Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମନର କଥା ୨.୦ (ସପ୍ତମ ଅଧ୍ୟାୟ)ନୂଆ ପିଢ଼ି ଦେଶର ବିକାଶକୁ ଗତିଶୀଳ କରିବେ : ପ୍ରଧାନମନ୍ତ୍ରୀ


  • ନୂଆବର୍ଷ, ନୂଆ ଦଶନ୍ଧି ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆ ଦଶନ୍ଧିରେ ରାଷ୍ଟ୍ରର ବିକାଶ ପାଇଁ ସଂକଳ୍ପ ନେବାକୁ ଆହ୍ୱାନ

ଯୁବପିଢ଼ି ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ

ଆର୍ଥିକ ବିକାଶରେ ସହାୟକ ଆତ୍ମନିର୍ଭରଶୀଳ ମହିଳା ଗୋଷ୍ଠୀଙ୍କୁ ପ୍ରଶଂସା

ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଭାରତର ଗୌରବମୟ ଇତିହାସ ରହିଛି : ପ୍ରଧାନମନ୍ତ୍ରୀ

ମୋର ପ୍ରିୟ ଦେଶବାସୀ, ନମସ୍କାର! 2019ର ବିଦାୟ ମୁହୂର୍ତ୍ତ ଆମ ଆଗରେ ରହିଛି । ଆଉ 3ଦିନ ମଧ୍ୟରେ 2019 ବିଦାୟ ନେବ ଏବଂ ଆମେ କେବଳ ଯେ 2020ରେ ପ୍ରବେଶ କରିବା ତାହା ନୁହେଁ, ନୂଆବର୍ଷରେ ପ୍ରବେଶ କରିବା, ନୂତନ ଦଶନ୍ଧିରେ ପ୍ରବେଶ କରିବା, ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ପ୍ରବେଶ କରିବା । ମୁଁ ସମସ୍ତ ଦେଶବାସୀଙ୍କୁ 2020 ପାଇଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଏହି ଦଶନ୍ଧି ସମ୍ପର୍କରେ ଗୋଟିଏ କଥା ସୁନିଶ୍ଚିତ ଯେ, ଏଥିରେ ଦେଶର ବିକାଶକୁ ଗତିଶୀଳ କରିବାରେ ସେହିମାନେ ସକ୍ରିୟ ଭୂମିକା ଗ୍ରହଣ କରିବେ, ଯେଉଁମାନଙ୍କ ଜନ୍ମ ଏକବିଂଶ ଶତାବ୍ଦୀରେ ହୋଇଛି, ଯେଉଁମାନେ ଏହି ଶତାବ୍ଦୀର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ବୁଝି ବଡ଼ ହେଉଛନ୍ତି । ଏଭଳି ଯୁବଗୋଷ୍ଠୀ ଆଜି ଅନେକ ନାମରେ ପରିଚିତ । କେହି ତାଙ୍କୁ ମିଲେନିଆଲ୍ସରୂପରେ ଜାଣୁଛି, କେତେକ ତାଙ୍କୁ ଜେନେରେସନ ଜେଡ୍କିମ୍ବା ଜେନ୍ ଜେଡ୍ମଧ୍ୟ କହୁଛନ୍ତି । କିନ୍ତୁ ଗୋଟିଏ କଥା ତଲୋକମାନଙ୍କ ମନରେ ଭଲ ଭାବେ ଫିଟ୍ ହୋଇଯାଇଛି ଯେ, ଇଏ ହେଉଛି ସୋସିଆଲ୍ ମିଡିଆ ଜେନେରେସନ୍ । ଆମେ ସମସ୍ତେ ଅନୁଭବ କରୁଛୁ ଯେ, ଆମର ଏହି ପିଢ଼ି ଅତ୍ୟନ୍ତ ପ୍ରତିଭାଶାଳୀ । ସେମାନେ ସବୁବେଳେ କିଛି ନୂଆ କରିବାର, କିଛି ଭିନ୍ନ କରିବାର ସ୍ୱପ୍ନ ଦେଖନ୍ତି । ସେମାନଙ୍କ ନିଜସ୍ୱ ମତ ବି ରହିଛି ଏବଂ ସବୁଠାରୁ ଖୁସିର କଥା ହେଲା, ମୁଁ ବିଶେଷ କରି ଭାରତ ସମ୍ପର୍କରେ କହିବି ଯେ, ଆଜିର ଯୁବଗୋଷ୍ଠୀକୁ ଆମେ ଦେଖୁଛୁ, ସେମାନେ ବ୍ୟବସ୍ଥାକୁ ପସନ୍ଦ କରୁଛନ୍ତି, ସିଷ୍ଟମ ପସନ୍ଦ କରୁଛନ୍ତି । କେବଳ ସେତିକି ନୁହେଁ, ସେମାନେ ସିଷ୍ଟମ ଅନୁସରଣ କରିବାକୁ ମଧ୍ୟ ପସନ୍ଦ କରୁଛନ୍ତି ଏବଂ କେତେବେଳେ କେମିତି କେଉଁଠି ଯଦି ସିଷ୍ଟମ ଠିକ୍ ଭାବେ କାମ କରୁନାହିଁ, ତାହେଲେ ସେମାନେ ଅତିଷ୍ଠ ହୋଇପଡ଼ୁଛନ୍ତି ଏବଂ ସାହସର ସହିତ ସିଷ୍ଟମ ପ୍ରଶ୍ନ ମଧ୍ୟ କରୁଛନ୍ତି । ମୁଁ ଏହାକୁ ଉଚିତ ମନେ କରୁଛି । ଆମ ଦେଶର ଯୁବଗୋଷ୍ଠୀଙ୍କ ସମ୍ପର୍କରେ ଗୋଟିଏ କଥା ଦୃଢ଼ତାର ସହ କୁହାଯାଇପାରେ ଯେ ସେମାନେ ଅରାଜକତାକୁ ଘୃଣା କରନ୍ତି । ଅବ୍ୟବସ୍ଥା, ଅସ୍ଥିରତା, ଏସବୁକୁ ଏମାନେ ନାପସନ୍ଦ କରନ୍ତି । ପରିବାରବାଦ, ଜାତିଆଣ, ପର-ଆପଣା, ମହିଳା-ପୁରୁଷ, ଏସବୁ ଭେଦଭାବକୁ ସେମାନେ ପସନ୍ଦ କରୁନାହାନ୍ତି । ବେଳେବେଳେ ଆମେ ଦେଖୁଛୁ ଯେ, ବିମାନ ବନ୍ଦର ହେଉ କି ସିନେମା ହଲ୍, ଲୋକ ଧାଡ଼ି ବାନ୍ଧି ଠିଆ ହୋଇଥିବାବେଳେ ଯଦି କେହି ମଝିରେ ପଶିଯାଉଛି ସେତେବେଳେ ସ୍ୱର ଉତ୍ତୋଳନ କରିବାରେ ଆଗରେ ରହୁଛନ୍ତି ଏହି ଯୁବଗୋଷ୍ଠୀ । ଆମେ ଏ କଥା ମଧ୍ୟ ଦେଖୁଛୁ ଯେ, ଏମିତି କିଛି ଘଟିଲେ ଅନ୍ୟ ଯୁବବନ୍ଧୁ ସଙ୍ଗେ ସଙ୍ଗେ ନିଜର ମୋବାଇଲ୍ ଫୋନ୍ ବାହାର କରି ଏହାର ଭିଡିଓ ଉତ୍ତୋଳନ କରିଦେଉଛନ୍ତି ଏବଂ ଦେଖୁ ଦେଖୁ ସେହି ଭିଡିଓଟି ଭାଇରାଲ ମଧ୍ୟ ହୋଇଯାଉଛି ଏବଂ ଭୁଲ କରିଥିବା ଲୋକଟି ଅନୁଭବ କରୁଛି ଯେ, ଇଏ କଣ ହେଇଗଲା! ତେଣୁ, ଏକ ନୂଆ ପ୍ରକାର ବ୍ୟବସ୍ଥା, ନୂଆ ଯୁଗ, ନୂତନ ଢଙ୍ଗର ଚିନ୍ତାଧାରାକୁ ଆମର ଯୁବପିଢ଼ି ପ୍ରତିଫଳିତ କରୁଛି । ଆଜି, ଭାରତ ଏହି ପିଢ଼ିଠାରୁ ଅନେକ କିଛି ଆଶା କରୁଛି । ଏମାନଙ୍କୁ ହିଁ ଦେଶକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ । ସ୍ୱାମୀ ବିବେକାନନ୍ଦ କହିଥିଲେ  ଯେ ଯୁବପିଢ଼ି, ଆଧୁନିକ ପିଢ଼ି ଉପରେ ମୋର ବିଶ୍ୱାସ ରହିଛି, ଏମାନଙ୍କ ମଧ୍ୟରୁ ହିଁ ମୋର କାର୍ଯ୍ୟକର୍ତ୍ତା ବାହାରିବେ । ଯୁବବର୍ଗଙ୍କ ସମ୍ପର୍କରେ ସେ କହିଥିଲେ – ଯୁବାବସ୍ଥାର ମୂଲ୍ୟାଙ୍କନ କିମ୍ବା ବର୍ଣ୍ଣନା କରିହୁଏନା ।ଏହା ଜୀବନର ସବୁଠାରୁ ମୂଲ୍ୟବାନ କାଳଖଣ୍ଡ । ଆପଣ ଆପଣଙ୍କ ଯୁବାବସ୍ଥାର ଉପଯୋଗ କିଭଳି ଭାବେ କରୁଛନ୍ତି ତାହା ଉପରେ ଆପଣଙ୍କ ଭବିଷ୍ୟତ ଏବଂ ଆପଣଙ୍କ ଜୀବନ ନିର୍ଭର କରେ । ବିବେକାନନ୍ଦଙ୍କ ଅନୁସାରେ, ସିଏ ହେଉଛି ଯୁବବର୍ଗ ଯିଏ ଉତ୍ସାହ ଏବଂ ସକ୍ରିୟତାରେ ପରିପୂର୍ଣ୍ଣ ଏବଂ ପରିବର୍ତ୍ତନର ସାମର୍ଥ୍ୟ ରଖେ । ମୋର ପୂର୍ଣ୍ଣ ବିଶ୍ୱାସ ଯେ, ଭାରତରେ ଏହି ଦଶନ୍ଧି, ଏହି ଡିକେଡ କେବଳ ଯୁବବର୍ଗଙ୍କ ବିକାଶ ଦଶନ୍ଧି ହେବନି ବରଂ ଯୁବଗୋଷ୍ଠୀର ସାମର୍ଥ୍ୟ ବଳରେ ଦେଶର ଉନ୍ନତି ସାଧକ ଭାବେ ମଧ୍ୟ ପ୍ରମାଣିତ ହେବ । ଭାରତକୁ ଆଧୁନିକ କରି ଗଢ଼ି ତୋଳିବାରେ ଏହି ପିଢ଼ି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ଏହା ମୁଁ ସ୍ପଷ୍ଟ ଭାବେ ଅନୁଭବ କରୁଛି । ଆସନ୍ତା ଜାନୁଆରୀ 12 ତାରିଖରେ ବିବେକାନନ୍ଦଙ୍କ ଜୟନ୍ତୀରେ ଯେତେବେଳେ ସାରା ଦେଶ ଯୁବଦିବସ ପାଳନ କରୁଥିବ, ସେତେବେଳେ ପ୍ରତ୍ୟେକ ଯୁବକ-ଯୁବତୀ, ଏହି ଦଶନ୍ଧିରେ ନିଜର ଦାୟିତ୍ୱ ସମ୍ପର୍କରେ ନିଶ୍ଚୟ ଚିନ୍ତା କରନ୍ତୁ ଏବଂ ଏହି ଦଶନ୍ଧି ପାଇଁ କିଛି ନା କିଛି ସଂକଳ୍ପ ନିଶ୍ଚୟ ଗ୍ରହଣ କରନ୍ତୁ ।

ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କ ମଧ୍ୟରୁ ଅନେକେ ଜାଣିଥିବେ ଯେ, କନ୍ୟାକୁମାରୀର ଯେଉଁ ଶିଳା ଉପରେ ସ୍ୱାମୀ ବିବେକାନନ୍ଦ ଧ୍ୟାନମଗ୍ନ ହୋଇଥିଲେ, ସେଠାରେ ବିବେକାନନ୍ଦ ରକ୍ ମେମୋରିଆଲ୍ ନିର୍ମାଣ କରାଯାଇଛି । ଏହି ନିର୍ମାଣର ପଚାଶ ବର୍ଷ ପୂରଣ ହେଉଛି । ଗତ ପଚାଶ ବର୍ଷ ଧରି ଏହି ସ୍ଥାନ ଭାରତର ଗୌରବ ହୋଇରହିଆସିଛିକନ୍ୟାକୁମାରୀ ଦେଶ ଏବଂ ଦୁନିଆ ପାଇଁ ଗୋଟିଏ ଆକର୍ଷଣର କେନ୍ଦ୍ର ହୋଇରହିଛି । ଦେଶଭକ୍ତିରେ ପରିପୂର୍ଣ୍ଣ, ଆଧ୍ୟାତ୍ମିକ ଚେତନାକୁ ଅନୁଭବ କରିବାକୁ ଚାହୁଁଥିବା ପ୍ରତ୍ୟେକଙ୍କ ପାଇଁ ଏହା ଏକ ଶ୍ରଦ୍ଧାର କେନ୍ଦ୍ର, ଏକ ତୀର୍ଥକ୍ଷେତ୍ର । ସ୍ୱାମୀଜୀଙ୍କ ସ୍ମାରକ ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ବୟସର, ପ୍ରତ୍ୟେକ ଶ୍ରେଣୀର ଲୋକଙ୍କୁ ଦେଶଭକ୍ତି ପାଇଁ ପ୍ରେରଣା ଯୋଗାଇଛି । ଦରିଦ୍ର ନାରାୟଣଙ୍କ ସେବାର ମନ୍ତ୍ରକୁ ଆପଣେଇବାର ମାର୍ଗ ଦେଖାଇଛି । ଯିଏ ବି ସେଠାକୁ ଯାଇଛି, ତା ମଧ୍ୟରେ ଶକ୍ତିର ସଂଚାର ହେବା, ସକାରାତ୍ମକତାର ଭାବ ଜାଗ୍ରତ ହେବା, ଦେଶ ପାଇଁ କିଛି କରିବାର ଆବେଗ ସୃଷ୍ଟି ହେବା ଖୁବ ସ୍ୱାଭାବିକ ।

ଆମର ମାନନୀୟ ରାଷ୍ଟ୍ରପତି ମହୋଦୟ ମଧ୍ୟ ବିଗତ ଦିନରେ ପଚାଶ ବର୍ଷ ପୂରଣ କରିଥିବା ଏହି ରକ୍ ମେମୋରିଆଲ୍କୁ ପରିଦର୍ଶନ କରିଛନ୍ତି । ଆଉ ଏକଥାକୁ ନେଇ ମୁଁ ମଧ୍ୟ ଖୁସି ଯେ, ଆମର ଉପରାଷ୍ଟ୍ରପତି ବି ଗୁଜରାଟର କଚ୍ଛ ମରୁଭୂମିରେ ଅନୁଷ୍ଠିତ ହେଉଥିବା ଅତି ଉତ୍ତମ ରଣୋତ୍ସବକୁ ଉଦଘାଟନ କରିବା ପାଇଁ ଯାଇଥିଲେ । ଯେତେବେଳେ ଆମ ରାଷ୍ଟ୍ରପତି ମହୋଦୟ, ଉପ-ରାଷ୍ଟ୍ରପତି ମହୋଦୟ ଭାରତର ଏଭଳି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ଯାଉଛନ୍ତି, ଦେଶବାସୀଙ୍କୁ ଏଥିରୁ ନିଶ୍ଚିନ୍ତ ପ୍ରେରଣା ମିଳିପାରୁଛି – ଆପଣମାନେ ମଧ୍ୟ ନିଶ୍ଚୟ ଯାଆନ୍ତୁ ।

