ପିଏମଇଣ୍ଡିଆ
ମୋର ପ୍ରିୟ ଦେଶବାସୀଗଣ,
ନମସ୍କାର । ‘ମନ୍ କୀ ବାତ୍’ର ଏହି ନୂତନ ଅଧ୍ୟାୟରେ ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି। ଆପଣମାନେ ଜାଣିଛନ୍ତି ଯେ, ଏହା ଏଭଳି ଗୋଟିଏ ମଞ୍ଚ, ଯେଉଁଠି ଆମେ ନୂଆ ନୂଆ ପ୍ରଚେଷ୍ଟା ଉପରେ ଆଲୋକପାତ କରିଥାଉ । ଦେଶବାସୀଙ୍କ ଅଭିନବ ଉପାୟ ଉପରେ ଆଲୋଚନା କରିଥାଉ। ଏଗୁଡ଼ିକ ମଧ୍ୟରୁ ଅନେକ ଉପାୟ ଏଭଳି ହୋଇଥାଏ, ଯାହା ପଛରେ ଲୋକେ ନିଜ ଜୀବନର ସମସ୍ତ ଶକ୍ତି ବିନିଯୋଗ କରିଦେଇଥାଆନ୍ତି ।
ବନ୍ଧୁଗଣ,
କିଛିଦିନ ପୂର୍ବେ ସାମାଜିକ ଗଣମାଧ୍ୟମରେ କେହି ଜଣେ ଲେଖିଥିଲେ, “ଆଷାଢ଼ ଏକାଦଶୀର ପବିତ୍ର ଅବସରରେ ମୋତେ ଏହା ଜଣାଇବାରେ ବହୁତ ଖୁସି ଲାଗୁଛି ଯେ ଇତିହାସକୁ ରୁଚିକର କରିବା ଲାଗି ନିଜ ପ୍ରଚେଷ୍ଟାର ମୁଁ ଶୁଭାରମ୍ଭ କରିବାକୁ ଯାଉଛି ।” ଆଗକୁ ସେ ଲେଖିଥିଲେ ଯେ, ଏହି ଚିନ୍ତାଧାରାଟି ଖୁବ ସହଜ । ଆପଣ ଏହି ୱେବସାଇଟକୁ ଯାଆନ୍ତୁ ଏବଂ ଯେକୌଣସି ବର୍ଷକୁ ଚୟନ କରନ୍ତୁ । ସେଠାରେ ଆପଣ ଜାଣିପାରିବେ ଯେ, ସେହି କାଳରେ ଭାରତର କେଉଁ ଅଞ୍ଚଳ କାହାର ଶାସନାଧୀନ ଥିଲା । ମୋତେ ମଧ୍ୟ ଏହା ବହୁତ ଚିତ୍ତାକର୍ଷକ ଲାଗିଲା । ଏହା ସମ୍ପର୍କରେ ଅଧିକ ଜାଣିବା ପାଇଁ ମୋର ଆଗ୍ରହ ହେଲା । ମୁଁ ଜାଣିପାରିଲି ଯେ, ଏହି କାର୍ଯ୍ୟ ମୁମ୍ବାଇରେ ରହୁଥିବା ଶ୍ରୀଯୁକ୍ତ କୃଷ୍ଣ ଶେଷାଦ୍ରୀ ମହୋଦୟ କରିଛନ୍ତି । ମଜା କଥା ହେଲା ଯେ, କୃଷ୍ଣ ଜୀ ଏହି ୱେବସାଇଟର ନାଁ ମଧ୍ୟ ଖୁବ ସହଜ ରଖିଛନ୍ତି । www.bharatrajya.com. ତାଙ୍କର ଏହି ପ୍ରଚେଷ୍ଟା ସମ୍ପର୍କରେ ସୂଚନା ଆପଣମାନଙ୍କ ନିକଟକୁ ମଧ୍ୟ ପହଞ୍ଚିବା ଆବଶ୍ୟକ । ତେଣୁ, ମୁଁ ଚିନ୍ତା କଲି, ଏ ବିଷୟରେ କୃଷ୍ଣଜୀଙ୍କ ସହିତ ସିଧାସଳଖ କାହିଁକି କଥା ନ ହେବା?
ବନ୍ଧୁଗଣ,
କୃଷ୍ଣଜୀ ଆମ ସହିତ ଫୋନରେ ଯୋଡ଼ି ହେଉଛନ୍ତି ।
ପ୍ରଧାନମନ୍ତ୍ରୀ : କୃଷ୍ଣ ଜୀ ନମସ୍କାର ।
କୃଷ୍ଣ ଶେଷାଦ୍ରୀ : ନମସ୍କାର ସାର୍, ନମସ୍କାର ।
ପ୍ରଧାନମନ୍ତ୍ରୀ : ଭାଇ, ମୁଁ ଜାଣିବାକୁ ପାଇଲି ଯେ, ନା ଆପଣ ବୈଷୟିକ ଜ୍ଞାନକୌଶଳ ଦୁନିଆର ଲୋକ, ନା ଇତିହାସ ଶିକ୍ଷକ, ତଥାପି ଆପଣ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଇତିହାସ ଉପରେ ଆଧାରିତ ଗୋଟିଏ ୱେବସାଇଟ୍ ତିଆରି କରିଦେଇଛନ୍ତି । ତେଣୁ ଏହା କେମିତି କଲେ ସେ ସବୁ ବିଷୟରେ ଜାଣିବା ପାଇଁ ମୁଁ ବହୁତ ଉତ୍କଣ୍ଠିତ ।
କୃଷ୍ଣ ଶେଷାଦ୍ରୀ: ଧନ୍ୟବାଦ ସାର୍, ଆପଣଙ୍କ ସହିତ କଥା ହେବା ମୋର ବହୁତ ବଡ଼ ସୌଭାଗ୍ୟ । ସାର୍, ଯଦି ମୁଁ ମୋ ବିଷୟରେ କିଛି କହେ, ତେବେ ମୁଁ ଜଣେ ଇଞ୍ଜିନିୟର ଥିଲି, ପରେ ମୁଁ ଏମବିଏ କଲି, ତା’ପରେ ମୁଁ ମାର୍କେଟିଙ୍ଗ କ୍ଷେତ୍ରକୁ ଚାଲିଗଲି କିନ୍ତୁ ଏସବୁ କରିବା ସତ୍ତ୍ୱେ ପିଲାଦିନୁ ମୋର ଇତିହାସରେ ଗଭୀର ରୁଚି ଥିଲା । ତେଣୁ ଇତିହାସ ଉପରେ କିଛି କରିବା ପାଇଁ, ଏହାକୁ ରୁଚିକର କରିବା ପାଇଁ ସବୁବେଳେ ମୋ ମନରେ ଆଗ୍ରହ ରହୁଥିଲା । ମୁଁ ଏହା ମଧ୍ୟ ଅନୁଭବ କରୁଥିଲି ଯେ ଆମେ ଯେଉଁଭଳି ଭାବରେ ଇତିହାସର ଶିକ୍ଷା ଦେଉଛୁ ସେଥିରେ ଆମେ ବହୁତ କିଛି ସୁଧାର କରିପାରିବା । ବହୁତ କିଛି ପରିବର୍ତ୍ତନ କରିପାରିବା । ଇତିହାସକୁ କାହାଣୀ ଆକାରରେ ଲୋକଙ୍କ ନିକଟକୁ ପହଞ୍ଚାଇପାରିବା ।
ପ୍ରଧାନମନ୍ତ୍ରୀ: କୃଷ୍ଣ ଜୀ, ଭାରତୀୟ ଇତିହାସର ଏଭଳି କେଉଁ ଦିଗ ରହିଛି ଯେଉଁ ବିଷୟରେ ଅଧିକରୁ ଅଧିକ ଲୋକେ ଜାଣିବା ଦରକାର ବୋଲି ଆପଣ ଅନୁଭବ କଲେ?
କୃଷ୍ଣ ଶେଷାଦ୍ରୀ: ସାର୍ ଆପଣ ଲକ୍ଷ୍ୟ କରିଥିବେ ଯେ ଆମ ସ୍କୁଲ କଲେଜମାନଙ୍କରେ ଇତିହାସ ଶିକ୍ଷାଦାନ ସମୟରେ ଏହା କୌଣସି ଏକ ସାମ୍ରାଜ୍ୟ କିମ୍ବା ରାଜ୍ୟର ଦୃଷ୍ଟିକୋଣରୁ ଶିଖାଯାଇଥାଏ ଏବଂ ସେହି ସାମ୍ରାଜ୍ୟ ଉପରେ ଅସମାନୁପାତିକ ଧ୍ୟାନ ଦିଆଯାଇଥାଏ। ଏଭଳି ପରିସ୍ଥିତିରେ ଅନ୍ୟ ବହୁତ ମହାନ ସାମ୍ରାଜ୍ୟ ଯେମିତିକି ଚୋଳ, ପଲ୍ଲବ, କାଶ୍ମୀରରେ କର୍କୋଟ ବଂଶ ଥିଲେ, ଅହୋମ୍ ମଧ୍ୟ ଥିଲେ ଯେଉଁମାନେ ଅତିକମରେ ୬୦୦ ବର୍ଷ ଆସାମରେ ନିଜ ସଂସ୍କୃତି, ନିଜ ମୂଲ୍ୟବୋଧକୁ ବଜାୟ ରଖିଥିଲେ, ଏସବୁ ବିଷୟରେ ପ୍ରାୟତଃ ଆମେ ଜାଣିପାରୁନାହିଁ । ତେଣୁ ମୁଁ ଭାବିଲି ଯେ ଏଭଳି କୌଣସି ଗୋଟିଏ ୱେବସାଇଟ୍ ତିଆରି କରାଯିବା ଉଚିତ ଯାହାଦ୍ୱାରା ଏଭଳି ମହାନ ସାମ୍ରାଜ୍ୟଗୁଡ଼ିକ ସହ ମଧ୍ୟ ଲୋକେ ପରିଚିତ ହେବେ ।
ପ୍ରଧାନମନ୍ତ୍ରୀ: କୃଷ୍ଣ ଜୀ, ଆପଣ ଏତେ ପରିଶ୍ରମ କରୁଛନ୍ତି, ମୁଁ ଆପଣଙ୍କୁ ଗୋଟିଏ କାଳ୍ପନିକ ପ୍ରଶ୍ନ ପଚାରୁଛି । ଯଦି ଆପଣଙ୍କୁ ଭାରତୀୟ ଇତିହାସର କୌଣସି ତିନିଜଣ ବ୍ୟକ୍ତିତ୍ୱଙ୍କ ସହିତ କଥା ହେବାର ସୁଯୋଗ ମିଳେ, ତେବେ ଆପଣ କାହା ସହିତ କଥା ହେବାକୁ ଚାହିଁବେ ଆଉ କାହିଁକି?
