ପିଏମଇଣ୍ଡିଆ

ମହାମହୀମ ରାଷ୍ଟ୍ରପତି ପୁତିନ,
ବନ୍ଧୁଗଣ,
ନମସ୍କାର,
ଦୋବରେ ଭିସେର!
ସାରା ବିଶ୍ୱରେ ଯେଉଁଠାରେ ପ୍ରଥମେ ପ୍ରଭାତ ଆସେ, ଯେଉଁଠି ଆମ ରୁଷିୟ ବନ୍ଧୁମାନେ ନିରବଚ୍ଛିନ୍ନ ସଂଘର୍ଷ ବଳରେ ପ୍ରକୃତି ଉପରେ ବିଜୟ ଲାଭ କରି ସାରା ବିଶ୍ୱ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ଏବଂ ଯେଉଁଠାରେ ଏକବିଂଶ ଶତାଦ୍ଦୀର ପ୍ରତିକ୍ଷଣରେ ମାନବ ବିକାଶର ନୂତନ କାହାଣୀ ଲେଖାଯାଏ, ସେହିଭଳି ଏକ ସ୍ଥାନ ଭ୍ଲାଡିଭୋଷ୍ଟକକୁ ଆସି ମୁଁ ଅତ୍ୟନ୍ତ ଖୁସି । ଏହା କେବଳ ମୋର ଅତି ପ୍ରିୟ ବନ୍ଧୁ ରାଷ୍ଟ୍ରପତି ପୁତିନଙ୍କ ନିମନ୍ତ୍ରଣ ପାଇଁ ସମ୍ଭବ ହୋଇପାରିଛି । ସେଥିପାଇଁ ମୁଁ ବନ୍ଧୁ ରାଷ୍ଟ୍ରପତି ପୁତିନଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଛି । ଏହି ନିମନ୍ତ୍ରଣ ମତେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଭ୍ଲାଡିଭୋଷ୍ଟକ ଗସ୍ତ କରିବାର ସୁଯୋଗ ପ୍ରଦାନ କରିଛି । ସେଥିପାଇଁ ମୁଁ ବନ୍ଧୁ ରାଷ୍ଟ୍ରପତି ପୁତିନଙ୍କ ପ୍ରତି କୃତଜ୍ଞ ।
20ତମ ବାର୍ଷିକ ଭାରତ-ରୁଷ ସମିତିରେ ରାଷ୍ଟ୍ରପତି ପୁତିନ ଓ ମୁଁ ଯୋଗଦେବା ଏକ ସୁଖଦ ଐତିହାସିକ ସଂଯୋଗ । 2001ରେ ଯେତେବେଳେ ପ୍ରଥମ ଥର ଲାଗି ରୁଷିଆରେ ଭାରତ-ରୁଷ ସମିତି ହୋଇଥିଲା, ମୋ ବନ୍ଧୁ ପୁତିନ ରୁଷିଆର ରାଷ୍ଟ୍ରପତି ଥିଲେ ଏବଂ ମୁଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ସହ ଆସିଥିବା ଭାରତୀୟ ପ୍ରତିନିଧିମଣ୍ଡଳୀର ସଦସ୍ୟ ଥିଲି । ମୁଁ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ରାଷ୍ଟ୍ରପତି ପୁତିନ ଓ ମୋର ରାଜନୈତିକ ଯାତ୍ରା କାଳରେ, ଉଭୟ ଦେଶ ମଧ୍ୟରେ ବନ୍ଧୁତା ଓ ସହଯୋଗ ଦୃତ ଗତିରେ ବୃଦ୍ଧି ପାଇଛି ଏବଂ ଚରମ ସୀମାରେ ଉପନୀତ ହୋଇଛି । ଏହି ସମୟ ମଧ୍ୟରେ ଆମ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀତା କେବଳ ଆମ ଦୁଇ ଦେଶ ପାଇଁ ଫଳପ୍ରଦ ହୋଇଛି ତା ନୁହେଁ ବରଂ ଜନସାଧାରଣଙ୍କୁ ଏହାର ସିଧାସଳଖ ଲାଭ ଓ ବିକାଶ ସହିତ ଯୋଡିବାରେ ଆମେ ସଫଳ ହୋଇଛୁ । ରାଷ୍ଟ୍ରପତି ପୁତିନ ଓ ମୁଁ ଏହି ସମ୍ପର୍କକୁ ବିଶ୍ୱାସ ଓ ଭାଗିଦାରୀତା