ମୋର ପ୍ରିୟ ଦେଶବାସୀ, ଆମେ ବିଭିନ୍ନ କଲେଜରେ, ବିଶ୍ୱବିଦ୍ୟାଳୟରେ, ବିଦ୍ୟାଳୟରେ ପଢ଼ିଥାଉ । କିନ୍ତୁ ପାଠପଢ଼ା ଶେଷ ହେବା ପରେ ଆଲୁମ୍ନି ମିଟ୍ (ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ) ଗୋଟିଏ ଖୁବ ସୁନ୍ଦର ସୁଯୋଗ ହୋଇଥାଏ, ଯେଉଁଠି ଏହି ଯୁବକ-ଯୁବତୀମାନେ ମିଶି ପୁରୁଣା ସ୍ମୃତିରେ ହଜିଯାଆନ୍ତି – ଯାହା 10ବର୍ଷ, 20 ବର୍ଷ, 25ବର୍ଷ ପଛକୁ ଚାଲିଯାଏ । କିନ୍ତୁ ବେଳେବେଳେ ଏଭଳି ଆଲୁମ୍ନି ମିଟ୍ ବିଶେଷ ଆକର୍ଷଣର କେନ୍ଦ୍ର ପାଲଟିଯାଏ । ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ ଏବଂ ଦେଶବାସୀଙ୍କ ଧ୍ୟାନ ସେ ଦିଗକୁ ଯିବା ମଧ୍ୟ ନିହାତି ଆବଶ୍ୟକ ହୋଇଥାଏ । ଆଲୁମ୍ନି ମିଟରେ ପ୍ରକୃତରେ ପୁରୁଣା ବନ୍ଧୁମାନଙ୍କ ସହ ଦେଖାହେବା, ପୁରୁଣା ସ୍ମୃତିଗୁଡ଼ିକୁ ଉଜ୍ଜିବିତ କରିବା, ଏହାର ଏକ ନିଜସ୍ୱ ଆନନ୍ଦ ରହିଛି । ଆଉ ଯେତେବେଳେ ଏହାସହିତ କୌଣସି ସାମୂହିକ ଉଦ୍ଦେଶ୍ୟ ଜଡ଼ିତ ହୋଇଯାଏ, କୌଣସି ସଂକଳ୍ପ ଥାଏ, କୌଣସି ଭାବନାତ୍ମକ ସମ୍ପର୍କ ଯୋଡ଼ି ହୋଇଯାଏ, ତେବେ ଏହା ଆହୁରି ବର୍ଣ୍ଣିଳ ହୋଇଉଠେ । ଆପଣମାନେ ଲକ୍ଷ୍ୟ କରିଥିବେ ଯେ, ଆଲୁମ୍ନି ଗ୍ରୁପ୍ ବେଳେବେଳେ ନିଜ ବିଦ୍ୟାଳୟ ପାଇଁ କିଛି ନା କିଛି ଯୋଗଦାନ ଦେଇଥାନ୍ତି । କେହି କମ୍ପ୍ୟୁଟର ସଂଯୋଗ କରିବା ପାଇଁ ସୁବିଧା କରିଦେଇଥାଏ ତ କିଏ ଭଲ ଲାଇବ୍ରେରୀ ତିଆରି କରିଦିଏ । କେହି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରଦିଅନ୍ତି ତ କେହି କେହି ନୂଆ ଶ୍ରେଣୀଗୃହ ତିଆରି କରିବାରେ ଯୋଗଦାନ ଦେଇଥାନ୍ତି । କିଛି ଲୋକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ତିଆରି କରିବା ପାଇଁ ସାହାଯ୍ୟ କରିଥାନ୍ତି । କିଛି ନା କିଛି କରିଥାନ୍ତି ଯେଉଁ ସ୍ଥାନରେ ନିଜର ଭବିଷ୍ୟତ ଗଠନ ହେଲା, ସେଥିପାଇଁ ଜୀବନରେ କିଛି କରିବାକୁ ସେମାନେ ଆନନ୍ଦ ଲାଭ କରନ୍ତି । ଏହା ସମସ୍ତଙ୍କ ମନରେ ରହିଥାଏ ଏବଂ ରହିବା ମଧ୍ୟ ଉଚିତ । ଆଉ, ଏଥିପାଇଁ ଲୋକେ ଆଗେଇ ଆସନ୍ତି । କିନ୍ତୁ, ମୁଁ ଆଜି ଗୋଟିଏ ବିଶେଷ ଅବସରକୁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପିତ କରିବାକୁ ଚାହୁଁଛି । ବିଗତ ଦିନରେ ଗଣମାଧ୍ୟମରେ ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ଭୈରୋଗଞ୍ଜ୍ ହେଲ୍ଥ ସେଂଟର କଥା ଯେତେବେଳେ ମୁଁ ଶୁଣିଲି, ମୋତେ ଏତେ ଭଲ ଲାଗିଲା ଯେ, ସେକଥା ମୁଁ ଆପଣମାନଙ୍କୁ ନ କହି ରହିପାରୁନି । ଏହି ଭୈରୋଗଞ୍ଜ ହେଲ୍ଥ ସେଂଟର ବା ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଖପାଖର ଗାଁ ଗୁଡ଼ିକର ହଜାର ହଜାର ଲୋକଙ୍କ ଭିଡ଼ ହେଲା । ଏକଥା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁ ନ ଥିବ । ଆପଣ ଭାବୁଥିବେ, ଏଥିରେ ନୂଆ କଥା କଣ ଅଛି? ଲୋକ ଆସିଥିବେ । ନାହିଁ ଆଜ୍ଞା, ବହୁତ କିଛି ନୂଆ ରହିଛି । ଏହି କାର୍ଯ୍ୟକ୍ରମ ସରକାରୀ ନ ଥିଲା । ନା କୌଣସି ସରକାରଙ୍କ ପଦକ୍ଷେପ ଥିଲା । ଏହା ସେଠାକାର କେ.ଆର୍. ହାଇସ୍କୁଲର ପୂର୍ବତନ ଛାତ୍ରଛାତ୍ରୀଙ୍କ ଆଲୁମ୍ନି ମିଟ୍ ସମୟରେ ନିଆଯାଇଥିବା ପଦକ୍ଷେପ ଥିଲା । ଏହାକୁ ସଂକଳ୍ପ-95 ନାମରେ ନାମିତ କରାଯାଇଥିଲା । ସଂକଳ୍ପ-95ର ଅର୍ଥ ହେଉଛି, ସେହି ବିଦ୍ୟାଳୟର 1995 ବ୍ୟାଚର ଛାତ୍ରଛାତ୍ରୀ ଆଲୁମ୍ନି ମିଟ  ଆୟୋଜନ କରିଥିଲେ ଏବଂ ସେଥିରେ ସେମାନେ କିଛି ଭିନ୍ନ ଧରଣର କାର୍ଯ୍ୟ କରିବାକୁ ଚିନ୍ତା କଲେ । ଏଥିରେ ପୂର୍ବତନ ଛାତ୍ରଛାତ୍ରୀ ସମାଜ ପାଇଁ କିଛି କରିବାକୁ ନିଷ୍ପତି ନେଲେ ଏବଂ ସେମାନେ ସ୍ୱାସ୍ଥ୍ୟ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଅଂଟା ଭିଡ଼ିଲେ । ସଂକଳ୍ପ95ର ଏହି ଅଭିଯାନରେ ବେତିଆର ସରକାରୀ ମେଡିକାଲ କଲେଜ ଏବଂ ଅନେକ ଡାକ୍ତରଖାନା ମଧ୍ୟ ଯୋଡ଼ି ହେଲା । ତାପରେ ସତେ ଯେମିତି ଜନସ୍ୱାସ୍ଥ୍ୟକୁ ନେଇ ଗୋଟିଏ ଅଭିଯାନ ଆରମ୍ଭ ହୋଇଗଲା । ଦେୟମୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା କଥା ହେଉ, ମାଗଣା ଔଷଧ ଦେବା କଥା ହେଉ କି ସଚେତନତା ସୃଷ୍ଟିକରିବା କଥା ହେଉ, ସଂକଳ୍ପ-95 ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ସୃଷ୍ଟି କରିଛି । ଆମେ ପ୍ରାୟ ଏ କଥା କହିଥାଉ ଯେ, ପ୍ରତ୍ୟେକ ନାଗରିକ ଗୋଟିଏ ପାଦ ଆଗକୁ ବଢା଼ଇଲେ, ଦେଶର 130 କୋଟି ପାଦ ଆଗକୁ ବଢ଼ିଥାଏ । ଏଭଳି କଥା ଯେତେବେଳେ ସମାଜରେ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ମିଳେ, ସେତେବେଳେ ସମସ୍ତେ ଆନନ୍ଦ ଅନୁଭବ କରିଥାନ୍ତି, ସନ୍ତୁଷ୍ଟି ଲାଭ କରିଥାନ୍ତି ଏବଂ ଜୀବନରେ କିଛି କରିବାର ପ୍ରେରଣା ମଧ୍ୟ ଲାଭ କରିଥାନ୍ତି । ଗୋଟିଏ ପଟେ ବିହାରର ବେତିଆରେ ଯେଭଳି ପୂର୍ବତନ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଗେଇ ଆସିଲେ, ସେହିଭଳି ଉତ୍ତରପ୍ରଦେଶର ଫୁଲପୁରର କିଛି ମହିଳା ନିଜର ଉତ୍ସାହ ଦ୍ୱାରା ସମ୍ପୂର୍ଣ୍ଣ ଅଂଚଳବାସୀଙ୍କୁ ପ୍ରେରଣା ଯୋଗାଇଛନ୍ତି । ଏହି ମହିଳାମାନେ ପ୍ରମାଣିତ କରିଦେଇଛନ୍ତି ଯେ, ଯଦି ସମସ୍ତେ ମିଶି କୌଣସି ସଂକଳ୍ପ ଗ୍ରହଣ କରନ୍ତି, ତେବେ ପରିସ୍ଥିତିକୁ ବଦଳାଇବାରୁ କେହି ବିରତ କରିପାରିବେନି । କିଛିବର୍ଷ ପୂର୍ବେ ଫୁଲପୁରର ଏହି ମହିଳାମାନେ ଆର୍ଥିକ ଅଭାବଗ୍ରସ୍ତ ଥିଲେ ଆଉ ଦାରିଦ୍ର‌୍ୟକୁ ନେଇ ଚିନ୍ତିତ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ନିଜ ପରିବାର ଏବଂ ସମାଜ ପାଇଁ କିଛି କରିବାର ତୀବ୍ର ଇଚ୍ଛା ଥିଲା । ଏହି ମହିଳାମାନେ କାଦିପୁରର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଯୋଡ଼ିହୋଇ ଚପଲ ତିଆରି କରିବାର କୌଶଳ ଶିକ୍ଷା କଲେ । ଏହାଦ୍ୱାରା ସେମାନେ କେବଳ ଯେ ନିଜ ପାଦରେ ଫୋଡ଼ି ହେଉଥିବା ଅସହାୟତାର କଂଟାକୁ କାଢ଼ି ଫୋପାଡ଼ି ଦେଲେ, ତାହାନୁହେଁ ବରଂ ଆତ୍ମନିର୍ଭରଶୀଳ ହୋଇ ନିଜ ପରିବାର ପାଇଁ ସମ୍ବଳ ପାଲଟିଗଲେ । ଗ୍ରାମୀଣ ଜୀବିକା ମିଶନ ସହାୟତାରେ ଏବେ ଏଠି ଜୋତା ତିଆରି କାରଖାନା ସ୍ଥାପିତ ହୋଇଛି, ଯେଉଁଠି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଜୋତା ତିଆରି କରାଯାଉଛି । ସ୍ଥାନୀୟ ପୋଲିସ ଓ ତାଙ୍କ ପରିବାରଗୁଡ଼ିକୁ ମୁଁ ବିଶେଷ ଭାବେ ଧନ୍ୟବାଦ ଦେବାକୁ ଚାହେଁ ଯେ ସେମାନେ ନିଜ ପାଇଁ ତଥା ନିଜ ପରିଜନଙ୍କ ପାଇଁ ଏହି ମହିଳାମାନଙ୍କ ଦ୍ୱାରା ତିଆରି ହୋଇଥିବା ଜୋତାସବୁ କିଣି ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି । ଆଜି ଏହି ମହିଳାମାନଙ୍କର ଦୃଢ଼ସଂକଳ୍ପ ଯୋଗୁଁ କେବଳ ସେମାନଙ୍କ ପରିବାରର ଆର୍ଥିକ ସ୍ଥିତି ସୁଧୁରିଯାଇଛି, ସେକଥା ନୁହେଁ, ବରଂ ସେମାନଙ୍କ ଜୀବନଧାରଣ ମାନ ମଧ୍ୟ ବୃଦ୍ଧି ପାଇଛି । ଯେତେବେଳେ ଫୁଲପୁରର ପୋଲିସକର୍ମୀ ଅବା ତାଙ୍କ ପରିଜନମାନଙ୍କର କଥା ଶୁଣେ, ସେତେବେଳେ ଆପଣମାନଙ୍କର ମନେଥିବ ମୁଁ ଅଗଷ୍ଟ 15 ତାରିଖ ଦିନ ଲାଲକିଲାରୁ ଦେଶବାସୀଙ୍କୁ ନିବେଦନ କରିଥିଲି ଯେ ଆମେ ସମସ୍ତେ ସ୍ଥାନୀୟ ଉତ୍ପାଦ କିଣାକିଣି ପ୍ରତି ରୁଚି ରଖିବା ଦରକାର । ଆଜି ପୁଣିଥରେ ମୁଁ ଏକଥା ଆପଣମାନଙ୍କୁ କହିବାକୁ ଚାହେଁ, ଆମେ କଣ ସ୍ଥାନୀୟ ରୂପେ ଉତ୍ପାଦିତ ହେଉଥିବା ଉତ୍ପାଦନଗୁଡ଼ିକୁ ପ୍ରୋତ୍ସାହନ ଦେଇପାରିବା ନାହିଁ? ଆମେ କଣ ନିଜ କିଣାକିଣି ଭିତରେ ଏହି ଉତ୍ପାଦିତ ବସ୍ତୁଗୁଡ଼ିକୁ ପ୍ରାଥମିକତା ଦେଇପାରିବା ନାହିଁ? ଆମେ କଣ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ଆମର ମାନ, ମର୍ଯ୍ୟାଦା ଓ ପ୍ରତିଷ୍ଠା ସହ ଯୋଡ଼ିଦେଇପାରିବା ନାହିଁ? ଆମେ କଣ ଏହି ଭାବଧାରା ସହ ନିଜ ଦେଶବାସୀଙ୍କ ସମୃଦ୍ଧିର ମାଧ୍ୟମ ହୋଇପାରିବା ନାହିଁ? ବନ୍ଧୁଗଣ, ମହାତ୍ମାଗାନ୍ଧୀ ସ୍ୱଦେଶୀର ଏହି ଭାବନାକୁ ଏପରି ଏକ ପ୍ରଦୀପ ରୂପେ ସ୍ଥାପିତ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଆଲୋକିତ କରିଚାଲିଛି । ଗରିବରୁ ଗରିବ ଲୋକର ଜୀବନରେ ସମୃଦ୍ଧି ଭରିଦେଇଛି । ଶହେବର୍ଷ ତଳେ ଗାନ୍ଧୀଜୀ ଏପରି ଏକ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାର ଏକମାତ୍ର ଲକ୍ଷ୍ୟ ଥିଲା ଭାରତୀୟ ଉତ୍ପାଦିତ ବସ୍ତୁଗୁଡ଼ିକୁ ପ୍ରୋତ୍ସାହିତ କରିବା । ଆତ୍ମନିର୍ଭରଶୀଳ ହେବାର ଏହି ରାସ୍ତା ଗାନ୍ଧୀଜୀ ଆମମାନଙ୍କୁ ଦେଖାଇଥିଲେ । ଦୁଇ ହଜାର ବାଇଶ ମସିହା (2022)ରେ ଆମେ ଆମ ସ୍ୱାଧୀନତାର 75 ବର୍ଷ ପୂରଣ କରିବା । ଯେଉଁ ସ୍ୱାଧୀନ ଭାରତରେ ଆଜି ଆମେ ବଂଚିରହିଛେ, ସେହି ଭାରତକୁ ସ୍ୱାଧୀନ କରାଇବା ପାଇଁ ଅଗଣିତ ନର-ନାରୀ ତଥା ବରପୁତ୍ରମାନେ ଅକଥନୀୟ ଯାତନା ଭୋଗ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆତ୍ମବଳିଦାନ ମଧ୍ୟ ଦେଇଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କର ତ୍ୟାଗ, ତପସ୍ୟା ଓ ଆତ୍ମବଳିଦାନ ଦ୍ୱାରା ଆମେ ଯେଉଁ ସ୍ୱାଧୀନତା ଲାଭ କରିଛେ, ଆମେ ଯେଉଁ ସ୍ୱାଧୀନତାକୁ ମନଭରି ଉପଭୋଗ କରିଚାଲିଛେ, ସ୍ୱାଧୀନ ଭାବେ ଆମେ ଯେଉଁ ଜୀବନ ଅତିବାହିତ କରିଚାଲିଛେ, ଏ ବାବଦରେ ଦେଶ ପାଇଁ ସଂଘର୍ଷ କରିଥିବା, ଆତ୍ମବଳିଦାନ ଦେଇଥିବା ନିଜ ଜୀବନକୁ ତିଳତିଳ କରି ଜାଳିଥିବା ଅନେକ ନାମକରା ତଥା ଅନାମଧ୍ୟେୟ ଲୋକଙ୍କ ମଧ୍ୟରୁ ବୋଧହୁଏ ଆମେ ଖୁବ୍ କମ୍ ଲୋକଙ୍କ ନାଁ ଜାଣିଛେ । କିନ୍ତୁ ସେହି ସ୍ୱପ୍ନକୁ ନେଇ, ସ୍ୱାଧୀନ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ତଥା ସୁଖୀ, ସଂପନ୍ନ ଓ ସମୃଦ୍ଧଶାଳୀ ସ୍ୱାଧୀନ ଭାରତର ନିର୍ମାଣ ନିମନ୍ତେ ସେମାନେ ଆତ୍ମବଳିଦାନ ଦେଇଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ, 2022 ମସିହାରେ ସ୍ୱାଧୀନତାର 75 ବର୍ଷ ପୂରଣ ହେଉଛି । ଆମେ କଣ ଏହି ସଂକଳ୍ପ କରିପାରିବା ନାହିଁ ଯେ ଅତି କମରେ ଏହି ଦୁଇତିନି ବର୍ଷ ଆମେ ସ୍ଥାନୀୟ ଉତ୍ପାଦଗୁଡ଼ିକର କିଣାକିଣି ପ୍ରତି ଆଗ୍ରହ ରଖିବା । ଆମେ କଣ ଭାରତରେ ତିଆରି, ଆମ ଦେଶବାସୀଙ୍କ ହାତରେ ନିର୍ମିତ ଦେଶବାସୀଙ୍କ ଝାଳର ବାସ୍ନା ଭରିଥିବା ଏହି ବସ୍ତୁଗୁଡ଼ିକୁ କିଣିବା ପାଇଁ ଆଗ୍ରହ ପ୍ରଦର୍ଶନ କରିବା ନାହିଁ? ମୁଁ ଅଧିକ ସମୟ ପାଇଁ ଏକଥା କହୁନାହିଁ, ମାତ୍ର 2022 ମସିହା ପର୍ଯ୍ୟନ୍ତ, ସ୍ୱାଧୀନତାର 75 ବର୍ଷ ପୂରଣ ହେବା ପର୍ଯ୍ୟନ୍ତ । ହଁ, ଏସବୁ କାମ ସରକାରୀ ହେବା ଆବଶ୍ୟକ ନୁହେଁ, ଏଥିପାଇଁ ସବୁ ଜାଗାର ଯୁବବର୍ଗ ଆଗେଇ ଆସନ୍ତୁ, ଛୋଟ-ଛୋଟ ସଂଗଠନ ଗଢ଼ିତୋଳନ୍ତୁ, ଲୋକମାନଙ୍କୁ ବୁଝାନ୍ତୁ, ପ୍ରେରିତ କରନ୍ତୁ ଓ ସ୍ଥିର କରନ୍ତୁ ଯେ ଆସ ଆମେ ସମସ୍ତେ ସ୍ଥାନୀୟ ଜିନିଷ କିଣିବା । ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟଗୁଡ଼ିକୁ ପ୍ରୋତ୍ସାହିତ କରିବା । ଯେଉଁ ଜିନିଷର ନିର୍ମାଣରେ ଦେଶବାସୀଙ୍କର ଝାଳର ବାସ୍ନା ଭରିରହିଛି, ସେହିସବୁ ଦ୍ରବ୍ୟକୁ ଉପଯୋଗ କରିବା । ତାହାହିଁ ହେବ ଆମ ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ କ୍ଷଣ । ଏହିସବୁ ସ୍ୱପ୍ନକୁ ସାଉଁଟି ଆମେ ଅଗ୍ରସର ହେବା ।

