ୍ତୃତ ସମାଧାନ ହୋଇପାରିବ । ଏହା ମଧ୍ୟପ୍ରାଚ୍ୟରେ ଶାନ୍ତି ଏବଂ ସୁରକ୍ଷା ପ୍ରତିଷ୍ଠା ପାଇଁ ଗୁରୁତ୍ୱପୂର୍ଣ୍ଣ ।
  21. ଲିବିୟାରେ ଦେଖାଦେଇଥିବା ରାଜନୈତିକ ସଂକଟର ଦୀର୍ଘସ୍ଥାୟୀ ସମାଧାନ ଲାଗି କରାଯାଉଥିବା ପ୍ରୟାସ ଦିଗରେ ଲିବିୟା ନେତୃତ୍ୱାଧୀନ ଏବଂ ଲିବିୟା ଅଧିକୃତ ରାଜନୈତିକ ପ୍ରକ୍ରିୟାକୁ ସମର୍ଥନ ଜଣାଇବା ଲାଗି ଉଭୟ ପକ୍ଷ ସହମତ ହୋଇଥିଲେ । ଲିବିୟାରେ ଏକ ସମ୍ମିଳିତ ସରକାର ଏବଂ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ପ୍ରତିଷ୍ଠା କରିବାରେ ସମଗ୍ର ଅନ୍ତର୍ଜାତୀୟ ସମୁଦାୟ ସ୍ୱାର୍ଥ ନିହିତ ରହିଛି ।
  22. ଆଜିର ବୈଶ୍ଵିକ ପରିବେଶରେ ପାରସ୍ପରିକ ସମ୍ପର୍କର ଗୁରୁତ୍ୱକୁ ଭାରତ ଏବଂ ୟୁରୋପୀୟ ସଂଘ ଉପଲବ୍ଧୀ କରିଥିଲେ । ସେମାନେ ଏଥିପ୍ରତି ଗୁରୁତ୍ୱ ଦେଇଥିଲେ ଯେ ପାରସ୍ପରିକ ସମ୍ପର୍କ ସାମଗ୍ରୀକ ଭାବେ ଗ୍ରହଣଯୋଗ୍ୟ ଅନ୍ତର୍ଜାତୀୟ ନିୟମାବଳୀ, ଉତ୍ତମ ପ୍ରଶାସନ, ଆଇନର ଶାସନ, ସ୍ପଷ୍ଟତା, ପାରଦର୍ଶୀତା ଏବଂ ସମାନତା ଉପରେ ଆଧାରିତ ହୋଇଥିବ । ଏଥିସହିତ ଏହା ଆର୍ଥିକ ଉତ୍ତରଦାୟିତ୍ୱର ସିଦ୍ଧାନ୍ତ, ଉତ୍ତରଦାୟୀ ଋଣ ଲଗାଣ ପ୍ରକ୍ରିୟା, ଜୈବିକ ସନ୍ତୁଳନ ଏବଂ ପରିବେଶ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ସଂରକ୍ଷଣ ମାନକକୁ ସମ୍ମାନ ଦେଉଥିବ ।
  23. ଏସିଆ ଏବଂ ୟୁରୋପ ମଧ୍ୟରେ ଯୋଗାଯୋଗ ପାଇଁ ଏଏସ୍ଇଏମକୁ ଏକ ସୂଚନା ଆଧାର ଭାବେ ଉପଯୋଗ କରିବା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଥିଲେ । ଏଏସ୍ଇଏମର ପରବର୍ତ୍ତୀ ସମ୍ମିଳନୀ ବ୍ରସେଲ୍ସଠାରେ ଅନୁଷ୍ଠିତ ହେବ । ଏଠାରେ ବିଶ୍ୱସ୍ତରରେ ଦେଖାଦେଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ଆଲୋଚନା ହେବ । ଏଥିପୂର୍ବରୁ ଏଏସ୍ଇଏମର କୁ ନୂଆ ସଂଚାଳନ ଶକ୍ତି ପ୍ରଦାନ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।
  24. ପୂର୍ବ ୟୁକ୍ରେନରେ ଦେଖା ଦେଇଥିବା ବିବାଦର କୂଟନୈତିକ ସମାଧାନ ଏବଂ ସମସ୍ତ ପକ୍ଷ ଦ୍ୱାରା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ 2202 (2015) ଆଧାରରେ ମିନ୍ସକୁ ଚୁକ୍ତିର ଅନୁପାଳନ ଉପରେ ଉଭୟ ପକ୍ଷର ନେତାମାନେ ସେମାନଙ୍କ ଦୃଢ଼ ସମର୍ଥନ ଜଣାଇଥିଲେ ।
  25. ଏମ୍ଭି ସିମ୍ୟାନ୍ ଗାର୍ଡ ଓହିଓ ମାମଲାର ଭାରତରେ ପ୍ରଚଳିତ ଆଇନ ଅନୁଯାୟୀ ସହଜ ସମାଧାନ ଲାଗି ୟୁରୋପୀୟ ସଂଘ ଆଶାବ୍ୟକ୍ତ କରିଥିଲା । ଏହି ମାମଲାରେ 14 ଜଣ ଇସ୍ତୋନିଆ ଏବଂ 6 ଜଣ ବ୍ରିଟିଶ ନାଗରିକଙ୍କୁ ଏକ ଭାରତୀୟ ଅଦାଲତ ଦ୍ୱାରା ଦଣ୍ଡାଦେଶ ହୋଇଛି । ଏଥିସହିତ ବୈଶ୍ଵିକ ସମସ୍ୟା-ବହୁମୁଖୀ-ସହଯୋଗ ନିମନ୍ତେ ମଧ୍ୟ ଉଭୟ ପକ୍ଷ ସହମତ ହୋଇଥିଲେ ।
  26. ଶାନ୍ତି, ସୁରକ୍ଷା ଏବଂ ବିକାଶ ଓ ପରିଚାଳନା ଏହିପରି ତିନୋଟି ସଂସ୍କାର ମାର୍ଗରେ ମିଳିତ ଜାତିସଂଘର ନୂଆ ବିକାଶ ଏଜେଣ୍ଡାକୁ ଉଭୟ ପକ୍ଷ ସେମାନଙ୍କ ସମର୍ଥନ ଜଣାଇଥିଲେ । 2030 ଏଜେଣ୍ଡା ଅନୁଯାୟୀ ମିଳିତ ଜାତିସଂଘର କମିଟିଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବା, ସାଧାରଣ ପରିଷଦର କାର୍ଯ୍ୟାବଳୀକୁ ଅଧିକ କ୍ଷମତା ପ୍ରଦାନ, ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ବିସ୍ତୃତ ସଂସ୍କାର ଭଳି ପଦକ୍ଷେପ ସହିତ ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନ ଏବଂ ଶାଖାଗୁଡ଼ିକରେ ବ୍ୟାପକ ସଂସ୍କାର ଆଦି ବିଶ୍ୱ ପ୍ରଶାସନ କ୍ଷେତ୍ରରେ ଦୃଢ଼ସଂସ୍କାର ପ୍ରତି ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ।
