Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୋପାଳଠାରେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଭୋପାଳଠାରେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଭୋପାଳଠାରେ ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ସହିଦମାନେ ଅମର ରହନ୍ତୁ, ଅମର ରହନ୍ତୁ ସହିଦମାନେ, ଅମର ରହେ, ଅମର ରହେ

ସହିଦମାନେ ଅମର ରହନ୍ତୁ, ଅମର ରହେ

ସହିଦମାନେ ଅମର ରହନ୍ତୁ, ଅମର ରହେ

ବନ୍ଦେ ମାତରମ୍ ବନ୍ଦେ ମାତରମ୍,

ବନ୍ଦେ ମାତରମ୍ ବନ୍ଦେ ମାତରମ୍,

ବନ୍ଦେ ମାତରମ୍ ବନ୍ଦେ ମାତରମ୍,

ମୋର ସୌଭାଗ୍ୟ ଯେ, ଏହି ମହତ୍ଵପୂର୍ଣ୍ଣ ଐତିହାସିକ ଅବସରରେ ଆପଣମାନଙ୍କ ପାଖକୁ ଆସି ଏଇ ଦେଶର ବୀର ଯବାନମାନଙ୍କୁ ପ୍ରଣିପାତ କରିବାର ସୁଯୋଗ ମିଳିଛି, ଶ୍ରଦ୍ଧାସୁମନ ଅର୍ପଣ କରିବାର ସୌଭାଗ୍ୟ ମିଳିଛି। ଆମ ଦେଶରେ ଆମେ ଯେତେ ବେଳେ ସୈନିକଙ୍କ କଥା ସ୍ମରଣ କରୁ ସେତେବେଳେ ସାଧାରଣତଃ ଗୋଟିଏ ରୂପକୁ ନେଇ ଚର୍ଚ୍ଚା ହୁଏ, ୟୁନିଫର୍ମ, ହାତରେ ଅସ୍ତ୍ର, ଆଖିରେ ଅଗ୍ନିସ୍ଫୁଲିଙ୍ଗ ସତେଯେପରି ସବୁ ସମୟରେ ଶତ୍ରୁଙ୍କ ଅନୁସନ୍ଧାନରେ। କିନ୍ତୁ କେବେ ମଧ୍ୟ ,ଏକଥା ଭାବିବା ଦରକାର ଯେ, ଭାରତର ସୈନ୍ୟବଳ ମାନବତାର ବହୁତ ବଡ ଉଦାହରଣ। କେଉଁଠାରେ ମଧ୍ୟ ପ୍ରାକୃତିକ ବିପଦ ଦେଖା ଦିଏ, ବିଗତ କିଛି ଦିନ ମଧ୍ୟରେ ଆମ ସମସ୍ତଙ୍କ ସ୍ମୃତିରେ ରହିଛି ବଦ୍ରିନାଥ, କେଦାରନାଥର ପ୍ରାକୃତିକ ସଂକଟ। ଯେତେବେଳେ ପୁରା ଦେଶ, ଦେଶର ଯବାନ ମାନଙ୍କୁ ନିଜ ଘରେ ରହି ପ୍ରଣିପାତ କରୁଥିଲା। ଯେଉଁଭଳି ଭାବରେ ଦୃଢ ମନୋବଳ ନେଇ ବିପଦରେ ଫସି ଯାଇଥିବା ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଉଥିଲେ।

ଦୁଇ ବର୍ଷ ପୂର୍ବେ ଯେତେବେଳେ ଶ୍ରୀନଗରରେ ଭୟଙ୍କର ବନ୍ୟା ଆସିଥିଲା, ପ୍ରଥମଥର ପାଇଁ ଶ୍ରୀନଗରରେ ଏପରି ଭୟଙ୍କର ବନ୍ୟା ଦେଖିବାକୁ ମିଳିଥିଲା। ଏହି ସମସ୍ୟା ସହିତ ଲଢିବା ସରକାରଙ୍କ ପାଇଁ ଏକ କଠିନ କାର୍ଯ୍ୟ ଥିଲା। ଏହି ସମୟରେ ଦେଶ ଦେଖିଲା ଯେ, ଆମ ସୈନ୍ୟ ବାହିନୀର ଯବାନମାନେ ଶ୍ରୀନଗରେ ବନ୍ୟା ପ୍ରଭାବିତଙ୍କ ଜୀବନ ବଞ୍ଚାଇବାକୁ ନିଜକୁ ନିୟୋଜିତ କରୁଥିଲେ। ଏବଂ ଯେତେବେଳ ସେମାନେ ଏହି ସମସ୍ୟାରେ ଫସି ଯାଇଥିବା ଲୋକଙ୍କ ସେବା କରୁଥିଲେ ସେମାନଙ୍କୁ ବଞ୍ଚାଇବାରେ ଲାଗିଥିଲେ, ମୋ ସୈନ୍ୟଙ୍କ ପ୍ରଶିକ୍ଷଣକୁ ଦେଖନ୍ତୁ, ମୋ ସୈନ୍ୟଙ୍କ ଭିତରେ ଭରି ରହିଥିବା ସେହି ମାନବତାକୁ ଦେଖନ୍ତୁ, କେବେ ବି ସେମାନେ ଏ କଥା ଭାବିଲେ ନାହିଁ କି ଏମାନେ ତ ସେହି ଲୋକ ଯେଉଁମାନେ ପଥର ମାରୁଥିଲେ। କେବେ ଆମ ଆଖି ଫଟେଇ ଦିଅନ୍ତି, କେବେ ମୁଣ୍ଡ ଫଟେଇ ଦିଅନ୍ତି, କେବେ ପୁଣି ପଥର ଆକ୍ରମଣ ଏତେ ଭୟଙ୍କର ହୁଏ ଯେ, ମୃତ୍ୟୁର ଶରଣ ନେବାକୁ ପଡେ। ଏହି ସବୁ ଅନୁଭବ କରିବା ପରେ ଯେତେବେଳେ ମାନବିକତାର ଆହ୍ଵାନ ଆସେ ସେତେବେଳେ ଏହି ମୋ ଯବାନମାନେ, କାଲି କ’ଣ ହୋଇଥିଲା, କିଏ କ’ଣ କରିଥିଲା, ଏହି ସବୁ ଘଟଣାକୁ ତିଳେ ହେଲେ ମନରେ ନରଖି, ତାଙ୍କ ଜୀବନ ମଧ୍ୟ ମୋ ଦେଶବାସୀଙ୍କ ଜୀବନ, ତାଙ୍କୁ ବଞ୍ଚାଇବା ପାଇଁ ମନ ପ୍ରାଣ ଏକ କରି ଲାଗି ପଡିଥିଲେ।