ମୋର ପ୍ରିୟ ଦେଶବାସୀ, ଦେଶର ନାଗରିକମାନେ ଆତ୍ମନିର୍ଭରଶୀଳ ହୁଅନ୍ତୁ ଓ ସମ୍ମାନର ସହ ଜୀବନ ଅତିବାହିତ କରନ୍ତୁ ଏହା ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣମୁଁ ଏପରି ଏକ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରିବାକୁ ଚାହେଁ ଯାହା ମୋର ଧ୍ୟାନ ଆକର୍ଷଣ କରିଛି ଆଉ ସେହି କାର୍ଯ୍ୟକ୍ରମଟି ହେଉଛି ଜମ୍ମୁ-କଶ୍ମୀର ଓ ଲଦାଖର ହିମାୟତ ପ୍ରୋଗ୍ରାମ । ବାସ୍ତବରେ ହିମାୟତ ଦକ୍ଷତା ବିକାଶ ଓ ରୋଜଗାର ସହ ଜଡ଼ିତ । ଏଥିରେ 15 ବର୍ଷରୁ 35 ବର୍ଷ ପର୍ଯ୍ୟନ୍ତ ତରୁଣ ଓ ଯୁବକମାନେ ସାମିଲ ହୋଇଛନ୍ତି । ଏମାନେ ହେଉଛନ୍ତି ଜମ୍ମୁ-କଶ୍ମୀରର ସେହି ଲୋକ, ଯେଉଁମାନଙ୍କର ପାଠପଢ଼ା କୌଣସି କାରଣବଶତଃ ଶେଷ ହୋଇପାରିନାହିଁ । ଅଧାରୁ ହିଁ ଏମାନଙ୍କୁ ସ୍କୁଲ-କଲେଜ ଛାଡ଼ିବାକୁ ପଡ଼ିଛି ।