କୃଷ୍ଣ ଶେଷାଦ୍ରୀ: ହଁ ସାର୍, ପ୍ରଥମେ ମୁଁ ରାଜରାଜ ଚୋଳ କିମ୍ବା ରାଜେନ୍ଦ୍ର ଚୋଳଙ୍କ ସହିତ କଥା ହେବାକୁ ଚାହିଁବି ଯିଏ ଚୋଳ ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ରାଜାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କଠାରୁ ମୁଁ ଜାଣିବାକୁ ଚାହିଁବି ଯେ ବୃହଦେଶ୍ୱର ମନ୍ଦିର କିମ୍ବା ଗଙ୍ଗେଇକୋଣ୍ଡା ଚୋଲପୁରମରେ ରହିଥିବା ବଡ଼ ବଡ଼ ଶିବ ମନ୍ଦିର ନିର୍ମାଣ କରିବାର ଦୂରଦୃଷ୍ଟି କେଉଁଠୁ ପାଇଲେ? ଏଭଳି ଚିନ୍ତାଧାରା କେମିତି ଜୁଟିଲା ଯେ ଏମିତି କିଛି ନିର୍ମାଣ କରିଦେବା ଯାହା ଆଗାମୀ ହଜାର ଦୁଇହଜାର ବର୍ଷ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇପାରିବ । ତାଙ୍କଠାରୁ ମୁଁ ଏକଥା ଜାଣିବାକୁ ଚାହୁଁଛି । ଦ୍ୱିତୀୟ ବ୍ୟକ୍ତିତ୍ୱ, ମୋ ମତରେ ଭାରତୀୟ ଇତିହାସର ଜଣେ ଅବହେଳିତ ବ୍ୟକ୍ତିତ୍ୱ । ସାର୍, ତାଙ୍କ ନାଁ ହେଉଛି ହେମୁ । ଭାରତୀୟ ଇତିହାସରେ ତାଙ୍କ ବିଷୟରେ ଅତିବେଶୀରେ ମାତ୍ର ଦୁଇ ତିନି ଧାଡ଼ି ଦେଖିବାକୁ ମିଳେ । ସେ ଜଣେ ସାଧାରଣ ମଣିଷ ଥିଲେ, ଜଣେ ବ୍ୟବସାୟୀ ଥିଲେ, ଯିଏ ଗୋଟିଏ ସାମ୍ରାଜ୍ୟ ସୃଷ୍ଟି କଲେ ଏବଂ କେବଳ ଯେ ସାମ୍ରାଜ୍ୟ ସୃଷ୍ଟି କଲେ ତାହାନୁହେଁ ସେ ଜଣେ ସାମରିକ ବିଶେଷଜ୍ଞ ଥିଲେ । ସେ ଏପରି ଜଣେ ସାମରିକ ପ୍ରତିଭା ଥିଲେ, ଯିଏ ନିଜ ସମୟରେ ୨୩ଟି ଯୁଦ୍ଧ ଲଢ଼ିଥିଲେ ଏବଂ ସେଥିରୁ ୨୨ଟି ଯୁଦ୍ଧରେ ବିଜୟ ଲାଭ କରିଥିଲେ । ଜଣେ ସାଧାରଣ ମଣିଷ ଠାରୁ ଏତେବଡ଼ ରାଜା ହେବା ପଛରେ ରହିଥିବା ତାଙ୍କର ଚିନ୍ତାଧାରା ଏବଂ ତାଙ୍କ ଜୟଯାତ୍ରା ସମ୍ପର୍କରେ ଜାଣିବା ପାଇଁ ମୋର ବହୁତ ଆଗ୍ରହ ରହିଛି । ତୃତୀୟ ବ୍ୟକ୍ତିତ୍ୱ ଜଣକ ଅଧିକ କୌତୁହଳପ୍ରଦ । ସାର୍, ସେ ଜଣେ ମହିଳା । ସେ ହେଉଛନ୍ତି ତ୍ରିଭୁବନ ମହାଦେବୀ, ସେ ତତ୍କାଳୀନ ଓଡ଼ିଶାର Aବଂଶ ସହ ଜଡ଼ିତ । ତାଙ୍କ କାହାଣୀ ମଧ୍ୟ ବହୁତ କୌତୁହଳପ୍ରଦ । ଖ୍ରୀଷ୍ଟାବ୍ଦ ୮୫୦ ପାଖାପାଖି ଯେତେବେଳେ ତାଙ୍କ ପଡ଼ୋଶୀ ପାଳ ସାମ୍ରାଜ୍ୟ ତାଙ୍କ ରାଜ୍ୟ ଉପରେ ଆକ୍ରମଣ କରିଥିଲା, ସେଥିରେ ଏଠାକାର ରାଜା ଯିଏକି ତାଙ୍କ ସ୍ୱାମୀ ଥିଲେ ସେ ଏହି ଯୁଦ୍ଧରେ ଶହୀଦ ହୋଇଯାଇଥିଲେ । ଯାହା ଫଳରେ ତାଙ୍କ ରାଜ୍ୟର ସୀମା ବହୁତ ଛୋଟ ହୋଇଯାଇଥିଲା ଏବଂ ଯିଏ ଏହାର ସର୍ଦ୍ଦାର ଥିଲେ, ତାଙ୍କର ଯିଏ ନେତା ଥିଲେ, ସେ ସେହି ସାମ୍ରାଜ୍ୟ ତ୍ୟାଗକରି ଚାଲିଯାଇଥିଲେ, ସେହିଭଳି ସମୟରେ ତ୍ରିଭୁବନ ମହାଦେବୀ ଜଣେ ମହିଳା ହୋଇଥିବା ସତ୍ତ୍ୱେ ଶାସନଭାର ନିଜ ହାତକୁ ନେଇଥିଲେ ଏବଂ ଭାରତୀୟ ଇତିହାସରେ ସେ ପ୍ରଥମ ସ୍ୱାଧୀନ ଶାସକ ହୋଇପାରିଥିଲେ । ସେ ଶାସନକୁ କେବଳ ଯେ ସ୍ଥିରତା ପ୍ରଦାନ କଲେ ତାହା ନୁହେଁ ବରଂ ଏହାକୁ ଏତେ ଶକ୍ତିଶାଳୀ କରି ଗଢ଼ିଦେଲେ ଯେ ଏହାର ପରବର୍ତ୍ତୀ ୧୦୦ ବର୍ଷ ପର୍ଯ୍ୟନ୍ତ କଳିଙ୍ଗ ଏବଂ ସେହି ଅଞ୍ଚଳରେ ରାଜୁତି କରିପାରିଲେ । ତେଣୁ, ସାର୍, ଇତିହାସର ଏହି ତିନି ମହାନ ବ୍ୟକ୍ତିତ୍ୱଙ୍କ ସହ ମୁଁ ସାକ୍ଷାତ କରିବାକୁ ଚାହିଁବି ।
ପ୍ରଧାନମନ୍ତ୍ରୀ: କୃଷ୍ଣ ଜୀ, ଲାଗୁଛି, ଆପଣ ସମ୍ପୂର୍ଣ୍ଣ ଭାବେ ଇତିହାସରେ ନିମଗ୍ନ । ମୁଁ ମଧ୍ୟ ଅତି ଉତ୍କଣ୍ଠାର ସହିତ ଆପଣଙ୍କ ୱେବସାଇଟ୍ ଦେଖିଛି ଏବଂ ମୋତେ ଏହା ସବୁଠାରୁ ଭଲ ଲାଗିଲା ଯେ ଆପଣ ଏହି ୱେବସାଇଟରେ ଏଭଳି ଗୋଟିଏ ଟ୍ୟାବ୍ ରଖିଛନ୍ତି, ଯେଉଁଠାରେ ଲୋକେ ଏଥିରେ ସଂଶୋଧନ ଏବଂ ପରାମର୍ଶ ପାଇଁ ମତାମତ ଦେଇପାରିବେ । ଏହିଭଳି ଗଠନମୂଳକ ମତାମତକୁ ସ୍ୱାଗତ କରିବା ଆପଣଙ୍କର ବହୁତ ବଡ଼ ବଦାନ୍ୟତା । କ’ଣ ଆପଣ ଲୋକଙ୍କଠାରୁ କିଛି ପ୍ରସ୍ତାବ ପାଇଲେଣି ଏବଂ ଏହା ଉପରେ ଆପଣ କିଛି କାମ କଲେଣି କି?