ଆଜି ସାରା ବିଶ୍ଵରେ ଦୁନିଆରେ ଯେଉଁ ରକ୍ଷା ବଳ ଅଛି, ସୁରକ୍ଷା ବଳ ଅଛି, ଦୁନିଆର କେତେକ ଦେଶ ପାଖରେ ଥିବା ସୈନ୍ୟ ଶକ୍ତି ଆମଠୁଁ ଶହେ ଗୁଣ ଅଧିକ ହୋଇପାରେ, କିନ୍ତୁ ବିଶ୍ଵ ଯେତେବେଳେ ଆମ ସୁରକ୍ଷାବଳକୁ ଭିନ୍ନ ଭିନ୍ନ ମାନଦଣ୍ଡରେ ମୂଲ୍ୟାୟନ କରେ, ସେତେବେଳେ ଶୃଙ୍ଖଳା, ଆଚାର, ସାଧାରଣ ନାଗରିକଙ୍କ ପ୍ରତି ବ୍ୟବହାର, ଏହି ସମସ୍ତ ମାନଦଣ୍ଡରେ ଭାରତୀୟ ସେନାକୁ ପ୍ରଥମ ଧାଡିରେ ଦେଖିବାକୁ ମିଳିଥାଏ, ସାରା ବିଶ୍ଵରେ ଦେଖିବାକୁ ମିଳିଥାଏ। ସାରା ବିଶ୍ଵରେ ଶାନ୍ତି ପାଇଁ ଏକ ଶାନ୍ତି ସୁରକ୍ଷାବଳ ଗଠନ ହୋଇଛି। ଯେଉଁଥିରେ ସାରା ଦୁନିଆର ସୁରକ୍ଷା ବଳର ଯବାନ ମାନେ ପର୍ଯ୍ୟାୟ କ୍ରମେ ଆସିଥାନ୍ତି, କିଏ ଦୁଇ ବର୍ଷ ପାଇଁ ସେଠି ସେବା କରିଥାନ୍ତି, କିଏ ତିନି ବର୍ଷ ପାଇଁ, ଯେଉଁ ଦେଶରେ ସେମାନଙ୍କୁ ନିୟୋଜିତ କରାଯାଇଥାଏ ସେଠାକୁ ଯାଇଥାନ୍ତି। ସେହି ଦେଶରେ ଶାନ୍ତି ପାଇଁ ନିଜ ଜୀବନ ଲଗାଇ ଦେବାକୁ ପ୍ରସ୍ତୁତ ହୋଇ ଯାଇଥାନ୍ତି। ବିଶ୍ଵରେ ଶାନ୍ତି ବଜାୟ ରଖିବା ପାଇଁ ଯେଉଁ ସୈନିକ ଅଛନ୍ତି, ପ୍ରତ୍ୟେକ ହିନ୍ଦୁସ୍ଥାନୀ ଗର୍ବ କରିବାର କଥା ଯେ, ବିଶ୍ଵର ଏହି ଶାନ୍ତି ସୈନ୍ୟ ଭାବେ ଏତେ ବର୍ଷ ଧରି ଲଗାତର ସବୁଠାରୁ ଅଧିକ ଯୋଗଦାନ ଦେଇ ଆସୁଥିବା ଦେଶ କିଏ ଅଛି ତ, ସେ ଦେଶର ନାମ ହେଉଛି ହିନ୍ଦୁସ୍ଥାନ। ଏବଂ ଏହା ଏଥିପାଇଁ ସମ୍ଭବ ହୋଇଛି କାରଣ ଆମ ସୁରକ୍ଷା ବଳର ଯବାନମାନେ ଖାଲି ଅସ୍ତ୍ର ଆଧାରରେ ନୁହେଁ ନୈତିକତାକୁ ଭିତ୍ତି କରି, ନିଜ ଆଚରଣ, ବ୍ୟବହାର ପାଇଁ ବିଶ୍ଵକୁ ଜିତିବାରେ ସଫଳତା ପାଇଛନ୍ତି, ତେବେ ଯାଇ ସିଦ୍ଧି ପ୍ରାପ୍ତି ହୋଇଛି।

ଏଇ କିଛି ଦିନ ହେବ ପଶ୍ଚିମ ଏସିଆରେ ବୋମା ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି। ଆତଙ୍କବାଦ ଭୟଙ୍କର ରୂପ ନେଇ ସାରିଛି। ୟେମେନରେ ହିନ୍ଦୁସ୍ଥାନର ହଜାର ହଜାର ନାଗରିକ ଫସି ରହିଥିଲେ, ବୋମା ବର୍ଷଣ ହେଉଥିଲା, ଜୀବନ ଓ ମୃତ୍ୟୁ ମଧ୍ୟରେ ସେଠାରେ ଭାରତୀୟ ନାଗରିକଙ୍କୁ ବିପଦ ଘେରି ରହିଥିଲା, ଆମେ ସେନାର ଯବାନ ମାନଙ୍କୁ ସେଠାକୁ ପଠାଇଲୁ, ସହାୟତାର ପାଇଁ ସମସ୍ତ ବ୍ୟବସ୍ଥା କରି ପଠାଇଲୁ, ଆଉ ସେନାର ଏହି ଯବାନ ମାନଙ୍କ ପରାକ୍ରମ ଦେଖନ୍ତୁ, ସେଠାରେ ଫସି ରହିଥିବା ପାଞ୍ଚ ହଜାରରୁ ଅଧିକ ଭାଇ-ଭଉଣୀଙ୍କୁ ନରାପଦରେ ହିନ୍ଦୁସ୍ଥାନକୁ ଫେରାଇ ଆଣିଥିଲେ। ଏବଂ ଖାଲି ହିନ୍ଦୁସ୍ଥାନର ନୁହେଁ, ଦୁନିଆର ଅନେକ ଦେଶର ନାଗରିକମାନଙ୍କୁ ମଧ୍ୟ, ପାକିସ୍ତାନର ନାଗରିକମାନଙ୍କୁ ମଧ୍ୟ ବଞ୍ଚାଇ ନେଇ ଆସିଥିଲେ। ଏଇ ଭାରତୀୟ ସେନାଙ୍କ ଏହି ରୂପ ଉପରେ ଏବେ ମଧ୍ୟ ବେଳେ ବେଳେ ଦୃଷ୍ଟି ପଡିଥାଏ। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହି ଶକ୍ତିକୁ ଆମେ ବେଳେ ବେଳେ ଭୁଲିଯାଉ, କେବଳ ସୀମା, ଗୁଳି, ବମ୍, ବନ୍ଧୁକ, ପିସ୍ତଲ, ଶତ୍ରୁ ଏଇ ସବୁ ଦଷ୍ଟିକୋଣରେ ଏହି ଶକ୍ତିକୁ ତରାଜୁରେ ତଉଲୁ ଥାଉ। ବହୁତ କମ ଲୋକଙ୍କୁ ଏହା ଜଣାଥିବ, ହିନ୍ଦୁସ୍ଥାନର ଇତିହାସ ଏହି କଥାର ସାକ୍ଷୀ ଅଛି, ଯେ ହଜାର ହଜାର ବର୍ଷର ଆମର ଇତିହାସ, ଆମ ପୂର୍ବ ପୁରୁଷ କେବେ ମଧ୍ୟ ଏକ ଇଞ୍ଚ ଜମି ପାଇଁ କାହା ସହ ଲଢେଇ କରି ନାହାନ୍ତି, ଯୁଦ୍ଧ କରି ନାହାନ୍ତି, ଦୁନିଆର କୌଣସି ଦେଶକୁ ଅଧିକାର କରିବା ପାଇଁ, ନିଜର କରିବା ପାଇଁ ଆକ୍ରମଣ କରି ନାହାନ୍ତି। କିନ୍ତୁ ଯଦି ଆବଶ୍ୟକ ପଡିଛି ମୂଲ୍ୟବୋଧ ପାଇଁ, ଆଦର୍ଶ ପାଇଁ, ଜୀବନ ମୃତ୍ୟୁର ଯୁଦ୍ଧ ଖେଳିବା ଭଳି ପରିସ୍ଥିତି ଉପୁଜିଛି ତେବେ ହିନ୍ଦୁସ୍ଥାନର ସେନା ପଛଘୁଞ୍ଚା ଦେଇ ନାହାନ୍ତି।