ମୋର ପ୍ରିୟ ଦେଶବାସୀ, ଆପଣମାନେ ଜାଣି ଖୁବ୍ ଖୁସି ହେବେ ଯେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଗତ ଦୁଇବର୍ଷ ମଧ୍ୟରେ 18 ହଜାର ଯୁବକଙ୍କୁ 77ଟି ଭିନ୍ନ-ଭିନ୍ନ ଟ୍ରେଡରେ ପ୍ରଶିକ୍ଷଣ ଦିଆଯାଇଛି । ଏମାନଙ୍କ ମଧ୍ୟରୁ ପାଖାପାଖି ପାଞ୍ଚ ହଜାର ଲୋକ କେଉଁଠି ନା କେଉଁଠି ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ଅନେକ ଲୋକ ସ୍ୱାବଲମ୍ବୀ ହୋଇପାରିଛନ୍ତି । ହିମାୟତ ପ୍ରୋଗ୍ରାମ ଜରିଆରେ ନିଜ ଜୀବନଧାରଣର ମାନ ବଦଳାଇପାରିଥିବା ଏହି ଲୋକମାନଙ୍କର ଯେଉଁ କାହାଣୀ ଆଜି ଶୁଣିବାକୁ ମିଳିଲା, ସତରେ ଏହା ଅତ୍ୟନ୍ତ ହୃଦୟସ୍ପର୍ଶୀ ।

ତାମିଲନାଡୁର ତିରୁପୁରରେ ଏକ ପୋଷାକ ତିଆରି କାରଖାନାରେ କାର୍ଯ୍ୟରତ ପରୱିନ ଫାତିମା ପଦୋନ୍ନତି ପାଇବା ପରେ ସୁପରଭାଇଜର ତଥା କୋଅର୍ଡିନେଟର ହୋଇଛନ୍ତି । ବର୍ଷେ ତଳେ ସେ କାରଗିଲର ଏକ ଛୋଟିଆ ଗାଁରେ ରହୁଥିଲେ । ଆଜି ତାଙ୍କ ଜୀବନରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତିତାଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇପାରିଛି । ଆତ୍ମନିର୍ଭରଶୀଳ ହେବା ସଙ୍ଗେ ସଙ୍ଗେ ସେ ତାଙ୍କ ପରିବାର ପାଇଁ ଆର୍ଥିକ ଉନ୍ନତିର ମାର୍ଗ ପ୍ରଶସ୍ତ କରିପାରିଛନ୍ତି । ହିମାୟତ ପ୍ରୋଗ୍ରାମ ଦ୍ୱାରା ପରୱିନ ଫାତିମାଙ୍କ ଭଳି ଲେହ-ଲଦାଖରେ ବସବାସ କରୁଥିବା ଝିଅମାନଙ୍କର ଭାଗ୍ୟ ବି ପରିବର୍ତ୍ତିତ ହୋଇଛି । ଆଜି ଏମାନେ ତାମିଲନାଡୁର ସେହି ଫାର୍ମରେ କାମ କରୁଛନ୍ତି । ସେହିଭଳି ହିମାୟତ, ଡୋଡା ନିବାସୀ ଫିୟାଜ୍ ଅହମଦଙ୍କ ପାଇଁ ବରଦାନ ସଦୃଶ ଉଭାହୋଇଛି । 2012 ମସିହାରେ ଫିୟାଜ୍ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାସ୍ କଲେ, କିନ୍ତୁ ଅସୁସ୍ଥତା ଯୋଗୁଁ ଆଗକୁ ନିଜର ପାଠପଢ଼ା ଜାରି ରଖିପାରିଲେ ନାହିଁ । ଦୁଇବର୍ଷ ପର୍ଯ୍ୟନ୍ତ ଫିୟାଜ ହୃଦରୋଗର ଶୀକାର ହେଲେ । ଏହାଭିତରେ ତାଙ୍କର ଜଣେ ଭାଇ ଓ ଜଣେ ଭଉଣୀ ମଧ୍ୟ ମୃତ୍ୟୁବରଣ କଲେ । କହିବାକୁ ଗଲେ ତାଙ୍କ ପରିବାର ଉପରେ ବିପତ୍ତିର ପାହାଡ଼ ଭାଙ୍ଗିପଡ଼ିଲା ପରିଶେଷରେ ତାଙ୍କୁ ହିମାୟତରୁ ସହାୟତା ମିଳିଲା । ହିମାୟତ ଜରିଆରେ ତାଙ୍କୁ ଆଇଟିଇଏସ ଅର୍ଥାତ ଇନଫର୍ମେସନ ଟେକନୋଲଜି ଏନେବଲ୍ଡ ସର୍ଭିସେସରେ ପ୍ରଶିକ୍ଷଣ ମିଳିଲା । ସେ ବର୍ତ୍ତମାନ ପଞ୍ଜାବରେ ଚାକିରି କରୁଛନ୍ତି ।