କୃଷ୍ଣ ଶେଷାଦ୍ରୀ: ହଁ ସାର୍, ଲୋକଙ୍କଠାରୁ ଅନେକ ପରାମର୍ଶ ମିଳୁଛି । ବିଶେଷତଃ ଦୁଇପ୍ରକାରର ପରାମର୍ଶ ମିଳୁଛି । ପ୍ରଥମତଃ ଏଭଳି ପରାମର୍ଶ ମିଳୁଛି ଯାହା ତଥ୍ୟମୂଳକ ସଂଶୋଧନ ବିଷୟରେ ରହୁଛି – ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ କୌଣସି ରାଷ୍ଟ୍ରରେ ଏହି ରାଜାଙ୍କ ରାଜତ୍ୱ ଥିଲା କିମ୍ବା ଏହି ସମୟରେ ଏହି ଯୁଦ୍ଧ ହୋଇଥିଲା । ଦ୍ୱିତୀୟତଃ ଏହି ୱେବସାଇଟରେ ବିଭିନ୍ନ ବୈଶିଷ୍ଟ୍ୟ ସାମିଲ କରିବା ପାଇଁ ମଧ୍ୟ ଲୋକେ ପରାମର୍ଶ ଦେଉଛନ୍ତି ଯେମିତିକି କୌଣସି ନିର୍ଦ୍ଦିଷ୍ଟ ସମୟରେ ଏହି ପ୍ରଦେଶରେ ଅମୁକ ରାଜା ଥିଲେ, କିମ୍ବା ଜଣେ କେହି ପରାମର୍ଶ ଦେଲେ ଯେ ଭାରତ ସ୍ତରରେ ତ ଆପଣ ଦେଖାଇଛନ୍ତି କିନ୍ତୁ ଯଦି ପ୍ରଦେଶ ସ୍ତରରେ ମଧ୍ୟ ଏହାକୁ ଦର୍ଶାଇପାରନ୍ତେ ତେବେ ଆହୁରି ଭଲ ହୁଅନ୍ତା । ଏହାକୁ ଭିତ୍ତିକରି ଆମେ ସେହି ସୁବିଧା ମଧ୍ୟ କାର୍ଯ୍ୟକାରୀ କଲୁ । ଅନ୍ୟ ଗୋଟିଏ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରସ୍ତାବ ଆସିଥିଲା ଯେଉଁଥିରେ ଆମେ ଗୋଟିଏ ଟ୍ରମ୍ପ କାର୍ଡ ଭଳି ବ୍ୟବସ୍ଥା କରିଥିଲୁ, ଯେଉଁଥିରେ ସମସ୍ତ ସାମ୍ରାଜ୍ୟଗୁଡ଼ିକର ତଥ୍ୟ ଆଧାରିତ ପରିସଂଖ୍ୟାନ ରହିଥିଲା, ଯାହା ଫଳରେ ଏହା ପିଲାଙ୍କ ନିକଟକୁ ପହଞ୍ଚିପାରିବ । ଏହି ସମସ୍ତ ତଥ୍ୟକୁ ଗୋଟିଏ ସ୍ଥାନରେ ଦେବାପାଇଁ କେହି ଜଣେ ପରାମର୍ଶ ଦେଲେ ଯାହା ଫଳରେ ସେ ଏହି ତଥ୍ୟକୁ ଡାଉନଲୋଡ୍ କରି ସେୟାର୍ କରିପାରିବେ । ଆମେ ଏହି ବୈଶିଷ୍ଟ୍ୟକୁ ମଧ୍ୟ କାର୍ଯ୍ୟକାରୀ କରିବାକୁ ଯାଉଛୁ । ଆମେ ଏକଥା ଜାଣିବା ଦରକାର ଯେ, ଆମଦ୍ୱାରା କୌଣସି ତ୍ରୁଟିବିଚ୍ୟୁତି ହୋଇପାରେ, କାରଣ ଆମେ ସର୍ବଶ୍ରେଷ୍ଠ ନୁହଁ, ସେଥିପାଇଁ ଆମେ ଏହି ସଂଶୋଧନ ଟ୍ୟାବ୍ ବ୍ୟବସ୍ଥା କରିଥିଲୁ ଯାହା ଫଳରେ ଏହା, ଆମ ସମସ୍ତଙ୍କ ୱେବସାଇଟ୍ ହେବ ଓ ଆଗକୁ ସମସ୍ତଙ୍କ ସହଯୋଗରେ ଆମେ ଏଭଳି ଗୋଟିଏ ୱେବସାଇଟ୍ ତିଆରି କରିପାରିବା ଯାହା ଆଗାମୀ କିଛିବର୍ଷ ପର୍ଯ୍ୟନ୍ତ ଇତିହାସକୁ ଗୋଟିଏ ରୁଚିକର ବିଷୟ ଭାବେ ଗଢ଼ିତୋଳିବ ।
ପ୍ରଧାନମନ୍ତ୍ରୀ: କୃଷ୍ଣ ଜୀ ଆପଣ ପ୍ରକୃତରେ ଗୋଟିଏ ବହୁତ ବଡ଼ କାମ କରିଛନ୍ତି । ଆଚ୍ଛା ଇତିହାସ ବ୍ୟତୀତ ଆପଣଙ୍କର ଆହୁରି ଅନେକ ରୁଚି ଥିବ ଏବଂ ଆହୁରି ବହୁତ କିଛି ଆପଣ କରୁଥିବେ?
କୃଷ୍ଣ ଶେଷାଦ୍ରୀ: ଆଜ୍ଞା, ନା ସାର୍, ମୁଁ ଟିକେ ବିରକ୍ତିକର ଲୋକ ତ ସାର୍ ।
ପ୍ରଧାନମନ୍ତ୍ରୀ: ହସନ୍ତି ।
କୃଷ୍ଣ ଶେଷାଦ୍ରୀ: ମୁଁ ପ୍ରଯୁକ୍ତିବିଦ୍ୟାରେ ଖୁବ୍ ରୁଚି ରଖେ ଆଉ ଇତିହାସର ବି । ବର୍ତ୍ତମାନ ଯେତେବେଳେ ପ୍ରଯୁକ୍ତିବିଦ୍ୟା ଓ ଇତିହାସ ମିଶିଗଲାଣି । ମୁଁ ଏଥିରେ ସାରାଦିନ ମଜ୍ଜିରହୁଛି ।
ପ୍ରଧାନମନ୍ତ୍ରୀ: କୃଷ୍ଣ ଜୀ ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା । ଆପଣ ଏକ ଭଲ କାମ ଆରମ୍ଭ କରିଛନ୍ତି ଆଉ ଆପଣଙ୍କ କାର୍ଯ୍ୟଶୈଳୀ ମଧ୍ୟ ଏଭଳି ଯେ ଲୋକମାନେ ଏଥିରେ ଯୋଡ଼ିହେବେ ଏହା ମୋର ପୂର୍ଣ୍ଣ ବିଶ୍ୱାସ । ମୋ ତରଫରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା ।
ବନ୍ଧୁଗଣ,
କୃଷ୍ଣ ଜୀଙ୍କର ଏହି ପ୍ରଚେଷ୍ଟା କେବଳ ଇତିହାସର ଛାତ୍ରଛାତ୍ରୀମାନଙ୍କୁ ନୁହେଁ ଆମ ସମସ୍ତଙ୍କୁ ନିଜର ଅତୀତକୁ ରୋଚକପୂର୍ଣ୍ଣ ଢଙ୍ଗରେ ଜାଣିବାକୁ ସାହାଯ୍ୟ କରିବ । ଆପଣଙ୍କ ପାଖରେ ବି ଯଦି ଏପରି ପ୍ରଚେଷ୍ଟା ସମ୍ପର୍କରେ ତଥ୍ୟ ରହିଛି ତେବେ ତାକୁ ନିଶ୍ଚିତ ସେୟାର୍ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
‘ନଶାମୁକ୍ତ ୟୁବା ଫର୍ ବିକଶିତ ଭାରତ୍’ ଏବେ ଏହି ଅଭିଯାନ ସମଗ୍ର ଦେଶରେ ଦ୍ରୁତଗତିରେ ଆଗେଇଚାଲିଛି । ଏହାର ଲକ୍ଷ୍ୟ ଏକଦମ୍ ସ୍ପଷ୍ଟ – ନିଶାମୁକ୍ତ ଯୁବପିଢ଼ି, ନିଶା ମୁକ୍ତ ଭାରତ । ବହୁତ ଲୋକ ବିଶେଷକରି ଆମ ଯୁବକମାନେ ବିପୁଳ ସଂଖ୍ୟାରେ ଏଥିରେ ଅଂଶୀଦାର ହେବାରେ ଲାଗିଛନ୍ତି। ପ୍ରକୃତରେ ଏହା ଭାରତର ଯୁବକମାନଙ୍କର ସ୍ୱାସ୍ଥ୍ୟ, ତାଙ୍କ ଖୁସି ଓ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହିଁ ଆମର ସାମୂହିକ ସଂକଳ୍ପ ।
ବନ୍ଧୁଗଣ,