ମୋର ପ୍ରିୟ ଭାଇ-ଭଉଣୀମାନେ, ବହୁତ କମ୍ ଲୋକଙ୍କୁ ଜଣା ଥିବ ଯେ ପ୍ରଥମ ଓ ଦ୍ଵିତୀୟ ବିଶ୍ଵ ଯୁଦ୍ଧ, ଏହି ଲଢେଇ ନା ଆମେ କରି ଥିଲୁ, ନା ଏହି ଯୁଦ୍ଧ ଆମ ପାଇଁ ହୋଇଥିଲା, ନା ଏହି ଯୁଦ୍ଧର ପରିଣାମରୁ ଆମକୁ କିଛି ଲାଭ ମିଳିବାର ଥିଲା। ଏଥିରେ ଆମର କିଛି ଦବା-ନବାର(ନେଣ-ଦେଣ) ନଥିଲା। କିନ୍ତୁ ଦୁଇଟି ଯାକ ବିଶ୍ଵଯୁଦ୍ଧରେ ଏଇ ମାଟିର ସନ୍ତାନ, ମୋ ଦେଶର ବୀର ଯବାନ, ବୀର ସୈନିକ, ଦେଢ ଲକ୍ଷ ଯବାନ ବଳିଦାନ ଦେଇଥିଲେ, ଦେଢ ଲକ୍ଷ। ପୁରା ବିଶ୍ଵ ଏହି କଥାକୁ ଭୁଲି ଯିବାକୁ ବସିଛି । ଦୁର୍ଭାଗ୍ୟ ଏହା ଯେ, ଆମେ ମଧ୍ୟ ବେଳେ ବେଳେ ଭୁଲି ଯାଉଛୁ। ଖଣ୍ଡାଧାରରେ ଚାଲି ଦୁନିଆ ଆଗରେ ଆମ ପୂର୍ବଜଙ୍କ ମାନବତା ପାଇଁ ଏହି ତ୍ୟାଗ ଓ ବଳିଦାନକୁ ଦୁନିଆ ଆଗରେ ବାରମ୍ବାର ସ୍ମରଣ କରାଇବାର ଆବଶ୍ୟକତା ରହିଛି। ଏଠି ଗାନ୍ଧୀ ଏମିତି ଜନ୍ମ ନିଅନ୍ତି ନାହିଁ, ଏଠି ବୁଦ୍ଧ ଏମିତି ଜନ୍ମ ନିଅନ୍ତି ନାହିଁ, ଏକ ମହାନ ପରମ୍ପରା ଅଛି, ଯେଉଁଥିରୁ ବୀର ସୈନିକ ମାନବତା ପାଇଁ ମଧ୍ୟ ମୃତ୍ୟୁ ବରଣ କରିଥାଏ ଏବଂ ଗାନ୍ଧୀ ମଧ୍ୟ ମାନବତା ପାଇଁ ବଞ୍ଚିଛନ୍ତି, ଏହା ଏହି ମାଟିର ବିଶେଷତ୍ଵ ରହି ଆସିଛି। ଏହି ବିଶେଷତ୍ଵକୁ ନେଇ ଆଜି ସାରା ଦୁନିଆ ଆମ ସୈନିକ ମାନଙ୍କ ପାଇଁ ଗର୍ବ କରୁଛି। ଜଳ ହେଉ, ସ୍ଥଳ ହେଉ, ଆକାଶ ହେଉ, ଆମର ଆହୁରି ସୈନ୍ୟ ବଳ, ସୀମା ସୁରକ୍ଷା ବଳର ଯବାନ, ଯେଉଁଭଳି ଭାବରେ ସୀମାରେ ଦଣ୍ଡାୟମାନ ହୋଇଛନ୍ତି, କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ଯବାନ, ତଟରକ୍ଷୀ ଯବାନ, ଅଗଣିତ ବ୍ୟବସ୍ଥା ରହିଛି, ଯେଉଁଥିପାଇଁ ନିଜ ଜୀବନକୁ ସମର୍ପି ଦେଉଛନ୍ତି, କି ଆମେ ଟିକେ ଆରାମରେ ଶୋଇ ପାରୁଛୁ। ମୋ ଦେଶର ସୈନ୍ୟମାନଙ୍କୁ, ସେଥିପାଇଁ ସବୁଠାରୁ ଅଧିକ ଖୁସି ମିଳିଥାଏ। ଆମେ ଟିକେ ଶାନ୍ତିରେ ଶୋଇଲେ ତାଙ୍କୁ ସନ୍ତୋଷ ମିଳିଥାଏ। ଆମ ଶୋଇବାକୁ ନେଇ ତାଙ୍କର କୌଣସି ଅଭିଯୋଗ ନ ଥାଏ। କିନ୍ତୁ ଜାଗିବା ସମୟରେ ଯଦି ଆମେ ଶୋଇ ଯାଉ ତେବେ ସେନା କେବେ ବି ଆମକୁ କ୍ଷମା କରନ୍ତି ନାହିଁ ଆଉ ଦୁର୍ଭାଗ୍ୟ ଏହା ଯେ, ବେଳେବେଳେ ଆମେ ଜାଗିବା ସମୟରେ ଶୋଇ ଥିବାର ଦେଖିବାକୁ ପାଇଥାଉ। ସଂସ୍କୃତରେ କୁହାଯାଇଛି :

“ରାଷ୍ଟ୍ରାୟାମ୍ ଜାଗରୟାମ୍ ବୟମ୍”

“ଅନ୍ତର୍ନିହିତ ଜାଗୃତି ହିଁ ସ୍ଵତନ୍ତ୍ରତାର ମୂଲ୍ୟ”

ସର୍ବଦା ଜାଗ୍ରତ ରହ। କେବଳ ଯେ ଖାଲି ସେନାର ଯବାନ ଜାଗ୍ରତ ରହିବେ ଏହା ତାଙ୍କ ପାଇଁ ଅନ୍ୟାୟ ହେବ। ଆମକୁ ମଧ୍ୟ ଜାଗିବା ସମୟରେ ଜାଗ୍ରତ ହୋଇ ରହିବାକୁ ପଡିବ। ସେଇ ସମୟରେ ଶୋଇବା ଆମର ହକ୍ ନୁହେଁ। ଯଦି କିଏ ଏଇ ଭ୍ରମରେ ରହୁଛି କି ହାତରେ କେତେ ଆଧୁନିକ ଅସ୍ତ୍ର ଅଛି, ଗୁଳି କେତେ ଦୂର ପର୍ଯ୍ୟନ୍ତ ଯାଇ ପାରିବ, ଏତିକି ମାତ୍ର ସେନାଙ୍କୁ ନେଇ ଜିତିଯାଉଛନ୍ତି ତ, ଏଇ ସେମାନଙ୍କର ଭ୍ରମ ଧାରଣା। ସେନାର ସବୁଠାରୁ ବଡ ଅସ୍ତ୍ର ତାହା, ଯାହା ହେଉଛି ତା’ର ମନୋବଳ। ତା ମନର ସାହସ। ଆଉ ସେହି ମନୋବଳ ଏଇ ମନର ସାହସ କୌଣସି ଅସ୍ତ୍ରରୁ ଆସେ ନାହିଁ। 125 କୋଟି ଦେଶବାସୀ ଏକାଠି ହୋଇ ତାଙ୍କ ପଛରେ ଛିଡା ହେଲେ ହିଁ ଆସିଥାଏ।

