ପିଏମଇଣ୍ଡିଆ
ମିଆଁମାରର ବାଗାନ ଅଂଚଳରେ ଭୂମିକମ୍ପ ଦ୍ୱାରା ବିଧ୍ୱସ୍ତ ବୌଦ୍ଧ ପାଗୋଡା ସମୂହର ସଂରକ୍ଷଣ ଦିଗରେ ଭାରତ ପଡୋଶୀ ମିଆଁମାରକୁ ସହଯୋଗ କରିବ । ଏଥିଲାଗି ଦୁଇ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ସେପ୍ଟେମ୍ବର ମାସ 6-7 ତାରିଖ ମିଆଁମାର ଗସ୍ତ କାଳରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ପ୍ରସ୍ତାବିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି ।
ଏହି ସଂରକ୍ଷଣ ପ୍ରକଳ୍ପ ଭାରତ-ମିଆଁମାର ମଧ୍ୟରେ ସାଂସ୍କୃତିକ ଓ ଧାର୍ମୀକ ସମ୍ବନ୍ଧ ବୃଦ୍ଧି ଦିଗରେ ବେଶ ସହାୟକ ହେବ । ମିଆଁମାରର ସୁନ୍ଦର ବୌଦ୍ଧ ପାଗୋଡାଗୁଡିକ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାନ୍ତି । ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ ଦ୍ୱାରା ଏହି ଐତିହ୍ୟ ସ୍ଥଳୀଗୁଡିକର ସୌନ୍ଦର୍ଯ୍ୟ ବର୍ଦ୍ଧନ ହେବା ସହ ଅଧିକରୁ ଅଧିକ ପର୍ଯ୍ୟଟକ ମିଆଁମାର ଯିବେ । ଧାର୍ମୀକ ସ୍ଥଳୀଗୁଡିକର ସଂରକ୍ଷଣ କାର୍ଯ୍ୟ ମିଆଁମାର ଲୋକଙ୍କ ମଧ୍ୟରେ ଭାରତ ପ୍ରତି ସଦିଚ୍ଛା, ବିଶ୍ୱାସ ଓ ଆସ୍ଥା ବୃଦ୍ଧି କରିବ । ମିଆଁମାରର ବାଗାନ ଅଂଚଳ ଧାର୍ମୀକ ପର୍ଯ୍ୟଟନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ପ୍ରତିବର୍ଷ ସେହି ଅଂଚଳକୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଯାଇଥାନ୍ତି । ତେଣୁ ବାଗାନର ସାଂସ୍କୃତିକ ବିକାଶ ଭାରତ-ମିଆଁମାର ସହଭାଗୀତା କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ ହୋଇଛି । କେବଳ ସେତିକି ନୁହଁ, ବାଗାନର ପାଗୋଡା ବିକାଶ କାର୍ଯ୍ୟକ୍ରମ ଭାରତର ଐତିହ୍ୟସ୍ଥଳୀ ପୁନରୁଦ୍ଧାର ଓ ସଂରକ୍ଷଣ ସଂକ୍ରାନ୍ତ ସାମର୍ଥ୍ୟକୁ ପ୍ରଦର୍ଶୀତ କରିବା ଦିଗରେ ଏକ ବୃହତ ସୁଯୋଗ ହେବ । ମିଆଁମାର ସମେତ ଅନ୍ୟ ଦେଶର ପର୍ଯ୍ୟଟକମାନେ ମଧ୍ୟ ଭାରତର ଏହି ସଂରକ୍ଷଣ ସାମର୍ଥ୍ୟକୁ ଅନୁଭବ କରିପାରିବେ ।