ନିଶାର ଅଭ୍ୟାସ କେବଳ ଜଣେ ବ୍ୟକ୍ତିକୁ କବଳିତ କରେନାହିଁ, ଏହାର ଦୁଷ୍ପରିଣାମ ସମ୍ପୂର୍ଣ୍ଣ ପରିବାର ଓ ସମାଜକୁ ମଧ୍ୟ ଭୋଗିବାକୁ ପଡ଼ିଥାଏ । ମୁଁ ସେହି ଲୋକମାନଙ୍କୁ ପ୍ରଶଂସା କରିବି ଯିଏ ଡ୍ରଗ୍ସ ବିରୁଦ୍ଧରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି ଓ ନିଶା ଦ୍ୱାରା ଆସକ୍ତ ଲୋକମାନଙ୍କର ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ନିଶାମୁକ୍ତ ଭାରତ ପାଇଁ କ’ଣ ଆପଣ ଗୋଟିଏ ଶକ୍ତିଶାଳୀ ସ୍ଲୋଗାନ୍ ତିଆରି କରିପାରିବେ? କ’ଣ ଆମ ଯୁବ ସଂଗୀତଜ୍ଞ ଏପରି ଗୀତ ରଚନା କରିପାରିବେ ଯେଉଁଥିରେ ନିଶା ମୁକ୍ତ ଜୀବନ ବାର୍ତ୍ତା ଥିବ । କ’ଣ ଛାତ୍ରମାନେ ଓ ନାଟ୍ୟ ଗୋଷ୍ଠୀ ହୃଦୟକୁ ଛୁଇଁଗଲା ଭଳି କ୍ଷୁଦ୍ର ନାଟକ ଲେଖିପାରିବେ ଯେଉଁଥିରେ ଡ୍ରଗ୍ସର ବିପଦ ସହିତ ସେଥିରୁ ମୁକୁଳିବାର ରାସ୍ତା ବି ଥିବ । ଆମ ଦେଶରେ ଉନ୍ନତମାନର କଣ୍ଟେଣ୍ଟ କ୍ରିଏଟର୍ମାନଙ୍କର ଅଭାବ ନାହିଁ । ମୋର ଅନୁରୋଧ ସେମାନେ ଅଲଗା ଅଲଗା ଭାଷାରେ ଏପରି ବିଷୟବସ୍ତୁ ବନାନ୍ତୁ ଯଦ୍ଦ୍ୱାରା ଏ କ୍ଷେତ୍ରରେ ସମାଜକୁ ଲାଭ ମିଳିପାରିବ । ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ହାସଟ୍ୟାଗ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର୍ କରନ୍ତୁ । ଅନେକ ଥର ସୃଜନଶୀଳ ପ୍ରୟାସ, ଆନୁଷ୍ଠାନିକ ଅଭିଯାନଠାରୁ ବି ଅଧିକ ପ୍ରଭାବଶାଳୀ ହୋଇଥାଏ । ଆସନ୍ତୁ, ଭାରତର ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା, ନିଶାଠାରୁ ମୁକ୍ତ କରିବାର ଏହି ପବିତ୍ର କାର୍ଯ୍ୟରେ ଆମେ ସମସ୍ତେ ନିଜର ଭୂମିକା ନିର୍ବାହ କରିବା । ଆପଣ ଆପଣଙ୍କ ପ୍ରଚେଷ୍ଟାକୁ ନିଶାମୁକ୍ତ ୟୁବା କେ ସାଥ୍ ସହ ସୋସିଆଲ ମିଡିଆରେ ବି ନିଶ୍ଚୟ ସେୟାର୍ କରନ୍ତୁ ।
ମୋର ପ୍ରିୟ ଦେଶବାସୀଗଣ,
ଅଗଷ୍ଟ ମାସରେ ଆମେ ଚାରିଆଡ଼େ ଦେଶଭକ୍ତିର ଅନେକ ରଙ୍ଗ ଦେଖିବାକୁ ପାଉ । ଏହି ସମୟରେ ପ୍ରତ୍ୟେକ ବ୍ୟକ୍ତି ମନରେ ରାଷ୍ଟ୍ରପ୍ରେମର ଭାବନା ଆହୁରି ପ୍ରବଳ ହୋଇଉଠେ । ‘ଜାତୀୟ ହସ୍ତତନ୍ତ ଦିବସ’ ଏବଂ ଭାରତଛାଡ଼ ଆନ୍ଦୋଳନର ବର୍ଷପୂର୍ତ୍ତିଠାରୁ ଆରମ୍ଭ କରି ବିଭାଜନ ବିଭୀଷିକା ସ୍ମୃତି ଦିବସ ଏହାକୁ ଅନନ୍ୟ କରିଥାନ୍ତି । ‘ସ୍ୱାଧୀନତା ଦିବସ’ ଓ ଜାତୀୟ ମହାକାଶ ଦିବସ ଏହି ଦୁଇ ଅବସର ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବାନ୍ୱିତ କରିଥାଏ । ‘ଘର୍ ଘର୍ ତ୍ରିରଙ୍ଗା ଅଭିୟାନ’ ଏହି ଭାବନାକୁ ଆହୁରି ସୁଦୃଢ଼ କରିଥାଏ । ‘ବନ୍ଦେ ମାତରମ୍’ର ଦେଢ଼ଶହ ବର୍ଷ ପୂରଣ ଉପଲକ୍ଷେ ଚଳିତ ବର୍ଷ ଆହୁରି ବିଶେଷ ହୋଇଉଠିଛି । ଏଥର ୮ କୋଟିରୁ ଅଧିକ ତ୍ରିରଙ୍ଗା ସେଲ୍ଫି ଅପଲୋଡ୍ କରାଯାଇଛି । ତ୍ରିରଙ୍ଗାର ଏହି ଉତ୍ସବ କେବଳ ଭାରତ ମଧ୍ୟରେ ସୀମିତ ହୋଇ ରହିନାହିଁ – ଏହି ବର୍ଷ ‘ସୂର୍ଯ୍ୟପଥ ତ୍ରିରଙ୍ଗା’ ମାଧ୍ୟମରେ ଆମ ତ୍ରିରଙ୍ଗା ସମଗ୍ର ବିଶ୍ୱର ଏକ ଅନନ୍ୟ ଯାତ୍ରାରେ ବାହାରିଛି । ଫିଜିର ସୁବାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ସହ ତ୍ରିରଙ୍ଗା ଉଡ଼ାଗଲା । ଏହାପରେ ଏସିଆ, ଆଫ୍ରିକା, ଇଉରୋପ ଓ ତା’ପରେ ଆମେରିକାର ସାନଫ୍ରାନସିସସ୍କୋ ପର୍ଯ୍ୟନ୍ତ ଭାରତୀୟ ମିଶନ୍ ଓ ପୋଷ୍ଟଗୁଡ଼ିକରେ ତ୍ରିରଙ୍ଗା ଫରଫର ହୋଇ ଉଡ଼ିଲା । ଆପଣ କଳ୍ପନା କରନ୍ତୁ ଏହି ଦୃଶ୍ୟ କେତେ ଅଦ୍ଭୁତ ହୋଇଥିବ । ବିଶ୍ୱରେ ଯେଉଁପରି ଭାବେ ସୂର୍ଯ୍ୟ ଆଗକୁ ବଢ଼ିବାକୁ ଲାଗିଲେ ସେମିତି ସେହିପରି ଭାବେ ଭାରତୀୟ ତ୍ରିରଙ୍ଗା ବି ଉଡ଼ିବାକୁ ଲାଗିଲା । ଏପରି ପ୍ରଚେଷ୍ଟା ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧିରଖେ । ଏହାଦ୍ୱାରା ଏହି ଦେଶମାନଙ୍କ ସହ ବି ଆମ ସମ୍ପର୍କ ଆହୁରି ଘନିଷ୍ଠ ହୋଇଉଠେ । ଏହି ପ୍ରଚେଷ୍ଟାରେ ଜଡ଼ିତ ସମସ୍ତଙ୍କୁ ମୋର ଅନେକ ଅନେକ ଅଭିନନ୍ଦନ ।
ମୋର ପ୍ରିୟ ଦେଶବାସୀଗଣ,
ଆମ ସହର ଓ ଗାଁମାନଙ୍କର ସଡ଼କ ଉପରେ ପ୍ରତିଦିନ ସକାଳୁ ସନ୍ଧ୍ୟାଯାଏ ଲକ୍ଷାଧିକ ମହିଳା ନିଜ ନିଜ କାମରେ ଲାଗିଥାନ୍ତି । କିଏ ପରିବା ବିକ୍ରି କରେ ତ କିଏ ଫଳ, କିଏ ଚା’ର ଠେଲା ଲଗାଇଥାଏ । ଆଉ କିଏ ଫୁଲ, ଦୀପ ଓ ପୂଜାସାମଗ୍ରୀ ବିକ୍ରି କରେ । ଅନେକ ଥର, ଅଳ୍ପ କିଛି ପୁଞ୍ଜିର ଅଭାବ ଏମାନଙ୍କ କାରବାରକୁ ଆଗକୁ ବଢ଼ିବାରେ ଅନ୍ତରାୟ ସୃଷ୍ଟି କରେ । କିନ୍ତୁ ଏବେ ଏପରି ଲକ୍ଷାଧିକ ମା’ ଭଉଣୀମାନଙ୍କୁ ‘ପିଏମ୍ ସ୍ୱନିଧି ଯୋଜନା’ ଦ୍ୱାରା ନୂଆ ଶକ୍ତି ମିଳିପାରିଛି । ‘ମହିଳା ସଶକ୍ତିକରଣ’ର ଏହି ଦିଗ ଉପରେ ଯେପରି ଚର୍ଚ୍ଚା ହେବା କଥା ସେପରି ଚର୍ଚ୍ଚା ହେଉନାହିଁ । ‘ପିଏମ୍ ସ୍ୱନିଧି ଯୋଜନା’ର ହିତାଧିକାରୀମାନଙ୍କ ମଧ୍ୟରେ ପାଖାପାଖି ୪୬ ପ୍ରତିଶତ ହେଉଛନ୍ତି ମହିଳା । କହିବାକୁ ଗଲେ ସମଗ୍ର ଦେଶର ପାଖାପାଖି ୩୫ ଲକ୍ଷ ମହିଳା ଏହି ଯୋଜନା ସହ ଯୋଡିହୋଇ ନିଜ ନିଜ ବ୍ୟବସାୟକୁ ଆଗକୁ ବଢ଼ାଉଛନ୍ତି ।
ବନ୍ଧୁଗଣ,
