ପିଏମଇଣ୍ଡିଆ
ନୂତନ ଭାରତ, ସ୍ମାର୍ଟ ଭାରତର ସଂକଳ୍ପକୁ ସିଦ୍ଧ କରିବା ଦିଗରେ ମନୋନିବେଶ କରିଥିବା ଆପଣମାନେ ସମସ୍ତ ଯୁବା ସାଥୀଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ!
ଏହା ତୃତୀୟ ଅବସର ଯେତେବେଳେ ମୁଁ ନିରନ୍ତର ପ୍ରଯୁକ୍ତି ମାଧ୍ୟମରେ ଆପଣମାନଙ୍କ ସମସ୍ତଙ୍କ ସହ ବାର୍ତ୍ତାଳାପ କରୁଛି । 2017 ମସିହାରେ ଯେବେଠାରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳ ଠାରୁ ଏହାର ନିରନ୍ତର ବିସ୍ତାର ହୋଇ ଚାଲିଛି ।
ସାଥୀଗଣ, ସ୍ମାର୍ଟ ଭାର ହାକାଥନ ରାଷ୍ଟ୍ରୀୟ ସ୍ତରରେ ହେଉଥିବା ସବୁଠାରୁ ବଡ଼ ମୁକ୍ତ ଅଭିନବତ୍ୱ ମଡ଼େଲ ଭାବେ ମୁଣ୍ଡ ଟେକିଛି । ଏଠାରେ ଗୋଟିଏ ପ୍ଲାଟଫର୍ମ ଉପରେ ଢ଼େର ସଂଖ୍ୟାରେ ଶିଳ୍ପ, ଶିକ୍ଷାନୁଷ୍ଠାନ, ସରକାରୀ ଏଜେନ୍ସି, ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀ ପରସ୍ପର ସହ ମିଳିମିଲି କାର୍ଯ୍ୟ କରୁଛନ୍ତି । 30 ହଜାର ଛାତ୍ରଛାତ୍ରୀଙ୍କ ସହ ଆରମ୍ଭ ହୋଇଥିବା ଏହି ହାକାଥନରେ ଏବେ 2 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସାରିଛନ୍ତି । ଆଜି ମୁଁ ଦୃଢ଼ତାର ସହ କହିପାରିବି ଯେ ଆମର ପ୍ରୟାସ ଉଚିତ ଥିଲା ଏବଂ ଆମେ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହେଉଛୁ ।
ସାଥୀଗଣ, ଏପର୍ଯ୍ୟନ୍ତ ଯେଉଁ ଦୁଇଟି ହାକାଥନର ଆୟୋଜନ କରାଯାଇଛି ସେଥିରେ ଅନେକ ଅଭିନବ ଚିନ୍ତାଧାରା ନିଷ୍କର୍ଷ ଭାବେ ବାହାରିଛି । ଏହା ପୂର୍ବରୁ କେବଳ ସରକାରଙ୍କ ସହ ସଂଶ୍ଳିଷ୍ଟ ରହି ଆସିଥିବା ସରକାରୀ ସଂସ୍ଥାନ ସହିତ ଯୋଡ଼ିହୋଇ ରହିଥିବା ସମସ୍ୟାଗୁଡ଼ିକୁ ହାକାଥନରେ ସାମିଲ କରାଯାଉଥିଲା । କିନ୍ତୁ ଏଥର ଶିଳ୍ପସଂସ୍ଥାମାନେ ବି ନିଜ ନିଜର ସମସ୍ୟାବଳୀକୁ ଆପଣମାନଙ୍କ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରିଛନ୍ତି ।
ଏଥିରେ ନିଶ୍ଚିତ ରୂପେ ଆପଣମାନଙ୍କ ପ୍ରୟାସ ଦ୍ୱାରା ବିସ୍ତାରିତ ହେବାର ଅବସର ମିଳିବ ଏବଂ ଏକ ଅଭିନବକ ଭାବେ ଆପଣମାନଙ୍କୁ ମଧ୍ୟ ମାର୍କେଟରେ ଅଧିକ ପରିଚୟ ମିଳିବ । ସାଥୀଗଣ, ଆମର ଅର୍ଥ ବ୍ୟବସ୍ଥା ଏକ ନୂତନ ଟ୍ରାକ୍ ଉପରେ ଏବେ ଦୌଡ଼ିବା ଆରମ୍ଭ କରିଛି । ଯେଉଁ ନୂତନ ଭାରତର ନିର୍ମାଣରେ ଆମେ ସମସ୍ତେ ଜୁଟିଛେ ତାହା ଅଭିନବତ୍ୱ ଏବଂ ଷ୍ଟାର୍ଟ ଅପ୍ ଦୁନିଆରେ ନିଜର ପତାକା ସ୍ଥାପନ କରିବା ଆରମ୍ଭ କରିଛି ।
ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସ ପ୍ରସଙ୍ଗରେ ଆଜି ଆମେ 57ତମ ସ୍ଥାନରେ ପହଞ୍ଚôଛେ । ଯଦ୍ୟପି 2014 ମସିହାରେ ଆମ ସ୍ଥାନ 81ରେ ଥିଲା । ଅର୍ଥାତ୍, 4 ବର୍ଷ ଭିତରେ ଆମେ 24 ପାଦ ଆଗକୁ ଆଗେଇ ପାରିଛେ । କିନ୍ତୁ ଆମେ ଏହିଠାରେ ରହିଯିବା ମାନସିକତାରେ ନାହେଁ । ଆମକୁ ଢ଼େର୍ ଆଗକୁ ଅଗ୍ରସର ହେବାକୁ ଅଛି । ଖୁବ୍ ଶୀଘ୍ର ଆମକୁ ଶ୍ରେଷ୍ଠ 25 ମଧ୍ୟରେ ପହଞ୍ଚôବାକୁ ପଡ଼ିବ । ଭାରତ ଆଜି ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟ ଅପ୍ ରାଷ୍ଟ୍ରର ମାନ୍ୟତା ଲାଭ କରିଛି । ବିଗତ 3-4 ବର୍ଷ ଭିତରେ 15 ହଜାରରୁ ଅଧିକ ଷ୍ଟାର୍ଟ ଅପ୍କୁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହା କେବଳ ବଡ଼ ବଡ଼ ସହର ମଧ୍ୟରେ ସୀମିତ ହୋଇ ରହିନାହିଁ । ବରଂ, ଦେଶର ପାଖାପାଖି ପ୍ରତ୍ୟେକ ଜିଲ୍ଲାରେ ଏହା ସଂପ୍ରସାରିତ ହୋଇସାରିଛି । ସବୁଠାରୁ ବଡ଼ କଥାଟି ହେଲା ଯେ ଯେଉଁମାନେ ଏବେ ନୂତନ ଷ୍ଟାର୍ଟ ଅପ୍ ଖୋଲୁଛନ୍ତି, ସେମାନଙ୍କ ମଧ୍ୟରୁ ଅଦେ୍ର୍ଧକ ଦେଶର ଛୋଟ ଛୋଟ ସହରରେ ହିଁ ଖୋଲୁଛି ।
ଏହିଭଳି ଭାବେ ଦେଶର ପ୍ରାୟ ଦେଢ଼ ଶହ ଟେକ୍ନୋଲୋଜି ବିଜିନେଓ ଇନକୁବେଟରରେ ଷ୍ଟାର୍ଟ ଅପ୍ର ସଂଖ୍ୟା ଯାହା ତିନି ବର୍ଷ ପୂର୍ବରୁ 1600 ଥିଲା, ତାହା 3 ହଜାରରେ ପହଞ୍ଚି ସାରିଛି । ଅର୍ଥାତ୍, 2 ଗୁଣ ବୃଦ୍ଧି । ସାଥୀଗଣ, ଅଭିନବତା ଏବଂ ଷ୍ଟାର୍ଟ ଅପ୍ ପାଇଁ ଯଦି ଏଭଳି ସକରାତ୍ମକ ବାତାବରଣ ସୃଷ୍ଟି ହୋଇପାରିଛି ତେବେ ତାହା ପଛରେ କଠିନ ଶ୍ରମ ଓ ପ୍ରୟାସ ମଧ୍ୟ ରହିଛି ।
ଅଟଳ ଇନକୁବେସନ୍ ମିଶନ ସହ ଆପଣମାନେ ତ ଭଲଭାବେ ପରିଚିତ ଅଛନ୍ତି । ଦେଶବ୍ୟାପୀ 5 ହଜାରରୁ ଅଧିକ ବିଦ୍ୟାଳୟରେ ଅଟଳ ଟିଂକରିଂ ଲାବ୍ କାର୍ଯ୍ୟ କରିବା ଆରମ୍ଭ କରିଛି । ସେଠାରେ ଷଷ୍ଟ ଶ୍ରେଣୀ ଠାରୁ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ପ୍ରଯୁକ୍ତି ସହ ସିଧାସଳଖ ପରିଚିତ କରାଯାଉଛି ।
ସାଥୀଗଣ, ଗଭର୍ଣ୍ଣାନ୍ସ ଏବଂ ଶିଳ୍ପ କ୍ଷେତ୍ରରେ ଯେଉଁସବୁ ସମସ୍ୟା ଆପଣମାନଙ୍କ ସମ୍ମୁଖରେ ଆସି ପହଞ୍ଚôଛି, ସେଥି ସହ ମୁଁ ମଧ୍ୟ ଆପଣମାନଙ୍କ ନିକଟରେ ଗୋଟିଏ ଦୁଇଟି ପ୍ରସଙ୍ଗ ରଖିବାକୁ ଇଚ୍ଛୁକ ।
