Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭିଏତନାମ ଗସ୍ତ କାଳରେ ଭୋଜିସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ( ସେପ୍ଟେମ୍ବର 3, 2016


ମହାନୁଭବ ପ୍ରଧାନମନ୍ତ୍ରୀ ଗୁୟେନ ସୁଆନ ଫୁକ,

ମାନ୍ୟଗଣ୍ୟ ଅତିଥିବୃନ୍ଦ,

ସିନ ଚାଓ

ମୋତେ ଏବଂ ମୋର ପ୍ରତିନିଧି ମଣ୍ଡଳକୁ ଆନ୍ତରିକତାର ସହ ସ୍ୱାଗତ ଜଣାଇଥିବାରୁ ମୁଁ ଭିଏତନାମ ସରକାରଙ୍କ ନିକଟରେ ଗଭୀର କୃତଜ୍ଞତା ପ୍ରକାଶ କରୁଛି।

ବନ୍ଧୁଗଣ,

ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ମୋର ଭିଏତନାମ ଗସ୍ତର ଉଦ୍ଦେଶ୍ୟ। ଆମ ଦୁଇ ଦେଶ ମଧ୍ୟରେ ଦୁଇ ସହସ୍ରାବ୍ଦି ଧରି ଗଭୀର ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ରହି ଆସିଛି। ଏହି ସାଂସ୍କୃତିକ ବନ୍ଧନ ଅନେକ ପ୍ରକାରରେ ପ୍ରତିଫଳିତ ହେଉଛି। ମୁଖ୍ୟତଃ ଏହା ବୌଦ୍ଧଧର୍ମ ଏବଂ ହିନ୍ଦୁ ଚାମ୍ ସଭ୍ୟତାରେ ପରିଦୃଶ୍ୟ ହେଉଛି। ବିଗତ କିଛି ଦଶନ୍ଧିରେ ଆମ ଦେଶର ଜନସାଧାରଣଙ୍କ ବିକାଶ ଏବଂ ସମୃଦ୍ଧିରେ ଆମ ଦୃଢ ଇଚ୍ଛାଶକ୍ତି ଆମ ସମ୍ପର୍କକୁ ରୂପ ଦେଇଛି। ନିଜର ଜ୍ଞାନ, ଅନୁଭୁତି ଏବଂ ଦକ୍ଷତାକୁ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ସହ ବାଣ୍ଟିବାରେ ଭାରତ ବିଶ୍ୱାସ କରେ। ବିଗତ ଚାରି ଦଶନ୍ଧି ଧରି ଭିଏତନାମ ସହ ଆମର ବହୁମୁଖୀ ଦ୍ୱିପାକ୍ଷିକ ସମ୍ପର୍କର ସଫଳତା ଠାରୁ ବଡ ଏହାର ଅନ୍ୟ ଉଦାହରଣ କଣ ହୋଇପାରେ ? ଆମର ସହଯୋଗର ବିଶାଳ ପ୍ରଭାବର ମୁଖ୍ୟ ଉଦାହରଣ ହେଲା, Cuu Long Delta ଧାନ ଗବେଷଣା କେନ୍ଦ୍ର। ଭାରତରୁ ବିଶେଷଜ୍ଞମାନଙ୍କୁ ପଠାଇ ଏବଂ ଭାରତରେ ତାଲିମ ସୁଯୋଗ ଦେଇ ମେକଙ୍ଗ୍ ଅବବାହିକାରେ ଏହି ଗବେଷଣାଗାର ପ୍ରତିଷ୍ଠା କରିବାରେ ଭାରତ ସାହାଯ୍ୟ କରିଥିଲା। ଭିଏତନାମ୍ ଆଜି ବିଶ୍ୱର ତୃତୀୟ ବୃହତ ଚାଉଳ ରପ୍ତାନିକାରୀ ଦେଶ। ଗୋଟିଏ ବୃହତ ଚାଉଳ ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ଦେଶ ହୋଇ ବାହାରିବାରେ ଭିଏତନାମର ସହଭାଗୀ ହୋଇଥିବାରୁ ଆମେ ବହୁତ ଖୁସି।