ଗାଜିଆବାଦର ବବିତା ଶର୍ମା ଜୀ ଏହାର ବହୁତ ସୁନ୍ଦର ଉଦାହରଣ । ବବିତା ଜୀ ପୂଜା ସାମଗ୍ରୀର ଏକ ଛୋଟିଆ ଷ୍ଟଲ ଦେଇଥିଲେ । ଫୁଲ, ଦୀପ, ଧୂପକାଠି, ନଡ଼ିଆ ଇତ୍ୟାଦି ଜିନିଷ ବିକ୍ରିକରି ସେ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଥିଲେ । ଖୁବ୍ ପରିଶ୍ରମ କରୁଥଲେ, କିନ୍ତୁ ବ୍ୟବସାୟ ବଢ଼ାଇବା ପାଇଁ ପୁଞ୍ଜିର ଆବଶ୍ୟକତା ଥିଲା । ‘ପିଏମ୍ ସ୍ୱନିଧି’ରୁ ତାଙ୍କୁ ଆର୍ଥିକ ସହାୟତା ମିଳିଲା । ସେ ତାଙ୍କ ଷ୍ଟଲରେ ଅଧିକ ଜିନିଷ ରଖିଲେ । ବ୍ୟବସାୟରେ ବୃଦ୍ଧି କଲେ । ଏହା ଫଳରେ ଗ୍ରାହକ ବଢ଼ିଲେ । ଆମଦାନୀ ବଢ଼ିଲା । ଆଉ ଧୀରେ ଧୀରେ ସଡ଼କ କଡ଼ରେ ଥିବା ତାଙ୍କର ଏହି ଛୋଟ ଷ୍ଟଲ ଏକ ଦୋକାନରେ ପରିଣତ ହୋଇଗଲା ।
ବନ୍ଧୁଗଣ,
ବେଙ୍ଗାଲୁରୁର ଟି.ଏସ୍. ନିନଗମ୍ମା ଜୀଙ୍କର ଉଦାହରଣ ମଧ୍ୟ ଖୁବ୍ ପ୍ରେରଣାଦାୟୀ । ନିନଗମ୍ମା ଜୀ ଓ ତାଙ୍କ ସ୍ୱାମୀ ଦୁହେଁ ମିଶି ଇଡଲି, ଦୋସା ଓ ସାମ୍ବର ବିକ୍ରି କରିବାର ଏକ ଛୋଟ କାମ ଆରମ୍ଭ କଲେ । କାମ ଆରମ୍ଭ ହୋଇଗଲା, କିନ୍ତୁ ଏହାକୁ ଆଗକୁ ନେବାପାଇଁ ପୁଞ୍ଜିର ଆବଶ୍ୟକତା ଥିଲା । ନିନଗମ୍ମା ଜୀଙ୍କୁ ମଧ୍ୟ ‘ପିଏମ୍ ସ୍ୱନିଧି’ରୁ ସହଯୋଗ ମିଳିଲା । ସେ ତାଙ୍କ କାର୍ଟକୁ ସରସ ସୁନ୍ଦର କଲେ । ପାଇକାରୀ ଦରରେ ଜିନିଷ କିଣିଲେ ଓ ମେନୁ’ରେ କିଛି ନୂଆ ନୂଆ ଖାଦ୍ୟ ଜିନିଷ ଯୋଡ଼ିଲେ । ଏହା ଫଳରେ ଗ୍ରାହକ ବଢ଼ିଲେ, ଉପାର୍ଜନ ବି ବଢ଼ିଲା ତତସଙ୍ଗେ ପରିବାରର ଆର୍ଥିକ ସ୍ଥିତି ବି ସ୍ୱଚ୍ଛଳ ହୋଇପାରିଲା । ଆଜି ସେ ନିଜର ତିନିଜଣ ପିଲାଙ୍କୁ ଉନ୍ନତ ମାନର ଶିକ୍ଷା ଦେବାରେ ସକ୍ଷମ ହୋଇପାରିଛନ୍ତି ।
ବନ୍ଧୁଗଣ,
ଯେତେବେଳେ ଜଣେ ମହିଳାର ବ୍ୟବସାୟ ବଢ଼େ ତା’ସହିତ ତା’ ପରିବାରର ଭବିଷ୍ୟତ ମଧ୍ୟ ଆଗକୁ ବଢ଼ିଥାଏ । ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ମିଳେ । ଘରର ଆବଶ୍ୟକତା ପୂରଣ ହୁଏ ଓ ମହିଳାଙ୍କ ଆତ୍ମବିଶ୍ୱାସ ଆହୁରି ସୁଦୃଢ଼ ହୋଇଥାଏ । ଏହାହିଁ ତ ‘ମହିଳା ସଶକ୍ତିକରଣ’ର ଏକ ଜୀବନ୍ତ ରୂପ । ମୁଁ ଉଠାଦୋକାନ ସହ ଜଡ଼ିତ ସବୁ ଭଉଣୀମାନଙ୍କୁ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି ।
ମୋର ପ୍ରିୟ ଦେଶବାସୀଗଣ,
ସ୍ୱଚ୍ଛତାର ଏକ ବହୁତ ବଡ଼ ବିଶେଷତ୍ୱ ରହିଛି । ଯେତେବେଳେ କୌଣସି ଜାଗାକୁ ପରିଷ୍କାର ରଖିବାର ସଂକଳ୍ପ ସେଠାକାର ଲୋକମାନଙ୍କର ନିଜସ୍ୱ ସଂକଳ୍ପ ହୋଇଯାଏ, ସେତେବେଳେ ପରିବର୍ତ୍ତନ କେବଳ ପରିଷ୍କାର-ପରିଚ୍ଛନ୍ନତା ପର୍ଯ୍ୟନ୍ତ ସୀମିତ ହୋଇ ରହେନାହିଁ । ଏହାଦ୍ୱାରା ସେହି ଜାଗାର ପରିଚୟ ହିଁ ବଦଳିଯାଏ । ଦେଶର ବିଭିନ୍ନ ଭାଗରେ ସ୍ୱଚ୍ଛତା ପାଇଁ ହେଉଥିବା ଏପରି ପ୍ରଚେଷ୍ଟା ଆମକୁ ନିରନ୍ତର ପ୍ରେରଣା ଯୋଗାଇଥାଏ । ଉତ୍ତରପ୍ରଦେଶର ରାମପୁରର ଏକ ଗାଁ ହେଉଛି – ପଟୱାଈ । ସେହି ଗାଁର ଆକାଶ ଓ ରୋହନ ନାମକ ଦୁଇସାଙ୍ଗ ଦେଖିଲେ ଯେ ତାଙ୍କ ଆଖପାଖ ଅଞ୍ଚଳ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇ ରହିଛି । ବାସ୍, ତା’ପରେ ଆଉ କ’ଣ! ଆକାଶ ଓ ରୋହନ ଦୁହେଁ ଅଳିଆଡବା ହାତରେ ଧରି ପରିଷ୍କାର କରିବା ପାଇଁ ବାହାରିପଡ଼ିଲେ । ଧୀରେ ଧୀରେ ଅନ୍ୟ ଯୁବକମାନେ ବି ତାଙ୍କ ସହିତ ଯୋଡ଼ିହେବାରେ ଲାଗିଲେ । ତା’ପରେ ଏକ ଟିମ୍ ଗଢ଼ିଉଠିଲା, ଯାହାର ନାଁ ହେଲା – ‘କ୍ଲିନ୍-ଅପ ପଟୱାଈ’ । ଏହି ଯୁବକମାନେ ଆଜି ସୁଦ୍ଧା ଚାରୋଟି ଗଙ୍ଗାଘାଟ ପରିଷ୍କାର କରିସାରିଲେଣି । ଏକ ଟନରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବାହାର କରିସାରିଲେଣି । ଏମାନେ ଅନେକ ପୁଷ୍କରିଣୀ ଓ ସାର୍ବଜନିକ ସ୍ଥାନମାନଙ୍କୁ ପରିଷ୍କାର କରିଛନ୍ତି ।
ବନ୍ଧୁଗଣ,
ଏଥର ଶ୍ରୀ ଅମରନାଥ ଜୀଙ୍କ ଯାତ୍ରାରେ ବି ସ୍ୱଚ୍ଛତା ଓ ଜନସହଯୋଗର ଏପରି ପ୍ରେରଣାଦାୟୀ ଚିତ୍ର ଦେଖିବାକୁ ମିଳିଛି । କଠିନ ରାସ୍ତାରେ ହଜାର ହଜାର ସ୍ୱଚ୍ଛତାକର୍ମୀ ଦିନରାତି ସେବାକାର୍ଯ୍ୟରେ ଲାଗିରହିଥିଲେ । ଏହି ବର୍ଷ ଯାତ୍ରା ସମୟରେ ୪୦୦ ମେଟ୍ରିକ୍ ଟନରୁ ଅଧିକ ଆବର୍ଜନାକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରାଯାଇଛି । ଏହି ପ୍ରଚେଷ୍ଟାରେ ମୋତେ ଗୋଟିଏ କଥା ବିଶେଷ ରୂପେ ଭଲ ଲାଗିଲା। ସ୍ୱଚ୍ଛତାର ଏହି ଅଭିଯାନରେ ଶ୍ରଦ୍ଧାଳୁମାନେ ମଧ୍ୟ ଭାଗ ନେଇଥିଲେ । ୧୬ ହଜାରରୁ ଅଧିକ ଯାତ୍ରୀ ସ୍ୱଚ୍ଛତାର ସଂକଳ୍ପ ନେଲେ, ୧୦ ହଜାରରୁ ଅଧିକ ଯାତ୍ରୀଙ୍କୁ ‘ଦାୟିତ୍ୱହୀନ ୟାତ୍ରୀ’ ସାର୍ଟିଫିକେଟ୍ ବି ଦିଆଗଲା । ଏଠାରେ ଏକ ଅଦ୍ଭୁତ ପ୍ରୟୋଗ ବି ହେଲା । ଯାତ୍ରାରେ ଘୋଡ଼ା ଓ ଖଚରମାନଙ୍କ ଗୋବରକୁ ବାୟୋଗ୍ୟାସ୍ରେ ପରିଣତ କରାଗଲା ଓ ସେହି ସ୍ୱଚ୍ଛ ଶକ୍ତି ଦ୍ୱାରା ‘ସ୍ୱଚ୍ଛତା ଜ୍ୟୋତି’ ପ୍ରଜ୍ଜ୍ୱଳିତ କରାଗଲା । ଅର୍ଥାତ୍ ବାବା ବର୍ଫାନୀଙ୍କର ଏହି ପବିତ୍ର ଯାତ୍ରାରେ ସ୍ୱଚ୍ଛତା ବି ସେବା ଓ ଆସ୍ଥାର ଏକ ସ୍ୱରୂପରେ ପରିଣତ ହେଲା ।