ଏହି ପ୍ରଶିକ୍ଷଣ ସହ ଏକାସଙ୍ଗେ ଫିୟାଜ୍ ଅହମ୍ମଦ ସ୍ନାତକ ମଧ୍ୟ କରୁଥିଲେ ଯାହା ଏବେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ଏବେ ହିମାୟତର ଏକ କାର୍ଯ୍ୟକ୍ରମରେ ନିଜର ଅନୁଭବ ବ୍ୟକ୍ତ କରିବା ପାଇଁ ତାଙ୍କୁ ଡକାଯାଇଥିଲା । ନିଜର ଅନୁଭବ କହୁ କହୁ ତାଙ୍କ ଆଖିରେ ଲୁହ ଭରିଯାଇଥିଲା । ଏହିପରି ଆର୍ଥିକ ଅନଟନ ଯୋଗୁଁ ଅନନ୍ତନାଗର ରକୀବ-ଉଲ-ରହମାନ ନିଜର ପାଠପଢ଼ା ସାରିପାରିଲେ ନାହିଁ । ଥରେ ନିଜ ବ୍ଲକରେ ଚାଲିଥିବା ସଚେତନତା ଶିବିର ମାଧ୍ୟମରେ ରକୀବ ହିମାୟତ ପ୍ରୋଗ୍ରାମ ବିଷୟରେ ଜାଣିପାରିଲେ । ରକୀବ ସଙ୍ଗେ ସଙ୍ଗେ ରିଟେଲ ଟିମ ଲିଡର କୋର୍ସରେ ନାମ ଲେଖାଇଲା । ଏଠି ଟ୍ରେନିଂ ସରିବା ପରେ ଆଜି ସେ କର୍ପୋରେଟ୍ ହାଉସରେ ଚାକିରି କରୁଛନ୍ତି । ହିମାୟତ ମିଶନଦ୍ୱାରା ଲାଭାନ୍ୱିତ ପ୍ରତିଭାଶାଳୀ ଯୁବକମାନଙ୍କର ଏପରି ଅନେକ ଉଦାହରଣ ରହିଛି ଯେଉଁମାନେ ଆଜି ଜମ୍ମୁ-କଶ୍ମୀରରେ ପରିବର୍ତ୍ତନର ପ୍ରତୀକ ରୂପେ ଉଭା ହୋଇଛନ୍ତି । ହିମାୟତ କାର୍ଯ୍ୟକ୍ରମ, ସରକାର, ଟ୍ରେନିଙ୍ଗ ପାର୍ଟନର, ଚାକିରି ଦେଉଥିବା କମ୍ପାନୀ ଓ ଜମ୍ମୁ-କଶ୍ମୀର ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍କୃଷ୍ଟ ସହଯୋଗର ଏକ ଆଦର୍ଶ ଉଦାହରଣ । ଏହି କାର୍ଯ୍ୟକ୍ରମ ଜମ୍ମୁ-କଶ୍ମୀରର ଯୁବକମାନଙ୍କ ମଧ୍ୟରେ ଏକ ନୂତନ ଆତ୍ମବିଶ୍ୱାସ ସଂଚାର କରି ଆଗକୁ ଅଗ୍ରସର ହେବାର ରାସ୍ତା ପ୍ରଶସ୍ତ କରିଛି ।

ମୋର ପ୍ରିୟ ଦେଶବାସୀ, 26 ତାରିଖ ଦିନ ଆମେ ଏହି ଦଶକର ଅନ୍ତିମ ସୂର୍ଯ୍ୟପରାଗ ଦେଖିଲେ । ବୋଧହୁଏ ସୂର୍ଯ୍ୟପରାଗର ଏହି ଘଟଣାକୁ ଦୃଷ୍ଟିରେ ରଖି ମାଇଁ ଗଭରେ ବହୁ ଆଗରୁ ରିପୁନ ଏକ ଆକର୍ଷଣୀୟ କମେଂଟ ଲେଖିଥିଲେ । ସେ ଲେଖିଥିଲେ ….. ନମସ୍କାର ସାର୍, ମୋ ନାଁ ରିପୁନ … ମୁଁ ଉତ୍ତର-ପୂର୍ବାଂଚଳର ଅଧିବାସୀ । କିନ୍ତୁ ଆଜିକାଲି ଦକ୍ଷିଣରେ କାମ କରୁଛି । ମୁଁ ଗୋଟିଏ କଥା ଆପଣଙ୍କ ସହ ଶେୟାର କରିବାକୁ ଚାହେଁ । ମୋର ମନେଅଛି ଆମ ଅଂଚଳରେ ଆକାଶ ନିର୍ମଳ ଥିବା ଯୋଗୁଁ ଆମେ ଘଂଟା ଘଂଟା ଧରି ଆକାଶରେ ଦୃଶ୍ୟମାନ ତାରାମାନଙ୍କୁ ଅପଲକ ନେତ୍ରରେ ଦେଖୁଥିଲୁ । ତାରାମାନଙ୍କୁ ଦେଖିବା ମୋତେ ଖୁବ୍ ଭଲଲାଗେ । ଏବେ ମୁଁ ଜଣେ ପେସାଦାର । ନିଜର ଦୈନନ୍ଦିନ କାର୍ଯ୍ୟ ଯୋଗୁଁ ଏବେ ମୁଁ ଏସବୁ ଜିନିଷ ପାଇଁ ସମୟ ଦେଇପାରୁନି … ଆପଣ କଣ ଏ ବିଷୟରେ କିଛି କହିବେ କି? ବିଶେଷ ଭାବେ ଜ୍ୟୋତିର୍ବିଜ୍ଞାନକୁ ଯୁବକମାନଙ୍କ ମଧ୍ୟରେ କିପରି ଲୋକାଦୃତ କରାଯାଇପାରିବ?’

ମୋର ପ୍ରିୟ ଦେଶବାସୀ, ମୋ ପାଖକୁ ଅନେକ ପରାମର୍ଶ ଆସେକିନ୍ତୁ ମୁଁ ଏକଥା କହିପାରିବି ଯେ ଏପରି ପରାମର୍ଶ ବୋଧହୁଏ ମୋ ପାଖକୁ ପ୍ରଥମ ଥର ପାଇଁ ଆସିଛି । ସେମିତି ଦେଖିଲେ ବିଜ୍ଞାନ ସମ୍ପର୍କିତ ଅନେକ ବିଷୟ ଉପରେ ଆଲୋଚନା କରିବାର ସୁଯୋଗ ମିଳିଛି । ବିଶେଷରୂପେ ଯୁବପିଢ଼ିର ଆଗ୍ରହକୁ ଦେଖି ମୋତେ ଏହା ଉପରେ ଆଲୋଚନା କରିବାର ସୁଯୋଗ ମିଳିଛି । କିନ୍ତୁ ଏ ବିଷୟ ତ ଏପର୍ଯ୍ୟନ୍ତ ଅନାଲୋଚିତ ହୋଇରହିଥିଲା । ଏବେ 26 ତାରିଖ ଦିନ ସୂର୍ଯ୍ୟପରାଗ ହେଲା । ସୂର୍ଯ୍ୟପରାଗ ପରେ ଲାଗୁଛି ବୋଧହୁଏ ଏହି ବିଷୟ ଉପରେ ଆପଣମାନଙ୍କର ବି କିଛି ନା କିଛି ଆଗ୍ରହ ରହିଥିବ ।