ଆମ ଦେଶର ଏକ ବଡ଼ ପୁରୁଣା ଘଟଣା ମୋର ମନେପଡେ, 1962 ଯୁଦ୍ଧ ପର ଦୀପାବଳୀର ଦିନ ଥିଲା। ଲୋକେ ମିଠାଇ ପ୍ୟାକେଟ ଫୌଜିମାନଙ୍କ ପାଇଁ ପଠାଇବାରେ ଲାଗିଥାନ୍ତି। ସେମାନଙ୍କ ପାଖରେ ପହଞ୍ଚିବା ବେଳକୁ ଏହା ଖରାପ ହୋଇଯାଇଥାଏ, କିନ୍ତୁ ଭକ୍ତିଭାବର ସହ ପହଞ୍ଚୁଥିଲା। ମୁଁ କେବେ ଶୁଣିଥିଲି ବରୋଦାର ଏକ ଝିଅ କେଉଁ ଜଣେ ଯବାନଙ୍କ ପାଖକୁ ମିଠାଇ ପଠାଇଥିଲା। ନିଜ ଠିକଣା ମଧ୍ୟ ତା’ ସହିତ ପଠାଇଥିଲା। ଯେଉଁ ଯବାନଙ୍କ ପାଖରେ ମିଠା ପହଞ୍ଚିଲା, ତା ସହିତ ଠିକଣା ମଧ୍ୟ ପହଞ୍ଚିଲା । ଏବଂ ପରେ ମୁଁ ଜାଣିବାକୁ ପାଇଲି ଯେ, ସାରା ଜୀବନ ପାଇଁ ସେହି ଫୌଜି ଜଣଙ୍କ ଏହି ଭଉଣୀଙ୍କୁ ନିଜ ଭଉଣୀ ଅପେକ୍ଷା ଅଧିକ ଭଲ ପାଉଥିଲେ। ଇଏ ସେନାର ଯେଉଁ ରୂପ ଅଛି, ତାକୁ କେବେ ମଧ୍ୟ ଆମେ ଭଲଭାବେ ବୁଝିପାରୁ ନାହୁଁ। ଆମର ସେନା, ମୁଁ କହୁଥିଲି ସେନା କଥା କହେନାହିଁ, ସେନା ପରାକ୍ରମ ଦେଖାଇଥାଏ। ଆଉ ସେଇ ଦିନ ସବୁ ସମୟରେ ମୋର କେଶ ଛିଣ୍ଡାଇ ନିଆଯାଉଥିଲା। ମୋଦି ଶୋଇ ରହୁଛି, ମୋଦି କିଛି କରୁ ନାହିଁ। କିନ୍ତୁ ଯେମିତି ଆମର ସେନା କହେ ନାହିଁ, ପରାକ୍ରମ କରି ଦେଖାଇଥାଏ। ଆମ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ କିଛି କହନ୍ତି ନାହିଁ।
ପ୍ରିୟ ଦେଶବାସୀ, ମଧ୍ୟପ୍ରଦେଶ ସରକାର ସରକାରଙ୍କୁ ମୁଁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି କି ସେ ଏହି “ସୌର୍ଯ୍ୟ ସ୍ମାରକ” ନିର୍ମାଣ କରିଛନ୍ତି। ଯୁଦ୍ଧ ସ୍ମାରକ ତ ଅଛି, ସହିଦ ସ୍ମାରକ ମଧ୍ୟ ଅଛି, କିନ୍ତୁ ସୌର୍ଯ୍ୟ ସ୍ମାରକ ଯେଉଁଥିରେ ସବୁ କିଛି ସାମିଲ ହୋଇଛି, ତା ସହିତ ମଧ୍ୟ ଯୁକ୍ତ ହୋଇଛି। ଏହି ସୌର୍ଯ୍ୟ ସ୍ମାରକ ଆମ ସମସ୍ତଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର। ଆମ ଆଗାମୀ ପିଢୀ ପାଇଁ ଇଏ ଏକ ପ୍ରେରଣାର ମନ୍ଦିର। ଆମେ ଠିକ୍ ଭାବେ ତ ଦେଖୁ, ଅନୁଭବ ତ କରୁ, ପ୍ରକୃତ ସେନା କ’ଣ ? ଜୀବନ କେମିତି ତାଙ୍କର? ଏମିତି କିଭଳି ତାଲିମ ଅଛି ଯେ, ରକ୍ତର ପ୍ରତ୍ୟେକଟି ବୁନ୍ଦାରେ ହିନ୍ଦୁସ୍ଥାନ ଯୋଡି ହୋଇ ରହିଛି। କାରଣ କ’ଣ ଅଛି ଯେ ପୁରା ଭାରତ ମାତାକୁ ନିଜର ସାରା ସଂସାର ଭାବି ନେଇଛନ୍ତି ଏବଂ ନିଜ ପରିବାର ଲୋକଙ୍କୁ ଏକାକୀ ଛାଡିଦେଇ ଚାଲି ଆସିଛନ୍ତି। ଇଏ ଛୋଟ ତ୍ୟାଗ ନୁହେଁ ବନ୍ଧୁ, ଶବ୍ଦରେ ଏହାକୁ ବର୍ଣ୍ଣନା କରିହେବ ନାହିଁ। ଇଏ ହେଇଛି ବୀରଙ୍କ ଗାଥା, ପ୍ରତି କ୍ଷଣରେ ପ୍ରତି ପାଦ ପ୍ରେରଣାର ଏକ ନୂଆ ଶକ୍ତି ଏହି ବୀରମାନଙ୍କ ଠାରୁ ଆମକୁ ପ୍ରାପ୍ତ ହେଉଛି। ସେମାନଙ୍କ ଜୀବନ ସେମାନଙ୍କ କାର୍ଯ୍ୟ ପ୍ରତ୍ୟେକ ହିନ୍ଦୁସ୍ଥାନୀଙ୍କୁ ଦେଶ ପାଇଁ ଜୀଇଁବାକୁ, ଦେଶ ପାଇଁ କିଛି କରିବାକୁ ପ୍ରେରଣା ଦେଇ ଚାଲିଥାଏ। ଏବଂ ଆମ ଦେଶର ସବୁ ମାନ୍ୟଗଣ୍ୟ କବି, ତାଙ୍କର ଲେଖନୀ, କୋଉ ଏମିତି କଲମ ନାହିଁ କବିଙ୍କର ଯିଏ ଦେଶର ବୀର ଯବାନଙ୍କୁ, ସହିଦଙ୍କୁ, ବୀରଙ୍କୁ, ଯୋଦ୍ଧାଙ୍କୁ, ସୈନିକଙ୍କୁ ସ୍ମରଣ କରି ନାହିଁ, ଅଞ୍ଜଳି ଦେଇ ନାହିଁ। ଆମେ ସବୁ ପିଲା ଦିନେ ପଢୁଥିଲୁ ମାଖନଲାଲ୍ ଚତୁର୍ବେଦି ଜୀଙ୍କ କବିତା,ଏବଂ ମାଖନଲାଲ୍ ଜୀ କହିଥିଲେ :

ମୁଝେ ତୋଡ୍ ଲେନା ବନମାଲୀ, ଉସ୍ ପଥ ପର ଦେନା ତୁମ୍ ଫେଁକ୍

ମାତୃଭୂମି ପର ଶିଶ୍ ଚଢାନେ, ଜିସ ପଥ୍ ଯାବେଂ ବୀର ଅନେକ।

ଭାଇ ଓ ଭଉଣୀମାନେ,ରାମଧାରୀ ସିଂହ ଦୀନକର, ଆଜି ଏହି ସୌର୍ଯ୍ୟ ସ୍ମାରକର ଉଦ୍ଘାଟନ ସମୟରେ ତାଙ୍କର ଏକ କବିତା ବହୁତ ମନେ ପଡୁଛି, ସେ ଲେଖିଥିଲେ :-