ବନ୍ଧୁଗଣ,
ଆମ ଗାଁ ହେଉ ବା ସହର, ଆମ ନଦୀ ହେଉ ବା ତୀର୍ଥସ୍ଥଳ । ଆମ ବ୍ୟବହାରରୁ ଏହାର ପରିଚୟ ସୃଷ୍ଟି ହୁଏ । ଆଉ ଯେତେବେଳେ ସ୍ୱଚ୍ଛତା ଏହି ବ୍ୟବହାରରେ ସାମିଲ ହୋଇଯାଏ ସେତେବେଳେ ଏହି ସ୍ଥାନର ଶୋଭା ଆହୁରି ଅଧିକ ବଢ଼ିଯାଏ ।
ମୋର ପ୍ରିୟ ଦେଶବାସୀଗଣ,
କେବେ କେବେ ଆମର ଛୋଟିଆ ରୁଚିଟିଏ ଆମ ଜୀବନରେ ଗୋଟିଏ ବଡ଼ ସମ୍ଭାବନାର ରାସ୍ତା ଖୋଲିଦିଏ । ନାଗାଲାଣ୍ଡର ଫେକ୍ ଜିଲ୍ଲାର ୱେସାଲୁ ପୁରୋଜୀଙ୍କର ଯାତ୍ରା ମଧ୍ୟ କିଛି ଏହିଭଳି ଥିଲା । ୱେସାଲୁ ଜୀଙ୍କ ଲାଳନପାଳନ ଗୋଟିଏ କୃଷକ ପରିବାରରେ ହୋଇଥିଲା । ବାଲ୍ୟକାଳରୁ ସେ ତାଙ୍କର ପିତାମାତା କୃଷି କରୁଥିବାର ଦେଖିଆସିଛନ୍ତି ଏବଂ ତାଙ୍କ ନିଜର ମଧ୍ୟ ଫୁଲଚାଷ ପ୍ରତି ବଡ଼ ଆଗ୍ରହ ଥିଲା । ୨୦୨୧ ମସିହାରେ ସେ ଏକ ସଉକ ଭାବରେ ଏକ ଛୋଟଧରଣର ଫୁଲଚାଷ ଆରମ୍ଭ କଲେ । ଧିରେ ଧିରେ ତାଙ୍କୁ ଏଥିରେ ଏକ ବଡ଼ ସମ୍ଭାବନା ଦେଖିବାକୁ ମିଳିଲା । ସେ ଦେଖିଲେ ବିବାହ ହେଉ ବା ଅନ୍ୟକିଛି ପର୍ବ ହେଉ, ସବୁଥିରେ ଫୁଲର ବେଶ୍ ଚାହିଦା ରହୁଛି । ୱେସାଲୁ ଜୀ ତାଙ୍କର ଏହି ସଉକ ବା ରୁଚିକୁ ଆଗକୁ ବଢ଼େଇବାକୁ ଚେଷ୍ଟା କଲେ । ତାଙ୍କର ଏହି ଯାତ୍ରାରେ ସେ ସ୍ଥାନୀୟ କୃଷିବିଜ୍ଞାନ କେନ୍ଦ୍ର ଦ୍ୱାରା ବୈଜ୍ଞାନିକ ପ୍ରଣାଳୀରେ ଫୁଲଚାଷର ପ୍ରଶିକ୍ଷଣ ନେଲେ । ତା’ପରେ ସେ ମାତ୍ର ଏକ-ଚତୁର୍ଥାଂଶ ଏକର ଜମିରେ ଗ୍ଲାଡିଓଲସ୍ ଫୁଲର ଚାରା ଲଗାଇଲେ । ପ୍ରଥମ ଚେଷ୍ଟାରେ ସେହି ଜମିରେ ପାଞ୍ଚହଜାରରୁ ଅଧିକ ଫୁଲ ଫୁଟିଉଠିଲା । ବନ୍ଧୁଗଣ, ଏହି ସଫଳତା ୱେସାଲୁ ଜୀଙ୍କ ପାଇଁ ଏକ ନୂତନ ଶୁଭାରମ୍ଭ ହେଲା । ସେ ଫୁଲଚାଷକୁ ଆହୁରି ଆଗକୁ ବଢ଼ାଇଲେ । ଯେଉଁ ଫୁଲ ପ୍ରଥମେ ସ୍ଥାନୀୟ ବଜାରରେ ବିକ୍ରି ହେଉଥିଲା ଏବେ ତାହା ନାଗାଲାଣ୍ଡରୁ ବାହାରି ଦିଲ୍ଲୀ ଏବଂ ମୁମ୍ବାଇ ଭଳି ସହରମାନଙ୍କୁ ପଠାଯାଉଛି । ୱେସାଲୁ ପୁରୋ ଜୀଙ୍କର ଏହି ଯାତ୍ରାରୁ ଜଣାଯାଉଛି ଯେ ଛୋଟିଆ ରୁଚିଟିଏ ଯେତେବେଳେ ପରିଶ୍ରମ ଏବଂ ମାର୍ଗଦର୍ଶନ ସହିତ ଯୋଡ଼ିହୋଇଯାଏ, ସେତେବେଳେ ଗୋଟିଏ ନୂତନ ସମ୍ଭାବନାର ରାସ୍ତା ଖୋଲିଦେଇପାରେ ।
ମୋର ପ୍ରିୟ ଦେଶବାସୀଗଣ,
ଆମ ଆଖପାଖରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ଗୋଟିଏ ଛୋଟିଆ ପ୍ରୟାସ ଆରମ୍ଭ କରନ୍ତି ଏବଂ ଦେଖୁଦେଖୁ ତାହା ବହୁ ଲୋକଙ୍କ ଜୀବନରେ ପରିବର୍ତ୍ତନର ରାସ୍ତା ଖୋଲିଦେଇଥାଏ । ଓଡ଼ିଶାର ଦେବ୍ରିଗଡ଼ରେ ଧୋଡ଼ରୋକୁସୁମ ବୋଲି ଗାଁଟିଏ ଅଛି । କିଛିବର୍ଷ ପୂର୍ବେ ଏଇ ଗାଁର ମୈଥିଳୀ ଭୁଏ ଜୀ ପ୍ରାୟ ପ୍ରତିଦିନ ଜଙ୍ଗଲକୁ ଯାଉଥିଲେ – କେବେ ଜାଳେଣୀ କାଠ ଆଣିବାକୁ, କେବେ ମହୁଲ ଏବଂ କେନ୍ଦୁପତ୍ର ତୋଳିବା ପାଇଁ, ଆଉ କେତେବେଳେ ବାଉଁଶକରଡ଼ି କିମ୍ବା ଅନ୍ୟ ବନ୍ୟଜାତ ଜିନିଷ ପାଇଁ । ତାଙ୍କର ଓ ତାଙ୍କ ଗାଁର ଅନେକ ପରିବାରର ବହୁତ ଆବଶ୍ୟକତା ଏହି ଜଙ୍ଗଲରୁ ପୂରଣ ହେଉଥିଲା । କିନ୍ତୁ ପୁଣି ମୈଥିଳି ଜୀ ଦେବ୍ରିଗଡ଼ର ପରିବେଶ ପର୍ଯ୍ୟଟନ କାମରେ ଲାଗିଲେ । ଏବେ ଜଙ୍ଗଲ ସହିତ ତାଙ୍କର ସମ୍ପର୍କ ଗୋଟିଏ ନୂତନ ଦିଗକୁ ବଦଳିଗଲା । ଏବେ ଜଙ୍ଗଲ ସଂରକ୍ଷଣ ମଧ୍ୟ ତାଙ୍କ ଜୀବନଧାରଣର ମାଧ୍ୟମ ହୋଇଗଲା । ବନ୍ଧୁଗଣ, ମୈଥିଳି ଜୀଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ ଅନ୍ୟ ମହିଳାମାନଙ୍କୁ ମଧ୍ୟ ପ୍ରେରିତ କଲା । ଆଜି ୬୦ ଜଣରୁ ଅଧିକ ମହିଳା ଜଙ୍ଗଲ ସଂରକ୍ଷଣ କାମରେ ଲାଗିପଡ଼ିଛନ୍ତି । କିଏ ବନ୍ୟଜୀବମାନଙ୍କର ସୁରକ୍ଷାର ଦାୟିତ୍ୱ ସମ୍ଭାଳୁଛି, ଆଉ କିଏ ଘାସପଡ଼ିଆର ବିକାଶରେ ଲାଗିଛି ତ କିଛି ମହିଳା ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପରେ ଯୋଗଦାନ ଦେଉଛନ୍ତି । ବନ୍ଧୁଗଣ ମୈଥିଳି ଜୀ ଏବଂ ଦେବ୍ରିଗଡ଼ର ଏହି ଭଉଣୀମାନେ ଦେଖାଇ ଦେଇଛନ୍ତି ଯେ ପ୍ରକୃତିର ସଂରକ୍ଷଣ ବି ହୋଇପାରେ ଏବଂ ଜୀବନରେ ସମୃଦ୍ଧି ମଧ୍ୟ ଆସିପାରେ । ଏ ସମସ୍ତ ଭଉଣୀମାନଙ୍କର ପ୍ରୟାସ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣାର ସ୍ରୋତ ଅଟେ ।
ବନ୍ଧୁଗଣ,
