Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମଡେଲ ଦୋକାନ ଏବଂ ପ୍ରତିଷ୍ଠାନ (ରୋଜଗାର ଏବଂ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ବିଲ 2016 ଉପରେ କେବିନେଟରେ ଆଲୋଚନା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ମଡେଲ ଦୋକାନ ଏବଂ ପ୍ରତିଷ୍ଠାନ (ରୋଜଗାର ଏବଂ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ବିଲ 2016 ଉପରେ ଆଲୋଚନା କରାଯାଇଛି । ଏହାପରେ ଏହି ବିଲକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପଠାଯାଇ ସେ ସମ୍ପର୍କରେ ମତାମତ ଆହ୍ୱାନ କରାଯିବ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଏହାର ବ୍ୟବସ୍ଥାଗୁଡିକୁ ସଂଶୋଧନ କରାଯିବା ପରେ ଏହାକୁ ଲାଗୁ କରାଯିବା ପାଇଁ ଚିନ୍ତା କରାଯିବ । ଏହାକୁ ଚୁଡାନ୍ତ ରୂପ ଦିଆଯିବା ପୂର୍ବରୁ ଇଣ୍ଟରନେଟ ମାଧ୍ୟମରେ ଜନସାଧାରଣଙ୍କଠାରୁ ବିସ୍ତୃତ ଭାବେ ମତାମତ ଲୋଡାଯିବା ସହ କର୍ମଚାରୀ, ଶ୍ରମିକ ପ୍ରତିନିଧି, ନିଯୁକ୍ତିଦାତା ସଂଘ, ମହାସଂଘ ଏବଂ ରାଜ୍ୟ ସରକାରମାନଙ୍କ ସହ ତ୍ରିପାକ୍ଷିକ ବିଚାର ଆଲୋଚନା କରାଯିବ ।

ମଡେଲ ଚିଠା ପ୍ରସ୍ତାବର ପ୍ରମୁଖ ବିଶେଷତ୍ୱଗୁଡିକ ହେଲା :-

 ନିର୍ମାଣ ସଂସ୍ଥାକୁ ଛାଡି, ଦଶ ଜଣ କିମ୍ବା ଏହାଠାରୁ ଅଧିକ ଶ୍ରମିକ କାର୍ଯ୍ୟ କରୁଥିବା ସଂସ୍ଥା ଏହାର ଅନ୍ତର୍ଗତ ହେବ

 ଏହି ବିଲ ବ୍ୟବସାୟ ପ୍ରତିଷ୍ଠାନକୁ ବର୍ଷର 365 ଦିନ ଖୋଲିବା ଏବଂ ବନ୍ଦ କରିବା ସମୟର ସ୍ୱାଧିନତା ପ୍ରଦାନ କରିବ

 ପ୍ରତିଷ୍ଠାନରେ ଆଶ୍ରୟସ୍ଥଳ, ବିଶ୍ରାମ କକ୍ଷ, ମହିଳାଙ୍କ ପାଇଁ ଶୌଚାଳୟ, ମହିଳାଙ୍କ ସମ୍ମାନର ସୁରକ୍ଷା ଏବଂ ପରିବହନ ଇତ୍ୟାଦିର ସୁବନ୍ଦୋବସ୍ତ ଥିଲେ ମହିଳାମାନଙ୍କୁ ରାତ୍ରୀକାଳୀନ ପାଳିରେ କାର୍ଯ୍ୟ କରିବାର ଅନୁମତି ଦେବ

 ନିଯୁକ୍ତି, ତାଲିମ, ବଦଳି କିମ୍ବା ପଦୋନ୍ନତି କ୍ଷେତ୍ରରେ ମହିଳାମାନଙ୍କ ପ୍ରତି କୌଣସି ବାଛ ବିଚାର କରାଯିବ ନାହିଁ

 ସରଳ ପଦ୍ଧତିରେ ଅନ୍-ଲାଇନ ମାଧ୍ୟମରେ ସାଧାରଣ ପଞ୍ଜିକରଣ ହେବ

 କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ନିଯୁକ୍ତିଦାତାଙ୍କ ଦ୍ୱାରା ନିଆଯିବାକୁ ଥିବା ଯଥେଷ୍ଟ ପଦକ୍ଷେପ ଧାର୍ଯ୍ୟ କରିବାର କ୍ଷମତା ସରକାରଙ୍କ ହାତରେ ରହିବ

 ସ୍ୱଚ୍ଛ ଏବଂ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ରହିବ

 ଶୌଚାଳୟ, ଶିଶୁପାଳନ କେନ୍ଦ୍ର (କ୍ରେଚ), ପ୍ରାଥମିକ ଚିକିତ୍ସା ସହ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠାନରେ ଜାଗା ସମସ୍ୟା ଥିଲେ କିଛି ପ୍ରତିଷ୍ଠାନ ମିଶି କ୍ୟାଣ୍ଟିନ ବ୍ୟବସ୍ଥା କରିବେ

 ଜାତୀୟ ଛୁଟି ଦିବସ ବ୍ୟତୀତ ପାଞ୍ଚ ଦିନର ସବେତନ ଉତ୍ସବ ଛୁଟି ଦିଆଯିବ

 ଉଚ୍ଚ ଦକ୍ଷତା ସମ୍ପନ୍ନ କର୍ମଚାରୀ ଯେମିତିକି ସୂଚନା ପ୍ରଯୁକ୍ତିବିଦ୍ୟା, ଜୈବ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣା କ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନଙ୍କୁ ଦୈନିକ 9 ଘଣ୍ଟା ଏବଂ ସାପ୍ତାହିକ 48 ଘଣ୍ଟା ଯାହା ତ୍ରୈମାସିକ ହିସାବରେ 125 ଘଣ୍ଟା ହେବ, ଏହି ନିୟମରୁ ବାଦ ଦିଆଯିବ

ଏହି ମଡେଲ ଚିଠା ପ୍ରସ୍ତାବ ବୈଧାନିକ ବ୍ୟବସ୍ଥାରେ ସମାନତା ଆଣିବ । ଏଥିସହ ସବୁ ରାଜ୍ୟଙ୍କ ପକ୍ଷରେ ଏହାକୁ ଗ୍ରହଣ କରିବା ସହଜ ହେବ ଏବଂ ତଦ୍ୱାରା ସମଗ୍ର ଦେଶରେ କର୍ମ କ୍ଷେତ୍ରରେ ଏକା ପ୍ରକାର ପରିବେଶ ସୃଷ୍ଟି କରିବ । ବ୍ୟବସାୟର ସରଳୀକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ଏହି ବିଲ ସହାୟକ ହେବ ।

**********