26 ତାରିଖ ଦିନ ଯେଉଁ ସୂର୍ଯ୍ୟପରାଗ ହେଲା ତାକୁ ଦେଖିବା ପାଇଁ ସମସ୍ତ ଦେଶବାସୀ ଓ ବିଶେଷକରି ମୋର ଯୁବବନ୍ଧୁମାନଙ୍କ ଭଳି ମୋର ମଧ୍ୟ ବହୁତ ଉତ୍ସାହ ଥିଲା ଆଉ ମୁଁ ବି ସୂର୍ଯ୍ୟପରାଗ ଦେଖିବାକୁ ଚାହୁଁଥିଲି । କିନ୍ତୁ ଅବସୋସର ବିଷୟ ସେଦିନ ଦିଲ୍ଲୀ ଆକାଶରେ ବାଦଲ ଢାଙ୍କି ହୋଇରହିଲା, ଫଳରେ ମୁଁ ସେ ଆନନ୍ଦରୁ ବଂଚିତ ହେଲି । କିନ୍ତୁ ଟିଭି ମାଧ୍ୟମରେ କୋଝିକୋଡ୍ ଏବଂ ଭାରତର ଅନ୍ୟ ସ୍ଥାନରେ ଦୃଶ୍ୟମାନ ହୋଇଥିବା ସୂର୍ଯ୍ୟପରାଗର ସୁନ୍ଦର ଛବି ମୋତେ ଦେଖିବାକୁ ମିଳିଥିଲା । ସୂର୍ଯ୍ୟ ଉଜ୍ଜ୍ୱଳ ବଳୟ ଭଳି ଦେଖାଯାଉଥିଲା । ସେଦିନ ଏହି ବିଷୟର କେତେକ ବିଶେଷଜ୍ଞମାନଙ୍କ ସହ କଥା ହେବାର ସୁଯୋଗ ମିଳିଲା । ସେମାନେ କହିଲେ ଯେ ଚନ୍ଦ୍ର ପୃଥିବୀଠାରୁ ବହୁତ ଦୂରରେ ଥିବାରୁ ତାର ଆକାର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କିଦେବା ସମ୍ଭବ ହୁଏନାହିଁ, ତେଣୁ ଏଭଳି ଗୋଟିଏ ରିଙ୍ଗର ଆକୃତି ଦେଖିବାକୁ ମିଳେ । ଏହି ସୂର୍ଯ୍ୟ ପରାଗଟି ଗୋଟିଏ ବାର୍ଷିକ ସୂର୍ଯ୍ୟପରାଗ ଯାହାକୁ ଆମେ ବଳୟ ସୂର୍ଯ୍ୟପରାଗ ବା କୁଣ୍ଡଳ ପରାଗ ମଧ୍ୟ କହିଥାଉ । ପରାଗ ଆମକୁ ପୃଥିବୀ ଉପରେ ଥାଇ ମହାକାଶରେ ବୁଲିଲା ଭଳି ସ୍ମୃତି ଆଣିଦିଏ । ମହାକାଶରେ ସୂର୍ଯ୍ୟ, ଚନ୍ଦ୍ରଙ୍କ ଭଳି ଆହୁରି ଅନେକ ଖଗୋଳୀୟ ପିଣ୍ଡ ବୁଲୁଛନ୍ତି । ଚନ୍ଦ୍ରର ଛାଇ ଦ୍ୱାରା ହିଁ ଆମକୁ ଗ୍ରହଣର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳେ । ବନ୍ଧୁଗଣ! ଭାରତରେ ଜ୍ୟୋତିର୍ବିଜ୍ଞାନର ବହୁତ ଗୌରବମୟ ଇତିହାସ ରହିଛି । ଆମ ସଭ୍ୟତା ଯେତିକି ପ୍ରାଚୀନ, ଆକାଶରେ ମିଞ୍ଜି ମିଞ୍ଜି କରୁଥିବା ତାରାମାନଙ୍କ ସହିତ ଆମର ସମ୍ପର୍କ ବି ସେତିକି ପ୍ରାଚୀନ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ଜାଣିଥିବେ ଯେ ଭାରତର ଭିନ୍ନ ଭିନ୍ନ ସ୍ଥାନରେ ଦେଖିଲା ଭଳି ଅନେକ ଯନ୍ତର-ମନ୍ତର ଅଛି । ଆଉ ଏହି ଯନ୍ତର-ମନ୍ତରଗୁଡ଼ିକର ଖଗୋଳ ଶାସ୍ତ୍ର ବା ଜ୍ୟୋର୍ତିବିଜ୍ଞାନ ସହିତ ଗଭୀର ସମ୍ପର୍କ ରହିଛି ମହାନ ଆର୍ଯ୍ୟଭଟ୍ଟଙ୍କର ବିଲକ୍ଷଣ ପ୍ରତିଭା ବିଷୟରେ କିଏ ବା ନ ଜାଣେ । ତାଙ୍କ ସମୟରେ ସେ ସୂର୍ଯ୍ୟପରାଗ ସଙ୍ଗେ ସଙ୍ଗେ ଚନ୍ଦ୍ରଗ୍ରହଣ ବିଷୟରେ ମଧ୍ୟ ସୁବିସ୍ତୃତ ବ୍ୟାଖ୍ୟା କରିଥିଲେ । ସେହି ବ୍ୟାଖ୍ୟା ସେ ଦର୍ଶନଶାସ୍ତ୍ର ଏବଂ ଗଣିତ ଉଭୟ ବିଦ୍ୟା ଅନୁସାରେ କରିଛନ୍ତି । ଗଣିତଶାସ୍ତ୍ର ଅନୁସାରେ ପୃଥିବୀର ପ୍ରତିବିମ୍ବ ବା ଛାଇର ଗଣନା ଆମେ କେମିତି କରିପାରିବା ସେ ବିଷୟରେ ସେ ଆମମାନଙ୍କୁ ସଠିକ୍ ସୂଚନା ଦେଇଛନ୍ତି । ଭାସ୍କରଙ୍କ ଭଳି ତାଙ୍କର ଅନେକ ଶିଷ୍ୟ ଏହି ତଥ୍ୟ ଏବଂ ଜ୍ଞାନକୁ ଆଗେଇନେବାକୁ ଅନେକ ପ୍ରୟାସ କରିଥିଲେ । ପରବର୍ତ୍ତୀ କାଳରେ ଚତୁର୍ଦ୍ଦଶ-ପଞ୍ଚଦଶ ଶତାବ୍ଦୀ ବେଳକୁ କେରଳର ସଂଗମ୍ ଗ୍ରାମର ମାଧବ ସୌରଜଗତରେ ଥିବା ଗ୍ରହମାନଙ୍କର ଗଣନା କରିବା ପାଇଁ କାଲକୁଲସର ପ୍ରୟୋଗ କରିଥିଲେ । ରାତିରେ ଦେଖାଯାଉଥିବା ଆକାଶ ଖାଲି ଜିଜ୍ଞାସାର ବିଷୟ ନ ଥିଲା ବରଂ ଗଣିତ ଦୃଷ୍ଟିକୋଣରୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଥିଲା ।

କିଛିବର୍ଷ ପୂର୍ବେ ମୁଁ ପ୍ରିମଡର୍ଣ୍ଣ କଚ୍ଛି ନାଭିଗେସନ ଟେକନିକ ଆଣ୍ଡ ଭୋୟୋଜେସନାମକ ପୁସ୍ତକର ଉନ୍ମୋଚନ କରିଥିଲି । ଏହି ପୁସ୍ତକଟିକୁ ଗୋଟିଏ ଦୃଷ୍ଟିରୁ ମାଲମଙ୍କ ଡାଇରୀ ବୋଲି କୁହାଯାଇପାରିବ । ମାଲମ୍ ଜଣେ ନାବିକ ଭାବରେ ଯାହା ଅନୁଭବ କରିଥିଲେ ସେଗୁଡ଼ିକୁ ସେ ତାଙ୍କ ଡାଇରୀରେ ନିଜ ହିସାବରେ ଲିପିବଦ୍ଧ କରିଥିଲେ । ଆଧୁନିକ ଯୁଗରେ ସେହି ମାଲମଙ୍କର ପୋଥି ଯାହାକି ଗୁଜରାଟୀ ଭାଷାର ପାଣ୍ଡୁଲିପି ଭାବେ ସଂଗୃହୀତ ହୋଇଛି ସେଥିରେ ନାଭିଗେସନ ନେକନୋଲୋଜି ବା ଦିଗ ନିର୍ଣ୍ଣୟ ପ୍ରଯୁକ୍ତିର ବର୍ଣ୍ଣନା ରହିଛି । ଆଉ ସେହି ମାଲମ୍ ନୀ ପୋଥିରେ ଆକାଶର ତାରା …. ତାରାର ଗତି ଆଦି ବିଷୟରେ ବର୍ଣ୍ଣନା କରାଯାଇଛି ତଥା ସ୍ପଷ୍ଟ ଭାବେ କୁହାଯାଇଛି ଯେ ସମୁଦ୍ର ଯାତ୍ରା ସମୟରେ ତାରାମାନଙ୍କ ସାହାଯ୍ୟରେ ଦିଗ ନିର୍ଣ୍ଣୟ କରାଯାଇଥାଏ । ତାରା ହିଁ ଲକ୍ଷ୍ୟସ୍ଥଳରେ ପହଂଚିବାର ରାସ୍ତା ଦେଖାଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଭାରତ ବହୁତ ଆଗକୁ ଯାଇସାରିଛି । ଆମର ଉଦ୍ୟମ ମଧ୍ୟ ନୂତନ ରାସ୍ତା ଦେଖାଇଛି । ଆମ ଦେଶର ପୁଣେ ନିକଟରେ ଏକ ବିଶାଳକାୟ ମିଟର ୱେଭ ଟେଲିସ୍କୋପ ରହିଛି । ଖାଲି ସେତିକି ନୁହେଁ କୋଡ଼ାଇକାନାଲ, ଉଦକମଣ୍ଡଳମ୍ ବା ଉଟି, ଗୁରୁଶିଖର ଏବଂ ହାନ୍ଲେ ଲଦାଖରେ ମଧ୍ୟ ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଅଛି । 2016 ମସିହାରେ ବେଲଜିୟମରତ୍କାଳୀନ ପ୍ରଧାନମନ୍ତ୍ରୀ ଓ ମୁଁ ନୈନିତାଲଠାରେ 3.6 ମିଟର ଦେବସ୍ଥଲ ଅପ୍ଟିକାଲ ଟେଲିସ୍କୋପ ଉଦ୍ଘାଟନ କରିଥିଲୁ । ଏହା ଏସିଆର ସବୁଠାରୁ ବଡ଼ ଟେଲିସ୍କୋପ ଭାବେ ଜଣାଶୁଣା । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଷ୍ଟ୍ରୋସାଟ ନାମକ ଗୋଟିଏ ଆଷ୍ଟ୍ରୋନମିକାଲ ସାଟେଲାଇଟ ଅଛି । ସୂର୍ଯ୍ୟ ସମ୍ବନ୍ଧରେ ଗବେଷଣା କରିବା ପାଇଁ ଇସ୍ରୋ ଆଦିତ୍ୟନାମକ ଗୋଟିଏ ଉପଗ୍ରହ ପ୍ରେରଣ କରିବାକୁ ଯାଉଛି । ସୌରବିଜ୍ଞାନକୁ ନେଇ ଆମର ପ୍ରାଚୀନ ଜ୍ଞାନ ହେଉ ବା ଆଧୁନିକ ଉପଲବ୍ଧି ହେଉ ତାହା ଆମେମାନେ ବୁଝିବା ଉଚିତ ଏବଂ ସେଗୁଡ଼ିକ ପାଇଁ ଗର୍ବ କରିବା ଦରକାର । ଆଜିକାଲି ଆମ ଯୁବ ବୈଜ୍ଞାନିକଙ୍କ ଭିତରେ କେବଳ ଆମ ବୈଜ୍ଞାନିକ ଇତିହାସକୁ ଜାଣିବାର ଆଗ୍ରହ ନାହିଁ ବରଂ ସେମାନଙ୍କଠାରେ ଆଷ୍ଟ୍ରୋନମୀର ଭବିଷ୍ୟତକୁ ନେଇ ଏକ ଦୃଢ଼ ଇଚ୍ଛାଶକ୍ତି ପରିଲକ୍ଷିତ ହୁଏ ।