କଲମ, କଲମ, ଆଜ୍ ଉନକୀ ଜୟ ବୋଲ୍

କଲମ, ଆଜ୍ ଉନକୀ ଜୟ ବୋଲ୍

ଜଲା ଅସ୍ଥିୟାଁ ବାରି-ବାରି, ଜଲା ଅସ୍ଥିୟାଁ ବାରି-ବାରି

ଚିଟ୍କାଇ ଜିନ୍ମେଁ ଚିଙ୍ଗାରୀ

ଜଲା ଅସ୍ଥିୟାଁ ବାରି-ବାରି, ଚିଟ୍କାଇ ଜିନ୍ମେଁ ଚିଙ୍ଗାରିୟାଁ

ଯୋ ଚଢ ଗୟେ ପୁଣ୍ୟ ବେଦି ପର୍, ଯୋ ଚଢ ଗୟେ ପୁଣ୍ୟ ବେଦି ପର୍

ଲିଏ ବିନା ଗର୍ଦ୍ଦନ କା ମୋଲ, ଲିଏ ବିନା ଗର୍ଦ୍ଦନ କା ମୋଲ,

ୱେ ଚଢ ଗୟେ ପୁଣ୍ୟ ବେଦି ପର୍

ଏହି ମହାପୁରୁଷ ମାନଙ୍କୁ, ବୀର ପୁରୁଷ ମାନଙ୍କୁ, ଆମେ ଜାଣିଛୁ ଯେ, ଆମ ଦେଶର ଯବାନ ବିଗତ କେତେ ଦଶକ ଧରି ପ୍ରତ୍ୟେକ ସରକାରଙ୍କ ପାଖରେ ଗୋଟିଏ ଦାବି କରୁଥିଲେ, ଗୋଟିଏ ପଦ ଗୋଟିଏ ପେନ୍ସନ One Rank One Pension । ଅନେକ ଲୋକ ଅବସର ନେଲେଣି, ଦାବି କରୁଥିଲେ, କିନ୍ତୁ ଫୌଜି ଥିଲେ, ଶୃଙ୍ଖଳିତ ଥିଲେ, ଦେଶ ତାଙ୍କ ପାଇଁ ପ୍ରଥମ ଥିଲା, ନିଜେ ପରେ ଥିଲେ, ସେଥିପାଇଁ ସଂଗଠନ ମାନଙ୍କ ଭଳି ସେମାନେ କେବେ ଝଗଡା କରି ନ ଥିଲେ, ନିୟମ କାନୁନ ଅନୁସାରେ ନିଜ କଥା କହୁଥିଲେ। ଏବଂ ପ୍ରତ୍ୟେକ ସରକାର ବହୁତ ଭଲ ଭଲ ଶବ୍ଦରେ ପ୍ରତିଶୃତି ଦେଉଥିଲେ। ଏମିତି କୌଣସି ସରକାର ନଥିଲେ ଯିଏ ପ୍ରତିଶୃତି ଦେଇ ନ ଥିଲେ। ଆଉ କିଛି ଲୋକ ଏମିତି ବଡ଼ ହୁସିଆର ଥିଲେ କି 200 କି 500 କୋଟି ଟଙ୍କା ବଜେଟ୍ ରେ ଦେଇ ଦେଉଥିଲେ। ଏହି ସରକାର ଆସିବା ପରେ ଆମେ ପ୍ରତିଶୃତି ଦେଇଥିଲୁ କି ଆମେ ଗୋଟିଏ ପଦ ଗୋଟିଏ ପେନ୍ସନ One Rank One Pension ଲାଗୁ କରିବୁ। ଏବଂ ମୁଁ ଆଜି ମୋ ବୀର ଯବାନଙ୍କ ପାଖରେ ମଥାନତ କରି ଏହି ପ୍ରତିଶୃତି କୁ ଆମେ ପୂରଣ କରିଛୁ, ଆଜି ମୁଁ ସନ୍ତୋଷ ଅନୁଭବ କରିପାରୁଛି। ଚାରି କିସ୍ତିରେ, ଚାରି କିସ୍ତିରେ ଏହାକୁ ଭରଣା କରିବା ପାଇଁ ଆମେ ସ୍ଥିର କରିଛୁ, କାରଣ ଏତେ ବଡ ଆର୍ଥିକ ବୋଝ ଯେ, ଗୋଟିଏ ବର୍ଷରେ ଭାରତ ସରକାର ପାଇଁ ଦେବା କଷ୍ଟସାଧ୍ୟ । ସେଇଥି ପାଇଁ ତାକୁ ଚାରୋଟି କିସ୍ତିରେ ବାଣ୍ଟି ଦିଆ ଯାଇଛି। ଏବେ ସୁଦ୍ଧା ସାଢେ ପାଞ୍ଚ ହଜାର କୋଟି ଟଙ୍କା ବିତରଣ କରାଯାଇ ସାରିଛି। ଫୌଜିର ଘରେ, ତାଙ୍କ ଖାତାରେ ଜମା ହୋଇ ସାରିଛି। ଆଉ ଲାଭ କେତେ ହୋଇଛି, ଯେଉଁ ହାବିଲଦାର, ଯେଉଁ ହାବିଲଦାର ଯିଏ 17 ବର୍ଷ, ସତର ବର୍ଷ ଫୌଜିରେ କାମ କରିଛନ୍ତି ଓ ସେବା ନିବୃତ ହୋଇଛନ୍ତି OROP ପୂର୍ବରୁ ଯାହାଙ୍କୁ ଚାରି ହଜାର ଟଙ୍କା 4090 ଟଙ୍କା ମିଳୁଥିଲା OROP ଲାଗୁ ହେବା ପରେ ତାଙ୍କୁ ପାଖାପାଖି 7600 ଟଙ୍କା ମିଳିବା ଆରମ୍ଭ ହୋଇଛି। ଯେଉଁଥିରୁ ପାଖାପାଖି 30 ପ୍ରତିଶତରୁ ଅଧିକ ଲାଭ ମିଳୁଛି।

ଭାଇ ଓ ଭଉଣୀମାନେ ଏବେ ସପ୍ତମ ବେତନ କମିଶନ ଆସିଛି। ପ୍ରତ୍ୟେକ ବେତନ କମିଶନରେ କିଛି କିଛି ଅସଙ୍ଗତି ରହିଥାଏ। ଏହି ଅସଙ୍ଗତି ଦୂର କରିବା ପାଇଁ ଏକ କମିଟି ବସିଥାଏ ଯିଏ ସମସ୍ୟା ସମାଧାନର ରାସ୍ତା ଖୋଜିଥାଏ। ଭାରତ ସରକାର ମଧ୍ୟ ଏହି ଦିଗରେ କାର୍ଯ୍ୟ କରୁଛନ୍ତି। ସପ୍ତମ ବେତନ କମିଶନ ପରେ ଆମ ସେନାର ମୁଖ୍ୟ ମୋତେ ପତ୍ର ଲେଖିଛନ୍ତି। ସେ ବିଷୟରେ ଆମେ କାର୍ଯ୍ୟ କରୁଛୁ। ଆଉ ସେଥିରୁ ମଧ୍ୟ ନିଶ୍ଚୟ ଭଲ ପରିଣାମ ଆସିବ। କିନ୍ତୁ ଏକ ମହତ୍ଵପୂର୍ଣ୍ଣ କଥା ମୁଁ କହୁଛି, ସପ୍ତମ ବେତନ କମିଶନ କହିଛନ୍ତି ଯେ ଷଷ୍ଠ ବେତନ କମିଶନରେ ଯେଉଁ ବେତନ ମିଳୁଥିଲା ସପ୍ତମ ବେତନ କମିଶନରେ ତାଠାରୁ 2.57 ଗୁଣ ବଢାଇ ଦିଆଯାଉ। ଭାରତ ସରକାର ଏହା କରି ପାରିଥାନ୍ତେ, କାରଣ ସପ୍ତମ ବେତନ କମିଶନ ଏହା କହିଥିଲେ। କିନ୍ତୁ ଆମେ ଏହା କଲୁ ନାହିଁ। ଆମେ କହିଲୁ ଷଷ୍ଠ ବେତନ କମିଶନକୁ ଆଧାର କରି ଯଦି ଆମେ ଫୌଜି ଲୋକଙ୍କୁ ଦେବୁ, ସେବା ନିବୃତ ଲୋକଙ୍କୁ ପେନ୍ସନ ଦେବୁ ତ ସେମାନଙ୍କୁ ବହୁତ କମ୍ ଲାଭ ହେବ। ଆମେ କହିଲୁ କି ନିର୍ଣ୍ଣୟ ଆମେ କରିଛୁ ଯେ OROP ମିଳିବା ପରେ ଯାହା ତାଙ୍କ ପାରଶ୍ରମିକ ହେବ ସେହି ଆଧାରରେ ସପ୍ତମ ବେତନ କମିଶନ ଗଣା ଯିବ, ଯଦି ସେମାନଙ୍କୁ ଦୁଇ ଗୁଣ ଲାଭ ମିଳୁଛି ମିଳୁ, କିନ୍ତୁ ମୋ ଦେଶର ଯବାନମାନଙ୍କ ପାଇଁ ଏହା ଜରୁରୀ, ତେଣୁ ଆମେ ତାହା ହିଁ କଲୁ।
ମୁଁ ଥରେ, ମୋର ଏକ ପ୍ରଗତି କାର୍ଯ୍ୟକ୍ରମ ଚାଲୁଛି। ଯେଉଁଥିରେ ମୁଁ ଭିଡିଓ କନଫେରେନ୍ସ ରେ ସବୁ ବିଭାଗ ସବୁ ରାଜ୍ୟ ସହିତ ସମସ୍ୟାର ସମାଧାନ କରୁଛି। ମୁଁ ଜାଣିବାକୁ ପାଇଲି କି ସେବାନିବୃତ ଫୌଜିମାନଙ୍କର ଅଭିଯୋଗର ଅବସ୍ଥା କିଭଳି ଅଛି। ଏବଂ ମୁଁ ଆଶ୍ଚର୍ଯ୍ୟ ହେଲି ଯେ, ବହୁତ ଗୁଡିଏ ଅଭିଯୋଗ ପଡି ରହିଛି। ଆମେ ବୈଷୟିକ ଜ୍ଞାନର ବ୍ୟବହାର କଲୁ, ଏବଂ ଦ୍ରୁତ ଗତିରେ ଆମ ସେବାନିବୃତ ଫୌଜିମାନଙ୍କର ଯେଉଁ ଅଭିଯୋଗ ଅଛି, ତା’ର ସମାଧାନ କରିବା ପାଇଁ ଆଉ ଏକ ବଡ ସଫଳତା, ଦ୍ରୁତ ଗତିରେ ସଫଳତା ମିଳୁଛି। ଆମେ ଆଉ ଏକ କାମ କରିଛୁ। ଆମେ ଜାଣିଛୁ ନାଗରିକ ସମାଜକୁ ଏହା ଧ୍ୟାନ ରହେ ନାହିଁ। ନାଗରିକ ସମାଜ ଭାବନ୍ତି ଯେ, କି ଭାଇ ଜୀବନରେ ଯାହା କିଛି କରିବାର କଥା କରି ଦିଅ,ପରେ କ’ଣ କରିପାରିବ। ତାଙ୍କ ମୁଣ୍ଡରେ ଜୀବନର ଏକ ଅଲଗା ଖିଆଲ ରହିଛି। ଏବଂ 35-40 ବର୍ଷ ହେଲା ପରେ ଭାବନ୍ତି କି ଏବେ ବହୁତ କିଛି କରିଦେଲୁ, ଏବେ ଠିକ୍ ଆରାମରେ ଜୀବନ ବିତେଇବା। ଫୌଜ ପାଇଁ କିନ୍ତୁ ଏହା ଓଲଟା ହୁଏ, ଯେଉଁ ଜୀବନ ଓ ବୟସକୁ ଆମେ ମଜା କରିବାର ସମୟ ଭାବୁଛୁ, କିଛି କରି ଯିବାର ସମୟ ହୋଇଥାଏ, ସେହି ସମୟରେ ମୋ ଦେଶର ଯବାନ ସୀମାରେ ବିତାଇ ଦେଇଥାଏ। ସୁଖ-ବୈଭବ, ଅୟସ-ଆରାମ, ମଜା, ସ୍ଵପ୍ନ, ଅଶା ସବୁକୁ ଭାରତ ମାତା ପାଇଁ, ମାଟି ପାଇଁ ସମର୍ପଣ କରି ନିଜ ଜୀବନ ଲଗାଇ ଦେଇଥାଏ। ଏବଂ 15-17 ବର୍ଷର ଚାକିର ପରେ ଯେବେ ଘରକୁ ଆସିଥାଏ 40,42,35 ବର୍ଷ ବୟସର ହୋଇଥାଏ, ଆମେ ସେ ସମୟରେ ବହୁତ କିଛି କରି ସାରି ଆରାମରେ ଜୀଇଁବା ପାଇଁ ଭାବୁଥାଉ। ସେମାନେ ଆସି ଭାବୁଥାନ୍ତି ନୂଆ ଜୀବନ କିପରି ଆରମ୍ଭ କରିବୁ।