ଶିଶୁମାନଙ୍କ ସହିତ ଜଡ଼ିତ ଥିବା ଅପରାଧ, ମହିଳାମାନଙ୍କ ସହ ଯୋଡ଼ିହୋଇ ରହିଥିବା ଅପରାଧ ସମାଜ ପାଇଁ ରାଷ୍ଟ୍ର ପାଇଁ ଏକ ବିରାଟ ସମସ୍ୟା । ଏକ ଉତ୍ତମ ସମାଜ ନିର୍ମାଣ କରିବା ସକାଶେ ଏଥିରୁ ନିସ୍ତାର ପାଇବା ଓ ଏହାର ମୁକାବିଲା କରିବା ଏକାନ୍ତ ଜରୁରି । ଆପଣମାନେ କ’ଣ ଏପରି ଏକ ପ୍ରଯୁକ୍ତିଗତ ସମାଧାନ ଉପାୟ ସଂପର୍କରେ ଚିନ୍ତା କରିପାରିବେ ନାହିଁ? ଯେଉଁଠି ଘର ଠାରୁ ଆରମ୍ଭ କରି ବିଦ୍ୟାଳୟ ଏବଂ ବିଦ୍ୟାଳୟ ଠାରୁ ନେଇ ଘର ପର୍ଯ୍ୟନ୍ତ ଶିଶୁମାନଙ୍କ ଉପରେ ନଜର ରଖିବା ପାଇଁ ଏକ ସମନ୍ୱିତ ବ୍ୟବସ୍ଥା କରାଯାଇପାରିବ? ଯେଉଁଥିରେ ଘର ଏବଂ ସ୍କୁଲ ସହିତ ସ୍ଥାନୀୟ ପୁଲିସ ଥାନା ଏବଂ ପାଟ୍ରୋଲିଂ ଭ୍ୟାନ ବି ରିଅଲ୍ ଟାଇମରେ ଆକ୍ଟିଭେଟ ହୋଇପାରିବେ? ଏହି ପ୍ରକାର ସମନ୍ୱିତ ଏବଂ ସ୍ମାର୍ଟ ବ୍ୟବସ୍ଥା ଯାହାକୁ ସାଧାରଣ ଠାରୁ ନେଇ ଅତି ସାଧାରଣ ପରିବାର ପର୍ଯ୍ୟନ୍ତ ସମସ୍ତେ ଉପଯୋଗ କରିପାରିବେ, ଦେଶ ଏବଂ ସମାଜକୁ ଏହା ଦ୍ୱାରା ବେଶ୍ ଉପକାର ମିଳିପାରିବ ।
ଏଭଳି ଭାବେ କ’ଣ ସଡ଼କ ଉପରେ ହୋଇଥାଉ କି ଗଳି ରାସ୍ତାରେ ହେଉ ଫଳମୂଳ ଓ ପନିପରିବା ବିକ୍ରି କରୁଥିବା ଲୋକମାନଙ୍କ ସକାଶେ ଏଭଳି ଏକ ପ୍ରଯୁକ୍ତିର ସମାଧାନ ସୂତ୍ର ବାହାର କରାଯାଇ ପାରିବନାହିଁ ଯାହା ଇ- ମାର୍କେଟପ୍ଲେସ୍ ଭଳି କୌଣସି ପ୍ରକାର ସମାଧାନ ସୂତ୍ରର ବିକାଶ ଘଟି ପାରିବ, ଯାହା ଦ୍ୱାରା ସ୍ଥାନୀୟ ସ୍ତରରେ ହୋମ୍ ଡ଼େଲିଭରୀର ଏକ ସହଜ ବ୍ୟବସ୍ଥା ଆରମ୍ଭ କରାଯାଇପାରିବ ।
ସାଥୀଗଣ, ସ୍ମାର୍ଟ ଇଣ୍ଡିଆ ହାକାଥନ୍କୁ କେବଳ ଏକ ସାଧାରଣ କାର୍ଯ୍ୟ ଭାବେ ଦେଖିବା ପରିବର୍ତ୍ତେ ଏକ ନିରନ୍ତର ପ୍ରକ୍ରିୟା ଭାବେ ଦେଖାଯିବା ଆବଶ୍ୟକ । ଏହା ବର୍ଷ ସାରା ହୋଇ ଚାଲିଥିବ, ଯାହା ଫଳରେ ଯେକୌଣସି ଶିଳ୍ପସଂସ୍ଥା ବା ବିଭାଗ ନିଜ ସମସ୍ୟାକୁ ପୋଷ୍ଟ କରିପାରିବେ, ଏହା ଉପରେ କୌଣସି ପୁରସ୍କାର ରାଶି ଘୋଷଣା କରିବେ । ମୋର ବିଶ୍ୱାସ ଯେ ଆପଣମାନଙ୍କ ଭଳି ଅନେକ ଯୁବା ସାଥୀ ଏଥିସହ ସଂଶ୍ଳିଷ୍ଟ ହେବେ ଏବଂ ସମସ୍ୟାଗୁଡ଼ିକର ସହଜରେ ସମାଧାନ ହୋଇପାରିବ ।
ମୋତେ ଆପଣମାନଙ୍କ ସମସ୍ତଙ୍କ ଉପରେ, ଦେଶର ପ୍ରତ୍ୟେକ ଯୁବାସାଥୀଙ୍କ ଉପରେ ସଂପୂର୍ଣ୍ଣ ଭରସା ରହିଛି । ଆପଣମାନେ ସମସ୍ତେ ନୂତନ ଭାରତର ନୂତନ ଆତ୍ମବିଶ୍ୱାସର ଆଧାର ।
**********