  27. ଅନ୍ତର୍ଜାତୀୟ ସୁରକ୍ଷା, ବିଶ୍ୱ ଅର୍ଥନୈତିକ ସ୍ଥିରତା ଏବଂ ଅଭିବୃଦ୍ଧି ପ୍ରତି ଦେଖାଦେଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ଦ୍ୱିପାକ୍ଷିକ ଜି-20 ଭାଗୀଦାର, ମିଳିତ ଜାତିସଂଘ ଏବଂ ଅନ୍ୟ ବହୁପକ୍ଷୀୟ ମଞ୍ଚରେ ସହମତି ଭିତ୍ତିରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ ।
  28. ସ୍ଥିର ଅଭିବୃଦ୍ଧି ଏବଂ ବିକାଶ ଲକ୍ଷ୍ୟ ହାସଲ କରିବା ଲାଗି ମୁକ୍ତ, ସ୍ୱଚ୍ଛ ଏବଂ ଖୋଲା ବାଣିଜ୍ୟ ବ୍ୟବସ୍ଥାର ଗୁରୁତ୍ୱ ଏବଂ ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେତାମାନେ ଦୋହରାଇଥିଲେ । ଏକାଦଶ ବିଶ୍ୱ ବାଣିଜ୍ୟ ସଂଗଠନ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସଫଳ କରାଇବା ଦିଗରେ ଏହାର ସମସ୍ତ ସଦସ୍ୟଙ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେମାନେ ନିଜର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ । ଯାହାଦ୍ୱାରା ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା କେନ୍ଦ୍ରିତ ହୋଇପାରିବ ଏବଂ ମୁକ୍ତ ଓ ସାମଗ୍ରୀକ ବୈଶ୍ଵିକ ବାଣିଜ୍ୟ ପ୍ରତି ଗୁରୁତ୍ୱ ଦିଆଯାଇପାରିବ ।
  29. ବିକାଶ ପାଇଁ ୟୁରୋପୀୟ ସଂଘର ନୂଆ ସହମତି ଏବଂ ଭାରତର ସବ୍ କା ସାଥ୍, ସବ୍ କା ବିକାଶ ଉପକ୍ରମ ସହିତ 2030 ସ୍ଥିର ବିକାଶ ଏଜେଣ୍ଡାର ଅନୁପାଳନ ଏବଂ ଏହାର କାର୍ଯ୍ୟକାରୀତା ପ୍ରତି ମିଳିତ ପ୍ରତିବଦ୍ଧତା ପାଇଁ ଉଭୟ ପକ୍ଷ ଆହ୍ୱାନ ଜଣାଇଥିଲେ । ସ୍ଥିର ବିକାଶ ଲକ୍ଷ୍ୟ ଏବଂ ଦାରିଦ୍ର୍ୟ ଦୂରୀକରଣ ଲକ୍ଷ୍ୟ ହାସଲ ନିମନ୍ତେ ବୈଶ୍ଵିକ ଭାଗିଦାରୀର ଗୁରୁତ୍ୱକୁ ଉଭୟ ପକ୍ଷ ଦୋହରାଇଥିଲେ । ଏହି ପରିପ୍ରେକ୍ଷୀରେ ସାଧାରଣ ପ୍ରାଥମିକତା କ୍ଷେତ୍ରରେ ସହଯୋଗ ପାଇଁ ସେମାନେ ସହମତ ହୋଇଥିଲେ ଏବଂ ୟୁରୋପୀୟ ସଂଘ- ଭାରତ ମଧ୍ୟରେ ବିକାଶ ଆଲୋଚନା ଜାରି ରଖିବା ପ୍ରତି ଗୁରୁତ୍ୱ ଦେଇଥିଲେ । 2015-2030 ମଧ୍ୟରେ ଦୁର୍ବିପାକ ବିପତ୍ତି ହ୍ରାସ ନିମନ୍ତେ ଉଭୟ ପକ୍ଷ ସେଣ୍ଡାଇ ଫ୍ରେମୱାର୍କକୁ ଆପୋଷ ବୁଝାମଣା ଭିତ୍ତିରେ ଲାଗୁ କରିବା ଉପରେ ଉଭୟ ପକ୍ଷ ଗୁରୁତ୍ୱ ଦେଇଥିଲେ ।
  30. ଆଫ୍ରିକାରେ ଶାନ୍ତି ପ୍ରତିଷ୍ଠା ଏବଂ ବିକାଶ ଲାଗି ଯୋଗଦାନ ଏବଂ ମିଳିତ ଜାତିସଂଘ ଶାନ୍ତି ଅଭିଯାନରେ ଭାରତ ସାମିଲ ହେବାକୁ ୟୁରୋପୀୟ ସଂଘ ସ୍ୱାଗତ କରିଥିଲା । ପରସ୍ପରର ପଦକ୍ଷେପରେ ସହଯୋଗକୁ ଧ୍ୟାନରେ ରଖି ଆଫ୍ରିକା ପ୍ରସଙ୍ଗରେ ଆପୋଷ ପରାମର୍ଶ ଏବଂ ସହଯୋଗ ବୃଦ୍ଧି କରିବା ପ୍ରତି ୟୁରୋପୀୟ ସଂଘ ଓ ଭାରତ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ । ପରବର୍ତ୍ତୀ ୟୁରୋପୀୟ ସଂଘ-ଆଫ୍ରିକୀୟ ସଂଘ ସମ୍ମିଳନୀରେ ସମୀକ୍ଷକ ଭାବେ ଭାରତର ଯୋଗଦାନ ପ୍ରତି ସେମାନଙ୍କ ଦୃଷ୍ଟି ରହିଛି । ଭାରତର ଆଧୁନିକୀକରଣରେ ସହଭାଗୀ ହେବା; ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି ମାଧ୍ୟମରେ ସମୃଦ୍ଧି ହାସଲ ଦିଗରେ ସହଭାଗୀ ହେବା ନିମନ୍ତେ ୟୁରୋପୀୟ ସଂଘ ନିଜର ପ୍ରତିବଦ୍ଧତା ଦୋହରାଇଥିଲା ।