ବନ୍ଧୁଗଣ,

ଦୁଇ ସହଭାଗୀ ହିସାବରେ ଆଞ୍ଚଳିକ ସ୍ତରରେ ଦେଖାଦେଉଥିବା ଆହ୍ୱାନଗୁଡିକର ସମ୍ମୁଖୀନ ହେବା ପାଇଁ ଏବଂ ନୂତନ ସମ୍ଭାବନାଗୁଡିକୁ ଖୋଜି ବାହାର କରିବା ପାଇଁ ଆମେ ଏକାଠି ଆମ ଶକ୍ତିକୁ ବିନିଯୋଗ କରିବା ଆବଶ୍ୟକ। ଆମେ ଆମ ସମ୍ପର୍କକୁ “ସୁପରିକଳ୍ପିତ ରଣନୀତିକ ଭାଗିଦାରୀତା” ସ୍ତରକୁ ଉନ୍ନୀତ କରିବାକୁ ସ୍ଥିର କରିବା ଅତ୍ୟନ୍ତ ସନ୍ତୋଷର ବିଷୟ। ଆସନ୍ତା ବର୍ଷ ଆମେ ଆମ ଦୁଇ ଦେଶ ମଧ୍ୟରେ ସ୍ଥାପିତ ହୋଇଥିବା କୂଟନୀତିକ ସମ୍ପର୍କର 45ତମ ବାର୍ଷିକୀ ଏବଂ ରଣନୀତିକ ଭାଗିଦାରୀତା ସ୍ଥାପନାର ଦଶମ ବାର୍ଷିକୀ ପାଳନ କରିବାକୁ ଯାଉଛୁ। କିଛି ମୂହୁର୍ତ୍ତ ପରେ ଆମେ ଏହି ସ୍ମରଣୀୟ ଉପଲବ୍ଧିକୁ ମିଳିତ ଭାବରେ ପାଳନ କରିବାକୁ ଯାଉଛୁ।

ବନ୍ଧୁଗଣ,

ଏକ ଦୃଢ ଭାରତ-ଭିଏତନାମ ସହଭାଗିତା ଆମ ଲୋକମାନଙ୍କୁ ଏବଂ ଏହି ଅଞ୍ଚଳବାସୀଙ୍କୁ ସମୃଦ୍ଧି, ପ୍ରଗତି, ଶାନ୍ତି ଏବଂ ସ୍ଥିରତା ଦିଗକୁ ନେଇଯିବ ବୋଲି ମୋର ବିଶ୍ୱାସ। ଭାରତର ପ୍ରାଚ୍ୟମୁଖୀ ନୀତି(Act East Policy)ର ଏକ ସୁଦୃଢ ସ୍ତମ୍ଭ ହେଉଛି ଭିଏତନାମ । ପରସ୍ପର ଉପରେ ଦୃଢ ବିଶ୍ୱାସ ଏବଂ ପରସ୍ପରକୁ ବୁଝିବା, ବିଭିନ୍ନ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ସହମତି ଆମର ଦ୍ୱିପାକ୍ଷିକ ବୁଝାମଣାର ଆଧାର ।

ମହାନୁଭବ ଏବଂ ସୁଧୀବୃନ୍ଦ,

ମୁଁ ଆନନ୍ଦର ସହିତ ଆପଣମାନଙ୍କୁ ମୋ ସହିତ ଜଳପାନରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରୁଛି।

• ଭିଏତନାମ ସମାଜବାଦୀ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହୀମ ଗୁୟେନ ସୁଆନ ଫୁକଙ୍କ ସମେତ ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କ ସୁଖ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।

• ଭିଏତନାମର ଜନସାଧାରଣ ଏବଂ ନେତୃବୃନ୍ଦଙ୍କ ମଙ୍ଗଳ ଏବଂ ସମୃଦ୍ଧି ପାଇଁ କାମନା କରୁଛି।

• ଭାରତ ଏବଂ ଭିଏତନାମ ମଧ୍ୟରେ ଚିରସ୍ଥାୟୀ ବନ୍ଧୁତା କାମନା କରୁଛି।

****