ଆଜି ଆମେ ପ୍ରତି ବର୍ଷ ସେବାନିବୃତ ଫୌଜିମାନଙ୍କ ମଧ୍ୟରୁ 50 ହଜାର ଲୋକଙ୍କୁ ତତ୍କାଳ ରୋଜଗାରର ପ୍ରବନ୍ଧନ କରୁଛୁ। ଏବେ ସୁଦ୍ଧା ଏକ ବଡ ମହତ୍ଵପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ଭାରତ ସରକାର। ଫୌଜରୁ ଯିଏ ଅବସର ନେବାକୁ ସ୍ଥିର କରି ନେଇଛନ୍ତି କି ଏବେ ତାଙ୍କୁ ଆଉ ରହିବାର ନାହିଁ ଯିବାର ଅଛି, ଏକ ନିର୍ଦ୍ଦିଷ୍ଟ ବୟସ ପରେ ତାଙ୍କୁ ଯିବାକୁ ଦିଆଯାଉଛି। ତେଣୁ ଶେଷ ବର୍ଷରେ ସରକାରଙ୍କ ପକ୍ଷରୁ ତାଙ୍କର ଦକ୍ଷତା ବିକାଶ ପାଇଁ ସାର୍ଟିଫିକେଟ୍ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ଭାରତ ସରକାରଙ୍କର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଏବଂ ଆମ ସେନାର ତିନି ଅଙ୍ଗ, ତାଙ୍କ ସହିତ ବୁଝାମଣା ପତ୍ର କରିଛନ୍ତି। ଦକ୍ଷତା ବିକାଶ ପରେ ତାଙ୍କୁ ସାର୍ଟିଫିକେଟ୍ ଦିଆ ଯାଇଥାଏ। ଏବେ ଫୌଜର ଲୋକ ଫୌଜ ଭିତରେ ତାଲିମ ତ ପାଇଥାନ୍ତି, ସେଠାରେ ମଧ୍ୟ ଯୋଗାଯୋଗ ବିଶେଷଜ୍ଞ ରହିଥାନ୍ତି, ସେଠାରେ ମଧ୍ୟ ବୈଷୟିକ ବିଶେଷଜ୍ଞ ଥାଆନ୍ତି। ସେଠାରେ ମଧ୍ୟ ଦକ୍ଷ ଡ୍ରାଇଭର ଥାଆନ୍ତି, କିନ୍ତୁ ଯେତେବେଳେ ସେମାନେ ବାହାରକୁ ଆସନ୍ତି ଲୋକ ତାଙ୍କୁ କହିଥାନ୍ତି କି ତୁମ ପାଖରେ କୌଣସି ସାର୍ଟିଫିକେଟ୍ ଅଛି କି ? ତେଣୁ କାମ ମିଳିବ ନାହିଁ।

ପ୍ରଥମ ଥର ପାଇଁ ଭାରତ ସରକାର ଫୌଜରୁ ନିବୃତ ହେଉଥିବା ଲୋକଙ୍କ ପାଖରେ ଥିବା ଦକ୍ଷତା ପାଇଁ ସ୍ଵତନ୍ତ୍ର ତାଲିମ ଶେଷ ବର୍ଷରେ ଦେବା, ସାର୍ଟିଫିକେଟ ଦେବା, ଯେଉଁଠି ଯେଭଳି ମାର୍କେଟ ଅଛି ସେଠାରେ ତାଙ୍କୁ ଏକ ରୋଜଗାର ମିଳୁ, କାରଣ ଆସିବା ପରେ ତାଙ୍କ ଜୀବନ କୋଉଠି ନା କୋଉଠି ଚୌକିଦାର ଭାବେ ବିତୁଥିଲା। ଏବେ ସେ ଏକ ପ୍ରଶିକ୍ଷକ ଭାବେ କାମ କରିବେ, ଦକ୍ଷତା ବିକାଶକାରୀ ଭାବେ କାମ କରିବେ, ଦେଶର ଯୁବ ପିଢୀକୁ ଦକ୍ଷ କରିବାରେ କାମ କରିବେ। ଏହା ଏକ ବଡ ନିଷ୍ପତ୍ତି ଯାହା ଏହି ସରକାର ନେଇଛନ୍ତି।