  31. ଅର୍ଥନୈତିକ ଏବଂ ସାମାଜିକ ବିକାଶକୁ ପ୍ରୋତ୍ସାହନ ପାଇଁ ଭାରତର ପ୍ରୟାସକୁ ୟୁରୋପୀୟ ସଂଘ ସ୍ୱାଗତ କରିଥିଲା । ଏଥିସହିତ ଭାରତର ଫ୍ଲାଗସିପ୍ କାର୍ଯ୍ୟକ୍ରମ ଯେପରିକି “ମେକ୍ ଇନ୍ ଇଣ୍ଡିଆ”, “ଡିଜିଟାଲ୍ ଇଣ୍ଡିଆ”, “ସ୍କିଲ୍ ଇଣ୍ଡିଆ”, “ସ୍ମାର୍ଟ ସିଟି”, “କ୍ଲିନ୍ ଇଣ୍ଡିଆ” ଏବଂ “ଷ୍ଟାର୍ଟଅପ୍ ଇଣ୍ଡିଆ”ରେ ଅଂଶଗ୍ରହଣ କରିବାର ଲାଗି ଆଗ୍ରହ ପ୍ରକାଶ କରିଥିଲା । ୟୁରୋପୀୟ ସଂଘ ଅତି ନିକଟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅର୍ଥନୈତିକ ସଂସ୍କାରକୁ ଅନୁଧ୍ୟାନ କରିଥାଏ । ନିକଟରେ ବସ୍ତୁ ଏବଂ ସେବା କର (ଜିଏସଟି)ର ଐତିହାସିକ ଶୁଭାରମ୍ଭ ଦ୍ୱାରା ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ଏବଂ ଭାରତରେ ବଜାରର ଏକୀକରଣ ହେବା ସହିତ ସାରା ଦେଶରେ ଏକ ସରଳ, ଦକ୍ଷ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ । ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ କମ୍ପାନୀଗୁଡ଼ିକୁ ଭାରତୀୟ ଫ୍ଲାଗସିପ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଭାରତର ବିକାଶ ପ୍ରାଥମିକତା ସହିତ ଅତ୍ୟନ୍ତ ନିବିଡ଼ ଭାବେ ଜଡ଼ିତ ରହିବା ଲାଗି ଆଶାବ୍ୟକ୍ତ କରିଥିଲେ । ୟୁରୋପୀୟ ପକ୍ଷ ୟୁରୋପର ଶିଳ୍ପଜଗତରେ ଭାରତୀୟ ବ୍ୟବସାୟିକ ପ୍ରତିଷ୍ଠାନ ସମୂହର ଅଧିକ ଭାଗିଦାରୀକୁ ଉତ୍ସାହିତ କରିଥିଲେ । ସମ୍ବଳ ଦକ୍ଷତା ଏବଂ ବୃତ୍ତାକାର ଅର୍ଥବ୍ୟବସ୍ଥା (Circular Economy) କ୍ଷେତ୍ରରେ ଭାରତ-ୟୁରୋପୀୟ ସଂଘ ସହଯୋଗ ପ୍ରସଙ୍ଗ ନେତାମାନେ ଉଲ୍ଲେଖ କରିଥିଲେ । ଉଭୟ ପକ୍ଷ ସହଯୋଗ ବୃଦ୍ଧି, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ଏବଂ ସାଧାରଣ ସଂଗ୍ରହ କ୍ଷେତ୍ରରେ ଅଭିଜ୍ଞତା ଓ ଉତ୍ତମ କାର୍ଯ୍ୟଶୈଳୀର ଆଦାନପ୍ରଦାନ ଜାରି ରଖିବା ଲାଗି ସହମତ ହୋଇଥିଲେ ।
  32. ନେତାମାନେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଅର୍ଥନୈତିକ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ । ଏଥିସହିତ ଏକ ବିସ୍ତୃତ ଏବଂ ଆପୋଷ କଲ୍ୟାଣକାରୀ ଭାରତ-ୟୁରୋପୀୟ ସଂଘ ପ୍ରଶସ୍ତ ଆଧାରିତ ବାଣିଜ୍ୟ ଏବଂ ନିବେଶ ଚୁକ୍ତି ନିମନ୍ତେ ସମୟୋପଯୋଗୀ ଆଲୋଚନା ଆରମ୍ଭ କରିବା ଲାଗି ଉଭୟ ପକ୍ଷ ସକ୍ରିୟ ଭାବେ ପ୍ରୟାସ ଆରମ୍ଭ କରିବା ନିମନ୍ତେ ରାଜି ହୋଇଥିଲେ ।
  33. ଉଭୟ ପକ୍ଷ ସାମଗ୍ରୀକ ଭାବେ କୃଷିଜାତ ସାମଗ୍ରୀ ଏବଂ ବିଶେଷ କରି ଚାଉଳ ବ୍ୟବସାୟ ପ୍ରତି ଗୁରୁତ୍ୱ ଦେଇଥିଲେ ଏବଂ ବାଣିଜ୍ୟ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ପ୍ରସଙ୍ଗର ସମାଧାନ ଲାଗି କାର୍ଯ୍ୟ କରିବା ପାଇଁ ରାଜି ହୋଇଥିଲେ । ଏକ ସହ୍ୟ ସ୍ତରର ଟ୍ରାଇସାଇକ୍ଲାଜୋଲ୍ ମାତ୍ର ଥିବା ଚାଉଳର ରପ୍ତାନିକୁ ଦୃଷ୍ଟିରେ ରଖି (କମିଶନ ନିୟମାବଳୀ(ୟୁରୋପୀୟ ସଂଘ) 2017/983) ୟୁରୋପୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା ବିଳମ୍ବରେ ଅତିରିକ୍ତ ବିପତ୍ତି ଆକଳନ କରିବା