ଆଜି ଆମ ଝିଅମାନଙ୍କର ସ୍ୱପ୍ନର ଉଡ଼ାଣ ପୃଥିବୀରୁ ବାହାରି ଅନ୍ତରୀକ୍ଷକୁ ଛୁଇଁଲାଣି ଏବଂ ଆପଣ ଜାଣି ଗର୍ବ ଅନୁଭବ କରିବେ ଯେ ଭାରତ ଏହିଭଳି ସ୍ୱପ୍ନ ଦେଖୁଥିବା ଦୁନିଆର ହଜାର ହଜାର ଝିଅମାନଙ୍କୁ ଗୋଟିଏ ଡୋରିରେ ବାନ୍ଧୁଛି । ଏହି ପ୍ରୟାସର ନାଁ ହେଲା ମିଶନ ଶକ୍ତିସ୍ୟାଟ୍ । ଏହା ମାଧ୍ୟମରେ ଶହେ ଆଠଟି ଦେଶର ବାରହଜାର ଛାତ୍ରୀଙ୍କୁ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ଶିଖିବା ଏବଂ ନବସୃଜନ କ୍ଷେତ୍ରରେ ଆଗକୁ ବଢ଼ିବାର ସୁବିଧା ମିଳୁଛି । ଅଗଷ୍ଟ ୨୩ ତାରିଖ ଜାତୀୟ ମହାକାଶ ଦିବସ ଅବସରରେ ଏହି ମିଶନର ଗୋଟିଏ ସୁନ୍ଦର ଚିତ୍ର ଉତ୍ତରପ୍ରଦେଶର ଗ୍ରେଟର୍ ନୋଏଡାରେ ଦେଖିବାକୁ ମିଳିଲା । ଗୌତମବୁଦ୍ଧ ବିଶ୍ୱବିଦ୍ୟାଳୟରେ ମିଶନ ଶକ୍ତିସ୍ୟାଟ୍ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ ହେଲା । ଏହି ଅବସରରେ ପୃଥିବୀର ଭିନ୍ନ ଭିନ୍ନ ଦେଶରୁ ଏବଂ ଭାରତରୁ ଆସିଥିବା ପ୍ରାୟ ଶହେ ଛାତ୍ରୀ ଏକତ୍ରିତ ହୋଇଥିଲେ । ଭାରତର ଦୂରଦୂରାନ୍ତ ଅଞ୍ଚଳରୁ ଚୟନ କରାଯାଇଥିବା ଛାତ୍ରୀମାନେ ମଧ୍ୟ ଏଥିରେ ଭାଗ ନେଉଛନ୍ତି । ଏହି ସମଗ୍ର ପ୍ରୟାସର ଲକ୍ଷ୍ୟ ମଧ୍ୟ କିଛି ବିଶେଷ । କେବଳ ଛାତ୍ରୀମାନଙ୍କ ଦ୍ୱାରା ତିଆରି ହୋଇଥିବା ଗୋଟିଏ ସାଟେଲାଇଟକୁ ଚନ୍ଦ୍ରର କକ୍ଷକୁ ପ୍ରେରଣ କରିବାର ପ୍ରସ୍ତୁତି ଚାଲିଛି । ବନ୍ଧୁଗଣ, ମୋର ବିଶ୍ୱାସ ଅଛି ଯେ ଏମାନଙ୍କ ମଧ୍ୟରୁ ଅନେକ ଛାତ୍ରୀ ଆଗାମୀ ଦିନରେ ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ନିଜର ନୂତନ ପରିଚୟ ସୃଷ୍ଟି କରିବେ ।
ମୋର ପ୍ରିୟ ଦେଶବାସୀଗଣ,
ଆଜିକାଲି ଆଭୋକାଡୋ ଫଳ ବଡ଼ ଚର୍ଚ୍ଚାରେ ଅଛି । ଏହି ଫଳକୁ ଆଗରୁ ବୋଧହୁଏ କେହି ଜାଣୁନଥିଲେ । ଏହାର ମୂଲ୍ୟ ଏବଂ ଚାହିଦା ଉଭୟ ଖୁବ୍ କମ୍ ଥିଲା । କିନ୍ତୁ ଆଜିକାଲି ଏହାକୁ ଡାଇନିଂ ଟେବୁଲରେ ପ୍ରାୟ ଦେଖିବାକୁ ମିଳୁଛି । ଆଜିକାଲି ଏହା ସ୍ୱାସ୍ଥ୍ୟ ଏବଂ ପ୍ରିମିୟମ୍ ମାର୍କେଟ୍ର ପସନ୍ଦ ହୋଇଯାଇଛି । ଆମର କୃଷକ ଭାଇଭଉଣୀମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ । ଆନ୍ଧ୍ରପ୍ରଦେଶର କଡ଼ପ୍ପାର ବରଦରାଜ ଜୀ ହେଉଛନ୍ତି ଏହାର ଉଦାହରଣ । ସେ ଅନେକ ବର୍ଷ ଧରି ନିଜ ଜମିରେ ବିଲାତି ବାଇଗଣ ଏବଂ କଦଳୀ ଚାଷ କରୁଥିଲେ । ଦିନେ ସେ ନିଜ ବନ୍ଧୁଙ୍କ ଜମିରେ ଆଭୋକାଡୋ ଚାଷ ହୋଇଥିବାର ଦେଖିଲେ । ତା’ପରେ ସେ ୟୁଟ୍ୟୁବ୍ରୁ ସୂଚନା ଏକାଠି କଲେ । ଏଯାଏଁ ସେ ପ୍ରାୟ ୪ ଟନ୍ ଆଭୋକାଡୋ ଉତ୍ପାଦନ କରିସାରିଲେଣି । ଏବେ ସେ ସ୍ଥାନୀୟ ଦୋକାନଗୁଡ଼ିକୁ ସିଧାସଳଖ ସପ୍ଲାଇ କରୁଛନ୍ତି । ନୂଆ ଫସଲ, ବୈଜ୍ଞାନିକ ପରାମର୍ଶ ଏବଂ ପ୍ରତ୍ୟକ୍ଷ ମାର୍କେଟିଂ ଦ୍ୱାରା ତାଙ୍କର ଛୋଟିଆ ଫାର୍ମର ରୋଜଗାର ସମ୍ପୂର୍ଣ୍ଣ ବଦଳିଯାଇଛି । ତାମିଲନାଡୁର କୋଡାଇକନାଲର କୃଷକ ଚନ୍ଦ୍ରଶେଖରନ୍ ଜୀ ଅଧ ହେକ୍ଟର ଜମିରେ ଆଭୋକାଡୋ ଉତ୍ପାଦନ ଆରମ୍ଭ କଲେ । ତାଙ୍କୁ ଏହାର ଭଲ ଦାମ୍ ମିଳୁଛି ଏବଂ ତାଙ୍କର ରୋଜଗାର ମଧ୍ୟ ବଢ଼ିଛି । କର୍ଣ୍ଣାଟକର ଚିକ୍କମଗଲୁର୍ର କେତେକ କୃଷକ ଭାଇଭଉଣୀ ତ କଫି ବଗିଚା ମଝିରେ ଆଭୋକାଡୋ ଲଗାଇଛନ୍ତି । ଏହାଦ୍ୱାରା ସେମାନଙ୍କୁ କଫି ଏବଂ ଗୋଲମରିଚ ସହିତ ଅତିରିକ୍ତ ରୋଜଗାର ମଧ୍ୟ ମିଳୁଛି । ବନ୍ଧୁଗଣ, ଆମେମାନେ ସହରର ରେସ୍ତୋରାଁରେ ପ୍ରାୟ ଆଭୋକାଡୋ ଟୋଷ୍ଟ ବିଷୟରେ ଶୁଣୁଛୁ, କିନ୍ତୁ ଏହି ଆଭୋକାଡୋ ଜରିଆରେ ଆମର ଅଭିନବ କୃଷକ ରୋଜଗାରର ଆଉ ଏକ ପନ୍ଥା ମଧ୍ୟ ଖୋଜିନେଇଛନ୍ତି । ଅର୍ଥାତ୍ ଆମ ଦେଶର ଆଭୋକାଡୋରୁ ଆପଣଙ୍କ ଟୋଷ୍ଟର ସ୍ୱାଦ ମଧ୍ୟ ବଢ଼ିଛି ଏବଂ କୃଷକମାନଙ୍କର ରୋଜଗାର ମଧ୍ୟ ବଢ଼ିଛି ।
ମୋର ପ୍ରିୟ ଦେଶବାସୀଗଣ,
ଆମର ପର୍ବ ଏବଂ ଉତ୍ସବଗୁଡ଼ିକ ଆମ ପରମ୍ପରା ସହିତ ଆମକୁ ଯୋଡ଼ିହେବାର ସୁଯୋଗ ଦେଇଥାଏ। ଆଗାମୀ ଦିନରେ ଆମେମାନେ ଆହୁରି ଅନେକ ବିଶିଷ୍ଟ ପର୍ବ ପାଳନ କରିବାକୁ ଯାଉଛୁ । ସେପ୍ଟେମ୍ବର ୪ ତାରିଖରେ ଜନ୍ମାଷ୍ଟମୀର ପବିତ୍ର ଉତ୍ସବ । ସେହି ସେପ୍ଟେମ୍ବରରେ ଆମେ ବିଶ୍ୱକର୍ମା ପୂଜା ମଧ୍ୟ ପାଳନ କରିବା । ଏହି ଅବସରରେ ନିଜ ଆଖପାଖର କାରିଗର, ଶିଳ୍ପକାର ଏବଂ ବିଶ୍ୱକର୍ମା ସାଥୀମାନଙ୍କୁ ସମ୍ମାନ କରିବା ଉଚିତ । କିଛିମାସ ପରେ ଦୀପାବଳି ମଧ୍ୟ ଆସିବ । ଏଥିପାଇଁ ଧିରେ ଧିରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଉତ୍ସବର ଏହି ଋତୁରେ ମୁଁ ପୁଣିଥରେ ଆପଣମାନଙ୍କୁ ଭୋକାଲ ଫର୍ ଲୋକାଲ୍ ପାଇଁ ପୁନଃ ଅନୁରୋଧ କରୁଛି । ଭୋକାଲ୍ ଫର୍ ଲୋକାଲ୍’ର ଅର୍ଥ ଖାଲି ମାଟିର ଦୀପ କିଣିବା ନୁହେଁ, ତା’ର ଦୂରଦୃଷ୍ଟି ବହୁତ ଅଧିକ । ଆମେ ନିଜ ଘର ପାଇଁ ଯେଉଁ ଜିନିଷ କିଣୁଛେ ତା’କୁ ଥରେ ନିଶ୍ଚୟ ଦେଖିନିଅନ୍ତୁ ଯେ ତାହା ଭାରତରେ ତିଆରି ହୋଇଥିବ । ଭାରତରେ ତିଆରି ହେଉଥିବା ଜିନିଷ ପାଇଁ ଗର୍ବ କରିବା ଦ୍ୱାରା ଭାରତ ଆତ୍ମନିର୍ଭରଶୀଳ ହେବାର ଦ୍ୱାର ପ୍ରଶସ୍ତ ହେବ । ଏହି ସନ୍ଦେଶକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ମଧ୍ୟ ଆମମାନଙ୍କର ଦାୟିତ୍ୱ । ଆମ ସୃଜନଶୀଳ ଦୁନିଆର ସାଥୀମାନେ ପ୍ରଭାବଶାଳୀ ଏବଂ ସେଲିବ୍ରିଟିମାନଙ୍କର ମଧ୍ୟ ଏଥିରେ ବହୁତ ବଡ଼ ଭୂମିକା ଅଛି । ମୋର ଆପଣମାନଙ୍କୁ ଅନୁରୋଧ ଯେ ନିଜେ ବି ‘ଭୋକାଲ୍ ଫର୍ ଲୋକାଲ୍’କୁ ଆପଣେଇ ନିଅନ୍ତୁ ଏବଂ ଅନ୍ୟକୁ ମଧ୍ୟ ଏଥିପାଇଁ ପ୍ରେରଣା ଦିଅନ୍ତୁ ।