ଆଧାରରେ ସହଯୋଗର ଏକ ନୂତନ ଶିଖରକୁ ନେଇଯାଇଛୁ । ଏହାର ସଫଳତା ଉଭୟ ସଂଖ୍ୟାତ୍ମକ ଓ ଗୁଣାତ୍ମକ ପ୍ରରିବର୍ତ୍ତନ ଆଣିଛି । ପ୍ରଥମେ ଆମେ ଜନ ଭାଗିଦାରୀତାରେ ବେସରକାରୀ ଉଦ୍ୟୋଗଗୁଡିକୁ ସୁଦୃଢ଼ କରିଛୁ । ବର୍ତ୍ତମାନ ଆମେ ବହୁ ବାଣିଜ୍ୟିକ ବୁଝାମଣା ସ୍ୱାକ୍ଷର କରିଛୁ । ଯୁଗ୍ମ ସହଭାଗୀତାରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ ଲାଗି ଆଜିର ବୁଝାମଣା ସହାୟକ ହେବ ଏବଂ ଏହା ଉଭୟ ଦେଶର ଉଦ୍ୟୋଗକୁ ପ୍ରୋତ୍ସାହିତ କରିବ ।
ଏହି ବୁଝାମଣା ଏବଂ ଯୁଗ୍ମ ସହଭାଗୀତାରେ ସମ୍ପନ୍ନ ପୂର୍ବର ଏକେ-203 ପ୍ରକଳ୍ପ ଆମ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବ । ରୁଷ ସହଯୋଗରେ ଭାରତରେ ପ୍ରତିଷ୍ଠା ହୋଇଥିବା ଆଣବିକ ପ୍ଳାଣ୍ଟଗୁଡିକ ଏହି କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସହଭାଗୀତାକୁ ବୃଦ୍ଧି କରିବ । ଦ୍ୱିତୀୟରେ, ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଭାରତର ରାଜଧାନୀଠାରୁ ରାଜ୍ୟ ପର୍ଯ୍ୟନ୍ତ ଏବଂ ରୁଷର ବିଭିନ୍ନ ଅଂଚଳକୁ ସମ୍ପ୍ରସାରିତ କରିଛୁ । ଏହା କଷ୍ଟସାଧ୍ୟ ନୁହେଁ କାରଣ, ମୁଁ ଦୀର୍ଘ ଦିନ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛି ଏବଂ ରାଷ୍ଟ୍ରପତି ପୁତିନ ମଧ୍ୟ ରୁଷର ବିଭିନ୍ନ ଅଂଚଳର ଆବଶ୍ୟକତା ଓ ଦକ୍ଷତା ସମ୍ପର୍କରେ ଅଭିଜ୍ଞ । ତେଣୁ, ଏହା ବାସ୍ତବିକ ଯେ, ସେ ଇଷ୍ଟର୍ଣ୍ଣ ଇକୋନମିକ ଫୋରମ ଭଳି ମଞ୍ଚର ଆରମ୍ଭ କରିଛନ୍ତି ଏବଂ ଏହି ମଞ୍ଚରେ ଭାରତ ଭଳି ବିବିଧତାରେ ପୂର୍ଣ୍ଣ ଏକ ଦେଶର ଯୋଗଦାନର ଗୁରୁତ୍ୱକୁ ବୁଝିଛନ୍ତି । ଆପଣ ଏହାକୁ ଯେତେ ବି ପ୍ରଶଂସା କଲେ ଏହା କମ ହେବ ।
ତାଙ୍କ ନିମନ୍ତ୍ରଣ ପାଇବା ପରେ ଆମେ ତୁରନ୍ତ ଗୁରୁତ୍ୱର ସହିତ ପ୍ରସ୍ତୁତି ଆରମ୍ଭ କରିଦେଇଥିଲୁ । ଏଥିପାଇଁ ଭାରତର ବାଣିଜ୍ୟ ମନ୍ତ୍ରୀ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ 150ରୁ ଉର୍ଦ୍ଧ୍ଵ ଶିଳ୍ପପତି ଭ୍ଲାଡିଭୋଷ୍ଟକ ଆସିଥିଲେ । ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳୀ ଓ ସୁଦୂର ପୂର୍ବାଂଚଳର 11 ରାଜ୍ୟପାଳଙ୍କ ସହ ସାକ୍ଷାତକାର ଫଳପ୍ରଦ ସାବ୍ୟସ୍ତ ହୋଇଛି । ବିଭିନ୍ନ ରାଜ୍ୟ ଓ ଅଂଚଳ ସହିତ ସମ୍ପର୍କ ସ୍ଥାପନ କରିବାର ଏକ ନୂତନ ଢ଼ାଂଚା ପ୍ରସ୍ତୁତ ହୋଇଛି । କୋଇଲା, ହୀରା, ବିରଳ ଖଣିଜ ପଦାର୍ଥ, କୃଷି, ବାଉଁଶ, କାଠ ମଣ୍ଡ ଓ କାଗଜ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବହୁ ନୂତନ ସମ୍ଭାବନା ସୃଷ୍ଟି ହୋଇଛି । ବର୍ତ୍ତମାନ ଚେନ୍ନାଇ ଓ ଭ୍ଲାଡିଭୋଷ୍ଟକ ମଧ୍ୟରେ ଏକ ନୂତନ ସାମୁଦ୍ରିକ ପଥ ସ୍ଥାପନା ଉଭୟ କ୍ଷେତ୍ର ମଧ୍ୟରେ ଯୋଗାଯୋଗକୁ ସୁଗମ କରିବ । ତୃତୀୟରେ, ଆମେ ଆମ ଦ୍ୱିପାକ୍ଷିକ ସହଯୋଗକୁ ବିବିଧ କରିଛୁ ଏବଂ ଏଥିରେ ଅନେକ ନୂତନ ଦିଗକୁ ସଂଯୁକ୍ତ କରିଛୁ । ସମ୍ପ୍ରତି କେବଳ ତୈଳ ଓ ଗ୍ୟାସ ନୁହେଁ ବରଂ ଉଭୟ ଦେଶର ହାଇଡ୍ରୋକାର୍ବନ କ୍ଷେତ୍ରରେ ବିନିଯୋଗ ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି । ଏହି କ୍ଷେତ୍ରରେ ଏବଂ ସୁଦୂର ପୂର୍ବାଂଚଳ ଓ ମେରୁ ଅଂଚଳରେ ହାଇଡ୍ରୋକାର୍ବନ ତଥା ଏଲଏନଜିର ସନ୍ଧାନ ପାଇଁ ସହଯୋଗ ବୃଦ୍ଧି କରିବା ପାଇଁ ଏକ ପଞ୍ଚ ବାର୍ଷିକୀ ଯୋଜନା ପ୍ରସ୍ତୁତ କରିବା ଲାଗି ବୁଝାମଣା ହୋଇଛି । ମହାକାଶ କ୍ଷେତ୍ରରେ ଆମର ଦୀର୍ଘ ଦିନର ସହଯୋଗ ନୂତନ ଶିଖରରେ ପହଂଚିଛି । ଭାରତୀୟ ମହାକାଶଚାରୀ ରୁଷରେ ଗଗନ ଯାନ ପାଇଁ ତାଲିମ ନେବେ । ପାରସ୍ପରିକ ବିନିଯୋଗକୁ ବୃଦ୍ଧି କରିବା ପାଇଁ ଆମେ ଏକ ବିନିଯୋଗ ସୁରକ୍ଷା ରାଜିନାମା ପ୍ରସ୍ତୁତ କରିବା ପାଇଁ ଏକମତ ହୋଇଛୁ । ଭାରତର ‘ରୁଷ ପ୍ଲସ ଡେସ୍କ’ ଏବଂ ରୁଷର ମୁମ୍ବାଇସ୍ଥିତ ‘ଫାର ଇଷ୍ଟ ଇନଭେଷ୍ଟମେଂଟ ଏଣ୍ଡ ଏକ୍ସପୋର୍ଟ ଏଜେନ୍ସୀ’ ଉଭୟ ଦେଶରେ ବିନିଯୋଗକୁ ସୁଗମ କରିବ ।
ବନ୍ଧୁଗଣ,
ଆମର ରଣନୈତିକ ଭାଗିଦାରୀତାରେ ନୂଆ ଅଧ୍ୟାୟ ମଧ୍ୟ ଯୋଡିହେଉଛି । ତିନି ସେନାର ମିଳିତ ଅଭିଯାନ ‘ଇନ୍ଦ୍ର – 2019’ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିଷ୍ଣୁ ବିଶ୍ୱାସ ଓ ଆସ୍ଥାକୁ ସୂଚାଉଛି । ଆବଶ୍ୟକତା ଅନୁଯାୟୀ ଭାରତ ଓ ରୁଷ କେବଳ ସାଧାରଣ ଯାଗାରେ ନୁହେଁ ବରଂ ସୁଦୂର ଆଣ୍ଟାର୍କାଟିକା ଓ ମେରୁ ଅଂଚଳରେ ମଧ୍ୟ ଏକାଠି କାର୍ଯ୍ୟ କରିବେ । ଉଭୟ ଦେଶ ସାମ୍ପ୍ରତିକ ପରିସ୍ଥିତିରେ ଶାନ୍ତି ଓ ସ୍ଥିରତା