ଲାଗି ପ୍ରଯୁଜ୍ୟ ଉଦ୍ଭିଦ ସୁରକ୍ଷା କମ୍ପାନୀଗୁଡ଼ିକୁ ନୂଆ ବୈଜ୍ଞାନିକ ତଥ୍ୟ ରଖିବା ନିମନ୍ତେ ଆମନ୍ତ୍ରଣ କରାଯିବ । ଏହି ଆଧାରରେ ୟୁରୋପୀୟ କମିଶନ ଉପରୋକ୍ତ ନିୟମାବଳୀର ଅନୁଧ୍ୟାନ କରାଯିବ କି ନାହିଁ ତାହା ତୁରନ୍ତ ଅନୁଧ୍ୟାନ କରିବେ । ମେଥୋଡୋଲୋଜି କ୍ଷେତ୍ରରେ ତଥ୍ୟ ସଂଗ୍ରହ ନିମନ୍ତେ ଜ୍ଞାନକୌଶଳର ଆଧାନ ପ୍ରଦାନ, କ୍ଷୟକ୍ଷତି ଆକଳନ ଏବଂ ବିପତ୍ତି ଯୋଗାଯୋଗ କ୍ଷେତ୍ରରେ ୟୁରୋପୀୟ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ (ଇଏଫଏସଏ) ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ(ଏଫଏସ୍ଏସ୍ଏଆଇ)ଙ୍କ ମଧ୍ୟରେ ସଂସ୍ଥାଗତ ସହଯୋଗକୁ ଉଭୟ ପକ୍ଷ ସମର୍ଥନ କରିଥିଲେ ।

କ. ସମ୍ପୃକ୍ତ ଭାରତୀୟ ମନ୍ତ୍ରଣାଳୟ/ବିଭାଗ ଏବଂ ୟୁରୋପୀୟ କମିଶନ ସେବା ମଧ୍ୟରେ ଖାଦ୍ୟ ସୁରକ୍ଷା ଏବଂ କୃଷି ବାଣିଜ୍ୟ ପ୍ରସଙ୍ଗରେ କୃଷି ଏବଂ ସାମୁଦ୍ରିକ କାର୍ଯ୍ୟକାରୀ ଗୋଷ୍ଠୀ, ଏସ୍ପିଏସ୍-ଟିବିଟି କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟରେ ଆଲୋଚନାକୁ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ।

. ପରୀକ୍ଷା ଏବଂ ତଦାରଖ ସହ ପରୀକ୍ଷାଗାର କାର୍ଯ୍ୟକଳାପ କ୍ଷେତ୍ରରେ ସହଯୋଗ, ଉତ୍ତମ କୃଷି କାର୍ଯ୍ୟଶୈଳୀ, ଅନୁସନ୍ଧାନ ଦକ୍ଷତାର ବିକାଶ ପାଇଁ ମିଳିତ ପ୍ରକଳ୍ପ ଆରମ୍ଭ ।

. ବାସୁମତୀ ଚାଉଳର ଭୌଗଳିକ ସୂଚନା ପାଇଁ ଭାରତର ଆବେଦନକୁ ୟୁରୋପୀ ସଂଘ ସ୍ୱାଗତ କରିବ ଏବଂ ଭବିଷ୍ୟତରେ ଏପରି ଆବେଦନ ଆସିଲେ ତ୍ୱରିତ ସେ ଦିଗରେ ପଦକ୍ଷେପ ନେବାକୁ ରାଜି ହୋଇଥିଲା ।

. ପୂର୍ବରୁ ଭାରତ ପକ୍ଷରୁ ହୋଇଥିବା ଅନୁରୋଧ ଅନୁଯାୟୀ ଶୁଳ୍କ ହ୍ରାସ ପାଇଁ ଗାଟ-1994ର ଅନୁଚ୍ଛେଦ 28 ଅନୁଯାୟୀ ବାସୁମତୀ ଚାଉଳର ଅତିରିକ୍ତ ବିହନକୁ ଅନୁମୋଦନ ଲାଗି ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବାରୁ ୟୁରୋପୀୟ ସଂଘର ପ୍ରୟାସକୁ ଭାରତ ସ୍ୱାଗତ କରିଥିଲା  ।

  1. ଭାରତରେ ୟୁରୋପୀୟ ସଂଘର ନିବେଶ ପାଇଁ ନିବେଶ ସୁବିଧା ମେକାନିଜମ (ଆଇଏଫଏମ୍) ପ୍ରତିଷ୍ଠାକୁ ନେତାମାନେ ସ୍ୱାଗତ କରିଥିଲେ । ଏହା ଭାରତରେ ବ୍ୟବସାୟ ପରିବେଶକୁ ଉନ୍ନତ କରିବା ସହ ଉତ୍ତମ କାର୍ଯ୍ୟଶୈଳୀ ଏବଂ ସୃଜନାତ୍ମକ ଜ୍ଞାନକୌଶଳ ୟୁରୋପୀୟ ସଂଘରୁ ଭାରତକୁ ସ୍ଥାନାନ୍ତର କରିବାରେ ସଫଳ ହେବ । ୟୁରୋପୀୟ ସଂଘର ସଦସ୍ୟ ରାଷ୍ଟଗୁଡ଼ିକ ପାଇଁ “ମେକ୍ ଇନ୍ ଇଣ୍ଡିଆ” ଅଭିଯାନ ଅଧୀନରେ ନିବେଶ ସମ୍ଭାବନା ମିଳିବ ବୋଲି ନେତାମାନେ ହୃଦବୋଧ କରିଥିଲେ ।
  2. ଭାରତରେ ୟୁରୋପୀୟ ନିବେଶ ବ୍ୟାଙ୍କ(ଇଆଇବି)ର ଦକ୍ଷିଣ ଏସିଆ ଆଂଚଳିକ ପ୍ରତିନିଧିଙ୍କ କାର୍ଯ୍ୟାଳୟ ପ୍ରତିଷ୍ଠାକୁ ନେତାମାନେ ସ୍ୱାଗତ କରିଥିଲେ । ଏହାଦ୍ୱାରା ୟୁରୋପୀୟ ନିବେଶ ବ୍ୟାଙ୍କ ଭାରତର ସହରାଂଚଳ ଗମନାଗମନ ଏବଂ ଶକ୍ତି ପ୍ରକଳ୍ପ କ୍ଷେତ୍ରରେ ନିବେଶ କରିବାର ସୁଯୋଗ ପାଇବା ସହିତ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଭାରତ ଏବଂ ୟୁରୋପୀୟ ସଂଘର ଏଜେଣ୍ଡାକୁ ସମର୍ଥନ କରିପାରିବ । ବାଙ୍ଗାଲୋର ମେଟ୍ରୋ ରେଳ ଫେଜ୍-II ପ୍ରକଳ୍ପ ପାଇଁ ଇଆଇବି ପକ୍ଷରୁ 500 ନିୟୁତ ୟୁରୋ ଋଣଚୁକ୍ତି କରାଯିବାକୁ ଉଭୟ ନେତା ସ୍ୱାଗତ କରିଥିଲେ । 2017ରେ ଭାରତକୁ 1.4 ବିଲିଅନ ୟୁରୋ ଋଣ ଦେବା ଲାଗି ଇଆଇବିର ବିସ୍ତୃତ ପ୍ରତିଶ୍ରୁତିବଦ୍ଧତାର ଏହା ଥିଲା ଏକ ଅଂଶବିଶେଷ ।