ପ୍ରାୟତଃ ବହୁତ ନାଗରିକମାନଙ୍କୁ ଜମ୍ ଜଣା ଅଛି। ସରକାରଙ୍କ ପାଖରେ ଗୋଟିଏ ରକ୍ଷାମନ୍ତ୍ରୀ ନିଜସ୍ଵ ରାଶି ଅଛି, ଯେଉଁ ନିବୃତ ଫୌଜି ଅଛନ୍ତି ସେମାନଙ୍କ ପରିବାରରେ କିଛି ଅସୁବିଧା ହେଲେ, ଆବଶ୍ୟକତା ପଡିଲେ, ପିଲାଙ୍କ ପାଠ ପଢା ହେଉ, କିଛି ଜରୁରୀ ଆବଶ୍ୟକତା, ଝିଅ ବିଭାଘର, ଏହି ସବୁ କାର୍ଯ୍ୟ ପାଇଁ ସହାୟତା କରିଥାଏ। ପ୍ରଥମେ ଅତି କମ ରେ ଏହି ଲାଭ 10 ରୁ 12 ହଜାର ଲୋକଙ୍କୁ ବର୍ଷକୁ ମିଳୁଥିଲା। ଇଏ ଆମ ରକ୍ଷା ମନ୍ତ୍ରୀ ଯିଏ ଅଧିକ ସକ୍ରିୟ । ଏବେ ପ୍ରତି ବର୍ଷ 50 ହଜାର ପରିବାରକୁ କିଛି ନା କିଛି ସହାୟତା ଏହି ବ୍ୟବସ୍ଥାରୁ ଦିଆଯାଉଛି। ପ୍ରଥମେ ଫୌଜରୁ ନିବୃତ ହେଉଥିବା ଅନେକ ପିଲାଙ୍କୁ ଭତ୍ତା ଦିଆଯାଉଥିଲା ଯାହା ପ୍ରାୟ ଶିକ୍ଷାବର୍ଷ ଶେଷ ହେଲା ପରେ ପହଞ୍ଚୁଥିଲା। ଏବେ ଏହାକୁ ବୈଷୟିକ ଜ୍ଞାନ ସହିତ ଯୋଡି ଦିଆ ଯାଇଛି, ଫଳରେ ତାଙ୍କୁ ପ୍ରଥମ ବର୍ଷରେ ହିଁ ଭତ୍ତା ମିଳି ପାରିବ, ଯାହା ମାଧ୍ୟମରେ ଏହି ବ୍ୟବସ୍ଥା ଚାଲୁ ରହିବ। ପ୍ରଥମେ ଭତ୍ତା ବାବଦରେ 4,000 ଟଙ୍କା ମିଳୁଥିଲା, ଏହି ସରକାର ଆସି ଫୌଜିଙ୍କ ସନ୍ତାନଙ୍କ ପାଇଁ ଚାରି ହଜାରକୁ ବଢାଇ 5500 ଟଙ୍କା କରିଦେଇଛନ୍ତି, ଫଳରେ ତାଙ୍କୁ ଏହାର ଲାଭ ମିଳି ପାରିବ। ହାବିଲଦାର ପର୍ଯ୍ୟନ୍ତ ଯେଉଁ ଫୌଜି ଅଛନ୍ତି, ଯେଉଁମାନେ ନିବୃତ ହେଉଛନ୍ତି ଏବଂ ସେନାରେ 80-90 ପ୍ରତିଶତ ଲୋକ ଏହିମାନେ ଅଛନ୍ତି। ବାକି 10 ପ୍ରତିଶତରେ ଅନ୍ୟ ସମସ୍ତେ ଆସି ଯାଇଥାନ୍ତି। ହାବିଲଦାର ପର୍ଯ୍ୟନ୍ତ ଯେଉଁ ଲୋକ ଅବସର ନିଅନ୍ତି, ଯଦି ଝିଅ ବାହାଘର ହେଉଥାଏ, ତେବେ ପ୍ରଥମେ ସରକାର 16000 ଟଙ୍କା ଦେଉଥିଲେ। ଆମ ରକ୍ଷା ମନ୍ତ୍ରୀଙ୍କ ଏହା ଉଦାରତା ଯେ, ଏବେ ଏହି ରାଶି 50,000ଟଙ୍କା କରି ଦିଆ ଯାଇଛି। ଆମର ଏଠି ଫୌଜରେ ଯେଉଁ ଦିବ୍ୟାଙ୍ଗ ଲୋକ ଅଛନ୍ତି, ଲଢାଇ ସମୟରେ ଆଘାତ ପାଇଥାନ୍ତି, ଆହତ ହେଉଛନ୍ତି, ଫୌଜି ଲୋକମାନଙ୍କୁ ଚିନ୍ତା ଥାଏ ସାର୍ଟିଫିକେଟ୍ ନେବା ସମୟରେ କେତେ ପ୍ରତିଶତ ଅକ୍ଷମତା ଅଛି। ବହୁତ ବଡ ଜଟିଳ କାମ ଥିଲା ଏବଂ ସେ ସବୁକୁ ବହୁତ କଷ୍ଟରେ ପାର କରୁଥିଲା। କିଏ କହୁଥିଲା ନାହିଁ 20 ପ୍ରତିଶତ, କିଏ କହୁଥିଲା ନାହିଁ 25 ପ୍ରତିଶତ, କିଏ କହୁଥିଲା ନାହିଁ 30 ପ୍ରତିଶତ, କେବେ ଅଧିକ ହେଉଥିଲା ତ କିଏ 45, 50, 55 ଏବଂ ସେହି ଆଧାରରେ ତାଙ୍କ ଆର୍ଥିକ ସହାୟତାର ମାନଦଣ୍ଡ ରହୁଥିଲା। ଏହି ସମସ୍ୟା ଭିତରେ ଫୌଜିମାନଙ୍କୁ ବହୁ କଷ୍ଟ ହେଉଥିଲା। କିଛି ଫୌଜି ମୋତେ ସାକ୍ଷାତ କରିଥିଲେ, ଏହି କଥାକୁ ମୋ ଧ୍ୟାନକୁ ଆଣିଥିଲେ। ଏବେ ଆମେ ଏକ ବୋର୍ଡ Broad Branding ବ୍ୟବସ୍ଥା ପ୍ରସ୍ତୁତ କରିଛୁ। ଯାହା ଦ୍ଵାରା 50ରୁ କମ୍, 75 ଏବଂ 50 ମଧ୍ୟରେ ଏବଂ 75ରୁ ଅଧିକ ଆଦି ତିନି ପର୍ଯ୍ୟାୟରେ ସମସ୍ତଙ୍କୁ ସାମିଲ କରି ଦେଇଛୁ, ଫଳରେ ଏବେ ଫୌଜିମାନଙ୍କୁ ଏହି ସମସ୍ୟା ମଧ୍ୟ ଦେଇ ଯିବାକୁ ପଡିବ ନାହିଁ ଏବଂ ଏହି କାମ ସହଜରେ ହୋଇ ପାରିବ।

ଖାଲି ଏତିକି ନୁହେଁ ଆମ ଫୌଜର ଜବାନମାନେ ସେବାନିବୃତ ହେବା ପରେ ଡାକ୍ତରୀ ସହାୟତା ପାଇଁ ଆମେ ପାଖାପଖି 472ନୂଆ ଡ଼ାକ୍ତରଖାନାର ସୂଚୀ ପ୍ରସ୍ତୁତ କରିଛୁ ଯେଉଁଠି ଫୌଜିମାନଙ୍କୁ ବିନା ଅର୍ଥରେ ଚିକିତ୍ସା ଦିଆ ଯାଉଛି। ଆମ ମଧ୍ୟପ୍ରଦେଶରେ 64ଟି ଡ଼ାକ୍ତରଖାନା ଫୌଜିଙ୍କ ପାଇଁ ଏହି ସୂଚୀରେ ସାମିଲ କରିଛୁ। ଗୋଟିଏ ପରେ ଗୋଟିଏ ଏହିପରି ଅନେକ କାର୍ଯ୍ୟ ଫୌଜିମାନଙ୍କ ପାଇଁ, ଆମ ଯବାନ ମାନଙ୍କ ପାଇଁ ଏକ ସମ୍ବେଦନଶୀଳ ସରକାର, ଭାରତର ମାନ ମର୍ଯ୍ୟଦା ଆମର ଏଇ ଯବାନ, ତାଙ୍କ ପ୍ରତି ପ୍ରାଥମିକତା ଦେଇ ଆମେ ଦେଶ ଭିତରେ ଯୋଜନା ପ୍ରସ୍ତୁତ କରୁଛୁ। ଆମର ପ୍ରୟାସ ଜାରି ରହିଛି ରକ୍ଷା କ୍ଷେତ୍ରରେ ଭାରତ କିଭଳି ଆତ୍ମ ନିର୍ଭରଶୀଳ ହୋଇପାରିବ ? ଅସ୍ତ୍ର ଶସ୍ତ୍ର କିପରି ଆମ ଦେଶରେ ଉତ୍ପାଦନ ହୋଇ ପାରିବ? ଆମ ଦେଶର ଯୁବକ ମାନଙ୍କ ପାଖରେ ସାମର୍ଥ୍ୟ ଅଛି, ପ୍ରତିଭା ଅଛି, ସାହସ ମଧ୍ୟ ଅଛି। ବିଗତ ଦୁଇ ବର୍ଷ ହେବ ମୁଁ ଲଗାତର ଦିଗରେ ପ୍ରୟାସ କରୁଛି ଏମଂ ମତେ ବିଶ୍ଵାସ ଅଛି କି ସେହି ଦିନ ନିଶ୍ଚୟ ଆସିବ ଯେତେବେଳେ ହିନ୍ଦୁସ୍ତାନ ନିଜ ଆବଶ୍ୟକତା ଅନୁସାରେ ଅସ୍ତ୍ର ଶସ୍ତ୍ର ଏଠାରେ ତିଆରି କରିବ, କିନ୍ତୁ ଦୁନିଆକୁ ମଧ୍ୟ ବିକ୍ରି କରିବା ଭଳି କ୍ଷମତା ହେବ, ଏହି କ୍ଷମତା ଏହି ଦେଶରେ ଅଛି। ଏବଂ ଆମେ ସବୁ ଏହି ଦିଗରେ ମଧ୍ୟ କାମ କରୁଛୁ।