ନିମନ୍ତେ ଏକ ବହୁମୂଖୀ ବିଶ୍ୱର ଗୁରୁତ୍ୱକୁ ବୁଝନ୍ତି ଏବଂ ଏହାର ନିର୍ମାଣରେ ଆମ ସହଯୋଗ ଓ ଯୋଗାଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଆମେ ବ୍ରିକ୍ସ, ଏସସିଓ ଏବଂ ଅନ୍ୟ ବୈଶ୍ୱିକ ମଞ୍ଚରେ ସହଯୋଗ କରିଆସିଛୁ । ଆଜି ଆମ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଓ ଆଂଚଳିକ ବିଷୟରେ ଚର୍ଚ୍ଚା ହୋଇଛି । ଭାରତ ଏପରି ଏକ ଆଫଗାନିସ୍ତାନ ଦେଖିବାକୁ ଚାହେଁ ଯାହା ମୁକ୍ତ, ସୁରକ୍ଷିତ, ଅବିଭାଜିତ, ଶାନ୍ତ ଓ ଗଣତାନ୍ତ୍ରିକ ହୋଇଥିବ । ଆମେ ଉଭୟ କୌଣସି ରାଷ୍ଟ୍ରର ଆଭ୍ୟନ୍ତରିଣ ବ୍ୟାପାରରେ ବାହ୍ୟ ହସ୍ତକ୍ଷେପକୁ ବିରୋଧ କରୁଛୁ । ଏକ ମୁକ୍ତ, ଅବାଧ ଓ ସମାବେଶୀ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ନିମିତ ଭାରତର ନୀତି ସମ୍ପର୍କରେ ଆମ ଭିତରେ ଫଳପ୍ରଦ ଆଲୋଚନା ହୋଇଥିଲା । ଭାରତ ରୁଷ ମଧ୍ୟରେ ସାଇବର ସୁରକ୍ଷା, ଆତଙ୍କବାଦ, ପରିବେଶ ସୁରକ୍ଷା କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆମେ ଏକମତ । ଆଗାମୀ ବର୍ଷ ବ୍ୟାଘ୍ର ସୁରକ୍ଷା ନିମିତ ଏକ ଉଚ୍ଚସ୍ତରୀୟ ବ୍ୟାଘ୍ର ସୁରକ୍ଷା ମଞ୍ଚ ଗଠନ କରିବା ଦିଗରେ ଉଭୟ ଭାରତ ଓ ରୁଷ ସହମତ ହୋଇଛନ୍ତି ।
ମୁଁ ପୁନର୍ବାର ମୋର ବନ୍ଧୁ ରାଷ୍ଟ୍ରପତି ପୁତିନଙ୍କୁ ତାଙ୍କ ନିମନ୍ତ୍ରଣ ଏବଂ ସ୍ୱାଗତ ଅଭ୍ୟର୍ଥନା ପାଇଁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରୁଛି । ମୁଁ ଆସନ୍ତାକାଲି ଅନ୍ୟ ବିଶ୍ୱ ନେତୃମଣ୍ଡଳୀ ସହ ଇଷ୍ଟର୍ଣ୍ଣ ଇକୋନମିକ ଫୋରମରେ ଯୋଗ ଦେବା ପାଇଁ ଇଚ୍ଛୁକ । ମୁଁ ଆସନ୍ତା ବର୍ଷ ଭାରତରେ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ପୁତିନଙ୍କ ଭାରତ ଯାତ୍ରାକୁ ଅପେକ୍ଷା କରିବି । 2020ରେ ରୁଷ ଉଭୟ ଏସସିଓ ଏବଂ ବ୍ରିକ୍ସ ସମ୍ମିଳନୀରେ ଅଧ୍ୟକ୍ଷତା କରିବା । ମୁଁ ଆଶା କରୁଛି ଯେ, ଏହି ଉଭୟ ସଂଗଠନ ରାଷ୍ଟ୍ରପତି ପୁତିନଙ୍କ ନେତୃତ୍ୱରେ ସଫଳତାର ନୂତନ ଶିଖର ଛୁଇଁବ । ଏହି ଦୁଇ ସମ୍ମିଳନୀ ପାଇଁ ଭାରତ ଏବଂ ବ୍ୟକ୍ତିଗତ ଭାବେ ମୋର ପୂର୍ଣ୍ଣ ସହଯୋଗ ରହିବ ।
ବହୁତ ବହୁତ ଧନ୍ୟବାଦ ।
ସ୍ପାସିବା ବାଲଶୋଇ!
**********