  3. ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବିସ୍ତୃତ ସୌର ଶକ୍ତି ଆବେଦନ କାର୍ଯ୍ୟକାରୀ କରିବା ଲାଗି ନିବେଶ ତ୍ୱରାନିତ୍ୱ କରିବା ଲକ୍ଷ୍ୟ ନେଇ ୟୁରୋପୀୟ ନିବେଶ ବ୍ୟାଙ୍କ ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟର ଅନ୍ତରୀଣ ସଚିବାଳୟ ମଧ୍ୟରେ ଜାରି ରହିଥିବା ସକାରାତ୍ମକ ବାର୍ତ୍ତାଳାପ ଏବଂ ମିଳିତ ଘୋଷଣାନାମାକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ ।
  4. ସ୍ୱଚ୍ଛ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ଉଭୟ ପକ୍ଷ ଏକ ମିଳିତ ବିବୃତିକୁ ଗ୍ରହଣ କରିଥିଲେ ଏବଂ ପ୍ୟାରିସ ଚୁକ୍ତି 2015 ପ୍ରତି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ଏହାର କାର୍ଯ୍ୟକାରୀତା ପ୍ରତି ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଥିଲେ । ଭାରତ ଏବଂ ୟୁରୋପୀୟ ସଂଘ ଉଲ୍ଲେଖ କରିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଏବଂ ସୁରକ୍ଷିତ, ସ୍ୱଚ୍ଛ ଓ ସ୍ଥିର ଶକ୍ତି ଯୋଗାଣ ଏବଂ ୟୁରୋପ-ଭାରତ ସମ୍ମିଳନୀରେ ଗ୍ରହଣ କରାଯାଇଥିବା ଜଳବାୟୁ ଭାଗିଦାରୀର କାର୍ଯ୍ୟକାରୀତା ଗୁରୁତ୍ୱପୂର୍ଣ୍ଣ । ପ୍ରାଥମିକତାର ସହ ଭାଗିଦାରୀ ଭିତ୍ତିରେ ଏହା କରାଯିବା ଆବଶ୍ୟକ । ଏଥିସହିତ 2016 ଅକ୍ଟୋବରରେ ଅନୁଷ୍ଠିତ ଶକ୍ତି ପାନେଲ ବୈଠକରେ ସହମତି ଭିତ୍ତିରେ ଚୂଡ଼ାନ୍ତ ହୋଇଥିବା କାର୍ଯ୍ୟଧାରା ଅନୁଯାୟୀ ଏହାର କାର୍ଯ୍ୟକାରୀତା ଏବଂ ଅଧିକ ବିକାଶ ପାଇଁ ଉଭୟ ପକ୍ଷ ପ୍ରତିବଦ୍ଧତା ଦୋହରାଇଥିଲେ ।
  5. ପ୍ରଯୁକ୍ତିଭିତ୍ତିକ ନବୋନ୍ମେଷ, ଜ୍ଞାନ ଆଦାନପ୍ରଦାନ, ଦକ୍ଷତା ବିକାଶ, ବାଣିଜ୍ୟ ଏବଂ ନିବେଶ ଏବଂ ପ୍ରକଳ୍ପ ପ୍ରତିଷ୍ଠା ମାଧ୍ୟମରେ ନବୀକରଣଯୋଗ୍ୟ ଶକ୍ତି ପ୍ରକଳ୍ପଗୁଡ଼ିକର ବିକାଶ ଏବଂ କାର୍ଯ୍ୟକାରୀତା ମୂଲ୍ୟ ହ୍ରାସ କରିବା କ୍ଷେତ୍ରରେ ଆପୋସ ସହଯୋଗ ନିମନ୍ତେ ଭାରତ ଏବଂ ୟୁରୋପୀୟ ସଂଘ ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ ।
  6. ଅର୍ଥନୈତିକ ଅଭିବୃଦ୍ଧି ଏବଂ ପରିବେଶ ସୁରକ୍ଷା ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ନେତାମାନେ ଗୁରୁତ୍ୱାରୋପ କରିଥିଲେ । ସେମାନେ ଏକ ବୃତ୍ତାକାର ଅର୍ଥବ୍ୟବସ୍ଥା ମଡେଲ (Circular Economy) ଦିଗରେ ଗତି କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ପ୍ରାଥମିକ ସମ୍ବଳର ଉପଯୋଗକୁ ହ୍ରାସ କରିବା ସହିତ ଥରେ ବ୍ୟବହୃତ କଞ୍ଚା ମାଲ୍ ବ୍ୟବହାରକୁ ପ୍ରସାର କରୁଥିବ । ଏହି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ରୂପାନ୍ତରଣ ପାଇଁ କୌଶଳ ବିକାଶ ନିମନ୍ତେ ସେମାନେ ଅନ୍ତର୍ଜାତୀୟ ରିସୋର୍ସ ପାନେଲ୍, ଭାରତୀୟ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟ ଏବଂ ନେସନାଲ ଇନଷ୍ଟିଟ୍ୟୁସନ୍ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ (ନୀତି ଆୟୋଗ)ଙ୍କ ଯୋଗଦାନକୁ ସ୍ୱାଗତ କରିଥିଲେ । ଉଭୟ ପକ୍ଷ ରାଜି ହୋଇଥିଲେ ଯେ ନୂଆ କରି ପ୍ରତିଷ୍ଠା