ଆମ ଦେଶ ପ୍ଲାନେଟରିୟମଗୁଡ଼ିକ ରାତ୍ରୀର ଆକାଶକୁ ବୁଝିବା ସଙ୍ଗେ ସଙ୍ଗେ ଷ୍ଟାର ଗେଜିଂକୁ ଏକ ସଉକ ଭାବରେ ବିକଶିତ କରିବା ପାଇଁ ପ୍ରେରଣା ଦେଇଚାଲିଛନ୍ତି । ଅନେକ ଲୋକ ସୌଖିନ୍ ଟେଲିସ୍କୋପଗୁଡ଼ିକୁ ଛାତ କିମ୍ବା ବାଲକୋନିରେ ଲଗାଉଛନ୍ତିଷ୍ଟାର ଗେଜିଂ ଦ୍ୱାରା ଗ୍ରାମୀଣ କ୍ୟାମ୍ପ ଓ ଗ୍ରାମୀଣ ବଣଭୋଜିକୁ ମଧ୍ୟ ପ୍ରୋତ୍ସାହନ ମିଳିପାରେ । ଆଉ ଅନେକ ସ୍କୁଲକଲେଜ ବି ରହିଛି ଯେଉଁମାନେ ଆଷ୍ଟ୍ରୋନୋମି କ୍ଲବ ଗଠନ କରିଛନ୍ତି । ଏହି ପ୍ରୟୋଗକୁ ଆଗେଇନେବା ଉଚିତ

ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ଆମର ସଂସଦକୁ ଗଣତନ୍ତ୍ରର ମନ୍ଦିର ଭାବେ ଜାଣିଛୁ । ଗୋଟିଏ କଥା ଆଜି ମୁଁ ଗର୍ବର ସହିତ କହିବାକୁ ଚାହେଁ ଯେ ଆପଣମାନେ ଯେଉଁ ସାଂସଦମାନଙ୍କୁ ନିର୍ବାଚିତ କରି ପଠାଇଛନ୍ତି, ସେମାନେ ଗତ ଷାଠିଏ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଦେଇଛନ୍ତି । ଗତ ଛଅମାସ ମଧ୍ୟରେ ସପ୍ତଦଶ ଲୋକସଭାର ଉଭୟ ସଦନର କାମ ବହୁତ ଗଠନମୂଳକ ଥିଲା । ଲୋକସଭାରେ 114 ପ୍ରତିଶତ କାମ ହୋଇଥିବାବେଳେ ରାଜ୍ୟସଭାରେ 94ପ୍ରତିଶତ କାମ ହୋଇପାରିଥିଲା । ତାପୂର୍ବରୁ ବଜେଟ ଅଧିବେଶନରେ ପ୍ରାୟ 145 ପ୍ରତିଶତ କାମ ହୋଇଥିଲା । ବିଳମ୍ବିତ ରାତିଯାଏ ସଂସଦ ଚାଲୁ ରହିଥିଲା । ଏକଥା କହିବାରେ ମୋର ଉଦ୍ଦେଶ୍ୟ ହେଲା ସମସ୍ତ ସାଂସଦ ଏଥିପାଇଁ ବଧେଇ ଓ ଅଭିନନ୍ଦନର ଅଧିକାରୀ । ଆପଣମାନେ ଯେଉଁ ପ୍ରତିନିଧିମାନଙ୍କୁ ପଠାଇଲେ ସେମାନେ ଷାଠିଏ ବର୍ଷର ସମସ୍ତ ରେକର୍ଡ ଭାଙ୍ଗିଦେଲେ । ଏତେ କାମହେବା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଗଣତନ୍ତ୍ର ପ୍ରତି ଆସ୍ଥାର ପରିଚାୟକ । ମୁଁ ଉଭୟ ସଦନର ପୀଠାସୀନ ଅଧିକାରୀ ତଥା ସମସ୍ତ ରାଜନୈତିକ ଦଳମାନଙ୍କୁ ସେମାନଙ୍କର ଏହି ସକ୍ରିୟ ଭୂମିକା ପାଇଁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀ ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର ଆଦିର ଗତି କେବଳ ଗ୍ରହଣ ନିର୍ଣ୍ଣୟ କରେନି ବରଂ ଅନେକ କିଛି ତାସହିତ ସମ୍ପୃକ୍ତ । ଆମେ ସମସ୍ତେ ଜାଣନ୍ତି ଯେ ସୂର୍ଯ୍ୟଙ୍କର ଗତି ଅନୁସାରେ ଜାନୁୟାରୀ ମାସ ମଝିରେ ସାରା ଭାରତରେ ବିଭିନ୍ନ ପ୍ରକାର ଉତ୍ସବ ପାଳନ କରାଯିବ । ପଞ୍ଜାବରୁ ଆରମ୍ଭକରି ତାମିଲନାଡୁ ଓ ଗୁଜରାଟରୁ ଆରମ୍ଭକରି ଆସାମ ପର୍ଯ୍ୟନ୍ତ ଲୋକମାନେ ଅନେକ ଉତ୍ସବ ଉପଭୋଗ କରିବେ । ଜାନୁୟାରୀ ମାସରେ ମକର ସଂକ୍ରାନ୍ତି ଏବଂ ଉତ୍ତରାୟଣ ପର୍ବ ଉତ୍ସାହର ସହିତ ପାଳନ କରାଯାଏ । ଶକ୍ତିର ପ୍ରତୀକ ଭାବରେ ଏଗୁଡ଼ିକର ମାନ୍ୟତା ରହିଛି । ଏହି ସମୟରେ ପଞ୍ଜାବରେ ଲୋହଡ଼ି, ତାମିଲନାଡ଼ୁରେ ପୋଙ୍ଗଲ, ଆସାମରେ ମାଘ-ବିହୁ ମଧ୍ୟ ପାଳନ କରାଯିବ । ଏହି ପର୍ବଗୁଡ଼ିକ କୃଷକର ସମୃଦ୍ଧି ତଥା ଫସଲ ଅମଳ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଏହି ପର୍ବଗୁଡ଼ିକ ଆମକୁ ଭାରତର ଏକତା ଓ ବିବିଧତା ବିଷୟରେ ଚେତାଇ ଦେଇଥାଏ । ପୋଙ୍ଗଲର ଶେଷଦିନ ଆମମାନଙ୍କୁ ମହାନ୍ ତିରୁବଲ୍ଲୁବରଙ୍କ ଜୟନ୍ତୀ ପାଳନ କରିବାର ସୌଭାଗ୍ୟ ମିଳେ । ଏହି ଦିନଟି ମହାନ ଲେଖକ, ଚିନ୍ତାନାୟକ ସନ୍ଥ ତିରୁବଲ୍ଲୁବରଜୀଙ୍କ ଜୀବନ ପ୍ରତି ସମର୍ପିତ ହୋଇଥାଏ ।

ମୋର ପ୍ରିୟ ଦେଶବାସୀଗଣ, 2019ର ଏହା ଶେଷ ମନ୍ କି ବାତ୍ । 2020ରେ ଆମେ ପୁଣି ଭେଟିବା । ନୂତନ ବର୍ଷ, ନୂତନ ଦଶକ, ନୂତନ ସଂକଳ୍ପ, ନୂତନ ଶକ୍ତି, ନୂତନ ଉଦ୍ଦୀପନା, ନୂତନ ଉତ୍ସାହ – ଆସନ୍ତୁ ଆଗେଇଚାଲିବା । ସଂକଳ୍ପ ସାକାର କରିବା ଦିଗରେ ସାମର୍ଥ୍ୟ ଯୋଗାଡ଼ କରିବା । ବହୁ ଦୂର ଚାଲିବାକୁ ହେବ, ବହୁତ କିଛି କରିବାକୁ ହେବଦେଶକୁ ଗୋଟିଏ ନୂତନ ଉଚ୍ଚତାରେ ସ୍ଥାପିତ କରିବାକୁ ହେବ । 130 କୋଟି ଦେଶବାସୀଙ୍କର ପୁରୁଷାର୍ଥ, ସାମର୍ଥ୍ୟ ଆଉ ସଂକଳ୍ପ ଉପରେ ଅସୀମ ଆସ୍ଥା ରଖି ଆସନ୍ତୁ ଆଗେଇଯିବା । ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଶୁଭକାମନା ।

***********