ବନ୍ଧୁଗଣ,
ଆପଣଙ୍କ ଆଖପାଖରେ ମଧ୍ୟ ଏମିତି ଅନେକ ଲୋକ ଥିବେ ଯେଉଁମାନେ ନିଜର ଛୋଟ ଛୋଟ ଚେଷ୍ଟା ଦ୍ୱାରା ସମାଜରେ ବଡ଼ ପରିବର୍ତ୍ତନ ଆଣିପାରୁଛନ୍ତି । ଆପଣ ‘ମନ୍ କି ବାତ୍’ ପାଇଁ ସେମାନଙ୍କ ବିଷୟରେ ଲେଖନ୍ତୁ । ଆପଣ ପଠାଇଥିବା ଅନୁଭୂତି ଦେଶର କେଉଁ କୋଣରେ କୌଣସି ଲୋକ ପାଇଁ ନୂଆ ପ୍ରେରଣା ହୋଇପାରେ । ଆପଣଙ୍କ ପରାମର୍ଶ ଏବଂ ଅନୁଭୂତିର ଅପେକ୍ଷାରେ ରହିଲି ।
ବହୁତ ବହୁତ ଧନ୍ୟବାଦ । ନମସ୍କାର ।
************
#MannKiBaat has begun. Tune in! https://t.co/sLZaQ83YUp
— PMO India (@PMOIndia) August 30, 2026
A unique website created by Shri Krishna Seshadri Ji is making learning history even more interesting.#MannKiBaat pic.twitter.com/6Tp10CsJHO
— PMO India (@PMOIndia) August 30, 2026
Let us come together to build a drug-free India and a stronger future for our youth.#MannKiBaat#NashaMuktYuva pic.twitter.com/ep2f0WDzXA
— PMO India (@PMOIndia) August 30, 2026
The Tiranga brought people together across India and around the world.#MannKiBaat pic.twitter.com/RCaucEJue2
— PMO India (@PMOIndia) August 30, 2026
PM SVANidhi Yojana is helping lakhs of women street vendors expand their businesses, increase their incomes and build a better future for their families.#MannKiBaat pic.twitter.com/MOtKlVkXOK
— PMO India (@PMOIndia) August 30, 2026
From young volunteers in Uttar Pradesh's Rampur cleaning their neighbourhoods to pilgrims joining the cleanliness drive during the Shri Amarnath Ji Yatra, Swachhata is becoming a people's resolve.#MannKiBaat pic.twitter.com/xPLghWi7D6
— PMO India (@PMOIndia) August 30, 2026
From Phek district in Nagaland, Vesalu Puro Ji turned her passion for flowers into a thriving venture.#MannKiBaat pic.twitter.com/IkCztlKsLf
— PMO India (@PMOIndia) August 30, 2026
In Odisha's Debrigarh region, Maithili Bhue Ji's journey from depending on forest produce to becoming part of eco-tourism has inspired several women to contribute towards forest conservation.#MannKiBaat pic.twitter.com/g41BNVwfGJ
— PMO India (@PMOIndia) August 30, 2026
Mission ShaktiSAT is bringing together girl students from 108 countries and giving them the opportunity to learn about satellite technology as well as explore new frontiers in science, technology, and innovation.#MannKiBaat pic.twitter.com/0jydyhtTrV
— PMO India (@PMOIndia) August 30, 2026
Avocado is finding a new place in India's farms and markets. #MannKiBaat pic.twitter.com/oEnZfbij0T
— PMO India (@PMOIndia) August 30, 2026
Mahanayak Uttam Kumar continues to inspire generations. His remarkable performances, dedication and ability to bring every character to life made him an unforgettable icon of Indian cinema.#MannKiBaat pic.twitter.com/JayfStHgon
— PMO India (@PMOIndia) August 30, 2026