ହୋଇଥିବା ଜି-20 ସମ୍ବଳ ଦକ୍ଷତା ଆଲୋଚନା, ଜ୍ଞାନର ଆଦାନପ୍ରଦାନ ପାଇଁ ଏକ ଆଦର୍ଶ ଆଧାର ହେବ ଏବଂ ଏହା ମିଳିତ ଭାବେ ସମ୍ବଳ ଦକ୍ଷତାକୁ ବିଶ୍ୱ ସ୍ତରରେ ପ୍ରୋତ୍ସାହନ ଦେବ । ଜଳ ପରିଚାଳନା ଏବଂ ବାୟୁ ପ୍ରଦୂଷଣ ଭଳି ପରିବେଶସୁରକ୍ଷା ଆହ୍ୱାନଗୁଡ଼ିକର ମୁକାବିଲା କ୍ଷେତ୍ରରେ ସହଯୋଗକୁ ଆହୁରି ତୀବ୍ରତର କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ଭାରତ-ୟୁରୋପୀୟ ସଂଘ ମଧ୍ୟରେ ସହମତିଭିତ୍ତିକ ପଦକ୍ଷେପ କାର୍ଯ୍ୟକ୍ରମ ସହିତ ଜଳ ଭାଗିଦାରୀକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଗବେଷଣା ଏବଂ ନବୋନ୍ମେଷ କ୍ଷେତ୍ରରେ ବର୍ଦ୍ଧିତ ସହଯୋଗ ସହିତ ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ୟୁରୋପୀୟ ସଂଘ ଜଳ ଫେରାମ ଉପରେ ଗୁରୁତ୍ୱ ଦେଇଥିଲେ  ।
  7. ନବୋନ୍ମେଷ ଏବଂ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ପରିବର୍ଦ୍ଧିତ ସହଯୋଗ ପାଇଁ କାର୍ଯ୍ୟ କରିବା ଦିଗରେ ନେତାମାନେ ରାଜି ହୋଇଥିଲେ, ଯାହାକି ୟୁରୋପୀୟ ଏବଂ ଭାରତୀୟ ଉଦ୍ୟୋଗଜଗତ ଏବଂ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ୍ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ଦିଗରେ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିବ ।
  8. ଭାରତୀୟ ଏବଂ ୟୁରୋପୀୟ ଟେଲିକମ୍ ମାନକ ସଂସ୍ଥା (ଟିଏସ୍ଡିଏସ୍ଆଇ ଏବଂ ଇଟିଏସ୍ଆଇ) ମଧ୍ୟରେ ବୈଷୟିକ ସହଯୋଗ ଗତିଶୀଳ କରାଯିବାକୁ ନେତାମାନେ ସ୍ୱାଗତ କରିଥିଲେ । ଏଥିପ୍ରତି ୟୁରୋପୀୟ ସଂଘର ସମର୍ଥନ ରହିବା ସହ ଏହା 5-ଜି, ଇଣ୍ଟେଲିଜେଣ୍ଟ ଟ୍ରାନ୍ସପୋର୍ଟ ସିଷ୍ଟମ, ଇଣ୍ଟରନେଟ ଅଫ ଥିଙ୍ଗସ୍(IoT), ଭବିଷ୍ୟତ ନେଟୱାର୍କ ଏବଂ ଟେଲିକମ୍ ସୁରକ୍ଷା ଭଳି ଭବିଷ୍ୟତର ବିଶ୍ୱସ୍ତରୀୟ ମାନକ ପ୍ରତି ଲକ୍ଷ୍ୟବଦ୍ଧ ।
  9. ଇଣ୍ଟରନେଟ ପ୍ରଶାସନ, ଆଇସିଟି କମ୍ପାନୀଗୁଡ଼ିକ ପାଇଁ ଉଭୟ ପକ୍ଷରେ ବ୍ୟବସାୟ ଅନୁକୂଳ ବାତାବରଣ ସୃଷ୍ଟି କରିବା ସହିତ “ଷ୍ଟାର୍ଟ-ଅପ୍ ୟୁରୋପ ଇଣ୍ଡିଆ ନେଟୱାର୍କ” ଅଧୀନରେ ଭାରତୀୟ ଏବଂ ୟୁରୋପୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ବୈଠକ ପାଇଁ ସକାରାତ୍ମକ ବିନିମୟ ଜାରି ରଖିବାକୁ ଉଭୟ ପକ୍ଷ ଉଲ୍ଲେଖ କରିଥିଲେ ।
  10. 43. ଉଭୟ ପକ୍ଷ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ଲାଗି ସେମାନଙ୍କ ଆଗ୍ରହ ପ୍ରକାଶ କରିଥିଲେ । ଏଥିରେ ଅଧିକ ସଂଗଠିତ ଏବଂ ସ୍ଥିର ତାଲିମ ପରିବେଶ ସୃଷ୍ଟି କରିବା ସହିତ ନିରୀକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ଏକ ନିୟନ୍ତ୍ରକ ବ୍ୟବସ୍ଥାର ଦକ୍ଷତା ବିକାଶ କରାଯିବ । ସମଗ୍ର ଫାର୍ମାସ୍ୟୁଟିକାଲ ମୂଲ୍ୟ ଶୃଙ୍ଖଳାରେ ଦକ୍ଷତା ବିକାଶ ସଂକ୍ରାନ୍ତ ସହଯୋଗ ପାଇଁ ଭାରତ ପକ୍ଷ ମଧ୍ୟ ନିଜ ଆଗ୍ରହ ପ୍ରକଟ କରିଥିଲା ।
  11. ଉଭୟ ପକ୍ଷର ନେତାମାନେ ସ୍ମାର୍ଟ ଏବଂ ଦୀର୍ଘସ୍ଥାୟୀ ସହରୀକରଣ ପାଇଁ ଭାଗିଦାରୀ ନିମନ୍ତେ ଭାରତ-ୟୁରୋପୀୟ ସଂଘ ମିଳିତ ଘୋଷଣାପତ୍ରକୁ ଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ପରିବହନ ଏବଂ ପରିମଳ ପାଇଁ ସହରାଂଚଳ ଭିତ୍ତିଭୂମିର ବିକାଶ, ଭାରତରେ ସ୍ମାର୍ଟ ସିଟିର ବିକାଶ ସହିତ ମିଳିତ ଜାତିସଂଘ ଦ୍ୱାରା 2016ରେ ଗୃହୀତ ନୂଆ ସହରାଞ୍ଚଳ ଏଜେଣ୍ଡାକୁ ପ୍ରୋତ୍ସାହନ ଭଳି ପ୍ରାଥମିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ସହମତ ହୋଇଥିଲେ ।