ମୋର ପ୍ରିୟ ଭାଇ ଓ ଭଉଣୀମାନେ ମୁଁ ପୁଣି ଥରେ ବୀର ସହିଦମାନଙ୍କୁ ପ୍ରଣାମ କରୁଛି। ମୁଁ ସେହି ମା’ମାନଙ୍କୁ ପ୍ରଣାମ କରୁଛି ଯେଉଁ ମା ମାନେ ଏପରି ବୀରଯାଦ୍ଧା ମାନଙ୍କୁ ଜନ୍ମ ଦେଇଛନ୍ତି। ମୁଁ ସେହି ଭଉଣୀମାନଙ୍କୁ ପ୍ରଣାମ କରୁଛି ଯେଉଁମାନେ ଯଦି ସେମାନଙ୍କ ସ୍ଵାମୀଙ୍କୁ ହରାଇଛନ୍ତି, ଯିଏ ଯଦି ତାଙ୍କ ଭାଇଙ୍କୁ ହରାଇଛନ୍ତି ଏବଂ ଏହାପରେ ମଧ୍ୟ ମା’ ଭାରତୀର ସେବା କରିବା ପାଇଁ ସଂକଳ୍ପ କରି ଜୀଇଁଥିବା ଏହି ପରିବାରକୁ ମଧ୍ୟ ଆଜି ପ୍ରଣିପାତ କରୁଛି।
ଭାଇ ଓ ଭଉଣୀମାନେ, ଦୁନିଆରେ, ଦୁନିଆରେ କେତେକ ଦେଶରେ ପରମ୍ପରା ଅଛି, ଏବେ ସେହି ପରମ୍ପରା ଆମ ଦେଶରେ ପ୍ରଚଳିତ ହେଉ ନାହିଁ। କିନ୍ତୁ ଏହି ପ୍ରଚଳନକୁ ଏହିଭଳି ଭାବେ ଆମେ କରିପାରିବା। ଆପଣମାନେ ଦେଖିଥିବେ ଦୁନିଆର କୋଉ ଦେଶର ନାମ ନିଅନ୍ତୁ ଆପଣ ବିମାନ ବନ୍ଦରରେ ବସିଛନ୍ତି, ଶହ ଶହ ଆଗନ୍ତୁକ ବସିଛନ୍ତି ବିମାନ ବନ୍ଦରରେ। ଆଉ ଯଦି ଫୌଜର ଦୁଇ ଚାରି ଜଣ ଯବାନ ୟନିଫର୍ମରେ ସେଇ ବାଟ ଦେଇ ବାହାରି ଯାଆନ୍ତି, ତ ବିମାନ ବନ୍ଦରରେ ବସିଥିବା ସବୁ ନାଗରିକ ଠିଆ ହୋଇ ଯାଆନ୍ତି। ତାଳିମାରି ତାଙ୍କୁ ଅଭିନନ୍ଦନ ଜଣାନ୍ତି ଆଉ ସେମାନେ ନିଜ ରାସ୍ତାରେ ଚାଲୁଥାନ୍ତି। ନିଜେ ଯେଉଁ ବିମାନରେ ଯିବା କଥା ଚାଲିଯାଆନ୍ତି। ରେଳବାଇରେ କେବେ ଦେଖିବାକୁ ମିଳେ, କି ସେ ଦେଶର ନାଗରିକ ତାଙ୍କୁ ଦେଖିବା ମାତ୍ରେ ଠିଆ ହେଉଛନ୍ତି, ତାଳି ମାରୁଛନ୍ତି, ତାଙ୍କର ଗୌରବଗାନ କରୁଛନ୍ତି। କ’ଣ ଆମେ ଆମ ଦେଶରେ, ଆମେ ଆମ ଦେଶରେ ଧୀରେ ଧୀରେ ଏହି ସ୍ଵଭାବ ଆପଣେଇ ପାରିବା କି? ମୋ ଫୌଜର ଲୋକ କୁଆଡେ ମଧ୍ୟ ଯଆନ୍ତୁ, ସବୁ ସମୟରେ ଯୁଦ୍ଧ ସମୟ ଭାବି ତାଙ୍କୁ ମନେ ପକାଇବା ଠିକ୍ ନୁହେଁ। 24 ଘଣ୍ଟା ତାଙ୍କ ପ୍ରତି ଆମ ମନରେ ଆଦର ଭାବ ରହିବା ଦରକାର, ତାଙ୍କ ପ୍ରତି ଭକ୍ତି ଭାବ ରହିବା ଦରକାର। ଆପଣମାନେ କେବେ ବି ଏଇ ଭଳି ଫୌଜିମାନଙ୍କର ଯିବା ଆସିବା ଦେଖିବେ ତ ତାଳି ମାଡ କରି ତାଙ୍କୁ ସମ୍ମାନ କରିବେ? ଭୁଲି ଯିବେ ନାହିଁ ତ? ଜିନିଷ ଛୋଟ ହୋଇଥାଉ, କିନ୍ତୁ ସାମାନ୍ୟ ଜୀବନରେ ବିଶେଷ କରି ଫୌଜିର ଜୀବନରେ ଏହାର ବହୁତ ବଡ ପ୍ରଭାବ ପଡିଥାଏ। ମୋର ବିଶ୍ଵାସ ଅଛି କି ସୌର୍ଯ୍ୟ ସ୍ମାରକ ଭଳି ବ୍ୟବସ୍ଥା ମାଧ୍ୟମରେ ଆମେ ଆମ ଦେଶର ନାଗରିକମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇ ପାରିବା। ଇଏ ଯେ ଖାଲି ଯବାନମାନଙ୍କ ସମ୍ମାନ ତା ନୁହେଁ, ବରଂ ଆମ ଆଗମୀ ପିଢୀଙ୍କୁ ସଂସ୍କାର ଶିଖାଇବାର ଏକ ମୁକ୍ତ ବିଦ୍ୟାଳୟ। ଏହା ମୁକ୍ତ ବିଶ୍ଵବିଦ୍ୟାଳୟ ମଧ୍ୟ, ସେହି ରୂପରେ ଏହାର ଉପେଯାଗ ହେଉ। ମୁଁ ପୁଣି ଥରେ ଆପଣମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି, ମଧ୍ୟପ୍ରଦେଶ ସରକାରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି।

ମୋ ସହିତ ପୁରା ଶକ୍ତି ଦେଇ ଦୁଇ ମୁଠା ବନ୍ଦ କରି କୁହନ୍ତୁ:-

ସହିଦମାନେ ଅମର ରହନ୍ତୁ।

ପାଟି ଦୂର ଦୂର ପର୍ଯ୍ୟନ୍ତ ଶୁଭିବା ଦରକାର।

ସହିଦମାନେ ଅମର ରହନ୍ତୁ।

ସହିଦମାନେ ଅମର ରହନ୍ତୁ।

ସହିଦମାନେ ଅମର ରହନ୍ତୁ।

ବହୁତ-ବହୁତ ଧନ୍ୟବାଦ।