  12. ବିଜ୍ଞାନ ଓ କାରିଗରୀର ପ୍ରମୁଖ କ୍ଷେତ୍ର ଏବଂ ବର୍ତ୍ତମାନର ବୈଶ୍ଵିକ ସମସ୍ୟା ବିଶେଷ କରି ସ୍ୱାସ୍ଥ୍ୟ, ଜଳ ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ନବୀକୃତ ଭାରତ-ୟୁରୋପୀୟ ସଂଘ ବିଜ୍ଞାନ ଏବଂ ପ୍ରଯୁକ୍ତି ସହଯୋଗ ଚୁକ୍ତି ଅଧୀନରେ ଆପୋସ ସହଯୋଗ ବୃଦ୍ଧି ପାଇଁ ଉଭୟ ପକ୍ଷର ନେତା ସହମତ ହୋଇଥିଲେ । ଜଳ ସଂକ୍ରାନ୍ତିୟ ଆହ୍ୱାନର ମୁକାବିଲା ପାଇଁ ସେମାନେ 30 ନିୟୁତ ୟୁରୋ ମୂଲ୍ୟର ଏକ ମିଳିତ ଫ୍ଲାଗସିପ୍ ଚୁକ୍ତିକୁ ସ୍ୱାଗତ କରିଥିଲେ । ଏଥିରେ ଜଳସମ୍ପଦ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ  ପ୍ରଯୁକ୍ତିଭିତ୍ତିକ ଏବଂ ବୈଜ୍ଞାନିକ ଜ୍ଞାନର ଆଦାନପ୍ରଦାନ କ୍ଷେତ୍ରରେ ଆବଶ୍ୟକ ସହଯୋଗ ଏବଂ ଦକ୍ଷତା ବିକାଶ ପ୍ରତିଫଳିତ ହୋଇଛି  । ଗବେଷଣା ଏବଂ ନବୋନ୍ମେଷ ପାଇଁ ୟୁରୋପୀୟ ସଂଘ ଫ୍ରେମୱାର୍କ କାର୍ଯ୍ୟକ୍ରମ “ହରାଇଜନ୍ 2020”(Harizon-2020) ଏବଂ ଭାରତୀୟ କାର୍ଯ୍ୟକ୍ରମର ଆପୋସ ସହମତି ଭିତ୍ତିରେ ଖୋଲିବା ଦିଗରେ କାର୍ଯ୍ୟ କରିବା ଲାଗି ଉଭୟ ପକ୍ଷ ରାଜି ହୋଇଥିଲେ । ଏ ଦିଗରେ, ଉଭୟ ପକ୍ଷ ବିଜ୍ଞାନ ଏବଂ ଇଞ୍ଜିନିୟରିଂ ଗବେଷଣା ବୋର୍ଡ (ଏସ୍ଇଆରବି) ଏବଂ ୟୁରୋପୀୟ ଗବେଷଣା ପରିଷଦ (ଇଆରସି) ମଧ୍ୟରେ ହୋଇଥିବା ବ୍ୟବସ୍ଥାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତାକୁ ସ୍ୱାଗତ କରିଥିଲେ ।
  13. ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ଗବେଷଣା ଏବଂ ବିକାଶ ସହଯୋଗ ଲାଗି ୟୁରାଟମ ଏବଂ ଆଣବିକ ଶକ୍ତି ବିଭାଗ ମଧ୍ୟରେ ବୁଝାମଣାକୁ ଉଭୟ ପକ୍ଷର ନେତାମାନେ ପ୍ରୋତ୍ସାହିତ କରିଥିଲେ । ସେମାନେ ଏଥିପ୍ରତି ଗୁରୁତ୍ୱାରୋପ କରିଥିଲେ ଯେ ଏହି ସହଯୋଗ ଆଣବିକ ନିରାପତ୍ତାକୁ ବିସ୍ତାର କରିବା କ୍ଷେତ୍ରରେ ଯୋଗଦାନ କରିବ ଏବଂ ଆପୋଷ ଲାଭପ୍ରଦ ହେବ । ଏହି ସହଯୋଗ ମଧ୍ୟ ସମାଜର କଲ୍ୟାଣ ପାଇଁ ଜଳ, ସ୍ୱାସ୍ଥ୍ୟ ସେବା ଏବଂ ମେଡିସିନ, ପରିବେଶ ଆଦି କ୍ଷେତ୍ରରେ ଅଣ-ଶକ୍ତି ପ୍ରଯୁକ୍ତିର ପ୍ରୟୋଗ ଏବଂ ଦକ୍ଷତା ବିକାଶ ଦିଗକୁ ପ୍ରସାରିତ ହେବ ।
  14. ଏକୀକୃତ ଶକ୍ତି ଗବେଷଣା କ୍ଷେତ୍ରରେ ୟୁରାଟମ-ଭାରତ ସହଯୋଗ ଚୁକ୍ତି ଅଧୀନରେ ଏକୀକୃତ ଶକ୍ତି ବିକାଶ, ଉଭୟ ପକ୍ଷ ରହୁଥିବା ବୁଝାମଣା ନିର୍ମାଣ ପାଇଁ ଦୃଢ଼ ଭାଗିଦାରୀ ଜାରି ରଖିବା ନିମନ୍ତେ ଉଭୟ ପକ୍ଷ ସହମତ ହୋଇଥିଲେ ।
  15. ନେତାମାନେ 2008ର ଆନୁଭୂମିକ ବେସାମରିକ ବିମାନ ଚଳାଚଳ ଚୁକ୍ତିର ଆସନ୍ନ ସଂଚାଳନକୁ ସ୍ୱାଗତ କରିଥିଲେ । ଏହା ଭାରତ ଏବଂ ୟୁରୋପ ମଧ୍ୟରେ ବିମାନ ଯୋଗାଯୋଗକୁ ବୃଦ୍ଧି କରିବା ସହିତ ଜନ-ଜନ ସମ୍ପର୍କ, ବ୍ୟବସାୟିକ ଭ୍ରମଣକୁ ପ୍ରୋତ୍ସାହିତ କରିବ ଏବଂ ପର୍ଯ୍ୟଟନର ବିକାଶ କରିବ । ପରିବହନର ସମସ୍ତ ମାଧ୍ୟମ, ବିଶେଷ କରି ସାମୁଦ୍ରିକ, ବିମାନ ଚଳାଚଳ, ସହରାଂଚଳ ପରିବହନ ଏବଂ ରେଳ ଆଦି ଆପୋସ ସ୍ୱାର୍ଥ ଜଡ଼ିତ କ୍ଷେତ୍ରରେ ପରିବହନ ସହଯୋଗ ସୁଦୃଢ଼ କରିବାର ସମ୍ଭାବନା ପ୍ରତି ନେତାମାନେ ଗୁରୁତ୍ୱ ଦେଇଥିଲେ ।
  16. ଭାରତର ସ୍କିଲ୍ ଇଣ୍ଡିଆ ଉପକ୍ରମ ଏବଂ ୟୁରୋପ ପାଇଁ ୟୁରୋପୀୟ ସଂଘର ନୂଆ ସ୍କିଲ୍ସ ଏଜେଣ୍ଡା ମଧ୍ୟରେ ପରିପୂରକତା ଏବଂ ସହଯୋଗର ସମ୍ଭାବନାକୁ ସନ୍ଧାନ କରିବା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗକୁ ଆହୁରି ଗତିଶୀଳ କରିବା ପାଇଁ ଭାରତ ଏବଂ ୟୁରୋପୀୟ ସଂଘ ରାଜି ହୋଇଥିଲେ ।
  17. ଭାରତର ଜ୍ଞାନ କାର୍ଯ୍ୟକ୍ରମ ଏବଂ ୟୁରୋପୀୟ ସଂଘର ଏରାସମସ + କାର୍ଯ୍ୟକ୍ରମ ସମେତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତାକୁ ଉପଲବ୍ଧୀ କରି ଏହାକୁ ଭାରତ-ୟୁରୋପ ଏଜେଣ୍ଡା ଫର ଏକ୍ସନ 2020ର ଅଂଶବିଶେଷ ଭାବେ ନେତାମାନେ ବିବେଚନା କରିଥିଲେ । ଏରାସମସ + କାର୍ଯ୍ୟକ୍ରମ ନିକଟରେ ଏହାର 5 ହଜାରତମ ଭାରତୀୟ ଛାତ୍ରକୁ ପାଇଛି ଏବଂ ଜଏଣ୍ଟ ମାଷ୍ଟର୍ସ, ସ୍ୱଳ୍ପଅବଧି ବିଶିଷ୍ଟ ଗସ୍ତ, ଦକ୍ଷତା ବିକାଶ ପ୍ରକଳ୍ପ ଏବଂ ଜିନ୍ ମନ୍ନେଟ ଆକ୍ସନ୍ ଫର ୟୁରୋପିଆନ୍ ଷ୍ଟଡିଜ୍ ମାଧ୍ୟମରେ ବହୁସଂଖ୍ୟକ ଭାରତୀୟ ବିଶ୍ୱ ବିଦ୍ୟାଳୟକୁ ସଂସ୍ଥାଗତ ସହଯୋଗ ଯୋଗାଇ ଦେବା ଲାଗି ଆର୍ଥିକ ସହଯୋଗର ପ୍ରସ୍ତାବ ଦେଇଛି । ଏରାସମସ କାର୍ଯ୍ୟକ୍ରମ ଆରମ୍ଭ ହେବା ପର ଠାରୁ ସମଗ୍ର ବିଶ୍ୱରେ ଭାରତ ଏହାର 1 ନମ୍ବର ଲାଭାର୍ଥୀ ହୋଇଥିବା ଜାଣି ନେତାମାନେ ଏହାକୁ ସ୍ୱାଗତ କରିଥିଲେ ।
  18. ଦେଶାନ୍ତରଣ ଏବଂ ପଳାୟନ ପ୍ରସଙ୍ଗରେ ଏପ୍ରିଲ 4, 2017ରେ ବ୍ରସେଲ୍ସଠାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଆଲୋଚନା ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଥିଲେ । ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଦେଶାନ୍ତରଣ ଏବଂ ପଳାୟନର ଉତ୍ତମ ବ୍ୟବସ୍ଥା କରିବାକୁ ଦୃଷ୍ଟିରେ ରଖି ବୈଷୟିକ ସହଭାଗିତା ଏବଂ ଆପୋସ ସ୍ୱାର୍ଥ କ୍ଷେତ୍ରରେ ପ୍ରକଳ୍ପ ହାତକୁ ଦିଆଯିବା ସହିତ ଦେଶାନ୍ତରଣ ଏବଂ ପଳାୟନ ପ୍ରସଙ୍ଗରେ ସମାନ ଆଭିମୁଖ୍ୟ ପାଇଁ ବୁଝାମଣା ଚୂଡ଼ାନ୍ତ ହେବାକୁ ସେମାନେ ସ୍ୱାଗତ କରିଥିଲେ ।
  19. ନେତାମାନେ ଜନ-ଜନ ସମ୍ପର୍କ ବିନିମୟକୁ ଗତିଶୀଳ କରିବା ପ୍ରତି ନେତାମାନେ ଗୁରୁତ୍ୱ ଦେଇଥିଲେ ଏବଂ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ପର୍ଯ୍ୟଟକ, ବ୍ୟବସାୟୀ, ଛାତ୍ରଛାତ୍ରୀ ଏବଂ ଗବେଷକଙ୍କ ଯାତାୟାତକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ରାଜି ହୋଇଥିଲେ । ଉଚ୍ଚ କୁଶଳୀ ପେସାଦାରଙ୍କ ୟୁରୋପୀୟ ସଂଘରେ ପ୍ରବେଶକୁ ସୁଗମ କରିବା ନିମନ୍ତେ ପ୍ରଚଳିତ ୟୁରୋପୀୟ ସଂଘ ବ୍ଲୁ-କାର୍ଡ ସଂଶୋଧନ ସମ୍ପର୍କରେ ଭାରତୀୟ ପକ୍ଷ ଉଲ୍ଲେଖ କରିଥିଲା ।
  20. ୟୁରୋପୀୟ ସଂସଦରେ ଭାରତ ସହିତ ୟୁରୋପୀୟ ସଂଘର ରାଜନୈତିକ ସମ୍ପର୍କ ରିପୋର୍ଟ ଗୃହିତ ହେବା ସମ୍ପର୍କରେ ନେତାମାନେ ଉଲ୍ଲେଖ କରିଥିଲେ ଏବଂ ଭାରତ ଓ ୟୁରୋପୀୟ ସଂସଦୀୟ ପ୍ରତିନିଧି ଦଳ ମଧ୍ୟରେ ମତବିନିମୟକୁ ଗତିଶୀଳ କରାଯିବା ପଦକ୍ଷେପକୁ ସ୍ୱାଗତ କରିଥିଲେ । ନେତାମାନେ ମଧ୍ୟ ବୁଦ୍ଧିଜୀବୀ, ଚିନ୍ତାନାୟକ ଏବଂ ସାଂସ୍କୃତିକ ପ୍ରତିନିଧିଙ୍କ ମଧ୍ୟରେ ମତବିନିମୟକୁ ଆହୁରି ଗତିଶୀଳ କରିବା ପ୍ରତି ମଧ୍ୟ ନେତାମାନେ ଗୁରୁତ୍ୱାରୋପ କରିଥିଲେ ।

 

**********